Unknown

 

 

 

 

 

 

 

 

 

 

 

ସିନ୍ଦୂରା

ପ୍ରଶାନ୍ତ ମହାନ୍ତି

 

 

 

 

 

 

 

 

 

 

 

 

 

ବୋଉର ସ୍ମୃତିରେ...

 

ଗାଁ ମାଟି ଠିକ୍‌ ଏମିତି ପଇଡ଼ ପାଣି ଭଳି କିଛିଟା ମଧୁର ଓ ଆଉ କିଛିଟା ସାପ ବିଷ ଭଳି ଭୟଙ୍କର । ଭୟଙ୍କରତାଟା ମୋତେ ଦିନେ ଖୁବ୍‌ ବେଶି ଛୁଇଁଥିଲା ଓ ନଡ଼ିଆ ଗଛର ନିଷ୍ଠୁରତା ଅନୁଭବ କରୁଥିଲି । ମୋତେ ଗଛ ଚଢ଼ି ଆସେନା ବୋଲି ଏତେବେଶି ଡେଙ୍ଗା ହେଇଯାଇଚି ଯେ, ମଝିରେ ମଝିରେ ନଡ଼ିଆ ଗଛର ଝୁଲନ୍ତା ପଇଡ଼ମାନଙ୍କୁ ଚାହିଁ ମୁଁ ବେଶି ବଞ୍ଚି ଯାଉଥିଲି, ମାତ୍ର ଚାହିଁ ବଞ୍ଚିବା ଯେ, ଜୀବନ ପାଇଁ ସମ୍ପୂର୍ଣ୍ଣ ସମ୍ଭବ ନୁହେଁ ମୁଁ ଯେତେବେଳେ ଅନୁଭବ କରିଥିଲି ସେତେବେଳେ କିଛି ପଇସା ଓ ଅଖାରେ କିଛି ଚାଉଳ ନେଇ ସହରରେ ଜଣେ ଆତ୍ମୀୟଙ୍କ ଘରେ ଅବସ୍ଥାନ କରିଥିଲି ଚାକିରି ଉଦ୍ଦେଶ୍ୟରେ ।

 

ଏଇ ମାଟିଉପରେ ମୁଁ ଚବିଶ ବର୍ଷର ସ୍ୱପ୍ନ ଛାଡ଼ି ଯାଇଥିଲି । ୟା’ ଭିତରେ ଛୋଟ ଗଛ ବଡ଼ ହେଇଚି । ବାଡ଼ି ବଗିଚା ହସିଉଠୁଚି । ଏଇ ସେ ପିଜୁଳି ଗଛ । ଦେଖିଲାବେଳକୁ ମନେପଡ଼ୁଛି-। ପ୍ରଥମେ ଚାରି ଛ’ଗଣ୍ଡା ପିଜୁଳି ଫଳିଥିଲା । ପିଲାମାନେ ସବୁବେଳେ ଚଢ଼ି ହାତ ମାରୁଥିଲେ-। କିନ୍ତୁ ଛିଣ୍ଡେଇ ପାରୁନଥିଲେ ମୋ ଡରରେ । ମୁଁ ତାଙ୍କୁ ଯେତେ ଧମକ ଦେଖେଇଲେ ମଧ୍ୟ ଶ୍ରାବଣ ମାସରେ ବଢ଼ନ୍ତା ନଈକୁ ଦେଖି ଚାଷୀପୁଅ ଯେତେ ବାହାସ୍ଫୋଟ ମାରି ତା’ କ୍ଷେତମୁଣ୍ଡରେ ମାଟି ଲଦି ହିଡ଼ ତିଆରି କରି ଜଗି ବସିଥିଲେ ବି ବଢ଼ିପାଣି ତାକୁ ବୁଡ଼େଇ ଦେଇଗଲା ଭଳି ସେମାନେ ମୋ ସଙ୍ଗେ ଲୁଚକାଳି ଖେଳି ଚଢ଼ନ୍ତି ଓ ପିଜୁଳିର ଫୁଲିଲା ଫୁଲିଲା ଦେହକୁ ଦେଖି ଖୁସିହୁଅନ୍ତି-। ମୁଁ ବୁଝେ ପିଲାବେଳେ ମୋର ମଧ୍ୟ ଏମିତି ଗୋଟେ ପ୍ରଚଣ୍ଡ ଇଚ୍ଛାଥିଲା । ମୋତେ ବାରଣ କରାଯାଇଥିବା ବସ୍ତୁଟି ଉପରେ ମୋର ଝୁଙ୍କ୍‌ ଅଧିକ ଦେଖାଦେଉଥିଲା । ଏପରିକି ମୁଁ ରାଗିଗଲେ ଘରର ଆସବାବପତ୍ରକୁ ନେଇ ଟଗର ବଣରେ ଫିଙ୍ଗି ଦେଉଥିଲି ଏବଂ ବୋଉ ମୋତେ ଗାଳିଗୁଲଜ କରୁଥିଲା, ମାରୁଥିଲା ଓ ମୁଢ଼ିମୁଆଁ ଧରେଇ ବୋଧକରି ଦେଉଥିଲା । ସୁତରାଂ ମୁଁ ମୋର ସେଇ ସାନଭାଇ, ଭଉଣୀମାନଙ୍କୁ ନାଲିଆଖି ଦେଖେଇ ଧମକ ଦେଇ ପାଠ ପଢ଼ିବାକୁ କହିଲେ ମଧ୍ୟ ଭିତରେ ଭିତରେ ତାଙ୍କ ମନ କଥାଟାକୁ ବୁଝିପାରୁଥିଲି ।

 

ଆଜିକୁ ପାଞ୍ଚବର୍ଷ ହେଲାଣି ଗାଁକୁ ଆସିନଥିଲି । ଏଇ ଆସିଚି ଯେ ମୋତେ ଖୁବ୍‌ ନୂଆ ନୂଆ ଲାଗୁଚି ଏ ଘର, ଏ ବଗିଚା, ମୋ ପରିବାର । ମାତ୍ର ଅଠର ଘଣ୍ଟା ଭିତରେ ମୁଁ ଯାହା ଅନୁଭବ କରୁଛି ମୋ ପରିବାରର ଲୋକମାନେ ଯଥେଷ୍ଟ ଭଦ୍ର ଓ ସହଜ ଜୀବନ କରୁଛନ୍ତି । ମୋ ସାନ ଭାଇ ଭଉଣୀମାନେ ମୋତେ ଖୁବ୍ ବଡ଼ ଭାବି ଦୂରରେ ରହୁଛନ୍ତି । ମୋ ଖାଇବା ପିଇବାର ବ୍ୟବସ୍ଥା ଯଥା ସମୟରେ ହେଇପାରୁଚି । କେହି ମୋ ସାଙ୍ଗରେ ଆଗଭଳି ଅନାବନା ଗପ କରିବାକୁ ସାହସ କରୁନାହାନ୍ତି । ମୁଁ ଯେମିତି ଏ ପରିବାରରେ ଜଣେ ବିଶିଷ୍ଟ ଅତିଥି ।

 

ଏତିକିବେଳେ ମୋ ସାନ ଭଉଣୀ ମିନୁ ଗୋଟାଏ ପ୍ଳେଟରେ କିଛି ପାଚିଲା ଆମ୍ବ ଓ ପାଣି ଗ୍ଳାସ୍‍ଟେ ଧରି ମୋ ପାଖରେ ଛିଡ଼ାହେଲା । ମୁଁ କିଛି ନ କହି ତା’ ହାତରୁ ପାଣି ଗ୍ଳାସ୍‌ଟା ନେଇ ମୁହଁ ଧୋଇ ରଖିଦେଲି ଓ ପ୍ଳେଟ୍‌ଟା ଧରି କଟା ଆମ୍ବରୁ ଗୋଟେ ଫାଳ ଖାଇବାକୁ ଆରମ୍ଭ କଲାରୁ ସେ ଚାଲିଗଲା । ପାଟିପାଖକୁ ଉଠେଇ ନେଇଥିବା ଆମ୍ବ ଖଣ୍ଡଟା ସେଇଠି ଅଟକିଗଲା ମିନୁର ପଛକୁ ଚାହିଁବାକ୍ଷଣି । ସେ ମାଟ୍ରିକ୍‌ ପରୀକ୍ଷା ଦେଇଚି । ଏବେ ଛୁଟି ବୋଲି କାମଧନ୍ଦାରେ ସାନବୋଉକୁ ସାହାର୍ଯ୍ୟ କରୁଚି । ମୁଁ ଯେତେବେଳେ ଗାଁ ଛାଡ଼ି ଚାଲିଯାଇଥିଲି ତା’ର ଆବଶ୍ୟକତାକୁ ସଙ୍ଗେ ସଙ୍ଗେ ପୂରଣ କରୁଥିଲି । ଏ ସମସ୍ତ ଭିତରେ ଆମ ଭାଇ ଭଉଣୀ ଦୁହିଁଙ୍କର ଗୋଟେ ଭଲ ରକମର ବୁଝାମଣା ଥିଲା । ତା’ ସ୍କୁଲ ପାଖରେ ମୋ ପ୍ରେମିକାର ଗାଁ ଏବଂ ଏକା କ୍ଳାସରେ ପ୍ରେମିକାର ସାନ ଭଉଣୀ ପଢ଼େ । ମୁଁ ଚିଠି ଲେଖି ମିନୁ ହାତରେ ପଠାଏ । ମିନୁ ନେଇ ନମିତାକୁ ଦିଏ । ସେ ନେଇ ଗୀତାକୁ ଦିଏ । ଚିଠି ପହଞ୍ଚିବାରେ କୌଣସି ଅସୁବିଧା ହୁଏନାହିଁ । ତେଣୁ ଗୀତା ଆଉ ମୋ ଭିତରର ସମ୍ପର୍କକୁ କେହି ଯଦି ମଜଭୁତ କରିଥାଆନ୍ତି ତାହେଲେ ସେଇ ଦୁଇଜଣ ପ୍ରଥମ ଏବଂ ଶେଷ ।

 

ମୋର ଗୋଟେ ଧାରଣା ହେଉଚି ପ୍ରେମ ବିନା ପୃଥିବୀରେ ଆଉ କୌଣସି ଜିନିଷ ନାହିଁ ଯାହା ହୃଦୟରେ ଏତେ ବେଶି ରେଖାପାତ କରିବ ଓ ସମୟକୁ ବୁହାଇଦେବ ମୃତ୍ୟୁର ସମୁଦ୍ରକୁ । ମୁଁ ଅବଶ୍ୟ ଜାଣିଶୁଣି ଗୀତା ପଛରେ ଧାଇଁନଥିଲି । ଯେତେବେଳେ ବି.ଏ ପାସ୍‌ କରି ଘରେ ବୁଲୁଥିଲି ଓ ମଝିରେ ମଝିରେ ହାଇସ୍କୁଲଆଡ଼େ ବୁଲି ଯାଉଥିଲି, ସେଇ ଯିବାଆସିବା ଭିତରେ ମୁଁ ତାଙ୍କ କ୍ଳାସରେ ଥରେଅଧେ ପଢ଼େଇଚି । ତା’ର ସେ ବର୍ଷ ଏକାଦଶ ଶ୍ରେଣୀ ହେଇଥିଲା । କ୍ଳାସରେ ଭଲ ପଢ଼ୁଥିଲା କି ନା ମୁଁ ଜାଣିନଥିଲି; କିନ୍ତୁ ମୋତେ ଦେଖି ସେ ଅଳ୍ପ ଅଳ୍ପ ମୁରୁକି ହସୁଥିଲା । ସେ ମୋତେ ବହୁ ପୂର୍ବରୁ ଯେ ଚିହ୍ନିଥିଲା ମୁଁ ଜାଣିନଥିଲି । ତାଙ୍କ କ୍ଳାସରେ ସେଇ ଝିଅଟା ଏକମାତ୍ର ସୁନ୍ଦରୀ ବୋଲି ହୃଦ୍‌ବୋଧ ହେଲାପରେ ମୁଁ ତା’ ସହ କଥା ହେବାପାଇଁ ଡାକିଥିଲି ଅଫିସ୍‌କୁ । ସେଦିନ ଝିପି ଝିପି ବର୍ଷା ହେଉଥିଲା । ଆକାଶରେ ବଉଦର ରୋଷଣା ଲାଗିଥିଲା । ଅନ୍ଧାର ରାତିରେ ଗାଁ ଦାଣ୍ଡରେ ଚୌକିଦାର ବୁଲି ମଝିରେ ମଝିରେ କୁହାଟ ମାରି ତା’ ଡିଉଟିର ମହତ୍ତ୍ୱ ପ୍ରତିପାଦନ କଲାଭଳି ଆକାଶରୁ ବର୍ଷାର ତୁହା ଖସୁଥିଲା । ମୋ ଦାଦା ସେ ସ୍କୁଲର ଆସିଷ୍ଟାଣ୍ଟ ଟିଚର ଥିଲେ । ଓଡ଼ିଆ ପଢ଼ାନ୍ତି । ସେଦିନ ତାଙ୍କୁ ଜ୍ୱର ହେବାରୁ ସେ ତାଙ୍କ କ୍ଳାସ୍‌ ନେବାକୁ ପଠେଇଲେ ଏବଂ ହେଡ୍‌ମାଷ୍ଟରଙ୍କ ପାଖକୁ ଖଣ୍ଡେ ଦରଖାସ୍ତ ଲେଖିଦେଇଥିଲେ । ଯୋଗକୁ ହେଡ୍‌ମାଷ୍ଟର ମଧ୍ୟ ଆସିନଥିଲେ । ମୁଁ ଗୀତାର କ୍ଳାସରେ ପଢ଼େଇ ସାରିଲା ପରେ ତାକୁ ଅଫିସକୁ ଡାକିଥିଲି । ଅଫିସରେ ବସି ତା’ ସହ କଥାହେବା ନିରାପଦ ନୁହେଁ ଭାବି କ୍ଳର୍କଠାରୁ ଲାଇବ୍ରେରୀ ଚାବି ନେଇଗଲି ବହି ଦେଖିବାକୁ କହି । ଲାଇବ୍ରେରୀ ଖୋଲି ବହି ଥାକର ଆଢ଼ୁଆଳକୁ ଆମେ ଚାଲିଗଲୁ । ଗୋଟାଏ ଚେୟାର ଟାଣିନେଇ ମୁଁ ବସିଲି ଓ ଗୀତା ମୋ ପାଖରେ ଛିଡ଼ାହେଲା । ତାକୁ କିଛି କହିବା ପୂର୍ବରୁ ମୁଁ ଥାକଭିତରୁ ଗୋବିନ୍ଦ ଦାସଙ୍କ ଅମାବାସ୍ୟାର ଚନ୍ଦ୍ର ଉପନ୍ୟାସଟି କାଢ଼ିଆଣି ହାତରେ ଧରିଲି । ମୁଁ ତାକୁ କ’ଣ ପଚାରିବି, କେମିତି ପଚାରିବି, କାହିଁକି ପଚାରିବି ଓ କେଉଁଠୁ ପଚାରିବି କିଛି ସ୍ଥିର କରିପାରୁନଥିଲି । ମୁଁ ତା’ ମୁହଁକୁ ଚାହିଁଲି, ଓଠ ଟିପି ଟିପି ହସିଲା । ତା’ଦ୍ୱାରା ତା’ ଲମ୍ବା ଆଖିର ଭୂରୁ ନଇଁଗଲା ତଳକୁ । ବୋଧେ ଲାଜରେ । ମୁଁ ଦେଖୁଥିଲି । ବେଶି ମୋଟି ନୁହେଁ କି ସରୁ ନୁହେଁ, ମଝିଲା କାଟର ଝିଅଟିଏ । ବେଶ୍‌ ସରଳ, ଶାନ୍ତ ସ୍ନିଗ୍‌ଧ ମନେହେଉଥିଲା । ବାଁପଟ ଗାଲରେ ଗୋଟେ ଛୋଟ ତିଳ ଚିହ୍ନ ଭାରି ଚମତ୍କାର ଦିଶୁଥିଲା ତାକୁ । କିନ୍ତୁ ଏ ସବୁ ସତ୍ତ୍ୱେ ତା’ ବାଳଗୁଡ଼ାକ ଲମ୍ବା ନୁହେଁ । ତମ୍ବାରଙ୍ଗର ସାମାନ୍ୟ କୁଞ୍ଚ କୁଞ୍ଚିଆ ବାଳ । ହୁଏତ ତା’ର ବାଳଗୁଡ଼ାକ ଯଦି ଲମ୍ବା ହେଇଥାନ୍ତା ତାହେଲେ ମୋନାଲିସାଠାରୁ ମଧ୍ୟ ବେଶି ସୁନ୍ଦରୀ ହେଇପାରିଥାଆନ୍ତା ।

 

ମୋର ଏ ଭାବନା ଭିତରେ ସେ ବୋଧେ କିଛିଟା ଅସ୍ଥିରତା ଅନୁଭବ କରୁଥିଲା । କାରଣ ସେ ଚୁପ୍‌ଚାପ୍‌ ଛିଡ଼ାହେଇଥିଲେ ବି ତା’ ମୁହଁ କହୁଥିଲା ତା’ ଭିତରେ ଯେମିତି ଗୋଟାଏ ମସ୍ତବଡ଼ ଝଡ଼ ବହିଯାଉଚି । ମୁଁ ପଚାରିଲି ତମେ ମୋତେ ଚିହ୍ନିଚ ?

 

ସେ କିଛି କହିଲାନି । ପ୍ରଥମେ ମୋ ମୁହଁକୁ ଚାହିଁଲା ଓ ପରେ ଆଖି ଫେରେଇନେଇ ଧରିଥିବା କଲମଟିକୁ ପାଟିରେ ପୂରେଇ ତଳକୁ ଚାହିଁଲା । ହୁଏତ ସେ ମୋ ପ୍ରଶ୍ନର ଉତ୍ତର ଖୋଜି ପାଉନଥିଲା । ଗାଁ ପାଖ ଗାଁର ଲୋକମାନଙ୍କୁ ଚିହ୍ନିବା ବେଶି କଷ୍ଟକର ବ୍ୟାପାର ନୁହେଁ । ଯାତ୍ରାମେଳାରେ କିମ୍ବା ନଈତୁଠରେ ଏକାଧିକବାର ଭେଟ ହେଇଥିବାର ସମ୍ଭାବନା ଅଛି । ତେବେ ମୁଁ ତାକୁ ଏମିତି ପ୍ରଶ୍ନ ପଚାରିଲି କାହିଁକି ? ହୁଏତ ଆଉ କିଛି ପଚାରି ହେଇଥାଆନ୍ତା । ଚିହ୍ନିବା କଥାଟା ଯେତେ ସହଜ, କହିବାଟା ସେତେ ସହଜ ନୁହେଁ । ସେ ଯେ ମୋତେ ନ ଚିହ୍ନିଚି ସେମିତି ନୁହେଁ । ମାତ୍ର ହଁ ବୋଲି ସମ୍ମତି ଜଣେଇବାକୁ ସବୁ ଝିଅ ଅଳ୍ପକେ କୁଣ୍ଠାବୋଧ କରିବେ । ସେଥିପାଇଁ ମୁଁ ପୁଣି ପଚାରିଲି; ମୁଁ ତମକୁ ଏଠିକି କାହିଁକି ଡାକିଛି ଜାଣ ?

 

ସେ ବୋଧେ ମୋତେ ଖୁବ୍‌ ଭୟ କରୁଥିଲା । କିଛି କହିବା ପାଇଁ ତା’ ଭିତରେ ସାହସ ଆସୁନଥିଲା । କିନ୍ତୁ ମୋର ଏ ପ୍ରଶ୍ନରେ ସେ ଖୁବ୍‌ କଅଁଳେଇ ସ୍ମିତହସି କହିଲା : କାହିଁକି ?

 

ପ୍ରକୃତରେ କିଛି ବିଶେଷ କାରଣବଶତଃ ମୁଁ ଯେ ତାକୁ ଡାକିଛି ସେମିତି ନୁହେଁ । ଖାଲି ସୁନ୍ଦରୀ ଝିଅଟିଏ ବୋଲି । ତା’ର କାହିଁକି ପ୍ରଶ୍ନର ଉତ୍ତର ଦେଇ ମୁଁ କହିଲି : ଏମ୍‌ତି ଇଚ୍ଛାହେଲା ତମ ବିଷୟରେ କିଛି ଜାଣିବାକୁ । ଭଲଭାବେ ପଢ଼ାପଢ଼ି କରୁଛ ତ ?

 

ସିଏ କିଛି କହିବା ପୂର୍ବରୁ କ୍ଳର୍କ ଜଣକ ଭିତରକୁ ପଶି ଆସୁ ଆସୁ ମୋ ଛାତି ଭିତରଟା ଧଡ଼୍‍ଧଡ଼୍‍ ହେବାକୁ ଲାଗିଲା । ଏମିତି ଗୋଟେ ନିରୋଳା କୋଠରୀରେ ଜଣେ ସୁନ୍ଦରୀ ଝିଅକୁ ପାଖରେ ରଖିବାର ଭୟ ମୋ ଭିତରେ ହାଇମାରୁଥିଲା । ମୁଁ ଭାବୁଥିଲି ହୁଏତ ସେ ଲୋକଟା କିଛି ମନେକରିବ ଓ ସେ ସଂପର୍କୀୟ ପ୍ରଶ୍ନ ମଧ୍ୟ ପଚାରିପାରେ । ମାତ୍ର ତା’ କହିବା ପୂର୍ବରୁ ଗୀତା ଠିକ୍‌ ଆମ ଇମୋସନର ଚକଟାକୁ ଘୂରେଇ ଦେଇ କହିଲା; ‘‘ଦେଖନ୍ତୁ ସାର୍‌, ମୁଁ ଏ ଉପନ୍ୟାସଟା ପଢ଼ିଚି-। ଭଲ ଲାଗିଲା । ୟା’ ଅପେକ୍ଷା ଆଉ ଭଲ ଉପନ୍ୟାସ କ’ଣ ଅଛି ଦିଅନ୍ତୁ’’ ?

 

ପ୍ରତିଟି ଉପନ୍ୟାସ ନିଜ ନିଜର ବୈଶିଷ୍ଟ୍ୟ ନେଇ ଭଲ । ତମେ ଗୋପିବାବୁଙ୍କ ଉପନ୍ୟାସ ପଢ଼ିଚ ? ମୁଁ ପଚାରିଲି ।

 

ହଁ ଖଣ୍ଡେ ପଢ଼ିଚି । ଅପହଞ୍ଚଟା ପଢ଼ିଚି । ଏହାପରେ ଆଉ ତାଙ୍କ ଉପନ୍ୟାସ ପଢ଼ିବାକୁ ସୁଯୋଗ ପାଇନି ।

 

ତମେ ତାଙ୍କର ପରଜା, ଅମୃତର ସନ୍ତାନ କିମ୍ବା ମାଟିମଟାଳ ପଢ଼ । ଖୁବ୍‌ ଭଲ ଲାଗିବ ।

 

ଆମର ଏ ଲାଇବ୍ରେରୀରେ ସେ ବହି ଅଛି କି ?

 

ଆମର ଏ କଥାବାର୍ତ୍ତା ଶୁଣି କ୍ଳର୍କଟି କ’ଣ କହିବାକୁ ଆସିଥିଲା ଭୁଲିଗଲା ବୋଧେ କିମ୍ବା ଆମେ କ’ଣ କରୁଛୁ ଦେଖିବାକୁ ଆସିଥିଲା । ଯେମିତି ଆସିଥିଲା ସେମିତି ସେ ପାଟି ଖଣ୍ଡକୁ ଦି’ଖଣ୍ଡ ନ କରି ଫେରିଗଲା ।

 

ପୁଣି ଆମେ ଆଗଭଳି ସଚେତନ ନୀରବତା ଭିତରେ ରହିଗଲୁ । ମୁଁ ବହିଟିକୁ ପୁଣି ଯଥାସ୍ଥାନରେ ରଖିଦେଇ ତା’ ଆଡ଼କୁ ଧୀରେ ଧୀରେ ହାତ ବଢ଼େଇବାକୁ ଚେଷ୍ଟାକଲି । ଗଛରେ ଶୁଖିଲା ପତ୍ରଟିଏ ପବନରେ ହଲି ହଲି ଅସ୍ପଷ୍ଟ ଶବ୍ଦ ସୃଷ୍ଟି କଲାଭଳି ମୋ ଛାତିଭିତରେ ଗୋଟେ ଶବ୍ଦ ଚହଟୁଥିଲା ଭୟ ଆଉ ଦୁଃସାହସିକତାରେ । ସେ ଯେ ବେଶ୍‌ ଚାଲାକ ଝିଅ ମୁଁ ତା’ କଥାବାର୍ତ୍ତା କରିବାର ଭଙ୍ଗିରୁ ବେଶ୍‌ ବୁଝି ସାରିଥିଲି । ମୁଁ ମୋ ବାମ ହାତରେ ତା’ ଡାହାଣ ହାତର ନରମ ବଳାଗଣ୍ଠିକୁ ଧରି ପାଖକୁ ଟାଣିଆଣିଲି ଧୀରେ ଧୀରେ । ବିନା ଆପତ୍ତିରେ ସେ ମଧ୍ୟ ବାଁପଟକୁ ଆଉଜି ଆସି ଚୌକିର ହାତଉପରେ ହାତ ରଖିଲା । ମୁଁ ତା’ ମୁହଁକୁ ଚାହିଁ ଲକ୍ଷ୍ୟ କରୁଥିଲି ଆମେ କେହି କାହାକୁ କିଛି ନ କହିଲେ ମଧ୍ୟ ବୁଝିପାରୁଚୁ ସବୁକଥା । ମୁଁ ତା’ ଡାହାଣ ହାତଉପରୁ ହାତ ଖସେଇଆଣି କଟି ଉପରେ ହାତ ବୁଲେଇବାକୁ ଚେଷ୍ଟା କଲାବେଳେ ମୋର ଭୀରୁ ମନ ପୁଣି ମୋତେ ହାତ ଫେରେଇବାକୁ ବାଧ୍ୟକଲା ଯେମିତି କଇଁଛର ମୁଣ୍ଡ ବାହାରକୁ ଥିବାବେଳେ ହଠାତ୍‌ କିଛି ଶବ୍ଦ ହେଲେ ସେ ଯେମିତି ଭିତରକୁ ନେଇଯାଏ । ଏଥର କିନ୍ତୁ ସେ ପାଟି ଖୋଲିଲା ! କାହିଁକି ମୋତେ ଡାକିଲେ କହୁନାହାନ୍ତି ? ଅନ୍ୟ କ୍ଳାସ ତେଣେ ଚାଲିଯିବ ଯେ ?

 

ତମେ ତାହାଲେ କ୍ଳାସ ସମ୍ପର୍କରେ ଖୁବ୍‌ ସଚେତନ, ନୁହେଁ ? –କହି ମୁଁ ଝରକା ଦେଇ ବାହାରକୁ ଚାହିଁଲି । ସେପଟେ ଗୋଟେ ନଡ଼ିଆ ଗଛରେ କାନ୍ଦି କାନ୍ଦି ପଇଡ଼ ଝୁଲୁଚି । ମୁଁ ତାକୁଇ ଚାହିଁରହିଲି । ଖୁବ୍‌ ସନ୍ଦର ଦିଶୁଥିଲା ଗଛ ଭର୍ତ୍ତି ପଇଡ଼ର କାନ୍ଦି । ପଚାରିଲି; ଏ ଗଛ ସ୍କୁଲ ବଗିଚାର-?

 

–ହଁ କହି ସେ ନଡ଼ିଆ ଗଛକୁ ଚାହିଁଲା । ମୁଁ ପୁଣି କହିଲି; ଭାରି ସୁନ୍ଦର ଦିଶୁଚି ।

 

ସେ କିଛି କହିଲାନି । ତା’ ଆଖିକୁ ଚାହିଁଲି । ସେ ବୋଧେ ମନେମନେ ବୋର୍‌ ହେଇଯାଇ ଭାବୁଥିଲା, ନଡ଼ିଆ ଗଛଟାରେ ଏତେ ସୁନ୍ଦର ଅସୁନ୍ଦରର ଛବି ଆଙ୍କିବା କେଉଁ ଦର୍ଶନର କଥା ? କିନ୍ତୁ ସେ ମୋ ଆଖିଭିତରେ ଫୁଟୁଥିବା ଦୃଶ୍ୟକୁ କଳ୍ପନା କରିବା ସହଜ ନ ଥିଲା । ମୁଁ ସ୍ୱର୍ଗତୋକ୍ତି କଲାଭଳି କହିଲି; ଆଜିଯାଏ ମୁଁ ପଇଡ଼ ପିଇନି । ବହିରେ ପଢ଼ିଥିଲି ‘ପଇଡ଼ ବଡ଼ ମଧୁର’ । ସତେ କ’ଣ ପଇଡ଼ ବଡ଼ ମଧୁର ?

 

ସେ କିଛିଟା ହସିଲାଭଳି ବୋଧହେଲା । ତାପରେ କହିଲା; ଆପଣ ଏ ଯାଏଁ ପଇଡ଼ ପିଇନାହାନ୍ତି ?

 

ମୁଁ ମୁଣ୍ଡ ହଲେଇ ମନାକଲି । ପଇଡ଼ ପାଣି ମୋ ପାଇଁ କାଳ୍ପନିକ ଅମୃତ ଥିଲା । ସେ ପଚାରିଲା; ପିଅନ୍ତି ନାହିଁ ନା ପିଇନାହାନ୍ତି ?

 

ଏକା କଥା । କୌଣସି ଦିନ ପିଇଥିଲେ ଆଜି ପିଇବା ନ ପିଇବା ସମ୍ପର୍କରେ କହିପାରନ୍ତି-

 

କାହିଁକି କିଛି ବାରଣ ଅଛି ? ସବୁଠି ପଇଡ଼ ଅଛି, ଚାହିଁଲେ ଡେରିହେବନି ପିଇବାକୁ । କିନ୍ତୁ ଆପଣ ପିଇ ନାହାନ୍ତି କେମିତି ?

 

ମୁଁ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି କହିଲି; ମୋତେ ଗଛ ଚଢ଼ା ଆସେ ନାହିଁ । ଅନ୍ୟ ମନସ୍କତାରେ ପାଚେରୀ କଡ଼ରେ ଛିଡ଼ାହେଇ ପାଖରେ ଥିବା ପୋଖରୀରେ ଦେଖିଲି ଆଉ ଗୋଟେ ନଡ଼ିଆ ଗଛର ଛବି । ଭୀଷଣ ବଡ଼ ବଡ଼ ଓ ଆକର୍ଷଣୀୟ ପଇଡ଼ ଚମତ୍କାର । ପୋଖରୀରେ ମାଛ ଓ ପଇଡ଼ର ଛାଇ । ପଇଡ଼, ମାଛ । କହିଉଠିଲି; ପୋଖରୀ ପାଣିରେ କ’ଣ ଭଲ ମାଛ ଅଛନ୍ତି ? ଧରାହୁଅନ୍ତି ନାହିଁ ? ସୁଖରେ ବଞ୍ଚିଛନ୍ତି ନୁହେଁ ? ପଇଡ଼ର ସ୍ୱପ୍ନ ତାଙ୍କୁ ବଞ୍ଚେଇ ରଖୁଥିବ ।

 

ଏବେ ସଠିକ୍‌ ମନେପଡ଼ୁନି ସେଦିନ ଗୀତାର ହାତଧରି ମୁଁ କେତେ କ’ଣ ଅସଂଲଗ୍ନ ଗଳ୍ପ କରିଥିଲି କିନ୍ତୁ ମନେଅଛି ତା’ କ୍ଳାସ୍ ସରିବା ପର୍ଯ୍ୟନ୍ତ ଓ ଘରକୁ ଫେରିବା ପର୍ଯ୍ୟନ୍ତ କେବଳ ମୋତେ ହିଁ ସେ ଚାହିଁ ରହିଥିଲା । ଝିପି ଝିପି ବର୍ଷାଭିତରେ ଦୁଇଟି ହୃଦୟର ନିକଟତମ ଭାବଧାରା ସଂଯୋଗି ଯାଉଥିଲେ । ତା’ପରେ ସବୁଦିନର ମୋ ଭିତରେ ପଇଡ଼ର ସ୍ୱପ୍ନ ଚେଉଁଥିଲା । ମୁଁ ତାକୁ ଦେଖାକରୁଥିଲି ଆଉ ମିନୁହାତରେ ପ୍ରତିଦିନ ଚିଠି ଲେଖି ତା’ ପାଖକୁ ପଠାଉଥିଲି । ସେ ଉତ୍ତର ଲେଖୁଥିଲା ।

 

ପାନ ଦୁଇଖଣ୍ଡେ ଧରି ମିନୁ ଆସି ମୋ ପାଖରେ ପହଞ୍ଚିଲା । ତଥାପି ମୋର ପ୍ଳେଟ୍‌ରୁ ଆମ୍ବ ସରିନଥିଲା । ମୁଁ ତା’ ହାତକୁ ପ୍ଳେଟ୍‌ଟା ବଢ଼େଇଦେଇ କହିଲି; ଆଉ ଏତେ ଖାଇହେବନି, ନେଇଯା’ ।

 

ସେ ବିନା ଆପତ୍ତିରେ ନେଇଗଲା ଓ ମୁଁ ପାଟିଧୋଇ ପାନଖଣ୍ଡେ କଳରେ ନେଲି । ପାନ ଖିଆ ଅଭ୍ୟାସଟା ମୋର ଖୁବ୍‌ ବେଶି । ଅନେକ ଦିନର । କଲେଜରେ ପଢ଼ିଲାବେଳେ ପାନ ଖାଇ ଓଠ ନାଲି କରି ଝିଅମାନଙ୍କ ପାଖରେ ବସିବା ଗୋଟାଏ ସଉକ ଥିଲା । ସେଇ ମିଛି ମିଛିକା ସଉକଟା ଏତେ ବେଶି ମଜଭୁତ୍‌ ହେଇଗଲା ଯେ ଏବେ ଚାହିଁଲେ ମଧ୍ୟ ଛାଡ଼ି ହେଉନାହିଁ । ଯେମିତି ପଚା ଘା’ ପାଖରୁ ମାଛିଗୁଡ଼ାଙ୍କୁ ଯେତେ ଉଡ଼ାଇଲେ ମଧ୍ୟ ପୁଣି ଉଡ଼ିଆସି ବସନ୍ତି ମୋର ଏ ପାନ ଚୋବେଇବା ଅଭ୍ୟାସଟା ଠିକ୍‌ ସେମିତି । ମୁଁ ଏକା ନୁହେଁ; ଆମ ପରିବାର, ଆମ ଗାଁ ଓ ଆମ ଓଡ଼ିଆରେ ଏହି ପାନ ଖାଉଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ବେଶି । ସେଥିପାଇଁ ଆମ ଓଡ଼ିଆ ମାଟିଟା ପାନ ବ୍ୟବସାୟ ପାଇଁ ପ୍ରଶସ୍ତ କ୍ଷେତ୍ର । ଏପରିକି ପେଟକୁ ମୁଠେ ଖାଇବାକୁ ନ ପାଉଥିବା ଲୋକଟିଏ ମଧ୍ୟ ଗାଲରେ ପାନ ଖିଲେ ଗୁଞ୍ଜିଥିବ ।

 

ଏଥର ମୁଁ ଚେୟାରରୁ ଉଠି ଆମ୍ବଗଛ ମୂଳକୁ ଗଲି । ଏ ଗଛଟାକୁ ମୋ ଜେଜେ ଲେଗେଇଥିଲେ । ଅବଶ୍ୟ ଏହାର ମଞ୍ଜି ଲାଗିବାଠାରୁ ଫଳିବା ପର୍ଯ୍ୟନ୍ତ ମୁଁ ଦେଖିଚି । ମୋର ମନେନାହିଁ ଏ ଗଛର ମଞ୍ଜି କେଉଁଠୁ ଆସିଥିଲା, କେମିତି ଆସିଥିଲା; କିନ୍ତୁ ସମସ୍ତେ ୟା’କୁ କଲିକତି ଆମ୍ବ ବୋଲି କହନ୍ତି । ଭାରି ଭଲ ଆମ୍ବ, ମିଠା ଲାଗେ ଖୁବ୍‌ । ବଡ଼ ବଡ଼ ମଧ୍ୟ । କଞ୍ଚାବେଳେ ପିଲାଏ ଖାଇଯାଆନ୍ତି । ଏ ବର୍ଷ ବୋଧେ ବେଶି ଆମ୍ବ ହେଇଥିଲା । ନହେଲେ ଆଜି ପର୍ଯ୍ୟନ୍ତ କେମିତି ରହିଲା ? ଗଛର ସବା ଉପର ଡାଳରେ ପେଣ୍ଡାପେଣ୍ଡା ହେଇ ଅନେକ କଞ୍ଚା, ପାଚିଲା ଆମ୍ବ ଝୁଲୁଥିଲା । ମୋର ଭାରି କୌତୂହଳ ଜନ୍ମିଲା ସେଇ ଝୁଲନ୍ତା ପାଚିଲା ଆମ୍ବ ଦେଖି । ସଙ୍ଗେ ସଙ୍ଗେ ଅଣ୍ଟାରେ ଗାମୁଛା ଭିଡ଼ି ଗଛକୁ ଚଢ଼ିବାକୁ ଲାଗିଲି । ପୂରା ଆଗ ଡାଳକୁ ଚାଲିଗଲି । ଗୋଟାଏ ପାଚିଲା ଆମ୍ବ ତୋଳିଆଣି ପାଟିପାଖକୁ ନେଉ ନେଉ ଦମକାଏ ପବନ ହେଲା ଓ ଆମ୍ବଟା ଖସି ତଳେପଡ଼ି ଫାଟିଗଲା । ତଳକୁ ଚାହିଁଲା ବେଳକୁ ମୋତେ ବାବୁର ମୁହଁ ଦିଶିଲା । ମୋ ଗୋଡ଼ ଥରିବାକୁ ଲାଗିଲା । ଯଦିଓ ମୁଁ ପିଲାବେଳେ ଗଛ ଚଢ଼ୁଥିଲି ଓ ପତ୍ରେ ପତ୍ରେ ବୁଲି ଆମ୍ବ ତୋଳୁଥିଲି, ଏବେ ଆଉ ସମ୍ଭବ ନୁହେଁ । ସେ ଅଭ୍ୟାସ ତୁଟିଯାଇଚି । ଏ ବୟସରେ ଗଛ ଚଢ଼ିବାଟା ଗୋଟାଏ ଅଲଗା କଥା ଭଳି ଲାଗିଲା । ପବନରେ ଦୋହଲୁଥିବା ଡାଳକୁ ଜାବୁଡ଼ି ଧରି ତଳକୁ ଗୋଡ଼ ଖସେଇବାକୁ ଚେଷ୍ଟାକଲି । ଛାତି ଭିତରଟା ଦୁକ୍‌ ଦୁକ୍‌ ହେଉଥିଲା । ବାବୁ କଥାଟା ମନଭିତରକୁ ଧସେଇ ପଶୁଥିଲା ।

 

ବାବୁ ମୋ ସାନ ଭାଇ । ମୋଠାରୁ ଚଉଦବର୍ଷ ସାନ । ଏଇ ଗଛରେ ଚଢ଼ି ସେ ଥରେ ପଡ଼ିଯାଇ ଭାଙ୍ଗିଥିଲା । ଠିକ୍‌ ଏଇ ଦିନେ । ଯୋଗକୁ ବାପା ଘରେ ଥିଲେ ବୋଲି ତାକୁ କାନ୍ଧରେ ବସେଇ ସଙ୍ଗେ ସଙ୍ଗେ କଟକ ନେଇଗଲେ ମୋ ପାଖକୁ । ମୁଁ ସେତେବେଳେ ଏମ୍‌. ଏ. ପଢ଼ୁଥିଲି । ତା’ ଅବସ୍ଥା ଦେଖି ମୁଁ ତଟସ୍ଥ ହେଇଯାଇଥିଲି । ଡାହାଣ ହାତର ବାହୁ ହାଡ଼ଖଣ୍ଡକ ମଝିରୁ ଭାଙ୍ଗି ଦୁଇଖଣ୍ଡ ହେଇଯାଇଥିଲା । ହାତଟା ଫୁଲିଯାଇ ବହେ ମୋଟ ହେଇଯାଇଥିଲା । ମୁଁ ସଙ୍ଗେ ସଙ୍ଗେ ରିକ୍‌ସା ଡାକି ମେଡ଼ିକାଲ ନେଇଯାଇଥିଲି । ସେଠାରେ ଏକ୍‌ସ–ରେ କରି ଆଡ଼ମିସନ୍‌ ପାଇଁ ଅପେକ୍ଷା କରିଥିବାବେଳେ ଜଣେ ତଳିଆ ମେଡ଼ିକାଲ କର୍ମଚାରୀ ଆସି କହିଲେ–କ’ଣ ଆଜ୍ଞା ଏ ପିଲାର ଆଡ଼ମିସନ୍‌ କରିବେ କି ?

 

ମୁଁ କହିଲି–ହଁ, ଆଡ଼ମିସନ୍‌ ନ କରି ଆଉ ଉପାୟ କ’ଣ ?

 

ମୋ ବ୍ୟସ୍ତତାର ସୁଯୋଗ ନେଇ ସେ କହିଲା ଆଡମିସନ୍‌ କାହିଁକି କରିବେ, ଏଇଟା ଆଜ୍ଞା ମେଡ଼ିକାଲ, କିଏ ବୁଝିବ ଆପଣଙ୍କ ପିଲାର ଖବର ? ଏମିତି ଆଡ଼ମିସନ୍‌ ନେଇ ମାସେ ଦେଢ଼ମାସେ ତଳୁ ରୋଗୀ ପଡ଼ିଛନ୍ତି ଯେ, ତାଙ୍କର କୌଣସି କାମ ହେଇପାରୁନି । ତାପରେ ଆଜିକାଲି ଏଇ ହାଡ଼ଭଙ୍ଗା କେସ୍‌ ଏତେ ପ୍ରଚୁର ପରିମାଣରେ ଆସୁଚି ଯେ ଦିନକୁ ଦଶ ପନ୍ଦର । କିଏ କାହା ଖବର ? କିଏ ମନ୍ତ୍ରୀଙ୍କ ଲୋକ ତ ତାଙ୍କ କାମ ଆଗେ କର । କିଏ ପ୍ରଫେସରଙ୍କ ଚିହ୍ନା ତ ତାଙ୍କ କାମ କର । ଆପଣଙ୍କର କେହି ଚିହ୍ନା ଲୋକ ଅଛନ୍ତି କି ?

 

ମୁଁ ମନା କଲି । ତାପରେ ସେ ଲୋକଟି ମୋ ସାମ୍ନାରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କଲା । ଯାହାର ଅର୍ଥ ଠିକ୍‌ ଏହିପରି । ଆପଣ ସେ ଆଡ଼ମିସନରେ ମାତନ୍ତୁ ନାହିଁ । ଆଜ୍ଞା, ଏ ପିଲାର ହାତ ଯେଉଁ ସାଙ୍ଘାତିକ ଅବସ୍ଥାରେ ଅଛି ତାହା ଆହୁରି ଖରାପଆଡ଼କୁ ଗତି କରିବ । ଆପଣ ଗୋଟାଏ କାମ କରନ୍ତୁ–ପ୍ରାଇଭେଟ୍‌ କରାଇନିଅନ୍ତୁ । ଏଠି ଆମର ଏ ବିଷୟରେ ସବୁଠୁ ଭଲ ଡାକ୍ତର ହେଲେ ମଦନ ବାବୁ । ନାଁ ଶୁଣିଥିବେ ? ମଦନ ମହାପାତ୍ର । ସେ ଖୁବ୍‌ କୌଶଳି ଲୋକ, ସଙ୍ଗେ ସଙ୍ଗେ କାମ କରନ୍ତି । ଅଳ୍ପ ପଇସା ମଧ୍ୟ ନିଅନ୍ତି । ଆପଣ ବାହାର ଅପେକ୍ଷା ତାଙ୍କ ପାଖରେ ବହୁ ରିହାତି ପାଇବେ । ଏପରିକି ଅନ୍ୟମାନଙ୍କଠାରୁ ତାଙ୍କର ପଚାଶ ଶହେ ଟଙ୍କା କମ୍‌ । ଠିକ୍‌ ଔଷଧ ଲେଖିବେ ଯେମିତି ଶୀଘ୍ର ଭଲହେବ । ସେ ଖୁବ୍‌ ଭଲ ଲୋକ, ଗରିବ ଲୋକଙ୍କର ବାପ ମା’ ଭଳି ସେବା କରନ୍ତି । ଆପଣ ତାଙ୍କରି ପାଖରେ କରାନ୍ତୁ ଭଲ ହେବ । ସେ ଲୋକଟାର କଥା ଶୁଣି ମୋର ମଧ୍ୟ ଏକ ପ୍ରକାର ବିଶ୍ୱାସ ଜନ୍ମି ଯାଇଥିଲା । କହିଲି ମୁଁ ତାଙ୍କୁ ଚିହ୍ନି ନାହିଁ ତ ବାବୁ, ଚାଲିଲ ଟିକେ ଯିବା କଥାବାର୍ତ୍ତା କରିବା ।

 

ଆପଣ ନିଶ୍ଚିତ ରୁହନ୍ତୁ ମୁଁ ସେ ଦାୟିତ୍ୱ ନେଉଚି । ତାଙ୍କ ପାଖରୁ ଯେମିତି ହେଲେ କାଲି ସକାଳେ କାମ ଆଦାୟ ହେବ । ଆପଣ କାଲି ସକାଳୁ ଏ ପିଲାକୁ କିଛି ଖାଇବାକୁ ନ ଦେଇ ଆଣନ୍ତୁ ଏବଂ ସାଙ୍ଗରେ ହାରାହାରି ଚାରିଶହ ପର୍ଯ୍ୟନ୍ତ ଟଙ୍କା ଆଣନ୍ତୁ । ଯଦି ପାରନ୍ତି ବର୍ତ୍ତମାନ ଶହେ ଟଙ୍କା ଦେଇ ଯାଆନ୍ତୁ ମୁଁ ଇଂଜେକ୍‌ସନଟା କିଣି ରଖିଥିବି । ଏବେ ବାବୁ ଭିତରେ ଭିତରେ ବ୍ୟସ୍ତ ଅଛନ୍ତି । ଆପଣ ଆଦୌ ମନ ଖରାପ କରନ୍ତୁ ନାହିଁ । ପୁଣି ଆଠଦିନ ପରେ ଆଗରୁ ହାତ ଯେମିତି ଥିଲା ସେମିତି ହେଇଯିବ ।

 

ମୁଁ ନୀରବରେ ପକେଟରୁ ଶହେ ଟଙ୍କା କାଢ଼ି ତା’ ହାତକୁ ଦେଲି ଓ ବାବୁକୁ ନେଇ ରୁମ୍‌କୁ ଫେରିଆସିଲି । ତା’ ପରଦିନ ପ୍ରକୃତରେ ତା’ କହିବା ମୁତାବକ କାମ ହେଇଗଲା । ମଦନବାବୁଙ୍କୁ ଦେଖିଲାବେଳେ ମୋର ପୂର୍ବ ଦିନର କଥାଟା ମନେପଡ଼ିଗଲା । ଏକ୍‌ସ–ରେ ପ୍ଳେଟ୍‌ ଆଣିବା ପରେ ମଦନ ବାବୁ ଓ ସେ ତଳିଆ କର୍ମଚାରୀଟି କ’ଣ କଥା ହେଉଥିଲେ । ଯାହା ତାଙ୍କ ବ୍ୟବସାୟ ସପକ୍ଷରେ ଥିଲା ବୋଧେ । ଆଜିକାଲି ସବୁ ମେଡ଼ିକାଲର ଅବସ୍ଥା ବୋଧେ ଏଇଆ । ମେଡ଼ିକାଲ ଅପେକ୍ଷା ଡାକ୍ତରଙ୍କ ଘରେ ରୋଗୀମାନେ ବେଶି ଅର୍ଥଶ୍ରାଦ୍ଧ କରି ଚିକିତ୍ସିତ ହୁଅନ୍ତି ।

 

ତାପରେ ବାବୁର ହାତ ଭଲ ହେଇଯାଇଥିଲା । ତଥାପି ଟିକେ ମଝିରେ ମଝିରେ କଷ୍ଟ ହୁଏ ତାକୁ ।

 

ଗଛ ଉପରେ ଥାଇ ମୋ ଭିତର ଲୋକଟାକୁ ଏଇ ଭୟଟା ହିଁ ଦୋହଲାଇ ଦେଲା । ମୁଁ ତଳକୁ ଓହ୍ଳାଇ ଆସି ଫାଟିଯାଇଥିବା ଆମ୍ବଟାକୁ ଉଠେଇ ଆଣିଲି ଓ ଫେରିଯାଇ ଚେୟାର ଉପରେ ବସି ଆମ ବାଡ଼ିଘରର ନକ୍‌ସା ଦେଖୁଥିଲି । ଆଉ କେମିତି ଅଧିକ ମୂଲ୍ୟବାନ ଗଛ କରାଯାଇ ପାରିବ ସେ ସମ୍ପର୍କରେ ଚିନ୍ତା କରୁଥିଲି । ନଡ଼ିଆଗଛରେ ଝୁଲୁଥିବା ପଇଡ଼ମାନଙ୍କୁ ଚାହିଁଲି । ବେଶ୍‌ ଗୋଟାଏ ଆକର୍ଷଣ ଓ ମୋହ ଲାଗିଯାଇଚି ସେ ପ୍ରତି । ଏ ବର୍ଷ କେମିତି ଫାର୍ମରୁ କିଛି କେରଳ ନଡ଼ିଆ ଚାରା ଆସି ପହଞ୍ଚିବ ସେ ବିଷୟରେ ଚିନ୍ତା କରୁଥିଲି । ଠିକ୍‌ ସେଇବେଳେ ଯାଇ ବାବୁ ପହଞ୍ଚି କହିଲା–ଭାଇ, ତମକୁ ସେ ଜାହାଜ ବୁଢ଼ା କାହିଁକି ଡାକୁଚି ।

 

ମୁଁ ତା’ ହାତକୁ ଆମ୍ବଟାକୁ ବଢ଼ାଇଦେଇ କହିଲି–କିରେ ତୁ ଏ ଗଛରୁ ପଡ଼ିଥିଲୁ ଏଇ ଆମ୍ବ ପାଇଁ ? ମନେ ଅଛିନା ? ସେ ହାତ ଏବେ କେମିତି କାମ କରୁଚି ?

 

ନା ଏବେ କିଛି ହୁଏନି, ମୁଁ ବି ଉଠାଉଠି କାମ କରେନି ।

 

ତା’ ଉତ୍ତରକୁ ଅପେକ୍ଷା ନ କରି ମୁଁ ଘରଆଡ଼େ ଚାଲିଗଲି । ବାରଣ୍ଡା ଉପରେ ସେଇ ବୁଢ଼ାଟା ବସିଚି । ଯା’ ସଙ୍ଗରେ ମୋର ଅତୀତରେ ଖୁବ୍‌ ବେଶି ପରିଚୟ ଥିଲା । ଏବେବି ତା’ ମୁହଁରେ ମୋ ରାଶିର ନାଁଟା ଥିବ । ପାଖକୁ ଯାଉ ଯାଉ ହସି ହସି କହିଉଠିଲି–ନମସ୍କାର ମଉସା, ଭଲ ଅଛନ୍ତି ତ ?

 

କ’ଣ ବାପ ଆମ ଭଲମନ୍ଦରୁ ମିଳିବ ? ମାଲିକ ଯେମିତି ରଖିଚି । ତମେ ବାବୁ ତମ କଥା କୁହ, ମୁଁ ଯାହା କହୁଥିଲି ମନେଅଛି ତ ? କ’ଣ ମୋ କଥା ମିଛ ହେଲାକି ?

 

ନା, ନା ମଉସା ! ଯାହା କହୁଥିଲ ସବୁ ସତ ହେଲା । ଚାକିରି ମିଳିଲା, ଆଉ ଏକରକମ ଭଲରେ ଅଛି ଏଇନେ ।

 

ତମେ ସେତେବେଳେ ଯେଉଁ ବ୍ୟସ୍ତ ହେଉଥିଲ, କହୁନଥିଲି ବୃହସ୍ପତି ଦ୍ୱାଦଶରେ ଥିଲେ ବୋଲି ଏମିତି ହେଉଥିଲା । ହଉ ଭଲ ହେଲା । ତମ ପୁଅ ସୁଖରେ ଅଛି ଆମକୁ କିଛି ମିଳୁ ?

 

ସଙ୍ଗେ ସଙ୍ଗେ ମୁଁ ମିନୁକୁ ଡାକି ମୋ ପକେଟରୁ ଖଣ୍ଡେ ଦୁଇଟଙ୍କିଆ ନୋଟ୍‌ ଆଣିବାକୁ କହିଲି । ବୁଢ଼ାଟି ମୋଆଡ଼କୁ କୃତଜ୍ଞତାର ଆଖି ମେଲି ମିଟି ମିଟି କରି ଚାହିଁଲା । ମୋ ଆଈମା’ ବାରିରେ କାଳ କରୁଥିଲା । ଆସି ସେଇଠି ବସି ପଚାରିଲା–ତୋ କଥା ତ ବାପ ସତ ମଣୁଚି, ଆଉ ଶେଷ କଥାଟା କହିଦେଉନୁ କାହିଁକି ?

 

କୋଉ କଥା ମାଉସୀ, କହୁନୁ କହିବି ? ପଚାରିଲା ନାହାକ ବୁଢ଼ାଟି ।

 

ବା’ଘର ସରିଲାଣି ପାଞ୍ଚବର୍ଷ ହେଇଯିବ । କେବେ ମୋ ନାତୁଣୀ ବୋହୂଟାର କୋଳକୁ ବକଟେ ଆସିବ, ସେଇଆ । ମୁଁ ଖୁବ୍‌ ଜୋର୍‌ରେ ହସିଲି । ଆହୁରି ଅର୍ଦ୍ଧାଧିକ ଜୀବନକାଳ ପଡ଼ିଚି । କେତେବେଳେ କ’ଣ ହେବ ଠିକ୍‌ ନାହିଁ । ତଥାପି ମୋ ଆଈମା’ ବ୍ୟସ୍ତ ହେଉଚି । ମରିବ ମରିବ ହେଇ ମୋତେ ବାହା କରିପକେଇଲା । ଏଇନେ ପୁଣି ବାଉଳିଲାଣି ଅଣନାତି ପଣନାତି ଦେଖିବାକୁ-

 

ଜ୍ୟୋତିଷ କହିଲେ ଏବେ ଭଲବେଳା ଆସିଗଲାଣି, ଆଉ ଡେରିହେବ କେଉଁ କଥାରେ-?

 

ତୋ ତୁଣ୍ଡ ସୁତୁଣ୍ଡ ହେଉ । ଷଠୀ ସାଆନ୍ତାଣି ଶୁଭ କଇଲାଣ କରୁ ।

 

ମୁଁ ଚାଲିଗଲି ଘର ଭିତରକୁ । ମୋ ରହିବା ଘରକୁ ନ ଯାଇ ଅନ୍ୟ ଘରଗୁଡ଼ାକ ବୁଲି ଦେଖିଲି । ଅତୀତରେ ପରିଷ୍କାର, ପରିଚ୍ଛନ୍ନ ସମ୍ପର୍କରେ ଯେଉଁ ଆଦେଶ ବା ଉପଦେଶ ଶୁଣେଇଥିଲି ସେ ସବୁରେ କିଛି ଲାଭ ହେଇନି । ଛାତ ତଳେ ବୁଢ଼ିଆଣି ଜାଲ ଛନ୍ଦି ହେଇଯାଇଚି । ଘରର ଏଣେତେଣେ ଅନାବାନା ହେଇ ଓଳିଆ ବୁତୁଳିରେ ବିହନ ରଖାଯାଇଚି । କାନ୍ଥରୁ ଚୂନ ଛାଡ଼ି ଫିକା ହେଇଗଲାଣି । ଝୁଲୁଥିବା ଫଟୋରୁ ଅଧେ ଚଉଠେ କରି ମୂଷା ଖାଇ ଦେଇଛନ୍ତି । ବଡ଼ ଅସୁସ୍ଥ ବୋଧହେଲା ମୋତେ । ଅବଶ୍ୟ ଚାଷୀ ଘରେ ଘର ସଫା ରଖିବାର ସଉକ ସମ୍ଭବ ହେବନାହିଁ । ତା’ ବୋଲି ଯେ ଯାହାଟା ହେଇପାରିବ ତାହା କରାନଯିବ କାହିଁକି ? କାହାକୁ କିଛି ନ କହି ମୁଁ ଫେରିଆସିଲି ବାଡ଼ିପଟକୁ । ଚେୟାର ଉପରେ ବସି ପୁଣି ବଗିଚା ଉପରେ ଆଖି ପହଞ୍ଚେଇଲି । ଘର ସମ୍ପର୍କରେ ଅତୀତରେ ଯେଉଁ ସ୍ୱପ୍ନ ଥିଲା ତା’ର କାଣିଚାଏ ସୁଦ୍ଧା ସଫଳ ହେଇପାରିଲା ନାହିଁ । ବୋଧହୁଏ ଜୀବନଟା ହିଁ ଏଇଆ–ଶହ ଶହ ସ୍ୱପ୍ନଙ୍କ ଭିତରେ ରାତି ପୁହାଇ ଦିନର ନିଷ୍ଠୁର ବାସ୍ତବତାରେ କାଠବେଙ୍ଗ ପରି ପଡ଼ି ରହିବାକୁ ହୁଏ । ମୁଁ କିଛି ସମୟ ପାଇଁ ଆଖିବୁଜି ଏ ସବୁକୁ ଭୁଲିଯିବାକୁ ଚେଷ୍ଟାକଲି ।

 

ମୋ କାନରେ ଘଣ୍ଟା ବାଜିବାର ଶବ୍ଦ ପ୍ରତିଧ୍ୱନିତ ହେଉଥିଲା । ମୁଁ ଆଶ୍ଚର୍ଯ୍ୟ ହେଲି ଯେ ବହୁଦିନ, ପରେ ଗାଁକୁ ଫେରିଆସି ମୁଁ ପୁଣି ସେଇ ଶବ୍ଦ ଶୁଣିପାରୁଚି । ଦିନ ଦି’ପ୍ରହରରେ ଘଣ୍ଟା ବାଜିବାର ଶବ୍ଦ କେଉଁଠୁ ଭାସିଆସୁଚି ? ମୁଖ୍ୟତଃ ଘଣ୍ଟା ବାଜେ ସ୍କୁଲରେ । ଆରମ୍ଭରୁ ଶେଷଯାଏ । ଏବଂ ସେଇ ପ୍ରାରମ୍ଭିକ କୁହରିତ ଶବ୍ଦ ଘନେଇଯାଏ ଶେଷକୁ, ଏକାକାର ହେଇଯାଏ । ଏ ଯେ ସେଇ ଶେଷ ଶବ୍ଦର ଢେଉ । ମୁଁ ମନେମନେ କହିଲି; ତୋର ଛୁଟି ସମୟ ହୋଇଗଲା ମଳୟ ! ତୁ ପ୍ରସ୍ତୁତ ଥା’ ।

 

ମୋ ଭିତରେ ଭୟ ଜମାଟ ବାନ୍ଧି ଯାଉଥିଲା ପ୍ରସ୍ତ ହେଇ । ଏ ଯୁଗରେ ଛୁଟିର ସମୟ ସହଜରେ ଓ ଅନିଚ୍ଛା ସତ୍ତ୍ୱେ ମଧ୍ୟ ଆସେ । ତାକୁ ଘୁଞ୍ଚେଇ ହୁଏ ଷ୍ଟ୍ରାଇକ୍‌ ବଳରେ । ସିଏ କି ଧରଣର ଷ୍ଟ୍ରାଇକ୍‌ ? ମନ୍ଦିରରେ, ଗିର୍ଜାରେ, ମସଜିଦ୍‌ରେ ନା ବିଧାନସଭା ସମ୍ମୁଖରେ ?

 

ମୁଁ ଆଖି ଖୋଲିଲି । ପବନ ଟିକେ ଥମିଆସିଥିଲା ଏବଂ ଗରମ ଅନୁଭୂତ ହେଉଥିଲା । ବିଷର୍ଣ୍ଣତାର ବଉଦ ଭିତରେ ନିଜକୁ ହଜେଇ ମୁଁ ଖୋଜି ବୁଲୁଥିଲି ବାରମ୍ବାର । ଠିକ୍‌ ଏତିକିବେଳେ ଆମ୍ବଗଛ ତଳରେ କାଉଟାଏ ଝାଡ଼ା ଫେରିଲା ଯେ, ସେଗୁଡ଼ା ସିଧା ସିଧା ଆସି ମୋ ହାତ ଓ ପେଟଉପରେ ଛିଟିକି ପଡ଼ିଲା । ଫଳରେ ଖୁବ୍‌ ଅତିଷ୍ଟ ହେଇ ପିନ୍ଧିଥିବା ଗଞ୍ଜିଟାକୁ ଖୋଲିଦେଇ ଗାଧୋଇ ପଡ଼ିବାକୁ ବାହାରିଲି । ମିନୁକୁ ଡାକିଲି ସାବୁନ୍‌ କେସ୍‌ଟା ଆଣିବା ପାଇଁ । ଦୁଇହାତରେ ଦୁଇଟି ବାଲ୍‌ଟି ଧରି ଚାଲିଲି କୂଅମୂଳକୁ । ସାତ ଆଠ ବର୍ଷ ତଳେ କୂଅରେ ଯେଉଁ ଟ୍ୟୁଓ୍ୱେଲ ଫିଟିଂ ହେଇ କାମ ଚଳିବା ପାଇଁ ପାଣି ଉଠା ହେଉଥିଲା ସେଇଟା ସେମିତି ଅଛି । ଏଇ ଟ୍ୟୁଓ୍ୱେଲ ବସିଲାବେଳେ ମୁଁ କହିଥିଲି; ତେବେ ଏଇଟାକୁ କାମଚଳା ବଜେଟ୍‌ରେ ରଖ । ବର୍ଷେ ଦୁଇବର୍ଷ ଗଲେ ଗୋଟେ ସିଙ୍ଗଲ ଫେଜ୍‌ ମଟର ବସେଇ ଟାଙ୍କି ତିଆରି କରି ଆଣି ଉଠେଇବା ଓ ପାଇପ୍‌ ସାହାର୍ଯ୍ୟରେ ବାଥ୍‌ରୁମ୍‌, ରୋଷେଇ ଘରକୁ ପାଣି ଯୋଗେଇଦେବ । କିଏ ସବୁବେଳେ ଏଇଟାକୁ ଆସି ଧକ୍‌ ଧକ୍‌ କରିବ ? ଦୁଇକୋଷ ଦୂରକୁ ଶବ୍ଦ କରୁଥିବ । ବଡ଼ ବୋରିଂ ଜିନିଷ ।

 

କିନ୍ତୁ ମୋର ଚାକିରି କରିବାର ଚାରିବର୍ଷ ପରେ ପୁଣି ଆଜି ସେଇ ଟ୍ୟୁଓ୍ୱେଲକୁ ଭେଟୁଚି-। ସେଇ ଧକ୍‌ ଧକ୍‌ ଶବ୍ଦ ଭିତରେ ପୁଣି ଥରେ ଜୀବନର ନୂଆରୂପ ଦେଖୁଚି । ପ୍ରକୃତରେ ପୂର୍ଣ୍ଣିମା ମୋ ଜୀବନ ଭିତରକୁ ଆସିବା ପରେ ମୁଁ ବା କ’ଣ କରିପାରିଚି ? ନା ମୋ ସ୍ୱପ୍ନର ମଞ୍ଜି ଉପଯୁକ୍ତ ପାଣିପାଗ ନିୟନ୍ତ୍ରିତ ମାଟିଉପରେ ପଡ଼ିପାରିଚି ନା ମୁଁ ସ୍ୱୟଂ ସମ୍ପୂର୍ଣ୍ଣ ଗୋଟାଏ ମଣିଷ ହେଇପାରିଚି-?

 

କିଛି ହେଇନି । ଏପରିକି ଏଇ ଖାଲଟାକୁ ପୋଖରୀରେ ପରିଣତ କରି ମାଛ–ଚାଷ କରିବାର ଯେଉଁ ବାସ୍ନା ଥିଲା ତାହା ପୂରଣ ହେଇପାରିଲାନି । ସମୟ କେତେ ଶୀଘ୍ର ଚାଲିଯାଉଚି । ଅଥଚ ମଣିଷ ସେଇ ଶୂନ୍ୟର ଝୁଲନ୍ତା ଚକର ପରିଧିରେ ଘୂରୁଚି ଯେ ଘୂରୁଚି । ବର୍ଷା, ଶୀତ, ବସନ୍ତ ଦେଇ ଖାଲି ଏ ବର୍ଷରୁ ସେ ବର୍ଷକୁ, ଆଜିରୁ କାଲିକୁ ବଞ୍ଚି ଚାଲିଚି ।

 

ବାଲଟି ରଖି ପାଣି ଚାପିଲାବେଳେ ପଛରୁ କାହାର ଡାକ ଶୁଣି ଫେରି ଚାହିଁଲି । ଅରୂପ ଆସି ଛିଡ଼ା ହେଇଚି । ମୋତେ ନମସ୍କାର ଜଣେଇଲା । ପ୍ରତିନମସ୍କାର କରି ପଚାରିଲି; ଆରେ କେମିତି କ’ଣ ଚାଲିଚି ସବୁ ? ଭଲ ଅଛ ତ ?

 

ସେ ଅଳ୍ପ ଅଳ୍ପ ହସି କହିଲା–ହଁ, ସେମିତି । ତମେ ତ ତେଣେ ନିଶ୍ଚିତରେ ରହିଗଲ । ତା’ପରେ ଆଉ ଅଧିକ କିଛି ଆଗେଇହେଇନି । ଯାହା ଯେତିକି ହେଇଥିଲା ତାକୁହିଁ ଜଗାରଖା କରି ଗର୍ବ କରିବାକୁ ହେଉଚି । ବାହାରୁ ପଇସାଟିଏ ଆଣିବାପାଇଁ କେହି ଜଣେହେଲେ ଆଗୁଆ ହେଇ, ହାତରୁ ପଇସାଟିଏ ଖର୍ଚ୍ଚ କରି ବାହାରିବାକୁ ପ୍ରସ୍ତୁତ ନୁହଁନ୍ତି । ଆଉଟ୍‌ ଇନ୍‌କମ୍‌ ପୂରା ବନ୍ଦ । ଆଉ ଏଇ ଚାନ୍ଦାଭେଦାରେ ଯାହା ଯେମିତି ହେଉଚି । ତମେ ତ ଗାଧୋଇବାକୁ ବାହାରିଚ । ଯଦି ହେବ ଆମେ ପରେ ଆସିବୁ । କେତେଦିନ ରହିବ ?

 

ନାଇଁମ କେତେଦିନ କ’ଣ ? ଏଇ ଆଜିକାଲି କିମ୍ବା ଖୁବ୍‌ ଜୋରରେ ଆଉଦିନେ ।

 

ହଉ ଆମେ ଆସିବୁ । କହି ଅରୂପ ଯିବାକୁ ବାହାରିଲା । ମୁଁ ଟିକେ ସହାନୁଭୂତି ସୂଚକ କଣ୍ଠରେ ପଚାରିଲି–ଏଣେ ଖରାବେଳଟାରେ କୁଆଡ଼େ ଯାଇଥିଲୁ ନା ଯିବୁ ?

 

ନାଇଁ ଏ ପଣସ କିଆରିଆଡ଼େ ଟିକେ ବୁଲିଯାଇଥିଲି ।

 

ଅରୂପ ଚାଲିଗଲା । ମୁଁ ପୁଣି ମୋ ପୂର୍ବ ଅବସ୍ଥାକୁ ଫେରିଆସିଲି । ମିନୁ ସାବୁନ୍‌ କେସ୍‌ଟା ରଖିଦେଇ ଫେରିଯାଉଥିଲା । ମୁଁ ପଚାରିଲି–ଏ ଖାଲରେ ଏବେ ଆଉ ମାଛ ଛଡ଼ାଯାଏ ମିନୁ !

 

ଏ ବର୍ଷ କେହି ଛାଡ଼ିନଥିଲେ । ଗତବର୍ଷ ଛାଡ଼ିଥିଲୁ ଯେ ବହୁତ ମାଛ ଖାଇଚୁ ।

 

ଏ ବର୍ଷ କ’ଣ ବଢ଼ିପାଣି ବନ୍ଧ ଖାଲରେ ପଶିନଥିଲା କି ?

 

ପଶିଲେ କ’ଣ ହେବ, ଆମର ସେତେବେଳେ ଏତେ ଭୀଷଣ କାମ ଯେ ମାଛ ଜାଆଁଳ କଥା ପଚାରେ କିଏ ? କହି କହି ମିନୁ ଘରକୁ ଚାଲିଗଲା ।

 

ମୁଁ ଗାଧୋଇବାବେଳେ ମୋର ସେ ଗୁଆ ଗଛ ଦୁଇଟା ଉପରେ ଆଖି ପଡ଼ିଗଲା । ଭଲ ହଳଦୀ ରଙ୍ଗର ପାଚିଲା ଗୁଆ ପେନ୍ଥି ଝୁଲୁଥିଲା । ମୁଁ ମଗ୍‌ରେ କିଛି ପାଣି ସେ ଗୁଆ ପେନ୍ଥି ଉପରକୁ ପକାଇ ଓଦା କରି ତା’ ରଙ୍ଗ ଦେଖୁଥିଲି । ପିଲାଦିନର ଚପଳତା ଆଜିକାଲି ବେଳେବେଳେ ମନକୁ ଆସେ । ଗୀତ ବୋଲି ନାଚିବାକୁ ଇଚ୍ଛାହୁଏ ପାଣିରେ । କିନ୍ତୁ ସମାଜର ନିଷ୍ଠୁର ଆଖି ତାକୁ ସହିପାରେନା ।

 

ମୁଁ ଗାଧୋଇସାରି ଫେରିଆସିଲା ବେଳକୁ ମଳିକ ଘର ଜେଠେଇ ମନ୍ଦାର ଗଛତଳେ ବସି ମୋ ଆଈମା’ ସାଙ୍ଗରେ କ’ଣ ଗପ କରୁଥିଲା । ମୋତେ ଦେଖିଲାକ୍ଷଣି କହିଉଠିଲା–କିରେ ପୁଅ ତୁ ଏକୁଟିଆ ଆସିଲୁ, ବୋହୂଟାକୁ ଟିକିଏ ସାଙ୍ଗରେ ଆଣିଥିଲେ ସେ ବୁଲି ଯାଇନଥାନ୍ତା ?

 

ହଁ, ଆସିଥିଲେ ଆଉ କ’ଣ ଘରେ ଶୋଇଥାଆନ୍ତା ? ବୁଲାବୁଲି କରିଥାଆନ୍ତା ଯେ, ହେଲେ ସିଏ ଆସିଥିଲେ ସିନା ଆଣିଥାଆନ୍ତା ନା କୋଉ ପିଲାଛୁଆ ହେଇଚି କାଖେଇ ଆଣିବି ?

 

ଆସିଲା ନାହିଁ, ମଲା ମଲା, ଏକାବକା ହେଇ କେମିତି ଚଳୁଥିବ ? ଉଁ ହୁଁ ମାଇପି ଲୋକ ତୁ ତାକୁ ଛାଡ଼ି ଆସିଲୁ ପୁଣି କେମିତି ?

 

ମୁଁ କିନ୍ତୁ କହିବା ପୂର୍ବରୁ ମୋ ଆଈମା ତା’ ଭାଷାରେ ବର୍ଣ୍ଣନା କରିଗଲା; ସିଏ ଲୋ ମା’ ଆଏ ବିଏ ପଢ଼ା ଝିଅ, ସହରରେ ସିଆଡ଼ୁ ଚଳି ଆସିଛନ୍ତି । ତାଙ୍କୁ କୋଉ କଥା ଅଛପା ? ଆମ ତମ ଭଳିଆ ଲୋକ ହେଇଛନ୍ତି କି କେଉଁଠି କ’ଣ ଅସୁବିଧା ହେଇଯିବ ?

 

ମୁଁ ଘର ଭିତରକୁ ପଶି ଯାଉ ଯାଉ ପୁଣି ସେ ଡାକି ପଚାରିଲେ–ଇରେ ପୁଅ ଶୁଣ ବା ! ସିଏ ସେମିତି ଆଗ ଭଳିଆ ପତଳା ଅଛି ନା ଦେହ ଲାଗିଗଲାଣି ?

 

ସିଏ ଯେ ମୋ ସ୍ତ୍ରୀ ସମ୍ପର୍କରେ ଜାଣିବାକୁ ଭାରି ଆଗ୍ରହୀ ମୁଁ ବେଶ୍ ବୁଝିପାରୁଥିଲି । ମୁଁ ହସି ହସି କହିଲି–ସହରରେ ପରା ଖାଲି ସେ ମାଛ ମାଂସ ଖାଇ ମୋଟି ହେଇଗଲାଣି ।

 

ମୋ ପାଟିରୁ କଥା ନ ସରୁଣୁ ସେ ପୁଣି ଆବାକାବା ହେଇ ବିସ୍ମୟ ଭାବରେ ପଚାରିଲା–ଇରେ ହେ, ସିଏ ମାଇପି ଲୋକ, ଏକୁଟିଆ ରାତି ବିକାଳି ଡର ଲାଗିବନି ? ନା, ତା’ ପାଖରେ ଆଉ କିଏ ଅଛି ?

 

ଆମ ମଫସଲ ଲୋକଙ୍କର ସହରରେ ରହୁଥିବା ଲୋକଙ୍କ ପ୍ରତି ଏମିତି ଗୋଟେ ଅଜବ ଧାରଣା ଥାଏ । ଯିଏ ଯେମିତି କଳ୍ପନା ଚକ୍ଷୁରେ ସହରଟାକୁ ଦେଖିଚି ସେମିତି କହିଚି । ଗାଁରେ ସିନା ଅନ୍ଧାର ରାତିରେ ମୁହଁକୁ ମୁହଁ ଦିଶେନି । ଝିରି ଝିରି ହେଇ ବାଉଁଶ ବୁଦାର ପତ୍ର ଖସେ । ପିଜୁଳି ଗଛ ତଳେ ଡେଣା ଫଡ଼୍ ପଡ଼୍ କରି ବାଦୁଡ଼ି–ମାନେ ଉଡ଼ି ବୁଲନ୍ତି । ରାସ୍ତାଉପରେ ସାପ ଶୁଅନ୍ତି । ବଣରୁ ବିଲୁଆ ବାହାରି ଚରାବୁଲା କରନ୍ତି । ଭୂତ ପ୍ରେତର ଭୟ ହୁଏ । ଏଇ ଭୟଟା ଆମର ବିଶ୍ୱାସର ଗଣ୍ଡି ଭିତରେ ଏତେ ମଜଭୁତ ହେଇଯାଇଚି ଯେ, ସହଜରେ ଭୁଲିଯିବାର କେହି ପ୍ରସ୍ତୁତ ନୁହଁନ୍ତି, ବରଂ ଭୂତପ୍ରେତ ନାଁ ଶୁଣିଲେ ଆମ ପାଦ ଅଚଳ ହେଇଯାଏ । ସେଥିପାଇଁ ଆମେ ସଞ୍ଜ ବୁଡ଼ିଲେ ଘରେ ପଶୁ । ସହରଟା ବୋଧେ ତାଙ୍କ ଭାବନାରେ ସେମିତି । ମୁଁ ସଂକ୍ଷେପରେ କହିଲି ସହରଟା କ’ଣ ଗାଁ ହେଇଚି ଯେ, ସଞ୍ଜବେଳେ ଏକୁଟିଆ ଝାଡ଼ା ବସିଲେ ଡରମାଡ଼ିବ ପୋଖରୀ ହୁଡ଼ାରେ ନା ନଈ ବାଲିରେ ? ସେଠି ପରା ସବୁବେଳେ ଦିନ, ଡର ମାଡ଼ିବ କାହିଁକି ? ହଉ ସେ କଥା ଛାଡ଼ିଲୁ । ତୋର ଗାଈ ଥିଲେ ପରା ଏବେ ଅଛନ୍ତି ତ ?

 

ନାଇଁ ସେମିତି ଗାଈ ଆଉ କେଉଁଠୁ ଆସିବେ ? ତେବେ ଏଇଲାଗେ ଦିନକୁ ଦଶ ପନ୍ଦର ଟଙ୍କା ଆସୁଚି ।

 

ବେଶ୍‌ ଭଲ ଆସୁଚି ତ, ହେଇ ଶୁଣ ମୁଁ ଗଲାବେଳକୁ ଦି’ସେରେ ଘିଅ ଦେବୁ । ମୋ ଉପର ହାକିମଙ୍କର ଦରକାର । ସିଏ ଅଧେ ନେବେ, ମୁଁ ରଖିବି ଅଧେ । ଭଲ ଘିଅ ଦେବୁ । ଯାହା ପଇସା ହେବ ଆସି କହିଲେ ଦେଇଦେବି । ଆଉ ତୋ ନାତି କେମିତି ଅଛି ? ସ୍କୁଲକୁ ଯାଉଚି ? ପାଠ ପଢ଼ୁଛି ନା ନାହିଁ ?

 

ହଁରେ ପୁଅ, ଇସ୍କୁଲକୁ ଯାଉଛି, ଠାକୁରେ ତାକୁ ଆୟୁଷ ଦିଅନ୍ତୁ । ନ’ଟା ନାହିଁ କି ଛ’ଟା ନାହିଁ । ସେଇ ଗୋଟିକରେ ବାପ, ପାଠ ନ ପଢ଼ିଲା ନାହିଁ, ରାଇଜ ମହିରେ ମଣିଷ ହେଇ ରହୁ । ପଲେ ଝୁଅରେ ମାଲିକ ତାକୁ ସେଇ ଗୋଟିଏ ବୋଲି ପୁଅ ଦେଇଚି ।

 

ଆଚ୍ଛା ତୁ ନାତୁଣୀ ବାହା କଲୁଣି ? ମୁଁ ପଚାରିଲି ।

 

କୋଉଠି ହେଲାଣିରେ ବାପ, ବୁଲି ବୁଲି ତଳି ପା’ ଘୋରି ହେଇଗଲାଣି କି ଯୁଗ ଇଏ ହେଲା କେଜାଣି, ଆମବେଳେ କନିଆ ସୁନା ଦେଇ ବାହା ହେଉଥିଲେ । ଏବେ କି ଅକାଳ ପଡ଼ିଲା ଯେ ଚାରିଆଡ଼େ ତ ଝୁଅପଲ ମାଡ଼ୁଛନ୍ତି, ବର ମିଳିବେ କୋଉଠୁ ? ଯେଉଁଠି ପ୍ରସ୍ତାବ ପଡ଼ିବ ସେଠି କହିଲେ ଆମର ପାଞ୍ଚ ହଜାର ଦଶ ହଜାର ଦରକାର । ମୂଲ ଆଣିଲେ ଚୁଲି ଜଳିବ, ପାଞ୍ଚ ହଜାର ଦଶ ହଜାର କିଏ ନା ଆମେ କିଏ ?

ମୁଁ ଟିକେ ଅନ୍ୟମନସ୍କ ହେଇଗଲି । ଏଇ ମଳିକ ଘର ମୋ ପିଲାବେଳେ ଏ ଗାଁରେ କେତେ ପ୍ରତାପୀ ଥିଲେ । ହଣ୍ଡା ବସି ରୋଷେଇ ହେଉଥିଲା । ପାଞ୍ଚ ଭାଇରେ ଘର । ହାଇ ବୋଲି ବୋବାଳି ପଡ଼ୁଥିଲା । ବଡ଼ ବୁଢ଼ା ତାଙ୍କର ଜାଲ ନେଇ ଘଡ଼ିଏ ନଈରେ ବୁଲିଆସିଲେ ଖାଳେଇଏ ମାଛ ଆଣୁଥିଲା । ଆମ ଘରବାଟେ ଗଲାବେଳେ ମୋ ଆଈମା’ ହାତରେ ପୁଳାଏ ଦେଇ ଯାଉଥିଲା-। ସାନ ଦି’ଭାଇ କଲିକତାରେ ଚାକିରି କରିଥିଲେ । ବଡ଼ ବୁଢ଼ାର ଖାଲି ମାଛ ବ୍ୟବସାୟ, ବଡ଼ ମଝିଆଁର ପାନ ବ୍ୟବସାୟ । ତା’ ତଳଭାଇ ଚାଷବାସରେ ଖଟୁଥିଲା । ଜମି ଯାଇଥିଲା ଘରଟା-। ସେ ଅମଳରେ ଗୋଟିଏ ଭାଟି ଇଟା ପୋଡ଼ିଥିଲେ । କିନ୍ତୁ ଏମିତି କି ଅସୁବିଧା ହେଲା ତାଙ୍କର ସେ ଇଟା ସେତିକି ପୁଣି ମାଟିରେ ପରିଣତ ହେଇଗଲାଣି । ସମସ୍ତେ ବର୍ତ୍ତମାନ ଦାଣ୍ଡରୁ ଆଣି ହାଣ୍ଡିରେ ପକେଇ ଚଳୁଛନ୍ତି । ସେତେବେଳେ ଦାନ କରୁଥିଲେ ଯାହା ଏବେ ଆଉ ପେଟକୁ ପାଉନାହାନ୍ତି-। ସାନ ଦୁଇଭାଇ କଲିକତାରେ ଆଉ ଦୁଇଟା ସ୍ତ୍ରୀ ରଖିଛନ୍ତି । ଘରେ ଏଣେ ଖାଉଡ଼େ ଛୁଆ । ବଡ଼ କଷ୍ଟରେ ଚଳୁଛନ୍ତି ଏକା ।

ଏଇ ଜେଠେଇର ଚାରିଝିଅରେ ଗାଟିଏ ବୋଲି ପୁଅ, ଗେହ୍ଲା କରିଥିଲା । ପିଲାବେଳୁ ବା’ଘର ସାରିଦେଇଥିଲା । ତା’ର ପୁଣି ଛଅ ଝିଅରେ ଗୋଟିଏ ପୁଅ । ମୂଲ ଆଣି କେତେଜଣ ପରିବାର ଚଳିପାରିବେ ? ଇଏ ଆମର ଅନେକ ସମୟରେ ଭଲମନ୍ଦ କାମଟାଏ କରି ଚାଉଳ ଗଣ୍ଡାଏ ହେଉ କିମ୍ବା ଭାତ ତରକାରୀ ମଧ୍ୟ ନିଅନ୍ତି । ପର ଘରେ ମୂଲ ନ ଲାଗିଲେ ଆଉ ଏମାନଙ୍କର ଚାରା କ’ଣ ?

ମୁଁ ସମ୍ବେଦନା ଦେଖେଇ କହିଲି–ଏ ଯୁଗତ ହେଇଚି ସେଇଆ । କିଏ ଆଉ ଭଲ ମଣିଷ ହେଇ ବଞ୍ଚୁଚି ଦୁନିଆରେ ? ମୂଲ ଲାଗ ବା ଫୁଲ ଗୁଛ ତୁ ସେ ନାତି ଟୋକାଟାକୁ ମଣିଷ କର । ପାଠ ପଢ଼ା, ଯତ୍ନ ନେ’ ।

ସେତେବେଳେ ଏଇ ସ୍କୁଲରେ ପଢ଼ିଲାବେଳେ ତୁ ଥିଲୁ ଯେ ସରକାରୀ ଘରୁ ସିଲଟ ଖଡ଼ି, ଜାମା ପେଣ୍ଟ ଆଣି ଯୋଗାଇ ଦେଉଥିଲୁ ବୋଲି ପଢ଼ୁଥିଲା । ଏଇନେ ପିନ୍ଧିବାକୁ ଖଣ୍ଡେ ପାଉନି । ପିଠି ନୁଚେଇଲେ ସିନା ଇସ୍କୁଲକୁ ଯିବ ?

 

କାହିଁକି ତା’ର କ’ଣ ଷ୍ଟାଇପେଣ୍ଡ ମିଳୁନି କି ?

 

କି ପଣ୍ଡ ଆମେ କି ଜାଣୁ ?

 

ସରକାର ହରିଜନ ପିଲାମାନଙ୍କୁ ପ୍ରତିବର୍ଷ ତାଙ୍କ ପାଠପଢ଼ା ବାବଦରେ କିଛି ପଇସା ଦିଅନ୍ତି, ସେ ପାଉଥିବ ତ ନିଶ୍ଚୟ ।

 

କି ପଇସା ସିଏ କେଜାଣି ? ମାଷ୍ଟରମାନେ କାଳେ ତା’ ଭିତରୁ ଅଧେ ଟଙ୍କା ନେଉଛନ୍ତି, ଆଉ କେତେ କ’ଣ ମିଳେ ସିଏ ଜାଣେ ।

 

ହଉ ହଉ, ତାକୁ ମୋ ପାଖକୁ ପଠେଇଲେ ମୁଁ ଜାଣିବି ।

 

ତାକୁ ତୋ ସାଙ୍ଗରେ ନେଇଯାଉନୁ କେଉଁଠି ସେମିତି ଦେଖି ଗୋଟାଏ ଛୋଟମୋଟ ଚାକିରିରେ ଲଗେଇଦେବୁ । ତୋର କେତେଆଡ଼େ କେତେ ମଣିଷ ଚିହ୍ନା ଥିବେ ।

 

ଏତେ ବ୍ୟସ୍ତ ହେଉଚ କାହିଁକି ? ପାଠ ପଢ଼ିଲେ ତମ ପିଲାଙ୍କ ପାଇଁ ସରକାର ଚାକିରି ବାନ୍ଧି ରଖିଛନ୍ତି । ଖାଲି ସେଇଯାଏ କଳେବଳେ କୌଶଳେ ଆଗେଇଗଲେ ହେଲା । ପାଠ ପଢ଼ିଥିଲେ ଚାକିରି ବଳେ ଆସି ପହଞ୍ଚିବ ।

 

ମୁଁ ଘର ଭିତରକୁ ଚାଲିଯାଉଥିଲି । ପୁଣି ଲେଉଟିଆସି ପଚାରିଲି–ତମର କୁକୁଡ଼ା ରଖିଚ-? ଆଜି ପାଇଁ ଗୋଟାଏ ଦେବ । କହିଲେ ମୁଁ ଏବେ ପଇସା ଦେଇଦିଅନ୍ତି ।

 

ହଁ, ଅଛନ୍ତି ଯେ, ଆଗ ଦେଖ ତା’ପରେ ଆଣିବା କଥା ହେଲେ ନେଇଆସିବୁ ଆଉ ତୋ ପୁଅ କ’ଣ ପଇସା ଦେଇପାରିବନି ମୁଁ ଏବେ ନେଇଯିବି ?

 

ହଉ ହେଲା, ତୁ ମନେରଖିଛୁ ତ ମୋ କଥା ସବୁ । କୁକୁଡ଼ା ଆଉ ଘିଅ । ସେ ମୁଣ୍ତ ଟୁଙ୍ଗାରିଲା ।

 

ଫେରିଆସିବା ପୂର୍ବରୁ ଶେଷଥରପାଇଁ ତା’ ମୁହଁକୁ ଚାହିଁଲି । ଆଶ୍ୱାସନାର କ୍ଷୀଣ ରେଖାଟିଏ ତା’ ମୁହଁ ଉପରେ ଫୁଟିଉଠିଥିଲା, ଯେମିତି ଶିଶିରସ୍ନା ତ ପୃଥିବୀରେ ସୂର୍ଯ୍ୟଙ୍କର ପହିଲି କିରଣ ପଡ଼ିଲେ ଶୋଭା ଦିଶେ ।

 

ଦୁଇ

 

ହଠାତ୍‌ ମୋ ନିଦଟା ଭାଙ୍ଗିଗଲା । ମୋ କାନ ଦୁଇଟା ଭାସିଆସୁଥିବା ଶବ୍ଦ ତରଙ୍ଗକୁ ନିଘା କରୁଥିଲେ । ନା, ବେଶି କିଛି ଗଣ୍ତଗୋଳ ନୁହେଁ । ମୋ ଆଈମା’ ବିରକ୍ତ ହେଇ କହୁଚି; ଏତେବଡ଼ ଝିଅଟାଏ ହେଲୁଣି ଆଉ କୋଉଦିନ ଚାଲି ଶିଖିବୁ । ଭାଇ ପାଇଁ ବାହାର କରିଥିଲୁ ସେ ହଳକ ପରା, ତାକୁ ଭାଙ୍ଗେ । ଆଗରେ ଇଟାଟା ପଡ଼ିଚି ବୋଲି କ’ଣ ଦେଖିନଥିଲୁ ? ଏ ଘରେ ଯେମିତି କୁଣିଆ ? ଦିନିକିଆ ନୂଆ ଆସିଚି କେଉଁଠୁ ? ସେ ଥାଳି ତାଟିଆ ଅଛି ନା ଯାଇଚି ? ଏଣୁ ମିନୁର ପାଟି ଶୁଭିଲା, କାହିଁକି ଗୋଟାଏ ଏଡ଼େପାଟି କରୁଚୁ ? ଝୁଣ୍ଟିପଡ଼ିଲି ନା କ’ଣ ଜାଣୁ ଜାଣୁ ଫୋପାଡ଼ିଦେଲି ?

 

ମୋତେ ଆଉ ବୁଝିବାକୁ କିଛି ବାକି ରହିଲାନି । ମୋର ଯେଉଁ ମସ୍ତବଡ଼ ଭୟ ଆସିଯାଇଥିଲା ସେଇଟା ଠିକ୍‌ ନୁହେଁ ଜାଣି ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲି । ମୁଁ ଆଜିକାଲି ଘଣ୍ଟା ବାଜିବାର ଶବ୍ଦକୁ ଭୀଷଣ ଡରୁଚି କେଜାଣି କେମିତି ମୋ କାନପାଖରେ ସେଇ ଛୁଟିବେଳର ଘଣ୍ଟାବଜା ଶବ୍ଦଟା ଆରମ୍ଭ ହେଇଯାଉଚି ମୁଁ ଜାଣିପାରୁନି । ମିନୁ ହାତରୁ ଥାଳି ତାଟିଆ ଖସିପଡ଼ି ଝମ୍‌ଝମ୍‌ ହେବାକ୍ଷଣି ମୋତେ ଲାଗିଲା ଯେମିତି ମୋ କାନପାଖରେ ସେଇ ଘଣ୍ଟାଟାକୁ ଧରି କିଏ ବାଡ଼େଇ ଚାଲିଚି । ମୁଁ ପୁଣି ତକିଆ ଭିତରେ ମୁଣ୍ତ ଗୁଞ୍ଜିଦେଲି । ମାତ୍ର ଆଉ ନିଦ ହେବନାହିଁ ବୋଲି ଜାଣି ମଧ୍ୟ ପଡ଼ିରହିଲି ।

 

କାଲି ମୋ ଆସିବା ପରେ ମିନୁ ଏ ଥାଳି ତାଟିଆ କାଢ଼ିଚି । ଆମର ବାହାରେ କଂସାବାସନ ରହେନାହିଁ ସେହି ବର୍ଷରୁ । ଯେଉଁ ବର୍ଷ ଚୋରି ହୋଇଗଲା ବଡ଼ ଅଭୂତ ବାଗରେ । ରାତିରେ ସମସ୍ତେ ଖାଇପିଇ ଅଇଁଠା ବାସନ ଓଳି ତଳେ ରଖି ଶୋଇଗଲେ । ପରଦିନ ସକାଳୁ ଉଠି ଦେଖିଲାବେଳକୁ କ’ଣ ଆଉ ଛଦାମେ ଅଛି ? ସେଇ ଚୋରି ପରଠାରୁ ଆମେ ରସ ବାସନରେ ଚଳୁ । ଯା’ କେଇଖଣ୍ତ ଚୋରଙ୍କ ହାତରୁ ବର୍ତ୍ତିଥିଲା ତାକୁ ସବୁ ଅଖାରେ ବାନ୍ଧି କେଉଁ କନ୍ଦିରେ ସାଇତି ଦେଇଛନ୍ତି ବାପା । ସେଇଥିରୁ ବୋଧେ ମିନୁ ମୋ ପାଇଁ କେଇଖଣ୍ତ କାଢ଼ିଚି ବୋଲି ଆଈମା’ ବିରକ୍ତ ହେଉଛି ।

 

ମୁଁ ଘଡ଼ିକୁ ଚାହିଁଲି । ଟିକ୍‌ ଟିକ୍‌ ଶବ୍ଦ କରି ସମୟ ଅବିରତ ଦୌଡ଼ିଚାଲିଚି ଘୋଡ଼ା ପରି । ଶୋଇବାକୁ ଇଚ୍ଛାହେଲାନି । ଉଠିଆସି ମୁହଁ ଧୋଇବା ପାଇଁ ପାଣି ଗ୍ଳାସଟେ ମାଗିଲି ମିନୁକୁ । ମିନୁ ମୋ ପାଇଁ ପାଣିନେଇ ଆସୁ ଆସୁ ବାହାରେ କେଇଜଣଙ୍କ ପରିଚିତ କଣ୍ଠସ୍ୱର ଶୁଣିପାରୁଥିଲି । ସଙ୍ଗେ ସଙ୍ଗେ ମୁହଁଟା ଧୋଇନେଇ ବାହାରକୁ ଆସି ଦେଖେ ତ ମିତ୍ରଦା’, ଶଙ୍କର ଦା’, ଅରୂପ ଆସି ଛିଡ଼ା ହେଇଛନ୍ତି । ଏମାନେ ସମସ୍ତେ ମୋର ସମବୟସ୍କ ହେଲେ ହେଁ ମାନ୍ୟତାରେ ବଡ଼ ହୁଅନ୍ତି କେବଳ ଅରୂପକୁ ଛାଡ଼ିଦେଲେ । ସେ ଦୁଇଜଣକୁ ଅତୀତରେ ମୁଁ ସମ୍ମାନ ଦେଇଥିବା ହେତୁ ବର୍ତ୍ତମାନ ବାଧ୍ୟହେଲି ହାତଟେକି ନମସ୍କାର ହେବାକୁ । ସେମାନେ ମୋତେ ମିଳିତ ଭାବେ ପଚାରିଲେ–ଏବେ ତମର ଘରେ କ’ଣ କାମ ଅଛି ?

 

ମୁଁ ମନାକଲାରୁ କହିଲେ, ଆସ ଏଣେ ଟିକେ ବୁଲିଆସିବା; ଗପସପ ହେଇ ଫେରିବା ।

 

ସେମାନଙ୍କ ପ୍ରସ୍ତାବରେ ସମ୍ମତି ଜଣେଇ ମିନୁକୁ ଅପେକ୍ଷା ରଖୁଥିଲି ପାନ ପାଇଁ । ପାନ ପରିବର୍ତ୍ତେ ଗୋଟେ ଗ୍ଳାସ୍‌ ବେଲପଣା ଆଣି ସେ ଧରେଇଦେଇ ଚାଲିଗଲା । ମୁଁ ତାକୁ ଧୀରେସୁସ୍ଥେ ପିଇସାରିଲା ବେଳକୁ ପାନ ଆସି ପହଞ୍ଚି ଯାଇଥିଲା । ମୁଁ ପୁଣି ଥରେ ଘରଭିତରକୁ ଲେଉଟିଆସି ସାର୍ଟଟା ପିନ୍ଧିନେଇ ବାହାରିଲି । ମିନୁ ମୋତେ ସର୍ବମୋଟ୍‌ ଦୁଇଖଣ୍ତ ପାନ ଆଣିଦେଲା । ମୁଁ ଖଣ୍ତେ ଖାଇ ଆରଟା ମିତ୍ରଦାକୁ ଦେଲି । ଭାଗ୍ୟକୁ ସେ ଦୁଇଜଣ ପାନ ଖାଆନ୍ତି ନାହିଁ । ସୁତରା ମୋତେ ଏଥିରେ ବିବ୍ରତ ହେବାକୁ ପଡ଼ିଲା ନାହିଁ ।

 

ଶଙ୍କର ଦା’ ପହିଲେ ପଚାରିଲା, କ’ଣ ମଳୟ । ତମେ ବହୁତଦିନ ରହିଗଲ ସହରରେ-? ଗାଁ ମାଟି ତମକୁ ଏତେ ଭଲ ଲାଗୁଥିଲା, ତମେ ତାକୁ ଭୁଲି ରହିପାରିଲ ?

 

ପରିସ୍ଥିତି ମଣିଷକୁ ନିଜ ଇଚ୍ଛାରେ ବଞ୍ଚିବାକୁ ଦିଏନା ଦାଦା । ତେବେ ତମେମାନେ ମୋଟାମୋଟି ମୂଲ ଉଦ୍ଦେଶ୍ୟକୁ ମୁଖ୍ୟ କରି ଆଗେଇଚାଲ । ମୁଁ ମଝିରେ ଝାପ୍‌ସା ଝାପ୍‌ସା ଖବର ପାଇଥିଲି । ତମେ ନିସ୍ତେଜ ହେଇଯାଉଚ କାହିଁକି ? ମୁଁ କ’ଣ ଏଠି ରହିପାରିବି । ବାଟ ଦେଖେଇଦେଲି ତମେ ଚାଲିବ ।

 

ତମେ କ’ଣ ଜାଣିପାରୁନା ଆମେ ଚାଷୀବନ୍ଦିଲୋକ ବିଲରେ ଖଟିଲେ ଦିନ କଟିବ, ସଂଗଠନ ଉପରେ ଲକ୍ଷ୍ୟଦେଇ ଏତେ ବନ୍ଦଛନ୍ଦ ହେଇ ଆମେ ବଞ୍ଚିପାରିବୁ କ’ଣ ?

 

ସପ୍ତାହକ ଭିତରେ କୌଣସି ଦିନରୁ ତମେ ଛ’ଘଣ୍ଟା ଦେଇପାରିବ ନାହିଁ ? ବର୍ତ୍ତମାନ ତ କିଛି କାମ ନାହିଁ । ବୁଲିବା କି କାମ । ଚାଷବାସ ଆରମ୍ଭ ହେଇନି–ଏବେ କାହିଁକି ସମୟ ଦେଇପାରିବ ନାହିଁ ? ହଁ ପାଗ ପାଇଟି ବେଳେ କାହାର ସାକ୍ଷାତ୍‌ ମିଳିବା କଷ୍ଟକର ହେବ, ସେତେବେଳେ ସିନା ଲକ୍ଷ୍ୟ କରିହେବ ନାହିଁ । ବର୍ତ୍ତମାନ ଅସୁବିଧା କ’ଣ ? ସମସ୍ତେ ପ୍ରାୟ ସନ୍ଧ୍ୟା ସୁଦ୍ଧା ଭେଟ ହେଉଥିବ । ନଈବାଲିରେ ହେଉ ଅଥବା ସଂଘ ଘରେ ହେଉ ଯେଉଁଠି ଘଣ୍ଟାଏ ବସି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି କିଏ କେଉଁ କାମ କଲେ ଚଳିବ ଏମିତି କିଛି ସ୍ଥିର କରିପାରନ୍ତ । ଏସବୁ ଯଦି ନ ହେଉଚି, ତେବେ ଆଉ ଆମେ ଅଧିକ କରିଛେ କ’ଣ ? ଆମ ପୂର୍ବରୁ ଯେଉଁ ଖଟିବା ଖାଇବା ନୀତିରେ ଗାଁ ଚାଲିଥିଲା ଆମେ ତ ସେଇ ଗୁଳାରେ ଯିବା, ବାହାର ଦୁନିଆ ସଙ୍ଗରେ ଆମର ସମ୍ପର୍କ ରହିଲା କ’ଣ ? ତା’ପରେ ଆଜିର ଏ କଥାଟା ତ ନୂଆ ନୁହେଁ । ଏଇ ଯୁବକ ସଂଘ ଜରିଆରେ ଗାଁ ମୁଣ୍ତ ପୋଖରୀରୁ ଦଳ ପରିସ୍କାର କରାଯାଇ ମାଛଚାଷ କରିଯାଉଥିଲା, ବିଭିନ୍ନ ଅନୁଷ୍ଠାନ ଜରିଆରେ ଉନ୍ନତିମୂଳକ କାମ ପାଇଁ ସରକାରୀ ସାହାଯ୍ୟ ମିଳୁଥିଲା କଲଚରାଲ ଆଫେୟାରସ୍‌ରୁ ବାର୍ଷିକ ଡ୍ରାମା ପାଇଁ ଟଙ୍କା ମିଳୁଥିଲା । ଲାଇବ୍ରେରୀ ପାଇଁ ବହି ମିଳୁଥିଲା । ସବୁ ଠିକ୍‌ ଥିଲା ମଝିରେ ଏମିତି ଗୋଳମାଳିଆ ହେଲା କାହିଁକି ?

 

ଏତେ ସହଜରେ ତମେ ଯେଉଁ କଥାଗୁଡ଼ାକ କହିପାରୁଚ ପ୍ରକୃତରେ ଘଟଣାଟା ଠିକ୍‌ ସେମିତି ନୁହେଁ । ଟିକେ ଏପଟସେପଟ ମୁହଁ ବୁଲେଇ ଶଙ୍କର ଦା’ ଚାରିଆଡ଼କୁ ସତର୍କ ଦୃଷ୍ଟିରେ ଚାହିଁ କହିଲା–ଆମ୍ୱ ତୋଟା ଭିତରକୁ ଚାଲ ଯିବା, ସେଇଠି ବସି ଗପ କରିବା । ସେ କଥା ସେଇଠି ପଡ଼ିବ । ବର୍ତ୍ତମାନ ତମ କଥା କିନ୍ତୁ କୁହ । ମୁଁ ମ୍ଳାନ ହସି କହିଲି–ମୋ ସେଇଠି ପଡ଼ିବ । ବର୍ତ୍ତମାନ ତମ କଥା କିନ୍ତୁ କୁହ । ମୁଁ ମ୍ଳାନ ହସି କହିଲି–ମୋ କଥା ଗୋଟେ କ’ଣ ? ମୁଁ ଏକ ପ୍ରକାର ବଞ୍ଚିଚି, ୟା’ ବ୍ୟତୀତ ଅଧିକ କିଛି ନାହିଁ ।

 

ଶୁଣିବାକୁ ମିଳେ ସେଠି ଗୋଟେ ଘର କରିସାରିଚ, ବେଶ୍ ଦୁଇପଇସା ମିଳୁଚି ବୋଧେ-। ଆଚ୍ଛା ସେଠାରୁ ଅନ୍ୟ କେଉଁଠିକି ଟ୍ରାନ୍‌ସଫର ହୋଇଗଲେ କ’ଣ କରିବ ? ତମ ଦି’ଜଣଙ୍କର କ’ଣ ଗୋଟାଏ ଜାଗାକୁ ହେବ ? –କୌତୂହଳ ପ୍ରକାଶ କରି ଏତିକ ମିତ୍ରଦା’ ପଚାରିଲା-

 

ଏକା ଅଫିସ୍ ହେଇଥିଲେ କିଛି ଅସୁବିଧା ହୁଅନ୍ତା ନାହିଁ । କିନ୍ତୁ ଏ ସମ୍ପୂର୍ଣ୍ଣ ଅଲଗା ଅଲଗା । ପୁନିର ଇଣ୍ତଷ୍ଟ୍ରିଜ୍‌ ଚାକିରିକୁ ମୋର ସରକାରୀ । ଏସବୁ ସମ୍ଭବ ହେବ କେମିତି ? କେବଳ ମୋତେ ଯାହା ଯେତେ ରକମ ଦୁର୍ନୀତିର ଆଶ୍ରୟ ନେଇ ତା’ ସହ ରହିଯିବାକୁ ହେଉଚି ଉପରିସ୍ଥମାନଙ୍କ କରୁଣା ଲାଭ କରି । ଅନ୍ୟଆଡ଼େ ବଦଳି ହେଇଗଲେ ମୋର କିଛି ଅସୁବିଧା ହେବନହିଁ, ମାତ୍ର ପୁନିକୁ ଛାଡ଼ି ନଯିବାର ମୂଳରେ ମୋ ଭାବପ୍ରବଣତାଟାହିଁ ବେଶି କାମ କରୁଚି । ତା’ର ଅନ୍ତରଙ୍ଗ ବ୍ୟବହାର ମୋତେ ଭୁଲେଇ ରଖିବାର କାରଣ ହେଉଚି ତା’ର କେତେ ବିଶିଷ୍ଟ ଗୁଣକୁ ମୁଁ ଭଲପାଏ । ଅନ୍ୟାନ୍ୟ ସ୍ତ୍ରୀଲୋକମାନଙ୍କ ତୁଳନାରେ ସେ ଖୁବ୍‌ ପରିଶ୍ରମୀ । ଏପରିକି ମୋର ସମସ୍ତ ଯତ୍ନ ନିଏ । ମୋତେ ଖୁବ୍‌ ଭଲପାଏ । ଆମର ଯେଉଁ ଘରଟି ହେଇଚି କେବଳ ତା’ ପାଇଁ ହିଁ ସମ୍ଭବ ହେଲା । ଅବଶ୍ୟ ମୋର ବେଶି କିଛି ପଇସା ସେ ଦିଗରେ ଯାଇନି । ଲାଗିଥିବା ସମସ୍ତ ପଇସାର ଅର୍ଦ୍ଧାଧିକ ହିଁ ପୁନିର ଆଉଟ୍‌ ଇନ୍‌କମ୍‌ ।

 

ମୁଁ ଏତେଗୁଡ଼ାଏ କଥା କହିବା ଭିତରେ ଲକ୍ଷ୍ୟ କରିଚି ମିତ୍ରଦା’ ଓ ଅରୂପ କାହିଁକି ଅନ୍ୟମନସ୍କତା ଅନୁଭବ କରୁଥିଲେ । ଶଙ୍କର ଦା’ ମଧ୍ୟ କିଛିଟା ଗ୍ଳାନି ଭିତରେ ଚାଲିଚି । କାହାରି ମୁହଁରେ ଶବ୍ଦଟିଏ ନାହିଁ । ସେମାନେ ସମସ୍ତେ ଭିତରେ ଭିତରେ ହାରିଯିବାର ତାଡ଼ନା ଅନୁଭବ କରୁଥିଲେ । ଏଇ ଆଖି ବୁଜିଦେଲେ ସେ ପାଞ୍ଚବର୍ଷ ତଳ ଜଳଜଳ ହେଇ ଦିଶିଯାଉଚି । ଏକାଠି ସାଙ୍ଗହେଇ ବୁଲୁଥିଲେ । ସେମାନେ ହେଲେ ସକାଳୁ ଖଟିଲେ ସଞ୍ଜବେଳକୁ ମୂଲଟାଏ ପାଇପାରୁଥିଲେ । ମୁଁ କିନ୍ତୁ ପୂରା ବେକାର । ଆଜି ସେମାନଙ୍କର ସେହି ମୂଲ ହିଁ ସବୁ; ମୋର ଅନେକ ପରିବର୍ତ୍ତନ ହୋଇଯାଇଚି । ନିଶ୍ଚୟ ତାଙ୍କ ମନରେ କିଛିଟା ଖଟକା ଲାଗୁଥିବ । ତାପରେ ଆଉ ଗୋଟାଏ କଥା ହେଉଚି ସେଦିନ ଏଇମାନେହିଁ ମୋତେ ସେମାନଙ୍କର ନେତା ବୋଲି ମାନି ଜନମଙ୍ଗଳ କାର୍ଯ୍ୟରେ ମାତିଥିଲେ । ମୁଁ ସେମାନଙ୍କ ଆଖିସାମ୍ନାରେ ଥିଲି ସାଧୁ, ସେଚ୍ଚୋଟ, ଖୁବ୍‌ ଗୋଟେ ନୀତିବାନ୍‌ ଲୋକ । ମାତ୍ର ମୋ ମୃହଁରେ ଏମିତି କଥା ଓ ବିରୋଧାଭାଷର ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଠିକ୍‌ ମନେପଡ଼ୁନି ଏଇମାନଙ୍କ ସାଙ୍ଗରେ ଥରେ ଜ୍ୟେଷ୍ଠ ଶେଷବେଳକୁ କେନ୍ଦ୍ରାପଡ଼ା ବଳଦେବ ଠାକୁରଙ୍କ ପାଖକୁ ଯାଉଥିଲି । ସମସ୍ତେ ଖଣ୍ତେଲେଖାଁ ସାଇକେଲ୍‌ ଧରିଚୁ । ଏତେଗୁଡ଼ାଏ ବାଟ ହେତୁ ଡବଲ ଯିବା ପ୍ରଶ୍ନଇ ଉଠିନି । ମୁଁ ସବା ଆଗରେ ଥାଏ । କେତେଆଡ଼ୁ କେତେ ଗପ ଜମିଯାଏ । ମାଛ ପୋଖରୀଠାରୁ ନଡ଼ିଆ ବିକ୍ରି, ବେତବଣଠାରୁ ବାହାତଇନା ଟଙ୍କା ପର୍ଯ୍ୟନ୍ତ–କେମିତି ଏ ଉପାର୍ଜିତ ଅର୍ଥକୁ ଗ୍ରାମର ମଙ୍ଗଳ କାର୍ଯ୍ୟରେ ଲଗାଯାଇପାରିବ, କି କି କାମ କଲେ ଏ ଅଞ୍ଚଳରେ ନୂଆ ଧରଣର କିଛି ହେବ ଇତ୍ୟାଦି ନାନା ବିଷୟର କଥା । ଶାଗରୁ ଶାଗୁଆତି ଯାଏ, ତାଜମହଲରୁ କୋଣାର୍କ ଯାଏ, ବିଲମଙ୍ଗଳରୁ ଦେବଦାସ ଯାଏ–ସବୁ କିସମ ଆଲୋଚନା । କଥା ସୁଅରେ ସାଇକେଲ ଆଗକୁ ଗଡ଼ିଯାଇଥାଏ । ହଠାତ ମୁଁ ମୋ ଆଗରେ ଗୋଟାଏ ଥଳି ପଡ଼ିଥିବାର ଦେଖିଲି । ଅଟକିଯାଇ ସେଇଟାକୁ ଉଠେଇଆଣିଲି । ଉଠେଇଲାବେଳେ ମୋତେ ଟିକେ ସଙ୍କୋଚ ଓ ଘୃଣା ଲାଗୁଥିଲା । କେମିତି ଗୋଟାଏ ମଇଳା କୋଚଟ ଅସନା ଥଳିଟା । କେଉଁ ତେଲ ବେପାରୀ ଖସିପଡ଼ିଚି ବୋଧେ । ମୋର ଏମିତି ଅନୁମାନ ହେବାର କାରଣ ହେଉଚି ଥଳିଟା ତେଲ ଚିକିଟାରେ ବୁଡ଼ିଥିଲା । ସେତେବେଳକୁ ସମସ୍ତେ ଅଟକି ସାରିଥିଲେ ଉତ୍ସାହିତ ହୋଇ ମୋପାଖରେ ଛିଡ଼ାହେଇ ପଚାରୁଥିଲେ–ଖୋଲି ଦେଖ ତ ମଳୟ ! କେତେ ମାଲ୍ ଅଛି ? ଆଜିର ଏ ଗ୍ରସ୍ତ ଖର୍ଚ୍ଚଟା ଈଶ୍ୱର ଦେଇଛନ୍ତି କି ନାହିଁ ?

 

ମୁଁ ସେଇଟିର ଫାଶ ଟାଣି ଖୋଲି ଦେଖେ ତ ଖାଲି ଶହେଟଙ୍କିଆ ବାରଟା । ସମସ୍ତେ ଆଶ୍ଚର୍ଯ୍ୟିତ ଆନନ୍ଦରେ ଫାଟିପଡ଼ୁଥିଲେ । ମୁଁ ଗମ୍ଭୀରହେଇ କହିଲି ବୋଧହୁଏ କେହି ବେପାରୀ ଲୋକ ଏ ଥଳିଟା ଗଳେଇ ପକେଇଚି ଅଜାଣତରେ । ଏଣେ ଗୁଡ଼ାଏ ଟଙ୍କା ଯାହାର ଯାଇଚି, ତା’ ଅବସ୍ଥା କେହି ଅନୁମାନ କରିଚ ? ଆମର ବାରଟା ପଇସା ହଜିଗଲେ ମନ କେତେ ଦୁଃଖ ହେଉଚି, ତା’ର ପୁଣି ବାରଶହ ?

 

ଓଃ ଏତେ ଭାବିବାକୁ ବେଳ କାହିଁ ମଳୟ : ଈଶ୍ୱର ଯାହାକୁ ଦିଅନ୍ତି ଏମିତି ନିଅନ୍ତି ମଧ୍ୟ ଏମିତି । ଆମେ କ’ଣ ଜାଣିଥିଲେ ଯେ, ବାଟରେ ଆମକୁ ଏତେଗୁଡ଼ାଏ ଟଙ୍କା ମିଳିବ ବୋଲି ? ସବୁ ସେଇ ଈଶ୍ୱରଙ୍କ ଇଚ୍ଛା । ଚାଲ ଡେରିହେବ । ଖରା ଅଧିକ ହେଉଚି, ପହଞ୍ଚି ଫେରିବା ବେଳକୁ ଦେହରେ ଜୀବନ ନ ଥିବ–କହି ଶଙ୍କର ଦା’ ଆଗେ ଆଗେ ସାଇକେଲ ଚଢ଼ିଲା । ତାପରେ ସାଇକେଲରେ ବସି ମିତ୍ରଦା’ କହିଲା–ମୋ ଝିଅଟା ସକାଳେ କହୁଥିଲା–ଫ୍ରକ୍‌ ଖଣ୍ତେ ପାଇଁ, ତା’ର ସବୁ ଫ୍ରକ୍‌ ଚିରିଗଲାଣି ଯେ ମଣିଷ ଖଣ୍ତେ କରିବାପାଇଁ ପଇସା ପାଉନି ।

 

ମୁଁ ଶୁଣୁଥିଲି । ଅରୂପ ନ ଥିଲା । ସେଦିନ ଗୋବିନ୍ଦ ଭାଇ ସାଙ୍ଗରେ ଥିଲେ । ସେ ମଧ୍ୟ ତାଙ୍କ ଯୋଜନା କହିଲେ ଏ ଟଙ୍କାଟାରେ ଆମେ ସମସ୍ତେ ହଳେ ଲେଖାଏଁ ଡ୍ରେସ୍ କରିବା ଓ ଗୋଟେ ବଡ଼ ଧରଣର ଫିଷ୍ଟ କରିସାରିଲା ପରେ ଅବଶିଷ୍ଟ ଯାହା ବଳିବ ସଂଘ ପାଇଁ ଦାନ କରିବା-

 

ଏ ପ୍ରସ୍ତାବଟା ସମସ୍ତଙ୍କ ମନକୁ ପାଇବା ଭଳି ମୁଁ ଅନୁଭବ କରିଥିଲି ଓ ସମସ୍ତେ ଦ୍ୱିଗୁଣ ଉତ୍ସାହରେ ସାଇକେଲ ଚଢ଼ି ଚାଲିଥିଲେ । ମୋର କିନ୍ତୁ ଖୁବ୍‌ ଦୁଃଖ ଆସୁଥିଲା ମନରେ । ହଜାଇଥିବା ଲୋକଟିର ଅବସ୍ଥା ମୋ ଆଖିସାମ୍ନାରେ ଭାସିଉଠୁଥିଲା । ହଠାତ୍‌ ଶଙ୍କର ଦା’ ଆଗରୁ ପାଟି କରିଉଠିଲା–ହେଇବେ ସେଠି କ’ଣ କେତେଟା ଲୋକ ଖୁବ୍‌ ପାଟିତୁଣ୍ତ କରୁଛନ୍ତି ?

 

ଆମେ ସମସ୍ତେ ସେଇ ଦିଗକୁ ନଜର କରି ସେମାନଙ୍କ ପାଟିତୁଣ୍ତର ଅର୍ଥ ବୁଝିବାକୁ ଚେଷ୍ଟା କରୁଥିଲୁ । ସେଇ ଲୋକଙ୍କ ଭିତରୁ ଜଣେ ବୁଢ଼ା ଆମଆଡ଼କୁ ଆସୁଥିଲା ରାସ୍ତାରେ କ’ଣ ଖୋଜି ଖୋଜି । ଶଙ୍କର ଦା’ର ସାଇକେଲ ପ୍ୟାଡ଼େଲ ସ୍ଥିର ହେଇଗଲା ଓ ମସସ୍ତେ ମୋର ନିକଟତର ହେଇ ଫୁସ୍‌ଫାସ୍‌ ହେବାକୁ ଲାଗିଲେ । ସେ ଫୁସ୍‌ଫାସ୍‌ର ଶବ୍ଦ ବ୍ୟସ୍ତ ବିବ୍ରତ ମହୁମାଛିଟିଏର ଗୁଞ୍ଜରଣ ଭଳି ମନେହେଉଥିଲା । ମୁଁ କହିଲି ଏତେ ବ୍ୟସ୍ତ ହେବାର କିଛି ନାହିଁ । ଧନ ପାଇବାର ଆନନ୍ଦ ଅପେକ୍ଷା ହଜାଇବାର ଦୁଃଖ ଖୁବ୍‌ ଗହିରିଆ, ଯଦି ଏଇ ବୁଢ଼ାର ହେଇଥିବ ତାହେଲେ ଦେଇଦେବା ।

 

ମୋର ଏ କଥାପଦକ ସମସ୍ତଙ୍କ ମୁହଁରେ କଳାଛାଇ ଟାଣିଦେଲା । ମେଘ ନ ଥିଲେ ବି ଆକାଶ ମେଘୁଆ ଦିଶିଲା । ଶୀତଦିନର ଘନ କୁହୁଡ଼ି ଭଳି ମୋ କଥାଟା ସମସ୍ତଙ୍କ ଭିତରେ କୁହେଳିକାମୟ ହେଇ ଜମାଟ ବାନ୍ଧୁଥିଲା । ଅବଶେଷରେ ଆମେ ସେଇ ବୁଢ଼ାଟିର ନିକଟତର ହେବାରୁ ମୁଁ ସାଇକେଲ୍ ପ୍ୟାଡ଼େଲ ଉପରେ ଗୋଡ଼ ସ୍ଥିର କରି ଚାହିଁଲି ତା’ଆଡ଼େ । ପତଳା ସରସର ଡେଙ୍ଗା ପାକୁଆ ବୁଢ଼ାଟା । ମୁହଁର ହନୁହାଡ଼ ବାହାରିପଡ଼ିଚି । ଖଣ୍ତେ ସାଢ଼େତିନି ହାତ କି ଚାରିହାତ ନାଲି କଷା ଗାମୁଛା ମୁଣ୍ତରେ ବାନ୍ଧିଛି । ସାଧା ଖୋଲା ଦେହ । ଥାନ ଖଣ୍ତେ ପିନ୍ଧିଚି ଯେ, ଆଣ୍ଠୁ ଉପରେ । ମଇଳା କୋଚଟା ଆଖିରେ ଲେଞ୍ଜରା କଡ଼ରେ ଦୁଇଧାର ଲୁହ ଝରିଆସିଲା ପରି ମୋତେ ବୋଧହେଲା । ହାତରେ ବାଡ଼ିଖଣ୍ତେ ଧରି ଠୁକ୍‌ ଠୁକ୍‌ କରି ଆସୁଚି ଇତସ୍ତତଃ ଭାବରେ ।

 

ତା’ ପାଖରେ ମୁଁ ଅଟକିଯିବା ପୂର୍ବରୁ ସେ ଅଟକିଯାଇ ଆମ ସମସ୍ତଙ୍କୁ କେମିତି ଏକ କରୁଣ ଚାହାଣୀରେ ଚାହିଁଥିଲା ଓ କ’ଣ କହିବ ହେଇ କହିପାରୁନଥିଲା । ବୋଧହୁଏ ଆମଭଳି ବାବୁ ପୋଷାକ ପିନ୍ଧା ଲୋକଙ୍କୁ କିଛି କହିବାକୁ ସାହସ କରୁନଥିଲା । ମୁଁ ଓହ୍ଲେଇପଡ଼ି ପଚାରିଲି–କ’ଣ ଖୋଜୁଚ କି ମଉସା ?

 

ବୁଢ଼ା ମୋ କଥାର ଉତ୍ତର ଦେବା ପରିବର୍ତ୍ତେ ଭୋ କରି କାନ୍ଦିଉଠିଲା, ସତେଯେମିତି ହଠାତ୍‌ କେଉଁଠି ଭୂମିକମ୍ପ ହେଇ ପୃଥିବୀ ଗଳିପଡ଼ୁଚି ପାତାଳକୁ । ସମସ୍ତେ ଆମେ ଆଗପଛ କରି ଅଟକି ଯାଇଥିଲୁ ହତବାକ୍‌ ହେଇ । ଅପେକ୍ଷା କରୁଥିଲୁ ବୁଢ଼ା କ’ଣ କହୁଚି ? ବହୁ କଷ୍ଟରେ ସେ ଥଙ୍ଗେଇ ଥଙ୍ଗେଇ କହିଲା–ବାବୁମାନେ ଆପଣ ବାଟରେ କିଛି ପଡ଼ିଥିଲା ଦେଖିଚ ? ମୋ ସଂସାର ଉଜୁଡ଼ିଗଲା, ମୁଣ୍ତ ଚଡ଼କ ପଡ଼ିଗଲା । ଆପଣ ପାଇଛନ୍ତି କିଛି ? ମୁଁ ଭାସିଗଲି ବାବୁ ! ହାଁ ହାଁ, ଠାକୁର ପୁଣି ଏତେ ଦୁଃଖ ଦେଲେ ? ଏ ଦୁନିଆରେ ଈଶ୍ୱର ବୋଲି କେହି ନାହାନ୍ତି- କହି ବୁଢ଼ା କେବଳ ଭୋ ଭୋ କରି କାନ୍ଦିଲା ।

 

ମୁଁ ଭୀଷଣ ବ୍ୟସ୍ତହୋଇ କହିଉଠିଲି, କ’ଣ ହେଇଚି ମଉସା, କିଛି ଖୋଲି ନ କହିଲେ ଆମେ ବୁଝିବୁ କେମିତି ?

 

ଅବିରତ ଲୁହଲାଳ ଏକାଖଣ୍ତେ ମୁହଁଭିତରୁ ବୁଢ଼ାର ଖଣ୍ତିକିଆ ଅସ୍ପଷ୍ଟ ବାକ୍ୟଟେ ବାହାରି ଆସିଲା–ମୋ ଟଙ୍କା ???

 

ଆମେ ପାଇଚୁ ମଉସା, କେତେ ଟଙ୍କା, କେମିତି ହଜିଲା କୁହନ୍ତୁ ? ମୋ ପାଟିରୁ କଥା ସରୁଣୁ ବୁଢ଼ା ଲମ୍ୱ ହେଇ ଆମ ଗୋଡ଼ତଳେ ପଡ଼ିଗଲା । ମୁଁ ସାଇକେଲ ଛାଡ଼ି ଆଣ୍ଠେଇପଡ଼ି ବୁଢ଼ାର ଦୁଇହାତ ଧରି ଉଠେଇଆଣି କହିଲି–ତମ ଟଙ୍କା ଆମେ ଫେରେଇଦେବୁ ମଉସା, ଆଉ ଏତେ ଅଧର୍ଯ୍ୟ ହେଉଚ କାହିଁକି ?

 

ତାପରେ ବୁଢ଼ାର ଟଙ୍କାତକ ଫେରେଇଦେଇ ଆମେ ତାଠାରୁ ତା’ ଦୁଃଖ ସମ୍ପର୍କରେ ଗୋଟାଏ ଛୋଟ ଗପ ଶୁଣିଥିଲୁ । ଯାହାର ସାରମର୍ମ ଏହିପରି–ବିଲରେ ହଳ କରୁ କରୁ ତା’ ଢାହାଣିଆ ବଳଦଟା ପଡ଼ିଗଲା ଯେ ଆଉ ଉଠିଲାନି । ବହୁ କଷ୍ଟରେ ତାକୁ ଘର ପର୍ଯ୍ୟନ୍ତ ଆଣି ଡାକ୍ତର ଡାକି ଔଷଧ ଦେଇଥିଲେ । ସେଥିରେ ବି ଭଲ ହେଲା ନାହିଁ । ସେଇଟି ମରିଯିବା ଫଳରେ ବୁଢ଼ାର ଭାଳେଣି ପଡ଼ିଲା । ଚାଷ ହେବ କେମିତି ? ଘରେ କାଣି କଉଡ଼ିଟିଏ ନ ଥିଲା । ଏକମାତ୍ର ପୁଅଟି ପାରାଲିସିସ୍‌ ରୋଗରେ ପଡ଼ିଛି ଯେ ଭଲ ହେଇପାରୁନି । ଜମି ବିକି ଡାକ୍ତରଖାନାରେ ଭର୍ତ୍ତିକରି ବୁଢ଼ା ବହୁ ଚେଷ୍ଟା କରିଚି, ମାତ୍ର ଲାଭ କିଛି ହେଇନି । ପୁଣି ତା’ଉପରେ ଏଇ ଚାଷ ବଞ୍ଚିବାର ବ୍ୟବସ୍ଥାଟାକୁ ଆଖିସାମ୍ନାରେ ରଖି ପୁଣି କିଛି ଜମି ବିକିଚି ବୁଢ଼ା ବଳଦଟାଏ କିଣିବ ଓ ଆଉ କିଛି ପଇସା ବଳିଲେ ପୁଅକୁ ପୁଣି ଟିକେ ଡାକ୍ତର ଦେଖେଇ ଔଷଧ ଖୁଆଇବ । ମୁଣ୍ତଉପରେ ଆହୁରି ଗୋଟିଏ ବୋଝ ଲଦି ହେଇ ପଡ଼ିଚି । ଝିଅଟା ହେଲାଣି ବାହାହେବାକୁ । ତା’ ପାଇଁ ତ ବରପାତ୍ର ବ୍ୟବସ୍ଥା କରିବାକୁ ପଡ଼ିବ ଇତ୍ୟାଦି ଅନେକ କଥା । ସେ ସବୁ ଆଜି ଝାପସା ହେଇଗଲାଣି । ଠିକ୍‌ ସେଇ ଦିନଠୁ ଏମାନେ ମୋତେ ଟିକିଏ ଅଲଗା ଆଖିରେ ଦେଖନ୍ତି । ଆଜି ମୋଠାରୁ ମୋ ସ୍ତ୍ରୀର ଆଉଟ୍‌ ଇନ୍‌କମ୍‌ କଥାଟା ଶୁଣି ଏମାନେ ଯେତିକି ବିଶ୍ୱାସ କରୁଛନ୍ତି ସେତିକି ଅବିଶ୍ୱାସ କରୁଛନ୍ତି ମଧ୍ୟ । ହୁଏତ ଭାବୁଛନ୍ତି ଏତେ ସଚ୍ଚୋଟ ମଣିଷଟା ଦୁର୍ନୀତିକୁ ପ୍ରଶୟ ଦେଲା କେମିତି ? ମୁଁ ପୁଣି ଥରେ ଗଳା ଝାଡ଼ିଦେଇ କହିଲି–ଏ ଯୁଗ ଦୁର୍ନୀତିର ଯୁଗ ।’’ ଏଠି ନୀତିରେ ଯେକୌଣସି କାମରେ ଯାଆ ପ୍ରଥମେ କିଛି ପଇସା ଓ ତାପରେ କାର୍ଯ୍ୟ କଥା ଉଠିବ । ଜନସାଧାରଣଙ୍କ ସେବାରେ କିଛି କାମ କରିବାକୁ ଯାଇ ସରକାରୀ ମହଲରୁ ଆର୍ଥିକ ସାହାଯ୍ୟ ଖୋଜିଲେ ସେଠି ପରସେଣ୍ଟେଜ୍‌ ଦେବାକୁ ହେବ । ନଦେଲେ ତମ ଆବେଦନପତ୍ରଟି ଫାଇଲ ତଳେ ପଡ଼ିରହିବ ଯାହା । ତମେ ଯେତେ ଜୋରରେ ପାଟି କରି କୁହ ପଛେ, ଆମ ସରକାର ଗରିବମାନଙ୍କ ପାଇଁ ନାନା ସାହାଯ୍ୟ ସହଯୋଗ ପାଣ୍ଠି ଖୋଲିଛିନ୍ତି ଆମକୁ ମିଳୁ---ତମ କଥା କେହି ଶୁଣିବେ ନାହିଁ । ପ୍ରଥମେ ସେଇ ପରସେଣ୍ଟେଜ୍‌ର ହିସାବ ଛିଡ଼ିବଇ ଛିଡ଼ିବ । ତାହେଲେ ତମେ କ’ଣ କରିବ ? ଭାବିବ ନାହିଁ ଯେ ପଚିଶ ଯାଇ ଯଦି ପଚାଶ ଆସୁଚି ଆସୁ ବୋଲି ? ଘରପୋଡ଼ିରୁ ଶିକା ପଟେ କ’ଣ ତମେ ଉଦ୍ଧାର କରିବାକୁ ଆଶା ରଖିବନି ? ଆଜି ସବୁଆଡ଼େ ଦୁର୍ନୀତିର ନିଆଁ ହୁ ହୁ ହେଇ ଜଳି ଚାଲିଚି । ସେ ନିଆଁପାଖରେ ପତଙ୍ଗ ସାଜିବା ଅପେକ୍ଷା ହନୁମାନ ସାଜିବାରେ କିଛିଟା ଫାଇଦା ଅଛି, ମରିବା ଅପେକ୍ଷା ଅନ୍ୟକୁ ମରିବାକୁ ପେଲିଦେଇ ନିଜେ ପଛରେ ରହିଯିବାରେ କିଛିଟା ବାହାଦୁରି ଅଛି । ସେ ବାବଦରେ ଅନେକ ଅସହାୟ ରାମଚନ୍ଦ୍ରଙ୍କର ସୀତା ଫେରିପାଇବାର ବାସ୍ନା ଫୁଟିଉଠିବ ମନଭିତରେ । ସେ ପାଞ୍ଚବର୍ଷ ତଳର ସ୍ୱପ୍ନ ସଫଳ ନ ହେବାର ମୁଖ୍ୟ କାରଣ ହିଁ ଏଇଆ । ଆଜିକାଲି ନୀତିପାଇଁ ଦୁର୍ନୀତି ଏକ ଅପରିହାର୍ଯ୍ୟ ଅଙ୍ଗ । ସେତେବେଳେ ଆମେ ସାମାନ୍ୟ ଏଇ ଗାଁମୁଣ୍ତ ପୋଖରୀରୁ ଦଳ ସଫା କରିବା ପାଇଁ ବି.ଡ଼ି.ଓଙ୍କୁ କିଛି ଅର୍ଥ ସାହାଯ୍ୟ ମାଗିଥିଲେ । ସେ ମଧ୍ୟ ସମ୍ମତି ଜଣେଇଥିଲେ । ମାତ୍ର ଦେବେ ଦେବେ ବୋଲି ଖରାଦିନ ଯାଇ ବର୍ଷାଦିନ ସରିବା ଉପରେ ହେଲା, କେତେ ଦୌଡ଼ି ଦୌଡ଼ି ପଇସା ଗଣ୍ତାକ ମିଳିଲା । କିନ୍ତୁ ଏବେ ତମେ କେହି ଖବର ରଖିଚ ? ପୋଖରୀରୁ ଦଳ ସଫା ନ କରାଯାଇ ମଧ୍ୟ ସରାକାରୀ ରେକର୍ଡ଼ରେ ଦଳ ସଫା ହେଉଚି ଏବଂ ପଇସା ମଞ୍ଜୁର ହେଇ ଦିଆଯାଇଚି ।

 

ସମସ୍ତେ ଆଶ୍ଚର୍ଯ୍ୟ ହେଇ ମୋଆଡ଼କୁ ଚାହିଁଲେ । ଶଙ୍କର ଦା’ କହିଲେ ପ୍ରକୃତରେ ତମେ ଯାହା କହୁଚ କଥାଟି ପୂରା ଠିକ୍‌ । ଯଦି ଏଇ କଥା ପାଞ୍ଚବର୍ଷ ତଳେ କହିଥାଆନ୍ତେ ତାହେଲେ, ଆମ ସଙ୍ଗଠନ ଏତେ ମାନ୍ଦା ହେଇନଥାନ୍ତା । କିନ୍ତୁ ତମେ ହାତରୁ ଖାଇ ଘୋଡ଼ାଆଗରେ ଡେଇଁବା ନୀତିହିଁ ଶିଖେଇଥିଲ । ଆଜିକୁ ପଇଁତିରିଶ ଚାଳିଶ ବର୍ଷ ତଳେ ଗାନ୍ଧୀ ବୁଢ଼ା ଯାହା କହିଥିଲା ଆଜି ଯେ ତାହା ସମ୍ଭବ ହେବ ସେ କେବଳ ସ୍ୱପ୍ନର କଥା । ପ୍ରକୃତରେ ଆମକୁ ଗୋଡ଼ ଭିଡ଼ି ଛିଡ଼ା ହେବାକୁ ହିଁ ହେବ । ଦୁର୍ନୀତି ଭିତରୁ ନୀତିକୁ ଆବିଷ୍କାର କରିବାକୁ ପଡ଼ିବା ଦୁର୍ନୀତିକୁ ପକ୍ଷ କରି ନୀତି ଛିଡ଼ା କରେଇଲେ ସବୁବେଳେ ହାରିବା ହିଁ ସାର ହେବ । ବରଂ ଦୁର୍ନୀତି ସଙ୍ଗରେ ନୀତିକୁ ମିଶାଇଦେଇ ଶିଖେଇଦେବାକୁ ପଡ଼ିବ ଯେ ନୀତି ହିଁ ଶ୍ରେଷ୍ଠ ଏ ଦୁନିଆଁରେ । ଯେମିତି ଚୋରଟାକୁ ପୋଲିସ ହାତରେ ଧରେଇଦେଲେ ତା’ର ଚାରିତ୍ରିକ ପରିବର୍ତ୍ତନ ନ ଘଟି ଉତ୍କୋଚ ଦେଇ ମୁକୁଳି ଆସିଲା ପରେ ପୁଣି ଚୋରି କରିବ ସିନା, ସାଧୁ ହେଇପାରିବ କି ? କିନ୍ତୁ ଯଦି ତାକୁ ଭଦ୍ରଲୋକ ଭଳି ସମ୍ମାନ ଦେଇ ମହତ ଲୋକ ବୋଲି ପୂଜା କରାଯାଏ ସେ ଆପେ ଆପେ ବାଲ୍ମୀକିରେ ପରିଣତ ହେଇଯିବ ।

 

ସମସ୍ତେ କିଛିଟା ହସିଉଠିଲେ ତା’ ଯୁକ୍ତିରେ । ଆମ୍ୱତୋଟାର କଅଁଳ ଛାଇ ତଳେ ସମସ୍ତେ ବସିପଡ଼ିଲୁ । ଗୋଟାଏ ଶକ୍ତ ଦୀର୍ଘଶ୍ୱାସ ଛାଡ଼ି ଅରୂପ କହିଲା : କଥା ଥିଲା କେଉଁଠି, ପହଞ୍ଚିଲା କେଉଁଠି ? ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ । ମଳୟ ଭାଇଙ୍କ ବ୍ୟକ୍ତିଗତ ଜୀବନରୁ ଆସି ଦୁର୍ନୀତି ଭିତରେ ପହଞ୍ଚିବାକୁ ହେଲା ।

 

ମିତ୍ରଦା’ କହିଲା : ସେ କଥା ଛାଡ଼ । ଏବେ ଆମେ ଯେଉଁଥିପାଇଁ ଆସିଛେ ସେ ସମ୍ପର୍କରେ ଆଲୋଚନା ହେଉ ।

 

ମୋତେ ତମଭିତରୁ ଜଣେକେହି ଗୋଟି ଗୋଟି କରି ପ୍ରାଞ୍ଜଳ ଭାବରେ କୁହ, ମୁଁ ଶୁଣିବି-। ତାପରେ କ’ଣ କରିବାକୁ ହେବ କହିବି । ମୁଁ ଟିକେ ନୀରବ ରହି ପୁଣି କହିଲି–ତମେ ଶଙ୍କର ଦା’ କୁହ-

 

ତମ ଯିବା ପର୍ଯ୍ୟନ୍ତ ଆମେ ଯାହାକରିଚେ ସେ କଥା କହିବା କିଛି ଦରକାର ନାହିଁ । ତମ ଯିବାର କିଛିଦିନ ପର୍ଯ୍ୟନ୍ତ ର’ ଠ ହେଇ ସେମିତି ଚାଲିଲା । ତାପରେ କେତେଗୁଡ଼ିଏ କାରଣ ପାଇଁ ଆମ ସଂଗଠନ ଦୁର୍ବଳ ହେଇପଡ଼ିଲା । ପ୍ରଥମତଃ ତମେ ଆମ ଭିତରୁ ଚାଲିଯିବାପରେ କେତେକଙ୍କର ନୈତିକ କମିଗଲା । ତମର ନିସ୍ୱାର୍ଥପର ମନୋଭାବ ଯେ ଆଉ କେହି ବଞ୍ଚେଇ ରଖିବ ସେମିତି ବିଶ୍ୱାସ କାହାର ତୁଟିବାକୁ ବସିଲା । ଏପରିକି ଆମ ସଂଗଠନର ସଭ୍ୟମାନେ ମଧ୍ୟ ନିରୁତ୍ସାହିତ ହେଇପଡ଼ିଲେ । ବାହାରକୁ ଯାଇ କେହି ଦାବି କରି କାମ ଆଦାୟ କରିପାରିବ ସେସିତି ଆମ ଭିତରେ କାହାଉପରେ ବିଶ୍ୱାସ ରହିଲା ନାହିଁ । ତାପରେ ଠିକ୍‌ ବାଟରେ ଚାଲିଲେ କାମ ସହଜରେ ହୁଏନାହିଁ । ଏକଥାଟା ମଧ୍ୟ ଅନେକ ପରିମାଣରେ ଦାୟୀ ହେଇ ରହିଲା । ଦ୍ୱିତୀୟଟି ହେଉଚି ମୋଟାମୋଟି ଗାଁମାନଙ୍କର ଉନ୍ନତିମୂଳକ କାର୍ଯ୍ୟ ବି.ଡ଼ି.ଓ.ଙ୍କ ଜରିଆରେ ହିଁ ହେଇଥାଏ । ଆମ ଭିତରୁ ବନ୍ଦ ହେଇ ସବୁବେଳେ ସେଠିକି ଦୌଡ଼ିବାକୁ କେହି ପ୍ରସ୍ତୁତ ହେଲେନାହିଁ । ଠିକ୍‌ ଏଇ ଅବସରରେ ମହେନ୍ଦ୍ର ବେହେରା କହ୍ନେଇ ଆମ ଗାଁକୁ ଆସୁଥିବା କାମ ନିଜେ କରିବେ ବୋଲି ଉତ୍କୋଚ ମଧ୍ୟ ଦେଲେ । ପର୍‌ସେଣ୍ଟେଜ୍‌ ତ ଅଲଗା କଥା ମୂଳରୁ ହିଁ ବ୍ୟବସାୟଟା ଆରମ୍ଭ ହେଇଯିବା ଫଳରେ ବ୍ଳକ୍‌ ଅଫିସ୍‌ରେ ଆମ ଗାଁକୁ ମିଳିଥିବା ଟଙ୍କା କାମ ନହେଉଣୁ ଅଧା ଅଧା ହେଇଗଲା ବାକି ଅଧକରୁ ଅଧେ ମହେନ୍ଦ୍ର ଗୋଷ୍ଠୀର ଲୋକ ଭାଗ କଲେ ଏବଂ କାମ ହେଲା ଚଉଠ ଭାଗରେ । ଏ କଥାରେ ଆମେ କେତେଜଣ ପ୍ରତିବାଦ କରିଥିଲୁ । ଦରଖାସ୍ତ ଲେଖି ଉପରିସ୍ଥମାନଙ୍କୁ ଜଣେଇଥିଲୁ । କିନ୍ତୁ କିଛି ଫଳ ହେଇନି । କାମ ଦେଖିବାକୁ ବି.ଡ଼ି.ଓ ଆସିଲେ । ଆମେ ଆପତ୍ତି ଉଠେଇଲୁ । ସେ କହିଲେ–ଯେତିକି ଟଙ୍କା ସେତିକିରେ କାମ ହେବ ନା କାମ କରେଇଲାବାଲା ତା’ ଘରୁ ଆଣି କରେଇବ ?

 

ୟା’ପରେ ଆମେ ଆଉ କାହାକୁ ଜଣେଇବାକୁ ଯାଇଥାନ୍ତୁ ଯେ ?

 

ଏମିତି ସବୁକାମ ମହେନ୍ଦ୍ର ଗୋଷ୍ଠୀ କରିବା ଫଳରେ କିଛି ଲୋକ ତା’ ଆଡ଼କୁ ମୁହାଁଇଲେ । ସମୟ ଆସିଲା । ଆମ ମହିଳାସମିତି ଘର ଛପର କରିବା ସମ୍ପର୍କରେ କେହି ପ୍ରଶ୍ନ ଉଠାଇଲେ ନାହିଁ କି ଚିନ୍ତା କଲେ ନାହିଁ କିମ୍ୱା ତା’ର ହିସାବ ରଖିଲେ ନାହିଁ । ବ୍ଳକ୍‌ରୁ ମିଳୁଥିବା କେୟାର ଫୁଡ଼ିଂ ଗଣ୍ତାକ ମଧ୍ୟ ଶେଷକୁ ନିଜ ଘରକୁ ଟାଣିନେଲେ ମହେନ୍ଦ୍ର ବାବୁ । ତେଲଯାକ ସବୁ ବିକୁଛନ୍ତି । ଗହମ ଗୁଣ୍ତ ପାଣିରେ ବତୁରେଇ ବାଣ୍ଟୁଛନ୍ତି ପିଲାଙ୍କୁ, ଯେତେବେଳେ ଇଚ୍ଛାହେଲା । ମାସକୁ ଦୁଇ ଚାରିଥର ଦେଲେ ଯଥେଷ୍ଟ । ତା’ପରେ ଗରିବ ଲୋକ, ଯା ଘରୁ ଧାନ ଚାଉଳ ସରିଗଲା ଖାଇବାକୁ ନ ପାଇଲା ତା’ ସଙ୍ଗରେ ଦି’ପଦ ସୁଖ ଦୁଃଖ ହେଇ ତା’ କାନିରେ ସେରେ ଦି’ପା ବାନ୍ଧିଦେଲେ ଅନ୍ଧାର ଘରେ ପୂରେଇ । ପେଟକୁ ଖାଇବାକୁ ନ ପାଉଥିବା ଲୋକଙ୍କର ମୁହଁ ବନ୍ଦ । ତେଣିକି ଗାଁରେ କାର ହେଲା ନ ହେଲା ତା’ର ସେଥିରେ କି ଯାଏଆସେ ? ଯଦି କେହି କେଉଁଠି ଏ ସମ୍ପର୍କରେ କହିଲା ତା’ ପଛେ ପଛେ ବାବୁ ଲୋକ ଲଗେଇଦେଲେ, ବିଲରେ ହେଉ, ବାଡ଼ିରେ ହେଉ ତାକୁ କିଛି ନା କିଛି ଅସୁବିଧାରେ ପକେଇଲେ । ଥରେ ଅନାଥକୁ ସାଙ୍ଗରେ ନେଇ ପାଖ ପୋଖରୀରେ ରାତାରାତି ଜାଲ ପକେଇ ମାଛ ଧରିଆଣି ବିକିଦେଲେ । ସକାଳକୁ ସବୁ ସଫା-। ବିଚରା ସରଳ ଲୋକ ଅନାଥ ତା’ର ଦୁଇଚାରି ମାସ ପରେ କଥା ପ୍ରସଙ୍ଗରେ କେଉଁଠି ନଈକୂଳେ କାହା ଆଗରେ କହିଦେଲା । ତା’ର କିଛିଦିନ ପରେ ମହେନ୍ଦ୍ରଙ୍କ କାନକୁ କଥାଗଲା । ମନେମନେ କଥାଟାକୁ ରଖି ମହେନ୍ଦ୍ର ଥରେ ମକରଯାତ୍ରା ଦେଖିବାକୁ ତାଙ୍କ ଗୋଷ୍ଠୀକୁ ପରାମର୍ଶ ଦେଲେ ଓ ସଙ୍ଗରେ ଅନାଥକୁ ନେଇଯିବାକୁ କହିଲେ । ଏତେ ପେଞ୍ଚ କଥାରେ ଅନାଥର ବୁଦ୍ଧି କୁଳେଇଲା ନାହିଁ । ମେଳାରୁ ଫେରିଲାବେଳେ ଜଣେ ଭଦ୍ରଲୋକଙ୍କଠାରୁ ମାଗିଆଣି ବସିଥିବା ଚେୟାରଟାକୁ ଚୋରିକରି ନେଇଆସିଲେ । ଆଣିଲାବେଳେ ବାଟରେ ଅନାଥକୁ ରଖିବାପାଇଁ ସେଇଟାକୁ ଦେଲେ ଓ କହିଲେ ତୋ ଘରେ ବଢ଼େଇ କାଠ କାମ କରୁଚି, ତୁ ତା’ ପାଖରେ ଏଇଟାକୁ ରନ୍ଦ୍ରା ମାରି ପରିଷ୍କାର କରିଦେବୁ । ତାପରେ ବିକି ଦେବାର ବ୍ୟବସ୍ଥା କରିବୁ । ସେ ମଧ୍ୟ ତାଙ୍କ କଥା ଅନୁସାରେ କାମ କରିଗଲା । ଯେଉଁ ଭଦ୍ରଲୋକଙ୍କ ଚେୟାର ଚୋରିଗଲା ସେ ବ୍ୟସ୍ତହେଇ ଖୋଜିଲେ ଏବଂ ଦିନେ ମହେନ୍ଦ୍ରଙ୍କୁ ବାଟରେ ଭେଟି ପଚାରିଲେ । ତାଙ୍କୁ ମହେନ୍ଦ୍ର କହିଲେ–ଆଚ୍ଛା ଆମ ପିଲାଏ ବସିଥିଲେ ଯଦି ସେଇଟା କୁଆଡ଼େ ଗଲା ମୁଁ ବୁଝିବି ।

 

ତାପରେ ଗାଁରେ ଆସି କିଛି ଲୋକଙ୍କୁ ତୁଟେଇ କଥାପକେଇ ଅନାଥ ବିକିଥିବାର ପ୍ରମାଣ କରାଇଦେଲେ । ଯେତେଜଣ ମିଶି ଚୋରି କରିଥିଲେ ସମସ୍ତେ ଘାଇ ମୁହଁକୁ ପୋଣ୍ତୁଅ କରି ଅନାଥକୁ ପେଲିଦେଲେ । ସମସ୍ତେ କହିଲେ ଅନାଥ ଆଣି ବିକିଚି ଆମେ ଦେଖିଚୁ । ଫଳରେ ଏକୁଟିଆ ଅନାଥ ଯେତେ ସତ କଥାଟାକୁ କହିଲେ ମଧ୍ୟ କେହି ବିଶ୍ୱାସ ନ କରି ବରଂ ତାକୁ ଚୋର ବୋଲି ସାବ୍ୟସ୍ତ କରି ଶହେଟଙ୍କା ଜୋରିମାନା କଲେ । ଅନାଥ ଅନ୍ୟାୟ ଅନ୍ୟାୟ ବୋଲି ଚିତ୍କାର କରି କହିଲା–ଚେୟାର ବିକ୍ରି ଟଙ୍କାରେ ସମସ୍ତେ ଫିଷ୍ଟ କରି ଖାଇଛନ୍ତି । ତେଣୁ ଏ ଜୋରିମାନା ମୁଁ ଦେବିନାହିଁ ।

 

ତାପରେ ଦିନେ ତା’ ଦୁଆରମୁହଁରେ ଠେଙ୍ଗା ଧରି ମହେନ୍ଦ୍ର କିଛି ଲୋକଙ୍କୁ ନେଇ ପହଞ୍ଚିଲେ ଓ ମାରିବା ପାଇଁ ଧମକଦେଲେ । ଅସହାୟ ଅନାଥକୁ ତା’ରି ଦଳର ଲୋକେ ଭିତରେ ଭିତରେ ପରାମର୍ଶ ଦେଲେ, ଜମି ବନ୍ଧା ରଖିବାରୁ ସେ ଶହେଟଙ୍କା ତାଙ୍କ ଗୋଷ୍ଠୀର ଲୋକଙ୍କୁ ଦେଲେ ଓ ସେଇ ଟଙ୍କାରେ ଗୋଟାଏ ବଡ଼ ଭାବି ବିନା ସର୍ତ୍ତରେ ଓ ବିନା ପଇସାରେ ଫେରେଇଦେଲେ ।

 

ଏମିତି ଅନେକ ଘଟଣା ଘଟିଗଲା ପରେ ଆପଣା ରାସ୍ତା ଦେଖି ସମସ୍ତେ ଚାଲିଛନ୍ତି । କାହାରି ମୁହଁରେ ପ୍ରତିରୋଧର ଭାଷା ନାହିଁ ।

 

ଅରୂପ କହିଲା–ପୂରାପୂରି ରାଜତନ୍ତ୍ରରେ ଚାଲିଚି ଗାଁଟା ।

 

ମିତ୍ରଦା’ କହିଲା ଏ ଶଳା କେହି ବାହାରୁନାହାନ୍ତି ସିନା, ନହେଲେ ଚାରି ଛ’ଟା ଟୋକା ଏକାଠିହେଇ ସବୁ କାମରେ ହାତ ପକେଇଲେ ସବୁ ଠିକ୍‌ ହେଇଯାଆନ୍ତା ।

 

ମୁଁ ସେମାନଙ୍କ କଥାକୁ ଲକ୍ଷ୍ୟକରି କହିଲି ତାହେଲେ ଏମିତି ଅବସ୍ଥାରେ ଗାଁଟା ଚାଲିଚି-? ସଂଘର ଅବସ୍ଥା କ’ଣ ? ବାହାତଇନା ପଇସା ସଂଘକୁ ଆସୁଚି ନା ନାହିଁ ?

 

ପ୍ରଥମେ ଆସୁଥିଲା । ଏବେ ଆସିବା ତ ଦୂରର କଥା, ଆଦାୟ ମଧ୍ୟ ହେଉନି । ବାକି ଖାତାରେ ସବୁ ଚାଲିଚି, ଶଙ୍କର ଦା’ କହିଲେ ।

 

ୟା’ ଭିତରେ ବ୍ଳକ୍‌ ଜରିଆରେ କି କି କାମ, କେତେ ଟଙ୍କାର ହେଇଚି, କିଏ କହିପାରିବ-? ମିତ୍ରଦା’ ମୁହଁକୁ ଲକ୍ଷ୍ୟକରି ମୁଁ ଏତକ ପଚାରିଲି । ସେ କହିଲା ଅନେକ ଟଙ୍କାର କାମ ହେଇଚି ବୋଲି ସରକାରୀ ରେକର୍ଡ଼ ଅଛି । ପ୍ରଥମତଃ ମହିଳା ସମିତିର ଏକ ସ୍ଥାୟୀ ଗୃହପାଇଁ ଆମେ ସେତେବେଳେ ଯେଉଁ ଦରଖାସ୍ତ ଲେଖିଥିଲେ ତାହା ପ୍ରାୟ ଦୁଇବର୍ଷ ପରେ ଗ୍ରାଣ୍ଟ ହେଇଥିଲା ଓ ବାଇଶି ହଜାର ଟଙ୍କାର ଗୋଟାଏ ସରକାରୀ ପ୍ଳାନରେ ଘର ତିଆରି ହେଇଚି । ସେ ବାବଦରେ ବ୍ଳକ୍‌ରୁ ସିମେଣ୍ଟ ମିଳେ କଳାବଜାରରେ ବିକ୍ରିହୁଏ ରାତାରାତି । ଷୋଳ ଏକ ଭାଗରେ କାମ ହେଇଚି-। ଓଭରସିୟରଙ୍କୁ ଦିନେ ମୁଁ ପଚାରିଲି ଏ ସବୁ ଏତେ ଭାଗରେ କାମ ହେବା କଥା କି ? ସିମେଣ୍ଟ ବ୍ଳାକ୍‌ କରି ଘରକୁ ଏମିତି ଗରମଜଭୁତ କଲେ କେତେଦିନ ଯିବ ?

 

ସେ ମୋତେ ଉତ୍ତରଦେଲେ ଆରେ ବାବୁ ଏଇଟା ଗାଁର କାମ ହେଉଚି, ତମେ ସବୁ ଚାନ୍ଦା ଆଦାୟ କରି ଆଉ କିଛି ସିମେଣ୍ଟ କିଣିଆଣୁନା ? ଯିଏ କାମ କରୁଚି ତା’ର ତ ପୁଣି ପେଟପାଟଣା ଅଛି, କି ଦୁଇପଇସା ଦରକାର ? ନା ଖାଲି ସେ ଘରୁ ଖାଇ ଘୋଡ଼ା ଆଗରେ ଦୌଡ଼ୁଥିବ ?

 

ମୁଁ ଭିଜିଲାନ୍ସକୁ ରିପୋର୍ଟ ଲେଖିବାକୁ ଧମକ ଦେବାରୁ ସେ କହିଲେ ଭିଜିଲାନ୍‌ସବାଲା ଆସିଲେ କ’ଣ ଆମକୁ ନ ପଚାରି ତମକୁ ପଚାରିବେ ? ତମ ଗାଁରେ କ’ଣ ଏଇ ଗୋଟାଏ ଘର ହେଉଚି କି ? ବ୍ଳକ୍‌ସାରା ଏମିତି ଛତିଶଟା ଘର ବିଭିନ୍ନ ଜାଗାରେ ହେଉଚି । ତେବେ କଥାଟା ଏଇଆ ହେବ ଯେ, ଆମେ ନେଇ ତାଙ୍କ ପାଖରେ ତାଙ୍କ ପରସେଣ୍ଟଜ୍‌ଟା ପହଞ୍ଚେଇ ନେଇଥାଆନ୍ତୁ ସେ ଆସି ନେଇଯିବେ । ନା, ଏ ଘର ଭାଙ୍ଗିଦେଇ ପୁଣି ଗଢ଼ିବାକୁ କହିବେ ? ନା ସେମାନେ ଏଠି ରହି ମିସ୍ତ୍ରି କାମ କରିବେନା, ମୂଲିଆ କାମ କରିବେ ? ବରଂ ସେମାନେ ଆସିଲେ ତାଙ୍କ ଖାଇବା ପିଇବା ବାବଦରେ ଯେଉଁ ହଜାର ଟଙ୍କା ପାଖାପାଖି ଖର୍ଚ୍ଚ ହେବ ତା’ ପୁଣି ଏଇ ଘର ପଇସାରୁ କଟିବ ।

 

ଋତୁ ବଦଳିଯାଇଥିଲେ ହେଁ କୋଇଲିଟା ମୁଣ୍ତଉପରେ ବସି ରାବିଉଠିଲା । ସେ ମଧୁରତା ଆଉ ନ ଥିଲା ତା’ ସ୍ୱରରେ; ବରଂ ଚେଷ୍ଟାକୃତ ଗୋଟେ ଅସ୍ୱାଭାବିକତା ଫୁଟିଉଠୁଥିଲା । ଟିକେ ଅଟକିଯାଇ ଆମେ ନୀରବରେ ଅନ୍ୟମନସ୍କ ହୋଇପଡ଼ିଲୁ । ପୁଣି ମିତ୍ରଦା’ କହିଲା ସମିତି ଘରଟା ଏମିତି ହେଲା । ଆଜବେଷ୍ଟ ପଡ଼ିଲା । କିନ୍ତୁ ତା’ ଅପେକ୍ଷା ସ୍କୁଲ ଘରଟାରେ ବିଲକୁଲ୍ ଖାଇଗଲେ । ସମସ୍ତ ସିମେଣ୍ଟ ବିକ୍ରି କରି କିଛିଟା ଚୁନରେ କଲେ,. ଆଉ ସମସ୍ତ ମାଟିରେ ଗାନ୍ଥି ଦେଇ ତା’ଉପରେ ପ୍ଳାଷ୍ଟର କରିଦେଲେ ।

 

ମହେନ୍ଦ୍ର ଦାଦା କ’ଣ ଏ ସବୁ କାମ କରିଛି ? ମୁଁ ବିମୁଖ ହେଇ ପଚାରିଲି ଗୋଟାଏ ଲୋକ ଶହ ଶହ ଲୋକଙ୍କୁ ଡୋମିନେଟ୍‌ କରି ଚାଲିବାଟା ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ସେତିକି । ମୁଁ ଥିଲାବେଳେ ପ୍ରାୟ ସବୁ ଲୋକ ଆମ କାମର ପ୍ରଶଂସା କରୁଥିଲେ । ଖାଇଯିବା ନେଇଯିବାର ପ୍ରଶ୍ନଇ ଉଠୁନଥିଲା ସମସ୍ତ ଲୋକଙ୍କୁ ସବୁ କାମରେ ଲୋଡ଼ା ଯାଇଥିଲା ଏବଂ ସେମାନଙ୍କୁ ସହଯୋଗ କରାଯାଉଥିଲା । ସଙ୍ଗଠନ ଉପରେ ସମସ୍ତଙ୍କର ବଡ଼ ବିଶ୍ୱାସ ଥିଲା । ଏକା ତୁଠରେ ବାଘ ଛେଳି ପାଣି ପିଉଥିଲେ । ଯଦିଓ ଅଳ୍ପ କେତେକ ସ୍ୱାର୍ଥପର ଲୋକ ଆମ ପଛରେ କୁତ୍ସାରଟନା କରୁଥିଲେ । ସାମ୍ନାକୁ କିନ୍ତୁ କେହି ଆସିବାକୁ ସାହସ କରୁନଥିଲେ । ସେଦିନ ଆଉ ଆଜି ଭିତରେ ଦୂରତା ଲମ୍ୱିଯାଇଚି ଆକାଶ ପାତାଳ ଭେଦରେ । ମନଟା ଖୁବ୍‌ ଖଟା ହେଇଗଲା । ବଡ଼ ଆଶ୍ୱସ୍ତିରେ କହିଲି ଏ ଯୁଗରେ ବଞ୍ଚିବାକୁ ହେଲେ ସଂଗ୍ରାମ କରିବାକୁ ହିଁ ପଡ଼ିବ । ସବୁ ଲୋକ ଏକାବେଳକେ ଗାନ୍ଧୀ ଗୋପବନ୍ଧୁ ପାଲଟିଯାଆନ୍ତି ନାହିଁ । ତାଙ୍କ ଭିତରୁ କେହି ଜଣେ ହୁଏ ଓ ସେ ନିଜକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରେ । ଯଶ କି ଅପଯଶ କଥା ବିଚାର କରିବାକୁ ତା’ର ବେଳନଥାଏ କାରଣ ତା’ ଚାରିପାଖରେ ନାଥୁରାମ ଓ ରାମଚନ୍ଦ୍ର ମଙ୍ଗରାଜଙ୍କ ଭଳି ଲୋକ ଅନେକ ଘୂରିବୁଲୁଛନ୍ତି ଶୋଷଣର ପରଓ୍ୱାନା ଧରି । ତାଙ୍କ ଭିତରେ ପଥର ଦିଅଁ ହେଇ ଭଗିଆ ଭଳି ଅନେକ ଚରିତ୍ର ଆଖି ମିଟି ମିଟି କରୁଛନ୍ତି । କେହି ମଧ୍ୟ ସଞ୍ଜ ବୁଡ଼ିଲେ ପିଣ୍ତାରେ ବସି ମନବୋଧ ଚଉତିଶା ବୋଲନ୍ତି । ଜଗନ୍ନାଥ ଦାସଙ୍କ ଭାଗବତର ଏକାଦଶ ସ୍କନ୍ଦରେ ନିଜକୁ ଶୂନ୍ୟଦେହି ସଙ୍ଗରେ ମିଶେଇ ଦେବାକୁ ନିର୍ବାଣର ବାଟ ଖୋଜନ୍ତି । ଆଉ କେତେକ ଉପେନ୍ଦ୍ରଙ୍କ କବିତା ଭିତରେ ରାତିର ମତୁଆଲା ସ୍ୱପ୍ନ ଦେଖି ବଞ୍ଚିଯାଆନ୍ତି । ସବୁ ସ୍ରୋତକୁ ଧରିରଖିବାକୁ ହେଲେ ନିଜକୁ ପ୍ରଥମେ ସମୁଦ୍ର ସଜେଇବାକୁ ପଡ଼ିବ । ମୁକ୍ତାଠାରୁ ପଙ୍କଯାଏ ଛାତିତଳେ ଚାପିଦେଇ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇକୁ ପଡ଼ିବ ।

 

ମୋ ମୁହଁକୁ ଚାହିଁ ସମସ୍ତେ କିଛି ନୂଆ ଜ୍ୟୋତିର ଝଲକ ଦେଖୁଥାନ୍ତି । ପୁଣି ମୁଁ ବୁଝେଇବାକୁ ଚେଷ୍ଟା କଲି–ଗୋଟାଏ କଥା ଅଛି, ସିଧା ଆଙ୍ଗୁଠିରେ ଘିଅ ଉଠେନି । ନିହାତି ସତ କଥାଟା । ଆଜି ମହେନ୍ଦ୍ର ଦାଦା ଯେମିତି ତା’ ପ୍ରତିପତ୍ତି ଲୋକଙ୍କ ପାଇଁ କାମ କରିପାରନ୍ତି ? ଆସିଲାବେଳେ ଯେଉଁ କଥା କହୁଥିଲି ଦୁର୍ନୀତି ମାଧ୍ୟମରେ ନୀତିର ପ୍ରତିଷ୍ଠା କରିପାରିଥାଆନ୍ତ ? ପ୍ରଥମେ ତମକୁ ଦୁର୍ନୀତିର ଆଶ୍ରୟ ନେବାକୁ ପଡ଼ିଥାଆନ୍ତା ଅର୍ଥାତ୍‌ ବ୍ଳକରୁ ଯେଉଁ କାମ ପାଇଁ ଯେତେ ପରସେଣ୍ଟେଜ୍‌ ଦେବା କଥା ଦେଇଥାଆନ୍ତ ଓ କାମ ଆଣିଥାଆନ୍ତ । ଫଳରେ ସବୁ କାମ ତମେ ଆଣିଥିଲେ ଅନ୍ୟ ଲୋକମାନେ ତା’ ଭିତରକୁ ପଶିପାରିନଥାନ୍ତେ କିମ୍ୱା ଚେଷ୍ଟା ମଧ୍ୟ କରିନଥାନ୍ତେ । ଆଜି ମହେନ୍ଦ୍ର ଦାଦା ସବୁ କାମ କରୁଚି । ତମେ କିଛି ପାଇବା ସମ୍ଭବ ନୁହେଁ କି ସେଠାକୁ ଯିବାପାଇଁ ତମ ଭିତରେ ଉତ୍ସାହ ଆସୁନି । ହୁଏତ କଥାଟା ଠିକ୍‌ ଓଲଟା ଘଟିଯାଇଥାଆନ୍ତା-। ତମେ ଗୋଟେ ଦୁଇଟା କାମ କଲାପରେ ଜନସମର୍ଥନ ପାଇବାଟା ନିତାନ୍ତ ସ୍ୱଭାବିକ୍‌ ହେଇଥାଆନ୍ତା ଓ ଫାଇଦା ଉଠାଇବା ମତଲବରେ ଥିବା ଲୋକମାନେ ତା’ ଭିତରୁକୁ ପଶିନପାରି ଚୁପ୍‌ ହେଇ ବସିଥାଆନ୍ତା ଓ ପରେ ସେଠାରେ ତମର ପ୍ରତିଦ୍ୱନ୍ଦୀ କେହି ଛିଡ଼ାହେବାକୁ ରହିନଥାନ୍ତେ-। ଫଳରେ ଆମ ଗ୍ରାମର ସମସ୍ତ କାମ ତମେହିଁ କରିବା କଥାଟା ବି.ଡ଼ି.ଓ. ଅଫିସ୍‌ରେ ସବୁ କର୍ମଚାରୀ ଜାଣିଯାଇଥିଲେ ପରସେଣ୍ଟେଜ୍‌ କଥାଟା ଉଠେଇନଥାନ୍ତେ । ତେଣିକି ବିନା କିଳାପୋତାର ନ୍ୟାୟ ବଳରେ, ନୀତିଗତ ଭାବେ କାମ ସୁରୁଖୁରୁରେ ଚାଲିଥାଆନ୍ତା । କିନ୍ତୁ ସେ କଥା କଲନି । କଥାରେ ଅଛି–ଧନୀ ହୁଅ ଦାନ କର । ଦାନ କରିବାଟା ଧର୍ମ କାମ । ତା’ ବୋଲି ତମ ଘରେ ଯଦି କିଛି ନ ଥିବ ତମେ କେଉଁଠୁ କ’ଣ ଚୋରି କରି ଆଣି ଦାନ କରିବ ? ପ୍ରଥମେ ଧନ କମେଇବାଟା ବଡ଼ କଥା । ଧନ ଆସିଲେ ଦାନ ଧର୍ମର ମାର୍ଗ ବଳେ ଜଣାପଡ଼ିବ । ଏ କଥାଏ ମଧ୍ୟ ଠିକ୍‌ ସେଇଆ । ମୂଳରୁ ନୀତିଗତ ଭାବେ ଯାଇ କିଛି କରିହେଉନି । କିଛି ମହତ କାମ କରିବାକୁ ଯଦି ଦୁର୍ନୀତିର ଆଶ୍ରୟ ନେବାକୁ ହୁଏ ତାହେଲେ ଦୋଷ କେଉଁଠି ? ଜଣକୁ ମୃତ୍ୟୁମୁହଁରୁ ବଞ୍ଚେଇବାକୁ ଯାଇ ଯଦି ପଦେ ମିଛ କୁହାଯାଏ ତାହେଲେ କ୍ଷତି ନାହିଁ । କାରଣ ସମଗ୍ର ଜୀବନ ଓ ଜୀବନର ମୂଲ୍ୟ ଅନେକ ବେଶି । ସୁତରାଂ ନୀତିଟା ଶୁଣିବାକୁ ଯେଡ଼େ ସୁନ୍ଦର କଥା କାର୍ଯ୍ୟରେ ସେତେ ସହଜସାଧ୍ୟ ବ୍ୟାପାର ନୁହେଁ । ପ୍ରତ୍ୟେକ ଯୁଗ ଭଲକାମଟିଏ କରିବାକୁ ଗଲେ କିଛି ପରିମାଣରେ ବୁଦ୍ଧି ଖଟେଇ ଦୁର୍ନୀତିର ଆଶ୍ରୟ ନେବାକୁ ହୁଏ । କାରଣ ଦୁନିଆଟା ଯେଉଁଠି ଦୁର୍ନୀତିଗ୍ରସ୍ତ, ନୀତି ସେଠି ତୁଳାବିଣ୍ତା କାଙ୍କର ଭୂମିକା ନେବା ସ୍ୱାଭାବିକ । ତା’ ମୁହଁରୁ ତୁଳା କାଢ଼ି କଥା ବାହାର କରିବାକୁ ହେଲେ କିଛି ତୈଳଜାତୀୟ ଦ୍ରବ୍ୟର ଆବଶ୍ୟକତା ଅଛି । ହୁଏତ ସେଇଟା ଆର୍ଥିକ ହେଇପାରେ କିମ୍ୱା ମାନସିକ ମଧ୍ୟ ହୋଇପାରେ । ଯେଉଁ ବାଟରେ ଯାଇଥିଲେ ଆଜି ସଙ୍ଗଠନ ଭୁଶୁଡ଼ି ପଡ଼ିବାର କ୍ଷୋଭ ଆମଭିତରେ ଦେଖାଦେଇନଥାନ୍ତା । କାମ ଠିକ୍‌ ଚାଲିଥାଆନ୍ତା ।

 

ହଠାତ୍‌ କଥା କହୁ କହୁ ମୁଁ ଅନ୍ୟମନସ୍କ ହେଇଗଲି । କିଛି ଦୂରରେ ଗୋରୀ ଝିଅଟେ ଗୋବର ଗୋଟେଇ ଫେରୁଥିଲା । ବୟସ ତା’ର ଚଉଦ ପନ୍ଦର ପାଖାପାଖି ହେବ । ନୀଳ ଶାଢ଼ି ଭିତରେ ତା’ ଗୋରା ଦେହଟା କାକର ବିନ୍ଦୁ ଭିତରେ ସୂର୍ଯ୍ୟ କିରଣର ଛବି ଭଳି ଚକ୍‌ ଚକ୍‌ କରୁଥିଲା-। ସେଇଠି ପ୍ରସଙ୍ଗ ହୁଡ଼ି ମୁଁ ପଚାରିଦେଲି–ଏ ଝିଅଟା କିଏକି ?

 

ଅରୂପ ଏକଧ୍ୟାନରେ ତା’ଆଡ଼କୁ ଚାହିଁରହି କହିଲା–ମଧୁଆ ଦା’ ଝୁଅ । ଗୋବର ନେଉଚି ପରା । ସବୁଦିନେ ଗୋବର ଗୋଟାଏ । ଘଷି ପକାଇ ବିକ୍ରି କରେ । ଏକରକମର ବ୍ୟବସାୟ ତା’ର । ଏବେ ତାଙ୍କ ଅବସ୍ଥା ବହୁତ ଖରାପ ହେଇଗଲାଣି । ମଧୁଆ ଦା’ଟା ଖାଲି ଗଞ୍ଜେଇ ଟାଣି ଟାଣି ଅଧେ ଜମି ହରେଇ ସାରିଲାଣି । ଆଉ ଯାହା ମାଣେ ଦି’ପା ଅଛି ସେତକି ବି ଠିକ୍‌ ଚାଷ କରିପାରୁନି । ବଡ଼ ଝିଅଟାକୁ ଆଜିପର୍ଯ୍ୟନ୍ତ ବାହା ଦେଇପାରିଲାନି । ମଝିଆଣିଟା ଦୁଇବର୍ଷତଳେ ଯାତ୍ରା ଦେଖୁ ଦେଖୁ କାହା ସଙ୍ଗରେ ପଳେଇଯାଇଚି ଯେ ତା’ର କିଛି ପତ୍ତା ମିଳୁନାହିଁ ଆଉ ଯାହା ଏଇ ସାନଟା, ଘଷି ବ୍ୟବସାୟ କରି ଦୁଇ ପଇସା ରୋଜଗାର କରୁଛି ସେଇଥିରେ ତେଲ ଲୁଣ ହେଉଚି ।

 

କ’ଣ ସବୁ କହିଯାଉଥିଲା ଅରୂପ ସେ କଥାକୁ ମୋର ନିଘାନଥିଲା । ଦୂର ଗାଁ ମୁଣ୍ତରେ ଝାପ୍‌ସା ଦିଶୁଥିବା ନଡ଼ିଆ ଗଛକୁ ଚାହିଁ କେବଳ ପଇଡ଼ କାନ୍ଦି ଖୋଜୁଥିଲି ।

 

ଶଙ୍କର ଦା’ କହୁଥିଲା ଛାଡ଼ ସେ କଥା । ଏବେ ଆମେ କ’ଣ କରିବା ମଳୟ ! ସେ ସମ୍ପର୍କରେ କିଛି କୁହ ?

 

ମୁଁ ଆଜି ଅଛି କାଲି ନାହିଁ । କ’ଣ ଯେ କହିବି ଆଉ ତମେ କରିବ ? କରିବ କି ନକରିବ କିଏ ଜାଣେ ? ସମ୍ଭବ ଅବା କେତେକେ ? ଯେତେବେଳେ ମଞ୍ଜି ଜମା ମାଟି ଛୁଇଁନଥିଲା ସେତେବେଳେ ଯାହା କରିଯାଇଥିଲା ତାକୁ ବଞ୍ଚେଇ ରଖିପାରିଲ ନାହିଁ । ଏବେ ସେ ମଞ୍ଜି ମହାଦ୍ରୁମରେ ପରିଣତି ହେଲାଣି ତାକୁ ଉପାଡ଼ିବାର ଚିନ୍ତା କ’ଣ ଏମିତି ସହଜରେ ମୁହେଁ ମୁହେଁ ଫଇସଲା ହେଇଯିବ ? ଆଛା, ବର୍ତ୍ତମାନ ଲୋକଙ୍କର ମନୋଭାବ କେମିତି ? ମହେନ୍ଦ୍ର ଦାଦାର କାମକୁ ସେମାନେ କେତେ ପରିମାଣରେ ଆନ୍ତରିକ ଭାବେ ସମର୍ଥନ କରୁଛନ୍ତି ?

 

ଆନ୍ତରିକ ଭାବେ ସମର୍ଥନ କାହାରି ନାହିଁ । ବର୍ତ୍ତମାନ କେବଳ ସେ କିଛି କରୁଚି ବୋଲି ମୁହଁରେ ସମସ୍ତେ ହଁ ହାଁ ମାରୁଛନ୍ତି । କିନ୍ତୁ ସେ ଯେ ଚିତାକାଟି ଖାଉଚି, ଧର୍ମରେ ଅଛି ବୋଲି କହି ଲୋକମାନଙ୍କୁ ଭୁଆଁ ବୁଲାଉଚି–ଏକଥା ସମସ୍ତେ ଜାଣିସାରିଲେଣି । ହେଲେ ମୁହଁରେ କହିବା ପାଇଁ କାହାର ସାହସ ଖଟୁ ନାହିଁ ।

 

ମିତ୍ରଦା’ର କଥା ଶୁଣିଲା ପରେ ମୁଁ କହିଲି–ତା’ହେଲେ ମିଟିଂ ଡାକି ଲୋକମାନଙ୍କୁ ସବୁକଥା ବୁଝାଇ ଦିଆଯାଉ ଏବଂ ବ୍ଳକ୍‌ ଅଫିସ୍‌ରେ ମହେନ୍ଦ୍ର ଦାଦା କଥାଟା ଖୁବ୍‌ ଜୋରରେ ଉଳେଇ ତା’ ଠକାଠକି କଥାଟା ପକେଇ ଏକ୍‌ସପୋଜ କରାଯାଉ । ଏମିତି କିଛି ହେଲେ ହୁଏତ ଚକ ଓଲଟି ଯାଇପାରେ । ଏତିକି କହି ମୁଁ ପଶ୍ଚିମ ଆକାଶକୁ ଚାହିଁ ଉଠିପଡ଼ିଲି ।

 

ମିତ୍ରଦା’ ମୋ ପଛେ ପଛେ ଉଠି କହିଲା–ହଁ ସେଇଆ ହେଉ । ଉଠ ଯିବା, ଝାଡ଼ା ଯିବା ସଞ୍ଜହେଇ ଯିବା ଉପରେ ।

 

ସମସ୍ତେ ଉଠି ନଈକୂଳକୁ ଚାଲିଲୁ । ସେଇ ଚାଲିବା ଭିତରେ ମୋର ଗୋଟେ ସ୍ମୃତି ଅଥୟ କରୁଥିଲା ମନକୁ । ପଶ୍ଚିମ ଆକାଶରେ ବୁଡ଼ିଯାଉଥିବା ସୂର୍ଯ୍ୟକୁ ଚାହିଁ ମନେପଡ଼ୁଥିଲା ମୋ ବୋଉର ମୁହଁ । ପିଲାବେଳେ ମୁଁ ଅଝଟ କଲେ ଘରର ଅଳି ଅର୍ଦ୍ଦୋଳି କରୁକରୁ ବୋଉ ଦିନା ପଣ୍ତାଙ୍କୁ ହିଁ ଗାଳିଦିଏ । ମୁଁ ଦିନା ପଣ୍ତା କହିଲେ ସୂର୍ଯ୍ୟଙ୍କୁ ହିଁ ବୁଝୁଥିଲି । କିନ୍ତୁ ଯେତେବେଳେ ଏଇ ସମ୍ପର୍କରେ ଭଲଭାବେ ବୁଝିବାକୁ ଚେଷ୍ଟା କରି ମୋ ଆଈମାକୁ ପଚାରିଲି, ସେ କହିଲା–ତା’ ବାଘରକୁ ଦିନା ପଣ୍ତା ମଧ୍ୟସ୍ତି ହେଇଥିଲା ଗାଳିଦିଏ ଏଇଥିପାଇଁ, ଏତେ ଝିନ୍‌ଝଟ୍‌ କାମିକା ଘରେ ତାକୁ ଜୁଟେଇଦେଲା ଯେ, କାମ କରି କରି ମରିବାକୁ ମଧ୍ୟ ସମୟ ହେଉନାହିଁ । ଏତେ କାମଧନ୍ଦା ବେଳେ ମୁଁ କାନ୍ଦିଲେ ସେ ଖୁବ୍‌ ବିବ୍ରତ ହୁଏ । ଖରାବେଳଠୁ ମୁଁ ଶୋଇଯାଏ ସଞ୍ଜ ପର୍ଯ୍ୟନ୍ତ । ଠିକ୍‌ ସଞ୍ଜ ହେଲା ବେଳକୁ ଉଠେ । କାମଧନ୍ଦା ପଛରେ ପକେଇ ବୋଉ ମୋତେ କୋଳରେ ଧରି ଏଇ ବୁଡ଼ିଯାଉଥିବା ସୂର୍ଯ୍ୟଙ୍କୁ ନିତି ଦେଖାଏ ଓ କହେ–ଦିନା ପଣ୍ତା ଘରକୁ ସୂର୍ଯ୍ୟ ଚାଲି–ଗଲେଣି । ଦେଖ୍‌ ଦେଖ୍, ବଡ଼ ହେଲେ ତୁ ତା’ ଘରକୁ ଯାଇ ସୂର୍ଯ୍ୟ ଦେବତା ଗୋଡ଼ତଳେ ପଡ଼ିବୁ ।

 

ମୁଁ କିଛି ବୁଝେନା । ଖାଲି ଡୁବି ଯାଉଥିବା ସୂର୍ଯ୍ୟର କମନୀୟ ରକ୍ତାଭ କିରଣକୁ ଦେଖି ମୋ କାନ୍ଦୁରା ମୁହଁରେ ହସ ଉକୁଟିଉଠେ । ପରେ ଯେତେବେଳେ ବଡ଼ହେଇ ବୁଝିଲି ଯେ ଦିନା ପଣ୍ଡା ମୋ ଜନ୍ମର ବହୁବର୍ଷ ପୂର୍ବରୁ ଆମ ଇଲାକାର ଜମିଦାର ଥିଲା । ଖାଲି ଜମିଦାର ନୁହେଁ, ସବୁ ଅଞ୍ଚଳର ଜମିଦାରଙ୍କ ଅପେକ୍ଷା ଯେ ଧନୀ । ଧର୍ମ ଦେବତା ତା’ କାନ୍ଧରେ ଅଛନ୍ତି ବୋଲି ସମସ୍ତଙ୍କର ଗୋଟାଏ ଧାରଣା ଥାଏ । ଠିକ୍‌ ଆମ ଘରର ପଶ୍ଚିମ ଦିଗରେ ପ୍ରାୟ ସାତକୋଶ ଦୂରରେ ତା’ ଘର-। ଯେଉଁଠି ସୂର୍ଯ୍ୟ ପହଞ୍ଚିଲେ ଆଉ ଦିଶନ୍ତି ନାହିଁ । ତା’ ଘରୁ ସୂର୍ଯ୍ୟ କାଳେ ପୂଜା ନିଅନ୍ତି ।

 

ସେ ସ୍ମୃତି ମୋ ଭିତରେ କେମିତି ଏକ ଜଡ଼ଭାବ ତୋଳୁଥିଲା । ମୁଁ ମୋ ମୁହଁଉପରେ ଥରେ ବାଁହାତର ପାପୁଲିକୁ ବୁଲେଇ ଆଣିଲି । ବାଲିଉପରେ ପଡ଼ିଯାଉଥିବା ପାଦଚିହ୍ନକୁ ଚାହିଁଲି । ମନକୁମନ କହିଦେଲି–ସ୍ମୃତି କେବଳ ଦହନର ବିଷୟ । ଜଳେଇବା ଛଡ଼ା ଆଉ କିଛି ନୁହେଁ । ଜଳି ଜଳି ଶେଷ ହେଇଯିବା ତା’ର ଧର୍ମ । ମଲା ପାଉଁଶଗଦା ଭିତରେ ଜୀବନ୍ତ ନିଆଁ ଝୁଲଟାଏ, ଆଡ଼େଇଦେଲେ ଜକ୍‌ ଜକ୍‌ ହେଇ ଦିଶିଯାଏ ।

 

ମୁଁ ପୁଣି ମୋ ପୂର୍ବ ଅବସ୍ଥା ଭିତରକୁ ଫେରିଆସିବାକୁ ଚେଷ୍ଟା କରି ସସ୍ତଙ୍କୁ ଚମକେଇ ଦେଲାଭଳି କହିଲି–ଆଚ୍ଛା ଆମେ ଏଠି ଚାରିଜଣ ଅଛନ୍ତି ତ ?

 

ସମସ୍ତେ ମୋ ମୁହଁକୁ ଆକସ୍ମିକ ଭାବେ ଚାହିଁବାରୁ କହିଲି–ବର୍ତ୍ତମାନ ବାଗୁଡ଼ି ଖେଳାଯାଇପାରିବ । ଦେହଟା ଟିକେ ଫୂର୍ତ୍ତି ହେଇଯିବ । ସ୍ୱାସ୍ଥ୍ୟରକ୍ଷାର ନିୟମ କେବଳ ବହିର ପାଠଭଳି ଆମକୁ ଲାଗେ । କାର୍ଯ୍ୟରେ ପରିଣତ କରିବାଟା ଆମ ପାଖରେ କଷ୍ଟ ହୁଏ । ଅବଶ୍ୟ ବ୍ୟାୟାମ କଲେ ପ୍ରତିଦିନ ସ୍ୱାସ୍ଥ୍ୟର ପରିବର୍ତ୍ତନ ଘଟିବ ।

 

–ଗଣ୍ଡାଏ ପଖାଳି ଖାଇଲେ ଆମକୁ ଦିନସାରା ବିଲରେ ଖଟିବାକୁ ହୁଏ । ତା’ପରେ ବ୍ୟାୟାମ କରିବାକୁ ସମୟ ମିଳେ କେତେବେଳେ ? ବ୍ୟାୟାମ ଅବା ଆମ ପାଇଁ କି ଦରକାର ? ଖାଇଲା ବସିଲା କିମ୍ବା ଶାରୀରିକ ପରିଶ୍ରମ କରୁନଥିବା ଲୋକଙ୍କ ପାଇଁ ବ୍ୟାୟାମର ଉପକାରିତା ରହିଚି । ଆମ ଭଳି ଚାଷୀ ମୂଲିଆ ଲୋକଙ୍କ ପାଇଁ ବ୍ୟାୟାମର ଆବଶ୍ୟକତା କେଉଁଠି ?–କହି ମିତ୍ରଦା’ ମୋ କଥାଟାକୁ କାଟିଦେବାକୁ ବସିଲା । ମୁଁ କିନ୍ତୁ ଠିକ୍‌ ବୁଝିସାରିଥିଲି ତା’ର ଅସଲ ଦୋଷଟା କେଉଁଠି ? ମୋଟା ଲୋକଟାଏ କିନା ଦୌଡ଼ିପାରିବ ନାହିଁ ବୋଲି ରାଜି ହେଉନାହିଁ । ମୁଁ କହିଲି–ତଥାପି ଟିକେ ଖେଳିବା । ଏ ବାଲି ଦେଖି ଖେଳିବାକୁ ଇଚ୍ଛାହେଉଚି । ପିଲାବେଳେ ଏଇଦିନେ ନିତି ନିତି ଖେଳ ହେଉଥିଲା । ମନେଅଛି ତମର ଚେମା ଗୋଡ଼ ଭାଙ୍ଗିଯାଇଥିଲା ବାଗୁଡ଼ି ଖେଳି । ବୁଢ଼ା ମାଷ୍ଟର କେତେ ନ ପିଟିଚି ଆମକୁ ଝାଉଁ ଛାଟରେ । ସେଦିନ ଆଉ ଫେରିବନି । ମନେପଡ଼ିଲେ ଆଜିକା ପିଲାଙ୍କ କଥା ଭାବିବାକୁ ହୁଏ । ମାଷ୍ଟ୍ରେ ମାରିବା ତ ଦୂରର କଥା, ଧମକେଇଲେ ଟିକେ ତା’ ପରଦିନ ଛୁରି ଦେଖିବାକୁ ହୁଏ ।

 

–ସେ କଥା କାହିଁକି କହୁଚୁ ? ସେଇ ମାଡ଼ ପରେ ଜାଗୁଆ ବୁଢ଼ା ମାଷ୍ଟର ଚେୟାର କନ୍ଦିରେ ନାଗଫେଣୀ କଣ୍ଟା ଯୋଖିଦେଇଥିଲା ବସିପଡ଼ିଚି ଯେମିତି ବୁଢ଼ା ଗାଣ୍ଡିରେ ତ ସେଗୁଡ଼ା ଫୁଟିଗଲା । ତା’ ପାଇଁ ପୁଣି କେତେ ହୋହାଲ୍ଲା କେତେ ନ୍ୟାୟ ଧମକଚମକ ବହିଗଲା । କେହି କ’ଣ ଠୁଲେ ମାନିଲେ । ବିଚରା ବୁଢ଼ାଟା ଆଠ ଦଶଦିନ ଯାଏ ସ୍କୁଲକୁ ଆସିପାରିଲାନି । ସେତେବଳେ ପିଲା କେତେ କ’ଣ କରୁଥିଲେ । ଏବେ ଏ ଛୁଆଗୁଡ଼ାକ ତ କେଉଁ ସିନା କାମକୁ ନୁହଁନ୍ତି । ନାଁ ଭଲ ପାଠ ପଢ଼ୁଛନ୍ତି ? ମୋ ପୁଅଟା ଯେ କ’ଣ ପଢ଼ୁଚି କେଜାଣି ? ତୃତୀୟରେ ପଢ଼ିଲାଣି ତିନିରେ ତିନି ମିଶିଲେ କେତେ କହିପାରିବନି ? ଏ ବେକାର ଏ ମାଷ୍ଟର, ଏ ପିଲା–ସବୁ ଏକା କଥା । ସିଏ ପଢ଼େଇବାକୁ ପ୍ରସ୍ତୁତ ନୁହଁନ୍ତି କି ଏମାନେ ପଢ଼ିବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । ଆଉ କିଏ ସେ ପଢ଼ିଲା ନ ପଢ଼ିଲାକୁ ନିଘା କରୁଚି ? –ଶଙ୍କର ଦା’ ତା’ ମତାମତ ଜଣେଇ ଘୋର ଅସନ୍ତୋଷ ପ୍ରକାଶ କଲା ।

 

ତା’ କଥାଗୁଡ଼ାକ ମୋତେ ଟିକେ ଅଡ଼ୁଆ ଲାଗିବାରୁ ମୁଁ କହିଲି–ପାଠ ସଙ୍ଗରେ ଚାକିରିର କି ସମ୍ପର୍କ ଦାଦା ? ପାଠ କ’ଣ କେବଳ ଚାକିରି ପାଇଁ ଉଦ୍ଦିଷ୍ଟ ? ବରଂ ଚାକିରିଟା ପାଠ ପାଇଁ ଉଦ୍ଦିଷ୍ଟ । ପାଠ ଅପେକ୍ଷା ଚାକିରିଟା ବଡ଼ ନୁହେଁ । ପାଠ ନିଜପାଇଁ ନିଜର ଜ୍ଞାନ ଅର୍ଜନ ପାଇଁ ପଢ଼ାଯାଏ । ଜଣେ ପାଠପଢ଼ି ଜ୍ଞାନୀ ହେଲେ ତାକୁ ଚାକିରି କରିବା ପାଇଁ ନିମନ୍ତ୍ରଣ କରାଯାଏ । କାରଣ ସେ ନିର୍ଭୁଲ ଭାବେ ଦାୟିତ୍ୱ ତୁଲେଇପାରିବ ବୋଲି । କିନ୍ତୁ ଚାକିରି କରି ବଞ୍ଚିବା ପାଇଁ ଯେ ପାଠ ପଢ଼ନ୍ତି, ସେ କଥା ନୁହେଁ । ପ୍ରଥମେ ପାଠପଢ଼ି ଜ୍ଞାନ ଅର୍ଜନ କରିବାକୁ ପଡ଼ିବ, ପରେ ଯାଇ ଚାକିରି କଥା । ଗୋଟାଏ ଅନିଶ୍ଚିତ ଉଦ୍ଦେଶ୍ୟରେ ଅବସ୍ଥାପିତ କରି ଆମ ସମାଜର ଆଜି ଏଇଆ । ପାଠ ପଢ଼ି ମଧ୍ୟ ବ୍ୟବସାୟ କରାଯାଇପାରିବ, ଭଲ ଚାଷ କରାଯାଇପାରିବ । ମଣିଷ ମନକୁ ଦୃଢ଼ କରି ଯେଉଁ କାମ କରିବ ସେଥିରେ ତା’ର ସଫଳତା ଅଛି ନିଶ୍ଚୟ । ଆଉ ଅଯଥା ଏ ଚାକିରିର ଘୋଡ଼ା ଦୌଡ଼ ଭିତରେ ଯାହା ଦୁର୍ନୀତି ମୁଣ୍ଡରେ ଶିରପା’ ବାନ୍ଧିବା କଥା । କିଏ କ’ଣ କରିବ ? ଆମ ଚିନ୍ତାଧାରା ଗୁଡ଼ାକ ମଧ୍ୟ ଦୁର୍ନୀତି ଭିତରେ କଳୁଷିତ ହୋଇଗଲାଣି । ଭଲ କଥାଟାକୁ ଆମେ ଜମା ଭଲ ପଢ଼ି କ’ଣ ସମସ୍ତେ ଚାକିରି କରିଛନ୍ତି ?

 

ବୋଧହୁଏ ମୋ କଥାଟାକୁ ଠିକ୍‌ଭାବେ ଗ୍ରହଣ କରିପାରିଲାନି ଶଙ୍କର ଦା’ । କେମିତି ଅନ୍ୟମନସ୍କ ହେଇ କହିଲା ଛାଡ଼ ସେ କଥା । ଆଜିକାଲି ତ ସବୁଠି ଦୁର୍ନୀତି । ନିଜକୁ ଶ୍ରେଷ୍ଠ ଦୁର୍ନୀତିବନ୍ତ ବୋଲି ପ୍ରମାଣିତ କରିଦେଲେ ସବୁଠି ସ୍ଥାନ ମିଳିବ ପ୍ରଥମେ । ଆମଭଳି ଲୋକଙ୍କୁ ସେ କଥା ପୋଷାଏନି । ଚାଲ ଟିକେ ଖେଳିବା ।

 

ସୂର୍ଯ୍ୟ ଆକାଶରୁ ବିଦାୟ ନେଇଥିଲେ ସୁଦ୍ଧା ଅନ୍ଧାର ଆସିବାକୁ ଆହୁରି ଅନେକ ଡେରିଥିଲା । ଆମେ ଶଙ୍କର ଦା’ ଓ ମୁଁ ଗୋଟାଏ ପଟରେ ଛିଡ଼ାହେଲୁ । ଅରୂପ ଓ ମିତ୍ରଦା’ ଅପର ପକ୍ଷରେ ଛିଡ଼ାହେଲେ । ମିତ୍ରଦା’ ଦୌଡ଼ିପାରିବି ନାହିଁ ବୋଲି ସାଦା ବାଗୁଡ଼ିର ପ୍ରସ୍ତାବ କଟିଯାଇ କିତିକିତି ଖେଳିବାକୁ ସ୍ଥିର କରାଗଲା । ମୋତେ ତ ଆଦୌ ଭଲ ଦୌଡ଼ି ଆସେନା କି ଖେଳି ଆସେନା । ସେପଟେ ଅରୂପ ଓ ମୋପଟେ ଶଙ୍କର ଦା’ ଭଲ ଖେଳନ୍ତି । ତେବେ ମିତ୍ରଦା’ର ମୋଟା ଦେହଟା ଦୌଡ଼ିବାପାଇଁ ଅନୁକୂଳ ନଥିଲେ ମଧ୍ୟ ସେ ବେଶ୍‌ ଖଞ୍ଜରେ ଧରିପାରୁଥିଲା । ମୁଁ କିନ୍ତୁ ନା ଭଲ କାଲି ଦେଇପାରୁଥିଲି ନା ଭଲ ଧରିପାରୁଥିଲି ? ହାରାହାରି ପନ୍ଦର କୋଡ଼ିଏ ମିନିଟ୍‌ ଖେଳିବା ପରେ ଆମେ ସମସ୍ତେ କ୍ଳାନ୍ତ ହେଇପଡ଼ିଲୁ । ତାପରେ ଝାଡ଼ାଝପଟ ଯାଇ ଧୋଇହେଇ ପୁଣି ଏକାଠି ହେଲୁ । ଅନ୍ଧାର ଘନେଇ ଆସୁଥିଲା । ମୁଁ ଟିକେ ମୁହଁ ବୁଲେଇ ଆରପଟ ଗାଁକୁ ଚାହିଁ ଗୋଟାଏ ଲମ୍ବା ଦୀର୍ଘଶ୍ୱାସ ଛାଡ଼ିଲି ଅନ୍ୟମନସ୍କତାରେ । ସେ କେଉଁ ହଜିଲା ଦିନର କଥା । ଖାଲି ସ୍ମୃତି । ସେତେବେଳେ ମୁଁ ଏକାଦଶରେ ପଢ଼ୁଥାଏ–ନା, ପରୀକ୍ଷା ଦେଇସାରିଥାଏ । ଘରେ କିଛି କାମ ନ ଥାଏ । ବସିବା ବୁଲିବାଟା ମୋର ମୁଖ୍ୟ କାମ । ଖୁବ୍‌ ଜୋରରେ କାହ୍ନୁଚରଣ, ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସ ଖଣ୍ଡେ ଖଣ୍ଡେ ପଢ଼ୁଥାଏ । ବାକି ସମୟତକ ଏଇ ନଇବାଲିର ନିର୍ଜନତାରେ କଟିଯାଏ ।

 

ବାଲି, ପାଣି, ମାଛ, ଆକାଶ, ଗେଣ୍ଡା, ଗେଣ୍ଡାଳିଆ ସମସ୍ତଙ୍କୁ ନିତି ନୂଆ ନୂଆ ରୂପେ ଦେଖେ । ବାରମ୍ବାର ଦେଖୁଥିଲେବି କ୍ଳାନ୍ତି ଆସେନା । ହଠାତ୍‌ ଦିନେ ଆବିଷ୍କାର କଲି ମୋଭଳି ଆଉଜଣେ କିଏ ଆସି ସେପାରି ଅତଡ଼ା ଉପରେ ବସୁଚି ଓ ଅନ୍ଧାର ଭିତରେ ଫେରିଯାଉଚି । ଏକୁଟିଆ ନଇବାଲି ଓ ଶ୍ମଶାନ ଭିତରେ ବସିବାକୁ ମୋତେ ଆଦୌ ଡରଲାଗେନା । ରାତି ଘଡ଼ିଏ ଦୁଇଘଡ଼ି ପରେ ଘରକୁ ଫେରିଆସେ । ଦିନେ ସେପଟେ ବସୁଥିବା ଲୋକଟି ସମ୍ପର୍କରେ ଜାଣିବାକୁ ମୋର ଭାରି ଇଚ୍ଛାହେଲା । ପାଖକୁ ଯାଇ ଦେଖେ ତ ଝିଅଟିଏ । ମୋ ଆଖି ଝଲସିଗଲା । ମୋତେ ଖୁବ୍‌ ସୁନ୍ଦରୀ ଜଣାଗଲା ଝିଅଟା, ଯଦିଓ ତା’ କପାଳରେ ଗୋଟାଏ କଟାଦାଗର ଚିହ୍ନ ଥିଲା, ଦାନ୍ତଗୁଡ଼ାକ ସାମାନ୍ୟ ଚଟା ଚଟା ଓ ଧୋବ ପାରା ଭଳି ପରିସ୍କାର । ଓଠରେ ଲାଜୁକି ହସର ଛିଟା ମୋ ଭିତରେ ବିଜୁଳି ଚମକେଇ ଦେଇଥିଲା । ମୋର କିଛି ପଚାରିବାକୁ ସାହସ ପାଇଲା ନାହିଁ । ଫ୍ରକ୍ ପିନ୍ଧା ସେଇ ଝିଅଟି ମୋ ମାନସିକ ପ୍ରସ୍ତୁତି ପୂର୍ବରୁ ଦୌଡ଼ି ପଳେଇଲା ନଈବନ୍ଧ ଉପରକୁ ଓ ହାତ ହଲେଇବାକୁ ଲାଗିଲା । କୌଣସି ରାତିର ଶେଷ ପ୍ରହରର ଦାମ୍ପତ୍ୟ ସ୍ୱପ୍ନ ଭଳି ମଧୁର ଲାଗୁଥିଲା ଦୃଶ୍ୟଟା । ମୁଁ ଫେରିଆସିଲି । ବାଟରେ ବାରମ୍ବାର ପଛକୁ ଚାହିଁ ଦେଖିଲି ସେ ଝିଅଟି ସେମିତି ହାତ ହଲେଇ ଚାଲିଚି ।

 

ଏମିତି କିଛିଦିନ ପରେ ମୋର ତା’ପାଖକୁ ଚିଠିଖଣ୍ଡେ ଲେଖିବାକୁ ପ୍ରବଳ ଇଚ୍ଛାହେଲା । କିନ୍ତୁ କେମିତି ଲେଖିବି ତା’ ନାଁ ଜାଣିନି–ଏଇ ଭାବଟା ମୋତେ ଚିନ୍ତାରେ ପକେଇଲା । ଦିନେ ସାହସ ଖଟେଇ ଗୋଟେ ଚିଠି ଲେଖି ତା’ ନାଁ ଜାଣିବାକୁ ଚାହିଁଲି ଓ ଆଗରୁ ଯାଇଁ ତା’ ବସିବା ଜାଗାରେ ରଖିଦେଇ ଆସି ଅପେକ୍ଷା କଲି । ଖରାଦିନ ସମୟ । ନଈ ଛନ୍ଦା ହେଇଥାଏ । ଯେଉଁଠି ପଶିଗଲେ ମଧ୍ୟ ପାଣି ଆଣ୍ଠୁଉପରକୁ ଉଠିବାର ସମ୍ଭାବନା ନ ଥିଲା । କିନ୍ତୁ ରଖିଦେଲେ ସିନା, ଛାତିଭିତରଟା ଜୋର୍‌ରେ ଥରୁଥାଏ । ସିଏ ନ ଆସି ଆଉ ଯଦି କେହି ସେଠିକି ଚାଲିଆସେ ଓ ଚିଠିଟା ଦେଖି ପଢ଼େ ତାହେଲେ ମୋ ପ୍ରେମ ଫ୍ରେମ ସବୁ ଛାଡ଼ି ଅଲଗା ହୋଇଯିବ । ହେଲେ ଘଟଣା ଠିକ୍‌ ବାଟରେ ହିଁ ଘଟିଲା । ତା’ ବ୍ୟତୀତ ଆଉ କେହି ଆସିଲେ ନାହିଁ । ପ୍ରଥମେ ସେ ଚିଠିଟିକୁ ଦେଖି ଆଶ୍ଚର୍ଯ୍ୟ ହେଲା ଓ ଚାରିଆଡ଼କୁ ଚାହିଁଲା ଖୋଜିଲା ଖୋଜିଲା ଆଖିରେ । ଚିଠିଟି ଉଠେଇନେଲା ଚଟ୍‌ କରି ଓ ବସିପଡ଼ି ପଢ଼ିଲା । ଖୁବ୍‌ ହସିଲା ବୋଧେ । ତାପରେ ଗଳା ଝାଡ଼ିନେଲା ସାଙ୍କେତିକ ଧାରାରେ । ମୋତେ ଦେଖି ମୋର ଭୀରୁପଣକୁ ବେଶ୍‌ ଅନୁଭବ କରି ହାତଠାରି ଡାକିଲା ତା’ ପାଖକୁ ଯିବାପାଇଁ । ମୁଁ ଅବଶ୍ୟ ଗଲିନାହିଁ । କେବଳ ତା’ଭଳି ଗଳାଝାଡ଼ି ସଙ୍କେତ ଦେଲି । ତା’ ପରଦିନ ସେ ମୋତେ ଚିଠି ଲେଖିଲା ଓ ଆମଭିତରେ ସମ୍ପର୍କ ଘନିଷ୍ଠ ହେଇଗଲା । ଏପରିକି ମୁଁ ତାକୁ ପ୍ରତିଦିନ ନ ଦେଖିଲେ କଷ୍ଟ ଅନୁଭବ କରୁଥିଲି । ଏକଥା କ୍ରମଶଃ ଆମ ଉଭୟଙ୍କର ପରିବାର ଭିତରେ ଜଣାଶୁଣା ହେଇଗଲା । କିନ୍ତୁ ବେଶିଦିନ ଆମ ସମ୍ପର୍କ ରହିଲା ନାହିଁ । ବାହା ହେବାପାଇଁ ଝିଅଟା ମୋପାଖରେ ଏତେ ଜିଦ୍‌ ଧରିଲା ଯେ, ମୁଁ ବିରକ୍ତ ହେଇଯାଇ ତାକୁ ଗାଳିଗୁଲଜ କରି ଚିଠି ଲେଖିଥିଲି । ମାତ୍ର ଷୋଳବର୍ଷ ବୟସରେ ବା’ଘର ସମ୍ପର୍କରେ ମୋର ଯେଉଁ ଧାରଣା ଥିଲା ତା’ ଭିତରକୁ ସେ ମୋଟେ ଆସୁନଥିଲା । ତା’ ବୟସ ହାରାହାରି ମୋ ସଙ୍ଗେ ସମାନ କିମ୍ବା ବର୍ଷେ ଛ’ମାସ ସାନ ଥିଲା । ସୁତରାଂ ତାଙ୍କ ଘରଲୋକମାନେ ଆମ ଘରକୁ ବା’ଘର ପ୍ରସ୍ତାବ ପଠେଇଲେ । ସେତେବେଳେ ଜେଜେ ଥିଲେ । ସିଧାସଳଖ ତାଙ୍କୁ ମନାକରିଦେଲେ । ମୁଁ ମଧ୍ୟ ସେ ଝାମେଲାରେ ଅଧିକ ସଂପୃକ୍ତ ହେବାକୁ ଭଲପାଇଲି ନାହିଁ । ମୋତେ ଲାଗିଥିଲା ପ୍ରେମଟା ଗୋଟାଏ ବା’ଘର ପାଇଁ ବ୍ୟାକୁଳ ପିପାସା ।

 

ପାଞ୍ଚବର୍ଷ ତଳେ ପୁଣି ଥରେ ତା’ ସାଙ୍ଗରେ ମୋର ଭେଟ ହେଇଥିଲା । ସେତେବେଳକୁ ତା’ କୋଳକୁ ଦୁଇଟି ଝିଅ ଆସିଯାଇଥିଲେ । ବାହାହେଇ, ମଆହେଇ ସେ ପୂରାପୂରି ସମ୍ପୂର୍ଣ୍ଣ ନାରୀଟିଏ ବନିଯାଇଥିଲା । ଅଥଚ ମୁଁ ଆଗଭଳି ଏକା ଥିଲି ଓ ପ୍ରେମରେ ଜୀବନ ବଞ୍ଚୁଥିଲି । ବୋଧହୁଏ ସେ ସାକ୍ଷାତ୍‌ ହେଇଥିଲା ଠାକୁରାଣୀ ପୀଠରେ । ମୁଁ ତା’ ବଡ଼ଝିଅକୁ ଟିକେ କୋଳରେ ଧରିଲି, ଜିଲାପି କିଣିଦେଲି । ଭଲମନ୍ଦ ପଚାରି ବୁଝିଲି ଯେ ତା’ ବର ବି.ଏ. ଫେଲ୍‌ ହେଇ ଚାଷ କରୁଛି । ଜମିବାଡ଼ି ତା’ର ଗୁଡ଼ାଏ । ତଥାପି ସେ ସନ୍ତୁଷ୍ଟ ନୁହେଁ । ଜୀବନକୁ କେମିତି ଖାମ୍‌ଖେୟାଲ ଢଙ୍ଗରେ ଗ୍ରହଣ କରି ବଞ୍ଚିଯାଉଚି ।

 

ସେଦିନର ସାକ୍ଷାତ୍‌କାରରୁ ମୁଁ ବୁଝିଥିଲି ମୋ ପାଇଁ ତା’ଭିତରେ ଏବେବି ଗୋଟେ ଛୋଟ ଧରଣର ଦୁର୍ବଳତା ଅଛି । ଯାହା ତା’ ସଂସାର ଭିତରେ ଚଳିଲାବେଳେ ତାକୁ ଆଘାତ ଆସିଲେ ମନେପକେଇଦିଏ ମୁହୂର୍ତ୍ତକ ପାଇଁ ଓ ଅପ୍ରାପ୍ତି ବଢ଼ିଯାଏ ହୁ ହୁ ହେଇ ।

 

ସେଦିନ ମୋର କିନ୍ତୁ ତାକୁ ଦେଖିଲା ପରଠୁ ଭାରି ଦୟା ଆସୁଥିଲା । ତା’ ଆଗ ଚେହେରା ଆଦୌ ନ ଥିଲା । ସଂସାର ଭିତରେ ଖଟି ଖଟି ଶିରି ଦଉରି ଦିଶୁଥିଲା । ତା’ ପୂରିଲା ଗାଲଗୁଡ଼ିକ ଖାଲହେଇ ଭିତରକୁ ପଶି ଯାଇଥିଲା । ପାନ ଖାଇ ଦାନ୍ତଗୁଡ଼ାକ ନାଲି ପଡ଼ିଯାଇଥିଲା-। ପିନ୍ଧିଥିବା କାଚ କେଇପଟ ଚିକ୍‌ ଚିକ୍‌ ହେଉଥିଲା ହାତକୁ । ସତରେ ଖୁବ୍‌ ଝଡ଼ି ଯାଇଥିଲା-। କାହିଁକି ତା’ର ଏ ପରିବର୍ତ୍ତନ ମୁଁ ପଚାରିବାକୁ ସାହସ କଲିନାହିଁ । କାରଣ ଅଧିକ ସଂପୃକ୍ତ କରେଇବା ସେ ପରିସ୍ଥିତିରେ ମୋ ପାଇଁ ଉଚିତ ନଥିଲା ଆଦୌ । ତା’ପାଖରୁ ଫେରିଆସିଥିଲି କିଛି ଦୁଃଖ ଆଉ ଅବଶୋଷରେ । ମୁଁ ଆଦୌ ସେଇଆ ଦେଖିବାକୁ ଆଶା କରିନଥିଲି; ବରଂ ଚାହିଁଥିଲି ସେ ଯେଉଁଠି ହେଲେ ସୁଖରେ ଥିବ ।

 

ଏଇ ବାଲିକୁ ଦେଖିଲେ ସେ ସବୁ ମନେପଡ଼େ । ସେତେବେଳେ ସେ ଝିଅଟା କିନ୍ତୁ ବହୁତ ଚାଲାକ୍‌ ଥିଲା । ମୋ ପାଇଁ ଲୁଚେଇ ଲୁଚେଇ ନଈକୂଳକୁ କଦଳୀ ଆଣୁଥିଲା । ଅତଡ଼ା ଆଢ଼ୁଆଳରେ ଖାଉଥିଲୁ । ସେଇ କୈଶୋରର ସ୍ମୃତି ଆଜି ମନକୁ ଛୁଇଁଲେ କେମିତି ଲାଜୁଆ ଲାଜୁଆ ଭାବ ଆଚ୍ଛନ୍ନ କରି ରଖେ ।

 

ମିତ୍ରଦା’ ମୋ କାନ୍ଧଉପରେ ହାତରଖି ପଚାରିଲା–କ’ଣ ହେଲାକି ତମର ? ହଠାତ୍‌ ଏମିତି ମୌନ ହେଇଗଲ ଯେ ?

 

ନାଇଁମ ପିଛିଲା କଥାଗୁଡ଼ାକ ମନେପଡ଼ିଯାଉଚି ଯେ–କହି ଟିକିଏ ନୀରବ ହେଲା ପରେ ପୁଣି କହିଲି–କୈଶୋରର ରୋମାଣ୍ଟିକ୍‌ ସ୍ମୃତି ସତରେ ଭାରି ଅଭୁଲା ।

 

ଶଙ୍କର ଦା’ ଖଣ୍ଡିକାଶ ମାରି ପାଖକୁ ଲାଗିଆସି କହିଲା–କ’ଣ ପୁଅ ମନେପଡ଼ିଯାଉଚି କି ? ତମ ଜୀବନଟା ଏଇଆ । ଆଉ ଗୋଟେ ମଜାକଥା ଶୁଣିଲଣିନା ?

 

–କ’ଣ ହେଇଚି କହୁନା ? ମୁଁ କିଛି ଶୁଣିନି ।

 

–ଏଇ ଆମ ଗ୍ରାମ୍ୟ ବ୍ୟାଙ୍କରେ ଝିଅଟିଏ ଚାକିରି କରିଚି । ଥରେ କାହାଆଗରେ କହୁଥିଲା ତ, ମନେପଡ଼ୁନି । ତମ ସାଙ୍ଗରେ କାଳେ କଲେଜରେ ପଢ଼ୁଥିଲା । ମୁଁ ସେଇଠି ସେଇଠି ଛିଡ଼ା ହେଇଥିଲି । ମୋତେ ପଚାରିଲା–ମଳୟ ଘରକୁ ଆସୁନି କି ? ତା’ର କିଛି ଘର ସହିତ ଅବୁଝାମଣା ସୃଷ୍ଟି ହେଇଚି ନା କ’ଣ ? ମୁଁ ମନାକରି କହିଲି, ଘରକୁ ଆସିବେ ୟା’ ଭିତରେ ବୋଲି ଆମେ ଖବର ପାଇଚୁ । ତାକୁ ଦେଖା କରିଥିଲ ?

 

ମୁଁ କହିଲି–ତମଠାରୁ ଏଇ ପ୍ରଥମ ଶୁଣିଲି, ଦେଖାହେଲା ଆଉ କେତେବେଳେ ? କିଏ ସେ ଝିଅ ? ମୋ ସାଙ୍ଗରେ ପଢ଼ୁଥିଲା ବୋଲି କହୁଚି ? ତା’ ନାଁ କ’ଣ ?

 

ଶଙ୍କର ଦା’ ଟିକେ ରହିଯାଇ ମନେପକେଇବାକୁ ଚେଷ୍ଟା କରି କହିଲେ–ମୋର ଠିକ୍‌ ମନେନାହିଁ, ତେବେ ସରିତା କ’ଣ ତ ? ହଁ ଏମିତି କ’ଣ ହେବ ?

 

ତାଙ୍କର ସେଇ ଗଡ଼ବଡ଼ ଭାବ ଦେଖି ମୁଁ କହିଲି; ସରିତା ବିଶ୍ୱାଳ ?

 

–ହଁ, ଠିକ୍‌ ତ, ତା’ ନାଁ ସରିତା ବିଶ୍ୱାଳ ।

 

–କେତେଦିନ ହେବ ସେ ଏଠିକି ଆସିଲାଣି ?

 

–ହଁ, ପ୍ରାୟ ଛ’ମାସ ପାଖାପାଖି ହେଲାଣି ।

 

–ଏଠି ସିଏ ରହୁଚି କେଉଁଠି ? କ’ଣ ତା’ର ବନ୍ଧୁବାନ୍ଧବ ଘର ଅଛି ନା କ’ଣ ?

 

–ନାଇଁ ମ ବନ୍ଧୁବାନ୍ଧବ କୁଆଡ଼ୁ ଆସିବେ ସେଇ ବ୍ୟାଙ୍କ୍‌ ଭିତରେ ରହୁଚି । ବାହାରୁଆ ଗୋଟେ ଘର ନେଇ ।

 

–କ’ଣ ଏକା ରହୁଚି ।

 

–ପିଅନଟା ପାଖରେ ରହୁଚି । ତା’ପରେ ତା’ ଶାଶୁ ନା କିଏ ଗୋଟିଏ ବୁଢ଼ୀ ଆସି ମଝିରେ ମଝିରେ ରହୁଚି । ତମର ତା’ ସଙ୍ଗରେ ଭଲ ପରିଚିତ ଅଛି ?

 

–ଭଲ ମାନେ, ଏକଦା ଘନିଷ୍ଠ ସମ୍ପର୍କ ମଧ୍ୟ ଥିଲା–କଥାଟାକୁ ଜୋର କରି କହିଦେଲି ।

 

–ହଉ ଦେଖାକର, ଯଦି ଦରକାର ପଡ଼େ କେତେବେଳେ ଆମକୁ ଟିକେ ସାହାର୍ଯ୍ୟ କରିବ–କହି ଶଙ୍କର ଦା’ ତାଙ୍କ ଘରକୁ ପଡ଼ିଥିବା ବାଟରେ ଚାଲିଯିବାବେଳେ ମିତ୍ରଦା’ ପଚାରିଲା କ’ଣ ତମେ ତମ ଘରକୁ ଯିବାକୁ ବାହାରିଲଣି ? ପୁଣି କ’ଣ କେମିତି କରିବା କିଛି ନା, ଯେମିତି ଚାଲିଚି ସେମିତି ଚାଲିବ ?

 

ମୁଁ କହିଲି–ନାଇଁମ, କିଛି କରିବାକୁ ହିଁ ପଡ଼ିବ । ନ କଲେ ଭଲ ହେବନି । କାଲି ସନ୍ଧ୍ୟାକୁ ମିଟିଂ ଡାକିଲେ କଥାବର୍ତ୍ତା ହେବା । ଏବେ ସମସ୍ତେ ଘରକୁ ଯାଅ ।

 

ତିନି

 

ବିଜୁଳି ଆଲୁଅରେ ଉଜ୍ଜ୍ୱଳତା ମୋତେ ବଡ଼ ଶଙ୍କାକୁଳ କରିଦେଉଥିଲା । ମୁଁ ଯେମିତି ଗୋଟାଏ ମସ୍ତବଡ଼ ଚିନ୍ତାରେ ପଡ଼ିଯାଇଚି । ବେଶି କାରଣ ନ ଥାଇ ମଧ୍ୟ ମୋତେ ଖାଲି ଖାଁ ଖାଁ ଲାଗୁଥିଲା । ବାରଣ୍ଡାର ଲମ୍ବା ବେଞ୍ଚ ଉପରକୁ କାନ୍ଥକୁ ଆଉଜି ବସି ବସି ମୁଁ କାହାର ଅପେକ୍ଷା ରଖୁଥିଲି । ସେ ଆସିବା କଥାଟା ଜାଣିଥିଲେ ହେ ନ ଆସିବାରୁ ମୁଁ ବ୍ୟସ୍ତ ହେଇପଡ଼ୁଥିଲି । ମୁଁ ତାକୁ ଚିହ୍ନିଚି ଅଥଚ ନାଁଟା ମନେପଡ଼ୁନି । ମୁହଁଟା ମଧ୍ୟ ଝାପ୍‌ସା ଝାପ୍‌ସା ଦିଶୁଚି । କିଛି ସଠିକ୍‌ ଭାବେ ବୁଝାପଡ଼ୁନି । ଅନେକ ଲୋକଙ୍କ ସହ ଜୀବନ ଭିତରେ ଚିହ୍ନା ହେଇଚି, ଖୁବ୍‌ ନିକଟତର ହେବାକୁ ହେଇଚି । ଛାଡ଼ି ଆସିବାକୁ ହେଇଚି ମଧ୍ୟ । ଆଜିକାଲି ଆଉ ସମ୍ପର୍କ ରଖିହେଇନି କାହାସାଙ୍ଗରେ । ତେବେ କିଏ ସେ ? କିଏ ??

 

ଏମିତି ଗୋଟାଏ ଭାବନା ଭିତରେ ଅପେକ୍ଷାରତ ଥିବାବେଳେ ମିନୁ ଆଣି ଗୋଟେ କପ୍‌ ଚା’ ଦେଇଗଲା । ଚା’ କପ୍‌ରେ ଚୁମକ୍‌ ଦେଉ ଦେଉ ଠିକ୍‌ ମୋର ମନେପଡ଼ିଗଲା ଯେ, କଲେଜ ଜୀବନର ପରିଚିତା ଝିଅଟିର କଥା । ସେ କେବଳ ଗୋଟେ ସ୍ମୃତି । ଏଇ ସ୍ମୃତିଟା ଆସିବାର ପୂର୍ବ ମୁହୂର୍ତ୍ତରେ ଏତେ ଯନ୍ତ୍ରଣା ଭୋଗିବାକୁ ହେଇଥାଏ ଯେ ଆଖିଆଗର ପୃଥିବୀଟା ଛାଇଚ୍ଛାଇଆ ଦିଶେ-। ଭାବନାର ଚକ ଥମିଯାଏ କେଇ ମୁହୂର୍ତ୍ତ ପାଇଁ । ଆକାଶରୁ ସୂର୍ଯ୍ୟ, ଚନ୍ଦ୍ର, ତାରାର ଚିହ୍ନ ହଜିଯାଏ-। ସେଇ ଶୂନ୍ୟତା ଭିତର କାହାର ପଦଶବ୍ଦ ଶୁଭେ ଯେମିତି ଅନ୍ଧାର ରାତିରେ ଜଙ୍ଗଲ ବାଟରେ ଘୋଡ଼ା ଦୌଡ଼ିବାର ଶବ୍ଦ ଭଳି ।

 

ଚା’ଟା ବୋଧହୁଏ ଖାଲି କ୍ଷୀରରେ ତିଆରି ହେଇଚି । ଏସିତି ଚା’ ୟାଭିତରେ କେବେ ଖାଇଥିଲା ପରି ମନେହେଉ ନାହିଁ । ଏ ଭେଜାଲ ଯୁଗରେ ଖାଣ୍ଟିର ସ୍ୱାଦ ଏଇବାର ବୋଧେ ଚାଖିବାକୁ ପଡ଼ିଲା ।

 

ସ୍ମୃତିର ଜଙ୍ଗଲ ଭିତରେ ବାଟବଣା ହେବାକୁ ନ ଦେଇ ମୁଁ ଉଠିଆସିଲି ଘରଭିତରକୁ ଏବଂ କାନ୍ଥରେ ଟଙ୍ଗା ହେଇଥିବା ବଡ଼ ଅଇନା ସାମ୍ନାରେ ଛିଡ଼ାହେଲି । ମୁଣ୍ଡକୁ ସାଉଁଳେଇ କୁଣ୍ଡେଇଲା ପରେ ସାର୍ଟ କଲରଟାକୁ ଟାଣିନେଇ ସବୁ ଠିକ୍‌ ଥିବାର ପ୍ରବୋଧନା ଭିତରେ ଘରୁ ବାହାରିପଡ଼ିଲି । ଅନ୍ଧାର ଭେଦକରି ଗଲାବେଳେ ମୋର ଟର୍ଚ୍ଚଟା ଆଣିବାର ଥିଲା ବୋଲି ଅନୁଭବ କରୁଥିଲି । ଭାବୁଥିଲି ଲେଉଟିଆସି ନେଇଯିବା ପାଇଁ । କିନ୍ତୁ ଇଚ୍ଛାହେଲାନି । ସରିତାର ସ୍ମୃତି ଏତେ ଅଥୟ କରୁଥିଲା ଯେ, ସବୁକିଛି ଭୁଲିଯାଇ ତା’ ସହ ସାକ୍ଷାତ୍‌ କରିବାର ଇଚ୍ଛା ପ୍ରବଳତର ହେଉଥିଲା । ବର୍ତ୍ତମାନ ହୁଏତ ସରିତା ରାତିର ଖାଇବାପାଇଁ ରୋଷେଇରେ ବ୍ୟସ୍ତ ଥିବ । ମୋତେ ଦେଖି ବଡ଼ ଅସ୍ୱସ୍ତି ଅନୁଭବ କରିବ କିମ୍ବା ଆନନ୍ଦରେ ମୋ ପାଇଁ ଚା’ ଜଳଖିଆର ବ୍ୟବସ୍ଥା କରିବ । ମୁଁ ଏଇନେ ଘରୁ ଖାଇଆସିଲି ବୋଲି ମନାକରିବି । ତା’ର କ’ଣ ମନେଥିବ ସେ କଲେଜ ଜୀବନର ରୋମାଣ୍ଟିକ୍‌ ଚିନ୍ତା ସବୁ ? ପ୍ରେମର ସ୍ମୃତି ସବୁ ? ନା, ନଥିବ ବୋଧେ । ବିବାହ ପରେ ତା’ର ଜୀବନଧାରା ବଦଳିଯିବା ସଙ୍ଗେ ସଙ୍ଗେ ସେ ଅତୀତ ବିସ୍ମୃତିର ଅତଳ ଗହ୍ୱରରେ ହଜିଯାଇଥିବ । ହଜିଯିବାଟା ନିତାନ୍ତ ସ୍ୱାଭାବିକ । ସ୍ୱାମୀର ସଂସାରରେ ନୂଆ ଜୀବନର ଛନ୍ଦ ଶୁଣି ସେ ହୁଏତ ବିମନା ହେଇପଡ଼ିଥିବ । ପୁନି ଭଳି ଇଟା, ସିମେଣ୍ଟ ଓ ଅଟ୍ଟାଳିକାର ସ୍ୱପ୍ନ ଦେଖୁଥିବ । ସମାଜରେ ମର୍ଯ୍ୟାଦା ଖୋଜୁଥିବ, ସଭ୍ୟ ପରିବାରର ଆଟୋପ ଦେଖାଉଥିବ । ଆଉଟ୍‌ ଇନ୍‌କମ୍‌ର ବାଟ ଖୋଜୁଥିବ । କାହାକୁ ଲୋନ୍‌ ଦେଇ ପରସେଣ୍ଟେଜ୍‌ ନେବାର ହିସାବ କଷୁଥିବ । ବି. ଏମ୍‌.ଙ୍କ ଡାହାଣ ହାତ ହେବାପାଇଁ ପାର୍ଟି ସଂଗ୍ରହ କରୁଥିବ । କଥା କହି ଭୁଲେଇ ରଖିବାର ଯୋଜନା କରୁଥିବ ।

 

ଏକା ସଙ୍ଗରେ ପଢ଼ିଲାବେଳେ ସରିତା ଭାରି ଏକବାଗିଆ ଝିଅ ଥିବାର କେହି କେହି ଲକ୍ଷ କରିଥିବାର କହନ୍ତି । ନିଜ ଇଚ୍ଛାରେ ସେ ନିଜେ ହିଁ ସ୍ୱତନ୍ତ୍ର । ସେ ଟିକେ ଆତ୍ମବଡ଼ିମାବନ୍ତ ଝିଅ ଥିଲା । ଥଟ୍ଟା ପରିହାସରେ କେହି ଯଦି କିଛି କହୁଥିଲା ତା’ ଦେହରେ ଜମା ଯାଉନଥିଲା । ସବୁ କଥାକୁ ତଳେଇ ବିଚାର କରିବା ତା’ର ଗୋଟାଏ ସ୍ୱଭାବ ଥିଲା । ସେଥିପାଇଁ ଥଟ୍ଟା କରୁଥିବା ଲୋକଟି ଉପରେ ସେ ଭୀଷଣ ରାଗେ । ଅବଶ୍ୟ ଆମ ସାଙ୍ଗରେ ପଢ଼ୁଥିବା ଝିଅମାନଙ୍କ ଭିତରେ ସେ ବେଶି ସୁନ୍ଦରୀ ନଥିଲା । କିନ୍ତୁ କେମିତି ବାରି ହେଇପଡ଼ୁଥିଲା । ଟିକେ ଡେଙ୍ଗା ହେଇ ମଝିଲା ବୟସର ସ୍ୱାସ୍ଥ୍ୟବତୀ ଝିଅ ସେ । ଦେହର ରଙ୍ଗ ଶ୍ୟାମଳ ଓ କେଶଗୁଡ଼ିକ ବେଶ୍‌ ଲମ୍ବ ଲମ୍ବ ଫୁଲିଲା ଫୁଲିଲା, ପଛଆଡ଼ୁ ଦେଖିଲେ ତା’ ମୁକୁଳା ଫୁଲିଡ଼ି କେଶ ତାକୁ ଜଣେ ବିପ୍ଳବିନୀ ବୋଲି ସୂଚାଇଦିଏ-। ମାତ୍ର ପ୍ରକୃତରେ ସେ ନେତୃତ୍ୱ ନେଲାଭଳି ଝିଅ ନଥିଲା । ତା’ର ଗୋଟେ ଅଲଗା ଧରଣର ରୁଚି ଥିଲା । ପ୍ରାୟ ସେ ନୂଆ ଶାଢ଼ି ଓ ନୂଆ ନୂଆ ସୁନାର ଅଳଙ୍କାରମାନ ବ୍ୟବହାର କରୁଥିଲା-। ଅଳ୍ପ କଥା କହୁଥିଲା । ବେଶି ସମୟ କୌଣସି କଥାରେ ମୁଣ୍ଡ ପୁରାଉନଥିଲା କି ସାଙ୍ଗସାଥୀଙ୍କ ମେଳରେ ବେଶି ହସଖୁସି କରୁନଥିଲା । ତା’ର ଯେମିତି ଡିପାର୍ଟମେଣ୍ଟର କୌଣସି କଥାରେ ଯାଏଆସେ ନାହିଁ, ସେ ଭଲ ତ ଦୁନିଆ ଭଲ । ନିଜ ବିଷୟରେ ଖୁବ୍‌ ସଚେତନ ଥିଲାପରି ମନେହୁଏ । ଯଥା ସମୟରେ ବାହାରକୁ ଆସେ ଓ ବଜାରରେ ଟିଫିନ୍‌ ଖାଏ । ପଢ଼ିବା ସମୟରେ ଷ୍ଟଡ଼ି ସେଣ୍ଟରରେ ବସି ପଢ଼ୁଥାଏ । ଏତେଗୁଡ଼ିଏ ଏକକ ଗୁଣପାଇଁ ପୁଅ ଝିଅ ଉଭୟଙ୍କ ଭିତରେ ବହୁ ସମୟରେ ତା’ କଥା ଆଲୋଚନା ହୁଏ ଏବଂ ତାକୁ ସମସ୍ତେ ଏକୁଟିଆ ବାଆଁରା ବୋଲି ଅଖ୍ୟାୟିତ କରିଥାଆନ୍ତି-। କିନ୍ତୁ ଏସବୁ ସତ୍ତ୍ୱେ ତା’ର ଗୋଟେ ଖରାପ ଗୁଣ ଥିଲା । ସିଏ ଭାରି ହୋମ୍‌ସିକ୍‌ ଏକା-। ପ୍ରତି ସପ୍ତାହର ଶନିବାର ଦିନ ଘରକୁ ଯାଏ ଏବଂ ସୋମବାର ସକାଳୁ ଫେରିଆସେ । କ୍ଲାସର ପିଲାମାନେ କୌଣସି ରବିବାରରେ ଭୋଜି କିମ୍ବା ପିକ୍‌ନିକ୍‌ କରି ଗଲେ ସେ ଯୋଗଦିଏ ନାହିଁ । କେହି କେହି ତା’ର ଏମିତି ଗୁଣକୁ ବଡ଼ଲୋକ ଔଦ୍ଧତ୍ୟ ବୋଲି କହିଥାଆନ୍ତି । ମାତ୍ର ତା’ର ନିକଟତର ହେଇ ତାକୁ କିଛି ପଚାରିବା କି ଆଳାପ ଆଲୋଚନା କରିବାକୁ କେହି ସାହସ କରନ୍ତି ନାହିଁ । ତା’ପରେ ସେ ଆମ କେତେଜଣଙ୍କୁ ଛାଡ଼ିଦେଲେ ପ୍ରାୟ ଆଉ କାହାକୁ ଚିହ୍ନେ ନାହିଁ । ସୁତରାଂ ଆମେ ଦିନେ ବସି ସ୍ଥିର କଲୁ ଯେ, ତା’ ସହ କଥାବାର୍ତ୍ତା କରି, ତା’ ଅସହଯୋଗର କାରଣ ବୁଝିବାକୁ । କିନ୍ତୁ କୋଉ ଲୋକଟା ତାକୁ ପଚାରିବ ସେ କଥାଟା ସ୍ଥିର ହେଇନପାରିବାରୁ କିଛି ବୁଝିହେଲା ନାହିଁ ।

 

ଦିନେ ସୋମବାର ସକାଳୁ ୟୁନିଭରସିଟି ଯିବାପାଇଁ ମୁଁ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲି ଓ ସେତିକିବେଳେ ସରିତା ଦେଖାହେଲା । ମୁଁ ସହଜରେ ଅନୁମାନ କରିନେଲି ଯେ ସେ ଘରୁ ଫେରୁଚି । ସେପର୍ଯ୍ୟନ୍ତ ସେ ମୋତେ ଦେଖିଥିଲା କି ନାହିଁ ମୁଁ ଜାଣେନା ମାତ୍ର ମୁଁ ତାକୁ ଦେଖି ତା’ ପାଖକୁ ହିଁ ପ୍ରଥମେ ଗଲି ଓ ପଚାରିଲି–ଏବେ ବୋଧେ ଘରୁ ଆସୁଚ ?

 

ସେ ଅନାସକ୍ତ ଭାବେ ଉତ୍ତର ଦେଲା–ହଁ, ଆପଣ ଏଣେ କୁଆଡ଼େ ଆସିଥିଲେ ?

 

ମୋର ୟୁନିଭରସିଟିରେ ଟିକେ କାମ ଅଛି ଯେ ଯିବାପାଇଁ ବସ୍‍କୁ ଅପେକ୍ଷା କରିଚି କହି ମୁଁ ଟିକେ ଚିନ୍ତା କରୁ କରୁ ତା’ ମୁହଁକୁ ଚାହିଁଲି । କ’ଣ ପଚାରିବାକୁ ସ୍ଥିର କରୁ କରୁ କହିଲି–ଆଚ୍ଛା ତମକୁ ଗୋଟେ କଥା ପଚାରିବାର ଥିଲା । ପଚାରିପାରେ କି ?

 

ସେ ଟିକେ ଅପ୍ରିତିଭ ହେଲାଭଳି ସ୍ମିତ ହସି କହିଲା ଏଥିରେ ଅନୁମତି କ’ଣ ଦରକାର ? ଆପଣ କ୍ଲାସମେଟ୍‌ ଦୃଷ୍ଟିରୁ ଏତେଟା ଅପରିଚିତ ବ୍ୟବହାର କରିବା ଅନୁଚିତ । ଯଦି କିଛି କହିବାର ଅଛି ଆସନ୍ତୁ ୱେଟିଂ ରୁମ୍‌କୁ, ବସିବା କଥାହେବା ।

 

ହଠାତ୍‌ ମୋର ତା’ ପ୍ରତି ଥିବା ଧାରଣାର କର୍ଦ୍ଦମାକ୍ତ ବନ୍ଧ ଭାଙ୍ଗିଯାଇଥିଲା ଓ ସେ ଯେ ଏତେ ଖୋଲା ହୃଦୟର ଝିଅ ମୁଁ ଆଶ୍ଚର୍ଯ୍ୟ ହେଉଥିଲି । ଓ୍ୱେଟିଂ ରୁମ୍‌ର ଗୋଟାଏ ବେଞ୍ଚରେ ଆମେ ପାଖାପାଖି ବସି କଥା ଆରମ୍ଭ କରିବା ପୂର୍ବରୁ ସେ ଦୁଇଟା କୋଲଡ଼ଡ଼୍ରିଙ୍କ୍‌ ମଗାଇଦେଲା । ମୁଁ ବାରଣ କରିଥିଲି, ସେ କିନ୍ତୁ ଆପଣାର ଲୋକ ଭଳି ବଳେଇ ଯାଚିଲା । ବାଧ୍ୟହେଇ ମୁଁ ଗୋଟାଏ ବୋତଲ ଧରି ଷ୍ଟ୍ର ଦେଉ ଦେଉ ପଚାରିଲି–ତମର ବ୍ୟବହାର ଏତେ ଚମତ୍କାର ସରିତା ! କିନ୍ତୁ ତମେ କ୍ଲାସ୍ ପିଲାଙ୍କ ସଙ୍ଗେ ଓ ତମ ସାଙ୍ଗ ଝିଅମାନଙ୍କୁ କୋ–ଅପରେଟ୍‌ ନ କରିବାର କାରଣ କ’ଣ ?

 

ଆପଣ ଜାଣିନାହାନ୍ତି ମଳୟ ବାବୁ, ଆମ ଝିଅମାନେ ବହୁତ ମିନ୍‌ ମାଇଁଡ଼େଡ଼୍‌ । ଯେଉଁ କାରଣ ପାଇଁ ମୁଁ ଅନିଚ୍ଛାକୃତ ଭାବେ ଆଭଏଡ଼୍‌ କରିଚାଲେ । ମୋର କ’ଣ ଇଚ୍ଛାହୁଏନି ଜୀବନର ଉଦ୍ଦମତାକୁ ଅନୁଭବ କରିବାପାଇଁ । କିନ୍ତୁ ଏଠିକାର ପରିସ୍ଥିତି ଆଦୌ ଅନୁକୂଳ ନୁହେଁ । ପ୍ରଥମେ ମୁଁ ଏ ଝିଅମାନଙ୍କ ସାଙ୍ଗରେ ଖୁବ୍‌ ଅନ୍ତରଙ୍ଗ ଭାବେ ମିଶି ଯାଇଥିଲି । ମୋର ଧାରଣାଥିଲା ଆମେ ସମସ୍ତେ ସଚେତନ, ତେଣୁ ଈର୍ଷା, ବାଦ ଓ କୁତ୍ସାରଟନା ଇତ୍ୟାଦି ହେବନାହିଁ । ମାତ୍ର ପରେ ଯାହା ଅନୁଭବ କଲି ଓ ବୁଝିଲି ମୋପାଖରେ ବସିଥିଲି ଝିଅଟି ଆପଣଙ୍କ ପାଖରେ ପର ମୁହୂର୍ତ୍ତରେ ମୋ ବିରୁଦ୍ଧରେ କହିବାକୁ ଲାଗିଚି । ଆଜିକାଲି ହାଇସ୍କୁଲରେ ପଢ଼ୁଥିବା ଝିଅମାନେ ମଧ୍ୟ କେତେ ଖୋଲା ଦୃଷ୍ଟିକୋଣ ନେଇ ପରସ୍ପରକୁ ବୁଝୁଥିବେ, ଯାହା ଭଲମନ୍ଦ ବିଷୟରେ ଚର୍ଚ୍ଚା କରିବା ମୋ ରୁଚି ବିରୁଦ୍ଧ ।

 

ମୁଁ ଆଶ୍ଚର୍ଯ୍ୟ ହେଉଥିଲି ସରିତାର ମତାମତ ଶୁଣି । ଶୂନ୍ୟ ବୋତଲଟା ଗୋଡ଼ପାଖକୁ ରଖି ଦେଉ ଦେଉ କହିଲି ଅବଶ୍ୟ ତମେ ଯାହା କହୁଚ ଠିକ୍‌ କଥା, କିନ୍ତୁ ସବୁ ଝିଅ କ’ଣ ସମାନ । ତାଙ୍କ ଭିତରେ ତ ପୁଣି କେହି କେହି ସ୍ୱତନ୍ତ୍ର ଦୃଷ୍ଟିକୋଣ ରଖି ବଞ୍ଚୁଥିବେ, ତମେ ଏମିତି କାହାକୁ ଦେଖୁନା ? ତାଙ୍କ ସାଙ୍ଗରେ ସାଙ୍ଗ ହେଇପାରନ୍ତି କିମ୍ବା ପୁଅ ପିଲାଙ୍କ ସଙ୍ଗରେ ମଧ୍ୟ ସମ୍ପର୍କ ରଖିପାରନ୍ତି ?

 

ତମେ ପ୍ରଥମ କରି ମୋ ସହିତ କଥା ହେଉଚ । ଅନ୍ୟମାନେ କେହି କିଛି ପଚାରନ୍ତି ନାହିଁ । ମୁଁ କେମିତି କାହାକୁ କ’ଣ କହିବି ? ହୁଏତ ସିଏ ମତେ ଆଭଏଡ଼୍‌ କରିଯିବ ? ମୋତେ ସେଇଥିପାଇଁ ଡରଲାଗେ । ଆଉ ଝିଅଙ୍କ ଭିତରେ ବାସନ୍ତୀଟା ପ୍ରକୃତରେ ଖୁବ୍‌ ଭଲ । ନିଜ କାମ ଓ ନିଜ ସମ୍ପର୍କରେ ସେ ଖୁବ୍‌ ସଚେତନ ଅନ୍ୟମାନଙ୍କ ଅପେକ୍ଷା । ତା’ ପାଖରେ ମଝିରେ ମଝିରେ ମୁଁ ସମୟ ବିତାଏ । ସେଥିନେଇ ମଧ୍ୟ କେହି କେହି ଦେଖେଇ କହୁଥିବାର ମୁଁ ଶୁଣିଚି । ମୋତେ ନୁହେଁ ତାକୁ । ଯଦି ଡିଗ୍ରୀଧାରିଣୀ ଝିଅମାନଙ୍କଠାରୁ ଏମିତି ବ୍ୟବହାର ମିଳିବ ତେବେ ଆପଣାଛାଏଁ ଅଲଗା ହେଇ ନ ରହିବ କାହିଁକି ?

 

ଆଚ୍ଛା, ତମ ନାଁରେ ଗୋଟାଏ ଗପ ଶୁଣାଯାଏ । ତାହା ସତ କି ମିଛ ମୁଁ ଜାଣେନା । କିନ୍ତୁ କଥାଟା ଟିକେ ବ୍ୟକ୍ତିଗତ ଜୀବନ ସର୍ବସ୍ୱ କହି ଅଟକିଯାଇ ମୁଁ ସରିତାର ମୁହଁକୁ ଲକ୍ଷ୍ୟ କଲି । ସେ ଟିକେ ଅନ୍ୟମନସ୍କ ହେଇଗଲା ଭଳି ବୋଧହେଲା ଓ କିଛି ସମୟ ଚୁପ୍‌ ରହି ପଚାରିଲା–କି ଗପ ଶୁଣୁଛନ୍ତି ? କହିବା ପାଇଁ ସଂକୋଚ କ’ଣ ? ବରଂ କଥାଟା ସମ୍ପର୍କରେ ଆପଣଙ୍କର ଯେଉଁ ଧାରଣା ରହିଚି ସେଇଟା ଅନ୍ତତଃ କ୍ଲିଅର ହେଇଯିବ ।

 

କଥାଟା ଖୁବ୍‌ ସାଧାରଣ–ତମେ କାଳେ ପ୍ରେମ କରୁଥିଲ ଏବଂ ବର୍ତ୍ତମାନ ତାହା ନଷ୍ଟ ହେଇଯିବାରୁ ତମର ମାନସିକ ଦୁଶ୍ଚିନ୍ତା ବଢ଼ିଯାଇଛି । ଯାହାଦ୍ୱାରା ତମେ ଖୁବ୍‌ ଗମ୍ଭୀର ଓ ନିର୍ବିକାର ଜୀବନଯାପନ କରୁଚ ? ପ୍ରଥମେ କଥାଟାକୁ ହାଲ୍‌କା ଭାବେ କହିବାକୁ ଚେଷ୍ଟାକରି ମୁଁ ତା’ ମୁହଁକୁ ଚାହିଁଲି ତୀକ୍ଷ୍‌ଣ ଦୃଷ୍ଟିରେ । ଦେଖିବାକୁ ଚେଷ୍ଟା କରୁଥିଲି ଉକୁଟି ଉଠୁଥିବା ମୁଦ୍ରାର ସ୍ଥିତିକୁ । ନା, ତା’ ମୁହଁରେ କିଛି ଆଶାଜନକ ବ୍ୟତିକ୍ରମ ଦେଖାଗଲାନି । ସେ କେବଳ ୱେଟିଂ ରୁମ୍‌ର ଝର୍କାଦେଇ ଦୂର ଆକାଶଆଡ଼କୁ ଚାହିଁ ସ୍ୱାଭାବିକ ଭାବେ କହିଲା–ସେମିତି ଘଟଣା ସମସ୍ତଙ୍କ ଜୀବନରେ ଅଳ୍ପ ବହୁତ ଘଟେ । ତା’ ବୋଲି ଯେ ମଣିଷ ସମ୍ପର୍କ ଶୂନ୍ୟ ଜୀବନଯାପନ କରିବ ଏମିତି କିଛି ମାନେ ଅଛି କି ?

 

ସେ ସମ୍ପର୍କରେ ମୋର ତାକୁ ଅଧିକ କିଛି ପଚାରିବାକୁ ଇଚ୍ଛାହେଲାନି । କେବଳ ଗୋଟାଏ ମୁଗ୍‌ଧ ଦୃଷ୍ଟିରେ ଯାହା ତାକୁ ଦେଖୁଥିଲି । ଏମିତି ହିସାବ ଝିଅ ଅଳ୍ପ ଥିବେ ଦୁନିଆରେ । ମୋର ସ୍ଥିତିକୁ ଲକ୍ଷ କରି ସେ କହିଲା ଆପଣ ମୋତେ ସାହାଯ୍ୟ କରିବେ କି ?

 

ନିଶ୍ଚୟ ।

 

ପଢ଼ାପଢ଼ି ସମ୍ପର୍କରେ ଆଲୋଚନା କରିବା ପାଇଁ କେତେବେଳେ ମୋଆଡ଼େ ଆସନ୍ତୁ କିମ୍ବା ଯଦି ସୁବିଧା ଅଛି ମୋତେ କହିଲେ ମୁଁ ମଧ୍ୟ ଯାଇପାରେ । ହେଇ ଆପଣଙ୍କ ବସ୍‌ ଆସିଗଲା ବୋଧେ । ୟୁନିଭରସିଟି ଯିବେ କହୁଥିଲେନା ? ଯାଆନ୍ତୁ, ପରେ ସାକ୍ଷାତ୍‌ ହେଲେ କଥାବାର୍ତ୍ତା ।

 

ମୁଁ କିଛିମାତ୍ରାରେ ଅନ୍ୟମନସ୍କ ହେଇଯାଇଥିଲି । କିଛି କହିବା ପାଇଁ ଭାଷା ପାଉନଥିଲି-। ଯାହା କେବଳ ସିଧାସିଧା ଚାଲିଆସିବା ବ୍ୟତୀତ ମୋର ଅନ୍ୟ ଉପାୟ ନ ଥିଲା ।

 

ଗ୍ରାମ୍ୟ ବ୍ୟାଙ୍କର ଫାଟକ ପାରହୋଇ ମୁଁ ଭିତରକୁ ଚାଲିଯାଇଥିଲି । କେବଳ ବାହାର ଲାଇଟ୍‌ଟା ଜଳିବା ବ୍ୟତୀତ ମୁଁ କାହାର ସ୍ୱର ଶବ୍‌ଦ ସୁଦ୍ଧା ପାଇଲି ନାହିଁ । ବଡ଼ ସନ୍ଦେହରେ ପଡ଼ିଗଲି । ମନେହେଲା ଏଠି ବୋଧେ ସରିତା ରହୁନି । ହତାଶ ହେବା ପୂର୍ବରୁ ଧୀରେ ଧୀରେ ଯାଇ କବାଟରେ କାନ ପାରିଲି । ଖୁବ୍‌ ଭିତରୁ ଗୋଟାଏ ଷ୍ଟୋଭ୍‌ ଜଳିବାର ଅସ୍ପଷ୍ଟ ଶବ୍ଦ ଶୁଣାଯାଉଥିଲା । ମୋ ଭିତରେ କ୍ଷୀଣ ଆଶାର ସଂଚାର ହେଲା । ବହୁ ଭାବିଚିନ୍ତି କବାଟର ଫାଙ୍କବାଟେ ଲାଇଟ୍‌ ଦେଖି ଠକ୍‌ ଠକ୍‌ ଆବାଜ କରିବାକୁ ଲାଗିଲି । କିଛି ଜଣାଗଲା ନାହିଁ । ମୁଁ ଜୋରରେ ବାଡ଼େଇବାକୁ ଲାଗିଲି ଓ କିଛି ସମୟ ପରେ ଜଣେ ବୃଦ୍ଧ ଆସି କବାଟ ଖୋଲି ପଚାରିଲେ କାହାକୁ ଖୋଜୁଛନ୍ତି ?

 

ମୁଁ ଉତ୍ତର ଦେଲି–ସରିତା ଦେବୀ ଏଠାରେ ରୁହନ୍ତି ?

 

ହଁ ରୁହନ୍ତି ।

 

ଟିକେ ଦେଖାକରିବାକୁ କହିଲେ ।

 

ତାଙ୍କ ଦେହ ଅସୁସ୍ଥ, ଆଜି ସାକ୍ଷାତ୍‌ ହେଇପାରିବନି । ଆପଣ କାଲି ଦିନରେ ଆସନ୍ତୁ ।

 

ମୋର ସମୟ ଖୁବ୍‌ କମ୍‌ । ଟିକେ ପଚାରିଆସ, କୁହ–ମଳୟ ବାବୁ ବୋଲି କେହି ଖୋଜୁଛନ୍ତି । ଲୋକଟା ଭିତରକୁ ଚାଲିଗଲା । ମୋର ସମସ୍ତ କଳ୍ପନା ନିମିଷକରେ କୁଆଡ଼େ ଉଭେଇଯିବାକୁ ବସିଲା । ଭାବିଲି ଆଦୌ ନ ଆସିଥିଲେ କିମ୍ବା ଫେରିଯାଇଥିଲେ ଭଲ ହେଇଥାଆନ୍ତା । ହୁଏତ ସରିତା ତା’ ଅସୁସ୍ଥତା ଜଣେଇ ପରେ ଆସିବାପାଇଁ କହିପାରେ । ଏତେବର୍ଷ ପରେ ପୁଣି ଦେଖାହବ ଯେ ସେଥିରେ ତା’ର ଅସୁସ୍ଥତାଟା ବାଦ ସାଜୁଚି । ତଥାପି ମୁଁ ବଡ଼ ଦ୍ୱନ୍ଦ୍ୱର ସହ ବୁଢ଼ାର ଫେରିବା ବାଟକୁ ଅପେକ୍ଷା କରୁଥିଲି । ମାତ୍ର କିଛି ସମୟ ପରେ ବୁଢ଼ା ନ ଆସି ଶାଲ ଘୋଡ଼େଇ ହେଇଥିବା ଜଣେ ସ୍ତ୍ରୀଲୋକ ଆସିଲେ । ମୋତେ ଚିହ୍ନିବାକୁ ବାକି ରହିଲା ନାହିଁ । କାରଣ ଏତେବର୍ଷ ବିତିଯାଇଥିଲେ ମଧ୍ୟ ସରିତା ଆଗଭଳି ଠିକ୍‌ ଅଛି । ତା’ର କୌଣସି ଶାରୀରିକ ପରିବର୍ତ୍ତନ ହେଇନାହିଁ । ମୋତେ ଦେଖି ସେ ଭିତରୁ ହିଁ କହିଉଠିଲା ଭିତରକୁ ଆସ ମଳୟ, ବାହାରେ ଛିଡ଼ାହେଇ ରହିଲ ଯେ ? ମୋପାଖକୁ ଆସିବା ପାଇଁ ତମର ଗୋଟେ ପରମିସନ୍‌ କ’ଣ ଦରକାର ?

 

ମୁଁ ଭିତରକୁ ପଶି ଯାଉ ଯାଉ କହିଲି–ଏଣିକି ଆସିବା କିଛି ଦରକାର ନାହିଁ । ତମ ଦେହ କାଳେ ଅସୁସ୍ଥ ସରିତା ? ଭିତରକୁ ଗଲାପରେ ମୋତେ ଗୋଟେ ଚୌକିଉପରେ ବସିବାକୁ କହି ସେ ବିଛଣା ଉପର କାନ୍ଥକୁ ତକିଆ ଦେଇ ଆଉଜିଦେଇ ଆଉଜି ବସିଲା । ମୁଁ ପଚାରିଲି–କ’ଣ ହେଇଚି ତମର ?

 

ନା, ବିଶେଷ କିଛି ନୁହେଁ, ବୋଧହୁଏ ଥଣ୍ଡା ଜ୍ୱର । ଏଇ ଚାରିଟାବେଳେ ମୁଣ୍ଡ ଟିକେ ବିନ୍ଧିବାକୁ ଲାଗିଲା । ମୋର ଧାରଣା ହେଲା ବେଶି ସମୟ ବସି କଥା ଗପି ଗପି ବୋଧେ ମୁଣ୍ଡଟା ବିନ୍ଧୁଚି; ଆଜି ଗୋଟେ ପାର୍ଟି ଆସିଥିଲେ ତ, ତାଙ୍କୁ ଆସିଷ୍ଟ କଲାପରେ ଏମିତି ହେଲା । କିନ୍ତୁ ଠିକ୍‌ ଏଇ ସଞ୍ଜରୁ ହଁ ଟିକେ ଜ୍ୱର ଅନୁଭବ କରୁଚି–କହିସାରି ସେ ବୁଢ଼ାକୁ ଚା’ ଦୁଇକପ୍‌ ତିଆରି କରିବା ପାଇଁ ବରାଦ ଦେଲା । ମୁଁ ବାରଣ କରି କହିଲି ନା ନା କିଛି ଦରକାର ନାହିଁ । ମୁଁ ଏଇନେ ଘରୁ ଖାଇ ଆସୁଚି । ବରଂ ତମପାଇଁ ସେ କରୁ । ଆଛା କିଛି ଔଷଧପତ୍ର ଖାଇଲଣି ?

 

ନାଁ ଆଉ ଖାଇଲି କେତେବେଳେ ? ଶାଶୁ ରୁହନ୍ତି ଯେ ସେ କାଲିଠାରୁ ଘରକୁ ଯାଇଛନ୍ତି-। ଏ ପିଅନଟା ଏକା କୁଆଡ଼େ କ’ଣ କରିବ ? ତାପରେ ତମର ଏଠି ଔଷଧପତ୍ର ପାଖରେ ମିଳିବାର ସମ୍ଭାବନା ନାହିଁ । ଦୁଇମାଇଲ ଦୂରରେ ଡାକ୍ତରଖାନା । ଔଷଧ ଦୋକାନଟା ବି ସେଇଠି-

 

ଆଛା ଠିକ୍‌ ଅଛି, ଥଣ୍ଡାପାଇଁ ମୋପାଖରେ କିଛିଟା ଔଷଧ ଅଛି ବୋଧେ । ମୁଁ ଯାଇ ନେଇଆସୁଚି ।

 

ନା ନା, ମୋର କିଛି ହେଇନାହିଁ । ତମେ ମୋପାଇଁ ଏତେ ବ୍ୟସ୍ତ ହୁଅନାହିଁ । କହି ସରିତା ଚା’ର ଅପେକ୍ଷା ରଖିଲା । ଦୁଇକପ୍‌ ଚା’ ଆଣି ଦେଇଗଲା ପିଅନଟା । ଚା କପ୍‌ରେ ଚୁମକ୍‌ ଦେଉ ଦେଉ ମୋର ସେ ପ୍ରଥମ ଦିନର କୋଲଡ଼ଡ୍ରିଙ୍କ୍‌ କଥା ମନକୁ ଆସୁଥିଲା । ଆଜିସୁଦ୍ଧା ସରିତା ଆଗଭଳି ଔଦାର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ଗୁଣରେ ମହିୟସୀ ମନେହେଉଥିଲା । ପିଛିଲା କଥାଗୁଡ଼ାକ ମନକୁ ଛୁଇଁଯାଉଥିଲା ।

 

ସେଇ ବସ୍‌ଷ୍ଟାଣ୍ଡର ସାକ୍ଷାତ୍‌ ପରେ ମୁଁ କିଛିଟା ଗର୍ବ ଅନୁଭବ କରୁଥିଲି ସରିତାର ଖୋଲା ଆମନ୍ତ୍ରଣ ପାଇଁ । ଠିକ୍‌ ତା’ ପରଦିନ ଅପରାହ୍ନରେ ଗୋଟେ କ୍ଲାସ୍‌ ବନ୍ଦଥିବାରୁ ମୁଁ ଗୋଟାଏ ସିଗାରେଟ୍‌ ଧରେଇ କରିଡ଼ର୍‌ରେ ଛିଡ଼ା ହେଇଥିଲି । ପଛରୁ କାହାର ପାଦଶବ୍ଦରେ ଫେରିଚାହିଁ ଦେଖିଲି ସରିତା ଆସୁଚି । ଗତକାଲିର କଥା ମୋର ମନେଥିଲେ ବି ସେ ମୁହୂର୍ତ୍ତରେ ମୁଁ ଅନ୍ୟ ଚିନ୍ତାରେ ବ୍ୟସ୍ତ ଥିଲି । ସରିତାକୁ ଦେଖି ଖୁସିରେ ପଚାରିଦେଲି–ଆରେ ତମେ ଏଣେ ?

 

ଆପଣଙ୍କ ପାଖକୁ ।

 

ତମେ କେମିତି ଜାଣିଲ ମୁଁ ଏଠି ଛିଡ଼ାହେଇଚି ବୋଲି ?

 

ସାଙ୍ଗରେ ପଢ଼ୁଥିବା ଓ ଭଲଭାବେ ପରିଚିତ ଥିବା କେଉଁ ଯୁବକକୁ ଝିଅଟିଏ ଚିହ୍ନି ନ ପାରିବ ? ଦୂରରୁ ହେଉ ବା ପାଖରୁ ହେଉ ?

 

ମୁଁ ହସିଲି । ପଚାରିଲି–ଆଉ ବୋଧେ କ୍ଲାସ ନଥିବ ତମର ? ଏତେ ସମୟ କ’ଣ କରୁଥିଲ ? ରୁମ୍‌କୁ ଫେରିନଥିଲ ?

 

ନା, ଲାଇବ୍ରେରୀଆଡ଼େ ଯାଇଥିଲି ଯେ ଟିକେ ଡେରି ହେଇଗଲା । ଆପଣ ଏଠି ଏକୁଟିଆ ଛିଡ଼ା ହେଇଛନ୍ତି କାହିଁକି ?

 

ସତେ ତ ମୁଁ ଏଠି ଏକୁଟିଆ ଛିଡ଼ାହେଇଚି ?–ଆକାଶରୁ ଖସିପଡ଼ିଲା ଭଳି କଥାଟା କହିଲି । ସେ ପୁଣି ପ୍ରଶ୍ନକଲା–ତେଣିକି ଚାହିଁ କ’ଣ ଦେଖୁଥିଲେ ?

 

ନା କିଛି ନାହିଁ । ତେବେ ଚାହିଁଥିଲି ସେଇ ନଡ଼ିଆ ଗଛଟାକୁ । ବଡ଼ ସୁନ୍ଦର ହେଇଚ ନୁହେଁ ? ଚମତ୍କାର ପଇଡ଼ କାନ୍ଧି ଝୁଲୁଚି । ଯଥେଷ୍ଟ ଫଳିଚି ଗଛଟା ।

 

ମୋ କଥାଟା ତାକୁ ବୋଧହୁଏ ସହଜ ଜଣାଗଲା ନାହିଁ । କେମିତି ମୁହଁ ଶୁଖେଇ ଦେଲାଭଳି କହିଲା ଆପଣ ପୁରୀଆଡ଼େ ଯାଇନାହାନ୍ତି ? ନଡ଼ିଆଗଛ ଓ ଫଳ ସେଇଠି । ଠିକ୍‌ ସାକ୍ଷୀଗୋପାଳରେ, ଭାରି ଚମତ୍କାର ଦିଶେ ଦୂରକୁ ।

 

ତା’ କଥାଉପରେ ଗୁରୁତ୍ୱ ନ ଦେଇ ମୁଁ ପୁଣି ସେଇ ଗଛଟାକୁ ଚାହିଁ ଚାହିଁ ଅନ୍ୟମନସ୍କ ଭାବେ କହିଲି–ସତରେ ପଇଡ଼ ପାଣି ମଧୁର ?

 

ସେ ଖିଲି ଖିଲି ହସର ଜୁଆର ଛୁଟେଇଦେଲା କରିଡ଼ର ସାରା ଆଉ ପଚାରିଲା–ଆଜିଯାଏ ଆପଣ ପଇଡ଼ ପାଣି ପିଇନାହାନ୍ତି ? ବଡ଼ ଷ୍ଟ୍ରେଞ୍ଜ୍‌ ତ ?

 

ମୁଁ ଗୋଟେ ପ୍ରକାର ଦୟନୀୟ ଡବ୍‌ ଡବ୍‌ ଆଖିରେ ତାକୁ ଅନେଇ କହିଲି ମୋତେ ଗଛ ଚଢ଼ି ଆସେନା । ତାପରେ ସେ କେମିତି ହଠାତ୍‌ ନୀରବ ହେଇଗଲା ଓ ମୋତେ ଥରେ ଜୁଳୁଜୁଳୁ ଆଖିରେ ଚାହିଁ ତଳକୁ ମୁହଁ କରିଦେଲା । ତାପରେ ଡାହାଣ ଗୋଡ଼ରେ ବୁଢ଼ା ଆଙ୍ଗୁଠି ନଖରେ ଘଷିବାରେ ଲାଗିଲା ପକ୍‌କାକୁ । ସତେଯେମିତି ମୋ କଥାର କୌଣସି ଗୁପ୍ତ ଅର୍ଥକୁ ସେ ସହଜରେ ଧରିନେଲା ।

 

ମୁଁ ଆସ୍ତେ କରି ତା’ ପିଠିଉପରେ ହାତ ବାଡ଼େଇଦେଇ କହିଲି ଚାଲ ଯିବା ।

 

ଚା’ ଶେଷ ହେଇନି । ସରିତା ପଚାରିଲା–ତମେ କେବେ ଆସିଲ ଘରକୁ ?

 

ମୁଁ କହିଲି–ଏଇ କାଲି ସଞ୍ଜ ସୁଦ୍ଧା ।

 

–ମୁଁ ତମକୁ ଅନେକ ଖୋଜୁଛି । ଏଠିକି ବଦଳିହେଲା ଦିନ ଭାବିଥିଲି ଏ ନୂଆ ଜାଗାରେ ମୋର କିଛି ଅସୁବିଧା ହେବନି, ଯେହେତୁ ତମ ଘର ଅଛି ଓ କିଛି ନ ହେଲେ ବି ତମ ଘରେ ରହି ମୁଁ ଅଫିସ୍‌ କରିପାରିବି । କିନ୍ତୁ ଏଠି ଆସି ବୁଝେ ଯେ, ସମସ୍ତେ କୁହନ୍ତି ସେ ଅନେକଦିନ ହେଲା ଘରକୁ ଆସିନାହାନ୍ତି । ଆସିବେ କି ନା ମଧ୍ୟ ସନ୍ଦେହଜନକ । ତମ କଥା ଭାବିଲେ ମୋର ମାଲିଆଣୀ ଗପ ମନେପଡ଼େ । ତମେ ତ ଖୁବ୍‌ ଭୋଳା ଲୋକନା ? କେଉଁଠି ଅଟକିଯାଇଚ ବୋଧେ ? ହଁ, ଏବେ ଶୁଣୁଚି କୁଆଡ଼େ ଧନୀ ହେଇଯାଇଚ । ସହରରେ ବେଶ୍‌ ଆରାମରେ ଚଳୁଚ-। ପୂର୍ଣ୍ଣିମାଙ୍କୁ ସାଙ୍ଗରେ ଆଣିଚ ମଳୟ !

 

–ନା, ସେ ଆସେନି ।

 

–ତମେ ଆସିଲାବେଳେ ସେ କ’ଣ କରୁଥିଲେ ?

 

–ସରିତା, ସେ ବିଷୟରେ ମୋତେ କିଛି ପଚାରନା ପ୍ଲିଜ୍‌ । ବରଂ ତମେ କେମିତି ଅଛ କୁହ ?

 

ମୋ କଥା ଶୁଣି ସେ ମୋ ମୁହଁକୁ ତୀକ୍ଷ୍ଣ ଦୃଷ୍ଟିରେ ଲକ୍ଷ୍ୟ କରୁଥିଲା । ଗୋଟାଏ ବାତ୍ୟାବିଧ୍ୱସ୍ତ ପୃଥିବୀର ଛବି ବୋଧେ ତା’ ଆଖିଆଗରେ ନାଚିଉଠୁଥିଲା । ଚା’ କପ୍‌ଟା ତଳେ ଥୋଇଦେଇ ସେ ତା’ ପିଅନ ରାମୁକୁ ଡାକି ବରାଦ ଦେଲା–ଏ ବାବୁ ଆଜି ଖାଇବେ ଆମ ଘରେ, ଭଲ କରି ରୋଷେଇ କରିବ । ଯେଉଁ ଭଜା ମାଛ ଥିଲା ତାକୁ ତରକାରୀ କରିଦେବ । ଆଉ ମୋ ପାଇଁ ଦୁଇଖଣ୍ଡ ପାଉଁରୁଟି ଭାଜିଦେବ, ବୁଝିଲ ?

 

ମୁଁ ପଚାରିଲି–ସତରେ ମୁଣ୍ଡ ବିନ୍ଧୁଚି ? ଦେହରେ ଟେମ୍ପରେଚର ଅଛି ? କଷ୍ଟ ଲାଗୁଚି, ନୁହେଁ ?

 

–ନା, ବିଶେଷ କିଛି ନୁହେଁ, ଚଳିଯାଇ ହେବ ।

 

–ଆଚ୍ଛା ମୁଁ ନ ଗଲେ ତମେ ଏଇ ରାମୁକୁ ପଠାଅ । ମୁଁ ଖଣ୍ଡେ ଚିଠି ଲେଖିଦେଉଚି ସେ ଦୁଇଟା ଆନାଲଜିନ୍‌ ଟାବଲେଟ୍‌ ନେଇଆସୁ ଆମ ଘରୁ ।

 

ସେ ମୋ କଥାକୁ ସମ୍ମତି ଜଣେଇ କହିଲା–ଆଚ୍ଛା ଠିକ୍‌ ଅଛି । ତମ ପାଖରେ କ୍ୟାମ୍ପୋଜ୍‌ ଅଛି ?

 

–ନା, ଏଠି ନାହିଁ । କଟକରେ ଅଛି ବୋଧେ ।

 

–ମୋର ସରିଯାଇଚି ।

 

–ତମେ କ’ଣ କ୍ୟାମ୍ପୋଜ୍‌ ଖାଅ ? –ମୁଁ ବିସ୍ମିତ ହେଇ ପଚାରିଲି ।

 

–ନ ଖାଇଲେ ଭଲ ନିଦ ହୁଏନା ।

 

ମୁଁ ଟିକେ ନୀରବ ରହି ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ଚିଠି ଲେଖିଲି । ତାହା ହିଁ ହେଲା । ମୋଠାରୁ ଚିଠିନେଇ ରାମ ଆମ ଘରକୁ ଗଲା । ଗୋଟାଏ ନିର୍ଜନ ପ୍ରକୋଷ୍ଠ ଭିତରେ ସରିତା ଓ ମୁଁ-। ମୋତେ ଅନେକଟା ଆଶ୍ଚର୍ଯ୍ୟ ଲାଗୁଥିଲା ସରିତାର ସେହି ଘର ବଖରାକ । ସାଧାସିଧା ବଖରାଟାଏ । ଆଧୁନିକ ଢାଞ୍ଚାରେ କୌଣସି ସାଜସଜ୍ଜା ନାହିଁ । ଫଟୋ ଖଣ୍ଡେ କିମ୍ୱା କ୍ୟାଲେଣ୍ଡରଟିଏ ସୁଦ୍ଧା ନାହିଁ । ଗୋଟାଏ କଣରେ ଟେବୁଲ ଓ ଚୌକି ପଡ଼ିଚି । ଟେବୁଲ ଉପରେ ବିଛାଡ଼ି ହେଇପଡ଼ିଚି କେତେଖଣ୍ଡ ବହି ଓ ପତ୍ରିକା । ପଲଙ୍କ ତଳେ ଦୁଇଟା ବଡ଼ ବଡ଼ ଟ୍ରଙ୍କ ଓ ଗୋଟେ ବସ୍ତାରେ କ’ଣ ପଶି ଥୁଆହେଇଚି । ଏପଟେ ଆଲଣାରେ ତା’ର ଶାଢ଼ି ବ୍ଲାଉଜ ଇତ୍ୟାଦି ଝୁଲୁଚି । ଯାଯାବରର ପିଲାଭଳି ଏ ଘର କେବଳ ଉଦାସୀନତାର ଆଶ୍ରୟସ୍ଥଳଟିଏ ।

 

ମୁଁ ପଚାରିଲି–ମହେଶ ବାବୁ କେବେ ଆସିଥିଲେ ?

 

କ’ଣ ବୋଧେ ଭାବୁଥିଲା ସରିତା, ମୋ କଥାରେ ଚମକିଲା ଭଳି କହିଲା–କ’ଣ କହିଲ-?

 

–ତମ ଛ ମାସ ରହଣି ଭିତରେ......

 

–ନା ସେ କେବେ ଆସିନାହିଁ । ଆସିବାର ଆବଶ୍ୟକତା ନାହିଁ କି ସେ ଏତେବାଟରୁ ଆସିବାକୁ ପସନ୍ଦ କରେନା ।

 

–ମହେଶବାବୁ ଏବେ କେଉଁଠି ଅଛନ୍ତି କି ?

 

–କୋରାପୁଟ । ବେଶ୍‌ ଦୁଇ ପଇସା ରୋଜଗାର କରନ୍ତି । ଇନ୍‌କମ୍‌ ଟ୍ୟାକ୍‌ସ ଅଫିସର-। ତା’ ସାଙ୍ଗକୁ ଡ୍ରିଙ୍କ୍‌ କରନ୍ତି ପ୍ରଚୁର ଓ ଆଦିବାସୀ ଝିଅଙ୍କ ସଙ୍ଗରେ...ଖୁବ୍‍ ଶୀଘ୍ର ଶୀଘ୍ର କହିଦେଇ ଆଉ କିଛି କହିବା ପୂର୍ବରୁ ତା’ କଣ୍ଠ ବାଷ୍ପାକୁଳ ହେଇଗଲା ଓ ମୁଁ କିଛି ସମୟ ପାଇଁ ହତମ୍ଭମ୍ୱ ହେଇପଡ଼ିଲି । ତାପରେ ସେ ଖୁବ୍‌ କଷ୍ଟରେ କହିଲା–ମୋ ମୁଣ୍ଡଟା ଭୀଷଣ ବିନ୍ଧୁଚି ମଳୟ ! ଟିକେ ଚିପିଦିଅନ୍ତ ନାହିଁ !’

 

ମୁଁ ମଧ୍ୟ ବ୍ୟସ୍ତତା ପ୍ରକାଶ କରି କହିଲି–ତମେ ଶୋଇଯାଅ ସରିତା, ମୁଁ ତମ ମୁଣ୍ଡ ଚିପିଦେବି । ଚେୟାର ଛାଡ଼ି ମୁଁ ତା’ ବେଡଉପରେ ବସିଲି ଓ ସେ ସଯତ୍ନେ ଶୋଇଯାଇ କିଛିଟା ଉପଶମ ଆଶାରେ ଆଖି ମୁଦିଦେଲା । ମୁଁ ତା’ ମୁଣ୍ଡର ଅଧା କପାଳିରେ ହାତଦେଇ ଦେଖିଲି ପ୍ରକୃତରେ ଧକ୍‌ ଧକ୍‌ ହେଉଚି । ଅଳ୍ପ ଉତ୍ତାପ ମଧ୍ୟ ଅଛି । ଅନ୍ୟ ଯେକୌଣସି ଝିଅ ହେଇଥିଲେ ଏମିତି ନିର୍ଦ୍ୱନ୍ଦ୍ୱରେ ବେଡ୍‌ ଉପରେ ବସି ତା’ ମୁଣ୍ଡ ଚିପିଦେବା ପାଇଁ ମୋର ସାହସ ହେଇନଥାନ୍ତା କିମ୍ୱା ମୁଁ ଉଚିତ ମନେକରିନଥାନ୍ତି । ହୁଏତ ମୋ ଛାତିଥରା ଆରମ୍ଭ ହେଇଯାଇଥାଆନ୍ତା । କିନ୍ତୁ ସରିତାର ମୁଣ୍ଡଉପରେ ହାତଥୋଇବା ଏ ମୋର ପ୍ରଥମ ନୁହେଁ । ଯେଉଁଦିନ ବର୍ଷାରେ ଭିଜି ଭିଜି ସେ ମୋ ରୁମ୍‌କୁ ଆସିଥିଲା ସେଦିନ ମୁଁ ତା’ ମୁଣ୍ଡଚିପି ଦେଇଥିଲି ଠିକ୍‌ ଏମିତି । ତା’ ପାଇଁ ପାଉଁରୁଟି ଭାଜି ଦେଇଥିଲି, ଅଣ୍ଡା ଆମଲେଟ୍‌ ବନେଇଥିଲି । ଜ୍ୱର ବଢ଼ିଯିବା ସଙ୍ଗେ ସଙ୍ଗେ ଡାକ୍ତର ଡାକିଆଣି ଔଷଧ ଖୁଆଇଥିଲି । ମୁଁ ଭାବିଥିଲି ସରିତା ସମ୍ପୂର୍ଣ୍ଣ ମୋର । କ୍ଲାସ୍ ସରିଲେ ସେ ଆସେ ମୋ ରୁମ୍‌କୁ । ସାଙ୍ଗ ହେଇ ଟିଫିନ୍‌ ଖାଇବାକୁ ଯାଉ, ବସି ପଢ଼ୁ । ଏପରିକି ଦିନେ ଦିନେ ଅସୁବିଧା ହେଲେ ସେ ମୋ ରୁମ୍‌ରେ ରହିଯାଏ । ଅବଶ୍ୟ ଆମ ସମ୍ପର୍କଟା ଗୋଟେ ଉଚ୍ଚ ମାନସିକ ସ୍ତରରେ ଆବଦ୍ଧ ଥିଲା । କିନ୍ତୁ ଏ କଥାଟାକୁ କେହି ସହଜରେ ଗ୍ରହଣ କରିପାରୁନଥିଲେ । ସାଙ୍ଗସାଥିମାନଙ୍କଠାରୁ ଶିକ୍ଷକମାନଙ୍କ ପର୍ଯ୍ୟନ୍ତ ଆମ ସମ୍ପର୍କରେ ଗୋଟିଏ ମତାମତ ଦିଅନ୍ତି । ତାଙ୍କର ସବୁ ଠିକ୍‌ଠାକ୍‌ ହେଇଯାଇଚି । କଲେଜରୁ ଛୁଟିହେଲେ ଏକାଠି ରହିବେ ।

 

ବେଳେବେଳେ କଥାଟା ମୋ ମନରେ ଘୋର ପ୍ରତିକ୍ରିୟା ସୃଷ୍ଟି କରେ । ସରିତା ମୋ ଜୀବନ ଭିତରକୁ ଆସି ମୋତେ ସୀମାବଦ୍ଧ କରେଇଚି ଯେତିକି, ଦ୍ୱନ୍ଦ୍ୱ ଓ ଉତ୍କଣ୍ଠା ଭିତରେ ରଖିଚି ସେତିକି । ଆମେ ଏତେ ନିକଟରେ ଥାଇ ସୁଦ୍ଧା କେହି କାହାକୁ ଦାମ୍ପତ୍ୟ ସମ୍ପର୍କରେ ପ୍ରଶ୍ନ କରିପାରିନାହୁଁ ଶେଷ ପର୍ଯ୍ୟନ୍ତ । ସରିତା ଝିଅ ସତ; କିନ୍ତୁ ଝିଅଙ୍କ ସଙ୍ଗରେ ତା’ର ସମ୍ପର୍କ ଥିଲା ଖୁବ୍‌ କମ୍‌ । ଯେତେଟା ମୋ ସାଙ୍ଗରେ ଥିଲା ତାଠାରୁ ମଧ୍ୟ ଯଥେଷ୍ଟ କମ୍ । ସେ ଆଉ ମୁଁ ଯେମିତି ଗୋଟିଏ ପରିବାରର ଦୁଇଟି ସଭ୍ୟ । ଦୁଇଟି ସରଳରେଖା ସମାନ ଦୂରତାରେ ଆଗକୁ ମାଡ଼ିଚାଲିଚି-

Unknown

 

ମୋ ଘରକୁ ସରିତା ଆସିବାଟା ପ୍ରଥମେ ମୋତେ ମଧ୍ୟ ଅବିଶ୍ୱାସ ବୋଧ ହେଇଥିଲା । କିନ୍ତୁ ସେ କିଛି ନ ଭାବି ନ ଚିନ୍ତି ଆସିଥିଲା ଏବଂ ତା’ ପରିବାରର ଲୋକଙ୍କୁ ମଧ୍ୟ ମଝିରେ ମଝିରେ ମୋ ପାଖରେ ଛାଡ଼ି ଦେଇଥିଲା । ୟା’ଫଳରେ ଆମର ମିଳାମିଶା ଗୋଟେ ସୁସ୍ଥ ସାମାଜିକତାର ଅପେକ୍ଷା ରଖୁଥିଲା । ଦିନକର ଘଟଣା ମନେପଡ଼ୁଚି । ନିର୍ଧୂମ ଖରାଟାରେ ମୁଁ ରୁମ୍‌କୁ ଫେରୁଚି ରିକ୍‌ସାରେ । ଗୋଟାଏ ପୋଲଉପରୁ ରିକ୍‌ସା ଗଡ଼େଇଦେଇ ରିକ୍‌ସାବାଲା ବ୍ରେକ୍‌ ସମ୍ଭାଳି ନ ପରିବାରୁ ସାଏଁ କରି ରିକ୍‌ସାଟା ଲେଉଟିପଡ଼ିଲା ଓ ମୁଁ ପିଟିହେଇ ପଡ଼ିଲି ରାସ୍ତାଉପରେ । ଉଠିବାକୁ ଚେଷ୍ଟାକରି ଆଉ ଉଠିପାରିଲି ନାହିଁ । ଛାତି ସମେତ ବାଁ’ପଟଟା ପୂରାପୂରି ଅଚଳ ହେଇଗଲା । ବହୁ କଷ୍ଟରେ ରିକ୍‌ସାବାଲା ମୋତେ ଉଠେଇ ସାମ୍ନା ଦୋକାନର ବେଞ୍ଚ ଉପରକୁ ନେଲା ଓ ପରେ ରିକ୍‌ସା ଉଠେଇଲା ବେଳକୁ ଦେଖିଲା ଚକାଗୁଡ଼ାକ ପୂରା ବେଣ୍ଡ ହୋଇଯାଇଚି । ବଡ଼ ମନକଷ୍ଟରେ ମୋ ପାଖକୁ ଫେରିଆସି କହିଲା–ବାବୁ, ଆପଣଙ୍କର କ’ଣ ହେଇଚି ?

 

ମୁଁ କିଛି କହିପାରିଲି ନାହିଁ । ତାପରେ ସେ ମୋ ସାର୍ଟର ବଟମ୍‌ ଖୋଲି ବାଁ ହାତକୁ ଟାଣିଲା ଓ ଛାତିଉପରେ ଆସ୍ତେ ଆସ୍ତେ ହାତରେ ଚାପାଦେଲା । ତାପରେ ମୋତେ ଛିଡ଼ାହେବାକୁ କହିଲା । କିନ୍ତୁ ମୁଁ ଛିଡ଼ା ହେଇପାରିଲି ନାହିଁ । ସେତେବେଳକୁ ପାଖ ଦୋକାନର ଲୋକ ମୋ ପାଖରେ ଭିଡ଼ ଜମେଇ ଦେଇଥିଲେ ଓ କେହି କେହି ମୋ ଗୋଡ଼ହାତ ଧରି ଟଣାଓଟରା କରୁଥିଲେ-। ବହୁ କଷ୍ଟରେ ମୁଁ କଥା କହିବାକୁ ଚେଷ୍ଟା କଲି । ମାତ୍ର ଛାତିରେ ଏତେ ଯନ୍ତ୍ରଣା ହେଉଥାଏ ଯେ ଉଚ୍ଚାରିତ ଶବ୍ଦ ବିଭଙ୍ଗ ହେଉଥାଏ । ଶେଷରେ ଆଉ ଗୋଟାଏ ରିକ୍‌ସା ଡାକି ଲୋକମାନେ ମୋ ସହିତ ସେ ରିକ୍‌ସାବାଲାକୁ ଡାକ୍ତରଖାନା ପଠାଇଲେ । ମୁଁ କଥା କହିବାକୁ ଚେଷ୍ଟା କଲାମାତ୍ରେ ଯନ୍ତ୍ରଣା ହେଉଥିଲା । ଡାକ୍ତର କିଛି ଔଷଧ ଲେଖିଦେଲେ ଖାଇବାକୁ ଓ କହିଲେ ଯଥାଶୀଘ୍ର ଛାତିରେ କଞ୍ଚା ଅଣ୍ଡାର କେଶର ଘଷିବା ପାଇଁ । ସଙ୍ଗେ ସଙ୍ଗେ ଔଷଧ କିଣି ରିକ୍‌ସାବାଲାଟା ଅଣ୍ଡା ଦୋକାନକୁ ଦୌଡ଼ିଗଲା ଓ ପାଞ୍ଚଟା ଦେଶୀ ଅଣ୍ଡା ଆଣି ମୋ ପାଖରେ ବସିଲା । ରିକ୍‌ସା ଫେରିଲା ମୋ ରୁମ୍‌କୁ । ପୂର୍ବରୁ ମୋ ରୁମ୍‌ ଖୋଲି ସରିତା କ’ଣ ଗୋଟେ ପଢ଼ୁଥିଲା । ରିକ୍‌ସାବାଲା ମୋତେ ଧରାଧରି କରି ଉଠେଇନେବାର ଦୃଶ୍ୟ ଦେଖିବା ମାତ୍ରେ ଦୌଡ଼ିଆସି ଟେକିନେବାରେ ସେମାନଙ୍କୁ ସହଯୋଗ କଲା । ମୋତେ ବେଡ୍‌ ଉପରେ ଶୁଆଇଦେଲା ପରେ ଔଷଧପତ୍ର ଯଥାରୀତି ସଜାଡ଼ି ରଖୁ ରଖୁ ରିକ୍‌ସାବାଲାଟା କହିଲା ମା’ ଡାକ୍ତର କହିଛନ୍ତି ଏଇ ସଙ୍ଗେ ସଙ୍ଗେ ବାବୁଙ୍କ ଛାତିରେ ଗୋଟାଏ ଅଣ୍ଡାର କେଶର ଘଷିଦେବ । ରିକ୍‌ସାଟା ଓଲଟିପଡ଼ିବାରୁ ବାବୁଙ୍କ ଛାତିଟାରେ ଖୁବ୍‌ ଜୋରରେ ମାଡ଼ ହେଇଯାଇଚି ।

 

ସରିତା ସେ ସମ୍ପର୍କରେ ବ୍ୟଥିତ ନ ହୋଇ ଘରକୁ ଆସିଲା ଓ ଡ୍ର ଖୋଲି ପଇସା ନେଲା ରିକ୍‌ସାବାଲାଙ୍କୁ ଦେବାପାଇଁ । ସେମାନେ କିନ୍ତୁ ପଇସା ନ ନେବାକୁ କହି ଚାଲିଗଲେ । ତାପରେ ସେ ମୋ ପାଖକୁ ଆସିଲା ଓ ମୋ ସାର୍ଟଟାକୁ ଖୋଲିଦେଲା । ଗେଞ୍ଜିଟା କାଢ଼ି ବାହାର କରିଦେଲା-। ଦୁଇଟା ଟାବଲେଟ୍‌ ମୋ ପାଟିରେ ଥୋଇ ପାଣି ଦେବାମାତ୍ରେ ମୁଁ ଢୋକିଦେଲି ବହୁ କଷ୍ଟରେ ଓ ସେ ମୋ ଛାତି ଉପରେ ଗୋଟାଏ ଅଣ୍ଡାର କେଶର ଆଣି ଘଷିବାକୁ ଲାଗିଲା । ଆଖି ମୁଦି ମୁଁ ଅନେକ ସମୟ ପଡ଼ିରହିଲି । ଯେତେବେଳେ ଆଖି ଖୋଲି ଦେଖିଲି ସରିତା ଆଖିରେ ଲୁହ ଜକେଇ ଯାଇଚି, ମୁଁ ବିସ୍ମିତ ହେଲି । ଦୀର୍ଘ କିଛିଦିନର ନିବିଡ଼ ସମ୍ପର୍କ ଭିତରେ ସରିତା ଆଖିରେ ଲୁହ ଦେଖିବା ଏହା ମୋର ପ୍ରଥମଥର ଥିଲା । ସେ ପର୍ଯ୍ୟନ୍ତ ମୁଁ ଜାଣିଥିଲି ସରିତା ଗୋଟାଏ ଝିଅ, ଖାଣ୍ଟି ପୁଅଙ୍କ ଭଳି । କିନ୍ତୁ ସେଦିନ ଜାଣିଲି ସେ ହୃଦୟବତୀଟିଏ । ପ୍ରକୃତରେ ସେଇଦିନ ମୋ ପରୀକ୍ଷାର ପର୍ବ ଶେଷ ହେଇଥିଲା ଓ ନିଶ୍ଚିତ ହେଇଥିଲି ଯେ, ସେ ମୋ ମନର କେଉଁ ନିଭୃତ କୋଣରେ ଆସନ ପାତିଚି ଆଉ ମୋତେ ମଧ୍ୟ ସେତିକି ଆପଣାର କରିନେଇଚି । ସେଇ କେତେଦିନ ସେ ମୋତେ ଲୁଗା ପିନ୍ଧେଇବାଠାରୁ ଶୁଖାଇବା ଏବଂ ଝାଡ଼ା ଯିବାରେ ସାହାଯ୍ୟ କରବା ପର୍ଯ୍ୟନ୍ତ କାମ କରିଚି । ସତେ ଯେମିତି ମୋର ଖୁବ୍‌ ନିକଟର ନିଜଭଳି ଚରିତ୍ରଟିଏ । ଅନେକଥର ସରିତା ତାଙ୍କ ଘରୁ ଆସିବା ପରେ ମୁଁ ଗୋଟାଏ କଥା କହିଚି ତମେ ଘରକୁ ଚାଲିଗଲେ ମୋତେ ଏକା ଏକା ରହିବାକୁ କଷ୍ଟ ହୁଏ ସରିତା !

 

ଥାଉ, କାଟୁଚି–କହି ସରିତା ତା’ ଆଖି ଖୋଲିଲା । ବାଁ ହାତରେ ମୋ ହାତ ପାପୁଲିକୁ ଉଠେଇନେଇ ବେକ ପାଖରେ ରଖି କହିଲା–ଦେଖିଲ କେମିତି ଝାଳ ବୋହୁଚି ?

 

ମୁଁ କିଛି କହିବାକୁ ଯାଉଥିଲି । ରାମ ଆସି ପହଞ୍ଚିବାରୁ ସରିତା ଗୋଟେ ଆନାଲଜିନ୍‌ ଖାଇଲା ଓ ପୁଣି ଟିକେ ଆଖି ମୁଦିଦେଲା । ରାମ ତା’ କାମରେ ପୁଣି ରୋଷେଇ ଘରକୁ ଚାଲିଗଲା-। ମୁଁ ତା’ ବେକ ଉପରୁ ହାତଟା କାଢ଼ିଆଣି ତା’ ମୁଦ୍ରିତ ଆଖିକୁ ଦେଖୁଥିଲି । କି ଚମତ୍କାର ସେ ଆଖି-! ଗୋଟାଏ ସରୁ ଲମ୍ୱ ଶଙ୍ଖ ଭଳି ବେଶ୍‌ ଆକର୍ଷଣୀୟ । ୟା’ ଭିତରେ ସେ ଆଖିର କିଛି ବୋଲି ପରିବର୍ତ୍ତନ ହେଇନି । ଦେହଟାରେ ମଧ୍ୟ ସେମିତି ଆଗଭଳି ଢେଉ ଖେଳୁଚି ଯୌବନ-। ମୁଁ ସରିତାର ଦୁଃଖ କିଛି ପରିମାଣରେ ଅନୁମାନ କରିପାରୁଥିଲି । ଜୀବନର ଗତିକୁ କିପରି ପରିସ୍ଥିତି ଓ ପରିବେଶ ବଦଳେଇଦେଇଚି ତା’ ମୋତେ ନୂଆ ନ ଲାଗୁଥିଲେ ବି କେବଳ ସରିତା ପାଇଁ ଦୁଃଖ ଆସୁଥିଲା । କିଛି ସମୟ ପରେ ସେ ପୁଣି କହିଲା–ଦେଖନା ମଳୟ କେତେ ଜୋରରେ ଝାଳ ବହିଲାଣି ? ମୁଁ କହିଲି–ଔଷଧଟା ଖାଇଲ ତ, ଜ୍ୱରଟା ଓହ୍ଲେଇଯାଉଚି ବୋଧେ ।

 

ମଳୟ ! ପୁନିର ଯତ୍ନ ତମେ ଏମିତି ନିଅ ତ ? କହି ସେ ମୋ ମୁହଁକୁ ଚାହିଁଲା । ମୁଁ କିଛି କହିଲିନି । ସେ ପୁଣି ଆରମ୍ଭ କଲା–ପୁନିକୁ ପାଇ ତମେ କ’ଣ ଜୀବନରେ ସୁଖି ହେଇନା ? ଏଇ ଜାଗାକୁ ଆସିଲା ପରେ ମୁଁ ତମର ସମସ୍ତ ଖବର ରଖିଚି । ପୁନିର ବେଶ୍‌ ଦୁଇପଇସା ଆଉଟ୍‌ ଇନ୍‌କମ୍‌ ହୁଏ । ସେ ତମପାଇଁ ସହରରେ ଘରଖଣ୍ଡେ କରିଦେଇଚି । ୟା’ପରେ ତମେ କହିପାରିବ ପୁନି ସହ ତମର ସମ୍ପର୍କ ନାହିଁ ବୋଲି ?

 

ପଇସା, ଘରକୁ ନେଇ ଦାମ୍ପତ୍ୟର ମୂଲ୍ୟ ନିର୍ଦ୍ଧାରଣ କରାଯାଏନା ସରିତା । ତା’ ଊର୍ଦ୍ଧ୍ୱରେ ଆଉ ଗୋଟାଏ କିଛି ଅଛି, ଯାହା ନିକଟରେ ଏ ସବୁ ତୁଚ୍ଛ, ଅଳିକ ମାତ୍ର । ସେଇ କିଛିଟା ହିଁ ମୋ ଧାରଣାରେ ପ୍ରକୃତ ଅର୍ଥ ଦାମ୍ପତ୍ୟର ।

 

ତାପରେ ସେ କିଛି କହିଲାନି । ଉପର ଛାତକୁ ଚାହିଁ ଶୋଇ ରହିଲା । ମୁଁ ନୀରବରେ ଗାଲରେ ହାତଦେଇ ବସି ରହିଲି ଓ ଅନୁଭବ କରୁଥିଲି ମୋ ଭିତରେ କିଏ ଗୋଟାଏ ଝପ୍‌ ଝପ୍‌ ହେଇ ଦୌଡ଼ୁଚି ଅନ୍ଧାରରେ ଘୋଡ଼ାଟାପୁର ଶବ୍ଦ ଭଳି । ସିଏ କ’ଣ ସ୍ମୃତି ?

 

ବାହାରର ଜନମତ ଓ ସମ୍ପର୍କକୁ ଆମର ମିଳେଇ ଦେଖିଲେ କିଛିଟା ସାମଞ୍ଜସ୍ୟ ଥିବାପରି ମୋର ମନେହେଉଥିଲା । ସରିତା ମୋ ଜୀବନ, ମୋ ହୃଦୟର ଉତ୍ସ ବୋଲି ମୁଁ ଧରିନେଇଥିଲି । ସାଙ୍ଗମାନଙ୍କ ସଙ୍ଗରେ ପିକ୍‌ନିକ୍‌ ଯିବା ମଉଜ ମଜଲିସ୍‌ରେ ମୋ ସଂସ୍ପର୍ଶରେ ଆସିବା ପରଠୁ ହିଁ ସରିତା ଭାଗନେଇଥିଲା । ଆମେ ପ୍ରଥମେ ଯେତେଜଣ ବସି ମିଟିଂ କରିଥିଲୁ ତା’ ସହ କ୍ଲାସ୍ ସମ୍ପର୍କରେ ଆଲୋଚନା କରିବାପାଇଁ ସେମାନେ ଏବେ ମୋତେ ଥଟ୍ଟାରେ କେତେକଥା କହନ୍ତି । ମୁଁ ସବୁ ଶୁଣେ; କିନ୍ତୁ କହିପାରେନା । କହିପାରେନା ଏଇଥିପାଇଁ ଯେ କହିଲେ କିଛି ଭାଭ ହେବନାହିଁ । ବରଂ ଆମେ ପରସ୍ପରକୁ ଭଲଭାବେ ବୁଝିବାକୁ ଚେଷ୍ଟା କରୁଥିଲୁ । ସରିତା ଲେମ୍ୱୁ ଖାଇବାକୁ ଖୁବ୍‌ ଭଲପାଏ । ପ୍ରତିଦିନ ଦୁଇଟା ଲେମ୍ବୁ ଆଣିବ ଇ ଆଣିବ । ତାପରେ ତା’ ପରିବାରର ଆର୍ଥିକ ସ୍ୱଚ୍ଛଳତା ବେଶ୍‌ ଭଲ ଥିଲା । ସେ ବହୁତ ପଇସା ଆଣୁଥିଲା ଓ ଆମ ଦୁହିଁଙ୍କ ଖର୍ଚ୍ଚରେ ଲଗାଉଥିଲା । ଏପିରିକି ମୋ ଦାଢ଼ି କାଟିବା ଓ ଦରମା ଦେବା ପର୍ଯ୍ୟନ୍ତ ସେ ଚଳାଇ ନେଉଥିଲା । ପ୍ରଥମେ ମୋତେ ଏ କଥାଟା ଖରାପ ଲାଗୁଥିଲା । କିନ୍ତୁ ପରେ ଦେହସୁହା ହୋଇଯିବାରୁ ସାଧାରଣ ମନେହେଲା ।

 

ଦିନେ ସଞ୍ଜରେ ବସି ଖବରକାଗଜ ପଢ଼ୁ ପଢ଼ୁ ଗୋଟାଏ ସାନ ପିଲା ଆସି ପହଞ୍ଚିଲା ଓ ଆମପାଖରେ ଚାକିରି କରିବାକୁ କହିଲା । ମୁଁ ସଫା ମନାକରିଦେଲାରୁ ସରିତାଆଡ଼କୁ ଚାହିଁ କହିଲା–ମା’ ଆପଣ ବାବୁଙ୍କୁ ବୁଝେଇଦିଅ । ଆପଣ ଏକୁଟିଆ ସବୁକାମ କରିପାରୁନଥିବେ । ମୁଁ ରହିଲେ ବାସନ ମାଜିଦେବି, ଲୁଗା ସଫା କରିଦେବି, ତମର ବହୁତ କାମ କରିବି ।

 

ସରିତା ଉତ୍ତର ଦେଲା–ଆରେ ବାବୁ ଆମେ ପରା ଗୋଟାଏ ପିଲା ରଖିଚୁ ସେ ସବୁ କାମ କରିବାପାଇଁ । ପୁଣି ତୋତେ ରଖି କ’ଣ କରିବୁ ? ବରଂ ତୁ ଯା’ ଆଗରେ ସେ ଯେଉଁ କ୍ୱାଟରଗୁଡ଼ା ଦିଶୁଚି ସେଇଠି ବୁଝିବୁ, ସେମାନଙ୍କର ପିଲା ଦରକାର ।

 

ପିଲାଟା ମୁହଁ ଶୁଖାଇ ଚାଲିଗଲା । ସରିତା ଟିକେ ଅନ୍ୟସନସ୍କ ହୋଇ କ’ଣ ଭାବୁଥିଲା-। ତାକୁ ଲକ୍ଷ୍ୟକରି ମୁଁ କହିଲି–ସମସ୍ତେ ଯାହା କହୁଛନ୍ତି ସେଇଟା କ’ଣ ସତ ?

 

କୋଉ କଥା ?

 

ଏଇ ଚାକର ପିଲାଟା ଯାହା କହିଗଲା, ମୁଁ ବାବୁ ଆଉ ତମେ ମା’ ?

 

ସେ କେବଳ ଅଳ୍ପ ଟିକେ ହସିଲା ଓ ଗୋଟାଏ ଶକ୍ତ ଲମ୍ୱା ଦୀର୍ଘଶ୍ୱାସ ଛାଡ଼ି କହିଲା–ସମୟ ବଡ଼ ବଳବାନ ମଳୟ ! ତାକୁ ସମ୍ମାନ ଦେବାକୁ ହେବ ।

 

ମୁଁ ବେଶୀ କିଛି ପଚାରିବାକୁ ସାହସ କଲିନି । କାରଣ ମୋ ଉପରେ ତା’ର ଯେଉଁ ଧାରଣା ଅଛି ତାହା ଭାଙ୍ଗିନଯାଉ । ବରଂ ତା’ ତରଫରୁ ସେ ମୋତେ କିଛି କହିଲେ ମୁଁ ଖୁସିହେବି । ଏମିତି ଗୋଟେ ଝୁଙ୍କ୍‌ରେ ଆମ କଲେଜ ଜୀବନ ସରିଲା । ଚିଠିପତ୍ର ଯୋଗାଯୋଗ ମଧ୍ୟ କ୍ରମଶଃ କମିଗଲା ।

 

ତମେ ତାହେଲେ ସମସ୍ତେ ସମ୍ପତ୍ତି ଭିତରେ ଅବଶୋଷରେ ବଞ୍ଚୁଚ ? କହିଲା ସରିତା ।

 

ତମେ କ’ଣ ଜିତିଯାଇ ସୌଭାଗ୍ୟ ଲାଭ କରିଚ ଖୁସିହେବାର ?

 

ମୁଁ ଭୁଲ୍ କରିଚି–ସେ ଭୁଲ୍‌ର ପରିଣାମ ସାରା ଜୀବନଯାକ ଭୋଗିବାକୁ ପଡ଼ିବ । ମୋ ଚାରିକଡ଼ରେ ଗୋଟାଏ ଶକ୍ତ ଜାଲ ବିଛାଡ଼ି ହେଇପଡ଼ିଚି । ଯାହା ଭିତରୁ ପଳାଇଯିବା ସହଜ ନୁହେଁ-

 

ମୁଁ ଭୁଲ୍ ବାଟକୁ ଟାଣି ହେଇଯାଇଚି ନିରୁପାୟ ହେଇ ।

 

ତମେ ମୋ ଭିତରେ ବଞ୍ଚି ରହିବ ଚିରକାଳ ।

 

ବୋଧହୁଏ ତମେ ଭାବିଥିଲ ପୃଥିବୀର ପୁରୁଷ ଜାତିଟା ସମାନ ? ଯାହାପାଖରେ ନିଜକୁ ସମର୍ପିଦେଲେ ବି ଯତ୍ନ ନେବ, ଆଦର କରିବ ?

 

ସତ କହୁଚି, ମୁଁ ଆପ୍ରାଣ ଚେଷ୍ଟା କରିଚି ତାଙ୍କୁ ସୁପଥରେ ପରିଚାଳିତ କରିବାପାଇଁ ।

 

ମୁଁ ମଧ୍ୟ ଚାହିଁନଥିଲି ପୁନି ଚାକିରି କରୁ । ମୋଟା ଅଙ୍କରେ ଆଉଟ୍‌ ଇନ୍‌କମ୍‌ କରୁ ।

 

କିନ୍ତୁ ମୁଁ ଚାକିରି ନକଲେ ବଞ୍ଚିପାରିବିନି ଭାବି ଚାକିରି କଲି ।

 

–ମୁଁ ଚାହୁଁଥିଲି ସ୍ତ୍ରୀମାନେ ହିଁ ସ୍ତ୍ରୀ ।

 

–ମୋର ଆବଶ୍ୟକ ଥିଲା ସ୍ୱାମୀ ହିଁ ସ୍ୱାମୀ । ମୁଁ କେବଳ ଦାସୀ, ସେବିକା । ସେ ମୋ ଇହକାଳ ପରକାଳର ଦେବତା, ପତି ପରମ ଗୁରୁ ।

 

–ମୁଁ ପାଇଲିନି ।

 

–ମୁଁ ହରେଇବି, ଆଉ ଫେରିପାଇବିନି ।

 

–ତମର କ’ଣ ମନେପଡ଼େ ସେ ଅତୀତ ?

 

–ପ୍ରତି ମୁହୂର୍ତ୍ତରେ ।

 

–ଲୁହ ଝରାଅ ?

 

–ନା, ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରେ ପରଜନ୍ମରେ ଯେମିତି ଏ ଭୁଲ୍‌ ନ ହୁଏ ।

 

–ମୁଁ କିଛି ଚାହେଁନା କି ଖୋଜେନା । ସବୁକଥାକୁ ଏକ୍‌ସପେରିମେଣ୍ଟ ବୋଲି ଧରିନିଏ ।

 

–ଛଳନାରେ ବଞ୍ଚିହୁଏନା କି ଜୀବନ ନ ଥାଏ, ଯାହା କେବଳ ନିଜକୁ ଠକିବା ହିଁ ସାର ହୁଏ ।

 

–ତମ ଚାକିରି କରିବାଟା କ’ଣ ଈପ୍‌ସିତ ଚରିତାର୍ଥ ?

 

–ଜୀବନ ବଞ୍ଚେଇବା ପାଇଁ–ଦୁନିଆଁ ଦାଣ୍ଡରେ ଗୋଡ଼ ଭିଡ଼ି ଛିଡ଼ା ହେବାପାଇଁ ।

 

–ଏଠିକି ନ ଆସି ତମେ ମହେଶ’ର ନିକଟ ଅଞ୍ଚଳରେ କେଉଁଠି ରହିପାରିଥାଆନ୍ତ ? ଅନ୍ୟ କେଉଁ ଉପାୟରେ ?

 

–ତମ ମେଟିର ମାୟାରେ ।

 

–ଲାଭ କ’ଣ ?

 

–ତମ ପରିବାରଙ୍କ ସାନ୍ନିଧ୍ୟ ପାଇବା ଆଶାରେ, ପବିତ୍ର ମନୋଭାବ ନେଇ ବଞ୍ଚି ଶିଖିବା ଇଚ୍ଛାରେ ।

 

–ତମେ ଆଉ ତା’ ପାଖକୁ ଫେରିଯିବ ନାହିଁ ?

 

–ମୁଁ ଚାହିଁଲେ ମଧ୍ୟ ସେ ଚାହିଁବ ନାହିଁ ।

 

ମୁଁ କିଛି ସମୟ ନୀରବ ରହିଲି ବ୍ୟସ୍ତତାରେ । ଅଜଣା ରାସ୍ତାରେ ଚାଲିଯିବାର ଭୟ ମୋତେ ବିବ୍ରତ କରୁଥିଲା ।

 

ମୁଁ କାନ୍ଥକୁ ଚାହିଁ ଦେଖୁଥିଲି ଅନେକ ସମୟ ଧରି ଗୋଟାଏ ଦୃଶ୍ୟ । ସେଇଟା ଏମିତି ବିବଦମାନ ସମସ୍ୟାର ଘଟଣା । ଦୁଇଟା ଅଣ୍ଡିରା ଝିଟିପିଟି ଗୋଟାଏ ମାଈ ଝିଟିପିଟି ପଛେ ପଛେ ଦୌଡ଼ୁଥିଲେ । ସେ ଦୁଇଟାଙ୍କ ଭିତରୁ ଅପେକ୍ଷାକୃତ ଜଣକଠାରୁ ଆରଟା ବଡ଼ ! ପ୍ରଥମେ ସେଇ ସାନ ଝିଟିପିଟିଟା ହିଁ ମାଈ ଝିଟିପିଟିଟାର ପିଛା ଧରିଥିଲା ଓ ତା’ କାନରେ କ’ଣ ସବୁ ଚୁପ୍‌ଚାପ୍‌ କହିଯାଉଥିଲା । ଦୁହେଁ ପରସ୍ପରକୁ ଥରେ ଚୁମା ଦେବାପରେ ଆଗପଛ ଚାଲୁଥିଲେ । ମାତ୍ର ଅଧାବାଟରେ ହଠାତ୍‌ ସେଇ ବଡ଼ ଝିଟିପିଟିଟା ହାବୁଡ଼ିଯାଇ ଜୋର କରି ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଲା ଓ ସାନଟା ସହିତ ଲଢ଼େଇ କରି ତଳକୁ ଫିଙ୍ଗିଦେଲା । ତାପରେ ସେ ମଧ୍ୟ ମାଈ ଝିଟିପିଟିକୁ ଚୁମାଦେଇ କ’ଣ ସବୁ କହିଗଲା । ଏଇ ଅବସରରେ ସାନ ଝିଟିପିଟିଟା ପୁଣି ଉଠି ସେମାନଙ୍କ ପାଖକୁ ଗଲା । ଆଗଭଳି ସେ ଦୁହିଁଙ୍କ ଭିତରେ ମେଳ ସଂଘର୍ଷ ଆରମ୍ଭ ହେଲା । ଠିକ୍‌ ଏଇ ସମୟରେ ରାମ ଗୋଟାଏ ସସ୍‌ପେନ୍‌ରେ କିଛି ଫୁଟନ୍ତା ଗରମ ପାଣି ଆଣି ସେହି କାନ୍ଥ କଡ଼ରେ ରଖିଦେଇ ଗଲା । ଝିଟିପିଟି ଦୁଇଟା ଝଗଡ଼ା କରୁ କରୁ କୁଣ୍ଢାକୁଣ୍ଢି ହେଇ ଭୁସ୍‌ କରି କାନ୍ଥରୁ ଆସି ପଡ଼ିଲେ ସେ ଗରମ ପାଣିର ସସ୍‌ପେନ୍‌ ଭିତରକୁ । ମୁଁ ଆଶ୍ଚର୍ଯ୍ୟ ହେଇଗଲି ଦୁଇଟି ଜୀବନର ବିପର୍ଯ୍ୟୟ ଦେଖି ଓ ଆହୁରି ଆଶ୍ଚର୍ଯ୍ୟ ହେଲି ଯେ, ମାଈ ଝିଟିପିଟିଟା ଅପଲକ ନୟନରେ ଚାହିଁ ଦେଖୁ ଦେଖୁ ଓହ୍ଲେଇଆସିଲା ସସ୍‌ପେନ୍‌ ଯାଏ ଓ କଟ୍‌କଟ୍‌ କରି ମନସ୍ତାପରେ କ’ଣ ଗୁଡ଼େ ଗପି ଚାଲିଲା ।

 

ମୁଁ କିଛିଟା ଗୁମ୍‌ ହେଇ ବସିଯିବା ପରେ ପଚାରିଲି–ଆଚ୍ଛା, ଏମିତି କାହିଁକି ହେଲା ?

 

ସେ ଅବିଚଳିତ ଓ ଦୃଢ଼ କଣ୍ଠରେ କହିଲା ତମ ପାଇଁ ।

 

–ମୋ ପାଇଁ ??? ଆଶ୍ଚର୍ଯ୍ୟ ହେଇ ମୁଁ କେବଳ ତା’ ମୁହଁକୁ ଚାହିଁଲି । ପଚାରିଲି ସେ ବିଶ୍ୱାସ କରିପାରିଲା ?

 

–ଅବିଶ୍ୱାସ କାହିଁକି କରିବ ?

 

–ସେ ଜାଣିଲା କେମିତି ?

 

–ମୁଁ କହିଥିଲି ।

 

–ତମେ କ’ଣ ମିଛ କହିପାରିଲ ?

 

–ନା, ଯାହାଟା ସତ ମୁଁ ତାହା ହିଁ କହିଚି ।

 

–ତେବେ ଏଥିରେ ଅବିଶ୍ୱାସ କରିବାର କ’ଣ ଥିଲା ?

 

–ମୁଁ ମଧ୍ୟ ସେଇକଥା ବେଳେବେଳେ ନିଜକୁ ପଚାରେ ।

 

ରୋଷେଇ ଘରୁ ତରକାରୀର ବାସ୍ନା ପଶି ଆସିବାରୁ ମୋତେ କାଶ ଲାଗିଲା । ଖୁଁ ଖୁଁ ହେଇ କାଶି କାଶି ଛାତିଉପରେ ବାଁହାତକୁ ଚାପିଧରି ପଚାରିଲି–ତମେ କହୁଥିଲ କାହିଁକି ?

 

–ସେ ମୋତେ ଅଧିକ ଭଲପାଇବା ପାଇଁ ।

 

ସରିତା ମୋ ମୁହଁକୁ ଚାହିଁଥିଲା । ତା’ ପଲକହୀନ ଆଖିରେ ଜିଜ୍ଞାସାର ଭାବ । ମୁଁ କଷ୍ଟ ଅନୁଭବ କଲି । ଅତୀତରେ କୌଣସି ଦିନ ତା’ ଆଖିରେ ଏମିତି ଅପ୍ରାପ୍ତି ଓ ଜିଜ୍ଞାସାର ଭାବ ମୁଁ ଦେଖିନଥିଲି ।

 

ପଚାରିଲି–ଏବେ ତମେ କ’ଣ ଭାବୁଚ ?

 

–କିଛି ନାହିଁ । ଭାବନା ବି ମୁଣ୍ଡକୁ ଆସେନା । ଚାକିରି, ଦରମା, ଚାକର, ଖାଦ୍ୟ–ଏଇ ସବୁ ।

 

–ମୁଁ ଯଦି ସେ ରିକ୍‌ସ ନେବାକୁ ଚାହେଁ । ମୋର ଭୀଷଣ ଦୟା ହେଉଥିଲା । ଅନ୍ୟର ଦୁଃଖକୁ ନିଜ ପିଠିଉପରକୁ ନେଇଆସିବାକୁ ଓ ଭାଗିଦାର ହୋଇ ବଞ୍ଚିଯିବାକୁ । ଝିଟିପିଟିର ଦୃଶ୍ୟ ମୋ ଭିତରେ କିଛି ପ୍ରତିଶ୍ରୁତି ଆଣିଥିଲା ।

 

ସେ କହିଲା ତମେ ଭୁଲ୍ କରିବାକୁ ଯାଉଚ ମଳୟ । ଜୀବନ ଗୋଟାଏ ମୁହୂର୍ତ୍ତର ଭାବପ୍ରବଣତା ନୁହେଁ ।

 

ମୁଁ ଆଉ କିଛି କହିଲିନି । ଏଇ ମନୋଭାବ ଧରି ସରିତା ସନ୍ତୁଳି ହୋଇ ମରୁଚି, ତଥାପି ତା’ର ଆତ୍ମବିଶ୍ୱାସ ତୁଟିନି । ମୁଁ ଧୀରେ ଧୀରେ ତା’ ବାଁହାତର ଆଙ୍ଗୁଳି ଫୁଟେଇବାକୁ ଲାଗିଲି । ପଚାରିଲି; ମୁଣ୍ଡ ବିନ୍ଧା କମିଚି ?

 

ହଁ କମିଚି–କହି ସେ ରାମକୁ ଡାକିଲା ରୋଷେଇ ସରିଚି କି ନାହିଁ ପଚାରିବାକୁ । କିନ୍ତୁ କେତେବେଳୁ ରୋଷେଇ ସାରି ତନ୍ତୀ ଘର ଜ୍ୱାଇଁଟି ଭଳି ସେ ବାହାରେ ବସି କାନ୍ଦୁଚି । ମୁଁ କିଛି ବୁଝିପାରିଲିନି । ହୁଏତ ସେ ସରିତା ପାଇଁ କାନ୍ଦୁଥାଇ ପାରେ କିମ୍ୱା ବ୍ୟକ୍ତିଗତ ଦୁଃଖରେ । ଆଖିରୁ ଲୁହ ପୋଛି ରାମ ଆସି ଛିଡ଼ାହେଇ କହିଲା; ରୋଷେଇ ସରିଗଲାଣି । ଆପଣ କଥା ହେଉଥିଲେ ବୋଲି–

 

ହଉ ବାଢ଼ିବ ଯାଅ–କହି ରାମକୁ ପଠାଇ ଦେଲାପରେ ମୋତେ କହିଲା; ଯିବା ଖାଇବା ଚାଲ । ଆମେ ଉଠିଆସିଲୁ ବାରଣ୍ଡାକୁ ଏବଂ ହାତ ମୁହଁ ଧୋଇ ବସିପଡ଼ିଲୁ । ଏକାଥରେ ରାମୁ ମୋପାଇଁ ଓ ସରିତା ପାଇଁ ନେଇଆସିଲା । ଖାଇବା ପୂର୍ବରୁ ସରିତା କହିଲା; ତମକୁ ମୁଁ ଅନେକଥର ହାତରେ ରାନ୍ଧି ଖାଇବାକୁ ଦେଇଚି ମଳୟ, ଏଥର କିନ୍ତୁ ପାରିଲିନି ।

 

ସେଥିପାଇଁ ମୋର କୌଣସି ଆପତ୍ତି ନାହିଁ । ବରଂ ତମକୁ ପୁଣି ଥରେ ଭେଟିବାର ସୌଭାଗ୍ୟ ଲାଭ କଲି ସେଇଟା ମୋ ପାଇଁ ଗର୍ବର ବିଷୟ ।

 

ପୁଣିଥରେ ସରିତା ଦେହରେ ମୋ ଶବ୍ଦର ଢେଉ ପିଟି ହେଇଗଲା ବୋଧେ । କ’ଣ କହିବ ହେଇ କିଛି କହିପାରିଲାନି । ତା’ର ପାଉଁରୁଟି ଭଜା ଓ ଅଣ୍ଡା ଆମ୍‌ଲେଟ୍‌ । ମୋର ମାଛଝୋଳ ଓ ପରଟା । ଭିନ୍ନ ଭିନ୍ନ ସ୍ୱତନ୍ତ୍ର ଭାବେ ତିଆରି । ମୁଁ ଖାଇଲାବେଳେ ପୁନି କଥାହିଁ ଭାବୁଥିଲି । ପୁନି ଦିନକ ପାଇଁ କୃତଜ୍ଞତାରେ ଏତିକି ପାରିଲା ନାହିଁ । ମୋ ଭାବନା ସାଙ୍ଗକୁ ଠିକ୍‌ ମିଳେଇ ସରିତା ପାରିଲା; ପୁନି ତମକୁ ଭଲଭାବେ ରୋଷେଇ କରି ଖାଇବାକୁ ଦେଉଥିବ ମଳୟ, ମୋର ଏ କୁଡ଼ିଆରେ ରାମ ହାତର ରୋଷେଇ ତମକୁ ଭଲଲାଗୁଚି ? ମୁଁ କିଛି କହିଲିନି । ଇଚ୍ଛାହେଉଥିଲା ପୁନି କେବଳ ଏତିକି ଦେଖିଯାଆନ୍ତା କି ? ସରିତାଠୁ ଶୁଣିଯାଆନ୍ତା କି ମୋ ବ୍ୟକ୍ତିତ୍ୱର ମହନୀୟତାର କାହାଣୀ । ଥରେ ମୁଁ ପ୍ରସଙ୍ଗକ୍ରମେ ସରିତା ଓ ଗୀତା କଥା କହିଲି । କହିଲି, ମୋ ସଙ୍ଗେ ସମ୍ପର୍କ ରଖିଥିବା ସବୁଝିଅ କୃତଜ୍ଞତା ସ୍ୱୀକାର କରିଛନ୍ତି । ସେଥିରେ ମଧ୍ୟ ତା’ର କିଛି ପରିବର୍ତ୍ତନ ହେଲାନି । ଗୀତା ସହିତ ଘଟିଥିବା ମୂଳରୁ ରୂଳ ପର୍ଯ୍ୟନ୍ତ କହିଲି । ସେ ଶୁଣୁଥାଏ ଓ ମଝିରେ ମଝିରେ ଗୋଟିଏ ପଦ କହୁଥାଏ ଇସ୍‌ ଇସ୍‌ କି ରୋମାଣ୍ଟିକ୍‌ ।

 

ରାମ ଆଣି ଆଉ କିଛି ମାଛଝୋଳ ମୋତେ ଦେଇଗଲା । ମୁଁ ସରିତା ଉଦ୍ଦେଶ୍ୟରେ କହିଲି; ତମର ମାଛଝୋଳ ଦରକାର ନାହିଁ ?

 

ନା ନା, ତମେ ଖାଅ । ମୁଁ ଆମଲେଟ୍‌କୁ ବେଶି ଭଲପାଏ–କହି ସେ ପାଣି ପିଇଲା ।

 

ମୋର ପ୍ରାୟ ଖିଆ ସରିଯାଇଥିଲା । ମୁଁ କହିଲି; ଏବେ ଉଠିଲି ?

 

ହଁ ଧୋଇହୁଅ ।

 

ପୁଣି ଆମେ ପୂର୍ବ ସ୍ଥାନକୁ ଫେରିଆସିଲୁ ଓ ବସିଲୁ । କିଛି ସମୟ ପରେ କହିଲି; ତେବେ ମୁଁ ଆସୁଚି ।

 

ଯିବ ତ ଏତେ ବ୍ୟସ୍ତ କିଆଁ ? ଘରଟା କେଉଁ ତିନିଗାଁରେ ହେଇଚି କି ? ଜମା ନ ଗଲେ କ’ଣ ଚଳିବ ନାହିଁ ? ନା, ରହିବାପାଇଁ କିଛି ଫିଲ୍‌ କରୁଚ ?

 

ନା, ନା; ଏ କ’ଣ ନୂଆ କଥା ? ଘରେ ଚାହିଁଥିବେ ମୋତେ ଖିଆପିଆ କଲେ କି ନାହିଁ । ବହୁଦିନ ପରେ ଆସିଚି ଯେ, ଆମର ମୋତେ ଗୋଟେ ବଡ଼ ଧରଣର ଅତିଥି ଭାବି ଚର୍ଚ୍ଚା କରୁଛନ୍ତି-। ମୁଁ ଯେମିତି ମୋ ପରିବାରର କେହି ନୁହେଁ । ସତରେ, ଗାଁ ମାଟି ମୋତେ କ୍ରମଶଃ ପର କରିଦେଉଚି ।

 

ଗାଁ ମାଟିର ମାୟା ଖୁବ୍‌ ଶକ୍ତ ମଳୟ, ପର ହେଇଯାଇପାରିବ ନାହିଁ । କେତେଦିନ ରହିବ ଏଠି ?

 

ହୁଏତ ଦିନେ ଦୁଇଦିନ ଜମା । ଭାବୁଥିଲି କାଲି ଚାଲିଯାଇଥାଆନ୍ତି; କିନ୍ତୁ ଟିକେ ଅଡ଼ୁଆ ଅଛି ଯେ, ରହିଯିବାକୁ ହେବ ।

 

ହଉ ଯିବା ପୂର୍ବରୁ ଯେମିତି ମୋତେ ଦେଖାକରିବାକୁ ଭୁଲିବ ନାହିଁ । ବହୁତ କଥା ଅଛି କହିବାକୁ । ଆସିବୁ ନିଶ୍ଚୟ ।

 

ହଉ ହେଲା ।

 

ନା ଆସିବ ନାହିଁ ?

 

ମୋ କଥା ଉପରେ ତମର କ’ଣ ବିଶ୍ୱାସ ଆସୁନି ? କହିଲି ତ ତମପାଇଁ ଏବେ ମଧ୍ୟ ମୁଁ ପ୍ରସ୍ତୁତ ଅଛି । ତମର ଋଣ ଶୁଝିବା ମୋର କର୍ତ୍ତବ୍ୟ ।

 

ସରିତା ହସିଲା ହୋ ହୋ ହେଇ । ମୁଁ କହିଲି; ଯାଉଚି, ତମେ ସେ ଔଷଧଟାକୁ ଆଉ ଦୁଇଘଣ୍ଟା ଛାଡ଼ି ଖାଇଦେବ ।

 

ସରିତା କିଛି କହିବା ପୂର୍ବରୁ ମୁଁ ଚେୟାର ଛାଡ଼ି ଉଠିଆସିଲି । ପଛକୁ ନ ଚାହିଁ ସିଧା ସିଧା ଗେଟ୍‌ ପାରିହେଲି । ବାଟରେ ଆସୁ ଆସୁ ମନକୁ ମନ କହିଲି; ତମେ ଚିରଦିନ ପାଇଁ ମୋ ପାଖରେ ଅପରାଜେୟ ହେଇ ରହିଗଲ ସରିତା ! ତମେ ନାରୀ ନା ଆଉ କିଛି ?

 

ଚାରି

 

ନିଦ ଭାଙ୍ଗିଲା ବେଳକୁ ଦିନ ଦୁଇଘଡ଼ି ହେଇଯାଇଥିଲା । ଝର୍କାର ରେଲିଂ ଦେଇ ଝଲକାଏ ସୂର୍ଯ୍ୟକିରଣ ଛିଟିକି ପଡ଼ିଥିଲା ବେଡ଼୍‌ ଉପରେ । ଆଖି ମଳି ଫର୍ଚ୍ଚା । ଆକାଶଆଡ଼କୁ ଚାହିଁଲି । ସଫା ନୀଳ ଆକାଶର ସମୁଦ୍ରରେ ସୂର୍ଯ୍ୟ ପହଁରୁଚି । ଗୋଟାଏ ବିସ୍ତୃତ ଆକାଶୀ ଇଲାକାରେ ସୂର୍ଯ୍ୟହିଁ କେବଳ ପହଁରିପାରେ ଏ ମୁଣ୍ଡରୁ ସେମୁଣ୍ଡ ଯାଏ । ମୋର କିଛି ମନେହେଲା ନାହିଁ । ସହଜରେ କୌଣସି ଉପମା ମନକୁ ଆସିଲା ନାହିଁ । ସହରରେ ସୂର୍ଯ୍ୟୋଦୟ ଦେଖିବାକୁ କଷ୍ଟ ହୁଏ, ସମୟ ମିଳେନା । ଆଜି ଟିକେ ମନପୂରେଇ ଦେଖିବାକୁ ଇଚ୍ଛାହେଲା । ନିସ୍ତବ୍‌ଧତାରେ ଆଉଥରେ ତକିଆ ଉପରେ ଗାଲ ପାରିଦେଇ ଶୂନ୍ୟ ଆକାଶରେ ଛବି ଦେଖିବାକୁ ଲାଗିଲି । ପ୍ରକୃତି ବଡ଼ ରହସ୍ୟମୟ । ତାକୁ ଯେତେ ଜୟ କରି ବୁଝିବାକୁ ଚେଷ୍ଟା କଲେ ମଧ୍ୟ ମଣିଷ ପାଇଁ ଚିରକାଳ କିଛି ନା କିଛି ବାକି ରହିଯାଇଚି । ଏମିତି ଗୋଟାଏ ସୃଷ୍ଟିର ସ୍ରଷ୍ଟା କିଏ ବୁଝିହୁଏନା । ସମସ୍ତେ ଈଶ୍ୱରଙ୍କ ମୁଣ୍ଡରେ ଶିରପା’ ବାନ୍ଧିଥାଆନ୍ତି । କିନ୍ତୁ ସେ କାଳ୍ପନିକ ଈଶ୍ୱରଙ୍କୁ ଦେଖିଛନ୍ତି କେତେଜଣ ? ଗୀତାର ଶ୍ରୀକୃଷ୍ଣ କ୍ୟାଲେଣ୍ଡରରେ ଝୁଲନ୍ତି । ବିଭିନ୍ନ ରଙ୍ଗରେ, ବାଗରେ ଈଶ୍ୱରଙ୍କୁ ଚିତ୍ରିତ କରେ ମଣିଷ । କିନ୍ତୁ କିଏ ସଚ୍ଚା ଈଶ୍ୱର ଜଣାପଡ଼େନାହିଁ । ବିଭିନ୍ନ ଗୋଷ୍ଠୀର ଭିନ୍ନ ଭିନ୍ନ ମତାମତ । ଏ ଯୁଗରେ ଜଗନ୍ନାଥ ହିଁ ଆମ ପାଇଁ ଏକମାତ୍ର ଈଶ୍ୱର । ପୁରୀ ବଡ଼ଦାଣ୍ଡ ବିଶ୍ୱ ଦରବାରରେ ସର୍ବଶ୍ରେଷ୍ଠ ପବିତ୍ର ସ୍ଥାନ ବୋଲି ଓଡ଼ିଆ ଜାତି କୁହେ । ଏମିତି ଆଉ କେଉଁ ଦେଶରେ କିଏ କେତେ କ’ଣ କହନ୍ତି-। ସବୁ ଶୁଣିବା କଥା । ପାଖରେ ଥିବା ସଜନା ଡାଳରେ ଦୁଇଟା ହଳଦିବସନ୍ତ ଆସି କିଚିରି ମିଚିରି ଶବ୍ଦ କରିବାକୁ ଲାଗିଲେ । ମୁଁ ତାଙ୍କଆଡ଼କୁ ଚାହିଁଲି ଏବଂ ଅନ୍ୟମନସ୍କ ଭାବେ ହାତଯୋଡ଼ି ନମସ୍କାର କଲି । ପିଲାବେଳେ ଯେକୌଣସି ଜାଗାରେ ହଳଦିବସନ୍ତ ଦେଖିଲେ ଆମେ ଖୁସିହେଇ ନମସ୍କାର କରୁ । ସେ ଦିନଟା ସୁଖରେ ଯିବ ବୋଲି ବୁଝିହେଉ କିମ୍ୱା କିଛି ଖବର କି ଚିଠିପତ୍ର ଆସିବା କଥାଟାରେ ଭରସା ରଖୁ । ସମସ୍ତଙ୍କର ଧାରଣା ହଳଦିବସନ୍ତ ଆଗରେ ଉଡ଼ି ଉଡ଼ି ଡାକିଲେ ଶୁଭ ଓ ଭଲ ସମୟର ସଙ୍କେତ ।

 

ମୁଁ ଆଉ ଶୋଇ ରହିଲି ନାହିଁ । ହଳଦିବସନ୍ତ ଦୁଇଟା ମୋ ଭିତରେ କିଛି ତାତି ଖଞ୍ଜିଦେଲେ ବୋଧେ । ଉଠିଯାଇ ବସିଲି । ଘରର ଚାରିଆଡ଼କୁ ଚାହିଁଲି । ମୋତେ ଖୁବ୍‌ ଭଲ ଲାଗିଲା ଘରର ପରିଚ୍ଛନତା ଦେଖି । ପାଞ୍ଚବର୍ଷ ତଳେ ଏଇ ଘରେ ମୁଁ ବରାବର ଚଳେ । ମୋର ବୋଲି ନିଜର କରିଥିଲି । ନିଜେ ସଫା କରେ, ଯତ୍ନ ନିଏ । ପୂରାପୂରି ପରିସ୍କାର ପରିଚ୍ଛନ୍ନ ରଖେ ସବୁବେଳ ପାଇଁ । କିନ୍ତୁ ଆଜି ନିଜେ ନକଲେ ମଧ୍ୟ କରାଯାଇଚି । ବୋଧହୁଏ ମିନା ଏମିତି ସଜେଇ ଦେଇଚି ମୋ ଆସିବା ଖବର ପାଇ । ଆଜିପର୍ଯ୍ୟନ୍ତ ତା’ର ମନେଅଛି ମୋର କେଉଁ ଜିନିଷ କେଉଁଠି ରହୁଥିଲା । ଝର୍କାର ଗୋଟିଏ କଡ଼କୁ ଟେବୁଲ ଚେୟାର ପଡ଼ିଚି । ଟେବୁଲ କ୍ଲଥ୍‌ ବିଛାଯାଇଚି ଓ ମୋ ଆଟାଚିଟା ତା’ ଉପରେ ଥୁଆହେଇଚି । ପଲଙ୍କଟାର ଅବସ୍ଥିତି ଠିକ୍‌ ପୂର୍ବଭଳି । ବିଛଣା ଚଦର ସଫା କରାଯାଇଚି । ମୋର ମନେହେଲା ମୁଁ ଘର ଛାଡ଼ିଲା ପରଠୁ ଯେମିତି ଏ ଘରେ ତାଲା ପଡ଼ିଥିଲା, କେହି ଚଳୁନଥିଲେ କି ଏହାର ଯତ୍ନ ନେଉଥିଲେ ।

 

ମୁଁ ସେଦିନର ଶୁଭାଶୁଭକୁ ଆଖିସାମ୍ନାରେ ରଖି ଝାଡ଼ାଝପଟ ଓ ଅନ୍ୟାନ୍ୟ ନିତ୍ୟକର୍ମ ସାରିଦେଲି । ମିନୁ ମୋତେ ଚା’ ଜଳଖିଆ ଖାଇବାପାଇଁ ଡାକିଆସିଲା । ମୁଁ ମନାକରି କହିଲି–ନା, ଅନେକ ଦିନ ହେବ ମୁଁ ପଖାଳ ଖାଇନି, ଗଣ୍ଡେ ପଖାଳ ଦେ’ । ହଁ ଶୁଣ, ଯଦି ଖଟା ଥିବ କିଛିଟା ଦେଇଥା ।

 

ମୋ ବରାଦ ଅନୁସାରେ ସମସ୍ତ ଯୋଗାଡ଼ କରିଦେଲା ପରେ ମୁଁ ଖାଇବସିଲି । ସେଇ ପିଲାଦିନର ସ୍ମୃତି ମନକୁ ଆସୁଥିଲା । ଶୁଖୁଆ ପୋଡ଼ା ସାଙ୍ଗକୁ ପଖାଳ ଭାତ କେତେ ବାଗରେ ଗୁଞ୍ଜି ରଖିଥାଏ ବୋଉ । ଖେଳିବୁଲି ଆସିଲେ, ସ୍କୁଲରୁ ଫେରିଲେ ବାଢ଼ିଦିଏ । ବଳେଇ ବଳେଇ ଖୁଆଏ-। ତା’ ହାତଟା ଏତେ ଭଲ ଥିଲା ଯେ ସବୁ କାମରେ ଜିତାପଟ ମାରିନିଏ । ଘରର ଅଧେ କାମ ସେଇ ଏକା କରେ । ତା’ ଭିତରେ କେଉଁଠି ଟିକେ ସମୟ ପାଇଲେ ତା’ର ଖାଲି ମୋର ଖାଇବା ପିଇବା ଚିନ୍ତା । ଯେଉଁ ବାଗରେ ମୁଁ ଦିଇଟା ଖାଇବି ସେ ବାଗରେ ସେ ଖଞ୍ଜେଇ ରଖିଥିବ-। କିନ୍ତୁ ପୁନିଟା ଜମା ସେମିତି ନୁହେଁ । ସବୁଦିନିଆଁ ଖିଆ ଭିତରେ ସେ ଯେତେ ରଙ୍ଗ ଫୁଟେଇଲେ ବି ତା’ ହାତରେ ମୋତେ ଜମା ଶାନ୍ତିଲାଗେନି କି ସେ ମୋତେ ଶାନ୍ତିରେ ରହିବାକୁ ଦିଏନି । ପୁନିକୁ ବିବାହ କରିବା ପୂର୍ବରୁ ଯେଉଁଦିନ ଦେଖିଥିଲି, ସେଦିନ ମୋ ବୋଉର ମୁହଁ ହିଁ ମୋ ଆଖିସାମ୍ନାରେ ନାଚିଉଠିଥିଲା । ଦୁହିଁଙ୍କ ଶାରୀରିକ ଗଠନର କିଛିଟା ସାମଞ୍ଜସ୍ୟ ମଧ୍ୟ ଥିଲା । ଅଳ୍ପ ଟିକେ ମୋଟିହୋଇ ଗୋଲଗାଲ ଗୋରା ମୁହଁ । ତୀକ୍ଷଣ୍‌ ନାକ । ଲମ୍ୱା ବାଳ । ସରୁ ସରୁ ଜାକୁଆ ଜାକୁଆ ଦାନ୍ତ । ଅବିକଳ ମୋ ବୋଉ ଭଳି । ମୋର ଧାରଣା ହେଇଥିଲା ପୁନିକୁ ବାହାହେଲେ ବୋଉକୁ ଭୁଲିଯାଇ ହେବ । ମୋ ସାନ ସାନ ଭାଇ ଭଉଣୀମାନେ ପୁନିକୁ ଦେଖି ଖୁସିହେବେ । କିନ୍ତୁ କଥାଟା ଠିକ୍‌ ଏକା ହେଲା ନାହିଁ । ପୁନି ମୋ ବୋଉର ମଡ଼େଲ ହେଇ ସୁଦ୍ଧା କାର୍ଯ୍ୟତଃ ବିପରୀତ ହେଇ ଫଳିଲା । ମୋ କଥାର ବିପରୀତ କଥାଟାହିଁ ତା’ ପାଖରୁ ଶୁଣିବାକୁ ମିଳିଲା । ତେବେ ମୁଁ ଏତିକିରେ ଖୁସି ଯେ, ପୁନି ଭଳି ଗୋଟେ ଚରିତ୍ର ମୋ ଜୀବନରେ ମିଳିନଥାନ୍ତା ।

 

ଖାଇସାରିଲା ପରେ ମୁଁ ବାହାର ବାରଣ୍ଡାରେ ବସି ଗୋଟାଏ ପତ୍ରିକା ପଢ଼ୁଥିଲି । ମିନୁ ଆଣି ପାନ ଦେଲା । ବାପା ଆସି ଛିଡ଼ାହେଇ ଗୋଟେ ହିସାବ କରିବାକୁ କହିଲେ । ବୋଧହୁଏ କାଲି ଦୋକାନରୁ ଯେଉଁ ଚିଠା ଆଣିଛନ୍ତି ତାହାର ହିସାବ । ସଉଦା ହିସାବ, ତେଲଲୁଣର ହିସାବ । ଘରସଂସାରର ହିସାବ । ମୁଁ ହିସାବ କରି କହିଲି ଶହେ ବାଇଶି ଟଙ୍କା ।

 

ଭଲ କରି ଦେଖିଲୁ, ଶହେ ବାଇଶି କି ଶହେ ବାର ? କଥାଟା ଉପରେ ଜୋରଦେଇ କହିଲେ ବାପା । ମୁଁ ଟିକେ ସନ୍ଦେହରେ ପଡ଼ିଗଲି । ମୋର ହିସାବରେ ଭୁଲ୍‌ ହେଇଗଲାକି ? ପୁଣି ଥରେ ଭଲ କରି ହିସାବ କଲି ନା ଶହେ ବାଇଶି । ମୁଁ ନିଶ୍ଚିତ ହେଇଗଲା ପରେ ବାପା ଅଳ୍ପକେ ହସି ମୋ ହାତରୁ ଚିଠିଟା ନେଇଗଲେ । ତାଙ୍କ ହସିଲା ମୁହଁଭିତରେ କିଛି ଗୋଟାଏ ରହସ୍ୟ ରହିଗଲା ଭଳି ମୁଁ ଅନୁଭବ କଲି ଓ ପଚାରିଲି କାହିଁକି, କ’ଣ ହେଲାକି ?

 

ମାଧ ସାହୁ ମୋଠୁ ଶହେ ବାର ଟଙ୍କା ନେଲା । କହିଲା ଶହେ ବାଇଶି । ମୁଁ ଦେଢ଼ଶହ ଟଙ୍କା ଦେଲି ଓ ସେ ମୋତେ ଅଠତିରିଶି ଟଙ୍କା ଫେରେଇଦେଲା । ବୋଧହୁଏ ଭୁଲରେ ଦେଇଦେଇଚି । ମୁଁ ନେଇଆସିଲି, କହି ବାପା ପୁଣି ଥରେ ହସିଲେ ।

 

ମୋତେ କିଛି ବୁଝିବାକୁ କଥାଟା ବାକି ରହିଲା ନାହିଁ । ବାପା ବୋଧେ ଏଇ ଥରକ ପାଇଁ ତାଙ୍କ ଜୀବନରେ ଦୋକାନୀଠୁ ଠକି ଆଣିଛନ୍ତି । ନହେଲେ ଅନ୍ୟ ସବୁଦିନେ ଦୋକାନୀକୁ ଠିକ୍‌ ଦେଇଛନ୍ତି ତ କେତେବେଳେ ଦୋକାନି ତାଙ୍କୁ ଠକି ନେଇଯାଇଚି । ତାଙ୍କଠାରୁ ଗଲାବେଳେ କଥାଟାକୁ ସେ ବୁଝିପାରନ୍ତି ନାହିଁ । କିନ୍ତୁ ଏଇ ଥରକ ଆସିଚି ଯେହେତୁ ଭାରି ଖୁସି ହେଉଛନ୍ତି । ମୁଁ ଜାଣେ ବାପା ଏମିତି ଜଣେ ନିରୀହ ଲୋକ ଯାହାଙ୍କର ଜୀବନରେ ରିକ୍‌ସ ବୋଲି କିଛି ନାହିଁ । ଘରୁ ଚୋରି ହେଇଗଲେ ସେ କହନ୍ତି ଈଶ୍ୱରଙ୍କ ଇଚ୍ଛା । ପଇସା ଯଦି କେହି ଠକିନେଲା ତାଙ୍କ ପାଟିରୁ ସେଇ ଏକାକଥା ବାହାରେ ଏ ଦୁନିଆଁରେ କିଏ କ’ଣ କରୁଚି ? ଦେଉଚି ଯିଏ ନେଉଚି ସିଏ । ତା’ ଇଚ୍ଛାରେ ସବୁ ଚାଲିଚି । ଯଦି କୌଣସି କାରଣରୁ ତାଙ୍କ ଦେହପା’ ଖରାପ ହେଲା ସେ କେବଳ ସେଇ ଈଶ୍ୱରଙ୍କୁ ବାରମ୍ୱାର ନମସ୍କାର ହୁଅନ୍ତି ଓ ବିଶ୍ୱାସ ରଖନ୍ତି । କାରଣ ତାଙ୍କ ଦର୍ଶନ ହେଉଚି, ଯିଏ ଏ ପୃଥିବୀକୁ ମୋତେ ପଠେଇଚି ସେ ଯେତେବେଳେ ଯାହା ଘଟାଉଚି ତାକୁ ସମ୍ମାନ ଦେବାକୁ ହେବ । ମୋ ସହିତ କିନ୍ତୁ ତାଙ୍କର ଏଇ ଅଭ୍ୟାସ ପାଇଁ ପୂର୍ବରୁ ବହୁବାର ଝଗଡ଼ା ହେଇଚି । ତଥାପି ତାଙ୍କର କୌଣସି ପରିବର୍ତ୍ତନ ହେଇନାହିଁ । ଦୋକାନୀକୁ ଠକିଦେବାର ଏଇ ପ୍ରଥମ ପ୍ରଚେଷ୍ଟାରେ ସେ ଜିତିଯାଇଥିବାରୁ ବୋଧେ ପ୍ରକାଶ କରିଦେବାକୁ ଚାହୁଁଛନ୍ତି ।

 

ବାପାଙ୍କର ଏଇ ସରଳତା ମୋତେ ବେଳେବେଳେ ଅବାକ୍ କରେ । ମୁଁ ସ୍ତମ୍ଭିତ ହେଇ ଭାବିଚାଲେ । କୌଣସି ଦିନ ବାପା ଧର୍ମ ଚର୍ଚ୍ଚାରେ ଯୋଗଦିଅନ୍ତି ନାହିଁ । ପୂଜାମେଳାରେ ପୂରନ୍ତି ନାହିଁ କି ଗଞ୍ଜେଇଟାଣି ବେହୋସ୍‌ ହୁଅନ୍ତି ନାହିଁ । ମାତ୍ର ପ୍ରତିଦିନ ସକାଳେ ସଞ୍ଜ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଆଣ୍ଠୁମାଡ଼ି ପ୍ରଣାମ କରନ୍ତି । ଗୁଣୁ ଗୁଣୁ ହେଇ କ’ଣ କୁହନ୍ତି ମନ୍ତ୍ର ପାଠ କଲାଭଳି । କ’ଣ କୁହନ୍ତି ବୁଝାପଡ଼େନା । ବେଳେବେଳେ ମୁଁ ଖୁବ୍‌ ବୋର୍‌ ହେଇଯାଏ ତାଙ୍କର ଏ ନୀତିରେ । ଏମିତି ଜୀବନ ଧାରାରେ ମଣିଷ ଏ ପୃଥିବୀରେ ବଞ୍ଚିପାରିବା ସହଜ ବୋଧହୁଏ ନାହିଁ । ଅଥଚ ନିରାସକ୍ତ ଭାବେ ସେ ତାଙ୍କ କାମରେ ଲାଗିପଡ଼ନ୍ତି । ମୋର ମନେହୁଏ ସେ ଖୁବ୍‌ ସ୍ୱାର୍ଥପର । ଈଶ୍ୱରଙ୍କ ନାଁରେ ପ୍ରତ୍ୟେକ ସମସ୍ୟାକୁ ସେ ଆଭଏଡ୍‌ କରିଯିବାକୁ ଚାହାଁନ୍ତି । ସଂଗ୍ରାମ କରି ବଞ୍ଚି ଶିଖିବାର ମୂଲ୍ୟବୋଧ ପୂରାପୂରି ତାଙ୍କ ପାଖରେ ଅଚଳ । ଗୋଟାଏ ଛଳନାମୟ ଅଥର୍ବତା ଭିତରେ ସେ ନିଜ ସହିତ ଅନ୍ୟମାନଙ୍କୁ ଠକେଇ ଚାଲିଛନ୍ତି । ନିଜର ଅଯୋଗ୍ୟତାକୁ ଘୋଡ଼େଇ ରଖୁଛନ୍ତି । ଯାହାପାଇଁ ଆମର ଅନେକ ଇଚ୍ଛା ଯଥା ସମୟରେ ଫଳବତୀ ହେଇପାରେ ନାହିଁ ।

 

ହୁଏତ ସଂଗ୍ରାମ କରି ନିଜକୁ ଭେଜାଲ ଯୁଗରେ ଦକ୍ଷ ଭେଜାଲି ରୂପେ ତିଆରି କରିପାରିଥିଲେ ଆଜି ଅଧା ପଡ଼ିଥିବା ଘରଟା ଏମିତି ଅବସ୍ଥାରେ ନ ଥାଆନ୍ତା ? ପଚାରିଲେ ସେ କହିବେ; ସିମେଣ୍ଟ ମିଳୁନି ଘରହେବ କେମିତି ? କିନ୍ତୁ ସିମେଣ୍ଟ ନମିଳୁଥିବାବେଳେ ଲୋକେ ଅଛନ୍ତି ପାଞ୍ଚ ମହଲା କୋଠା ତିଆରି କରିପାରିଛନ୍ତି । ଆଉ ପ୍ରକୃତରେ ସିମେଣ୍ଟ ଯେତିକି ମିଳିବା କଥା ଠିକ୍‌ ସେତିକି ମିଳୁଚି । ହେଲେ ଯେଉଁ ବାଟରେ ଗଲେ ସିମେଣ୍ଟ ମିଳିପାରିବ ବାପା ଠିକ୍‌ ସେ ବାଟ ପାଇନାହାନ୍ତି କି ଯାଇପାରୁନାହାନ୍ତି । ଏମିତି ସବୁ କଥାକୁ ବାପା କେମିତି ନିଷ୍କ୍ରିୟତା ଭିତରେ ନିଅନ୍ତି, ତାହା ଆଦୌ ମୁଁ ସହିପାରେନା ।

 

ମୋ ବାପା ଏକୁଟିଆ ନୁହଁନ୍ତି, ବର୍ତ୍ତମାନ ଦୁନିଆର ସବୁ ଲୋକ ଏମିତି ଦୁଇଭାଗ ହେଇ ବଞ୍ଚୁଛନ୍ତି । ଗୋଟାଏ ପଟରେ ଦଳେଲୋକ ଦୁର୍ନୀତି ରୋକିବାର ଧ୍ୱନିଦେଇ ଦୁର୍ନୀତି କରି ବଡ଼ଲୋକ ହେଇଚାଲିଛନ୍ତି, ଆରପଟେ ଦଳେଲୋକ ଦୁର୍ନୀତି ହଟିଯାଇ ରାମରାଜ୍ୟ ପ୍ରତିଷ୍ଠା ହେବାର ସ୍ୱପ୍ନ ଦେଖିବାକୁ ଶୋଷଣ, ନିପୀଡ଼ନରେ ଅର୍ଦ୍ଧମୃତ ଅବସ୍ଥାରେ ଆଖି ମିଟି ମିଟି କରି ଚାହିଁଛନ୍ତି । ବାପା ଏଇ ଦ୍ୱିତୀୟ ଦଳର ଲୋକ । ତାଙ୍କୁ ଯେତେ ବୁଝାଇଲେ ବି ସେ କେବଳ କହିବେ; ଈଶ୍ୱର ଏ ପୃଥିବୀକୁ ପଠେଇଛନ୍ତି, ଯେତେବେଳେ ଯାହା ହେବାର କଥା ହେଇଯାଉଚି, ସବୁ ତାଙ୍କ ଇଚ୍ଛା ।

 

ପ୍ରାୟ ଏଇ କାରଣ ପାଇଁ ବାପାଙ୍କ ସଙ୍ଗରେ ମୋର ମତପାର୍ଥକ୍ୟ ଘଟେ ଏବଂ ମୁଁ ମୋ ନିଜକୁ ବୁଝେଇଦିଏ; ବର୍ତ୍ତମାନ ଘରଧନ୍ଦାରେ ମୁଣ୍ଡ ପୂରେଇବା ଏତେଟା ଠିକ୍‌ ନୁହେଁ । ବରଂ ବାପା ଯାହା କରୁଛନ୍ତି କରନ୍ତୁ, ନହେଲେ ଥାଉ । ସମୟ ଆସିଲେ କରାଯିବ ।

 

ତେଣୁ ମୁଁ ଦୀର୍ଘଦିନ ଧରି ବାହାରେ ରହିଚି । ଘରକୁ ଆସିବାକୁ ଇଚ୍ଛା କରିନି । ଘରର ମମତା ଭୁଲିଯିବାକୁ ହେଇଚି । ପ୍ରକୃତରେ ବୋଉ ଯିବାପରେ ମୋପାଇଁ ଘରର ଆବଶ୍ୟକତା କେବେ ଏତେ ବେଶି ଅନୁଭୂତ ହେଇନି । ଯେଉଁଠି ରହିଲି ସେଇଟା ମୋ ଘର ହେଇଚି, ଯାହା ସଙ୍ଗରେ ସାଙ୍ଗ ହେଇଚି ସେ ମୋର ପ୍ରିୟ ହେଇଚି ।

 

ତାପରେ ଦୁନିଆଁରେ ଏମିତି ଗୋଟେ ପ୍ରକାର ଚରିତ୍ର ଅଛନ୍ତି, ସେମାନଙ୍କୁ ତମେ ଯେତେ ଭଲପାଅ ପ୍ରିୟ ବୋଲି କୁହ ସେମାନେ ପ୍ରିୟ ହେଇପାରନ୍ତିନି । କେବଳ ଜଣକ ସାଙ୍ଗରେ ନୁହେଁ ଏମିତି ସମସ୍ତଙ୍କ ସାଙ୍ଗରେ । ଅଦ୍ଭୁତ ଏକପ୍ରକାରର ଚରିତ୍ର । ଅବୋଧ୍ୟ ସେ ପ୍ରକୃତି । ଠିକ୍‌ ପୁନି ଭଳି । ପୁନି ମୋ ବୋଉର ପ୍ରତିକୃତି ହେଇପାରେ; କିନ୍ତୁ ହୃଦୟ ନୁହେଁ । ମୋର ଧାରଣା ଥିଲା ପୁନିକୁ କୃତଜ୍ଞତାର ଜାଲରେ ଛନ୍ଦିଦେବି ମାଛଟିଏ କରି । ସେ ଯେମିତି ଅନୁଭବ କରୁ ମୁଁ ତା’ ଜୀବନର ଚରମ ପୂର୍ଣ୍ଣତା ସେଦିନର ସରିତା ଭଳି । କିନ୍ତୁ ସେ ମୋ ଭଲପାଇବାର ଜାଲ ଭିତରେ ପଡ଼ିନି । ମୁଁ ତା’ର ସ୍ୱାମୀ ଓ ଅପହଞ୍ଚ ଦୂରତା । ଅବଶ୍ୟ ମୁଁ କହନ୍ତି ସେ ଅନ୍ୟ କାହାକୁ ପ୍ରେମ କରୁଚି ବୋଲି । କାରଣ ତା’ ଜୀବନକୁ ଭଲପାଇବା ଛୁଇଁନି ବୋଧହୁଏ । ଛୁଇଁଲେ ମଧ୍ୟ ତା’ର ଗ୍ରହଣ କରିବାର ଶକ୍ତି ନାହିଁ । ସେ ମୋତେ କୌଣସିଦିନ ଅସ୍ୱୀକାର କଲାଭଳି ମୁଁ ଅନୁଭବ କରିନି । କେବଳ ଏତିକି କହିହେବ ତା’ ଜୀବନଧାରାଟି ମୋଟାମୋଟି ସେଇଆ ।

 

ଘରଭିତରୁ ବାହାରିଆସି ବାପା ପୁଣି ମୋତେ ପଚାରିଲେ; ଆରେ ତମେମାନେ ତ ନିଜ ନିଜ ଧନ୍ଦାରେ ରହିଲ, ଏଣେ ଘର ସଂସାର ଚଳିବ କେମିତି ?

 

ଆମ ଘର ଚଳେଇବାକୁ ତମକୁ କ’ଣ ଅସୁବିଧା ହେଉଚି ? ମୁଁ ପଚାରିଲି ।

 

ଅସୁବିଧା ନୁହେଁ ଆଉ କ’ଣ ? ମୁଁ ବୁଢ଼ା ହେଲେଣି । କେଉଁ କାମ କେମିତି ହେବ–ସବୁ ଦଡ଼ମଡ଼ି ସମ୍ଭାଳିବାକୁ ମୋ ଅଣ୍ଟାରେ ବଳ କାହିଁ ?

 

ଦଡ଼ମଡ଼ି ଆଉ କ’ଣ ? ତମେ ଅଧିକଟା କିଛି କରିପାରିବନି, ଯାହା ଯେମିତି ହେଉ ସେଇ ଚାଷବାସ ଖଣ୍ଡକ ଜଗିଥା’ । ଚାକର ଅଛନ୍ତି ଖଟେଇବ । ମୂଲିଆ ମଜୁରିଆରେ କରିଯିବ । ତମେ ଖାଲି ଘରେବସି ବରାଦ କରିବ ଯାହା । ମଝିରେ ମଝିରେ ଭାଇ ଆସିଛନ୍ତି ତାଙ୍କୁ ସହଯୋଗ କରିବାପାଇଁ କହୁନା । ଯେତେବେଳେ ଦରକାର ପଡ଼ୁଚି ଛୁଟିଆଣି ଘରେ ରହି ବୁଝିଯିବାକୁ କୁହ । ମୁଁ ସିନା ଘରକୁ ଆସୁନି, ସିଏ କ’ଣ ଆସୁନାହାନ୍ତି ?

 

ଆସେ, ପ୍ରତି ପନ୍ଦର ଦିନରେ ଥରେ ଆସେ । କ’ଣ ତା’ ବାଗ ମୁଁ ବୁଝିପାରେନି । ଆସିବ ଖାଲି ଚାଉଳ ପାଇଁ । ଦିନେ ଓଳିଏ ଘରେ ରହ, ସେକଥା ନାହିଁ । ଚାଉଳ ଧରିବ ତ ଯିବ । ସେ ସିନା ରହିଲେ କି କ’ଣ କଲେ ମୁଁ ତାକୁ ପଚାରନ୍ତି ? କହି ବାପା ମୋଆଡ଼କୁ ଚାହିଁଲେ । ଭାଇଙ୍କ ପରିସ୍ଥିତି ପ୍ରକୃତରେ ଭାରି ଖରାପ । ତାପରେ ସେ ଗୋଟାଏ ଅଲଗା ମଣିଷ, ଖୁବ୍‌ ଭାବପ୍ରବଣ । ପଢ଼ୁ ପଢ଼ୁ ଲଭ୍‌ମ୍ୟାରେଜ୍‌ କଲେ ଯେ ସେତିକିରେ ପାଠରେ ଡୋରି ଲାଗିଗଲା । ଚାକିରି ଖୋଜି ଖୋଜି ନୟାନ୍ତ ହୋଇ ଶ୍ୱଶୁରଙ୍କଠାରୁ ପଇସା ନେଇ ଘୋଷ୍‌ ଦେଇ କିରାଣି ହେଲେ-। ଭାଉଜଟା ସବୁବେଳ ପାଇଁ ରୋଗି । ଅବଶ୍ୟ ଭାଇ ଯେତେବେଳେ ତାକୁ ବାହାହେଲେ ଭାରି ସୁନ୍ଦରୀ ଥିଲେ । ବର୍ତ୍ତମାନ ତିନୋଟି ପିଲାର ମା’ ହେଲାପରେ ତାଙ୍କର ସେ ଚେହେରା ଆଉ ନାହିଁ-। ତା’ ସାଙ୍ଗକୁ ପ୍ରତି ମୁହୂର୍ତ୍ତରେ ତାଙ୍କ ଦେହ ଖରାପ ଯେ, ଭାଇଙ୍କ ଦରମା ଗଣ୍ଡାକ ଔଷଧ କିଣାରେ ଯାଉଚି । ଘରୁ ଚାଉଳ ନ ନେଲେ ସେଠି ଚଳିବେ କେମିତି ? ମୁଁ ମଝିରେ ଥରେ ଚିଠି ଲେଖିଥିଲି ବଡ଼ ଝିଅଟାକୁ ମୋପାଖକୁ ପଠେଇଦେଲେ ମୁଁ ତା’ ପଢ଼ାପଢ଼ି ଦାୟିତ୍ୱ ନେବି । କିନ୍ତୁ ସେ ପଠେଇଲେ ନାହିଁ । ତାଙ୍କ ନ ପଠେଇବାର କାରଣ କିଛି ବୁଝିପାରିଲି ନାହିଁ । ତଥାପି ମୁଁ ତାଙ୍କ ସହିଷ୍ଣୁତା ଓ ଧର୍ଯ୍ୟକୁ ଚିରକାଳ ବଧେଇ ଜଣାଉଥିବି । ଶୁଣିଚି ସେକାଳେ ସକାଳୁ ରୋଷେଇ ସାରି ପିଲାଙ୍କୁ ଗାଧୋଇ ଦେଇ ଖୁଆଇ ପିଆଇ ସ୍କୁଲକୁ ପଠାଇବାଠାରୁ ଭାଉଜଙ୍କ ସେବା ଯତ୍ନ କରିବା ପର୍ଯ୍ୟନ୍ତ ମଧ୍ୟ କରିଥାଆନ୍ତି । ମୁଁ ତାଙ୍କ ପାଖକୁ ୟା’ଭିତରେ ଯାଇନି । ବେଳେବେଳେ ଭାବେ ସେ ଭାଉଜ ଓ ପିଲାପିଲିଙ୍କୁ ଆଣି ଘରେ ଛାଡ଼ିଦେଇ ଯାଇପାରନ୍ତେ ତାଙ୍କର କିଛି ଅସୁବିଧା ହୁଅନ୍ତା ନାହିଁ-। ପୁଣି ପର ମୁହୂର୍ତ୍ତରେ ମନକୁ ଆସେ ଭାଉଜ କୌଣସି କାମ କରିପାରିବେ ନାହିଁ, ଖାଲି ଯାହା ବସି ବସି ଖାଇବେ । ତା’ ସାଙ୍ଗକୁ ତାଙ୍କୁ ଔଷଧ ଦିଅ ଠିକ୍‌ ସମୟରେ ଖାଇବାକୁ ଦିଅ ଇତ୍ୟାଦି ନାନା ଝାମେଲା । ଘରେ କେବଳ ଆଈମା ସାନବୋଉ ଆଉ ମିନା । ଏମାନେ କେହି ଯତ୍ନ ନେଇପାରିବେ ନାହିଁ କି ତାଙ୍କୁ ଭଲପାଇବେ ନାହିଁ । ଦିନେ ଦୁଇଦିନ କଥା ଅଲଗା, କଥାରେ ଅଛି–ନିତି ମଳୁକୁ ଅନାନ୍ତି ନାହିଁ । ବରଂ ସିଏ ଭାଇଙ୍କ ପାଖରେ ଅଛନ୍ତି ଢେର୍‌ ଭଲ ହେଇଚି-। ମୁଁ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି କହିଲି; ଭାଇ ରହିବା ନ ରହିବାରେ କ’ଣ ଅଛି ? ତୁମେ ତା’ ଅବସ୍ଥା ଜାଣିଚ, ସେ ଆସିଲେ ରହିପାରିବେ ନାହିଁ । ବରଂ ତାଠାରୁ ପରାମର୍ଶ ନେଇ କାମ କରିପାରନ୍ତ-। କେହି ଜଣେ ରହିଲେ ବୁଝିହେବ, ନହେଲେ ସେମିତି ହେବନି–ଏ କି କଥା ? ତାପରେ ତମର ବେଶି କିଛି ଦାୟିତ୍ୱ ଥିଲା ପରି ମୋର ତ ମନେହେଉନାହିଁ । ବିଲବାଡ଼ି ଧନ୍ଦା ଚାକର ମୂଲିଆ କରୁଛନ୍ତି, କରିବେ । ସେଥିରେ ଏତେ ବ୍ୟସ୍ତ ହେବାର କ’ଣ ଅଛି ?

 

ପଇସାପତ୍ର କଥାଟା ବୁଝୁଚୁ ନା ଖାଲି କରୁଚନ୍ତି କରିବେ କହିଦେଲେ କଥା ସରିଗଲା ? ବାପାଙ୍କ କଥାରେ ଟିକେ ବିରକ୍ତିର ସ୍ପର୍ଶ ଥିଲା । ମୁଁ ତାଙ୍କୁ ସନ୍ତ୍ୱନା ଦେଲାଭଳି କହିଲି ଯେତେବେଳେ ଦରକାର ପଡ଼ୁଚି ମୋପାଖକୁ କିମ୍ବା ସାନବାପାଙ୍କ ପାଖକୁ ଚିଠି ଲେଖିପାରନ୍ତ । ଯାହା ଆସିବାର କଥାତ ଆସୁଚି । ଘର ଖର୍ଚ୍ଚପାଇଁ ପ୍ରତିମାସରେ ଠିକ୍‌ ପଇସା ଆସୁଚି, ତମେ ତାକୁ ଠିକ୍‌ ବାଟରେ ନେଇପାରିବାଟା ବଡ଼ କଥା । ଯଦି ନିହାତି ଅସୁବିଧା ପହଞ୍ଚୁଛି ଆମ ପାଖକୁ ଚିଠିଲେଖି ଜଣାଅ । କିନ୍ତୁ ମନେରଖିବାକୁ ହେବ ପାଞ୍ଚ ପଇସା ଖର୍ଚ୍ଚ କରିବାକୁ ଗଲେ ସାତ ପଇସାର କାମ ହେଇପାରିବା ଦରକାର ।

 

ବାପା ଆଉ କିଛି କହିଲେନି । ବୋଧହୁଏ ମୋ ସାଙ୍ଗରେ ଯୁକ୍ତି କରିବାର ଇଚ୍ଛା ତାଙ୍କର ନ ଥିଲା । ସେଥିପାଇଁ ସେ ଚାଲିଗଲେ । ମୁଁ ଭାରି ଯୁକ୍ତିପ୍ରିୟ ବୋଲି ଅନେକ ସାଙ୍ଗ କହନ୍ତି । ଝିଅମାନେ କହନ୍ତି–ତମେ ଲ’ ପଢ଼ ମଳୟ ! ଭଲ ଓକିଲାତି କରିପାରିବ ।

 

ପ୍ରକୃତରେ ମୁଁ କିନ୍ତୁ ଓକିଲ ହେବାପାଇଁ ଇଚ୍ଛାକରିନି କୌଣସି ଦିନ । ବରଂ ଜୀବନଟା ଆପୋଷ ବୁଝାମଣା ଭିତରେ ନେଇଯିବାକୁ ଭଲପାଇଚି । ଦୁନିଆକୁ ଦେଖିବାକୁ ଇଚ୍ଛାକରିଛି ପ୍ରେମିଳ ଦୃଷ୍ଟିରେ । ସହାନୁଭୂତିର ପୃଥିବୀ ଖୋଜୁଛି ଅହରହ ।

 

ମୋ ପାରିବାରିକ ସମସ୍ୟା ମୋତେ ଛୁଇଁ ଛୁଇଁ ଗଲା । ଆମର ପ୍ରକୃତରେ ଅଭାବ ହେଇ କିଛି ନାହିଁ । ଖାଇବାକୁ ଗଣ୍ଡାଏ ବର୍ଷ ଶେଷଯାଏ ମିଳେ । ସାନବାପା ଓ ଆମେ ଦୁଇଭାଇ ଚାକିରି କରିଚୁ । ସମସ୍ତେ ମିଶି କିଛି ଗୋଟାଏ କରିବାକୁ ଚାହିଁଲେ ଅକ୍ଳେଶରେ କରିହେବ । କିନ୍ତୁ ସମସ୍ତଙ୍କର ଚାହିଁବାଟା ଏକା ହୁଏନାହିଁ କାହିଁକି କେଜାଣି ? ସାନବାପା କଲିକତାରେ ଗୋଟେ ପ୍ରଖ୍ୟାତ କମ୍ପାନୀରେ ଚାକିରି କରିଛନ୍ତି । ହୁଅନ୍ତୁ ପଛେ ଲେବର କିନ୍ତୁ ଯେକୌଣସି ସେକେଣ୍ଡ କ୍ଳାସ ଅଫିସରଙ୍କଠାରୁ ଅଧିକ ବେତନ ପାଆନ୍ତି ବୋଲି ଶୁଣାଯାଏ । ମାତ୍ର ତା’ ସଙ୍ଗରେ ଆଉ ଏକ କଥା ଶୁଣାଯାଏ ଯେ, ସେ କାଳେ ଡ୍ରିଙ୍କ୍‌ କରନ୍ତି ଖୁବ୍‌ । ଆଜିକାଲି ଏଇଟା ଗୋଟେ ମାମୁଲି କଥା । ପ୍ରତି ମାସରେ ଦୁଇଶ’ କରି ଟଙ୍କା ପଠାନ୍ତି ଘରକୁ । ପ୍ରାୟ ବେଶି ସମୟ ଘରକୁ ଆସନ୍ତି ନାହିଁ । ଏ ଅବସ୍ଥାରେ ବାପା କିଛି କରିପାରନ୍ତେ । କିନ୍ତୁ ତାଙ୍କ ଈଶ୍ୱର ତାଙ୍କ ପାଇଁ ଶୁଭ ସମୟ ଆଣି ପହଞ୍ଚାଉନାହାନ୍ତି । ତେଣୁ ଘରେ କେହି ଶାନ୍ତିରେ ଥିବାଭଳି ମୋର ମନେହୁଏ ନାହିଁ । ଅଶାନ୍ତିରେ କୌଣସି କାରଣ ମଧ୍ୟ ଖୋଜିବସିଲେ ମିଳେନାହିଁ କେବଳ ବାପାଙ୍କ ଏଇ ମିଜାଜ୍‌ ବ୍ୟତୀତ । ମୋତେ ବଡ଼ ଅଦ୍ଭୁତ ଲାଗେ । ଖାଇବାପାଇଁ କିଛି କାମ କରିବା ଆମ ପରିବାରର ମୁଖ୍ୟ ଉଦ୍ଦେଶ୍ୟ ହେଇଚି । କିନ୍ତୁ ଜେଜେ ଥିଲାବେଳେ କାମ କରିବାପାଇଁ କିଛି ଖାଇବାର ନିତି ଥିଲା । ସୁତରାଂ ସେ ଯୁଗରେ ଆର୍ଥାତ୍‌ ଶହେବର୍ଷ ତଳେ ସେ ପରଘରେ ମୂଲଲାଗି ବିଭିନ୍ନ ଫନ୍ଦିଫିକର କରି ଜମିଦାରମାନଙ୍କଠାରୁ ସମ୍ପତ୍ତି କରିପାରିଥିଲେ ଓ ତା’ର ରକ୍ଷଣାବେକ୍ଷର ମଧ୍ୟ କରୁଥିଲେ । ଚାଷର ଆୟରୁ ସବୁ ହେଇପାରୁଥିଲା, ଯଦିଓ ବନ୍ୟା, ମରୁଡ଼ି ଭିତରେ ସେ ସମୟ ବଡ଼ କଷ୍ଟରେ ବିତୁଥିଲା-। ଆଜି କିନ୍ତୁ ସେସବୁର ଠିକ୍‌ ଓଲଟା । ଚାଷର ରକ୍ଷଣାବେକ୍ଷଣ ଦାୟିତ୍ୱ ବି ମୂଲିଆଙ୍କ ହାତରେ-। ବନ୍ୟା, ମରୁଡ଼ି ନ ଥାଇ ମଧ୍ୟ ଫସଲ ଯଥାରୀତି ମିଳିବା କଷ୍ଟକର । ଖାଇବାକୁ ଗଣ୍ଡେ ମିଳୁଚି ତ ସବୁ ଠିକ୍‌ ଅଛି । ଭବିଷ୍ୟତ ଚିନ୍ତା କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଏ ଆଉ ମହାତ୍ମାଗାନ୍ଧୀଙ୍କ ମୃତ୍ୟୁପରେ ଭାରତର ଅବସ୍ଥା ନୁହେଁ ତ ? ମୋତେ ଭୀଷଣ କଷ୍ଟ ଲାଗୁଥିଲା । କାନ୍ଥଉପରେ ମୁଣ୍ଡଥୋଇ ମୁଁ ଟିକେ ଆଖି ବୁଜିଦେବାକୁ ଚେଷ୍ଟା କରୁଥିଲି । ସାମାନ୍ୟତମ ବିସ୍କୃତି ଭିତରେ ସେଇ ସ୍କୁଲ ଶେଷର ଘଣ୍ଟି ବାଜିଉଠିଲା ବାରମ୍ବାର । ମୁଁ ଚମକିପଡ଼ି ଚାରିଆଡ଼କୁ ଚାହିଁଲି । କେଉଁଆଡ଼େ କିଛି ନଥିଲା, ଶବ୍ଦଟା ମୋ ମୁଣ୍ଡଭିତରୁ ହିଁ ବାହାରୁଥିଲା । କେବଳ ଏଇଥିପାଇଁ ମୁଁ ଘର ବିଷୟରେ ମୁଣ୍ଡ ପୂରାଇବାକୁ ପ୍ରସ୍ତୁତ ହୁଏନା ।

 

ସେଠାରୁ ଉଠିଯାଇ ମୁଁ ବାଡ଼ିଆଡ଼କୁ ବୁଲି ଚାଲିଗଲି । ଆମ୍ବଗଛର ଛାଇତଳେ ବସିବାପାଇଁ । ହଳଦୀବସନ୍ତକୁ ଦେଖି ନମସ୍କାର କରିବାପାଇଁ । କିନ୍ତୁ ମୋ ବସିବା ବେଞ୍ଚଉପରେ ହିଁ ମିନୁ ସାଙ୍ଗରେ ଟୋକାଟିଏ ବସି ଗପ କରୁଥିଲା । ମୁଁ ସେ ଟୋକାଟିକୁ ଚିହ୍ନିପାରିଲି ନାହିଁ । ଭାବୁଥିଲି ମୁଁ ତାଙ୍କ ପାଖକୁ ନ ଯାଇ ଫେରିଆସିବି ବୋଲି । ପୁଣି କାହିଁକି ଇଚ୍ଛାହେଲା ଯିବାପାଇଁ । ତାଙ୍କ ପାଖରେ ପହଞ୍ଚିଲା ବେଳକୁ ମିନୁ ଟିକେ ଅପ୍ରସ୍ତୁତ ଭଙ୍ଗୀରେ ସେ ଟୋକାଟି ଉଦ୍ଦେଶ୍ୟରେ କହିଲା; ରଞ୍ଜନ । ଏଇ ଭାଇ ଆସିଲେଣି । ସଙ୍ଗେ ସଙ୍ଗେ ସେ ମୋତେ ନମସ୍କାର କଲା ଓ ମୁଁ ପ୍ରତି ନମସ୍କାର ଜଣାଉ ଜଣାଉ ମିନୁଆଡ଼କୁ ପ୍ରଶ୍ନିଳ ଆଖିରେ ଚାହିଁଲି । ମିନୁ ଆଉଟିକେ କ୍ଳିୟର କରିଦେବାକୁ କହିଲା; ଇଏ ରଞ୍ଜନ ସିଂ । ତାଙ୍କ ଘର ରସୁଲପୁର । କଲେଜରେ ପଢ଼ନ୍ତି ।

 

ରସୁଲପୁର ଆମ ଘରପାଖରୁ ପ୍ରାୟ ପାଞ୍ଚକୋଶ ବାଟ । ଏତେବାଟ ଯେ ପିଲାଟା କାହିଁକି ଆସିବ ମୁଁ ବୁଝିପାରୁନଥିଲି । ଯାହା ବୁଝୁଥିଲି ସେ କଥାଟା ବିଶ୍ୱାସ ଯୋଗ୍ୟ କି ନୁହେଁ ସ୍ଥିର କରିପାରୁନଥିଲି । ସେ ଦୁହେଁ ଛିଡ଼ା ହୋଇଥିଲେ ସେମିତି । ମୁଁ ବସିଲି ଓ ଗମ୍ଭୀର କଣ୍ଠରେ କହିଲି; ଦୁଇକପ୍‌ ଚା ନେଇ ଆ’ ତ ମିନୁ ।

 

ସେଠାରୁ ମିନୁ ଚାଲିଯିବା ପରେ ମୁଁ ତାକୁ ବସିବାକୁ ଇଙ୍ଗିତ ଦେଇ ପଚାରିଲି; କେଉଁ ଇୟରରେ ପଢ଼ୁଚ ? ସେ ବିନୀତ ଭାବେ କହିଲା; ସେକେଣ୍ଡ ଇୟର ପରୀକ୍ଷା ଦେଇଚି ।

 

ପରୀକ୍ଷାରେ କେମିତି କରିଚ ?

 

ବେଶି ଭଲ ହେଲାନି । ପ୍ରଶ୍ନ ମଧ୍ୟ ଭଲ ପଡ଼ିନଥିଲା ।

 

ମୁଁ ତା’ କଥାର ସତ୍ୟାସତ୍ୟ ଓ ଷ୍ଟାଣ୍ଡାର୍ଡ଼ ଜାଣିବା ପାଇଁ ପଚାରିଲି; ମାଟ୍ରିକ୍‌ରେ କେଉଁ ଡିଭିଜନ୍‌ ପାଇଚ ? ମୋ ଗମ୍ଭୀର କଣ୍ଠର ପ୍ରଶ୍ନ ଶୁଣି ପିଲାଟା କିଛି ପରିମାଣରେ ଭୟ ପାଇଯାଇଥିଲା ବୋଧେ । ଧିରେ ଧିରେ କହିଲା–ଥାର୍ଡ଼ ଡିଭିଜନ୍‌ ।

 

ମୁଁ ଟିକେ ଅନ୍ୟମନସ୍କ ହେଇଗଲି । ଏମିତି ଗୋଟେ ପିଲା ସାଙ୍ଗରେ ମିନୁର ସମ୍ପର୍କ କେମିତି ଯେ, ସମ୍ଭବ ହେଲା ମୁଁ ବୁଝିପାରୁନଥିଲି । ଖୁବ୍‌ ସୁନ୍ଦର ନହେଲେ ମଧ୍ୟ ଚେହେରାଟା ଅସୁନ୍ଦର ନୁହେଁ । ତେବେ ଉଚ୍ଚତାଟା ଯଥେଷ୍ଟ ଥିଲା । ଦେହରେ ଦାମି ପୋଷାକ । ଗୋଡ଼ରେ ଜୋତା । କାଳେ ପିଲାଟା ନର୍ଭସ୍‌ ହେଇଯିବ ଭାବି ପଚାରିଲି; ବାପାଙ୍କ ନାଁ କ’ଣ ?

 

ସୁନାକର ସିଂ ।

 

କ’ଣ କରନ୍ତି ?

 

କଣ୍ଟ୍ରାକ୍ଟର, ଗୋଟାଏ ଲୁଗା ଦୋକାନ ମଧ୍ୟ ଅଛି । କହି ସେ ତଳକୁ ଚାହିଁଲା । ପିଲାଟା ସ୍ମାର୍ଟ ଥିବା ଭଳି ଜଣାପଡ଼ୁଥିଲା । ମୁଁ ପଚାରିଲି; ତମର ସବ୍‌ଜେକ୍ଟ କ’ଣ ଥିଲା ?

 

ଇକନମିକ୍‌ସ, ହିଷ୍ଟରୀ, ଲଜିକ୍‌ ।

 

ଘରଆଡ଼କୁ ମିନୁର ଫେରିବା ବାଟକୁ ଚାହିଁ ପଚାରିଲି; ମିନୁ ସଙ୍ଗରେ ତମର ପରିଚୟ ହେଲା କେମିତି ?

 

ପରୀକ୍ଷା ସେଣ୍ଟରରେ ମୋ ସାନଭାଇ ପରୀକ୍ଷା ଦେଉଥିଲା ଏବଂ ଏମାନେ ସାଙ୍ଗହେଇ ଗୋଟାଏ ହଲରେ ପଡ଼ିଥିଲେ । ତାପରେ ଉଭୟଙ୍କ ମେସ୍‌ ଖୁବ୍‌ ପାଖାପାଖି ଥିଲା ଏବଂ ଏକାଠି ରହି ପଢ଼ାପଢ଼ି କରୁଥିଲେ । ମୁଁ ସେଇଠି ରହୁଥିଲି ।

 

ଏଇ ସାମାନ୍ୟ ସମ୍ପର୍କ ପାଇଁ ତମେ ଏଠିକି ଆସିଚ ? ଆଉ କେତେଥର ଆସିଥିଲ ?

 

ନାଁ ଏଇ ପ୍ରଥମ । ଏଣେ ଗୋଟାଏ କାମରେ ବାପା ପଠାଇଥିଲେ, ଭାବିଲି ଟିକେ ଦେଖାକରି ଯିବା ।

 

ପୂର୍ବରୁ ବୋଧେ ମିନୁ ଆମ ଘର ସମ୍ପର୍କରେ ରାସ୍ତା କହିଥିଲା ?

 

ହଁ, ସେଇଠି କହିଥିଲା । ସ୍ପଷ୍ଟଭାବେ କହିଲା ରଞ୍ଜନ ।

 

ଆମର ଏଇ ସାମାନ୍ୟ କଥାବାର୍ତ୍ତା ଭିତରେ ମିନୁ ଖୁବ୍‍ଶୀଘ୍ର ଚା’ ନେଇଆସି ପହଞ୍ଚିଲା । ମୁଁ ତା’ ହାତରୁ ଦୁଇଟାଯାକ କପ୍‌ ନେଇଆସି ରଞ୍ଜନ ହାତକୁ ଗୋଟାଏ କପ୍‌ ବଢ଼େଇଦେଇ କହିଲି; ଚା’ ଖାଅ ।

 

ଚା’ ଖାଇବାର ଅଭ୍ୟାସ ମୋର ନାହିଁ ।

 

ଅନ୍ତତଃ ଏଇ ଆଜିକ ପାଇଁ ?

 

ସେ ମୋ ହାତରୁ ଚା’ କପ୍‌ଟା ନେଲା ଓ ଚୁମକ୍‌ ଦେଉ ଦେଉ ମୁଁ ପଚାରିଲି; ତମ ଜୀବନର ଏମ୍‌ କ’ଣ ? ମାନେ କ’ଣ କରିବାକୁ ଚାହୁଁଚ ?

 

ସେମିତି କିଛି ନାହିଁ; ଭାବୁଚି କଣ୍ଟ୍ରାକ୍ଟର କାମରେ ବାପାଙ୍କୁ ସହଯୋଗ କରିବି । ପାଠ ପଢ଼ିବ ନାହିଁ ?

ପାଠ ପଢ଼ି କିଛି ଲାଭନାହିଁ ଏ ଯୁଗରେ । ଚାକିରି ସମସ୍ୟା ଯାହା ଦେଖୁଛନ୍ତି ସେଥିରେ ଅଯଥା ମୁଣ୍ଡ ପୂରେଇବା ଦରକାର ନାହିଁ ।

ମୁଁ ଟିକେ କଣ୍ଠ ଝାଡ଼ିଦେଇ କହିଲି–ପାଠ କ’ଣ ଚାକିରି ଉଦ୍ଦେଶ୍ୟରେ ପଢ଼ାଯାଏ ? ପାଠ ପଢ଼ନ୍ତି ସମସ୍ତେ ନିଜର ଜ୍ଞାନ ଅର୍ଜନ ପାଇଁ । ତା’ ଭିତରେ ଆବଶ୍ୟକତା ଅନୁସାରେ ତମେ ଯଦି ଯୋଗ୍ୟ ହେଇଥାଅ ଚାକିରି ପାଇଁ ସୁଯୋଗ ମିଳିପାରେ । ଖାଲି ଉଦ୍ଦେଶ୍ୟ ରଖି ଯେଉଁମାନେ ପଢ଼ନ୍ତି ସେମାନେ ନା ଜ୍ଞାନୀ ହୁଅନ୍ତି ନା ଚାକିରି ପାଆନ୍ତି ? କିଛି ହିଁ ହୁଏନାହିଁ । ବୋଧହୁଏ ତମର ଭଲ ପାଠ ହେଉନାହିଁ । ନହେଲେ ବାପାଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା କରନ୍ତ ନାହିଁ । ତମ ବାପା କେତେ ପାଠ ପଢ଼ିଛନ୍ତି ?

ସେ କିଛି ସମୟ ଚୁପ୍‌ ହେଇ ରହିଲା ଓ କହିଲା–ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ।

ଖୁବ୍‌ ଅଳ୍ପ ପାଠପଢ଼ି ଲୋକେ କଣ୍ଟ୍ରାକ୍ଟର ହେଇ କାମ କରୁଛନ୍ତି । ସେ ପାଇଁ ପାଠର ବିଶେଷ ଆବଶ୍ୟକତା ନାହିଁ । କାରଣ ଯେଉଁ ଡିପାର୍ଟମେଣ୍ଟର କାମ କରାଯାଉଥିବ ତା’ର ଓଭରସିଓର ଥିବେ । କାମ କେମିତି ହେବ ସେ ସମ୍ପର୍କରେ ପ୍ଳାନ୍‌ ଦେଉଥିବେ । ପାଠପଢ଼ି ଯଦି ଘରେ ଚାଷ କରିପାରେ ତେବେ ନିଜ ଇଚ୍ଛାରେ ଓ ପରିଶ୍ରମରେ ନୂଆ କିଛି ଫସଲ କରିପାରିବ । କାରଣ ଚାଷରେ ମଧ୍ୟ ବୁଦ୍ଧିର ଆବଶ୍ୟକତା ରହିଚି ।

ତା’ ପରେ ରଞ୍ଜନ କିଛି କହିଲାନି । ମୋ କଥାଗୁଡ଼ାକ ତାକୁ ହୁଏତ ଅନେକାଂଶରେ କଷ୍ଟ ଦେଲା । ମୁଁ ତା’ ମୁହଁକୁ ଲକ୍ଷ୍ୟକଲି ପୂର୍ବର ସତେଜତା ଆଉ ନ ଥିଲା । ମୁଁ ଉଠିଲି ଓ ଆମ୍ବଗଛର ଝୁଲନ୍ତା ଆମ୍ବଗୁଡ଼ିକ ଦେଖୁ ଦେଖୁ କହିଲି–କର୍ମର ଫଳ ଦିନେନା ଦିନେ ଫଳିବ ହିଁ ଫଳିବ । ଏ ବର୍ଷ ଖୁବ୍‌ ଚମତ୍କାର ଆମ୍ବ ହେଇଚି । ଛୋଟ ବେଳେ ଥରେ ମୁଁ ଏ ଆମ୍ବଗଛଟାକୁ ଉପାଡ଼ିଦେଇଥିଲି, ପୁଣି ତାକୁ ଆଣି ପୋତିଥିଲେ ଜେଜେ ।

ମିନୁ କହିଲା–ଗତବର୍ଷ ମଧ୍ୟ କିଛି କମ୍‌ ଫଳିନଥିଲା । ଆମେ ତମ ପାଖକୁ ପଠେଇଥିଲୁ ଥରେ । ମୋର ମନେପଡ଼ିଲା । ମୁଁ ସେଠାରେ ଆଉ ବେଶି ସମୟ ଛିଡ଼ା ନ ହେଇ ପଳେଇଆସିଲି ହଠାତ୍‌ । ଯେମିତି ମୋର କୌଣସି ଅର୍ଜେଣ୍ଟ କାମ ମନେପଡ଼ିଗଲା, ଯାହା ମୁଁ କରିପାରିନଥିଲି ।

ଘରକୁ ଆସି ମୁଁ ଶୋଇପଡ଼ିଲି । ଭାବୁଥିଲି ଏ ଦୁଇଜଣଙ୍କ କଥା । ମିନୁ ହୁଏତ ରଞ୍ଜନକୁ ଭଲପାଉଚି କିମ୍ବା ରଞ୍ଜନ ତାକୁ ଭଲପାଇବାକୁ ଚେଷ୍ଟା କରୁଚି । ଯୌବନର ଏଇ ପହିଲି ଉଷାରେ ଭଲପାଇବାର ଇଚ୍ଛା ଖୁବ୍‌ ବଳବତ୍ତର । ପୃଥିବୀ ସମ୍ପର୍କରେ କିଛି ନ ଜାଣିଥିବା ପୁଅଝିଅମାନେ ଏଇଠୁ ଜାଣିବାକୁ ଓ ଶିଖିବାକୁ ପାଇଥାଆନ୍ତି । ମୁଁ ମଧ୍ୟ ଏଇ ବୟସରୁ ପ୍ରେମରେ ପଡ଼ିଥିଲି । କ୍ଷତାକ୍ତ ହେଇଥିଲି । ହାରିଥିଲି ବାରମ୍ବାର । ସେତେବେଳେ ଆତ୍ମହତ୍ୟା କଥା ଚିନ୍ତା କରିଚି, ତାଜମହଲ କଥା ଚିନ୍ତା କରିଚି । କିନ୍ତୁ ପାଇବା ତୁଳନାରେ ହରେଇଥିବା ସମୟର ମୂଲ୍ୟ ଯଥେଷ୍ଟ ବୋଲି ଆଜି ଅନୁଭବ କରୁଚି । ମୁଁ ମନେମନେ ସେଇ ଯୁବକଟି ଉଦ୍ଦେଶ୍ୟରେ କହିଲି–ତୋଦ୍ୱାରା ପାଠଶାଠ ହେଉନିରେ ନିର୍ବୋଧ । ପ୍ରେମ କଲେ ଯାହା ତୋର ଜୀବନ ଖଣ୍ଡକ ଅନ୍ୟ କେଉଁ ବାଟରେ ଗତି ହେଇଯିବା କଥା ସେ କଥା ମଧ୍ୟ ହେଇପାରିବନି । ମିନୁ ଆଜି ତୋ ସାଙ୍ଗରେ ହସି ଖୁସି କେଇପଦ କଥା ହେଇପାରେ; ମାତ୍ର ସମୟ ଆସିବ ଯେତେବେଳେ ତୋଠୁ ଯଥେଷ୍ଟ ଯୋଗ୍ୟ ଲୋକ ମିନୁକୁ ଭଲପାଇବାକୁ ହୃଦୟ ବଢ଼େଇଦେବେ । ସେତେବେଳେ ତୁ କେବଳ ପାଣିର ଫୋଟକା ଭଳି ତା’ ହୃଦୟ ଭିତରୁ ମିଳେଇଯିବୁ । ଅଚାନକ ଯଦି ବାଟରେ ଦେଖା ହେଇଯାଏ ଓ ତୁ ତାକୁ କିଛି ପଚାରୁ ସେ କହିବ, ମୁଁ ଚିହ୍ନେନି । ସେ ଦୁଃଖ ଆଜିର ଏ ସୁଖଠାରୁ ଯଥେଷ୍ଟ କଷ୍ଟଦାୟକ-। ତା’ ପରେ ତୁ ମଦ ପିଇବୁ । ମାତାଲ ହେବୁ । ହତାଶ ପ୍ରେମିକ ହେଇ ଦାଣ୍ଡେ ଦାଣ୍ଡେ ଯାଉ ଯାଉ କେହି କେହି ଥଟ୍ଟା ମଧ୍ୟ କରିବେ । ସେତେବେଳକୁ କଟକ ଆସିବାର ଭରସା ତୋ ଭିତରୁ ତୁଟି ଯାଇଥିବ । କୋଉ ଭଲ ପାଠ ପଢ଼ନ୍ତୁ କି ଅଧିକ ପାଠ ପଢ଼ିଲେ ତୋ ଉପରେ ଝିଅଙ୍କର ଭରସା ରୁହନ୍ତା । ତୋତେ ଯୋଗ୍ୟ ଲୋକ ବୋଲି ସ୍ୱୀକାର କରନ୍ତେ । ତୃତୀୟ ଶ୍ରେଣୀରେ ପାଶ୍‌ କରୁଥିବା ପିଲା ଆଜିକାଲି କେମିତିକା ଷ୍ଟାଣ୍ଡାର୍ଡ଼ର ସମସ୍ତେ ଜାଣନ୍ତି । କେମିତି କପି କରି ପାଶ୍‌ କରୁଛନ୍ତି ସମସ୍ତେ ବୁଝୁଛନ୍ତି । ଆଇ.ଏ. ପରୀକ୍ଷା ଦେଇଚୁ ଯେ କ’ଣ ହେଉଚି ଦେଖି-। ଭଲ ଡ଼ିଭିଜନ୍‌ଟିଏ ନ ପାଇଲେ ଅନର୍ସ ମିଳିବ ନାହିଁ । ସାଧାସିଧା ପାଠ ପଢ଼ିଲେ କେଉଁ ଝିଅ ପାଖକୁ ଯିବେ ଯେ-?

 

ଘରଭିତରେ ମିନାର ପାଟି ଶୁଭୁଥିଲା । ବୋଧହୁଏ ସେ ଟୋକାଟା ଚାଲିଗଲାଣି । ମୁଁ ଉଠିବାକୁ ଯାଉଥିଲି । ଆଈମା’ ମୋ ଘରକୁ ପଶି ଆସୁଆସୁ କହିଲା–ଇରେ ତୁ ଏଇଠି ଅଛୁ ମୁଁ କେତେ ଖୋଜିଲିଣି ?

 

କାହିଁକି ଖୋଜୁଥିଲୁ କି ? ମୁଁ ପଚାରିଲି । ମୋ କଥାଟା ତାକୁ ଭଳ କରି ଶୁଭିଲାକି ନାହିଁ-। ତାକୁ ଟିକେ କମ୍‌ ଶୁଭେ । ବୁଢ଼ୀ ହେଲାଣି ତ ଶ୍ରବଣଶକ୍ତି ହ୍ରାସ ପାଇଆସୁଚି । ମୁଁ ପୁଣି ଥରେ ଜୋରରେ କହିଲି କାହିଁକି ଖୋଜୁଥିଲୁ ?

 

ସେ ଚେୟାର ଉପରେ ଆସ୍ତେ ବସୁ ବସୁ କହିଲା ଖୋଜୁଥିଲି ପରା ପଚାରିବି ବୋଲି । ପଅରଦିନଠୁ ଆଇଲୁଣି ଯେ ତୋ ଭେଟ କ’ଣ ମୁଁ ପାଉଚି । ତୁ ଥିଲାବେଳେ ମୋର କାମ ଚାଲେ, ମୋର କାମ ନ ଥିଲାବେଳେ ତୁ ନ ଥାଉ । ଆଜି କୁଆଡ଼େ ଗଲୁନି କି ?

 

କୁଆଡ଼େ ଯିବି ? ସହରରୁ ଆସିଲି ଗାଁକୁ, ତମମାନଙ୍କୁ ଦେଖିବାପାଇଁ । ଆଉ ପୁଣି ଯିବି କୁଆଡ଼େ ? ଗଲେ ସେଇ ସହରକୁ ଯିବି, ହେଲେ ଆଜି ନୁହେଁ ।

 

କରିବ କ’ଣ ? ଘରେ ଥିଲାବେଳେ ରୋଷେଇ କରୁଚି, ଖାଉଚି ପିଉଚି ଶୋଉଚି ଆଉ ଦଶଟା ବେଳକୁ ଅଫିସ୍ ଯାଇ ଚାରିଟା ବାଜିଲେ ଫେରୁଚି । ଆଉ କରିବ କ’ଣ ?

 

ତମେ ସେଠି ଜାଗା କିଣି ଘରକରି ରହିଲଣି, ଆମକୁ ଟିକେ ନେଉନା ?

 

ଏଇଥର ଚାଲ୍ ଯିବୁ ମୋ ସାଙ୍ଗରେ । ଦିନଯାକ ଘର ଚାବି ପଡ଼ୁଚି, ତୁ ହେଲେ ଗଲେ ଜଗିବସିବୁ ।

 

ହଁ ମୁଁ ଆଉ ଯିବି ? ଗଲାବେଳେ ତ ଯାଇନି । ଏକ୍ଷଣି କାନକୁ ଶୁଭୁନି, ଆଖିକୁ ଦିଶୁନି ଆଉ ଯାଉଚି ? ତୋ ଭଉଣୀ ଭାଇକି ନେଇଯା’ । ମିନା ପରୀକ୍ଷା ଦେଇଚି, ପାଶ୍ କଲେ ତୋ ପାଖରେ ରହି ପଢ଼ିବ; ବାବୁଟା ଦୁଷ୍ଟ ହେଉଚି ତାକୁ ପାଖକୁ ନେଇଯା’ ।

 

ହଁ, ସମସ୍ତେ ଯିବେ । ବେଳ ଆସିଲେ ସମସ୍ତେ ଯିବେ । ଏତେ ବ୍ୟସ୍ତ ହେଉଚୁ କାହିଁକି-?

 

ଆଚ୍ଛା ତୁ ଆସିଲୁ । ପୁନିକି ସାଙ୍ଗରେ ଆଣିଲୁନି କାହିଁକି ?

 

ପୁନି କ’ଣ ସାନ ପିଲା ହେଇଚି, ତା’ର ଆସିବାର କଥା ହେଇଥିଲେ ସେ ମୋ ସାଙ୍ଗରେ ବାହାରିନଥାନ୍ତା ? ତା’ ଅଫିସରେ ଏବେ ପରା କାମ ଭାରି କଡ଼ା ପଡ଼ିଚି; ସିଏ ଆସିପାରୁଚି କେଉଁଠି ?

 

ମାଇକିନିଆ ଝୁଅ ଏତେ କାମ କରିପାରୁଚି ? ସେ କେମିତି ଆଶ୍ଚର୍ଯ୍ୟ ହେଇ ପଚାରିଲା-

 

ଧେତ୍‌, ସେ କ’ଣ ମାଟିତଡ଼ା ନା କୋଦାଳହଣା କାମ ହେଉଚି ? ଫାଇଲପତ୍ର କାମ ପରା । କେଉଁ ଜିନିଷ ଆସିଲା କେଉଁ ଜିନିଷ ଗଲା ତା’ର ହିସାବ ରଖୁଚି । ସେ ଦାୟିତ୍ୱ ତା’ ଉପରେ । ଭାରି ଦାୟିତ୍ୱ ଏକା । ଟିକିଏ ଏପଟସେପଟ ହେଇଗଲେ ଚାକିରି ଚାଲିଯିବ । ଜେଲ୍‌ ଯିବାକୁ ହେବ–ମୁଁ ଟିକେ କଥାଟାକୁ ଚିକିଣେଇ କହିଲି । ଆଈମା’ ମୋ କଥାକୁ ସାନପିଲାଙ୍କ ଭଳି ଜୁଳୁ ଜୁଳୁ ଆଖିରେ ଅନେଇ ଶୁଣୁଥିଲା । କେମିତି ଦୁଃଖ କଲାଭଳି କହିଲା ତମେ କ’ଣ ସବୁଦିନ ପାଇଁ ଏମିତି ଦୁଇ ହେଇଥିବ ନା, ଆଉ କିଛି ହେବ ?

 

ମୁଁ କେମିତି କହିବି ? ପୁନିକୁ ପଚାରିବୁ ।

 

ନାଇଁବା ମୋ ଆଗରେ ଲୁଚଉଚୁ କାହିଁକି ? ତା’ର ପରା କ’ଣ ମାସ ଗୋଳମାଳିଆ ହେଉଥିଲା, ଡାକ୍ତର ଦେଖେଇ ଠିକ୍‌ କଲାଣି ନା ସେମିତି ହେଉଚି ?

 

ବଡ଼ ଅଖାଡ଼ୁଆ ଟୋକାଟାଏରେ ତୁ, ତା’ ଖବର ତୁ ବୁଝିବୁ ନାହିଁ ତ ବୁଝିବ କିଏ ? ସେଠି ବୋଉ ଶାଶୁ ଅଛି ନା ଭାଉଜ ଅଛି ? ନା ଯା’ ନଣନ୍ଦ ଅଛନ୍ତି ତା’ କଥା କିଏ ବୁଝିବାକୁ ? ପର ଝିଅସିଏ, ହାତଧରି ବାହା ହେଇଚୁ । ଲୁହ ଗଡ଼େଇଲେ ବରକତ ସହିବନି । ତାକୁ ଖୁସିରେ ରଖିବୁ ।

 

ଯାଆ ବା ଏମିତି କେତେ ମାଇକିନିଆ ଖୁସିରେ ରହୁଥିବେ ? ମୋ ପାଟିରୁ କଥା ସରିନି ସେ ଆକଟ କଲାଭଳି କହିଲା; ହାକ୍‌ ! ସିଏ ତୋ ଧରମ ସ୍ତ୍ରୀଟି ? ଦଶ ଦିଗପାଳଙ୍କୁ ସାକ୍ଷୀରଖି, ଦଶ ଦୋଷ କ୍ଷମା ମାଗି ତା’ ବାପ ତୋ ହାତରେ ଟେକିଦେଇଚି । ଯଦି ଲୁହଗଡ଼ାଏ ଖାଲି ତୋ ଉପରେ ପଡ଼ିବ । ତୁ ସୁଖରେ ରହିପାରିବୁନି ।

 

ସେଇଥିପାଇଁ ତ ତୋତେ ନେବାକୁ ଆସିଚି । ତାକୁ ଛାଡ଼ପତ୍ର ଦେବି–କହି ମୁଁ ହସିବାକୁ ଲାଗିଲି । ସେ ବିରକ୍ତ ହେଇ କହିଲା; ବଦମାସ୍‌ ଟୋକା ମୋ ସାଙ୍ଗରେ ତାମସା କରୁଚୁ ? କୁଆଡ଼େ ଆସିଚୁ କହୁନୁ କାହିଁକି ? ପାଞ୍ଚବରଷ ହେଲା ଦେଖିବାକୁ ଆସୁନଥିଲୁ ଆଜି ଆସିଚୁ ? ସତ କହିଲୁ ପୁନିର କ’ଣ ହେବ କିରେ ?

 

ସେଠି ତ ଡାକ୍ତରଖାନା ଅଭାବ ଅଛି ? ନର୍ସ ଅଭାବ ଅଛନ୍ତି ?

 

ହଉରେ ତୁ ଥାଆ, ମୁଁ ଚାଲିଲି–କହି ବୁଢ଼ା ଉଠିଲା ଯିବାପାଇଁ । ମୁଁ କହିଲି; ତୁ କ’ଣ ଯିବାକୁ ବାହାରିଲୁଣି ? ମୋତେ କିଛି କହିଲୁନି ତ ?

 

ଏଁ, କ’ଣ କହିବି ?

 

ତୋ ଯିବା କଥା, ଯିବୁକି ନ ଯିବୁ କହୁନୁ ?

 

କାହିଁକି ଯିବି ?

 

ପୁନି କହିଚି ପରା ।

 

ସିଏତ ମୋତେ ଟିକେ ଦେଖିବାକୁ ଆସିଲାନି, ମରିହଜି ଗଲିଣି କି ଅଛି ବୋଲି, ମୁଁ କାହିଁକି ଯିବି ?

 

ନଗଲେ କେମିତି ହେବ ?

 

କ’ଣ ହେବ ?

 

ମୁଁ କେମିତି ଜାଣିଲି ?

 

ଆଉ କହୁଚୁ ?

 

ତୁ ସେଠିକି ଯାଇ କ’ଣ ହେଲେ ସିନା ଦେଖିବୁ, ତାପରେ ସମସ୍ତେ ଜାଣିବେ କ’ଣ ଗୋଟାଏ ହେଲା ।

 

ଏଁ ଏମିତି କ’ଣ କହୁଚୁ ? ତୋ କଥାରୁ ତ ମୁଁ କିଛି ବୁଝିପାରୁନି ?

 

ତୋ ପୁନିରବା–କହ ଦୁଇହାତକୁ ଯୋଡ଼ିଦେଇ ପେଟଉପରେ ଛ’ ସାତ ଇଞ୍ଚ ଦୂରରେ ଗୋଟେ ଗୋଲେଇ କରିଦେଇଚି ଯେମିତି ବୁଢ଼ି ତ ଧଅସିଆସିଲା ମୋ ପାଖକୁ । କହିଲା; ତୁ ସତ କହୁଚୁ ?

 

ଆଉ କ’ଣ ମୁଁ ମିଛ କହୁଚି ?

 

ବୁଢ଼ୀର ଆଖିଦୁଇଟା ଉଜ୍ଜ୍ୱଳ ଦିଶିଲା–ପୁଣି ଟିକେ ସନ୍ଦେହ କଲାଭଳି କହିଲା; ମୋ ଦେହଛୁଇଁ କହିଲୁ ?

 

ତା’ ହାତଉପରେ ହାତରଖି କହିଲି; ତୋ ଦେହଛୁଇଁ କହୁଚି ଲୋ ଆଈମା’ ପୁନିର କ’ଣ ପିଲାପିଲି ହେବ । ମୁଁ କେବଳ ଆସିଚି ତତେ ନେବାପାଇଁ ।

 

ଆନନ୍ଦରେ ଉଛୁଳିପଡ଼ିଲା ବୁଢ଼ୀର ମୁହଁ, କହିଲା–ମୁଁ ତ ସେଇକଥା ଆଗରୁ କହୁଥିଲି ତୁ କେମିତି ମୋ ସାଙ୍ଗରେ ଥଟ୍ଟା ଖେଳୁଚୁ ?

 

ଆଚ୍ଛା କହିଲୁଦେଖି, ତୋ ସାଙ୍ଗରେ ଥଟ୍ଟା ଖେଳିବିନି ତ ଆଉ କାହା ସଙ୍ଗରେ ଖେଳିବି-? କହି ମୁଁ ଟିକେ ଅନ୍ୟମନସ୍କ ହେଇଗଲି । କିଛି ସମୟ ରହିଗଲା ପରେ କହିଲି–ତୁ ତୋ ଯିବା କଥାଟା କହୁନୁ, ମୁଁ ଶୁଣେ ?

 

ମୁଁ ଯାଇ କ’ଣ କରିବି ? ସହର ବଜାର ଜାଗାରେ ଚଳିପାରିବି ତ ? ଦେଖୁଚୁ ତ ମୋର ଅବସ୍ଥା ? କ’ଣ କରିବି ସେଠି ? ଯଦି କହୁଚୁ ମୁଁ କ’ଣ ଯିବାକୁ ନାହିଁକରିବି; ତୋ ମାଆ ଥାଆନ୍ତା ଯାଇଥାନ୍ତା ଅଧବାଟରେ ବସେଇଦେଇ ଚାଲିଗଲା । କେତେ ଦୁଃଖ କରିଥିଲା–ସୁଖ ଟିକେ ଦେଖିବାପାଇଁ ଦଇବ ରଖିଲାନି । ଥିଲେ ଏଇନେ ସବୁଠଉଁ ସବୁ କାମ କରିଥାଆନ୍ତା, ନାତି ନାତୁଣି ଖେଳେଇଥାଆନ୍ତା, ତେଲ ହଳଦୀ ଲଗେଇ ଦେଇଥାଆନ୍ତା–ହେଲେ ତା’ କପାଳ ତ ସେଇଆ–କହି ବୁଢ଼ୀ କାନ୍ଦ ହେଇଗଲା । ସତରେ ମୋତେ ଖୁବ୍‌ କଷ୍ଟ ଲାଗିଲା ବୋଉ କଥା ଶୁଣି । ଦଶମାସ ଗର୍ଭରେ ଧରି ଅନ୍ତଫାଡ଼ି ଜନ୍ମ ଦେଇଥିଲା, ଆହାଃ ରହିଲାନି ଯାହା । ମା’ ଋଣ ଶୁଝିବାକୁ ବିଧାତା ସମୟ ଦେଲାନି । ମୁଁ ତା’ ଆଖିରୁ ଲୁହ ପୋଛିଦେଲାବେଳକୁ ସେ କହିଲା: ହଁ, ମୁଁ ନଗଲେ ଆଉ କିଏ ଯିବ ? ହେଲେ ସେ ଟୋକିଟାକୁ ସାଙ୍ଗରେ ନେବା । ବୋଲହାକ ଭଲମନ୍ଦ କାମଧନ୍ଦାକୁ ମୁଁ କ’ଣ ପାରିବି ? ମୁଁ ସିନା ହଳଦୀ ତେଲ ଲଗେଇଦେବି କି ଘଡ଼ିଏ ପହଡ଼େ ବସିବି, ପୋଖତି ମାଇପିଟାର ସେବା କରିବ କିଏ ? ମିନାକୁ କହିଲୁଣି ?

 

ତାକୁ କହିବି କ’ଣ ? ଗଲାବେଳେ ସାଙ୍ଗରେ ନେଇଯିବା ।

 

ତା’ ପୋଷାକପଟ୍ଟା ସେ ସଫା ସୁତୁରା କରିବନି ? ଛୋଟ ଝୁଅ ହେଇଚି ? ତାକୁ ମୁଁ କହିଦେବି । କେତେ ଜିନିଷ ସଙ୍ଗରେ ନେବାକୁ ହେବ ।

 

କିଛି ଦରକାର ନାହିଁ । ସେଠି ଅସୁବିଧା ହେବନି, ମିଳିଯିବ । ଖାଲି ଯାଇ ଟିକିଏ ପାଖରେ ରହିବା କଥା ।

 

ଦିନ ହେଲାଣି ?

 

ଧେତ୍‌, ଖାଲି ବାଜେ କଥାଗୁଡ଼ା କହୁଚୁ ନହେଲେ ଆଉ କିଛି ନୁହେଁ । ମୋତେ କ’ଣ ଗେଲ ଲାଗିଚିନା ମୁଁ ଆସିଚି ଏଠିକି ?

 

ହଉ ହେଲା, ମୁଁ ଯାଉଚି ଦେଖେ ତେଣେ କ’ଣ ହେଲା ନହେଲା–କହି ବୁଢ଼ୀ ଚାଲିଗଲା-

 

ମୁଁ ପୁଣି ବିଛଣାରେ ଲୋଟିପଡ଼ିଲି । ବୋଉ ରୂପଟା ଆଖିଆଗରେ ନାଚିଉଠୁଥିଲା । ଦିନ ଥିଲା ବୋଉକୁ ଏ ଘରେ କେହି ପସନ୍ଦ କରୁନଥିଲେ । ସମସ୍ତେ କହନ୍ତି ଗଧଭଳି ଖଟେ ଆଉ ଗୋରୁଭଳି ଖାଏ ଶାଗ ତୋରାଣିରୁ ମେଞ୍ଚାଏ । କିନ୍ତୁ ତା’ ଗଲାପରେ ଆମ ପରିବାରର ସମସ୍ତେ ହାଡ଼େ ହାଡ଼େ ଅନୁଭବ କରୁଛନ୍ତି ଯେ, ସେ ଏଘରର ଫାଳେ କାମ ଏକୁଟିଆ କରୁଥିଲା । ଗୁହାଳ ପୋଛିବାଠାରୁ ଗୋବର ତାରିବା ପର୍ଯ୍ୟନ୍ତ ଯେତେ ଅସୁତୁରା କାମ ସବୁ କରେ । ଏବେ ସେ କାମ ସବୁ ଚାକରମାନଙ୍କଦ୍ୱାରାହିଁ ହେଉଚି । ପଇସା ଦେଇ କରିବାକୁ ପଡ଼ୁଚି । ଆମର ହାନିଲାଭ ଭଲମନ୍ଦ, ପେଟର କଥା ବୁଝିବାକୁ ଆଜି କେହିନାହିଁ । ମୋ ଆଖିରେ ଲୁହ ଜମି ଆସୁଥିଲା । ଘରଭିତରୁ ମିନୁର ବିରକ୍ତି ଶୁଣିବାକୁ ମିଳିଲା । କାହାଉପରେ ସେ ବିରକ୍ତ ହେଉଚି ? ଉଠିଯାଇ ଦେଖିଲି ବାବୁକୁ ବାଡ଼େଇବାକୁ ଗୋଟାଏ ବାଡ଼ିଧରି ଛିଡ଼ାହୋଇ ପଚାରୁଚି–କହ ପାଠପଢ଼ା ଛାଡ଼ି କୁଆଡ଼େ ଯାଇଥିଲୁ ? ବଦମାସ, ଏ ବାଜେ ପିଲାଙ୍କ ସାଙ୍ଗରେ ସାଙ୍ଗହୋଇ ଯେତେସବୁ ବଦନାମ ଶୁଣାଉଚି–କହି ଗୋଟାଏ ପାହାର କଷିଦେଲା । ଇଲୋ ବୋଉଲୋ କହି ସେ ଭେଁକିନା କାନ୍ଦିଉଠିଲା । ମୁଁ ତା’ ପାଖକୁ ଯାଇ ମିନୁ ଉଦ୍ଦେଶ୍ୟରେ ପଚାରିଲି; କ’ଣ ହେଇଚି କିରେ । ତାକୁ ମାରିଲୁ କାହିଁକି ? ମିନୁ କହିଲା; ଏଇଟା ଏତେବଡ଼ ପିଲା ହେଲାଣି ଯେତେ ସବୁ ବାହାରର କଳି ଘରକୁ ଆଣୁଚି । ଯାହା ପାଟିକୁ ଯାହା ଆସୁଚି ସିଏ କହିଯାଉଚି । ପାଠପଢ଼ା ପିଲାଟା, ତୁ ଘରେ ବସି ପାଠ ନ ପଢ଼ି ସେ ଦଣ୍ଡା ବାଳୁଙ୍ଗାଙ୍କ ସାଙ୍ଗରେ ପଡ଼ିଯାଇ ପରଗଛରୁ ଆମ୍ବ ଝଡ଼ଉଚୁ । ସିଏ ଆସି କେତେ କଥା କହିଗଲା । ଆମ୍ୱ ଗଛରୁ ଆମ୍ବ କିଏ ଖାଉଚି, ଯିଏ ମାଗୁଚି ସିଏ ପୁଞ୍ଜାଏ ନେଉଚି, ଇଏ ଗଲା ଆମ୍ବ ଚୋରି କରିବାକୁ ।

 

ମୁଁ ପଚାରିଲି ? କିଏ କ’ଣ କହିଲା ।

 

ଏଇ ବ୍ରାହ୍ମଣ ଘର ସୁନ୍ଦରୀ ନାନୀ ! କହିଲା–ତମେ ବଡ଼ଲୋକ ଦେଖେଇହଉଚ । ପରଗଛରୁ ଆମ୍ବ ଚୋରି କରିବାକୁ ପିଲାଙ୍କୁ ପଠାଉଚ, ଏଣେ ନିଜ ଗଛ ଆମ୍ବ ଦେଖେଇହେଇ ବାଣ୍ଟୁଚ । ଆମେ ଗରିବ ଲୋକ, ଆମ୍ବଟାଏ ବିକିଲେ ଦଶପଇସା ପାଇବୁ । ତମ ପିଲା କାହିଁକି ଯାଉଛନ୍ତି ଝଡ଼େଇବାକୁ–ଏମିତି କେତେ କ’ଣ କହିଗଲା ।

 

ହଉ ଯା’ ହେବାର ହେଇଚି ତାକୁ ଛାଡ଼ିଦେ’ । ଯା’ ବସି ପଢ଼ିବୁ ଯା’ । ବଦମାସ୍‌ ହେଉଚୁ କାହିଁକି ? ଆଉଦିନେ କାହା ବାଡ଼ିକି ଯିବୁନି । ତୋର ଦରକାର ପଡ଼ିଲେ ପଇସା ନେଇ କିଣିଆଣିବୁ ଦେଇଠାରୁ । ଏ ଚୋର ପିଲାଙ୍କ ସାଙ୍ଗରେ ପଡ଼ି ମାଡ଼ଗାଳି ଶୁଣିବୁ କାହିଁକି ।

 

ବାବୁ ଚାଲିଗଲା ପରେ ମିନା ମୋତେ କହିଲା; ତା’ ଦେହ ଭଲନାହିଁ । ନଈରେ ବୁଡ଼ି ବୁଡ଼ି ସର୍ଦ୍ଦି ହେଇଚି । ଟିକେ ଟିକେ ତାତି ଅଛି ଦେହରେ । ସେଥିପାଇଁ ସକାଳେ ତାକୁ ଚା’ ଜଳଖିଆ ଦେଇଥିଲି ଖାଇବାକୁ । ବସି ପଢ଼ିବାକୁ କହିଥିଲି । ହେଇଟି କେତେବେଳେ ଯାଇ ଏତେ କାଣ୍ଡ କରିଆସିଲାଣି । ତମେ ତାକୁ ସାଙ୍ଗରେ ନେଇଗଲ । ଏଠି ସେ ମଣିଷ ହେଇପାରିବନି । କହିଲେ ତ କଥା ମାନୁନି । ମାରିବ ଗୋଟାଏ କ’ଣ ?

 

ହଉ ହଉ, ତୁ ବନ୍ଦକର । ତାକୁ କ’ଣ ଔଷଧ ଦେଇଥିଲୁ ଖାଇବାକୁ ।

 

ଭିକ୍‌ସ ଚକୋଲେଟ୍‌ ଦେଇଥିଲି ତ ଖାଇବାକୁ, ଖାଇଚି ବୋଧେ ।

 

ଆଜି ଗାଧେଇଚି ?

 

ନା ଏପର୍ଯ୍ୟନ୍ତ ଗାଧୋଇନି । ତାକୁ ଗରମପାଣି କରି ପୋଛିଦେବାକୁ ହେବ ।

 

ହଉ ଯା’ ତା’ ପାଇଁ କ’ଣ ଟିକେ ବ୍ୟବସ୍ଥା କର–କହ ମୁଁ ଘରକୁ ଫେରିଯାଉଥିଲି । ଦାଣ୍ଡରେ କାହାର ପାଟି ଶୁଭିଲା । ବୋଧେ କେଳୁଣୀଟାଏ ଆସିଚି । ନ ହେଲେ ଏମିତି କିଏ ଡାକିବ ଗୋ ପୁଅ ମା’, କୁଆଡ଼େ ଗଲ ଗୋ ପୁଅ ମା’, ଗଣ୍ଡେ ଭିକଦିଅ ମୋ ପୁଅ ମା’ । ମୋତେ ପିଲାଦିନରୁ କେଳୁଣୀକୁ ଦେଖିବାକୁ ଓ ତାଙ୍କ ବୋଲି ଶୁଣିବାକୁ ଭାରି ଭଲଲାଗେ । ଲେଉଟିଗଲି ଦାଣ୍ଡକୁ ଓ ପଚାରିଲି–ତମେ ଏମିତି କ’ଣ ଡାକୁଚ ? ପୁଅ ମା’ ନ କହି ଖାଲି ଭିକ ମାଗୁନା ? ତମେ ଓଡ଼ିଆ ଘରର ଝିଅ ତ ? ଏମିତି ବଙ୍କେଇ ବଙ୍କେଇ କହୁଚ କାହିଁକି ?

 

ସେ ଏଥର ଭଲଭାବରେ କହିଲା–ଓଡ଼ିଆ ହେଲେ କ’ଣ ହେଲା; ଆମେ କେଳା ଘରର-। ଆମ ଜାତିରେ ଏମିତି ଡାକି ଭିକ ମାଗନ୍ତି ।

 

ମୁଁ ତାକୁ ଏକ ଧ୍ୟାନରେ ଚାହିଁ ଦେଖୁଥିଲି । ଏମିତି ସୁନ୍ଦରୀ କେଳୁଣୀ ଆଗରୁ କେବେ ଦେଖିନଥିଲି । ଇଏ ଆଉ ଚପଳଛନ୍ଦା ନୁହେଁ ? ମନକୁ ପଚାରୁଥିଲି । କାଖରେ ଯେଉଁ ପୁଅଟି ଧରିଥିଲା ସତେ ଯେମିତି ସାମନ୍ତ ଯୁଗର କେଉଁ ରାଜାର କୁମାର ? ମୁଁ ପଚାରିଲି–କେଳା ଘରେ ତମର ଜନ୍ମ ନା ତମ ସ୍ୱାମୀ ତମକୁ.... ???

 

ନା ନା ମୁଁ କେଳା ଘରର ଝିଅ କହି କେଳୁଣୀଟି ଆମ ବାରଣ୍ଡା ଉପରେ ବସିଲା ।

 

କଥାଟା ପଚାରିବା ମୂଳରେ ମୋର କୈଶୋରର ଏମିତି ଏକ ଦୃଶ୍ୟ ମନେପଡ଼ୁଥିଲା । ଗୋଟାଏ କେଳା ଓ ଦୁଇଟି କେଳୁଣୀ ଥରେ ଆସି ବାଉଁଶବୁଦା ମୂଳେ ବାଡ଼ିପଟରେ ରହିଲେ । ଭିକ ମାଗନ୍ତି । ଗାଁରୁ ଶାଗ ତୋରାଣି ମଧ୍ୟ ମାଗିଆଣି ଖାଆନ୍ତି । ଦୁଇ ଚାରିଦିନ ରହିଲା ପରେ ଆମ ଘର ସାଙ୍ଗରେ ତାଙ୍କର ଭଲ ସମ୍ପର୍କ ଆସିଗଲା । ସେମାନେ ରାତିରେ ଆସି ଆମ ପିଣ୍ଡାରେ ବସନ୍ତି, ଗପ କରନ୍ତି ବୋଉ, ଆଈମା’ ସାଙ୍ଗରେ । ଦିନେ ଜଣେ ଆସିଲା ଓ ଆରଜଣକ ରୋଷେଇ କରୁଥିବାରୁ ଆସିପାରିଲା ନାହିଁ । ସେଦିନ କେଳାଟା କେଉଁଠୁ ଗୋଧି ମାଂସ ଆଣିଥିଲା । ଇତି ମଧ୍ୟରେ ବୋଉ ସେ ଦୁଇଜଣଙ୍କର ନାଁଟା ଜାଣିଯାଇଥିଲା । ଯେଉଁ କେଳୁଣୀଟି ଆସି ବସିଲା ବୋଉ ତାକୁ ପଚାରିଲା–ତୁ ତ ଭଲଘରର ଝିଅ ଭଳି ଦେଖାଯାଉଚୁ ଲୋ ଚୁନି ? ସତରେ କ’ଣ ତୁ କେଳା ଘରର ?

 

ସେ ମନାକରି ଗୋଟିଏ ଛୋଟିଆ ଗପ କହିଲା । ତା’ ଦୁଃଖର କଥାଟା ମୋତେ ଗପଭଳି ଭାରି ରୋମାଣ୍ଟିକ ଓ ରହସ୍ୟମୟ ଲାଗିଲା । ଗପଟା ହେଲା ଏଇଆ–ବଢ଼େଇ ଘରର ଝିଅ ଚୁନି, ବାପା ମା’, ଭାଇ ଭଉଣୀ ସମସ୍ତେ ଅଛନ୍ତି । ଚଳିବା ମଧ୍ୟ ମନ୍ଦ ନୁହେଁ । ସହରର କାଠ ଦୋକାନରେ କାମ କରି ଗୋଟିଏ ଭାଇ ବେଶ୍‌ ଦୁଇପଇସା ରୋଜଗାର କରେ । ଆଉ ଗୋଟିଏ ଭାଇ ମାଷ୍ଟର ଚାକିରି କରେ । ବାପା ଗାଁ ବୁଝନ୍ତି, ଜମିବାଡ଼ି ଦେଖନ୍ତି । ସେମାନେ ତିନି ଭଉଣୀ । ବଡ଼ ଭଉଣୀ ବାହାହେଇଚି । ସିଏ ସେତେବେଳେ ମଝିଆଣି । ସାନଟା ସ୍କୁଲରେ ପଢ଼ୁଥିଲା । ପ୍ରାୟ ବାର ଚଉଦ ବର୍ଷ ତଳର ଇଏ ଗୋଟେ ପରିବାର । ଥରେ କେଳାଟା ତାଙ୍କ ଗାଁକୁ ଭିକମାଗି ଚାହେଁ-। ତା’ର ଏମିତି ଭୋକିଲା ଚାହାଣୀରେ ଡରିଯାଇ ଚୁନି ପଳେଇଯାଇଥିଲା । କିନ୍ତୁ ବେଶି କିଛି ଭାବିପାରିନଥିଲା । ତା’ ପରଦିନ ସେଇ କେଳା ବି ଝୁଲାରେ ପୁଳାଏ ଡେଉଁରିଆ ଧରି ବିକିବାକୁ ଆସିଲା । ଡେଉଁରିଆର ମହତ୍ତ୍ୱ ହେଲା ସାପ କାମୁଡ଼ିଲେ ବିଷ ଧରିବନି, ପିଲାଙ୍କୁ ଡାଆଣୀ ଖାଇପାରିବେନି, ସ୍ୱପ୍ନଦୋଷ ହେବନାହିଁ, କାଳ ମାଡ଼ିବସିବ ନାହିଁ ଇତ୍ୟାଦି ଅନେକ କଥା-। ଚୁନିର ବୋଉ ଭାରି ସରଳ ବିଶ୍ୱାସର ଲୋକ । କେଳାକୁ ଡାକି ଡେଉଁରିଆ କିଣିବାକୁ ମନବଳେଇଲା-। ଚୁନିର ପିଲାବେଳୁ ଶୋଇଲାବେଳେ ସପନଦେଖି ଚମକିବା ଦୋଷଟା ଥିଲା-। ବୁଢ଼ୀ ସେଇ କଥା କେଳାକୁ କହି ଗୋଟାଏ ଡେଉଁରିଆ ଦେବାକୁ କହିଲା । କେଳାଟି ଗୋଟିଏ କଳା ଫିତାରେ ଡେଉଁରିଆଟିକୁ ବାନ୍ଧିଲା । ଚୁନି କହେ ସେଇଟାକୁ ହାତରେ ବାନ୍ଧିଲା ପରେ ତା’ ଆଖିକୁ କେଳାଟା ଗୋଟାଏ ରଜା ପୁଅ ଭଳି ସୁନ୍ଦର ଦିଶିଲା ଓ ସେଇ ପୂର୍ବ ଚାହାଣୀରେ ଚାହିଁଥିଲା-। ତା’ ସର୍ବାଙ୍ଗରେ କେମିତି ଏକ ଅଦ୍ଭୁତ ପ୍ରକାରର ରୋମାଞ୍ଚ ସୃଷ୍ଟିହେଲା । କେଳାଟା ଚାଲିଗଲା ପରେ ତା’ର ଆଦୌ କୌଣସି କଥାରେ କି କାମରେ ମନଲାଗିଲା ନାହିଁ । ସେ ଯାଇ ବାଡ଼ିପଟେ ବସିଲା-। କିଛି ସମୟ ବସିରହିବା ଭିତରେ ତା’ ମୁଣ୍ଡରେ କେବଳ ସେଇ କେଳା ସମ୍ପର୍କୀୟ କାମ ଚିନ୍ତାହିଁ ଘାରିଲା ଓ ଆଗକୁ ଚାହିଁ ଦେଖିଲା କେଳାଟା ତାକୁ ହାତ ହଲେଇ ଡାକୁଚି ତା’ ସାଙ୍ଗରେ ଚାଲିଯିବା ପାଇଁ-। ଚହଲା ବୟସର ଢେଉ କୂଳ ଡେଇଁ ଚାଲିଗଲା । ନିମିଷକ ପାଇଁ ପୃଥିବୀ ଦିଶିଲା କନ୍ଦର୍ପ ଓ ରତିର ଖେଳାଲୀଳାରେ ଭର୍ତ୍ତି । ଦେହର ତଡ଼ିତ୍‌ ଜାତିକୁଳ, ବ୍ୟକ୍ତି–କିଛିର ସୀମାରେଖା ଠାବ କରିପାରିଲା ନାହିଁ । ଅବଶେଷରେ ଚୁନି କିଛି ଭାବିନପାରି ଚାଲିଆସିଲା ଓ ସେଇ ରାତିରେ ସେମାନେ ସେ ଅଞ୍ଚଳଛାଡ଼ି ପଳାଇ ଆସିଲେ ବହୁତ ଦୂରକୁ । ତା’ପରେ ଆଉ କିଛି ଜାଣିପାରିନି ଚୁନି-। କେଳା ସଙ୍ଗରେ କେଳୁଣୀ ହେଇ ବୁଲିଚି ଗାଁରୁ ଗାଁକୁ । ଗଛତଳେ ତୁଲାଉ ତୁଲାଉ ଦେହର ଉଷୁମ ମାରିଚି-। ମନର ଓରିମାନା ମେଣ୍ଟେଇଚି ।

 

ବୋଉ ପଚାରିଲା–ତୋତେ ଆଣିବା ପରେ ଆଉ ଗୋଟାଏ କେମିତି ଆଣିଲା ?

 

ସେ କହିଲା–ତାଙ୍କ ବସ୍ତିପାଖରେ ଆଉ ଗୋଟାଏ କେଳା ବସ୍ତି ଅଛି । ସେ ତାକୁ ଆଗରୁ ବାହାହେବାକୁ କଥା ଦେଇଥିଲା ।

 

ତୁ ତାକୁ କିଛି କହିଲୁନି ।

 

ମୁଁ କିଛି ଜାଣିପାରେନି । କହିବି କ’ଣ ? ଏଣିକି ଟିକେ ଟିକେ ମନେପଡ଼େ ଘରଦ୍ୱାର–କହି କେଳୁଣୀଟି ଆଖିରୁ ଦି’ଟୋପା ଲୁହ ଝରେଇଥିଲା । ମୋର ୟା’କୁ ଦେଖି ତା’ କଥାଟା ମନକୁ ଆସୁଥିଲା । ଦିନ ବିତିଯାଉଚି । ସମୟ ଚାଲିଯାଉଚି । ଅଥଚ ପୁଣି ସମୟକୁ ସ୍ମୃତି କରି ଫେରେଇ ଆଣୁଚି ନୂଆ ସମୟ ।

 

ମୁଁ କେଳୁଣୀଟିକୁ ଏକଲୟରେ ଚାହିଁ ଦେଖୁଥିଲି । ଗୋଲଗାଲ ମୁହଁଟିଏ, ସଫା ସଫା ଖୁନ୍ଦି ହେଲାଭଳି ଦାନ୍ତ ଲମ୍ବାକେଶକୁ ଗଣ୍ଠିପକେଇ ଖୋସା କରିଦେଇଚି । କେତେ ରକମର କଣ୍ଟା ଓ ଫୁଲ ସେ ଖୋସାରେ ମାରିଚି । ଶ୍ୟାମଳ ରଙ୍ଗର ଚିକ୍‌କଣ ମୂର୍ତ୍ତିଟିଏ ଭଳି ଚେହେରା । କୋଳରେ ପୁଅଟି ଜୁଳୁଜୁଳୁ କରି ଚାହିଁଚି । ମଝିରେ ମଝିରେ ତା’ ମା’ ଓଠରେ ହାତ ମାରିଦେଇ ନୀରବ ଭାଷାରେ କ’ଣ ପଚାରୁଚି । ଗୋଡ଼ହାତ ହଲେଇ ଖେଳୁଚି । ଏଣିକି ତେଣିକି ଚାହିଁ ହସୁଚି ।

 

ତା’ ଚାରିପାଖରେ ସେତେବେଳକୁ ମୋ ଆଈମା’, ମିନୁ, ସାନବୋଉ ଘେରି ବସିଥିଲା । ବହୁ ଆଗରୁ ପରିଚିତ ଥିଲାଭଳି ମୋ ଆଈମା’ ପଚାରିଲା; କିଲୋ, ଏଥରକ କ’ଣ କିଛି ଆଣିବୁ । କହିଥିଲୁ ପରା ପିନ୍‌ କଣ୍ଟା ଆଣିଦେବୁ ବୋଲି ।

 

ନାଇଁ ହେଲାନାହିଁ ସାଆନ୍ତାଣି, ଆଉ ମୋ ବେପାର ନାହିଁ । ପିନ୍‌ କଣ୍ଟା ଆଣି ତମକୁ ଦେବି କେଉଁଠୁ ? ମିନୁ ପଚାରିଲା; କ’ଣ ହେଲାକି ? ବେପାରରେ ତ୍ରୁଟି ହେଲାନା କ’ଣ ?

 

ବେପାରରେ ତ୍ରୁଟି କାହିଁକି ହେବ, ସେ ଯୋଗନିଖିଆଟାକୁ ଯୋଗନି ଖାଇଲା ପରା । ମୋ ଜିନିଷପତ୍ର ସବୁ ନେଇ ପଳେଇଯାଇଚି । କହିଲା ଘରେ ଜମିବାଡ଼ି ଅଡ଼ୁଆ, ବାପା ଖବର ଦେଇଚି, ଚାରି ପାଞ୍ଚଶ’ ଟଙ୍କାନେଇ ପହଞ୍ଚିବାକୁ ପଡ଼ିବ । ମୋ ପାଖରେ ଦି’ଶ ଷାଠିଏ ସରିକି ଟଙ୍କା ଥିଲା, ନେଇ କହିଲି–ଏଇ ଟଙ୍କା ନେଇଯା’ ଘରେ ଦେଇ ଫେରିଆସିବ । ତା’ର ଏକା ଯିଦ୍‌ ଲାଗିଲା ସବୁ ଜିନିଷ ନେବାକୁ । କହିଲା କ’ଣ କି ଘରକୁ ଯିବା ବାଟରେ ମୁଁ ବିକି ବିକିକା ଯିବି । ଯାଇଚି ଯେ ଆଉ ଫେରିବାକୁ ନାହିଁ । ସବୁ ଟଙ୍କା ପଇସା, ଜିନିଷପତ୍ର ତ ନେଇ ପଳେଇଲା । ମୁଁ ଏଠି କେମିତି ଚଳିବି ମୋତେ ବୁଦ୍ଧି ଦିଶୁନି । ଆମେ ଯେଉଁଠି ଅଛୁ ସେଇ ଜାଗାରୁ ଜଣକଠୁ ଟଙ୍କା କରଜ ଆଣି ବେପାର କରୁଥିଲି । ତାକୁ କେମିତି ଶୁଝିବି ?

 

ତମକୁ ଏକା ଛାଡ଼ି ସେ ଚାଲିଗଲା କେମିତି ? ମୁଁ ପଚାରିଲି ।

 

ଏକା ନୁହେଁ, ଆଉ କେତେଲୋକ ଆମେ ସାଙ୍ଗହେଇ ଅଛୁ । ଟିକିଏ ରହିଯାଇ ଗୋଟିଏ କରୁଣ ଦୃଷ୍ଟି ତୋଳି ସେ କହିଲା; ଯିଏ ଯିବାକୁ ଚାହିଁବ, ତାକୁ ଏକା, ବାଟ ଅବାଟ କ’ଣ କିଛି ଜଣାପଡ଼ିବ–ସେ ଚାଲିଯିବ ।

 

ଆଜିଯାଏ କ’ଣ ସେ ଘରୁ ଫେରିନି ? ମିନୁ ପଚାରିଲା ।

 

ଘରକୁ ଯାଇଥିଲେ ସିନା ଲୋ ମା’ ସିଏ ଫେରିବ । ହେଲେ କ’ଣ ଘରକୁ ଯାଇଚି ?

 

ତା’ କଥାଗୁଡ଼ାକ ଯଥେଷ୍ଟ ମାର୍ଜିତ ଓ ଆଶ୍ଚର୍ଯ୍ୟଜନକ ଥିଲା–କହିଲି । ସିଏ ତମକୁ ବିଦ୍ଧିବଦ୍ଧ ଭାବେ ଯେମିତି ବା’ଘର ହୁଏ ସେମିତି ବାହାହେଇଚି ତ ?

 

ହଁ, ତମ ଘରେ ଯେମିତି ଦେଖାଚାହାଁ ହେଇ ବା’ଘର ହୁଏ ଆମର ସେମିତି ହେଇଚି । ହେଲେ କ’ଣ ହେବ ?

 

ସେ କୁଆଡ଼େ ଯାଇଚି ତମେ ଜାଣିନା ?

 

ହଁ ଜାଣିଚି, ତମେ ଜାଣିନା ବାବୁ ଆମ ଜାତିଟା ବଡ଼ ଖରାପ ।

 

ମୁଁ ବଡ଼ ଦ୍ୱନ୍ଦ୍ୱରେ ପଡ଼ି କେତେଆଡ଼ୁ କେତେକଥା ଭାବି ଚାଲିଲି । ପଚାରିଲି; ସିଏ ବୋଧେ ଆଉ କାହାକୁ....

 

ହଁ, ତାରି ପାଖକୁ ଯାଇଚି ।

 

ମୁଁ ଆଶ୍ଚର୍ଯ୍ୟ ହେଲି । ଏମିତି ଗୋଟାଏ ସୁନ୍ଦରୀ ସ୍ତ୍ରୀକୁ ଛାଡ଼ି ସେ ପୁଣି ଆଉ କାହାକୁ ବାହାହେଇ ସୁଖରେ ରହିପାରିବ ଭାବିପାରୁନଥିଲି । କେଳୁଣୀର କଣ୍ଠସ୍ୱର ଏତେ ମଧୁର ଓ ହୃଦୟସ୍ପର୍ଶୀ ଯେ ସମସ୍ତଙ୍କ ମନକୁ ପାଇବ । ସତ କହିଲେ ତାକୁ ଦେଖିଲାବେଳଠୁ ମୋର ପୁନି କଥାହିଁ ମନେପଡ଼ିଥିଲା । ମୋତେ ଲାଗୁଥିଲା ଇଏ ପୁନିଠାରୁ ଯଥେଷ୍ଟ ସୁନ୍ଦରୀ । ମୁଁ ଅନ୍ୟମନସ୍କ ହେଇ ନଡ଼ିଆଗଛକୁ ଚାହିଁଥିଲି । ପଇଡ଼ ଦେଖୁଥିଲି ।

 

ମିନୁ କହିଲା; ତୁ ତାକୁ ମନାକଲୁନି, ଅଟକେଇ ପାରିଲୁନି ?

 

କେମିତି ମନାକରିବି, ଅଟକେଇବାକୁ କ’ଣ ଚେଷ୍ଟା କରିନି ? ଗଲା ଯେତେବେଳେ ତାକୁ ମୁଁ ପଚାରିଲି ଗାଁରୁ କେବେ ଫେରିବ ? ସେ କହିଲା–ଗାଁକୁ ଯିବିନି । ମୋର ବୁଦ୍ଧି ହଜିଗଲା । ମୋଠୁ ସବୁ ପଇସା ଓ ଜିନିଷପତ୍ର ନେଇସାରି ମୋତେ ଏକଥା କହିଲାରୁ ପଚାରିଲି ଆଉ ଏ ପୁଅକୁ ସାଙ୍ଗରେ ନେଇଯା’ । ସେ କହିଲା ମୋର ଏମିତି କେତେ ପୁଅ ଚାରିଆଡ଼େ ଅଛନ୍ତି । ଆଉ କ’ଣ କହିବି ?

 

ମୁଁ ସେ ପୁଅଟିକୁ ଦେଖିଥିଲି । ସେ ମୋଆଡ଼କୁ ଚାହିଁ ହସୁଥିଲା । ମୁଁ ପାଖକୁ ଡାକିଲାରୁ ସେ ତା’ ବୋଉ କୋଳରୁ ଖସିଆସି ଆଣ୍ଠେଇ ମୋପାଖରେ ପହଞ୍ଚିଲା । ମୋତେ ବହୁତ ଖୁସିଲାଗୁଥିଲା ସତରେ । ମୁଁ ମିନୁକୁ ଦୁଇଟା ବିସ୍କୁଟୁ ଆଣି ଦେବାପାଇଁ କହିଲି । ସା ଯାଇ ବିସ୍କୁଟୁ ଆଣିଲା । ମୁଁ ତାକୁ କୋଳରେ ବସାଇ ଖୁଆଇଦେଲି । ବଡ଼ ଖୁସିରେ ସେ ବିସ୍କୁଟ ଖାଇଲା ।

 

ମୁଁ ପଚାରିଲି–ୟାକୁ କେତେ ବୟସ ହେଲାଣି ?

 

ଦଶମାସ ବାବୁ ।

 

ବାଃ ଚମତ୍କାର ଚିହ୍ନା ଅଚିହ୍ନା ନାହିଁ । ସବୁବେଳେ ଖୁସି । ଏମିତି ପୁଅକୁ ଛାଡ଼ି କେଉଁ ବାପା ଯିବାପାଇଁ ମନକରିବ ? ସେଇଟା ଏଡ଼େ ଅମଣିଷ–କହି ମୁଁ ଲକ୍ଷ୍ୟକଲି କେଳୁଣୀର ମୁହଁ ଭାରାକ୍ରାନ୍ତ ହେଉଚି । ଅଜଣା ଆକାଶର ମେଘ ଓହ୍ଲେଇପଡ଼ୁଚି ତା’ ଆଖି କୋଣକୁ । ଦାଉଦାଉ ହେଇ ଜଳୁଥିବା ତା’ ଦୀପ୍ତିର ଆଭା ସ୍ଳାନ ଅପରାହ୍ନ ପରି ନିସ୍ତେଜ ହେଇଆସୁଥିଲା । ମୁଁ ପୁଣି କହିଲି; ତମ ସାଙ୍ଗରେ ତା’ର ଭଲ ପଡ଼େନା ପରା ?

 

ତମେ ବାବୁ ଏତେ ସହଜରେ ଜାଣିପାରିବନି ଆମ ଜୀବନର କଥା । ଭଲ ପଡ଼େ । କିନ୍ତୁ ସେ ଭାରି ରସିକିଆଟାଏ । ଦିନତମାମ ବସାରେ ବସିବ । ସିଗାରେଟ ଟାଣି ପ୍ୟାଣ୍ଟସାର୍ଟ ପିନ୍ଧି ଟେରୀ ପକେଇ ବୁଲୁଥିବ ଅହରହ । ଆମ ଜାତିରେ କେଳୁଣୀ ଯିବେ ମାଗିଯାଚି ଆଣିବେ, କେଳା ବସି ଖାଲି ଖାଇବେ, ଗଛରେ ଚଢ଼ି ଜାଳ ଭାଙ୍ଗିବେ । କେଉଁଠୁ ଗୋଧି କି କୋଚିଆ ବେଙ୍ଗ ଯୋଗାଡ଼ କରି ଆଣି ତରକାରୀ ରାନ୍ଧିବେ । ତାଙ୍କର ସବୁ ଏଇ କାମ । କିନ୍ତୁ ମୋ ମରଦର ଏସବୁ କିଛି କାମ ନ ଥାଏ, ସେ କେବଳ ଖାଏପିଏ ବୁଲେ । ତା’ର ଏଇ ବଦଗୁଣ ପାଇଁ ଘରେ ଶାଶୁ ଶ୍ୱଶୁର ଚିଡ଼ନ୍ତି, ବଡ଼ଭାଇ ଗୋଡ଼ାନ୍ତି ମାରିବାକୁ ତଥାପି ତା’ ଅଭ୍ୟାସ ଭାଙ୍ଗୁନି କି ଭାଙ୍ଗିବ ନାହିଁ । ତା’ର କେଉଁ କଥାରେ କିଛି ଯାଏଆସେ ନ ଥାଏ କି ମୁଁ କିଛି କୁହେନା । ଭାଗ୍ୟକୁ ଆଦରି ରହିଯାଏ-। ରାତିରେ ଖାଇପିଇ ଶୋଇବ । ସକାଳ ହେଲେ ମୋତେ ପଇସା ମାଗିବ ଖର୍ଚ୍ଚ ପାଇଁ । ମୁଁ ଯାହା ଭିକ ଦୁଃଖରୁ ପାଇଥାଏ ତାକୁ ଦିଏ । ଯଦି କେବେ ଦେଇନପାରିଲି ମୋତେ ଛେଚିବ । ମାଡ଼ମାରେ ଯେ ଖୁବ୍‌ । ତଥାପି ମୁଁ ସହିଯାଏ, ଭାଗ୍ୟକୁ ଆଦରି ପଡ଼େ । ସାଇ ପଡ଼ିଶାରେ ଯିଏ ଯେତେ କହିଲେ ସେ କାହାକୁ ଖାତିର କରେନା ।

 

ମୁଁ ବିସ୍ମିତ ହେଉଥିଲି ତା’ କଥାରେ । ଏତେ କଷ୍ଟ ସହିଲା ପରେ ମଧ୍ୟ ସେ ତା’ ସ୍ୱାମୀକୁ ବାନ୍ଧି ରଖିପାରେନା ନିଜଭିତରେ । ମୁଁ ତା’ ହାତକୁ ଚାହିଁ ଦେଖିଲି ତା’ ନାଁ ଲେଖାହେଇଚି କଳା ଚିତାରେ, ପଚାରିଲି–ତମ ନାଁ ବୀଣା ?

 

ସେ ତା’ ହାତକୁ ଆହୁରି ଫର୍ସା କରି ନାଁ ଲେଖା ହେଇଥିବା ଜାଗାରେ ଆଙ୍ଗୁଳି ଘଷି ଘଷି କହିଲା ହଁ ।

 

ସେଇ ସାନ ପିଲାଟା ସେଇ ଭିତରେ ମୋ ଜାମାର କଲର ଧରି ଟାଣୁଥିଲା । ବୋତାମକୁ ପାଟି ପାଖକୁ ନେଉଥିଲା । ମୁଁ ତା’ କାନପାଖରେ ଘଣ୍ଟାଟାକୁ ନେଇ ଧରିଲି । ଟିକ୍‌ ଟିକ୍‌ ଶବ୍ଦରେ ଶିହରିଉଠି ସେ ମୋ ହାତକୁ ଟାଣିଆଣି ଦେଖିଲା ଓ ଘୂରୁଥିବା କଣ୍ଟାକୁ ହାତରେ ଧରିବାକୁ ଚେଷ୍ଟା କରି ବିଫଳ ହେଲା । ଉପର କାଚରେ କେବଳ ଆଙ୍ଗୁଳି ଘଷିଲା ଓ ପୁଣି ଟେକିନେଇ କାନପାଖରେ ରଖି ଖୁସିହେଲା । ତା’ର ଏଇ ଖେଳ ଭିତରେ ମୁଁ ସମ୍ପୂର୍ଣ୍ଣ ଆତ୍ମହରା ନ ହୋଇ କେଳୁଣୀଟି ସମ୍ପର୍କରେ ନିବିଡ଼ଭାବେ ଭାବୁଥିଲି । ମୋର ମନେହେଉଥିଲା ଏତେ ସଫା ସୁତୁରା ଓ ଖୋଲାମେଲା ହୃଦୟବତୀ ନାରୀଟି ନିଶ୍ଚୟ କିଛି ପାଠ ପଢ଼ିବ ବୋଧେ । ତେଣୁ ପଚାରିଦେଲି–ତମେ ପାଠ ପଢ଼ିଚ ?

 

ନାଁ । ପଢ଼ିନି ।

 

ଜମା ପଢ଼ିନା ।

 

ନା ।

 

ମୋ ଆଇମା କହିଲା–ଧରମଛଡ଼ାଟା ଏମିତିଆ ମାଇପ ପୁଅକୁ ଛାଡ଼ି କେମିତି ଗଲାବା-? ତା’ ସତ ବଳିଲା କେମିତି ?

 

ମୁଁ ତା’ ବେଶଭୂଷାକୁ ଲକ୍ଷ୍ୟ କରୁଥିଲି । ନୀଳ ରଙ୍ଗର ସୂତା ଛିଟ ଶାଢ଼ିଟିଏ ପିନ୍ଧିଛି, ନୀଳ ରଙ୍ଗର ବ୍ଲାଉଜ ମଧ୍ୟ । ଭାରି ସୁନ୍ଦର ମାନୁଥିଲା ଏକା । ତା’ ସାଙ୍ଗକୁ ଦୁଇହାତରେ ବାହିଏ ବାହିଏ ଝିଲିମିଲି କାଚ । ତା’ ଆତ୍ମୀୟସୁଲଭ କଥା ଗୋଟିପଣେ ମୋ ଭିତରେ କୋଇଲିର ଗୀତ ଭଳି ଚମକ ସୃଷ୍ଟି କରୁଥିଲା । ମୁଁ ପଚାରିଲି–

 

ତମେ ଏ କଥା ପୋଲିସକୁ ଜଣେଇଲନି ?

 

ସେଥିରେ କିଛି ଲାଭ ହେବନି ବାବୁ । ସିଏ ଯାହାପାଖରେ ଅଛି ମୁଁ ଜାଣିଛି । ଆଉ ପୁଣି ଜଣେଇବି କ’ଣ ? ମନ ଯେଉଁଠି ନ ହସିବ ଜୋରକରି ହସେଇଲେ କ’ଣ ଏକାଭଳିଆ ହେବ ?

 

ଭାରି ଚମତ୍କାର କଥା ମଧ୍ୟ କହିପାରୁଥିଲା କେଳୁଣୀଟି । ପାଠ ନ ପଢ଼ିଲେ ବି ସେ ବେଶ୍‌ ବୁଦ୍ଧିମତି ଥିଲା ବୋଲି ମୁଁ ବୁଝିପାରୁଥିଲି । ମିନୁ ତାକୁ ପଚାରିଲା–ତୁ ତୋ ଶାଶୁଘରେ ଜଣେଇଲୁଣି ?

 

ଶଶୁର ଏବେ ଆସିଥିଲେ, ଲୋକଙ୍କଠାରୁ ସବୁ କଥା ବୁଝିଲେ । ମୋତେ ନେଇଯିବାକୁ କହୁଥିଲେ । ମୁଁ ଗଲିନି । ଏଠି ତ ବାରଦୁଆର ହେଇ ଚଳିବି, ସେଠି କୋଉ ଅଧିକା ? ଏଠି ହେଲେ ରହିଲେ ଦେଏଣା ପଇସାଟା ଭିକ ଦୁଃଖରେ ଶୁଝିଦେବି ।

 

କେତେ ପଇସା କରଜ ଆଣିଥିଲୁ ମିନୁ ପଚାରିଲା ?

 

ଚାରିଶହ ଟଙ୍କା ।

 

ସେ ଲୋକ ଏ ପରିସ୍ଥିତି ଜାଣି କ’ଣ କହୁଚି ।

 

ସିଏ ଭାରି ଭଲ ଲୋକ । ଏ ପରିସ୍ଥିତି ପରେ ସେ ଆସନ୍ତି ତାଙ୍କ ଟଙ୍କା ପଇସା କଥା କିଛି ନ କହି ବରଂ ମୋତେ ନ କାନ୍ଦିବା ପାଇଁ କୁହନ୍ତି । ପଇସାପତ୍ର କଥା ପରେ ଦେଖାଯିବ, ତୁ ଏଇଠି ଥା’ । ଯେତେଦିନ ହେଉ ତୁ ପାଞ୍ଚ ପଚିଶରେ ଶୁଝିପାରିବୁ ତ ପାରିବୁ ନହେଲେ ନାହିଁ ।

 

ଏତିକି କଥା ଶୁଣିବା ପରେ ମୁଁ ଚିନ୍ତା କରିସାରିଥିଲି ପଇସା ଦେବାବାଲାଟା ପୁରୁଷ ନିଶ୍ଚୟ । ଆଉ ଏ କେଳୁଣୀଟି ତାକୁ ଭଲ ଲାଗିଥିବ, ହୁଏତ ଅନେକ କିଛି... । ତଥାପି କେଳା ଜାତିର ଝିଅ ଭାରି ମଜଭୁତ ମନୋବୃତ୍ତିର । ତେବେ କିଏ ଜାଣେ କେଉଁ କଥା । ମୋର ମଧ୍ୟ ଇଚ୍ଛାହେଇଥିଲା ତା’ ସାଙ୍ଗରେ ବସି ଗପିବାକୁ । ନଡ଼ିଆଗଛକୁ ଚାହିଁ ପଇଡ଼ ଗଣିବାକୁ । ଶୋଷ ନ ଥିଲେ ବି ମୁଁ ଶୋଷିଲା ଜଣାପଡ଼ୁଥିଲି ନିଜକୁ ।

 

ପୁଣି ଥରେ ଭାବୁଥିଲି ମହତ ଲୋକର ଆଦର ଦିନେନା ଦିନେ ହେବ । ଏତେ ଦୁଃଖ କଷ୍ଟ ଓ ଆନ୍ତରିକତାରେ ଜୀବନ ବଞ୍ଚୁଥିବା ନାରୀଟିକୁ ସାନ୍ତ୍ୱନା ମିଳିବ । ମୁଁ କହିଲି–ସିଏ ତମ ପାଖକୁ ଦିନେନା ଦିନେ ଫେରିଆସିବ ନିଶ୍ଚୟ । ତମେ ଅପେକ୍ଷା କର ।

 

ଆଉ ଆସିଲେ କ’ଣ ହେବ ? ଯେତେବେଳେ ରହିବା କଥା ତ ରହୁନି–କହି ମୋ ଆଈମା’ ତାକୁ ପଚାରିଲା ତୁ ଆଜି କ’ଣ ଖାଇ ଆସିଚୁ ?

 

ସକାଳେ ଟିକେ ଚା’ ଖାଇଥିଲି ।

 

ଆଈମା’ ମିନୁକୁ କହିଲା–ଗଲୁ ତାକୁ ଦି’ଟା ପଖାଳ ଆଣି ଦେଲୁ । ପିଲାଟାର ଭାରି ଦୁଃଖ । ତା’ କଥା ପଦକରେ ମୁଁ ସମ୍ୱେଦନାର ସ୍ୱର ଶୁଣୁଥିଲି । ପିଲାଟାକୁ ଟେକିଧରି ତା’ ମୁହଁପାଖକୁ ମୁହଁ ନେଇ ମୁଁ ପଚାରିଲି–ତୋ ନାଁ କ’ଣରେ ବାବୁ । କହୁନୁ କାହିଁକି ? କହ ।

 

ମୁଁ ଗେଲ କରୁ କରୁ ତା’ ବୋଉ ତେଣେ କହିଲା–ତା’ ନାଁ ଲିଟୁ ।

 

ବାଃ ଭଲ ନାଁଟିଏ ତ । ନାଁ ସାଙ୍ଗକୁ ପୁଅଟି ହେଇଚି ଏକା । ଏ ପୁଅଟିକି ଆମକୁ ଦେଇଯାଅ, ଆମେ ପାଳିବୁ, ପାଠ ପଢ଼େଇବୁ ।

 

ସେ କିଛି କହିଲାନି । ତା’ ଆଖିରେ ଆନନ୍ଦ କିମ୍ୱା ବିଷାଦ ନ ଥିଲା, ଥିଲା ଗୋଟାଏ ପ୍ରକାରର ନିର୍ବିକାର ଭାବ । ମୋତେ ଖୁବ୍‌ ବୋଧ ହେଉଥିଲା ତା’ ଚରିତ୍ର । ମୁଁ କହିଲି–ତମ ବାପଘର ସାଙ୍ଗରେ ତମର କ’ଣ କିଛି ଯୋଗାଯୋଗ ନାହିଁ ?

 

ସେ ବାସ୍ତବତା ଭିତରକୁ ଫେରିଆସି କହିଲା–ହଁ ବହୁତ ଭଲ ସମ୍ପର୍କ ଅଛି । ପ୍ରାୟ ପ୍ରତି ପନ୍ଦର ଦିନକୁ ବାପା ଥରେ ଲେଖାଏଁ ଆସନ୍ତି ।

 

ତମର ଏ ଅବସ୍ଥା ଦେଖି କିଛି କହନ୍ତି ନାହିଁ ?

 

ଆଗରୁ ସେ କିଛି ଜାଣିନଥିଲେ; ମୁଁ ଗଲେ ଦିନେ ଦୁଇଦିନ ରହେ । ହସଖୁସିରେ ସମୟ ବିତେଇ ଫେରିଆସେ । ଏବେ କିନ୍ତୁ ଜାଣିଲେଣି । ବାପା ଏଥର ଏକା ଜିଦ୍‌ ଧରିଥିଲେ ନେଇଯିବାପାଇଁ । ମୁଁ ମନାକଲି–ଝିଅମାନଙ୍କ ବାପଘରେ ପାହାନ୍ତି ରାତିର ସପନ ପରି । ଯେଉଁ ଘଡ଼ିକ ଯିବ ସେତିକିରେ ଭଲକଥା ଶୁଣି ଫେରିଆସିବ । ଦିନକୁ ଦି’ଦିନ ହେଲେ ପିତା । ତାଙ୍କର ଏବେ ପର ଝୁଅରେ ଘର ହେଲାଣି । କେତେବେଳେ କେଉଁକଥା, ଆଗରେ ନ କହି ପଛରେ କହିବେ । ଆମର ଆଉ ସେଠି କ’ଣ ଅଛି ? ଭାଇ ମୋର ଭାରି ଭଲ । ମୋଠୁ ଜମା ଦେଢ଼ବର୍ଷ ସାନ । ମୋତେ ଦେଖିଲେ ନା ଏକଦମ୍‌ ଛାଡ଼ିବାକୁ ନାରାଜ । ଭାରି ଖୋଲାମନ ତା’ର । ବାଜା ବଜାଏ, ଚାରିଆଡ଼େ ବୁଲି ଡ୍ରାମା ଶିଖାଏ, ଗୀତ ଶିଖାଏ । ସେ ବାବଦରେ ଯେଉଁ ଦୁଇପଇସା ପାଏ ତା’ର ସିଗାରେଟ୍‌ ଖର୍ଚ୍ଚ ଉଠିଯାଏ । ଭାଉଜ ଯାହା ଗାଁରୁ ଆଣେ ସେଇଥିରେ ଘରଖର୍ଚ୍ଚ ଚଳିଯାଏ । ମୁଁ ଗଲେ କିଛି ଅସୁବିଧା ହେବନି । କାହିଁକିନା ଆମ ଜାତିରେ କେହି କାହାକୁ ପୋଷନ୍ତି ନାହିଁ । ବରଂ କେଳୁଣୀମାନେ ଗାଁ ଗଣ୍ଡାରୁ ମାଗିଯାଚି ନେଇ କେଳାଙ୍କୁ ପୋଷନ୍ତି ।

 

ତା’ହେଲେ ତମେ ଯାଉନା କାହିଁକି ?

 

ଝିଅ ଜନମ ପାଇ ବାପଘରକୁ ଆଣ୍ଟ କରି କ’ଣ ଚଳିହେବ ? ଦିନେନା ଦିନେ ତ ଶାଶୁଘରକୁ ଆସିବାକୁ ପଡ଼ିବ । ତେବେ ଯାଇ କରି କେଉଁ ଲାଭ ? ବରଂ ଏମିତି ବୁଲି ବୁଲି ମରିବା ଭଲ । ମୋ ଧାରଣ ବାବୁ ସେମିତି ନୁହଁ । ବା’ଘର ସରିଲାଣି ଚାରିବର୍ଷ ହେଲାଣି । ୟା’ ଭିତରେ ସେ ମୋତେ ଚାରିଶ’ ଥରରୁ କମ୍‌ ମାରିନି । ମୁଁ ମୋ ବାପ ଘରକୁ ମଝିରେ ମଝିରେ ଯାଏ । ଯିଏ ପଚାରେ ମୁଁ ତାଙ୍କ କଥା ଭଲ କହେ । ଭାଉଜ କହେ, ଏ ଶାଢ଼ିଟା କିଏ ଆଣିଥିଲା ? ମୁଁ କହେ ସିଏ-। ଭାଉଜ କହେ, ତମ ଭାଇ ଖାଲି ବାହାରେ ବୁଲିଲେ । ରୋଜଗାର ଯାହା କଲେ ତାଙ୍କ ଖର୍ଚ୍ଚକୁ ନିଅଣ୍ଟ । ମୋ ପାଇଁ କିଛି ଆଣନ୍ତିନି । ମୁଁ ତାକୁ ବୁଝେଇ କହେ–ସାନ ପିଲାଟା, ସମୟ ଆସିଲେ ବଳେ ଆଣିବ । ତୁ ଏତେ ବ୍ୟସ୍ତ ହେଉଚୁ କାହିଁକି ? ପ୍ରକୃତରେ ମୁଁ ମୋ କଥାଟାକୁ ହିଁ ଲୁଚେଇଥାଏ-। ହାତଧରି ବାହା ହେଇଥିଲି ଯେକୌଣସି ଦିନକ ପାଇଁ ସେ ଶାଢ଼ି ତ ଦୂରର କଥା ପେଟକୁ ଗଣ୍ଡାଏ ଖାଇବାକୁ ଆଣି ଦେଇନାହାନ୍ତି । ସବୁ ମୁଁ ମୋ ରୋଜଗାରରେ କରେ । କିନ୍ତୁ ଭିତର କଥା ପଦାକୁ ଖୋଲିଲେ ମହତ ରହିବ କ’ଣ ?

 

ମୁଁ ବିସ୍ମିତ ହେଇଥିଲି । ସାଧାରଣ କେଳୁଣୀଟା, ବାରଦୁଆର ଗୋଡ଼ଭାଙ୍ଗୀ ଛିଡ଼ାନହେଲେ ପେଟ ପୁରିବନି । କିନ୍ତୁ ନିଜ ସମ୍ମାନ ଭିତରେ ସେ କେତେ ଭଦ୍ର, ଆତ୍ମସମ୍ମାନ ସଚେତନ ସତେ ! ଯେକୌଣସି ଆଧୁନିକ ଶିକ୍ଷିତ ମଣିଷ ଭଳି ସେ ଆଡ଼ଜଷ୍ଟମେଣ୍ଟର ଯୁଗରେ ହିପୋତ୍ରାସି, ଆତ୍ମ ପ୍ରବଞ୍ଚନା ଭିତରେ ନିଜକୁ ବଞ୍ଚେଇପାରୁଚି ।

 

ମୁଁ ତାକୁ ବେଶିକିଛି ପଚାରିବାକୁ ଇଚ୍ଛାକରିଲି ନାହିଁ । ମିନୁ ତା’ କଂସାରେ ଅଧକଂସାଏ ପଖାଳ ଭାତ ଅଜାଡ଼ି ଦେଇଗଲା । ସେ ଉଠିଯିବା ପାଇଁ କହିଲା–ଦିଅ ବାବୁ ! ମୋ ପୁଅକୁ ଦିଅ ।

 

ମୁଁ କହିଲି–ତମେ ସେଇଠି ବସି ଖାଉନା । ପ୍ରତିଦିନ ତ ମାଗିନେଇ ଗଛମୂଳେ ଖାଅ–ଆଜି ଆମର ଏଇଠି ଖାଅ । ନା ତମେ କାହା ଓଳିତଳେ ଅଇଁଠା ପକାଅନା ।

 

ସେମିତି କିଛି ନାହିଁ ବାବୁ ।

 

ତେବେ ଏଇଠି ବସି ଖାଅ ।

 

ସେ ସେଇଠି ବସିଲା ଓ ମିନୁ ତାକୁ ସକାଳର ଆଳୁ ଭଜା ସାଙ୍ଗକୁ ଲଙ୍କା ଲୁଣ ଆଣି ଦେଇଗଲା । ତାପରେ ସେ ତା’ ପୁଅଆଡ଼କୁ ଯେମିତି ହାତଠାରି ଦେଇଚି, ସେମିତି ସେ ଡେଇଁପଡ଼ି ଚାଲିଗଲା ତା’ପାଖକୁ । ପ୍ରଥମେ ସେ ତା’ ପୁଅକୁ ଖୁଆଇଦେଲା । ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି–ଏଇ ଦଶମାସର ପିଲାଟା ପାଟିରେ ତମେ ଭାତ ଦେଉଚ, ତା’ ଦେହ ଖରାପ ହେବନାହିଁ । ବଡ଼ ଅଦ୍ଭୁତ ତମ ସାହସ ତ !

 

ଏତିକି ଦେଖି ତମେ ଛାନିଆ ହଉଚ । ମୁଁ ଆସିଲାବେଳେ ତାକୁ ନଈରେ ଗାଧୋଇ ଆଣିଥିଲି । ଆମ ଦେହରେ ସେ ଚଳିଯିବ । ଗଛ ଛାଇତଳେ ଏମାନଙ୍କର ଜନ୍ମ, କୁହୁଡ଼ି କାକର ଖାଇ ମଣିଷ ହୁଅନ୍ତି । ଥଣ୍ଡା କିମ୍ୱା ଅନ୍ୟ କିଛି ହୁଏନାହିଁ । ହେଲେ ଆମେ ସଙ୍ଗେ ସଙ୍ଗେ ଔଷଧ ଧରି ବୁଲୁଚୁ ।

 

ପ୍ରକୃତିର ସନ୍ତାନ ଏମାନେ । ଆମ ଭଳି ପରିବାର ଭିତରେ ମହାସମାରୋହରେ ଏମାନଙ୍କ ଜୀବନଧାରା ନିଅନ୍ତ୍ରିତ ହୁଏ । ଏମାନଙ୍କ ହୃଦୟରେ ପ୍ରେମ ଅମାପ, ସରଳତା ହୃଦୟସ୍ପର୍ଶୀ । ଖୋଲାମେଲା ପୃଥିବୀର ଫୁଙ୍ଗୁଳା ଜୀବ ଏମାନେ । ହିଂସା କପଟର ସ୍ଥାନ ଏମାନଙ୍କ ପାଖରେ ନାହିଁ । ଏମାନେ ସ୍ୱାଧୀନ । ନିଜ ଗୋଡ଼ଉପରେ ଏମାନଙ୍କର ଅମାପ ବିଶ୍ୱାସ । ଛାତିଭିତରେ ଅମାପ ଦମ୍ଭ । ଖରାତରାର ଆକାଶ ତଳେ ପକ୍ଷୀଭଳି ଏମାନଙ୍କ ଜୀବନ ପ୍ରେମ ଓ ପ୍ରତାରଣାରେ କିଚିରି ମିଚିରି ହୁଏ ଯାହା । କିନ୍ତୁ ଅନ୍ୟ କୌଣସି କଥା ସ୍ପର୍ଶ କରେନାହିଁ । ଜୀବନକୁ ଏମାନେ ଚିହ୍ନିଛନ୍ତି । ଅନୁଭବ କରିଛନ୍ତି ଛାତି ତଳେ, ସମ୍ମାନ ମଧ୍ୟ ଦେଇଛନ୍ତି । ମୁଁ ତା’ ଦୁଃଖରେ ଭିଜିଯାଇ ପ୍ରତିକ୍ରିୟାଶୀଳ ହେଇ କହିଲି–ତମ ଶାଶୁ ଶ୍ୱଶୁର ତାଙ୍କ ପୁଅ ସମ୍ପର୍କରେ କିଛି କୁହନ୍ତି ନାହିଁ କିମ୍ୱା ତାକୁ ଆକଟ କରନ୍ତି ନାହିଁ ?

 

ମୋ କଥାରେ ତା’ ହାତର ଭାତ ଗୁଣ୍ଡାଟା ପାଟିକୁ ଯାଉ ଯାଉ ଅଧବାଟରେ ଅଟକି ଯାଇଥିଲା । ସେ କହିଲା–ସମସ୍ତେ ତା’ ଉପରେ ବିରକ୍ତ ହୁଅନ୍ତି । ଏମିତିକି ତାକୁ ମାରିଦେବା ପାଇଁ କୁହନ୍ତି । ମୁଁ ସେମାନଙ୍କୁ ବୁଝାଏ । ତାକୁ ବଦଳେଇବା ପାଇଁ ଚେଷ୍ଟା କରିବାକୁ ସେମାନଙ୍କ ଆଗରେ କହେ । କିନ୍ତୁ ଯଦି ମୁଁ ଚାହିଁବି ମିନିଟିକ ଭିତରେ ସେ ମରି ଶୋଇବ । ମୋର ବଡ଼ବାପା ପୁଅ ଭାଇ ଯିଏ ଖାଲି ଗୁଣ୍ଡାମି କରି ଚଳେ, ସେ ଯଦି ଏକଥା ଶୁଣେ ଓ ସେ ଯେଉଁଠି ଅଛି ଜାଣେନା, ତା’ହେଲେ ତା’ ଜୀବନ ଗଲା । ଠାକୁରେ କରନ୍ତୁ ସେ ଭଲରେ ରହୁ ।

 

ଆଉ ଗୋଟାଏ ଝିଅପାଖରେ ତମର ସ୍ୱାମୀ ରହୁଚି, ସେଥିପାଇଁ ମନଭିତରେ ଈର୍ଷାହୁଏନା ?

 

ନାଁ, ହେଲେ ଦୁଃଖ ହୁଏ । ସେ ଯଦି ତାକୁ ମୋପାଖରେ ଆଣି ରଖନ୍ତା ଆମେ ବେଶ୍‌ ଦୁଇଭଉଣୀ ଭଳି ଚଳିପାରନ୍ତୁ ।

 

ତମ ଜାତିରେ କ’ଣ ସ୍ତ୍ରୀ ଥାଇ ବି ଆଉ ଗୋଟାଏ ସ୍ତ୍ରୀ ବାହାହେବାର ବ୍ୟବସ୍ଥା ଅଛି ।

 

ଗୋଟାଏ କାହିଁକି ? ପାଞ୍ଚଟା ମଧ୍ୟ ବାହା ହୋଇପାରିବ । କିଛି ବାଧା ନାହିଁ । କେଳା ଯେତେ କେଳୁଣୀ ରଖିବ ତା’ର ସେତେ ଭଲ । ସମସ୍ତେ ମାଗିଆଣି ତାକୁ ପୋଷିବେ, ନିଜେ ପୋଷିହେବେ ।

 

Unknown

ତାପରେ ମୁଁ ଆଉ କିଛି ନ କହି ଭାବିବାକୁ ଲାଗିଲି କେଳୁଣୀ ଓ ପୁନି ଭିତରେ ଥିବା ଯୋଜନ ଯୋଜନବ୍ୟାପି ଦୂରତାର କଥାଟାକୁ । ପୁନିକୁ ବିବାହ କଲାପରେ ମୋତେ କିଛିଟା ଭଲ ଲାଗିଥିଲା । କିନ୍ତୁ ସେ ଯେ, ଏତେ ବ୍ୟକ୍ତି ସର୍ବସ୍ୱ ତା’ ଭିତରେ ମୋ ଆସନ ଅପେକ୍ଷା ଅର୍ଥର ଆସନ ବଡ଼ ହେଇଯାଇଛି । ବେଳେବେଳେ ପୁନିକୁ ମୁଁ ଖୁବ୍‌ ବେଶି ସନ୍ଦେହ କରେ । ଭାବେ ସେ ବୋଧେ ଆଉ କାହାକୁ ଭଲପାଇଚି । ହେଲେ ମୋ ଅପେକ୍ଷା ଯେ ତାକୁ କେହି ଅଧିକ ଭଲ ପାଇପାରିବ ଏ ବିଶ୍ୱାସ ଯଦିଓ ନାହିଁ ତଥାପି କାହିଁକି ସନ୍ଦେହ । ଅବଶ୍ୟ ସନ୍ଧ୍ୟାବେଳେ ଆମ ଘରକୁ ତା’ ଅଫିସ୍‌ ଷ୍ଟାଫ୍‌ କେହି କେହି ଆସନ୍ତି । ତାଙ୍କୁ ପୁନି ଚା’ କରିଦିଏ, ମୋ ସାଙ୍ଗରେ ପରିଚିତ କରାଇଦିଏ । ଗପକରେ ବହୁ ସମୟ । ଦୂରରୁ ରହି ମୁଁ ମଝିରେ ତା’ ଅନ୍ୟମନସ୍କତାକୁ ଲକ୍ଷ୍ୟ କରିଚି । ସେ ପ୍ରେମ କରୁଚି କି ? କାହାକୁ ପ୍ରେମ କରିଚି । ଏମିତିକି ମୁଁ ନିଜକୁ ନିଜେ ପଚାରି ଖୋଜିହୁଏ । କିଛି ପାଏନା କି ବୁଝିପାରେନା । ଏ ସମ୍ପର୍କରେ ମୋର ଅନୁସନ୍ଧାନ ଅବ୍ୟାହତ ରହିଥାଏ । କିନ୍ତୁ ବହୁପରେ ତା’ର ଏମିତି ମେଣ୍ଟାଲିଟିର ସନ୍ଧାନ ପାଇଲି ।

 

ତା’ ଜୀବନରେ ଯେଉଁ ଝଡ଼ ବହିଯାଇଛି, ସେ ଝଡ଼ର କ୍ଷତିପୂରଣ ମୋର ସମସ୍ତ ଆନ୍ତରିକ ଚେଷ୍ଟା ସତ୍ତ୍ୱେ ମଧ୍ୟ ହେଇପାରିଲା ନାହିଁ । ବହୁବେଳୁ ମୋ ମୁଣ୍ଡଭିତରେ ବାଜିବାପାଇଁ ଉଦ୍‌ଗ୍ରୀବ ହେଇଥିବା ଟେପ୍‌ଟା ମୁଁ ଖୋଲିଦେଲି । ସନ୍ଧ୍ୟାର ମ୍ଳାନ ଆଲୋକରେ ପ୍ରକାଶ ଭାଇ ଓ ମୁଁ ବସିଚୁ । ପୁନି ଯେ, ଏମିତି କାହିଁକି ହେଲା ସେଇ କଥା ମୋ ମନଭିତରେ ତୁହାଇ ଉଠୁଥାଏ । ପ୍ରକାଶ ଭାଇ ମୋର ଶାଳକ, ପୁନିର ନିଜ ଭାଇ । ତାଙ୍କୁ ପଚାରିବାକୁ ଇଚ୍ଛା ହେଇଥିଲେ ହେଁ ସାହସ ହେଇନଥିଲା । ମୋର ଏମିତି ଦୋଳାୟମାନ ସ୍ଥିତି ସମ୍ପର୍କରେ ସଚେତନ ହେଇ ସେ ମୋତେ ପଚାରିଲେ–କ’ଣ ଭାବୁଚ ମଳୟ ?

 

ନା କିଛି ନାହିଁ ।

 

ନିଶ୍ଚୟ କିଛି, ଯାହା ମୋତେ ଲୁଚାଇବାକୁ ଚେଷ୍ଟା କରୁଚ । ନ ଜଣାଇବା ଭଳି କଥା ଯଦି ଡିସ୍‌ କ୍ଳୋଜ୍‌ କରନି, ଯଦି ସେମିତି କିଛି ନ ଥାଏ କହିପାର ।

 

ନା ସେମିତି କିଛି ନୁହେଁ । ଏଇ ପୁନି କଥାଟା ପଚାରିବି ବୋଲି ଭାବୁଚି ।

 

କ’ଣ ପୁନି କଥା ।

 

ପୁନିର ଅତୀତଟା ଜାଣିବାକୁ ଚାହୁଁଚି ।

 

ମୋ ପାଟିରୁ କଥା ନ ସରୁଣୁ ସେ କେମିତି ଉତ୍ସାହିତ ହେଲାଭଳି କହିଲେ– ତମେ ଦିନେ ଏଇ କଥା ମୋତେ ପଚାରିବ ବୋଲି ମୁଁ ଜାଣିଥିଲି । ତମଠାରୁ କିଛିଟା ସ୍ୱତନ୍ତ୍ର ହେଇ ପୁନି ହୁଏତ ଚଳୁଥିବ । ତା’ର ଗୋଟାଏ ଲମ୍ୱା ଇତିହାସ ଅଛି । ତମେ ହୁଏତ ଭାବିଥିବ କୌଣସି ଳଭ୍‌ ଆଫେୟାର୍ସଦ୍ୱାରା ପୁନିର ମାନସିକତା ଏପରି ହୋଇଚି । କିନ୍ତୁ ସେ କଥା ନୁହେଁ । ପୁନି ମୋପାଖରେ ଥିବାବେଳେ ମଧ୍ୟ ସେମିତି ଚଳୁଥିଲା । ମୋଠାରୁ ପୁନି ପ୍ରାୟ ଦଶବର୍ଷ ଛୋଟ । ତା’ ଜନ୍ମର ଚାରିବର୍ଷ ପରେ ବୋଉ ମରିଗଲା । ବାପା ଦ୍ୱିତୀୟ ବିଭାହେଲେ ତା’ର ତିନିବର୍ଷ ପରେ । ସେତେବେଳକୁ ପୁନିର ବୟସ ସାତବର୍ଷ । ଯେଉଁ ନୂଆ ମା’ଟି ଆସିଲା ସେ ପୁନିକୁ ଓ ମୋତେ ଆଦର କରୁନଥିଲେ । ତାଙ୍କ ଅସହିଷ୍ଣୁ ଭାବ ଦେଖି ମୁଁ ମୋ ମାମୁଁଙ୍କ ଆଗରେ ସବୁକଥା କହିଲି ଏବଂ ସେ ଆମ ଭାଇଭଉଣୀ ଦୁଇଟାଙ୍କୁ ପାଖରେ ରଖିବାପାଇଁ ସମ୍ମତି ଦେଲେ । ବାପା ନିଜ ସମ୍ପତ୍ତିବାଡ଼ିକୁ ନେଇ ବ୍ୟସ୍ତ ରହୁଥିଲେ । ଯେତେବେଳେ ଦ୍ୱିତୀୟ ବିଭାହେଲେ ତା’ପରେ ସେ ନିଜର ଅର୍ଦ୍ଧାଧିକ ସମ୍ପତ୍ତି ସାନ ମା’ ନାଁରେ ଉଇଲ କରିଦେଲେ । ଫଳରେ ଘରଟାରେ ସାନ ମା’ର ଆଧିପତ୍ୟ ଅଧିକ ବ୍ୟାପିଗଲା । ମୁଁ ସେତେବେଳକୁ ମାଟ୍ରିକ ପାଶ୍‌ କରିଥାଏ । ମାମୁଁ ଚାକିରି କରିଥାନ୍ତି ସହରରେ । ମୋତେ ତାଙ୍କପାଖରେ ରହି ପଢ଼ିବାକୁ ହେଲା ଏବଂ ସେ ମୋର ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ଥିଲେ । ଦିନେ ମାମୁଁ ବାପାଙ୍କ ପାଖକୁ ଯାଇ ପୁନିକୁ ନେଇଆସିବାକୁ ପ୍ରସ୍ତାବ ଦେଲେ । ବାପା ତାଙ୍କ ପ୍ରସ୍ତାବରେ ରାଜି ହେଲେନାହିଁ । ତାଙ୍କର ସମ୍ମାନରେ କ୍ଷତି ଘଟିବାର ସମ୍ଭାବନା କଥାଟା ସେ ଦର୍ଶାଇଲେ ଏବଂ ପୁନିର କୌଣସି ଅସୁବିଧା ନ ହେବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ପ୍ରକୃତରେ ପୁନିର ଅବସ୍ତା ଗାଁରେ ବଡ଼ ଶୋଚନୀୟ ହେଇପଡ଼ିଲା । ସାନ ପିଲାଟାକୁ ସ୍କୁଲକୁ ପଠାଇବା ଦାୟିତ୍ୱ ନେବା ପରିବର୍ତ୍ତେ ଘରେ ଖଟେଇବାରେ ଲାଗିଲେ ସାନ ମା’-। ମୁଁ ଏ କଥାରେ ଭୀଷଣ ବିବ୍ରତ ହେଇ ଦିନେ ରାଗିଯାଇ ବାପାଙ୍କ ପାଖକୁ ଚିଠି ଲେଖିଲି-। ତାପରେ ବାପା ପୁନିର ପାଠପଢ଼ା ପାଇଁ ସ୍ୱତନ୍ତ୍ର ମାଷ୍ଟର ବ୍ୟବସ୍ଥା କରିଦେଲେ । ସେତେବେଳେ ପୁନିର ମଧ୍ୟ ପାଠ ପଢ଼ିବାରେ ଭାରି ଆଗ୍ରହ ଥିଲା । ତା’ଦ୍ୱାରା ସାନ ମା’ଙ୍କ ପାଖରୁ ବାପାଙ୍କୁ ଅନେକ ଭର୍ତ୍ସନା ଶୁଣିବାକୁ ମିଳିଲା । ଏସବୁ ସତ୍ତ୍ୱେ ତାଙ୍କ ସ୍ଥିରତାରେ ଅଟଳ ଥିଲେ ।

 

ମୁଁ ଘରକୁ ଗଲେ ସାନ ମା’ଙ୍କୁ ଦେଖାକରେ ନାହିଁ । ଦେଖାହେଲେ ବି ପାଟି ଫିଟେଇବାକୁ ଇଚ୍ଛା ହୁଏନାହିଁ । ସତ କହିଲେ ମୋ ମନରେ ସାବତ ମା’ ସମ୍ପର୍କରେ ଯେଉଁ ଧାରଣା ଥିଲା ସାନ ମା’ ତା’ର ପ୍ରକୃଷ୍ଟ ପ୍ରମାଣ ରୂପ ଦେଖାଇଦେଲେ । ମୋଟାମୋଟି ମୁଁ ବାପାଙ୍କୁ ପୁନିର ଭବିଷ୍ୟତ ସମ୍ପର୍କରେ ପରାମର୍ଶ ଦିଏ ଏବଂ ପୁନି ପାଖରୁ ତା’ ଭଲମନ୍ଦ ଖବର ଶୁଣି ପୁଣି ଫେରିଆସେ । ଏମିତି ମାମୁଁଙ୍କ ପାଖରେ ରହି କଲେଜରେ ପାଠ ପଢ଼ିଲି ବି.ଏ. ପର୍ଯ୍ୟନ୍ତ । ପୁନି ମଧ୍ୟ ବହୁ କଷ୍ଟରେ ସେଠି ଚଳି ଯାଉଥାଏ । ସେ ପିଲା ହେଲେ ମଧ୍ୟ ସାନ ମା’ ଯେ, ତା’ର ମା’ ନୁହେଁ ଗୋଟେ କଞ୍ଚା ଡାହାଣୀ ଏକଥା ସେ ବୁଝିପାରିଥିଲା । ସେ ନିଜେ ନିଜ କାମ କରିପାରୁଥିଲା-। ସ୍କୁଲର ଚାନ୍ଦାଭେଦାଠାରୁ ବହିପତ୍ର ପର୍ଯ୍ୟନ୍ତ ତା’ର ଯେତେବେଳେ ଯାହା ଦର୍କାର ବାପାଙ୍କୁ ଜଣାଉଥିଲା । ଶୀଘ୍ର ନହେଲେ ମଧ୍ୟ ଡେରିରେ ବାପା ଯୋଗାଡ଼ କରି ତାକୁ ଦେଉଥିଲେ । ଏସବୁ କଥାରେ ସାନ ମା’ ଅସନ୍ତୁଷ୍ଟ ହେଇ ତାଙ୍କ ସଙ୍ଗରେ ଝଗଡ଼ା କରେ । ଏପରିକି ଘର ଚଳେଇବାର ଦାୟିତ୍ୱଟା ସେ ନିଜହାତକୁ ନେଇ ପଇସାପତ୍ର ସବୁ ପାଖରେ ରଖିଲେ । ଯେଉଁଠି ଯାହା ଖର୍ଚ୍ଚ ହେଲା ବାପାଙ୍କଠାରୁ କଡ଼ି ବରକଡ଼ି କରି ହିସାବ ନେଲେ । ପୁନିର ଟ୍ୟୁସନ୍‌ଟାକୁ ମଧ୍ୟ ବନ୍ଦ କରିଦେଲେ । ବାପା ଯେତେ ବୁଝାଇଲେ ସୁଦ୍ଧା ସେ ଏକ୍‌ଦମ୍‌ ନାରାଜ ହେଲେ ।

 

ମୋପାଖରେ ପ୍ରତିଟି ସମ୍ୱାଦ ଆସି ପହଞ୍ଚି ପାରୁଥିଲା । କିନ୍ତୁ ମୁଁ ନିରୁପାୟ ହେଇ ସେତେବେଳେ ଆଉ କିଛି କରିପାରିଲି ନାହିଁ । ଯାହା କହିବାର କଥା ସେତକ ବାପାଙ୍କ ହାତରେ ନାହିଁ । ଏବେବି ସେକଥା ମନେପଡ଼ିଲେ ଛାତିତଳେ ବଥାଲାଗେ ମଳୟ । ଜମିଦାର ବଂଶର ପିଲା ଆମେ । ବାପା ଅଜା ଅମଳରୁ ଦାନ ଦେଇଆସିଚୁ କିନ୍ତୁ କାହାକୁ ହାତଟେକି ମାଗିନଥିଲୁ । ସମୟକ୍ରମରେ ସବୁ ବଦଳିଗଲା । ବଦଳିଗଲା ବୋଲି ଯେ, ଆମପାଖରୁ ଆମ ଆଭିଜାତ୍ୟର ଗନ୍ଧ ଚାଲିଯିବ ମୁଁ ଭାବିନଥିଲି । ସେତେବେଳେ ମାମୁଁଙ୍କ ଦୟାରେ ନିଜେ ବଞ୍ଚିବା ଛଡ଼ା ଅନ୍ୟ କାହା କଥା ଚିନ୍ତା କରିବାକୁ ବେଳନଥିଲା । ବାପା ମଧ୍ୟ ତାଙ୍କ ଜୀବନର ଭୁଲ୍ ପାଇଁ ମନସ୍ତାପ କରୁଥିଲେ-। ସୁତରାଂ ଅସହାୟ ଅବସ୍ଥାରେ ମୁଁ ମାମୁଁଙ୍କ ସଙ୍ଗରେ ଲାଗିଲି ଖଣ୍ଡେ ଚାକିରି ପାଇବାପାଇଁ-। ମାମୁଁ ତାଙ୍କର ସମସ୍ତ ସାଙ୍ଗମାନଙ୍କୁ ମୋ ସମ୍ପର୍କରେ କହିଲେ । ଶେଷକୁ ବହୁକଷ୍ଟରେ ମୁଁ ଏଠି ଚାକିରି ପାଇଲି । ସେ ସବୁ ବହୁତ କଥା ।

 

ପୁନି କଥା କହୁଥିଲିନା ? ସେ ସାନ ମା’ଙ୍କ ବ୍ୟବହାରରେ ଏମିତି ଅତିଷ୍ଠ ହେଇପଡ଼ିଥିଲା ଯେ, ବାପାଙ୍କୁ କହି ଗୋଟାଏ ବଖରା ନିଜପାଇଁ ବାଛିନେଇଥିଲା, ସେଇଟା ତା’ର । ଖାଲି ସ୍କୁଲ ସମୟଟା ଛାଡ଼ିଦେଇ ସେ ସବୁ ସମୟରେ ସେହି ଘରେ ଭିତରୁ କବାଟଦେଇ ଝରକାପାଖରେ ବସିଥିବ ବା ପଢ଼ୁଥିବ । କିନ୍ତୁ ବାହାରକୁ ବାହାରେନା । ବାହାରକୁ ବାହାରିଲେ ଗାଁ ମାଇପେ ବାରଆଡ଼ୁ ବାରକଥା କହନ୍ତି, ତାକୁ କାନ୍ଦମାଡ଼େ । ବୋଉ କଥା ମନେପକାଏ, ମନ ଛୋଟ କରିଦିଏ । ସେଥିପାଇଁ ସେ ସବୁବେଳକୁ ସେଇ ଗୋଟିଏ ବଖରାରେ ପଶି ରହିଥାଏ । ଦିନକୁଦିନ ତା’ର ସ୍ୱାସ୍ଥ୍ୟ ଖରାପଆଡ଼କୁ ଗତି କରୁଥାଏ । ଆମ ସମସ୍ତଙ୍କ ଗୋଟାଏ ଧାରଣା ହେଲା ଖାଇବାରେ ଅସୁବିଧା ମୁଖ୍ୟତଃ ତା’ର ଏଇସବୁ କାରଣ ପାଇଁ ଦାୟୀ । ସେତେବେଳକୁ ପୁନି ହାଇସ୍କୁଲରେ ମୁଖ୍ୟତଃ ତା’ର ଏଇସବୁ କାରଣ ପାଇଁ ଦାୟୀ । ସେତେବେଳକୁ ପୁନି ହାଇସ୍କୁଲରେ ପଢ଼ୁଥାଏ ଓ ମୋପାଖକୁ ବରାବର ଚିଠି ଲେଖେ । ଥରେ ଗୋଟାଏ ଚିଠିରେ ଲେଖିଲା, ‘‘ଭାଇ । ମୋ ମୁଣ୍ଡ କାହିଁକି ଭୀଷଣ ବୁଲାଉଚି, ଦେହ ଦୁର୍ବଳ ଲାଗୁଚି ଏମିତି ଅନେକ କଥା । ମୁଁ ଗାଁକୁ ଯାଇ ଦେଖିଲି ତା’ ପାଇଁ ଟନିକ୍‌ କିଣିଦେଲି ଓ ଦୁଧ ଖାଇବାର ବ୍ୟବସ୍ଥା କରିଆସିଲି କିଛିଦିନ ପାଇଁ ଅନ୍ତତଃ ମୁଣ୍ଡବୁଲା ବନ୍ଦ ହେବା ପର୍ଯ୍ୟନ୍ତ । କିଛିଦିନ ଏମିତି ଚାଲିଲା । ସେଥିରେ ସେ ମାଟ୍ରିକ୍‌ ପରୀକ୍ଷା ଦେଇ ପାଶ୍ କଲା ।

 

ତା’ପରେ ତାକୁ ମୁଁ ମୋପାଖକୁ ନେଇଆସିଲି ଓ କଲେଜରେ ପଢ଼ାଇଲି । ଗାଁ ଅପେକ୍ଷା ଏଠି ତା’ ସ୍ୱାସ୍ଥ୍ୟର ଅବନ୍ନତି ଘଟିବା ସଙ୍ଗେ ସଙ୍ଗେ ସେ ବାଟରେ ଯାଉ ଯାଉ ଜ୍ଞାନଶୂନ୍ୟ ହେଇପଡ଼ିଯିବେ–ଏମିତି ହେଲା । ଡାକ୍ତର ଦେଖାଇ ବହୁ ଚେଷ୍ଟା କରି ଔଷଧ କିଣି ଖୁଆଇଲି; କିନ୍ତୁ କୌଣସି ଉପାୟରେ ଭଲ ହେଲାନାହିଁ । ମୋର ଜଣେ ବନ୍ଧୁ ତାଙ୍କ ଘରପାଖର ଜଣେ ଗୁଣିକୁ ସାକ୍ଷାତ୍‌ କରି ଏ ସମ୍ପର୍କରେ କହିବାକୁ କହିଥିଲେ । ମୁଁ ପୁନିକୁ ସାଥିରେ ଧରି ସେଇ ଗୁଣିପାଖକୁ ଯାଇଥିଲି ଓ ଗୁଣୀଟି ତାକୁ ଦେଖୁ ଦେଖୁ କହିଦେଲା, ଏ ପିଲାକୁ ଔଷଧ ହେଇଚି । ଅର୍ଥାତ୍‌ ତାନ୍ତ୍ରିକ କରାଯାଇଚି ।

 

ମୁଁ ପଚାରିଲି–ଔଷଧ କେମିତି ହେଲା ଆପଣ କହିପାରିବେ କି ?

 

ସେ କହିଲା–କେମିତି ହେଲା କ’ଣ ? ଗୁଣୀଠାରୁ ନେଇ ଖାଇବା ପଦାର୍ଥରେ ମିଶେଇ ଦିଆଗଲା । ଆଉ କ’ଣ କେହି ବାହାର ଲୋକ କରିଛନ୍ତି–ତମ ଘରଭିତର ଲୋକ, ବୁଝିଲ ।

 

ତାପରେ ମୁଁ କହିଲି–ଇଏ ଭଲ କେମିତି ହେବ ସେଇ ବାଟ ଟିକେ କରନ୍ତୁ ଆଜ୍ଞା । ମୋତେ ଯାହା କହିବେ ମୁଁ ଆପଣଙ୍କୁ ମୋ କ୍ଷମତା ନେଇ ତା’ ଦେବାକୁ ଚେଷ୍ଟା କରିବି ।

 

ଠିକ୍‌ ଅଛି । ବସନ୍ତୁ ଏଇଠି–କହି ଲୋକଟା ଘରଭିତରକୁ ଚାଲିଗଲା ଓ ଢାଳଟା ଧରି କୂଅରୁ ଢାଳେ ପାଣି ଆଣି ଗୋଟେ ଗ୍ଳାସ୍‌ ଭରିଲା । ଦୁଇ ଆଣ୍ଠୁ ମାଡ଼ି ବସି ଗୋଟାଏ କୁଟାରେ ମନ୍ତ୍ର କରି ସେ ପାଣିକୁ ଗୋଳେଇଲା କିଛି ସମୟ ଓ ପିଇବାକୁ ଦେଲା ପୁନିକୁ । ସେ ଗ୍ଳାସ୍‌ଟା ପିଇଦେଲା ପରେ ମୁଁ ଛିଡ଼ାହେଇଥିଲି ସେ ମୋତେ କିଛି ସମୟ ବସିବାକୁ କହିଲା । ତା’ ପାଟିରୁ କଥା ସରିଚି କି ନାହିଁ ପୁନି ଭକ୍‌ ଭକ୍‌ କରି ବାନ୍ତି କରିବାକୁ ଲାଗିଲା । ସେଇ ବାନ୍ତିରେ ପୁଳାଏ ଚେର ପଡ଼ିଗଲା । ତାକୁ ଗୋଟାଏ କାଠି ସାହାଯ୍ୟରେ ଉଠେଇଧରି ଗୁଣୀଟି କହିଲା–ଦେଖିଲେ, କେତେ ମାଡ଼ିଗଲାଣି ଏ ଚେର ? ପେଟରେ ଚେର ରହି ମୁଣ୍ଡ ବୁଲାଇଥିଲା । ଏଣିକି ଭଲ ହେଇଯିବ ।

 

ମୁଁ ପଚାରିଲି–ଆଉ ଚେର ନାହିଁ ?

 

ନା, ଆଉ କିଛି ତା’ ପେଟରେ ନାହିଁ । ଆପଣ ନିର୍ଦ୍ୱନ୍ଦ୍ୱରେ କିଛି ନ ଭାବି ଯାଆନ୍ତୁ । ଚାରି ଛ’ଦିନ ପରେ ଜାଣିପାରିବେନି କି ?

 

ମୁଁ ତାକୁ ତା’ ପାଉଣା ସମ୍ପର୍କରେ ପଚାରିଲି । ସେ କେବଳ ଏତିକି କହିଲା–ଆପଣଙ୍କର ଯାହା ଖୁସି ହେଉଚି ଦିଅନ୍ତୁ ।

 

ମୁଁ ତା’ ହାତକୁ ପଚାଶ ଟଙ୍କିଆଟିଏ ବଢ଼ାଇଦେଇ ଫେରିଲୁ । ତା’ପରେ ଅବଶ୍ୟ ପୁନିର ସେ ମୁଣ୍ଡ ବୁଲେଇବା କେବେ ଦେଖାଦେଇନି । କିନ୍ତୁ ତା’ ମନଭିତରୁ ବିଶ୍ୱାସ ତୁଟିଯାଇଚି । କୌଣସି ମଣିଷକୁ ସେ ଏତେ ଆପଣାର କରିପାରିବ ନାହିଁ । ତା’ ଜୀବନଟା କେବଳ ମପାଚୁପା ସମ୍ପର୍କରେ ଗଢ଼ିଉଠିଚି । କଲେଜରେ ଚାରିବର୍ଷ ପଢ଼ିଲା, କୋଉ ତା’ର ସାଙ୍ଗସାଥି ଥିଲେ ? ସେ ସେମିତି ଏକା ଏକା ସବୁବେଳ ପାଇଁ । ତା’ ପ୍ରତି ଖରାପ ଧାରଣା ପୋଷଣ କରିବା ଆଦୌ ଉଚିତ ନୁହେଁ କି ଅନ୍ୟ ରକମର ଝିଅ ନୁହେଁ । ମୁଁ ଆଶାକରୁଚି ମଳୟ ତମେ ତା’ ସହିତ ଏଣିକି ଠିକ୍‌ ବୁଝାମଣା ରଖିବ । ତାକୁ ସ୍ୱାଧୀନ ଭାବେ ଛାଡ଼ିଦେବ ବଞ୍ଚିବାକୁ । ଯଦି କେବେ ସନ୍ଦେହ କର ଆଉ ସେ ଜାଣିପାରେ ତମେ ତାକୁ ସନ୍ଦେହ କରୁଚ ବୋଲି, ତାହେଲେ ସମସ୍ୟାଟା ଜଟିଳ ହେବ ହୁଏତ-

 

ମୁଁ ବାସ୍ତବାତାକୁ ଛୁଇଁଲି କେଳୁଣୀର କଥାରେ । ସେ କହିଲା–ମୁଁ ଯାଉଚି ବାବୁ ? ଏକଥା ଯେମିତି ଆଉ କାହାଆଗରେ କହିବେ ନାହିଁ । କେତେ କେଳା କେଳୁଣୀ ଆସୁଛନ୍ତି, ତାଙ୍କଆଗରେ ଯଦି କହିଦେବ ସେମାନେ ମୋତେ ବହୁତ ଖରାପ ଭାବିବେ । କହିବେ, ଘରକଥା ବାହାରେ କହୁଚି ଯାଇ–କେଳୁଣୀର ଏଇ କଥାଗୁଡ଼ା ମୋ ମୁଣ୍ଡଭିତରେ ଚାଲିଥିବା ଟେପ୍‌ରୁ ଲାଇନ୍‌ କାଟିଦେଲା । ସେ କେତେବେଳେ ଏହାଭିତରେ ଖାଇସାରି ଯିବାକୁ ବାହାରିଲାଣି ମୋର ନିଘା ନାହିଁ । ପଚାରିଲି–ଖରାଟା ଟାଣ ହେଇଗଲାଣି । ଏଥିରେ ଏ ପିଲାଟାକୁ କେମିତି ନେଇଯିବ ?

 

ଖରାତରା ବାବୁ ଆମରି ପାଇଁ, ତମ ଭଳି ଲୋକ କ’ଣ ଚାଲିପାରିବେ ?

 

ବଡ଼ ଆଶ୍ଚର୍ଯ୍ୟ ଲାଗୁଚି ତମକଥା ଶୁଣି । ଆଛା, ତମ ଜାତିରେ କ’ଣ ଖାଲି ପୁଅମାନେ ଯେତେ ଝିଅ ବାହାହେଇପାରିବା କଥାଟା ଅଛି ନା ଝିଅମାନେ ମଧ୍ୟ ଏକାଧିକ ପୁଅ ବାହାହେଇପାରିବା କଥା ମଧ୍ୟ ଅଛି ?

 

ମୋ କଥା ଶୁଣି ସେ କିଛି କହିଲାନି । ବୋଧହୁଏ ତାକୁ ବେଖାପ ଲାଗିଲା ପ୍ରଶ୍ନଟା । କିଛି ସମୟ ପରେ କହିଲା–ଆମ ଜାତି କ’ଣ, ଭଲ ଘରର ଝିଅମାନେ କ’ଣ ଗୋଟାଏ ଜାଗାରେ ବା’ହେଇ ସେଠୁ ପଳେଇଆସି ଅନ୍ୟ ଜାଗାରେ ବାହାହେଇ ରହୁନାହାନ୍ତି ?

 

ହଁ, ସେମିତି ହେଉଚି । ମୁଁ ସେକଥା କହୁନି, ତମେ ଚାହିଁଲେ ହେଇପାରିବ କି ? କହି ମୁଁ ତା’ ମୁହଁକୁ ଚାହିଁଲି, ସେ କେମିତି ହଡ଼ବଡ଼େଇ ଗଲା । ପୁଣି କହିଲି–ତମର ସମସ୍ତ କଥା ମୁଁ ଶୁଣିଲି-। ଗୋଟାଏ ନୈତିକ ଜୀବନ ଭିତରେ ତମେ ଚାଲିବାକୁ ଚାହୁଁଚ । ଏସବୁ ସତ୍ତ୍ୱେ ମଧ୍ୟ ନାରୀର ଆଉ ଗୋଟାଏ ଆବଶ୍ୟକତା ଅଛି, ଯେଉଁଟା ସ୍ୱାମୀ ବ୍ୟତୀତ ଅନ୍ୟ କେହି ଦେଇପାରିବେ ନାହିଁ-। ମୋ ମତରେ କିନ୍ତୁ ଯଦି ସମ୍ଭବ ହୁଏ କରିଯିବାଟା ଉଚିତ । ଜୀବନ ଏତେ ସହଜ ଓ ହାଲକା ନୁହେଁ-। ଦରକାର ପଡ଼ିଲେ ତମେ ମୋପାଖକୁ ଆସିବ, ମୁଁ ଏ ପୁଅର ସମ୍ପୂର୍ଣ୍ଣ ଦାୟିତ୍ୱ ନେବି । ଉଚିତ ମନେକଲେ ମୁଁ ୟା’କୁ ମୋପାଖରେ ରଖି ମଣିଷ କରିବି କିମ୍ୱା ଅନାଥାଶ୍ରମରେ ଛାଡ଼ି ମଣିଷ କରିବାପାଇଁ ଯତ୍ନ କରିବି ।

 

କେଳୁଣୀର ଆଖି ଛଳ ଛଳ ହେଇଉଠିଲା । ମୁଁ କହିଲି–ଭାବି ଦେଖିବ । ଟିକେ ଛିଡ଼ାହୁଅ ମୁଁ ଘରୁ ଆସେ କହି ଘରକୁ ଯାଇ ପାଞ୍ଚଟଙ୍କା ଆଣି ସେ ପୁଅ ହାତକୁ ବଢ଼େଇଦେଇ କହିଲି–ୟା’କୁ ମଣିଷ କର, ତମ ଦୁଃଖ ଯିବ ।

 

ଶେଷଥର ପାଇଁ କେଳୁଣୀଟି ମୋଆଡ଼କୁ ଏକ କରୁଣ ଦୃଷ୍ଟିରେ ଚାହିଁଲା ଓ ଧୀରେ ଧୀରେ ଆଖିରୁ ଲୁହ ପୋଛି ଆଗେଇଲା ରାସ୍ତାଉପରକୁ । ମୁଁ କିଛି ବାଟ ଯାଇ ତା’ ଯିବା ବାଟକୁ ଚାହିଁ ରହିଲି । ସେ ମୁହଁ ଫେରେଇ ଚାହୁଁଥିଲା । ପାଖରେ ଥିବା ନଡ଼ିଆ ଗଛରେ ପଇଡ଼ କାନ୍ଦି ଝୁଲୁଥିଲା । ମୁଁ ଦେଖୁଥିଲି, ଆଖିପୂରେଇ ଦେଖୁଥିଲି ।

 

ଗୋଟାଏ ହଳଦୀବସନ୍ତ ମୋଆଗରେ ଉଡ଼ିଗଲା ।

 

ମୁଁ କହିଲି–ନମସ୍କାର, ନମସ୍କାର ।

 

ପାଞ୍ଚ

 

ଆମ୍ୱଗଛଟା ଖୁବ୍ ଭଲ ଦିଶୁଥିଲା । ଅପରାହ୍ନର ଫିକା ସୂର୍ଯ୍ୟ କିରଣରେ ଗୋଟାଏ ମଧୁର ରଙ୍ଗ ଫିଟି ପଡ଼ୁଥିଲା ଓ ଦମକା ଦମକା ଖୋଲା ପବନରେ ଚହଲି ଯାଉଥିଲା ଗଛଟାର ସର୍ବାଙ୍ଗ । ଖରାଦିନଟାରେ ଆମ୍ୱଗଛ ପତ୍ରଗଛଟା ପତ୍ରଦେବା ଅସ୍ୱଭାବିକ ମନେହେଉଥିଲେ ହେଁ ଏମିତି ଆମ୍ୱଗଛ ଅଛି ଦୁଇ ଦୁଇଥର ବଉଳ ହୁଏ, ଆମ୍ୱ ଫଳେ, ପାଚେ । ଏ ଗଛଟା କିନ୍ତୁ ସେ ଜାତୀୟ ନ ଥିଲା ଆଦୌ । ବହୁ ପୁରୁଣା ଗଛଟା । ମୋ ପିଲାଦିନୁ ମୁଁ ଦେଖିଆସୁଛି । ସେଇ ଗଛ ଡାଳରେ କୋଇଲିଟାଏ ଗାଇଉଠିଲା । ମଧୁରତା ଶୂନ୍ୟ ବେସୁରା ଗୀତଟେ । ନିର୍ଜନତାର ସଙ୍ଗୀତଠାରୁ ବି ନ୍ୟୁନ ।

 

ଆମେ ସେଇଠି ଛିଡ଼ାହେଲୁ । ଭିକାରିଆ ଅଜା ମୋତେ କହିଲେ–ଏ ଯୁଗଟା ବଡ଼ ଖରାପରେ ବାବୁ, ଯାହାକୁ ତମେ ମୁଣ୍ଡେଇ ବୁଲିବ ସେ ଦିନେ ନା ଦିନେ ତମ ମୁଣ୍ଡଉପରେ ଝାଡ଼ା ଫେରିବ ।

 

ମୁଁ ଅନ୍ୟମନସ୍କତା ଭିତରୁ ଫେରିଆସି ପଚାରିଲି ସେଇଟା ନିଜ ଦୋଷ କେବଳ ତମେ ବଳଦ କିଣିବ ତମ ଚାଷ ପାଇଁ, ତା’ର ଯତ୍ନ ନେଇ ଖଟେଇବ । କିନ୍ତୁ ତାକୁ ଖୋଲା ଛାଡ଼ିଦେଲେ ଚଳିବ କେମିତି ? ତୁଣ୍ଡି ଦେଇ ନ ବାନ୍ଧିଲେ ସେ ସ୍ୱଭାବବଶତଃ ତମଆଡ଼କୁ ସିଙ୍ଗ ବଢ଼େଇଦେବ–ଏଥିରେ ତା’ର କିଛି ଦୋଷ ଦେଇ ଲାଭ କ’ଣ ? ଯେ ବାଡ଼ିରେ ଶାସନ ହେବା କଥା ତାକୁ କଥାରେ ଶାସନ କରିବାଟା ସହଜ ହେବନି; ବରଂ ସଂକଟମୟ ହିଁ ହେଇଥିବ ।

 

କ’ଣ କରିବା, ଯାହା ଯାଇଚି ଯାଉ । ଏ କ’ଣ ଏମିତି ଚଳେଇଥିବେ ?

 

ମୁଁ କଅଁଳିଆ ଆମ୍ୱପତ୍ରଆଡ଼କୁ ଚାହିଁ ଚାହିଁ କହିଲି–ମହେନ୍ଦ୍ର ଦାଦା ତମ ନିଜର ଲୋକ ଅଜା, ତମକୁ ସବୁମନ୍ତେ ସାହାଯ୍ୟ କରୁଥିବେ । ତମେ ତାଙ୍କୁ ଅତୀତରେ ବହୁ ସାହାଯ୍ୟ କରିଚ । ମୁଁ ଯେତେବେଳେ ଥିଲି ଆଉ ସଂଗଠନ କାମ କରୁଥିଲ ତମେ ସହଯୋଗ କରୁନଥିଲ, ବରଂ ବିରୋଧ କରୁଥିଲ । କ’ଣ ପାଇଁ ତମେ ବିରୋଧ କରୁଥିଲ ମୁଁ ବୁଝିପାରୁନଥିଲି । ମହେନ୍ଦ୍ର ଦାଦାଙ୍କୁ ତମେ ପଇସା ଦେଇ ବିଭିନ୍ନ କାମରେ ପଠେଇଚ । ମୋ ଚାଲିଗଲା ପରେ ଗ୍ରାମର କିଛି ଲୋକଙ୍କୁ ମତେଇ ସେମାନଙ୍କୁ ଡାହା ମିଛ କଥାରେ ଭୁଲେଇ ତା’ ମୁଣ୍ଡରେ ଶିରିପା ବାନ୍ଧିଚ । ସେ ଅନେକ କାମ କରିଚି ତମ ସାହାଯ୍ୟରେ । ଏବେ କିନ୍ତୁ ନେଡ଼ିଗୁଡ଼ କହୁଣୀକି ବହିଯାଇଚି । କଥାରେ ଅଛି, ଗଛ ହାଣିଲାବେଳେ କୁରାଢ଼ି କହେ ତୋରି ଭାଇ ତୋତେ ହାଣୁଚି ମୁଁ କେବଳ ନିମିତ୍ତ ମାତ୍ର ।

 

ହଁ, ସେକଥା ଯାହା କହିଲୁ ସତ । ବର୍ତ୍ତମାନ ପ୍ରାୟ ସବୁ ଲୋକ ଅସନ୍ତୁଷ୍ଟ ତା’ ଉପରେ । ଆମରି ଦୟାରୁ ବର ପାଇ ସେ ପୁଣି ଆମରି ମୁଣ୍ଡରେ ପରୀକ୍ଷା କଲାଣି ପରା । ବଡ଼ ଅଶାନ୍ତି ହେଇଗଲେଣି ଆମ ଲୋକ ସବୁ ।

 

ହଉ ଅଜା, ତମେ ଆଜି ସଞ୍ଜବେଳକୁ ଆସୁନା । ସମସ୍ତେ ବସୁଛନ୍ତି, ମିଟିଂ ହେବ । ସେଇଠି ଗୋଟେ କଥା ସ୍ଥିର କରିବା, ସମସ୍ତେ ସେଇବାଟରେ ଯିବେ । ଗାଁର ପ୍ରତ୍ୟେକ କାମରେ ସମସ୍ତେ ଭାଗନେବେ, ନିଜକଥା ନିଜେ ବୁଝିବେ । କେହି କାହାର ଖାଇଯିବେନି । ଯେଉଁ କାମ ଯେମିତି ହେବାକଥା ସେମିତି ହେବ । କେହି କଣ୍ଟ୍ରାକ୍ଟର ହେବେନି କି କେହି କୁଲି ହେବେନି । ସମସ୍ତେ କରିବେ ନିଜର କାମ–ହିସାବ ବୁଝିବେ । ସମସ୍ତଙ୍କର ନୌତିକ ଅଧିକାରକୁ ସମସ୍ତେ ସମ୍ମାନ ଦେବେ । ଅନ୍ତତଃ ତମଭଳି ବୟସ୍କ ଲୋକମାନେ ଏମିତି କାମରେ ଅଧିକ ସହଯୋଗ କରି ଉପଦେଶ ଦେଇପାରିବେ ।

 

ଏମାନେ ସମସ୍ତେ ବସିବେ ଆଜି ?

 

ନିଶ୍ଚୟ, କାଲି ମୋପାଖକୁ ଶଙ୍କର ଦା’, ମିତ୍ରଦା’, ଅରୂପ ଆସି ଏହି ସମ୍ପର୍କରେ କହୁଥିଲେ । ମୁଁ ତାଙ୍କୁ ମିଟିଂ ଡାକିବାପାଇଁ କହିଚି ।

 

ହଉ ବାପ, ମୁଁ ଆସିବି–ହେଲେ ଏମାନଙ୍କ ଭିତରେ ତମଭଳି ଜାଣିବା ଶୁଣିବା ଲୋକ କିଏ ଅଛି କାମ କରିବ ? ନେଇଆଣି ଥୋଇପାରିବେ ?

 

ସମସ୍ତେ କ’ଣ ସବୁ କଥା ଜାଣିଥାଆନ୍ତି । ଯେମିତି ଗୋଟେ କଥା ଅଛି–କାନ୍ଧରେ ପଡ଼ିଲେ ବଜେଇ ଶିଖନ୍ତି । ସେଠି ଯାଇ କାମ କଲେ ବଳେ ଜାଣିପାରିବେନି ? ବ୍ଳକ୍‌ କାମଟା ନୂଆ ନୂଆ ଟିକେ ବେଢ଼ଙ୍ଗିଆ ଲାଗିବ । ତା’ପରେ ସବୁ ଠିକ୍‌ ହେଇଯିବ । ଆଉ ଗାଁର ଅନୁଷ୍ଠାନ କଥା ସମସ୍ତେ ବୁଝିବେ–ଏମାନେ କେବଳ ନେଇଆଣି ଥୋଇବା, ରେକର୍ଡପତ୍ର ରଖିବା ଦାୟିତ୍ୱଟା ତୁଲେଇନେବେ ।

 

ଭିକାରି ଅଜା ବାଡ଼ି ଠୁକ୍‌ ଠୁକ୍‌ କରି ଆଗକୁ ଚାଲିଲେ । ପଛରୁ ଡାକି ମୁଁ କହିଲି–ସଞ୍ଜକୁ ଆସିବ ଅଜା ।

 

ହଁ, ହଁ ଆସିବି–କହି ବୁଢ଼ା ଚାଲିଗଲା ।

 

ମୁଁ ଏପଟସେପଟ ହେଇ କିଛି ସମୟ ବୁଲିଲି । ଆମ୍ୱଗଛର କଅଁଳ ପତ୍ର ଭିତରେ ଗତ ରାତିର ଦୃଶ୍ୟ ଦେଖୁଥିଲି । ଆହାଃ, ସରିତା ! ତମ ମୁହଁ ଦେଖିଲେ ଛାତିର କୋଉ ନିବୃତ୍ତ କୋଣରେ ବୃଥା ଜାଗେ । ଭଙ୍ଗା ସ୍ୱପ୍ନର ଟୁକୁଡ଼ାଗୁଡ଼ାକ ପବନରେ ତୁଳା ଉଡ଼ିଲା ଭଳି ଆଖିସାମ୍ନାରେ ଉଡ଼ିବୁଲେ । ଟେବୁଲ ଚେୟାରର ଜୀବନ ଭିତରେ ଆମେ କେବଳ ଏକାଠି ହେଇଚେ ଶୁଖିଲା ଦୂରତ୍ୱରେ । ଏକାତ୍ମ ହେଇଚେ ବ୍ୟଥାତୁର ଆନ୍ତରିକତାରେ । ଅଥଚ ତମେ ପାଇଚ କ’ଣ ?

 

ମୁଁ ଭାବୁଥିଲି ସରିତା ପୂର୍ବଭଳି ଆମାୟିକ, ଅପରିବର୍ତ୍ତିତ ଅଛି । ଜୀବନରେ ଠକିଯାଇଚି ହୁଏତ । ମହେଶ କ’ଣ ତାକୁ ଭଲପାଉନି ? ସେମାନଙ୍କ ଭିତରେ କୌଣସି ସମ୍ପର୍କ ନାହିଁ ? ତେବେ ସେ ବଞ୍ଚିବ କେମିତି ? କେମିତି ଗୋଟାଏ ବିସ୍ତୃତ ସମୟ ଛାତିରେ ଚାଲିପାରିବ ଏକୁଟିଆ ହୋଇ ? ଏଯାଏଁ ତା’ର କୌଣସି ପୁଅ ଝିଅ ହେଲେନି । ସେ ଏକାମୁହାଁ ହୋଇପଡ଼ି ରହିଛି । ଆଜି ମଧ୍ୟ ତା’ ପାଇଁ ସମୟ ଅଛି ଜୀବନକୁ ନୂଆ ରଙ୍ଗରେ, ନୂଆ ରାସ୍ତାରେ ଆଗେଇନେବାକୁ, ତା’ ଇଚ୍ଛା କେବଳ ।

 

ମୋର ମନେପଡ଼ିଲା ସରିତା କହିଥିଲା ଯିବାପୂର୍ବରୁ ତାକୁ ଦେଖାକରି ଯିବାପାଇଁ । ମୁଁ ପୁଣି ଥରେ ତା’ର ସାନ୍ନିଧ୍ୟ ପାଇବାକୁ ଇଚ୍ଛାକଲି । ସରିତା ନାରୀଟି; କିନ୍ତୁ ପ୍ରେମିକାଟିଏ ନୁହେଁ । ଆପଣାର ଲୋକଭଳି ଛାତିତଳ ବ୍ୟଥା ବୁଝିପାରେ; ଅଥଚ ପ୍ରେମ ଦେଇ ଶାନ୍ତି କରିପାରେନା ।

 

ମୁଁ ବାଟରେ କିଛି ମାନସିକ ପ୍ରସ୍ତୁତି ନେଉଥିଲି ସରିତା ସହ କଥାବାର୍ତ୍ତା କରିବାର । କ’ଣ ତାକୁ ନୂଆ କଥା କୁହାଯାଇପାରିବ । ପ୍ରଥମେ ଟିକେ ଭାବପ୍ରବଣ କି ଗମ୍ଭୀର ହେବାକୁ ହେବ-। ନା, ଭାବପ୍ରବଣ ହେଲେ ବାକ୍ୟ ସ୍ଫୁରିବ । ନାଟକର ଦୃଶ୍ୟଭଳି ଫଗୁଣ ଓ କୋଇଲିର ପ୍ରସଙ୍ଗ ଯୋଡ଼ିବାକୁ ହେବ ।

 

ସବୁଠୁ ବଡ଼କଥା ହେଉଛି ସେ ତା’ ଶାଶୁଘର ପରିବାର ସମ୍ପର୍କରେ କିଛି କହିବ । ମହେଶ ସଙ୍ଗେ ତା’ ନ ପଡ଼ିବାର କଥାଟା କହିବ ।

 

ଏମିତି ଗୁଡ଼ାଏ ଅନାବନା କଳ୍ପନା ଭିତରେ ଚାଲୁଚାଲୁ ଦେଖାହେଲା କରୁଣା ସାଙ୍ଗରେ । ମୋର ସମବୟସ୍କ କରୁଣା, ପଢ଼ୁଥିଲୁ ମଧ୍ୟ ଏକା ସାଙ୍ଗରେ । କ୍ଳାସରେ ଭଲ ଗୀତ ବୋଲେ ବୋଲି ସବୁ ମାଷ୍ଟର ତାକୁ ଆଦର କରନ୍ତି । ତା’ର ମଧ୍ୟ ବଡ଼ ଇଚ୍ଛାଥିଲା ମାଟ୍ରିକ୍‌ ପାଶ୍‌ କଲାପରେ ଓଡ଼ିଶା କଳା ମଣ୍ଡପରେ ନାଁ ଲେଖି ଗୀତ ଶିଖିବ । ଭଲ ଗୋଟେ ଶିଙ୍ଗର ହେଇ ନାଁ କମେଇବ । ଭାରି ମେଳାପି ଏବଂ କଳାପ୍ରିୟ ଥିଲା । ସେତେବେଳେ ଯାତ୍ରା ଦେଖିବା ଓ ଡ୍ରାମା କରିବା ତା’ର ଆଉ ଗୋଟେ ସଉକ ଥିଲା । କିନ୍ତୁ କୌଣସି ଗୋଟେ ରାସ୍ତା ମଧ୍ୟ ସେ ଯାଇପାରିଲା ନାହିଁ । ଭାଗ୍ୟ ଭାରି ଖରାପ ତା’ର । ମାଟ୍ରିକ୍‌ ପରୀକ୍ଷା ଦେବାପରେ ବାପା ମରିଗଲେ । ପାଠପଢ଼ା ବ୍ୟବସ୍ଥା ବାତିଲ ହେଇଗଲା ଚିରକାଳ ପାଇଁ । ସ୍ୱପ୍ନ ଇ କେବଳ ସ୍ୱପ୍ନରେ ରହିଗଲା । ବାସ୍ତବତା ଦାଉ ସାଧିଲା । ମଲା ମାଛର କାତିଭଳି ନିସ୍ତେଜ ଇଚ୍ଛାଗୁଡ଼ିକ ବାଟବଣା ହେଲେ । ବିଧବା ମା’ର ଆଖିଲୁହକୁ ସମ୍ୱଳ କରି ତାକୁ ହିଁ ବଞ୍ଚିବାକୁ ହେଲା । ଆଜି ବଞ୍ଚି ବଡ଼ ମଣିଷ ହେଇ ସାଂସାରିକ ବନିଯାଇଚି କରୁଣା । ତାକୁ ଦେଖି ମୁଁ ପଚାରିଲି–କିରେ କରୁଣା କୁଆଡ଼େ ଯାଇଥିଲୁ ?

 

କ’ଣ ଭାଇ ପଚାରୁଚୁ ? ନିଜ ଦୁଃଖରେ ଦୌଡ଼ିବା କଥା–ମଉଳା ହସଟିଏ ହସି କରୁଣା କହିଲା–ଦି’ଦିନ ହେଲା ଆସିଲୁଣି ତୋର ଦେଖାଦର୍ଶନ ନାହିଁ, ଘରେ ଏମିତି କ’ଣ କରୁଚୁ କି ?

 

ନା, କିଛିନାହିଁ–ୟା’ ତା’ ସାଙ୍ଗରେ ବସି ଗପ କରୁ କରୁ ସମୟ ବିତିଯାଉଚି । ଆଉ ବୁଲିବାକୁ ସମୟ ମିଳୁଚି କେତେକେ ?–ପିଲାଦିନର ସେଇ ଏକାନ୍ତ ସାଙ୍ଗଟି ପ୍ରତି ମୁଁ ଯେ, ଅବହେଳା କରିଚି ସେ କଥା ବୁଝି ଯୋଡ଼େଇଲା ଭଳି କହିଲି–ଆଉ ଅଛୁ ଭାଇ ? ମାଉସୀ ଦେହପା’ କେମିତି ଅଛି ?

 

ବାଟରେ ଛିଡ଼ାହେଇ ପଚାରୁଚୁ କ’ଣ ? ତୋର ସେତିକି ଇଚ୍ଛାଅଛି ଯାଇ ଦେଖି ଆସିପାରନ୍ତୁ ନାହିଁ ? ମୁଁ ବଡ଼ ଲଜ୍ଜିତ ହେଲି । ପ୍ରକୃତରେ ଗାଁରେ ଥିଲାପର୍ଯ୍ୟନ୍ତ ମୁଁ କରୁଣାକୁ ଛାଡ଼ିପାରିନଥିଲି । ତାଙ୍କ ଘରକୁ ଭୁଲିପାରିନଥିଲି । ପାଠ ପଢ଼ାଠାରୁ ମୋର ବା’ଘର ସରିବା ପର୍ଯ୍ୟନ୍ତ ଦିନକ ପାଇଁ ମୁଁ ତା’ ଘରକୁ ଆସି ବୁଲି ନ ଗଲେ ଯେମିତି ମୋର ଭାତ ହଜମ ହେଉନଥିଲା । ମୁଁ କରୁଣାଆଡ଼କୁ ଟିକେ ଅନ୍ୟଆଖିରେ ଚାହିଁଲି । ବସ୍ତାଟାଏ କ’ଣ ଗୁଡ଼ାଏ ବାନ୍ଧିଥିଲା । ମୁଁ ସେଇଆଡ଼କୁ ପଛେଇ ଚାହିଁ ପଚାରିଲି–ତୁ କୁଆଡ଼େ ଯାଇଥିଲୁ ?

 

ସଉଦା ପାଇଁ ।

 

ମୁଁ ଆବାକ୍‌ ଭଙ୍ଗୀରେ ପଚାରିଲି–ଏତେ ସଉଦା କ’ଣ କରିବୁ, କିଛି ନ୍ୟାୟ ନିମିତ୍ତ ଆଗରେ ଅଛି କି ?

 

ନା–ସେ ମୁଣ୍ଡ ହଲେଇ ମନା କରୁ କରୁ ସାମାନ୍ୟ ହସିଲା ଓ କହିଲା–ଗୋଟେ ଛୋଟ ଦୋକାନ କରିଚି ।

 

ବାଃ, ଭଲକରିଚୁ ତା’ହେଲେ–କହି ମୁଁ ତା’ ପରିବର୍ତ୍ତିତ ମାନସିକତାକୁ ଲକ୍ଷ୍ୟକରି ପଚାରିଲି–ଗାଁ ଖବର ସବୁ କ’ଣ ?

 

କ’ଣ ମିଳିବ ସେଥିରୁ ଆମକୁ ? ନିଜ ଦୁଃଖକୁ ମୁଣ୍ଡ ଦାବି ତଳମୁହାଁ କଲାବେଳେ ଗାଁ କଥା କିଏ ପଚାରୁଚି ?

 

ବାସ୍ତବିକ୍‌, କରୁଣାର ଦୁଃଖ ଅନେକ ଯେତେବେଳେ ମୁଁ ଗାଁରେ ସଂଗଠନ ଦାୟିତ୍ୱ ନେଇଥିଲି ସେତେବେଳେ ମଧ୍ୟ ସଂଗଠନର ସକ୍ରିୟ ସଭ୍ୟହେଇ ଦାୟିତ୍ୱ ନେବାପାଇଁ କରୁଣାକୁ ବୁଝେଇଥିଲି । କିନ୍ତୁ ସେ ରାଜି ହେଇନଥିଲା । ଏଇ ଦୁଃଖ କଥାହିଁ କହିଥିଲା । ଅବଶ୍ୟ ସେଯାଏ ତା’ର ଦୋକାନ ନ ଥିଲା । ତା’ ବାପା ମରିଯିବା ପରେ ସେ ଏତେ ବିମୁଖ ହେଇପଡ଼ିଚି ଯେକୌଣସି ଜାଗାରେ ଗୀତଟିଏ ସୁଦ୍ଧା ବୋଲିନି । ବାଟରେ ଗଲାବେଳେ କାହା ମୁହଁକୁ ଚାହିଁନି । ଆକାଶରେ ମେଘ ଥିଲା ଚାହେଁନା, ଗଛରେ ଫଳ ପାଚିଥିଲେ ଚାହେଁନା, ପୋଖରୀରେ ମାଛ ଖେଳୁଥିଲେ ଚାହେଁନା କି ରାସ୍ତାରେ ସୁନ୍ଦରୀ ଝିଅମାନଙ୍କୁ ବି ଚାହେଁନା । ନିଜ ଧନ୍ଦାରେ ବ୍ୟସ୍ତ ରୁହେ-

 

ମୁଁ ପଚାରିଲି ଦୋକାନ କେମିତି ଚାଲିଚି ?

 

ହଁ ସେମିତି, ବେଳ ଭଲ ନୁହେଁ, କିଏ ଏଠି ସଉଦା ଖାଉଚି ? ମୋଟା ସଉଦା ପାଇଁ ଲୋକେ ହାଟ ବଜାରକୁ ଗଲେ । ଏଠି କିଏ ପାଞ୍ଚ ପଇସାର ନେବ ଦଶ ପଇସାର ନେବ–ଏଥିରେ ଲାଭ କ’ଣ । ତେବେ ବସିବା ଅପେକ୍ଷା କାଶିବା ଭଲ ନ୍ୟାୟରେ ଚାଲିଚି ସେମିତି ।

 

ଆମେ ତାଙ୍କ ଘର ନିକଟରେ ପହଞ୍ଚି ଯାଇଥିଲୁ । ତା’ ବାଡ଼ିଆଡ଼କୁ ଚାହିଁ ମୁଁ ଅନୁମାନ କରୁଥିଲି କରୁଣା ଆଜିକାଲି ଭଲ ଚାଷୀଟିଏ ହେଇଚି । ଛଣ ଗଦାଟା ବେଶ୍‌ ଥାଇ ତା’ ପଣର କଥା କହୁଚି । କୁଦାଗଦା ମଧ୍ୟ ଯଥେଷ୍ଟ ବଡ଼ । ଚାଷୀର ଯାହା ଖାଣ୍ଟିପଣିଆଟା ଏଇଠୁ ବାରିହେଇପଡ଼େ । ମୁଁ ମନେ ମନେ ପଚାରିଲି–ହେ ଭାଇ ଛଣ ଗଦା, ସତ କହିଲ ତମ ମୁଣ୍ଡଚୁଟି କାଟି କେତେ ଧାନ ପାଇଚି କରୁଣା ?

 

ମୋ ପ୍ରଶ୍ନର ଉତ୍ତରଦେଇ ସେ କହିଲା–ସାଢ଼େ ସାତ ଭରଣ ।

 

ମୁଁ ଚମକିପଡ଼ି କହିଲି–ସାଢ଼େ ସାତ ଭରଣ ! ପକ୍‌କା ଚାଷୀ ପାଲଟି ଯାଇଚି ତାହେଲେ କରୁଣା । ଏମିତି ଗୋଟେ ସଫଳତା ପାଇଁ ସେ ବୋଧେ ପ୍ରତିଦିନ ଯୋଜନା କରୁଥିଲା ମନେମନେ-

 

କରୁଣାଆଡ଼କୁ ଲକ୍ଷ୍ୟକରି ମୁଁ କହିଲି–ହଇବେ ବେଶ୍‌ ଧାନ ଅମଳ କରିଚୁ ଏ ବର୍ଷ ? ଚାଷରେ ତୁ ଆମ ଗାଁରେ ରେକର୍ଡ କରିବୁ ବୋଧେ ।

 

କେଉଁଠି ହେଇପାରୁଚି ଭାଇ, ଯାହା ଏକୁଟିଆ କରୁଚି ତା’ ହେଇଚି, ନହେଲେ ନାହିଁ ।

 

ମୁଁ ତା’ ବାଡ଼ି ଭିତରକୁ ଅପଲକ ନୟନରେ ଚାହିଁ ପଚାରିଲି ଜମିର ମୂଲ୍ୟ ତୁ ଠିକ୍‌ ବୁଝିଚୁ ଏକା । ଏ ବାଇଗଣ ଭେଣ୍ଡି, ଲଙ୍କା, କଖାରୁ, ସବୁ ତୁ ଘରେ ଖାଉନା ହାଟ ବାଟ କରୁ ? ଭାରି ବଢ଼ିଆ ହେଇଚି ତ । ପ୍ରକୃତରେ ତୁ ହିଁ ଆମ ଗାଁର ଆଇଡ଼ିଆଲ ଫାରମ୍‌ର । ଯେକୌଣସି ଲୋନ୍‌ ପାଇଁ ତୁ ଆବେଦନ କଲେ ସବୁ ଅନୁଷ୍ଠାନ ମୁକ୍ତ ହସ୍ତରେ ମଞ୍ଜୁର କରିଦେବେ । ତୁ ଆଣି କିଛି କାମରେ ଲଗା । ବାଡ଼ିରେ ତ ପନିପରିବା ଢେର କରୁଚୁ, ଆଉ କୋଉଠି ଦେଖି ଗୋଟାଏ ପୋଖରୀ ଖୋଳୁନୁ ମାଛ ଚାଷ ପାଇଁ ?

 

ସୋସାଇଟି ଥ୍ରୁରେ ଲୋନ୍‌ ଆଣି ପାଟ ମଝିରେ ଗୋଟାଏ ପୋଖରୀ ଖୋଳିଚି । ମାଛ ଭଲ ରହୁଛନ୍ତି ଯେ ଏ ଶଳା କ’ଣ ରଖିଦେଉଛନ୍ତି ? ରାତାରାତି ଯାଇ ଚୋରି କରୁଛନ୍ତି ପରା ? ଏକୁଟିଆ ଲୋକ ଭାଇ, ଏଣିକି ଟାଣିଲେ ତେଣିକି ପାଉନି–କ’ଣ କରିବି ?

 

ମୁଁ ବହୁତ ଖୁସିହେଲି ତା’ କଥା ଶୁଣି । ସତ କଥା ତ, ତା’ ସାଙ୍ଗକୁ ତା’ ମନଭଳି ଆଉ ଗୋଟିଏ ଭାଇ ଥିଲେ ଆହୁରି ଅନେକ କାମ କରିପାରନ୍ତା କରୁଣା । ମୋ ସାଙ୍ଗରେ ସେ ପଢ଼ିଲାବେଳେ ଭଲ ପାଠ ପଢ଼ୁଥିଲା । ତା’ ଅପେକ୍ଷା ବର୍ତ୍ତମାନ ଭଲ ଚାଷ କରିପାରୁଚି । ତା’ ଦୁଆରମୁହଁ ପିଣ୍ଡାକୁ ଉଠୁ ଉଠୁ ବଳଦ ଯୋଡ଼ିକ ଉପରେ ମୋର ଆଖିପଡ଼ିଲା । ବେଶ୍‌ ହୃଷ୍ଟପୁଷ୍ଟ ବଳଦ ଯୋଡ଼ିକ । ଯତ୍ନରେ ରଖିଚି କରୁଣା । ଦେଖିଲେ ଯେ, କୌଣସି ଚାଷୀପୁଅ ତାକୁ ପସନ୍ଦ କରିବ ।

 

ଆରେ ଏ ପୁଅ କେତେବେଳେ ? ଭିତରୁ କହିଉଠିଲେ ମାଉସୀ । ମୁଁ ଚାହିଁଲା ବେଳକୁ କିଏ ଜଣେ ଓଢ଼ଣା ଟାଣି ଘରଭିତରକୁ ପଶିଗଲା । ମୁଁ ଦେଖିନେଇଥିଲି ତା’ ମୁହଁଟା ଗୋଲମାଲ ମୁହଁଟିଏ ଗୋଟା ଜହ୍ନ ଭଳି । ସୁନ୍ଦରୀ ନିଶ୍ଚୟ । ବୋଧେ କରୁଣାର ସ୍ତ୍ରୀ । ମୁଁ ଆଉ ଦୁଇପଦ ଆଗେଇଯାଇ ମାଉସୀଙ୍କୁ ନମସ୍କାର କଲି । ସେ ମୋତେ ବସିବାପାଇଁ ଗୋଟେ ଚଟ ପକେଇଦେଲେ । ମୁଁ ବସିପଡ଼ି ଖେଳୁଥିବା ଝିଅଟିଆଡ଼କୁ ଚାହିଁ ପଚାରିଲି ଏ ଝିଅଟି କରୁଣାର କି ମାଉସୀ ?

 

ମାଉସୀ ହଁ ଭରିଲେ । ମୁଁ ସେ ଝିଅଟିଆଡ଼କୁ ହାତ ବଢ଼େଇ ଡାକିଲାରୁ ସେ କାନ୍ଦିଉଠିଲା । ମୁଁ କହିଲି, ଭଲ ଝିଅଟିଏ ତ ?

 

ସେ ଭଲ ଚେହେରାରୁ କ’ଣ ମିଳିବରେ ବାପ, ଦେଖୁନୁ ତୁ କେମିତି ଡାକୁଡାକୁ ଭେଁକିନା କାନ୍ଦିଉଠିଲା । ମାଉସୀ ତାକୁ କୋଳକୁ ନେଇ ସାନ୍ତ୍ୱନା ଦେଲେ–ଏଁ ଏମିତି ତୁଳସୀ, ସିଏ ଦାଦାଲୋ, କାନ୍ଦୁଚୁ କାହିଁକି ? ଏଇଠି ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି । ପଦେ କଥାରେ ମାଉସୀ ଦୁଇଟା କାମ କରିଦେଲେ । ପ୍ରଥମ କଥା ହେଲା ଝିଅକୁ ସାନ୍ତ୍ୱନା ଦେବା; ଦିତ୍ୱୀୟଟି ହେଲା ଘରଭିତରେ ଲୁଚିଥିବୁ ବୋହୁକୁ ଜଣେଇଦେବା ଯେ ଏଇ ଆଗନ୍ତୁକଟି ତୋର କୌଣସି ମାନ୍‌ତି ଲୋକ ନୁହେଁ, ଦିଅର । ତେଣୁ ଓଢ଼ଣା ପକେଇ ଘରେ ଲୁଚିବାର କୌଣସି ଆବଶ୍ୟକତା ନାହିଁ । ଘର କାମ କରି ଯା’ । ଏ ଆମ ଓଡ଼ିଆ ଘରର ଗୋଟାଏ ବଡ଼ କଥା । କୌଣସି ମାନ୍‌ତି ଲୋକ ଅର୍ଥାତ୍‌ ପୂଜ୍ୟ ଲୋକ ଦେଖିଲେ ତାକୁ ସମ୍ମାନ ଦେବାକୁଯାଇ କୁଳବଧୂମାନେ ଓଢ଼ଣା ଦେଇଥାଆନ୍ତି ।

 

ମାଉସୀଙ୍କ କଥା ସରିଗଲା ପରେ ମୁଁ ମୋ ନିଜ ତରଫରୁ ମଧ୍ୟ କହିଦେଲି ଭାଉଜ ! କ’ଣ ମୋତେ ଲୁଚୁଛ କି ? ହଁ, ଲୁଚି–କିଛି ଦେବାକୁ ପଡ଼ିବ ନା ?

 

ତଥାପି ଭିତରୁ କିଛି ଶବ୍ଦ ଆସିଲାନି । ଏତିକିବେଳେ ଝିଅଟିଏ ଦ୍ରୁତଗତିରେ ପଶିଲା ଓ ମୋତେ ଦେଖି ଥମ କରି ନିଆଁରେ ପାଣି ପଡ଼ିଲା ଭଳି ଅଟକିଗଲା । ତାପରେ ସଜାଡ଼ିହେଇ ଆସି ନମସ୍କାର କଲା । ମୋର ଚିହ୍ନିବାରେ ଟିକେ ଅସୁବିଧା ହୋଇଥିଲେ ବି ପରେ ମୁଁ ବେଶ୍‌ ଅନୁମାନ କରିନେଇ ପଚାରିଲି–ଇଏ ସୁନୀତା ପରା ମାଉସୀ ?

 

ମାଉସୀ ହଁ ଭରିଲେ । ତାପରେ ସୁନୀତା ଘରଭିତରକୁ ଦୌଡ଼ିଗଲା ଗୋଟାଏ ଚୁଚୁ ଶବ୍ଦ ଶୁଣି । ମୁଁ ବୁଝି ସାରିଥିଲି ଯେ, ଘର ଭିତରେ କରୁଣାର ସ୍ତ୍ରୀ ତାକୁ ଚୁଚୁ ଠାରରେ ଡାକିଲେ, ସଙ୍ଗେ ସଙ୍ଗେ ସେ ଗୋଟାଏ ପ୍ଲାଷ୍ଟିକ୍‌ ପ୍ଲେଟ୍‌ରେ ସିଗାରେଟ୍‌ ଓ ଦିଆସିଲି ଧରି ଆସି ପହଞ୍ଚିଲା ଓ ମୋପାଖରେ ରଖିଦେଲା । ମୁଁ କହିଲି ଆରେ ମୁଁ ଏଗୁଡ଼ା ଖାଏନି । ସିଏ ସିନା ଜାଣିନାହାନ୍ତି ବୋଲି ପଠେଇଲେ, ତୁ କ’ଣ ଜାଣିନୁ ? ତା’ପରେ ମୁଁ ମାଗିଲି ବୋଲି କ’ଣ ଯାହା ନ ଖାଏ ସେଇଆ ଦେବନା କ’ଣ ?

 

ଏତେ ଶ୍ରଦ୍ଧାରେ ଯେତେବେଳେ ଭାଉଜ ଦେଇଛନ୍ତି, ତମେ ଗୋଟାଏ ଖାଅ । ମୁଁ ପାନ ଆଣୁଚି । ନହେଲେ ତାଙ୍କ ମନଦୁଃଖ ହେବନି ? ତାଙ୍କ ପ୍ରଥମ ଉପହାରଟାକୁ ତମେ ଏଡ଼େଇଦେଲେ ଚଳିବ ?

 

ସୁନୀତାର କଥା ଶୁଣି ମୁଁ ଟିକେ ହସିଲି ଓ ଅନ୍ୟମନସ୍କ ହେଇ ଚାହିଁଥିଲି ଦୁଆର ଦେଇ ତାଙ୍କ ବାଡ଼ିପଟେ ଦିଶୁଥିବା ନଡ଼ିଆଗଛକୁ । ଚମତ୍କାର ଫଳିଚି । କାନ୍ଦି କାନ୍ଦି ପଇଡ଼ ଝୁଲୁଛନ୍ତି ।

 

ମାଉସୀ କହିଲେ କେବେ ଆସିଲୁ ପୁଅ ?

 

ମୁଁ କହିଲି ପଅରଦିନ ସଞ୍ଜରେ ।

 

ବହୁତଦିନ ରହିଗଲୁ ତ ? ଏକାବେଳକେ ଗାଁକୁ ଭୁଲିଗଲୁ ? ଗାଁ ପାଇଁ ଏତେ କାମ କରୁଥିଲୁ ?

 

ଯେତେବେଳେ ଯେଉଁ ସମୟ ଆସିବ, ସେତେବେଳେ ସେ କାମ କରିବାକୁ ପଡ଼ିବ–କହି ମୁଁ ସୁନୀତା ଯାଇଥିବା ଘରଆଡ଼କୁ ଚାହିଁ ସିଗାରେଟ୍‌ଟା ଲଗାଇଲି । ଏତେ ଟିକେ ସାନ ହେଇଥିଲା ସୁନୀତା । ମୁଁ ଆସିଲାମାତ୍ରେ ହିଁ ସେ ମୋ ସାଙ୍ଗରେ ଲାଗେ । ଚିଡ଼ାଏ, ଥଟ୍ଟା ଖେଳେ, ଗେଲରେ ମାରେ ତାକୁ–ଆମ ଘରକୁ ନେଇଯିବା ପାଇଁ କହେ । ସେ ମୋ ପାଇଁ ଚଟ ପକେଇଦିଏ ବସିବାକୁ । ପାଣି ଦିଏ ପିଇବାକୁ । କିନ୍ତୁ ଏବେ ଖୁବ୍‌ ବଡ଼ ହେଇଯାଇଚି । ଶାଢ଼ି ପିନ୍ଧୁଚି । ଯୌବନ ଛୁଇଁଯାଇଚି ଦେହକୁ । ଯେମିତି ବସନ୍ତ ଋତୁରେ ଆମ୍ୱଗଛରେ ବଉଳ ହୁଏ, ପତ୍ର କଅଁଳେ, ଫଳ ଧରେ–ସେମିତି ତା’ ଦେହରେ ଯୌବନର ବିଚ୍ଛୁରଣ । ବସନ୍ତର ଢଳ ଢଳ ମଦିରା । ଖୁବ୍‌ ସୁନ୍ଦରୀ ଦିଶୁଚି ଏକା ।

 

ମୋର ପୁନି କଥାଟାହିଁ ମନକୁ ଆସିଲା । ଭାରି ବୋର୍‌ ଲୋକଟା ଏକା । ହସଖୁସି ମଉଜମଜଲିସ୍‌ ଧାର ଧରେନି । ତା’ ପାଖରେ ଶୁଷ୍କ ଜୀବନ ବଞ୍ଚେଇବାକୁ ମୋତେ ଖୁବ୍‌ କଷ୍ଟ ଲାଗେ ।

 

ସୁନୀତା ପାନ ନେଇଆସିଲା । ମୋ ହାତକୁ ବଢ଼େଇଦେଇ କହିଲା ଏଠି କ’ଣ ବସିଚ-? ଘରଭିତରେ ବସିଲନି ? ଆସ, ଭାଉଜ ଆମର : ତମକୁ ଦେଖି ଲାଜ କରୁଛନ୍ତି ପରା-। ଏଠି ଆମର କାମ ହେବ କେମିତି ?

 

ମୁଁ କହିଲି–ତେବେ ମୁଁ ଯାଉଚି । ମୋ ବସିବାଦ୍ୱାରା ଯଦି ତମର କାମଧନ୍ଦା ବନ୍ଦ ହୋଇଯାଉଚି ମୁଁ ଏଠି ବସିଚି କାହିଁକି ? ମୋ ବସିବାଦ୍ୱାରା କିଛି ଉପକାର ତ ହେବନି; ବରଂ କ୍ଷତିହେବ ତମର ।

 

ନାଇଁ, ନାଇଁ ଘରେ ଆସ ବସିବ । ସୁନିତା ମୋ ହାତଧରି ଟାଣିଲା । ମାଉସୀ କହିଲେ ଯା’ ପୁଅଘରେ ବସିବୁ ଯା’, ଭାରି ସରମିକିଆ ଛୁଆଟାଏ ସିଏ, ଭାଇ ଭଗାରି ଘର ହେଇଥିଲେ କେମିତି ଚଳିଥାନ୍ତା କେଜାଣି ?

 

ସୁନୀତା ହାତ ଭିତରେ ମୋ ହାତଟା ଥିବାପର୍ଯ୍ୟନ୍ତ ମୋତେ କେମିତି ଗୋଟାଏ ଆନନ୍ଦ ଲାଗୁଥିଲା । ସେ ମୋତେ ଘରଭିତରକୁ ଡାକିନେଇ ଖଟଉପରେ ବେଡ଼ସିଟ୍‍ଟାଏ ବିଛେଇଦେଇ ବସିବାକୁ କହିଲା । ମୁଁ ବସିସାରି ତାକୁ ଗ୍ଲାସ୍‌ଟେ ପାଣି ଆଣିବାକୁ କହିଲି । ସେ ପାଣି ପାଇଁ ଚାଲିଗଲା । ଘରଟାକୁ ମୁଁ ଚାହିଁଲି । ବେଶ୍‌ ମାଣ୍ଟୁପକା ଘରଟାଏ । କାନ୍ଥର ଗୋଟାଏ ଧାଡ଼ିରେ ହାତବୁଣା ଫଟୋଗୁଡ଼ିଏ ଟଙ୍ଗାହେଇଚି । ଆଉ ଗୋଟିଏ ଧାଡ଼ିରେ କ୍ୟାଲେଣ୍ଡର । ବେଶ୍‌ ଭଲ ସଜେଇଛନ୍ତି ଘରଟାକୁ । ଝର୍କାର କବାଟ ଖୋଲିଦେଇ ମୁଁ ସେ ନଡ଼ିଆ ଗଛଟାକୁ ଦେଖିବାକୁ ପାଇଲି । ସୁନୀତା ମୋତେ ପାଣି ଗ୍ଲାସଟା ବଢ଼େଇଦେଇ ଛିଡ଼ାହେଲା । ମୁଁ ଦୁଇଢୋକ ପାଣି ପିଇ କହିଲି–ଏଗୁଡ଼ା ନିରୋଳା ସାଧା ପାଣି ଆଣିଚୁ ସୁନି ! ତମ ଗଛରେ ଏତେ ପଇଡ଼ ଲଦିହେଇଚି, ଗୋଟାଏ ପାରିଦେଲ ନାହିଁ ?

 

ଆଜି କିଏ ପାରିବ, ଭାଇ ନଈକୁ ଯାଇଛନ୍ତି ଧୋଇହେବାକୁ । କାଲି ଆସିଲେ ପଇଡ଼ ପିଇବ–କହି ସୁନୀତା ଟିକେ ହସିଲା । ମୁଁ ଗ୍ଲାସଟାକୁ ପଛପଟକୁ ରଖିଦେଇ ଅଳ୍ପ ଅଳ୍ପ ହସିଲି । ତା’ କଜ୍ଜ୍ୱଳ ଲେପିତ ଲମ୍ୱା ଆଖି ଝଲସିଉଠିଲା ମୁହୂର୍ତ୍ତକ ପାଇଁ । ମୁଁ କହିଲି–ଆ, ଏଠି ବସ୍‌ ଆ’ ।

 

ନାଇଁ ତମେ ବସ ମୁଁ ଛିଡ଼ାହେଇଚି–ତା’ କଥାରେ କୋମଳତା ଛଳ ଛଳେଇ ଉଠୁଥିଲା ।

 

ମୁଁ ସିଧା ଉଠିଯାଇ ତା’ହାତକୁ ଧରି ଟାଣିଆଣି ବସେଇଦେଲି ସତ କିନ୍ତୁ ହାତ ଛାଡ଼ିଲିନି-। ମୂଷା ଛୁଆର ପିଠିଭଳି ତା’ ହାତ କେତେ କୋମଳ ସତେ ! ମୋ ହାତଭିତରେ ହାତରଖି ସେ ପଚାରିଲା–ଭାଉଜ କ’ଣ କରୁଥିଲେ ?

 

କ’ଣ କରିବ ସେଇଟା ? –ବେଖାତିର ଢଙ୍ଗରେ କହିଲି ।

 

କ’ଣ କରିବ କ’ଣ ? ଚାକିରି କରିଚି, ଦୁଇଜଣଯାକ ରୋଜଗାର କରୁଚ । ବଡ଼ଲୋକ ହେଉଚ । କୋଠାବାଡ଼ି କରୁଚ, ଆହୁରି କ’ଣ ଅଧିକ କରିଥାନ୍ତା ?

 

ଏତିକି କଲେ ତ ମଣିଷ ସ୍ୱର୍ଗକୁ ଚାଲିଯିବ ।

 

ମୋ କଥା ଶୁଣି କିଛି ସମୟ ରହିଯାଇ ମୋତେ ଚାପା କଣ୍ଠରେ ଜିଜ୍ଞାସୁ ଆଖି ଢୋଳି ପଚାରିଲା–ଭାଉଜ ସଙ୍ଗରେ ତମର ପଡ଼ୁନିକି ଭାଇ ?

 

ପଡ଼ିବ କ’ଣ ? ତା’ ପାଖରେ ମୁଁ ବୋଲି ଚଳୁଚି, ମାନେ ଅଛି । ଆଉ ଯିଏ ହେଇଥାଆନ୍ତା । ମାନେ ମାନେ ଛାଡ଼ି ଆଉ କାହାକୁ ଦେଖନ୍ତାଣି ?

 

ମୋ କଥାରେ ଶ୍ଲେଷ ବୁଝିପାରି ସେ କହିଲା– ହଉ ଥାଉ ଥାଉ, ଛାଡ଼ିଲ ମୁଁ ଯାଏ । ମୋର ତେଣେ କାମ ଅଛି କହି ମୋ ହାତ ମୁଠାରୁ ମୁକୁଳିବାକୁ ଟଣାଓଟରା କଲା । ଏକୁଟିଆ କୋଠରୀରେ ସୁନି ଓ ମୁଁ । ମାଉସୀ ଦୁଆରେ ବସିଥିଲେ । ମୋଭିତରେ କିଛିଟା ଶିହରଣ ଖେଳିଯାଉଥିଲା ସେଇ ଟଣାଉଟରା ଭିତରେ । ସୁଯୋଗଟାକୁ ଏତେ ସହଜରେ ମୁଁ ହରେଇବାକୁ ଚାହୁଁନଥିଲି । ତାକୁ ଟାଣିଦେଲି ଏତେ ଜୋରରେ ଯେ, ସେ ମୋ ଛାତିଉପରେ ପିଟି ହେଇଗଲା । ମୁହଁଟାକୁ ମିଠା ରାଗରେ ଭାରି ଭାରି କରି କହିଲା ଧେତ୍‌, ତମର ସେହି କଥା ଗଲାନି । ମୁଁ କ’ଣ ସେମିତି ପିଲା ହେଇ ଅଛି ବୋଲି ଭାବୁଚ ନା କ’ଣ ?

 

ମୋ ହାତ କୋହଳ ହେଇଗଲା । କିନ୍ତୁ ଏଥର ସେ ହାତ ନେଲାନି । ଛାତି ଭିତରଟା ଉତ୍ତେଜନାରେ ଥରିବାକୁ ଲାଗିଲା । ମୁଁ ଭାବୁଥିଲି ପାଞ୍ଚ ଛ’ବର୍ଷ ତଳେ ସୁନୀତା ସଙ୍ଗରେ ଏମିତି ମୋର ଚାଲେ । କାରଣ ସେତେବେଳେ ସୁନୀତାର ବଡ଼ ଭଉଣୀଟିକୁ ମୋରି ପ୍ରେମିକା ବୋଲି ଭାବେ । ସେଥିପାଇଁ ତାଙ୍କ ଘରେ ମୋର ବେଶି ସମୟ କଟୁଥିଲା । ମୁଁ ଅନିକୁ ଦେଖି ଦେଖି ସୁନିକୁ ଗେଲ କରେ । ପାଖରେ ବସେଇ ଧରେ । କିନ୍ତୁ ସେ ସବୁ ସହଜ ଭାବପ୍ରବଣତାର କଥା ଆଜି ମନେପଡ଼ିଲେ ଭାରି ଖରାପ ଲାଗେ । ମୋଟାମୋଟି ଅନି ଆଗରେ ମୁଁ ମୋର କାର୍ଯ୍ୟ ପ୍ରତିପାଦନ କରିବାପାଇଁ ଗାଁ କଥାରେ ମୁଣ୍ଡ ପୂରେଇଥିଲି । କାରଣ ସାଧାରଣ ଝିଅଟେ ସମସ୍ତେ ଭଲ କହୁଥିବା ପୁଅଟିକୁ ହିଁ ବେଶି ପସନ୍ଦ କରିଥାଏ । ସେଥିପାଇଁ ଆମ ଭିତରେ ଗୋଟେ ପ୍ରକାର ଭଲ ମାନସିକ ସମ୍ପର୍କ ଗଢ଼ିଉଠିଥିଲା । ସେଇବେଳୁ ସୁନି ମୋ ସଙ୍ଗରେ ବହୁତ ଫ୍ରି ହେଇ ଚଳେ । କିନ୍ତୁ ସେଦିନର ସୁନି ଓ ଆଜିର ସୁନି ଭିତରେ ଅନେକ ତଫାତ୍‌ । ସେଦିନ ସୁନିକୁ କୋଳରେ ବସେଇ ଗେଲ କରୁଥିଲି । ଆଜି ପାଖରେ ବସିଲେ କେମିତି ମୋର ଫୁଲ ହେଇ ମହକୁଚି । ଭ୍ରମରକୁ ଆକୃଷ୍ଟ କରୁଚି । କିଏ ତା’ର ସେହି ଭ୍ରମର ହେବ କିଏ ଜାଣେ ?

 

ସୁନି ମୋ ମୁହଁକୁ ଚାହିଁ ଚାପାଗଳାରେ କହିଲା–ରାଗିଲ କି ? ତମେ ବାହାସାହା ହେଇ ବି ସେଇ ପିଲା ଅଭ୍ୟାସ ଛାଡ଼ିଲ ନାହିଁ । ଏଇ କଥାଟା ଯଦି ଭାଉଜ ଦେଖିଥିବ ନା କେତେ କ’ଣ ଭାବିଯିବ । ସେ କ’ଣ ବୁଝିବ ଆମ ଭିତରେ କି ସମ୍ପର୍କ ଅଛି ? ଛାଡ଼ିଲ ମୁଁ ଦେଖିଆସେ ସେ କ’ଣ କରୁଚି ? କହି ଉଠି ଚାଲିଗଲା ସୁନି । ମୁଁ ମୂକ ପାଲଟିଗଲି ଏ କଥାରେ । ଭାରି ଲଜ୍ଜା ମଧ୍ୟ ଅନୁଭବ କଲି । ଛି, ଛୋଟଝିଅଟା ବ୍ୟକ୍ତିସତ୍ତାର ମୂଲ୍ୟ କମିଗଲା ଭଳି ଲାଗିଲା । ସୁନିଠୁ ମୁଁ ହାରାହାରି ଦଶବର୍ଷ ବଡ଼ । ଭାରି ଖରାପ ଲାଗିଲା । ସୁନି ପୁଣି ଫେରିଆସି ମୋ ପାଖରେ ବସି ପଚାରିଲା ଗାଁକୁ କାହିଁକି ଆସୁନଥିଲ ?

 

ମୁଁ ଘୃଣଖିଆ ମନ ନେଇ କହିଲି ଆସିବାକୁ ସମୟ ମିଳୁଚି କେତେବେଳେ ? ବାରଆଡ଼େ ବାର ଧନ୍ଦାରେ ବ୍ୟସ୍ତ । ତୁ ଜାଣିନୁ ନା ମୋ କଥା ? କହି ଅନ୍ୟମନସ୍କ ଭାବେ ପଚାରିଲି–ଦେଈ କେବେ ଆସିଥିଲା ?

 

ନା ବଡ଼ ଦେଈ ଆମ ଘରକୁ ଆସେନି । ଏକୁଟିଆ ଘରେ ପଡ଼ିଚି ବୋଲି ସମୟ ପାଏନି ଆସିବାକୁ ।

 

ନା, ଅନି ଦେଈ ନାଁଟା କେଡ଼େ ଶୀଘ୍ର ଉଚ୍ଚାରଣ କରିଦେଲି ମୁଁ ନିଜେ ମଧ୍ୟ ବୁଝିପାରିଲି ନାହିଁ । ନାଁଟା ପ୍ରତି ବହୁତଦିନର ଗୋଟେ ଦୁର୍ବଳତା ଓହରିପଡ଼ିଲା ଆକାଶରୁ ଟେକାଟିଏ ଖସିଲା ପରି । ସିଏ ମଧ୍ୟ ମୋ ଶବ୍ଦର କ୍ଷଣିକତାଠାରୁ ଆହୁରି ବିସ୍ମୟତା ପ୍ରକାଶ କରି କହିଲା–ଅନି ଦେଈ କଥା ଜାଣିନା କି ?

 

ମୁଁ କିଛି କହିଲିନି । ସେ ମୋ ହାତକୁ ହଲେଇଦେଇ କହିଲା–ସେ ମରିଗଲା ।

 

ମରିଗଲା ??? ଶବ୍ଦଟା ଶୂନ୍ୟତାକୁ ଏତେ ଛୁଇଁଗଲା ଯେ, ଆମେ କେବଳ ହତବାକ୍‌ ହେଲୁନାହିଁ, ଆଖି ବୁଜିଦେଲୁ ମଧ୍ୟ ।

 

ମେତେ ଆଉ ମୁହୂର୍ତ୍ତଟେ ସେଠି ବସି ରହିବାକୁ ଭଲ ଲାଗୁନଥିଲା । ମୁଁ ଉଠିପଡ଼ି କହିଲି–ଯାଉଚି ? ଘଟଣାଟାରେ ହୁଏତ ମୁଁ କଷ୍ଟ ଅନୁଭବ କଲି ଭାବି ସେ ମୋ ହାତକୁ ପୂର୍ବଭଳି ଟାଣିଧରି ଅଟକାଇଦେଇ କହିଲା–ଯିବ ତ ଏତେ ବ୍ୟସ୍ତ କିଆଁ ? ଭାଇ ଆସନ୍ତୁ । ନା ଆଉ ଆମଘରେ ବସିବନି ? ମୁଁ ଅଛି ପରା ?

 

ବିମର୍ଷ ଚିତ୍ତରେ କହିଲି– ମୁଁ କ’ଣ ମନାକରୁଚି ? ତେବେ ସବୁ ଥିବା ଭିତରେ ମୁଁ ଗୋଟାଏ ଜିନିଷ ପାଉନି । ତୁ କହୁନୁ, ମୁଁ କ’ଣ ଅନି ସାଙ୍ଗରେ ବସି ଏମିତି ଗପ କରେ ? ଗେଲ ହୁଏ ? ତା’ପରେ ବି ଆମର ଏମିତି ସମ୍ପର୍କ ଥିଲା ଯେଉଁଟା କହିଦେବା ଏତେ ସହଜ ନୁହେଁ ? ତୁ ଯଦି କେବେ...

 

ଥାଉ କିଏ ଶୁଣିବ ପୁଣି । ଛାଡ଼ ସେ କଥା । ତମେ ବଡ଼ ଲୋକ, ବଡ଼ ଘରର ପାଠ ପଢ଼ୁଆ ଝିଅ ବାହାହେଲ, ଖୁସିରେ ଥିବ ନିଶ୍ଚୟ !

 

କଟା ଘା’ରେ ଚୂନ ଦେଲାପରି କଥାଟା ମୋ ଭିତରେ କଣ୍ଟା ଫୋଡ଼ିଲା ପରି ଫୋଡ଼ିହେଇଗଲା । ସୁନିଆଡ଼କୁ ମୁଁ କଟମଟ କରି ଚାହିଁଲି । ସେ ଡରିଗଲା ବୋଧେ । ହଠାତ୍‌ କହିପକେଇଲା–କ’ଣ ଏମିତି ଚାହୁଁଚ ?

 

ଭାରି ଗରମ ହଉଚି, ବାହାରକୁ ଯିବା କହି କଥାଟାକୁ ହାଲକା କରିଦେଲି । ସେ ସଙ୍ଗେ ସଙ୍ଗେ ଫ୍ୟାନଟା ଅନ୍‌ କରିଦେଇ କହିଲା–ଏଥର ବସ, ଥଣ୍ଡା ଲାଗିବ ।

 

ମୁଁ ଫ୍ୟାନକୁ ହିଁ କେବଳ ଚାହିଁଲି । ଉଷା କମ୍ପାନୀର ଫ୍ୟାନଟା ନୂଆ ଲାଗିଚି । ଚକ୍‌ ଚକ୍‌ କରୁଚି । ଯାହାହେଉ କରୁଣା ବିଲବାଡ଼ିଠାରୁ ଦୋକାନ ପଟା ପର୍ଯ୍ୟନ୍ତ ସବୁରକମର ଧନ୍ଦା କରି ଏକପ୍ରକାର ଆରାମରେ ଅଛି । ମୁଁ ମନେମନେ କହିଲି ସାବାସ୍‌ କରୁଣା, ଜୀବନ ଯୁଦ୍ଧରେ ତୁ ଆଗେଇ ଚାଲ ବଳିଦତ୍ତ ହେଇ । ଈଶ୍ୱର ତତେ ଖୁସିରେ ରଖନ୍ତୁ ।

 

ତାପରେ ସୁନି ମୋ ହାତ ଆଙ୍ଗୁଠିରେ ଥିବା ମୁଦିଟିକୁ ଦେଖୁ ଦେଖୁ କହିଲା ଏବେ କ’ଣ ଦେଈ କଥା ତମର ମନେପଡ଼େ ?

 

ନା ନା ନିଜ ଖାଇବାପିଇବା କଥା କି କାମଧନ୍ଦାରେ ଧନ୍ଦିକି ହେଇ ବେଳେବେଳେ ଭୁଲିଯାଏ । ଆଉ ପାଞ୍ଚ ସାତବର୍ଷ ତଳର କଥା ମନେପଡ଼ିବ କେମିତି ? ଏଇ ତୋତେ ଦେଖୁ ଦେଖୁ ମନେପଡ଼ିଲା । ତୋତେ ଦେଖି ତା’ର ସ୍ମୃତି ଚେଇଁଉଠୁଚି ସୁନି । ତୁ ମୋତେ ପୁଣି ଥରେ...କହୁ କହୁ ବନ୍ଦ ହେଇଗଲା ପାଟିର କଥା ଓ ସେହି ଫ୍ୟାନ୍‌କୁ ଚାହିଁ ମନେମନେ ପଚାରିଲା–ହେ ଭାଇ ଫ୍ୟାନ । ଏ କ’ଣ କରୁଚ ?

 

ଉତ୍ତର ମିଳିଲା–କିଛି ନାଇଁ କିଛି ନାଇଁ ତମକୁ ଟିକେ ପବନ ଦେଇ ଶାନ୍ତ କରିବାକୁ ଧାଇଁଚି ।

 

ସାମ୍ନାରେ ମାଉସୀଙ୍କ ହାତରେ ଜଳଖିଆ ପ୍ଲେଟ୍‌ ଦେଖି ବ୍ୟସ୍ତହେଇ ପଚାରିଲି ଏସବୁ କିଏ ଖାଇବ ମାଉସୀ ? ଏତେଗୁଡ଼ା କ’ଣ ?

 

ସେ କହିଲେ ତମ ପୁଅକୁ ଆମେ କ’ଣ ଦେବୁ ଖାଇବାକୁ, କିଛି ନାଇଁ, କିଛି ନାଇଁ ଖାଇଦିଅ ଏତିକି ।

 

ସୁନି ଯାଇ ଗ୍ଲାସରେ ପାଣି ନେଇଆସିଲା ମୁହଁ ଧୋଇବାପାଇଁ । ମୁଁ ମୁହଁ ହାତ ଧୋଇ ଆସି ବସିଲି, ସୁନିକି କହିଲି–ଯା’ ହାତ ଧୋଇହେଇ ଆ’ ।

 

ସେ ମନାକଲାରୁ ମୁଁ ବାଧ୍ୟ କଲି । ତଥାପି ସେ ରାଜିହେଲାନି । ଶେଷରେ ମୁଁ କହିଲି–ତେବେ ଥାଉ, ମୁଁ ଚାଲିଲି ।

 

ମାଉସୀ ଟିକେ ଆକଟ କଲାଭଳି ସୁନିକୁ କହିଲେ–ଇଲୋ ଖାଉନୁ, ଭାଇ ଡାକୁଛନ୍ତି ପରା । ତୋତେ ଏତେ ଶରଧା କରୁଥିଲେ, ତାଙ୍କୁ ଏତେ ଲାଜ କରୁଚୁ କ’ଣ ?

 

ତାପରେ ସବୁ ଠିକ୍‌ ହେଇଗଲା । ଆମେ ସାଙ୍ଗ ହେଇ ଖାଇବସିଚୁ କରୁଣା ଆସି ପହଞ୍ଚିଲା ଏବଂ ଆମଆଡ଼କୁ ଟିକେ ଚାହିଁଦେଇ ଦୁଆର ମଝିକୁ ଚାଲିଗଲା । କାହା ଉଦ୍ଦେଶ୍ୟରେ କହିଲା ଦେଲ ଦେଲ ଖାଇବାକୁ । ମଣିଷକୁ ବଡ଼ ଭୋକ ହେଲାଣି । ଗାଧୁଆ ବେଳଟାରେ ଭଲ ଖିଆ ହେଇପାରିଲାନି ଯେ ଭୋକ ପ୍ରବଳ ହେଲାଣି ।

 

ସେତେବେଳେ ମାଉସୀ ଚାଲିଯାଇଥିଲେ । କରୁଣାର ଉଦ୍ଦେଶ୍ୟମୂଳକ କଥାପଦକ ତା’ ସ୍ତ୍ରୀ ଉଦ୍ଦେଶ୍ୟରେ ଥିଲା । ମୁଁ ସୁନିକୁ କହିଲି–ଏ, ତୁ ଏତକ ଖାଇଦେ’ ମୁଁ ଯାଉଚି ତୋ ଭାଇ ସଙ୍ଗରେ ସଜ ପଖାଳ ଖାଇବି ।

 

ମୁଁ ପାରିବିନି ବାବା, ତମେ ଖାଇସାରି ବରଂ ଯାଇ ପଖାଳ ଖାଅ–କହି ସୁନି ମୋ ଉଠିଆସିଥିବା ହାତକୁ ପୁଣି ନେଇ ପ୍ଲେଟ୍‌ରେ ଖୋଇଲା । ମୁଁ କହିଲି–ଆଛା ଏଇଥିରୁ ମୁଁ ପେଟେ ଖାଇବି, ଆଉ ସଜ ପଖାଳ ଖାଇବି କୋଉ ପେଟରେ ?

 

ଓଃ ଭାରି ଗୋଟାଏ ଅପୂର୍ବ ଜିନିଷ, ଖାଇବାକୁ ରଙ୍କୁଣା ହେଉଚ ?

 

ତୁ ଘରେ ବସି ସବୁଦିନେ ବେଳାଏ ଲେଖା ଖାଉଚୁ ତ ତତେ କୋଉଠୁ ନୂଆ ଲାଗିବ ?

 

ହଉ ଗଲ ବାବୁ, ଏ ଆମର ଥାଉ ଏଇଠି ।

 

ସତରେ କ’ଣ ରଖିଦେବୁ ନା କ’ଣ ? ତୋ ଭାଇ ଖାଇବସି ଅଧାଖିଆ ହେଲାଣି, ମୋତେ ସାଙ୍ଗରେ ଆଣିଥିଲା ଘରକୁ ଯେ ଡକା ନାହିଁ ହକା ନାହିଁ ମୁଁ ସେମିତି ଯାଇ ଖାଇ ବସିବି ? ବାହାରେ ମଣିଷ... ?

 

ଆଛା ଭାଇଙ୍କୁ ଡାକି କହିବି ?

 

ଚୁପ୍‌–କହି ଉଠିଗଲି । ଆମ ଖିଆ ସରିଯାଇଥିଲା । ତାପରେ ପରେ ସୁନି ତା’ର ପ୍ଳେଟ୍‌ ଗ୍ଲାସ୍‌ ଧରି ଚାଲିଗଲା । ହାତଧୋଇ ମୁଁ ପୁଣି ଫେରିଆସିଲି ଖଟଉପରକୁ । ଝରକାଦେଇ ପଇଡ଼ କାନ୍ଦି ଦେଖିଲୁ । ସୁନି ଆଉ ଦୁଇଖଣ୍ଡ ପାନ ଆଣି ଦେଇଗଲା । ମୁଁ ଟିକେ ରସିକତା କରିବାକୁ କହିଲି–ପିଲାଦିନେ ତୋତେ ଆମଘରେ ରହିବାକୁ କହୁଥିଲି ପରା ? ଏବେ ଚାଲ ମୋତେ ପାନ ଭାଙ୍ଗିଦେବୁ । ଯାହା ପାରିବୁ ତା’ କରିବୁ । ଖାଇବୁ, ପିଇବୁ, ପିନ୍ଧିବୁ ନାଇବୁ, ରଖିବୁ । ଯିବୁ ?

 

ଥାଉ, ମୁଁ ଅନି ଦେଈ ହେଇନି ଯେ ମୁଁ ତମ ସାଙ୍ଗରେ ସମ୍ପର୍କ ରଖି ଝୁରି ଝୁରି ମରିବି ?

 

ଆଉ କେଉଁଭଳି ଲୋକଙ୍କ ସାଙ୍ଗରେ ରଖିବୁ ?

 

ମୋର ଜମା ଦରକାର ନାହିଁ–କହି ମୁହଁମୋଡ଼ି ଚାଲିଗଲା ସୁନୀତା । ଭଲ ସ୍ମାର୍ଟ ଝିଅଟିଏ ଏକା । କଥାରେ, କାମରେ, ଚାଲିରେ । ସେ ଯାହା ହେଉନା କାହିଁକି ତା’ ସୌନ୍ଦର୍ଯ୍ୟକୁ ମୁଁ ସହିପାରୁନଥିଲି । ଏତେ ସୁନ୍ଦରୀ ଦିଶିବାଦ୍ୱାରା ମୋର ଛୋଟ ଇଚ୍ଛାଟି ମୋତେ ପିନ୍‌ମାରି ଉଠେଇଦିଏ । ତା’ଆଡ଼କୁ ହାତ ବଢ଼େଇବାକୁ ଜୁଲମ୍‌ କରେ । ବ୍ୟସ୍ତ ବିବ୍ରତ କରିଦିଏ । ମୋ ପେଟତଳେ ଅରଣ୍ୟର ଅଜଗର ଆହାର ଖୋଜି–ଯାଏ ହାଇତୋଳି । ଅଥଚ ମୁଁ ମୋତେ ଖୋଇଦେବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୁଏ । ଖାଇସାରି ମୋପାଖକୁ ଆସିଲା କରୁଣା । ମୁଁ ତାକୁ ବସିବାକୁ ଜାଗା ଛାଡ଼ିଦେଇ କହିଲି–ଭଲ ତ ଘରଦ୍ୱାର ବାଗେଇ ସାରିଲୁଣି ? ଯାହାହେଉ ଏ ଗାଁଟା ଭିତରେ ତୁ ଏକୁଟିଆ କିଛି ନା କିଛି କରୁଛୁ । ରଖ୍‌ ରଖ୍‌ ସାଇତି ରଖ୍‌ । ଆଗରୁ ସଞ୍ଚୟ କର । ସୁନି ବା’ଘର ସାରି ପୁଣି ଝିଅପାଇଁ ସଜାଡ଼ି ରଖିବୁ । ଦାନାପାଣି ଜଗତରେ ନିଜର ରହିବା ଓ ସମ୍ମାନ ବଜାୟ ରଖିବାକୁ ତୁ ଅଣ୍ଟାରେ ଯେଉଁ ଗାମୁଛା ଭିଡ଼ିଚୁ, ବାସ୍ତବିକ୍‌ ତାହା ପ୍ରଶଂସନୀୟ । ଆଗେଲ ଚାଲ୍‌, ତୋ କର୍ମଫଳ ତୁ ନିଶ୍ଚୟ ପାଇବୁ । ଈଶ୍ୱର ତୋଉପରେ ବହୁତ ସନ୍ତୁଷ୍ଟ ।

 

କରୁଣା ଆଖିଟେକି ହସିଲା । ମଲାଗଛର ଶାଖାରେ ପୁଣି ଥରେ ପତ୍ର ଫୁଲ ହସିଉଠିବାର ଦୃଶ୍ୟ ମୋ ଆଖିସାମ୍ନାରେ ନାଚିଉଠିଲା । ମୁଁ ପୁଣି କହିଲି–ଚାଲ ତ ତୋ ବାଡ଼ିପଟ ଟିକେ ବୁଲିଆସିବା । କି କି ଫସଲ ଫଳେଇଚୁ ଦେଖିବା ।

 

ଆମେ ଉଠିଆସିଲୁ ବାଡ଼ିପଟକୁ । ବେଶ୍ ଜମି ଚାରିଗୁଣ୍ଠ ଏରିଆର ବାଡ଼ା ବନ୍ଦି କରି ଫସଲ ଫଳେଇପାରିଚି କରୁଣା । ତା’ ଭିତରେ ଗୋଟେ ବଡ଼ ଅଢ଼େଇ ହାତିଆ ନନ୍ଦର କୂଅଟେ କରିଚି, ଗୋଟାଏ କୁମ୍ଭୀ ଲଗେଇଚି ସେଥିରେ । ପୂରାପୂରି କାବୁ କରିଚି ଯେ ପିମ୍ପୁଡ଼ିଏ ସୁଦ୍ଧା ଗଳିପାରିବନି । କଣ୍ଟା ବାଇଁଶିର ବାଡ଼ । କାମଡ଼ା ଦିଆହେଇଚି ମଜଭୁତ କରି । ମୁଁ ତାକୁ ମନେମନେ ଧନ୍ୟବାଦ ଦେଉଥିଲି । କଥାରେ ଅଛି–କଷ୍ଟ କଲେ ଇଷ୍ଟ ମିଳେ । କରୁଣା ପାଇଁ କଥାଟା ପୂରା ମାତ୍ରାରେ ହିଁ ସତ । ଏକୁଟିଆ ଲୋକ ହେଇ ଏତେ କାମ ସେ କରିପାରୁଚି କେମିତି-? ଚାଷବାସଠୁ ପନିପରିବାଯାଏ ସବୁ କରୁଚି । ପିମ୍ପୁଡ଼ି ଭଳି ଲାଗିଚି ।

 

ମୁଁ ମହୁଫେଣାର ଦୃଶ୍ୟ ଆଙ୍କୁଥିଲି । ମହୁମାଛି ଜୀବନର ଛନ୍ଦ ଶୁଣୁଥିଲି । ପଚାରିଲି–ସବୁ ଦେଖୁଚି ଆଉ ଦୁଇଟା ଜିନିଷ କାହିଁ ? ଗୋଟାଏ ହେଲା ମହୁ, ଆଉ ଗୋଟାଏ ଗାଈ ।

 

ଗାଈ ଅଛି, ହେଲେ ମହୁ ବାକ୍‌ସଟାଏ ଆଣି ରଖିପାରିନି । ଗୋଟାଏ କିଣିବା ପାଇଁ ବରାଦ ଦେଇଚି । ଦେଖିବା–କହି କରୁଣା ବାଡ଼ିଭିତରକୁ ପଶିଲା । ମୁଁ ତା’ ପଛେ ପଛେ ଗଲି । ଲଙ୍କାଗଛଗୁଡ଼ାକ ଭଲଭାବେ ଧାଡ଼ି ଧାଡ଼ିହେଇ ଲାଗିଚି । ଯଥା ସମୟରେ ପାଣି ଦେଉଥିବାରୁ ମୂଳମାଟି ଓଦା ଅଛି । ମୁଁ ପଚାରିଲି–ସାର ଦେଇଚୁ କି ?

 

ନାଁ ସାର ନୁହେଁ, ତେବେ କିଛିଟା ଘୁଷୁରି ମଳ ଆଣି ଦେଇଥିଲି । ତା’ଦ୍ୱାରା ଗଛ ବେଶ୍‌ ହୃଷ୍ଟପୁଷ୍ଟ ହେଇଚି !

 

ମୋର ବଳିଦତ୍ତ କଥା ମନେପଡ଼ୁଥିଲା, ସାହେବର ଫୁଲ ବଗିଚାରେ ଘୁଷୁରି ମଳ ଦେବାପାଇଁ ସେ ବ୍ୟସ୍ତହେଇ ଝାଳନାଳ ଏକାଖଣ୍ଡ ହେଇ ଦୌଡ଼ୁଥିଲା କେବଳ ଟିକିଏ ପ୍ରମୋସନ ପାଇଁ, ଚାକିରିରେ ନିଜକୁ ବଳିବର୍ଦ୍ଧ କରିବାପାଇଁ । କିନ୍ତୁ କରୁଣା ନିଜ କିଆରିରେ ଘୁଷୁରି ମଳ ଦେଇ ସୁନା ଫଳେଇ ପାରୁଛି । ଗୋଲାମଗିରିଠାରୁ ବେଶ୍‌ ସ୍ୱାଧୀନ ଜୀବନ ବଞ୍ଚେଇ ପାରୁଚି । ମୁଁ ମନେମନେ କହିଲି–ଧନ୍ୟବାଦ କରୁଣା, ତତେ ଅଶେଷ ଧନ୍ୟବାଦ । ତୁ ଅର୍ଦ୍ଧଶିକ୍ଷିତ ହେଲେବି ନିଜ କାମ ନିଜେ କରି ବଞ୍ଚି ପାରିବା ପାଠରେ ସର୍ବଶ୍ରେଷ୍ଠ ଶିକ୍ଷିତ । ତୋତେ ଉଚ୍ଚ ଶିକ୍ଷାଧାରୀ ରବି ନାମକ କେହି ବ୍ୟକ୍ତି ଆସି ଉପଦେଶ ଦେଇନାହାନ୍ତି କିମ୍ବା ତାଙ୍କୁଠୁ ତୁ ଭାଷଣ ଶୁଣି କାମ କରିନୁ କିମ୍ବା ଗୋଷ୍ଠୀବଦ୍ଧ ହେଇ କୌଣସି କାମ କରିନୁ । ତୁ ନିଜ ରାଇଜର ରାଜା, ପ୍ରଜା ହେଇ ବଞ୍ଚିଛୁ । ତୋଉପରେ କେହି ହାକିମ ନାହିଁକି, କାହାଦ୍ୱାରା ତୁ ଶୋଷିତ ହେଉନାହୁଁ । ନିଜ ହାତରେ ନିଜେ ଚଉଦପା’ । ଏ ଯୁଗର ସର୍ବଶ୍ରେଷ୍ଠ ଆତ୍ମ–ସଚେତନ ବ୍ୟକ୍ତି । ତୋରିଭଳି ଯଦି ସମସ୍ତଙ୍କ ଭିତରେ ଏଇ ସଚେତନତା ଦେଖାଦିଅନ୍ତା ତାହେଲେ ମୁଁ ଭାବୁଚି ମହାତ୍ମାଗାନ୍ଧୀଙ୍କ ସ୍ୱାଧୀନତା ପାଇଁ ଅକ୍ଳାନ୍ତ ପରିଶ୍ରମର ମୂଲ୍ୟ ଏ ସମାଜ ପାଇପାରନ୍ତା ।

 

କିଆରି ମଝିରେ ଆମେ ଛିଡ଼ା ହେଇଥିଲୁ । ବାହାରେ ଛିଡ଼ା ହେଇଥିଲା ସୁନି । ମୁଁ ଦୁଇଟା ଲମ୍ବା ଲମ୍ବା ଲଙ୍କା ଛିଡ଼େଇ ହାତରେ ଧରି ଦେଖିଲି । ବାଇଗଣ ଓ ମକ୍‌କା କିଆରିକୁ ଦେଖୁଥିଲି । ଏତେ ଅଳ୍ପ ଜାଗାରେ ସବୁ ପ୍ରକାରର ଫସଲ ହେଇଚି । ଲଙ୍କା, ଭେଣ୍ଡି, ବାଇଗଣ, କଖାରୁ, ମକ୍‌କା, କଲରା ଓ ଅଳ୍ପ ଦୁଇ ଚାରିବୁଦା ପୋଟଳ । ଚାରିପଟ ବୁଲିସାରି ମୁଁ ବାହାରକୁ ବାହାରି ଆସିଲି । ମୋ ହାତରେ ଥିବା ଲଙ୍କା ଦୁଇଟାକୁ ଲକ୍ଷ୍ୟକରି ସୁନି କହିଲା–କ’ଣ ଏ ଲଙ୍କା ନେବ କି ଭାଇ ?

 

ମୁଁ କହିଲି–ହଁ, ନେବାପାଇଁ ତ ଗଛରୁ ଛିଡ଼େଇଚି ?

 

ଲଙ୍କା କେହି କାହାକୁ ଦିଅନ୍ତିନି । ଲଙ୍କା ନେଲେ ତମେ ଆମ ଉପରେ ରାଗିବ ।

 

ଧେତ୍‌ ସେଗୁଡ଼ା ବାଜେ କଥା–କହି ମୁଁ କରୁଣାଆଡ଼କୁ ଚାହିଁଲି, ଭେଣ୍ଡି ଗଛ ପତ୍ରରୁ ସେ ପୋକ ଝାଡ଼ୁଥିଲା । ପୁଣି ସୁନିଆଡ଼କୁ ମୁହଁ ବୁଲେଇ ଟିକେ ହସିଦେଲି । ସେ ମଧ୍ୟ କିଛିଟା ଖୁସି ହେଲାଭଳି ଲାଗିଲା । ମୁଁ ତାକୁ ନଡ଼ିଆଗଛରେ ଝୁଲୁଥିବା ପଇଡ଼ କାନ୍ଦିକୁ ଠାରିଦେଲି ଦେଖିବାପାଇଁ-। ସେ ସବୁ ବୁଝିଗଲା ଭଳି ଟିକେ ଜିଭ ଦେଖେଇ ଖତେଇ ହେଲା । ମୁଁ ତାକୁ ଚାପୁଡ଼ା ଉଞ୍ଚେଇଲି-। ସେ ଫିକ୍‌ କରି ହସିଦେଲା ।

 

କରୁଣା କାଳେ ଆମଆଡ଼କୁ ଚାହିଁଚି ଭାବି ମୁଁ ତା’ଆଡ଼କୁ ମୁହଁ ବୁଲେଇ ଡାକି କହିଲି–ମୁଁ ଯାଉଚି କରୁଣା ତୁ ଥା’ ।

 

ଯାଉଚୁ, ହଉ ଯା’–କହି କରୁଣା ପୁଣି ସେଇ ଗଛ ଭିତରେ ହଜିଗଲା । ମୁଁ ବାହାରକୁ ଆସିଲି, ମୋ ପଛେପଛେ ସୁନି ଆସୁଥିଲା । ତାକୁ ଅଳ୍ପକେ ବୁଲିପଡ଼ି ଚାହିଁକି । ଗୋଟେ ଚମତ୍କାର ହସରେ ସେ ମୋତେ ଭିଜେଇଦେଲା । ମୁଁ ତା’ ଆନ୍ତରିକ ହସନ୍ତ ବ୍ୟବହାରରେ ଆନନ୍ଦିତ ହେଇ କହିଲି–ଯାଉଚି ସୁନି, ତୁ ଥା’ ।

 

ଯିବା ପୂର୍ବରୁ ଆସିବ ଟିକେ, ଗୋଟେ ଭଲ କଥା ଦେବି ତୁମକୁ । ଆସିବ ତ ?–ସୁନିର କଥାରେ ପ୍ରାଣ ଥିଲା, ଜୀବନର ପ୍ରାଚୁର୍ଯ୍ୟ ଥିଲା । ମୁଁ କହିଲି–ହଁ, ଆସିବି ।

 

ଠିକ୍‌ ଦୁଇ ଚାରିପାଦ ଆସିଲା ପରେ ଫେରି ଚାହିଁଲି ସୁନି ଘରଭିତରକୁ ଚାଲିଗଲାଣି । ମୋ ଭିତରେ କୈଶୋରର ପୁଲକ ଗୁଞ୍ଜରି ଉଠୁଥିଲା । ଅଜଣା ଉନ୍ମାଦନାରେ ମୁଁ ପୁଣି ପାଞ୍ଚ ସାତବର୍ଷ ତଳକୁ ଫେରିଯାଉଥିଲି ଓ ଛାତିତଳ ନାଚିଯାଉଥିଲା ମୋର ମନେପଡ଼ିଲା ସରିତା କଥା । କେମିତି ଅଛି ଦେଖିବାକୁ ଇଚ୍ଛା ହେଉଥିଲା । ଜ୍ୱର ଛାଡ଼ିଲାଣି କି ନାହିଁ କହିଥିଲା ଦେଖି ଆସିବାକୁ । ଭାବିଲି ଏବେ ହିଁ ତା’ ପାଖକୁ ଯାଇହେବ ।

 

ହଠାତ୍‌ ମୋର ସପନା ମା’ ବୁଢ଼ୀ ସାଙ୍ଗରେ ଦେଖାହେଲା । କୁଆଡ଼ୁ ଆସିଲା କେଜାଣି ମୁଁ ଦେଖିନି ।

 

କିନ୍ତୁ ସେ ଆସି କହିଲା–ଏଇ ରଜା କୋଉଦିନ ଆସିଛି ?

 

ମୁଁ କହିଲି–ଏଇ ପଅରିଦିନ ।

 

ହେ ବାପା, ମୋ ସୁନାଟା ପରା ସେ ପଇସା କେଇଟା ମିଳିଲାନି ମୋତେ ? ବୁଝିଲ ଟିକେ ? ମୋତେ ଭାରି ବେଖାପ ଓ ବିରକ୍ତକର ଲାଗିଲା ତା’ କଥାଟା । ପାଞ୍ଚବର୍ଷରେ ଥରେ ଘରକୁ ଆସିଲି ଯେ, ଏହାର ପୁଣି କି ପଇସା ଇଏ ମାଗିଲାଣି । ଏ ଲୋକଗୁଡ଼ାକଙ୍କର କାଣ୍ଡଜ୍ଞାନ ନାହିଁ । ବାଟଘାଟରେ କ’ଣ କାହାକୁ କୁହାଯାଏ ସେକଥା ମଧ୍ୟ ଶିଖିଲେନି । ମୁଁ ଏପଟ ସେପଟ ଅନେଇ ଦେଖିଲି, କେହି ନାହାନ୍ତି । ମୋର ଏ ଭାବଟାକୁ ସେ ବୁଝିଗଲା ଭଳି କହିଲା–ରାଗିଲୁ କି ବାପା : ତୋ ସାନ ଭାଇ କ’ଣ ଦି’ ତିନିଥର ଆସି ଦୁଧ ନେଇଥିଲା ସେଇ ପଇସା ।

 

ହଉ ହେଲା, ଯାଇ ନେଇଆସିବୁ ମୋଠୁ । ଯା’ ।

 

ରହିବୁ କେଇଦିନ ପରା ? ପଚାରି ସେ ଛିଡ଼ାହେଇ ରହିଲା । ମୁଁ ଆଗକୁ ବଢ଼ୁବଢ଼ୁ କହିଲି–ହଁ, ଅଛି ତୁ କାଲି ସକାଳେ ଯାଇ ନେଇଆସୁନୁ ।

 

ହଉ ଯିବି–କହି ସପନା ମା’ ଚାଲିଗଲା ।

 

ଗାଁରେ ଏଇସବୁ ଝମେଲା ବେଳେବେଳେ ଅତିଷ୍ଠ କରିପକାଏ । ମୋର ମନଟା କାହିଁକି ଛୋଟ ହେଇଗଲା । ସୁନି ପାଖକୁ ମିଳିଥିବା ଜୀବନୀ ଶକ୍ତିଟି ସପନା ମା’ ନଷ୍ଟ କରିଦେଲା । ଯାହା ଭାବୁଥିଲି ସରିତା ପାଖକୁ ଯିବି ବୋଲି, କିନ୍ତୁ ମନ ପଛେଇଲା । ବିରକ୍ତିରେ ଲେଉଟି ଆସିଲି ଘରକୁ-

 

ଛଅ

 

ମଳୟ ଅଛି ମାଉସୀ ! ମଳୟ ଅଛି ?

 

ବାହାରେ ମୋତେ କିଏ ଡାକୁଥିବାର ଶୁଣି ମୁଁ ଉଠିଗଲି । ମିତ୍ରଦା’ ଆସି ଖୋଜୁଚି । ମୁଁ ବୁଝିସାରିଥିଲି ମିତ୍ରଦା’ ଖୋଜିବାର କାରଣଟାକୁ । ପଚାରିଲି–କ’ଣ ଜୁଟିଗଲେଣି ମିତ୍ରଦା’ ?

 

ହଁ, କିଛି ଲୋକ ଆସିଗଲେଣି, ଆଉ ଶଙ୍କର ମଧ୍ୟ ଡକାଡ଼କି କରୁଚି । ଲୋକ ହେବେ ନିଶ୍ଚୟ ? ମିତ୍ରଦା’ ଅଳ୍ପ ଅଳ୍ପ ହସିଲା । ମୁଁ ତା’ ହସିବାର କାରଣ ପଚାରନ୍ତେ ସେ କହିଲା–କୃଷ୍ଣଙ୍କ ବଂଶୀସ୍ୱନ ଶୁଣିଲେ ସବୁ ଗୋପାଙ୍ଗନା ଯେମିତି ଯମୁନା କୂଳେ ରୁଣ୍ଡ ହୁଅନ୍ତି ଯାଇ, ଏ ଘଟଣା ହେଉଚି ସେମିତି । ତମ ନାଁ ଶୁଣି ଲୋକେ ଆସୁଛନ୍ତି, ଆସିବେ । କିନ୍ତୁ ଆମେ ଯଦି କେବେ ଅକାଳେ ସକାଳେ ଡାକିବୁ, କାହିଁକି ଭଲା ସେ ଆସିବେ ?

 

ନା, ନା ସେମିତି କିଛି ନୁହେଁ, ସେମାନଙ୍କର ଗୋଟାଏ ଧାରଣା ଏ ପାଠ ଶାଠ ପଢ଼ିଚି, ଚାକିରି କରିଚି, ଶିକ୍ଷିତ ଲୋକ–ଯେକୌଣସି ଜାଗାରେ ୟା’ କଥାଟା ଠାକିଯିବ । କିନ୍ତୁ ତମ ଉପରେ ତାଙ୍କର ସେଇ ଧାରଣା ଆସୁନି । ଯଦି ତମେ କିଛି ପରିମାଣରେ କାମ କରି ଦେଖେଇ ଦେଇଥାଆନ୍ତ, ତାହେଲେ ସେ ଠିକ୍‌ ବାଟରେ ଯାଆନ୍ତେ । ବଡ଼କଥା ହେଲା ମୁଁ ଗାଁରୁ ଚାଲିଯିବା ପରେ ତମେ ଆଉ କିଛି କାମ କରିନା । ଲୋକଙ୍କର ତେଣୁ ଏମିତି ଧାରଣା ଆସିବା ସ୍ୱାଭାବିକ୍‌ କହି ମୁଁ ଟିକେ ଅଟକି ଗଲି ଓ ମନେପଡ଼ିଲାରୁ କହିଲି ହଁ ଏକାଥରକେ ବାହାରିପଡ଼େ ଯିବା ।

 

ମୁଁ ଘର ଭିତରକୁ ଫେରିଆସିଲି ଓ ସାର୍ଟ ପିନ୍ଧିଦେଇ ପୁଣି ବାହାରିଗଲି । ଆମେ ସେଇ ନଈବନ୍ଧ ବାଙ୍କଟା ବୁଲିଲାବେଳେ ମୁଁ ପଚାରିଲି–କେଉଁଠିକି ଡାକିଚ ବସିବାକୁ ? ସ୍କୁଲ ଘରକୁ ନା ସଂଘ ଘରକୁ ?

 

ନାଇଁ ସଂଘ ଘରେ ଜାଗାହେବନି ବୋଲି ସ୍କୁଲ ଘରକୁ ଡାକିଚୁ । ଲୋକ ପ୍ରାୟ ଦଶ’ଣା ଆକାରରେ ଆସିବେ । ହଁ, ସେଠି କେମିତି କ’ଣ କଥା ଆରମ୍ଭ ହେବ, ଲୋକଙ୍କୁ କାହିଁକି ଡାକିଲେ କ’ଣ ପାଇଁ ସେ ବିଷୟରେ ଟିକେ ଆଗରୁ କଥାବାର୍ତ୍ତା କରିଦେବା କହି ମିତ୍ରଦା’ ପରିସ୍ରା କଲା ।

 

ମୁଁ ଆଗେ ଆଗେ ଚାଲିଲି । କ’ଣ କୁହାଯାଇପାରିବ ଭାବୁଥିଲି । ମହେନ୍ଦ୍ର ଦାଦା ଯେଉଁ ଶୋଷଣ ନିପୀଡ଼ନ ଚଳେଇ ଲୋକଙ୍କୁ ଡରେଇ ରଖିଚି, ତା’ର ମୁକାବିଲା କି ଉପାୟରେ ହେଇପାରିବ ? ମୋ ଆଖିସାମ୍ନାର ପୃଥିବୀ କିଛି ପରିମାଣରେ ସଂଶୟାଚ୍ଛନ୍ନ ଥିଲା । ମୁଁ ମିତ୍ରଦା’ର ଅପେକ୍ଷା ରଖି ପଛକୁ ଚାହିଁଲି । ନଈରେ ଲାଇଟ୍‌ ନେଇ ମାଛ ଧରୁଥିଲେ କେହି ଲୋକ । ଖରାଦିନେ କାହିଁକି କେବଳ ପାଣି ଗୋଳି ନହେଲେ ଯେକୌଣସି ସମୟରେ ମଧ୍ୟ ଏମିତି ଲୋକମାନେ ଲାଇଟ୍‌ କିମ୍ବା ଲଣ୍ଠନ ନେଇ ନଈରୁ ମାଛ ଧରି ଖାଆନ୍ତି । ମିତ୍ରଦା’କୁ ଚାହିଁ ମୁଁ କହିଲି–ନଈରେ କିଏ ମାଛ ଧରୁଛନ୍ତି ତାଙ୍କୁ ଡାକିଥିଲ ? ଯଦି ନ ଡାକିଚ ଟିକେ ଡାକିଦିଅ ମିତ୍ରଦା’ ?

 

ମିତ୍ରଦା’ ମୋ କଥା କାଟିପାରିଲା ନାହିଁ । ଦୌଡ଼ିଗଲା ପାଣି କୂଳକୁ ତାଙ୍କୁ ଡାକିବାପାଇଁ-। ମୁଁ ସେଇଠି ତା’ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲି । ମନେପଡ଼ୁଥିଲା ଅନେକ କଥା, ଏଇ ନଈର ସ୍ନେହ ଶ୍ରଦ୍ଧାର ଇତିହାସ । କେଉଁ ଦୂର ବାଟରୁ ଝରିଆସିଥିବା ଏଇ ନଈଟି ତା’ ଦୁଇକୂଳର ବାସିନ୍ଦାଙ୍କର ଏକାନ୍ତ ନିଜର । ମୋର ତ ମନେହୁଏ ଏଇ ନଈ ସତେ ଯେମିତି ମୋର ଏକାନ୍ତ ଆପଣାର ଅନ୍ତରଙ୍ଗ ବନ୍ଧୁଟିଏ । ମୁଁ ତାକୁ ଅନେକ ସମୟରେ ମୋ ଚିନ୍ତା ଚେତନାର ବିବର୍ତ୍ତନ ଭିତରେ ଖୋଜିଚି, ଉପାୟ ଲୋଡ଼ିଚି, ସାକ୍ଷୀ ମଧ୍ୟ ରଖିଚି । ମନେପଡ଼ୁଥିଲା ଜଣେ କବି ତାଙ୍କ ଚିତ୍ର ନଦୀର ସ୍ମୃତିରେ ଅନେକ ପ୍ରଗଳ୍‌ଭ ହେଇଉଠିଛନ୍ତି । ଶୈଶବଠାରୁ କୈଶୋର ଓ ଯୌବନ ପର୍ଯ୍ୟନ୍ତ ମଧ୍ୟ ସାଙ୍ଗ କରି ତା’ ପାଦରେ ପ୍ରଣତି ବାଢ଼ିଛନ୍ତି । ସତରେ ନଈ କ’ଣ ଚିରକାଳ ସମସ୍ତଙ୍କ ପାଇଁ ପବିତ୍ର ନୁହେଁ ? ସମସ୍ତେ ତାକୁ ଅନୁଭବିଛନ୍ତି କିନ୍ତୁ କହିବାର ବାଗ ପାଇନାହାନ୍ତି । ଇତିହାସ ତାଜମହଲର ଅନ୍ତରତଳେ ନିତ୍ୟ ଗୁଞ୍ଜରିତ ଗଜ୍‌ଲକୁ ପ୍ରମାଣିତ କରେ । ରାଜାର ହୁକୁମ ଡୋରରେ ଇତିହାସ ଛନ୍ଦି ହେଇଯାଇଚି । ଅଥଚ ନିଜକୁ ନେଇ ବଞ୍ଚୁଥିବା ଦୁଃଖା ଭୋଇ କିମ୍ବା ରାମୁ ବାରିକ ଭଳି ଲୋକଙ୍କ ଜୀବନକୁ ଧରିପାରିନି । ସେମିତି କେବଳ ନିଜ ଇତିହାସ ନିଜପାଖରେ ଗୁଞ୍ଜରିଉଠେ ଏଇ ନଈକୁ ଦେଖି । ଦୁନିଆଁ ଆଖିରେ ବଡ଼ ନ ହେଲେ ବି ମୋ ସ୍ମୁତିରେ ଅଚଳ, ଅଟଳ ମହାମେରୁ । ଏଇ ନଈର ଧାରେ ଧାରେ ମୋ ସ୍ମୃତି ବିଞ୍ଚି ହେଇପଡ଼ିଚି, କୂଳରେ ବସି କେତେ ଦର୍ଶନ ମନକୁମନ ଭାବିଚି । କେତେ ବିଦ୍ରୋହ ନିଜଭିତରେ ସୃଷ୍ଟି ହେଇଚି, କେତେ ଘଟଣା ବହିଯାଇଚି କୁଟା କାଠି ଭାସିଗଲା ଭଳି ତା’ ଛାତିଉପରେ ।

 

ବନ୍ଧୁରେ ନଈ, ତୋ କୂଳରେ ସଞ୍ଜ ପ୍ରହରେ ବସି ମୁଁ ଥଣ୍ଡା ପବନ ପାଇଚି, ଅପଲକ ଦୃଷ୍ଟିରେ ଦେଖିଚି ଗାଁର ଝିଅମାନେ କଳସୀ ଭରା ପାଣି କାଖେଇ ଚାଲିଥିବାର ଦୃଶ୍ୟ । ନିଠେଇ ନିଠେଇ ସେ ନିଟୋଳ ରୂପଶ୍ରୀର ରସ ପିଇଚି । ତାକୁ ପୁଣି ତୋ ପାଣିରେ ଭାସିଯିବାକୁ ଛାଡ଼ିଦେଇଚି ଅକାତର ଚିତ୍ତରେ ।

 

ବନ୍ଧୁରେ, ମୋର, ପିଲାଦିନେ ବଢ଼ିବେଳେ ତୋ ଫୁଲିଲା ଫୁଲିଲା ଛାତିଉପରେ ବିଆଳି ଧାନ ଖାଉଥିବା ଷଣ୍ଢକୁ ବାଡ଼େଇ ବାଡ଼େଇ ପହଁରେଇ ଦେଇଚି ଆର କୂଳକୁ । ତୋରି ଛାତିରେ ଡଙ୍ଗା ଚଳେଇ ପ୍ରେମିକା ପାଖରେ ପହଞ୍ଚି ପାରିଚି । ତୋ ପେଟରୁ ମାଛ ଧରିଚି ବନ୍‌ଶି ପକେଇ । ଏ ମୁଣ୍ଡଠୁ ସେ ମୁଣ୍ଡ ଯାଏ ପହଁରିଚି । ତୋ ବାଲିରେ କିତିଠାରୁ ଗୁଡ଼େଇ ପର୍ଯ୍ୟନ୍ତ କେତେ ଖେଳିଚି, ଆମ୍ବ ତୋଟାରୁ ଆମ୍ବ ପଣସ ଚୋରି କରି ଆଣି ବାଲିରେ ପୋତି ପଚେଇ ଖାଇଚି । ବାଲିରେ ଶୋଇ ଶୋଇ ବାରମ୍ବାର ପ୍ରେମିକାର ନାଁ ଲେଖି ତା’ ଉପରେ ସରୁବାଲି ଉଡ଼େଇଚି । ଆଃ ବନ୍ଧୁରେ ସେଇ ପ୍ରଥମ ପ୍ରେମର ସ୍ମୃତି ଭାରି ରୋମାଣ୍ଟିକ । ଆମେ ଚିଠି ଦିଆନିଆ ହେଉ ଏମିତି–ସେ ଆସେ ଓ ପବନ ଅନୁକୂଳ ଥିଲେ ଗୋଟାଏ ଗୁଆ କିମ୍ବା ନଡ଼ିଆ ଚଅଁର ଖୋଳପା (ସିପ୍‌)ରେ ଚିଠି ଖଣ୍ଡେ ରଖି ଛୋଟ ପଥରଟେ ଲଦି ଭସେଇଦେବ । ଧୀରେ ଧୀରେ ଭାସିଆସି ଏ ପଟରେ ଲାଗିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା ରଖେ ଏବଂ ଚିଠିଟି ପାଇଲେ ବଡ଼ ଖୁସିଟାଏ ହେଇ ବାଲିଉପରେ ଦୁଇଭେରା ଗଡ଼ିଯାଏ ।

 

ବନ୍ଧୁରେ ତୋ କୂଳରେ ବିଜନ ସଞ୍ଜରେ ବସି ମୋ ଅନ୍ଧ ସାଙ୍ଗର ବଂଶୀବାଦନ ଶୁଣିଚି । ପ୍ରେମିକାର ବା’ଘର ଦିନର ଘୃଣ୍ୟ ଦେଖିଚି । ମୋ ବୋଉର ମୃତଦେହ ତୋ ପଠାରେ ହୁ ହୁ ହେଇ ଜଳିଯିବାର ଦୃଶ୍ୟ ସହିଚି । ତୁ ରାଗିଚୁ, ସମ୍ବେଦନା ଜଣେଇଚୁ, ମୋର ଅନେକ କଷଣ ସହିଚୁ–ମୁଁ ରାଗିଯାଇ ଦିନେ ତୋ ଛାତିଉପରେ ପରିସ୍ରା କରିଥିଲି । ମନେଅଛି, ବର୍ଷା ଝୁପୁର, ଝୁପୁରୁ ପଡ଼ୁଥିଲା-। ଆକାଶ ବାଇଗଣି ଓ କଳାର ମିଶ୍ରିତ ରଙ୍ଗରେ ଫାଟି ପଡ଼ୁଥିଲା, ମୁଁ ଓ ମୋ ପ୍ରେମିକା ଉଭୟ ପାଖରେ ଛିଡ଼ା ହେଇଥିଲୁ । ସେ ପ୍ରଥମଥର ପାଇଁ ଶାଢ଼ି ଖଣ୍ଡେ ପିନ୍ଧି ଆସିଥିଲା, ଯଦିଓ ତାକୁ ଶାଢ଼ି ପିନ୍ଧିଆସେନା ଭଲଭାବେ । ବୋଧହୁଏ ତା’ ଫ୍ରକ୍ ଓଦା ହେଇଯାଇଥିଲା ସବୁଯାକ । ଆମେ ପରସ୍ପରକୁ ଚାହିଁଥିଲୁ ଅପଲକ ଦୃଷ୍ଟିରେ । ତୋ ଛାତିଉପର ଦେଇ ଦମକାଏ ପବନ ଛୁଟିଗଲା ତାଆଡ଼କୁ ଓ ପିନ୍ଧିଥିବା ଶାଢ଼ିଟା ପୂରାପୂରି ଦେହରୁ ଖସି ଚାଲିଗଲା । ମୋଆଖିରେ ବିଜୁଳି ଚମକିଗଲା । ନହୁଲି ବୟସର ପହିଲି ଯୌବନରେ ଗୋଟାଏ ଝିଅର ଉଲଗ୍ନ ଦେହ ମୋତେ ଆଖି ମୁଦି ଦେବାପାଇଁ ବାଧ୍ୟ କରିଥିଲା । ତୁ ମୋ ପ୍ରେମିକା ରୂପରେ ବିଭୋର ହେଇଥିଲୁ ବୋଧେ-। ନୋଇଲେ ତାକୁ ଏମିତି ଉଲଗ୍ନ କରି ମୋ ସାମ୍ନାରେ ଅପମାନିତ କରିବାରେ କି କାରଣ ଥିଲା-?

ତାପରେ ମୁଁ ପରିସ୍ରା କରିଥିଲି ତୋ ଛାତିଉପରେ । ତୁ ମୋ ବନ୍ଧୁ ହେଇ ସେ ଉଦଣ୍ଡ ପବନକୁ ବାଟ ଛାଡ଼ିଦେଲୁ କେମିତି ? ସେଥିପାଇଁ ମୁଁ କ୍ଷମା ଚାହିଁଚି ବାରମ୍ବାର । ତୁ କ୍ଷମା କରିଦେଇଚୁ ନା ?

କାହାର ପାଦଶବ୍ଦ ଅନ୍ଧାରରେ ପାଖେଇ ଆସୁଥିଲା । ପଚାରିଲି–କିଏ ମିତ୍ରଦା’ ?

ହଁ, ତମେ ଏଇଠି ଛିଡ଼ାହେଇଚି ? ଚାଲ ଯିବା ଚାଲ । ସେ ବିଷ୍ଣୁଦାସ, ପବନା, ଜଟିଆ ମାଛ ଧରୁଛନ୍ତି । ତାଙ୍କଠି ଆମର କିଛି ନାହିଁ । ତାଙ୍କ ଘରେ ମୁରବିମାନେ ଆସିବେ । ଚାଲ । ଏତେଗୁଡ଼ାଏ କଥା କହିଦେଇ ପୁଣି ସେ ଟିକେ ଅଟକିଯାଇ କହିଲେ–ହଁ କ’ଣ କହିବ ଠିକ୍‌ କରିନେଲ ତ ?

ଦେଖିବା, ସେଠିକି ଚାଲ ଆଗ । କେତେଲୋକ ଜୁଟିଛନ୍ତି, କ’ଣ ହେଇଚି ମୁଁ ଦେଖିସାରିଲା ପରେ ଠିକ୍‌ କରିନେବିନି ?

ହଁ, ତମକଥା ତୁମେ ଠିକ୍‌ ବୁଝିବ । ଲୋକଙ୍କୁ ଏମିତି ବାଗେଇ କଥା କହିବ ଯେମିତି ସେମାନେ କିଛିଟା ପରିବର୍ତ୍ତିତ ହେବେ । –ମୋତେ ବାରମ୍ବାର ଗୋଟାଏ କଥାହିଁ ସ୍ମରଣ କରିଦେଉଥିଲା ମିତ୍ରଦା’ । ମୁଁ ଭାବୁଥିଲି ତା’ର କ’ଣ ମୋ ବାକ୍‌ଶକ୍ତି କିମ୍ବା ବକ୍ତବ୍ୟ ସମ୍ପର୍କରେ ସନ୍ଦେହ ଆସୁଚି କି ? ଆମେ ସ୍କୁଲ ଘରର ପାଖାପାଖି ହେଇଯାଇଥିଲୁ । ମୁଁ ଅଟକି ଯାଇ କହିଲି ତମେ ଟିକେ ଆଗରେ ଯାଇ ଦେଖିଆସିଲ ମିତ୍ରଦା’ କେତେଲୋକ ହେଲେଣି ? ସମସ୍ତେ ଆସିଲେଣି କି ଆଉ କିଏ ବାକି ଅଛନ୍ତି । ଯଦି କେହି ନ ଆସିଥାଆନ୍ତି ଶୀଘ୍ର ଆଣିବାର ବ୍ୟବସ୍ଥା କର । ମୁଁ ଏଇଠି ଛିଡ଼ାହେଇ ରହିଲି ।

ମିତ୍ରଦା’ ଚାଲିଗଲା । ମୁଁ ଏକା ଛିଡ଼ାହେଇ କେତେଆଡ଼ୁ କେତେ କଥା ଭାବୁଥିଲି । ସଙ୍ଗଠନଟି ବଞ୍ଚେଇ ରଖିବା କେତେ କଷ୍ଟ, କେତେ ସମୟ ନଷ୍ଟ କରିବାକୁ ପଡ଼ିବ । କେତେ ଆତ୍ମସ୍ୱାର୍ଥ ବଳି ଦେବାକୁ ହେବ । କିଏ ସେ ଦାୟିତ୍ୱ ନେଇ ଚଳେଇବ ? ଶଙ୍କର ଦା, ମିତ୍ର ଦା, ଅରୂପ–କିଏ ପାରିବ ? କିଏ ଉପସ୍ଥିତ ବୁଦ୍ଧି ଖଟେଇ କାମ କରିପାରିବ ?

ଏମିତି ଭାବି ଚାଲିଥିଲାବେଳେ ମହେନ୍ଦ୍ର ଦାଦା ଆସି ପହଞ୍ଚିଲେ । ସେ ସମ୍ବାଦ ସଂଗ୍ରହ କରିସାରି ହିଁ ମୋ ପାଖକୁ ଆସିଥିଲେ । ସେହି ଅନ୍ଧାର ଭିତରେ ମୋତେ ସେ ଠିକ୍‌ ଚିହ୍ନିପାରି ଡାକିଲେ–ମଳୟ ନା କିଏ ?

ମୁଁ କହିଲି ହଁ ।

ଇରେ ବାପା । ତୋ ସାଙ୍ଗରେ ଟିକେ କଥାବାର୍ତ୍ତା ଥିଲା । କେତେବେଳେ ଟିକେ ତୋ ସାକ୍ଷାତ୍‌ ପାଉନି, ତୁ ଯିବୁ କେବେ ?

ଏଇ କାଲି ଯଦି ହେବ ଚାଲିଯିବି । କାହିଁକି କ’ଣ ଦରକାର ଥିଲା କି ? ମୁଁ ପଚାରିଲି, ସେ ଅଳ୍ପକେ ରହିଯାଇ କେମିତି ଭରସି ନ ପାରିଲା ଭଳି କହିଲେ–ଦରକାର କ’ଣ କି ଗୋଟାଏ କଥା ଥିଲା କହିବାକୁ...

 

କ’ଣ କହୁନା, ଏତେ ବ୍ୟସ୍ତ ହେବାର କ’ଣ ଅଛି ?

 

ନାଇଁ ଏଇ ଗାଁ କଥା କହୁଥିଲି । ତୁ ଚାଲିଗଲା ପରେ ଗାଁ କାମ ସେମିତି ପଡ଼ିରହିଲା କିଛିଦିନ । କେହି ଆଉ ସେ ବିଷୟରେ ମୁଣ୍ଡ ପୁରେଇଲେନି । କେହି କେହି ମୋତେ ଆସି ଗାଁ ପାଇଁ କିଛି କାମ କରିବାକୁ କହିଲେ । ତୁ ତ ଜାଣିଚୁ ଆମ ଘର ପରିସ୍ଥିତି କ’ଣ ? ଆମ ବୁଢ଼ା ସେଇ ନେଇ ସବୁବେଳେ ମୋଉପରେ ବିରକ୍ତ । ତା’ ଭିତରେ ମୁଁ ସବୁ କାମ କରିଚି, କାହିଁକି ଆମ ଗାଁ କାମଗୁଡ଼ାକ ଆଉ କେଉଁ ଗାଁକୁ ଚାଲିଯିବ କି ଆମ ଗାଁରେ ହେଇନପାରିବ ଭାବି ମୁଁ ଯାହା ଗାଳି ଶୁଣେ ପଛେ ଦୌଡ଼ାଦୌଡ଼ି କରିଦେଲି । ଏ ଲୋକମାନେ ତଥାପି ସନ୍ତୁଷ୍ଟ ନୁହନ୍ତି–ଏଇ ଗୋଟାଏ ସ୍କୁଲ ଘର ହେଲା, କୋଡ଼ିଏ ହଜାର ଟଙ୍କା ମାତ୍ର ସରକାରୀ ସାହାଯ୍ୟ ମିଳିଲା, ସ୍କୁଲର କିଛି ଇଟା ବଳିଥିଲା ବୋଲି ମୁଁ ବହପ ଖଟେଇ କଲି ସିନା, ସିମେଣ୍ଟ ବୋଲି ଷାଠିଏ ବସ୍ତା । ଖାଲି ସିମେଣ୍ଟରେ ଏଡ଼େ କାମଟାଏ ହେଇପାରିବନି ଭାବି ଚୂନରେ ଯୋଡ଼େଇ କରିଦେଉଚି । ଇଏ ସବୁ ଗାଁ ପାଇଁ ହେଉନି ନା ମୁଁ କ’ଣ ମୋ ଘର କାମ କରିଦେଉଚି । କାଠ, ଆଜ୍‌ବେଷ୍ଟ କେତେ ଧନ୍ଦା ତା’ ଭିତରେ । ଏଇ ଲୋକ କହୁଛନ୍ତି ମୁଁ କାଳେ ଅଧେ ଟଙ୍କା ଖାଇଗଲି । ସେମିତି ପୋଖରୀଟା ଚଉଦ ହଜାର ଟଙ୍କାରେ ଖୋଳାହେଲା । ବର୍ଷା ତ ଗତବର୍ଷ ବାରମ୍ବାର ହେଲା । ଯେତିକି ଖୋଳାହେଲା ସେତିକି ପୁଣି ବର୍ଷାରେ ମାଟି ଗଡ଼ି ପୋତି ହେଇପଡ଼ିଲା । ସେଥିରେ ମୁଁ କ’ଣ ଆଉ କିଏ କ’ଣ କରିଥାନ୍ତା ? ଫଳରେ ଯେତିକି ଖୋଳା ହେବା କଥା ସେତିକି ହେଇପାରିଲା ନାହିଁ । ଟଙ୍କାଟା ଏଇପଟେ ସବୁ ସରିଗଲା–ଏପରିକି ମୋ ହାତରୁ ଯେଉଁ କୋଦାଳ ଝୁଡ଼ି କିଣିଥିଲି ସେ ପଇସା ମଧ୍ୟ ମିଳିଲା ନାହିଁ । ତା’ ଭିତରେ ଲୋକ କହୁଛନ୍ତି ମୁଁ କାଳେ ଟଙ୍କା ଖାଇଗଲି ? ସବୁ କଥା ସେମିତି । ସେତେବେଳେ ତମେ ସବୁ ଥିଲ ବୋଲି ମହିଳା ସମିତି ଜରିଆରେ କିଛି ଭଲ କାମ କରିପାରୁଥିଲ । ତମେ ଯିବାପରେ ସେ ଘରଟା ସୁଦ୍ଧା ଛାଉଣି କରିଦିଅନ୍ତି; କିନ୍ତୁ ଘରେ ମୋଉପରେ ଏ କାମ ପାଇଁ ଏତେ ବିରକ୍ତ ଯେ ତୁ ଭାବିପାରିବୁନି । ତଥାପି ମୁଁ ଲାଗି ବ୍ଳକ୍‌ରୁ ବି.ଡ଼ି.ଓଙ୍କୁ ଆଣି ଦେଖେଇଲି, ସେମାନେ ଏ ଘର ବାବଦରେ କିଛିଟା ସହଯୋଗ କରିବାକୁ କହିଲେ । ତୋ ଖୁଡ଼ିକୁ ଡାକି ସମସ୍ତ ଫାଇଲପତ୍ର ଦେଖେଇଲି ସେ ଖୁସି ହେଲେ ଓ ପ୍ରତିମାସରେ ମିଳୁଥିବା ଗହମକୁ ଆମ ଘରକୁ ନେଇ ରଖି ଯତ୍ନରେ ବାଣ୍ଟିବାକୁ କହିଲେ । ପ୍ରତିଦିନ କେତେ ପିଲା ଖାଉଛନ୍ତି ସେ ସମ୍ପର୍କରେ ମଧ୍ୟ ରେକର୍ଡ଼ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଲେ । ଏପରିକି ମୂଷା ଖାଇଗଲେ ମଧ୍ୟ ହାତରୁ ଦେବାକୁ ହେବ, ତାଙ୍କର ଏମିତି କଡ଼ା ନିର୍ଦ୍ଦଶ । ତୁ କହିଲୁ ବାପ ଆଉ କେମିତି ଗାଁର କାମ କଲେ ଏମାନଙ୍କର ଉପକାର ହେଉଛି ବୋଲି ବୁଝିବେ । ଆଜି କ’ଣ ଗୋଟାଏ ମିଟିଂ ହେଉଚି ବୋଲି ମୁଁ ଶୁଣିଲି । ମୋତେ କେହି ଡାକିନାହାନ୍ତି ଯଦିଓ ମୁଁ ଟିକେ ଦେଖିବାପାଇଁ ବୁଲିଆସିଲି । ତୁ ଘରକୁ ଆସିଚୁମାନେ ନିଶ୍ଚୟ ଆସିଥିବୁ ଓ ଦେଖାହେବ ବୋଲି ଭାବି ଆସିଥିଲି । ତୋ ସଙ୍ଗେ ଏଇ ସମ୍ପର୍କରେ କଥାବାର୍ତ୍ତା ପାଇଁ ମୁଁ ଟିକେ ସମୟ ପାଉନଥିଲି । ଏଣେ ଖୁଡ଼ି ମଧ୍ୟ ତୋତେ ଦେଖିବାପାଇଁ ବ୍ୟସ୍ତ ହେଇ କହୁଥିଲା–ତୁ ଚାଲୁନାହୁଁ ଟିକେ ଆମ ଘରଆଡ଼େ ?

 

ଯାଇଥାଆନ୍ତି ନିଶ୍ଚୟ, ଖୁଡ଼ୀ କେମିତି ଅଛନ୍ତି ଟିକେ ଦେଖି ଆସିଥାଆନ୍ତି । ଏମାନେ ମୋତେ କାହିଁକି ଡାକିଛନ୍ତି, ଶୁଣିବା ଦି’ପଦ । କାଲି ସକାଳୁ ଯାଇ ପହଞ୍ଚିବି । ମୁଁ ମହେନ୍ଦ୍ର ଦାଦା କଥାର ଆଭ୍ୟନ୍ତରୀଣ ଅର୍ଥ ଠିକ୍‌ ବୁଝିପାରିଥିଲି । ସେଥିପାଇଁ ବର୍ତ୍ତମାନଟାକୁ ଘୋଡ଼େଇ ରଖି ଆସନ୍ତା କାଲିକୁ କଥା ରଖିଲି । ମୁଁ ସେ ଅନ୍ଧାର ଭିତରେ ଚୁପ୍‌ଚାପ୍‌ ତାଙ୍କ ମୁହଁକୁ ଲକ୍ଷ୍ୟ କଲି । ହଠାତ୍‌ ସେ ମଉଳିଗଲା ଭଳି ମୋତେ ଲାଗିଲା । କିଛି ସମୟ ନୀରବ ରହିବା ପରେ ସେ କହିଲେ କି ମିଟିଂ କରିବେ ଏମାନେ, ପଦେ କଥା କହିପାରିବେନି ବାହାରେ । ତୁ ଖାଇବାକୁ ଦେଇଗଲୁ ଏମାନେ ଖାଇପାରିଲେ ନାହିଁ–ଏଇଥିରୁ ୟା’ଙ୍କର ବୁଦ୍ଧିବଳ ଜାଣିପାରୁନୁ, କାହିଁକି ମିଛରେ ଏଠି ବସି ତୋ ନିଜର ସମ୍ମାନ ତଳେ ପକେଇବୁ ? କେହି ଆଗରେ ନକହି ପଛରେ କହିବେ ଏ ମଳୟଟା ପାଠଶାଠ ପଢ଼ି ଗାଁ ଲୋକଗୁଡ଼ାଙ୍କୁ ଦି’ଫାଙ୍କ କରେଇଦେଇ ଗଲା । ମିଛରେ ବଦନାମ ନେବା ଅପେକ୍ଷା ଏଠାରୁ ଚାଲିଯିବା ଢେର୍ ଭଲ ।

 

ମହେନ୍ଦ୍ର ଦାଦାଙ୍କ ପ୍ରଥମ ପଦକ୍ଷେପ ଅସଫଳ ହେବାରୁ ସେ ଦ୍ୱିତୀୟବାର ପାଇଁ ଆଉ ଏକ ବାଟ କାଢ଼ିଲେ, ମୁଁ କିନ୍ତୁ ଏତେ ସହଜରେ ଭୁଲିଗଲା ଲୋକ ନୁହଁ । ତାଙ୍କ କଥାର ଜବାବ ଦେବାକୁ ଯାଇ କହିଲି–କିଏ କେତେବେଳେ କ’ଣ କହିବ, ତାକୁ କ’ଣ ବନ୍ଦ କରିହେବ । କେହି କାହା ପାଟିରେ ବାଡ଼ବତା ଦେବେ, ସେମିତି ଚାଲିଗଲେ କହିବେ, ଡାକିଥିଲୁ ଯେ, ବଡ଼ଲୋକ ହେଇଗଲା ବୋଲି ଖାତିର କରୁନି । କାହା କଥା ସମ୍ଭାଳିବା ? ଆସିଛି ଯେତେବେଳେ ଟିକେ ଶୁଣିଦେଇ ନିଜ ବାଟରେ ଚାଲିଯିବି ।

 

ନିରୁପାୟ ହେଇ ସେ କହିଲେ–ହଉ ମୁଁ ଯାଉଚି ।

 

ମୁଁ ଆଉ କିଛି କହିବା ପୂର୍ବରୁ ସେ ଚାଲିଯାଉଥିଲେ । ଏପଟସେପଟ ବୁଲାବୁଲି କରୁ କରୁ ମୁଁ ଭାବୁଥିଲି ଏଇ ଲୋକଟାର କଥା । କେଡ଼େ ଧୂର୍ତ୍ତ ସତେ ! ମିଟିଂଟାକୁ ଭଣ୍ଡୁର କରିଦେବା ପାଇଁ ଆସି କହୁଚି କ’ଣ ନା ତୋତେ ଖୁଡ଼ୀ ଡାକୁଛନ୍ତି ? ଆଉ କେତେବେଳେ ଡାକୁନଥିଲେ ? ମୁଁ ବୁଝିସାରିଥିଲି ଲୋକଟା ଖୁବ୍‌ ଧୂର୍ତ୍ତପଣ କରି ଗରିବ ଲୋକ ଦେଖି କାହାକୁ ପୋଷେ ଗହମ ଗୁଣ୍ଡ ଆଉ କାହାକୁ ଟିକେ ସୋୟାବିନ୍‌ ତେଲ ଓ କାହାକୁ ନାଲିଆଖି ଦେଖେଇ କାବୁ କରି ରଖିଚି । ଆନ୍ତରିକ ସହଯୋଗ ନ କଲେ ମଧ୍ୟ ମୁହଁ ଫିଟେଇ ପ୍ରତିରୋଧ କରିବାର ଶକ୍ତି ଏମାନଙ୍କର ନାହିଁ । ଏମାନେ ସବୁ ଦେଖନ୍ତି, ଶୁଣନ୍ତି, ଅଙ୍ଗେ ଲିଭାନ୍ତି କିନ୍ତୁ କିଛି କହନ୍ତି ନାହିଁ ।

 

ଏମିତି ଅବସ୍ଥାରେ ମୋପାଖରେ ଆସି ଭରତ ପହଞ୍ଚିଲା । ଭରତ ମୋଠାରୁ ବୟସରେ ଯଥେଷ୍ଟ ବଡ଼ ହେଇଥିଲେ ମଧ୍ୟ ମାନ୍ୟତାରେ ମୁଁ ତା’ର ଦାଦା ହେବି । ପ୍ରଥମେ ସେ ମୋତେ ଗୋଟେ ଆପୋଷିତ ନମସ୍କାର କଲା । ମୁଁ ପ୍ରତି ନମସ୍କାର କରି ପଚାରିଲି–କ’ଣ ଭରତ, ଏବେ ସବୁ ଖବର କ’ଣ ?

 

କ’ଣ ଆଉ ଖବର । ମୁଁ ସେ ବାଟେ ଘରକୁ ଯାଉଥିଲି ମହେନ୍ଦ୍ର ଭାଇଙ୍କ ଭାଉଜ ତମକୁ ଡାକିବାକୁ କହିଲେ ।

 

ତାଙ୍କ ଖୁଡ଼ୀ ନା ମହେନ୍ଦ୍ର ଦାଦା ନିଜେ କହିଲେ ? ମୁଁ ଟିକେ ଗମ୍ଭୀରହେଇ ଜାଣିଲାଭଳି ପଚାରିଲି ।

 

ସେ ମଧ୍ୟ କହୁଥିଲେ–କେମିତି ଚାଉଳେଇ କରି କହିଲା ଭରତ ।

 

ଯା’ କହିବ, କାଲି ସକାଳେ ଯାଇ ମୁଁ ପହଞ୍ଚିବି ।

 

ମଳୟଦା’ ଗୋଟେ କଥା କହିବି କିଛି ମନେକରିବନି ତ ? ଟିକେ ସଙ୍କୋଚଭାବ ରଖି ମୋତେ ଭରତ ପଚାରିଲା । ମୁଁ ନିର୍ଦ୍ୱନ୍ଦ୍ୱରେ କହିଲି–କୁହ, କହିବାରେ ଗୋଟେ ବାଧା କ’ଣ ?

 

ତମେ ୟା’ ଭିତରେ ମୁଣ୍ଡ ପୁରାଅନା, ଭଲ ହେବନି । ମହେନ୍ଦ୍ର ଭାଇ ମନ ଦୁଃଖ କରିବ-। ତାଙ୍କ ଖାଇବା ପତ୍ରରେ ଧୂଳି ଦିଅନା । ହେଇ ଧରିଲ ?

 

କ’ଣ ସେଗୁଡ଼ା ? ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି ।

 

ସେଇ ଅନ୍ଧାର ଭିତରେ ମୋ କାନପାଖକୁ ମୁହଁ ଲଗାଇ ଆଣି ସେ କହିଲା–ଟଙ୍କା ।

 

ମୁଁ ଗମ୍ଭୀରହେଇ ପଚାରିଲି–କିଏ ଦେଇଚି ?

 

ସେଇ ।

 

କ’ଣ ହେବ ?

 

ଏ ହଜାର ଟଙ୍କା ନେଇ ତମେ ଘରକୁ ଚାଲିଯାଅ । ବେକାର ଏ ଧନ୍ଦାରେ ମୁଣ୍ଡ ପୁରାଅନା । ମୋଟ ଉପରେ ସେ ଲୋକଟା ଏଇ ବାଟରେ ଦୁଇପଇସା ପାଇ ଚଳୁଚି । ତା’ ସଂସାର ଉଚ୍ଛନ୍ନ ହେଇଯିବ ନହେଲେ । ତମେ ମୋ କଥାମାନି ଚାଲିଯାଅ । ନହେଲେ କଥାଟା ଭଲ ହେବନି ।

 

ମୁଁ ବଡ଼ ସାଙ୍ଘାତିକ ମାନସିକ ଦ୍ୱନ୍ଦ୍ୱରେ ପଡ଼ିଲି । ଟଙ୍କାପୁଳାକ ମୋଆଗରେ ଧରି ଭରତ ମୋତେ ପରୀକ୍ଷା କରୁନାହିଁ ତ ? ସତ କଥାଟା ନିଶ୍ଚୟ । ଯିଏ ହଜାର ହଜାର ଟଙ୍କା ଆତ୍ମସାତ୍‌ କରୁଚି, ସେ ମାତ୍ର ଏକହଜାର ଟଙ୍କା ଦେଇ ସଙ୍ଗଠନ ଭାଙ୍ଗିଦେବାକୁ ଦବିଯିବ କାହିଁକି ? ମୁଁ କହିଲି–ବୁଝିଲ ଭରତ, ମୁଁ ବି.ଡ଼ି.ଓ ନୁହଁକି ମନ୍ତ୍ରୀଙ୍କ ସଙ୍ଗେ ସମ୍ପର୍କ ରଖି ଟଙ୍କା ଖାଇ କାମ କରେଇଦେବାକୁ କହୁଥିବା ଟାଉଟରଟିଏ ନୁହଁ । ମୁଁ ମଣିଷ, ଟଙ୍କାର ଗୋଲାମ ନୁହଁ । ତାକୁ ଫେରେଇଦେଇ କୁହ, ମଳୟର ଟଙ୍କାରେ ଦରକାର ନାହିଁ । ସେ ଖୁବ୍‌ ଟଙ୍କା ରୋଜଗାର କରୁଚି । ବରଂ ତୁମେ ୟା’କୁ ନିଜ କାମରେ ଲଗାଅ । ଟଙ୍କାର ଲୋଭ ଦେଖାଇ ମୋତେ ବାନ୍ଧି ରଖିବାକୁ କେହି ପୁଅ ଜନ୍ମ ହେଇନାହାନ୍ତି । ଶେଷଥର ପାଇଁ ଯାଇ ତମ ଗୁରୁଙ୍କୁ କୁହ ସେ ତାଙ୍କର ପୂର୍ବ କୀର୍ତ୍ତିର ସମାଧାନ ପାଇଁ ଶୀଘ୍ର ସଙ୍ଗଠନର ଶରଣ ପଶନ୍ତୁ ତା’ ବ୍ୟତୀତ ସେ ତିଷ୍ଠିପାରିବେ ନାହିଁ ।

 

ପରାସ୍ତ କୁକୁରଟିଏ ଲାଙ୍ଗୁଡ଼ ଜାକି ଚାଲିଗଲା ଭଳି ଭରତ ପଳେଇଲା ମୋପାଖରୁ । ଆଉ କିଛି କହିବା ପାଇଁ ମୁଁ ତାକୁ ସୁଯୋଗ ଦେବିନାହିଁ ବୋଲି ସେ ବେଶ୍‌ ବୁଝିପାରିଥିଲା । ମୁଁ ମନେମନେ ଖୁସି ଓ ଦୁଃଖ ଅନୁଭବ କରୁଥିଲି । ଖୁସିହେଉଥିଲି ଏଇଥିପାଇଁ ଯେ ମୋତେ ଗୋଟାଏ ଚମତ୍କାର ଉପାଦାନ ମିଳିଗଲା ମିଟିଂରେ ଲୋକମାନଙ୍କୁ ବୁଝେଇବା ପାଇଁ ଏବଂ ଦୁଃଖ ଏଇଥିପାଇଁ ଯେ ମୁଁ ସିନା ଟଙ୍କାଟାକୁ ଏଡ଼େଇ ଦେଇପାରିଲି; କିନ୍ତୁ ଯେଉଁମାନେ ଦିନକୁ ଦୁଇବେଳା ପେଟପୁରା ଖାଇବାକୁ ପାଆନ୍ତି ନାହିଁ, ସେମାନେ ଯଦି ପାଞ୍ଚଟଙ୍କା ମାତ୍ର ପାଆନ୍ତି ହୁଏତ କେହି କେହି କହିବେ, ଆଜି ମଲେ କାଲିକୁ ଦି’ଦିନ । ଅନ୍ତତଃ ଆଜି ପାଇଁ ଚଳିଯାଏ, ଗାଁ ଯୁଆଡ଼େ ଯାଉଚି ଯାଉ । ମହେନ୍ଦ୍ର ଦାଦାଙ୍କର ଏଇ ରାଜନୀତିରେ ଗାଁଟା ନିହାତି ଅଚଳ ଅବସ୍ଥାରେ ଆସି ପହଞ୍ଚିଲାଣି-

 

ଅବଶ୍ୟ ଭରତ ମୋପାଖରୁ ଫେରିଯାଇ ତାଙ୍କ ପାଖରେ ପହଞ୍ଚି ସବୁ କଥା କହିସାରିଲା ପରେ ସେ ମୋ ଉପରେ ବିରି ଚାଉଳ ଚୋବେଇ ହେଉଥିବେ । ଭରତ ଆଗରେ ନିଜ ପ୍ରତାପ ଦେଖେଇ ମୋତେ ନାନା ବାଗରେ ହଇରାଣରେ ପକାଇ ଦେଇପାରିବେ ବୋଲି ବାହାସ୍ଫୋଟ ମାରୁଥିବେ । ମୋତେ କଥାଗୁଡ଼ାକ ଯେମିତି ନାଟକର ବିଷୟବସ୍ତୁ ଭଳି ଲାଗୁଥିଲା । ପ୍ରକୃତରେ ଟାଉଟର କେଉଁମାନଙ୍କୁ କୁହାଯାଇପାରିବ କି ସେମାନଙ୍କର କେଉଁ କେଉଁ ଗୁଣ ଥିଲେ ଟାଉଟର ବୋଲି ଲୋକେ କହନ୍ତି, ସେ ସମ୍ପର୍କରେ ମୋର ବେଶି ପ୍ରତ୍ୟକ୍ଷ ଅନୁଭୂତି ନଥିଲା । କେବଳ ପିଲାଦିନେ ଯାତ୍ରାରେ ଭିଲିଆନ୍‌ ଚରିତ୍ର ଦେଖି ଅନୁମାନ କରୁଥିଲି ଟାଉଟରମାନେ ଏମିତି ହେଇଥିବେ । କିନ୍ତୁ ଏବେ ଘଟିଯାଇଥିବା ଘଟଣାଟା ଯେ ଟାଉଟରିର ଚୂଡ଼ାନ୍ତ ପର୍ଯ୍ୟାୟ ମୁଁ ଅନୁଭବ କରୁଥିଲି ।

 

ତେଣେ ଘରଭିତରେ କେତେ ଲୋକ ଜମିଲେଣି ଦେଖିବାପାଇଁ ଭାବି ଇଚ୍ଛାହେଲା । ମୁଁ ଧୀରେ ଧୀରେ ଯାଇ ଝରକାବାଟେ ଭିତରକୁ ଚାହିଁଲି । ବେଶ୍‌ କିଛି ଲୋକ ଜମି ଯାଇଥିଲେ । ତଥାପି ଯେକେହି ଜଣେ ଦୁଇଜଣ ବାକି ରହିଯାଇଥିଲେ ତାଙ୍କୁ ବୋଧେ ଡାକିବା ପାଇଁ ମିତ୍ରଦା’, ଶଙ୍କର ଦା’ ଯାଇଛନ୍ତି । ଅରୂପ କ’ଣ ମଝିରେ ମଝିରେ ଆସୁଚି ଯାଉଚି–ଏମିତି ଏପଟ ସେପଟ ହେଉଚି । କିଛି ବୁଝାପଡ଼ୁନଥିଲା ତା’ କଥା । କିଛି ସମୟ ଏକୁଟିଆ ଛିଡ଼ାହେବା ପରେ ଅରୂପ ମୋ ପାଖକୁ ଗୋଟାଏ ଗ୍ଳାସ ଧରିଆସିଲା । ମୁଁ ପଚାରିଲି–ସେଇଟା କ’ଣ କିରେ ?

 

କିଛି ନାଇଁ, ସରବତ୍‌–ବେଲ ଆଉ ଭାଙ୍ଗରେ–ନିଅ ।

 

ମୋଦ୍ୱାରା ଚଳିବନି । ଭାଙ୍ଗ ଖାଇବାର ଅଭ୍ୟାସ ମୋର ନାହିଁ ।

 

ଭାଙ୍ଗ ବେଶୀ ଦିଆହେଇନି । ମୁଁ ଜମା ଅଳ୍ପ ଟିକେ ଦେଇଚି । କିଛି ହେବନି, ଚାଖି ଦେଖୁନା । ଜାଣିହେବନି କି ? –କହି ଅରୂପ ମୋ ହାତକୁ ବଢ଼େଇଦେଲା ଗ୍ଲାସ୍‌ଟା । ମୁଁ ପ୍ରଥମେ ଟିକେ ପାଟିରେମାରି ଭାଙ୍ଗର ପ୍ରାଦୁର୍ଭାବଟା ବୁଝିସାରିଲା ପରେ ପିଇଦେଲି । ପଚାରିଲି ସତରେ କିଛି ହେବନି ତ ?

 

ନା କିଛି ହେବନି । କହି ଅରୂପ ଗ୍ଲାସ୍‌ ନେଇ ଚାଲିଗଲା ।

 

ମୁଁ ପୁଣି ଏକା ହେଇଗଲି, ଝରକାପାଖରେ ଛିଡ଼ାହେଇ ଆଉ ଥରେ ଲୋକମାନଙ୍କୁ ଦେଖିବାକୁ ଚେଷ୍ଟାକଲି । ମୋର ଆଖିପଡ଼ିଲା ଦୁଇଜଣ ଅଳ୍ପ ବୟସ୍କ ଯୁବକଙ୍କ ଉପରେ । ସେମାନେ ଏଇ ମିଟିଂ ସମ୍ପର୍କରେ କଥାବାର୍ତ୍ତା ହେଉଥିଲେ । ମୁଁ ତାଙ୍କ କଥାର ସୁଅଆଡ଼କୁ କାନ ଦେଲି ।

 

ସତିଆ କହିଲା ଯେତେଯାହା କଲେ କ’ଣ ହେବ ? ଅସଲ କଥା ହେଉଚି ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ ?

 

ଶରତ କହିଲା–ହଁ ସେଇଆ ନୁହେଁ ଆଉ କ’ଣ ? ଏଗୁଡ଼ାକ ଖାଲି ହୋ ହୋ ହେଇଜାଣନ୍ତି । ମଳୟ ଦାଦା ଚାଲିଗଲା ପରେ ପୁଣି କାଠ ବେଙ୍ଗଭଳି ଅନେଇଥିବ ।

 

ସିଏ ତେଲଠାରୁ ଆରମ୍ଭ କରି ଟଙ୍କା ପଇସା ପର୍ଯ୍ୟନ୍ତ ସବୁ ଖାଇ ଲୋକଙ୍କୁ ଦେଇ ଆସନ ମଜଭୁତ କରିଦେଇଚି । ଇଏ ଏବେ ବ୍ଳକ୍‌କୁ ଯାଆନ୍ତୁତ, ଦେଖିବା ବି.ଡ଼ି.ଓ କେମିତି ସହଜରେ କାମ ଦେଇଦେବ ?

 

ହଁ ସେଇଆ ନୁହେଁ ଆଉ କ’ଣ ? ପାଇଚି ଖାଇଚି ତା’ଠାରୁ, ୟାଙ୍କୁ ପଚାରିବ କାହିଁକି ?

 

ସବୁ ଖାଲି ମୁହଁର ହାଁ ହାଁ କଥା କଥାରେ କୋଉ ପଇସା ପଡ଼ୁଚି ?

 

ମୁଁ ସେଠାରୁ ମୁଣ୍ଡ ଫେରେଇନେଲି । ମୁଁ ଅବଶ୍ୟ ତାଙ୍କ କଥାଟାକୁ ଜାଣିଶୁଣି ଆଭଏଡ଼୍‌ କରିନି, ମୋତେ ଆଉ ଜଣକର କଥା ଟାଣିନେଲା । ଆକୁଳି ମାମୁଁ ତାଙ୍କ ପରିବାରର ଦୁଃଖ କହୁଥିଲେ ସାନ ଝିଅଟାକୁ ଭୀଷଣ ଜର ହେଇଚି । ଘଣ୍ଟାଏ ଛାଡ଼ୁନି ତା’ ମା’କୁ । ରୋଷେଇବାସ ଗଣ୍ଡାଏ ହେଇପାରୁନି । ବଡ଼ ଝିଅଟାର କ’ଣ ପିଲାପିଲି ହେବ ଯେ ତା’ ଘରକୁ ସାଦ ହାଣ୍ଡିଟାଏ ପଠେଇବି ବୋଲି ପଠେଇପାରୁନି । ଯାହା ମଜୁରି ଆଣୁଚି ସେତିକି ପେଟକୁ ନିଅଣ୍ଟ ହେଉଚି । ଅଳ୍ପକେ ବଞ୍ଚିଗଲି ପୁଅଟାକୁ ପରଘରେ ରଖିଦେଇ । ଆଗୁଆ ପନ୍ଦର ଗୌଣି ଧାନ ନେଇଆସିଥିଲି-। ଚାଲିଚି ଏବେ । ମହାନ୍ତି ଘରକାମ କରିଥିଲି ଯେ ଚାରିଟା ମଜୁରିର ପଇସା ବାକି ଅଛି, ଦେଇନାହାନ୍ତି ଏଯାଏ । କେଉଁଦିନ ତାଙ୍କର କଲିକତାରୁ ପଇସା ଆସିବ ସେ ଦେବେ । କ’ଣ ତାଙ୍କୁ କହିବି । ସେତିକି ହେଲେ ଆଉ କିଛି ପଇସା ହାତଉଧାରି ଆଣି ଝିଅଘରକୁ ହାଣ୍ଡିଟାଏ ଦେଇଦେବି-। ମଣିଷ ଯେତେ ପାଞ୍ଚ କରି ଆଗକୁ ଯିବାକୁ ଚାହୁଁଛି ସେତେ ପଛକୁ ଟାଣୁଚି ସଂସାର । ଏଣେ ତିନିଦିନ ହେଲା ଜରରେ ସେ ସାନଝିଅ ବହୁତ କଷ୍ଟ ପାଇଲାଣି । ହାତ ଏଇନେ ପୂରାପୂରି ଶୂନ୍‌ଶାନ୍‌ । ପଇସା କେଉଁଠୁ ଯୋଗାଡ଼ କରି ଭାବିଚି କାଲି ତା’ପାଇଁ ଔଷଧ ଟିକେ ଆଣିବି-। ସତରେ ଭାରି କଷ୍ଟ ହେଲାଣି । ରାଇଜ ଛାଡ଼ି ପଳେଇ ଯିବାକୁ ଇଚ୍ଛାହେଉଚି ? ଟିକେ କ’ଣ ମଣିଷକୁ ଅସର ମିଳୁଚି ? ଏବେ ରୋଷେଇ କରିଥାଆନ୍ତି ଯେ ଏ ଶଙ୍କର ଯାଇ ଡାକିଲାରୁ ବାଧ୍ୟହେଇ ଆସିଲି । ଏବାଗେ ହେଲେ କିଛିଟା ରାହା ମିଳିଯିବ ।

 

ମୁଁ ତା’ କଥା ଶୁଣୁ ଶୁଣୁ ଅନ୍ୟମନସ୍କ ହେଇଗଲି । ଏଇ ଆକୁଳି ମାମୁଁ ବାପ ମା’ର ଗୋଟିଏ ବୋଲି ପୁଅ, ସେ ଅମଳରେ ପାଞ୍ଚ ଏକର ସମ୍ପତ୍ତି ଥିଲା । ତା’ ଭାତ କିଏ ଖାଉଥିଲା । ସେ କେତେ ଲୋକଙ୍କୁ ମଜୁରି ଲଗାଉଥିଲା । ଚପଲ ପିନ୍ଧି, ଫେଟା ମାରି ଲୁଗା ପିନ୍ଧି ଗାଁ ଦାଣ୍ଡରେ ବୁଲୁଥିଲା ବୋଲି ମୋ ଆଈମା’ କହେ । ସେ ଆମ ଘରୁ ପ୍ରତିଦିନ ଅଧସେର ଲେଖାଏଁ ଦୁଧ ପିଉଥିଲା । ଆମର ଦିନେ ଖାଇବାକୁ ନ ଥିଲା ଯେ ତା’ ପାଖରେ ପହଞ୍ଚି ଆଈମା’ କେତେ ମୁଣ୍ଡଗଡ଼େଇ ଖୋସାମତ କଲା । ସଞ୍ଜକୁ ଦେବ ବୋଲି କହିଲା । ପୁଣି ଯେମିତି ସେ ସଞ୍ଜକୁ ଆସିଲା ଇଏ କୁଟାଗଦା ମୂଳେ ଲୁଚିଲା, ଦେଖାଦେଲାନି । ନିରାଶ ହେଇ ସେଇ ରାତିରେ ସମସ୍ତେ କୋଳଥ ଜାଉ ଖାଇ ଶୋଇ ଯାଇଥିଲେ । କିନ୍ତୁ ଆଜି ତା’ର ଆଉ ସେ ଜମି ନାହିଁ । ପରର ମୂଲ ଲାଗି ଜୀବନ ବଞ୍ଚୁଚି । ଜମି ବୋଲି ଛ’ଗୁଣ୍ଠ ଥିଲା ପାଞ୍ଚ ବର୍ଷ ତଳେ । ଏବେ ପୁଣି ତାକୁ ବିକି ସାରିଲାଣି କି କଅଣ ସମୟ କେଡ଼େ ଜଲଦି ନୂଆ ପୁରୁଣା ଦୁନିଆଁ ଭିତରେ ଛୋଟକୁ ବଡ଼ ଓ ବଡ଼କୁ ଛୋଟ କରିଦେଉଚି ସତେ ! !

 

ମୁଁ ଅବାକ୍‌ ହେଲି ତା’ କଥା ଶୁଣି । ସେ ଥିଲା ସିନା ବାପା ମା’ର ଗୋଟିଏ ବୋଲି ପୁଅ-। କିନ୍ତୁ ତା’ର ମଧ୍ୟ ସେଇ ଗୋଟିଏ ପୁଅ । ସାତଟି ହେଲେ ବୋଧେ ଝିଅ । ବଡ଼ ଝିଅ ଆସି ଜ୍ୱାଇଁ କରିବାକୁ ବସିଲାଣି, ଆଉ ଚାରିଟାଙ୍କର କ’ଣ ପିଲାଛୁଆ କେଜାଣି । ପୁଣି ଦେଖ ଏ ବୟସରେ ତା’ର ଗୋଟିଏ ଝିଅ । ଏମାନେ ଅସୁବିଧାରେ ପଡ଼ିବେନି ଆଉ କିଏ ପଡ଼ିବ ? କିରେ ବାବୁ ସଂସାର ଦେଖି ବ୍ୟବସ୍ଥା କର । ଗୋଟିଏ ଦୁଇଟି ପିଲା ମଣିଷ କରିବା ଏ ଯୁଗରେ କଷ୍ଟ । ଅଥଚ ଲୋକଟା ଏତେଗୁଡ଼ାଏ ପୁଅ ଝିଅ ଜନ୍ମ କରି ତଥାପି...

 

ଅବଶ୍ୟ ତା’ ଝିଅଗୁଡ଼ାକ ଦେଖିବାକୁ ସୁନ୍ଦରୀ । ଏପରିକି ଅତୀତରେ ମୁଁ ମଧ୍ୟ ତାଙ୍କ ପାଇଁ କିଛି କିଛି ସମୟ ବିତେଇଚି ଦେଖିବାରେ, ତାଙ୍କ କଥା ସବୁ ଭାବିବାରେ । କେବଳ ସେଇଥିପାଇଁ ‘‘ତୁଳସୀ ପତ୍ର ପାତ୍ର’’ ନ୍ୟାୟରେ ବାହା ହେଇଯାଉଛନ୍ତି । ନହେଲେ ଏ ଯୁଗ ଯାହା ହେଲାଣି ସେମାନେ କେମିତି ପର ଘରକୁ ଯାଇଥାଆନ୍ତେ କିଏ କହିବ ? ଭଲ ଭଲ ଲୋକେ ଆଜିକାଲି ତାଙ୍କ ଝିଅକୁ ବାହା ଦେଇପାରୁନାହାନ୍ତି ଠିକ୍‌ ସମୟରେ, ପାଞ୍ଚବର୍ଷ, ଦଶବର୍ଷ ମଧ୍ୟ ବିତିଯାଉଚି । ଆଉ ଆକୁଳି ମାମୁଁ ଭଳି ଗୋଟେ ଲୋକ ପାଗଳ ହେଇଯାଇଥାନ୍ତା ନିଶ୍ଚୟ ।

 

ଏଥର ପ୍ରାୟ ଲୋକ ଆସି ପହଞ୍ଚି ଯାଇଥିଲେ । ଶଙ୍କର ଦା’ ପାଟି ବାହାରୁ ଶୁଭୁଥିଲା । ମୁଁ ପୁଣି ବନ୍ଧ ଉପରକୁ ଚାଲିଗଲି । ଅପେକ୍ଷା କରୁଥିଲି କେହି ଜଣେ ମୋତେ ଆସି ଡାକୁ । ସତକୁ ସତ ସେଇଆ ହେଲା । ଅରୂପ ଠିକ୍‌ ମୋ ପଛଆଡ଼ୁ ଆସି କହିଲା ମଳୟ ଭାଇ, ଏଠି ଏକା ଛିଡ଼ାହେଇଚ କ’ଣ ? ଭିତରକୁ ଚାଲୁନା ? ମିତ୍ର ଆସି ଡାକିନି ?

 

–ହଁ ମିତ୍ରଦା’ ଆସିଥିଲା । ଲୋକମାନେ ଆସିଗଲେଣି ବୋଧେ ? ଯିବା ଚାଲ । ଅରୂପ ମୋ ସଙ୍ଗରେ ଅଳ୍ପ କଥା କୁହେ । ସେ ମୋତେ ଆନ୍ତରିକ ସମ୍ମାନ ଦିଏ । କିଛିଟା ବି ଭୟ ଭୟ ଭାବ ମୁଁ ତା’ ଭିତରେ ବେଳେବେଳେ ଦେଖିଛି । ଆମେ ଆସିଯାଇଥିଲୁ ବସିଥିବା ଲୋକଙ୍କ ଗହଳି ଭିତରକୁ । ମୁଁ ସବା ପଛରେ ବସିବାକୁ ଯାଉଥିଲି ଅରୂପ ସମେତ ବହୁ ଲୋକ ମୋତେ ସେଠାରେ ନ ବସି ଆଗରେ ବସିବାପାଇଁ କହିଉଠିଲେ । ଯେମିତି ମୁଁ ଅନୁଭବ କରୁଥିଲି ମୁଁ ଗୋଟାଏ ଖୁବ୍‌ ବଡ଼ ରାଜନୀତିଜ୍ଞ କି ନେତା, ଏ ଦେଶର ଭାଗ୍ୟବିଧାତା ମୁଁ । ଚାହିଁଲେ କିଛି ଗୋଟାଏ କରିପାରେ, ମୁହୂର୍ତ୍ତକ ଭିତରେ ପୃଥିବୀଟାକୁ ବଦଳେଇପାରେ । ମୁଁ ମଣିଷ, ମୁଁ ଦେବତା, ମୁଁ କିନ୍ନର, ମୁଁ ସବୁ କୀଟ ପତଙ୍ଗର ଆତ୍ମା । ମୋର ମୁଁ ତ୍ୱହିଁ ଏ ସୃଷ୍ଟିର ମୂଳାଧାର ।

 

ମୁଁ ବାଧ୍ୟହେଲି ମାନନ୍ତ ପିଲାଟିଏ ପରି ଚୁପ୍‌ଚାପ୍‌ ଆଗକୁ ଚାଲିଯିବା ପାଇଁ । ଦରି ଉପରେ ବସିଲା ପରେ ମିଞ୍ଜି ମିଞ୍ଜି ଜଳୁଥିବା ଲଣ୍ଠଣଟା ହିଁ ମୋପାଇଁ ଗୋଟାଏ ଆତ୍ମ ପ୍ରତ୍ୟୟ । ସେଇ ଆଲୋକ ଶିଖାଟା, ମିଞ୍ଜି ମିଞ୍ଜି ଜଳୁଥିବା ନିଆଁଟା । ତା’ଦ୍ୱାରା ବିରାଟ ଆଲୁଅ ସୃଷ୍ଟି କରିଦେଇପାରେ, ଯେମିତି ପାଉଁଶଗଦା ତଳର ନିଆଁଟା କୌଣସି ଉପାୟରେ ପୃଥିବୀ ପରି ଝୋଟ ଗଦାରେ ଲାଗିଗଲେ, ନିମିଷକରେ ପୃଥିବୀଟାକୁ ଜାଳିଦେବ । ଗୋଟାଏ ସବୁଜ ସୁଷମାମୟ ନୀଳିମା ଧରିତ୍ରୀ ପଲକରେ କଳା ଅନ୍ଧାର ଭଳି ନିର୍ଜୀବ, ନିର୍ମୋକ, ଭୟଙ୍କର ହୋଇଉଠିବ । ଜୀବନ ତ ଠିକ୍‌ ସେଇଆ ବୋଧେ । ପ୍ରତ୍ୟେକଙ୍କ ଭିତରେ ଜଳୁଥିବା ସେଇ ନିଆଁ ତୁକୁଡ଼ାକୁ ଖାଦ୍ୟ ମିଳିଯାଏ ତାହେଲେ ସେମାନେ କାହିଁକି କିଛି ଗୋଟାଏ ନ ବଦଳେଇ ନ ପାରିବେ ? ମିତ୍ରଦା ଓ ଶଙ୍କରଦା ଭିତରକୁ ଆସିଲେ । ସେ ତେବେ ଆମ ବସିବାର ଉଦ୍ଦେଶ୍ୟ ସମ୍ପର୍କରେ ଏଥର କହିବେ । ପରୀକ୍ଷା ଦେବାକୁ ଯାଉଥିବା ପିଲାଟିର ଛାତିତଳ ଫୁସ୍‌ଫୁସ୍‌ ଦୁମ୍ ଦୁମ୍‌ ହେଇପଡ଼ିଲା ଭଳି ମୋ ପୂର୍ବ ପ୍ରସ୍ତୁତିର ମାନସିକତାଟା ଠିକ୍‌ ସେଇ ବାଟରେ ଯାଉଥିଲା । କଥାଟା ଅତି ସହଜ ମନେହେଲେ ବି ମୋଭିତରେ କେମିତି ଗୋଟାଏ ବେଖାପ ଭାବ ଚେଇଁଉଠୁଥିଲା, ଭୟ ମଧ୍ୟ । ମଞ୍ଚ ଉପରକୁ ଯାଇ କି ଭାଷଣ ଦିଆଯାଇପାରେ ମୁଁ ମନେପକାଇବାକୁ ଚେଷ୍ଟା କରୁଥିଲି । ଶଙ୍କର ଦା’ ଛିଡ଼ାହେଇ କହିଉଠିଲା–ତମେ ଏବେ ଆଲୋଚନାର ଆରମ୍ଭ କର ମଳୟ । ଆଉ ଡେରି କରି ଲାଭ ନାହିଁ । ପ୍ରାୟ ସମସ୍ତେ ଆସିଗଲେଣି । ଆଉ ଯେଉଁମାନେ ଆସିନାହାନ୍ତି ସେମାନଙ୍କୁ ପରେ କହିଦେଲେ ଚଳିବ । ମୁଁ କିନ୍ତୁ ସମସ୍ତଙ୍କୁ ଡାକିସାରିଚି ।

 

କାହିଁକି ଡାକିଲ ସେ ବିଷୟରେ ତମେ ଟିକେ କୁହ । ଅନ୍ୟମାନଙ୍କ ଭଳି ମୋତେ ମଧ୍ୟ ଡାକିଚ, ମୁଁ ତୁମ କଥା ଶୁଣିସାରିଲା ପରେ ମତାମତ ଦେବି ।

 

ଶଙ୍କର ଦା’ ଆଗକୁ ଚାଲିଆସିଲେ ଏବଂ ଛିଡ଼ାହେଇ ଟିକେ ଚାରିଆଡ଼କୁ ଚାହିଁଲେ । ଥରେ ଖଣ୍ଡିକାଶ ମାରି କଣ୍ଠ ଝାଡ଼ିସାରିଲା ପରେ ସେ ତାଙ୍କର ବକ୍ତବ୍ୟ ଆରମ୍ଭ କଲେ ଭାଇମାନେ, ଆଜି ଆମେ ଏଠି ବସିବାର କାରଣ ସହଜରେ ଅନୁମାନ କରିପାରୁଥିବେ । ଆଜକୁ ସାତବର୍ଷ ତଳେ ଗାଁ’ରେ ମଳୟ ରହୁଥିବାବେଳେ ଆମେ ସଂଘ ମାଧ୍ୟମରେ ଗାଁ ପାଇଁ ଯେଉଁ କାମ କରୁଥିଲୁ ଆପଣମାନେ ସମସ୍ତେ ଜାଣନ୍ତି; କିନ୍ତୁ ଏବେ ଯେପରି କାମ ଚାଲିଚି ତାହା ମଧ୍ୟ ଦେଖୁଥିବେ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଜାଣିନାହାନ୍ତି ବ୍ଳକ୍‌ରୁ ମିଳୁଥିବା କାମ ପାଇଁ ଶତକଡ଼ା ଚାଳିଶ ଭାଗ ଅର୍ଥ କାମରେ ଲାଗୁଛି । ଅବଶିଷ୍ଠ ଷାଠିଏ ଭାଗ ଢୋଲ ଚମଡ଼ା କିଣାରେ ଯାଏ । ଢୋଲ ଆସେ, ଡିଣ୍ଡିମ ବାଜେ ସରକାରୀ ରେକର୍ଡ଼ରେ ସବୁ କାମ ଠିକ୍‌ ହେଉଛି ବୋଲି ଲେଖି ଦିଆଯାଏ । ଲୋକଙ୍କୁ କୁହାଯାଏ ଏମିତି କାମ ଆଉ କେବେ ହେଇନଥିଲା । ଏହାହିଁ ଏ ସମୟର ସର୍ବଶ୍ରେଷ୍ଠ କାମ ଓ ଜନସେବାର ନିଦର୍ଶନ । ପୁଣି କିଛିଦିନ ମିଳେଇଯାଏ । ରାତିଭଳି ଚୁପ୍‌–ଚାପ୍‌ ହେଇଯାଏ । ପୁଣି ଟଣାଭିଡ଼ା ଆରମ୍ଭ ହୁଏ । ପୁଣି ଓ ପୁଣି ସେ କାମ ଚାଲେ । ସରକାରଙ୍କର ଖାଦ୍ୟପାଇଁ କାମ ଯୋଜନା ବ୍ଳକ୍‌ ମାଧ୍ୟମରେ କରାଯାଇ ମୁଖ୍ୟତଃ ଗ୍ରାମମାନଙ୍କ ଉନ୍ନତି କରିବାରେ ବିନିଯୋଗ କରାଯିବା କଥା ଏବଂ ପ୍ରାୟ ତାହା ହିଁ ସ୍ଥାନେ ସ୍ଥାନେ ହେଉଚି । କିନ୍ତୁ ଆମ ଗାଁପାଇଁ ଆସୁଥିବା କାମ ସମ୍ପର୍କରେ ଆପଣମାନେ କିଛି ଜାଣୁନାହାନ୍ତି । ଆପଣମାନଙ୍କୁ କେହି ଜଣାଉନାହାନ୍ତି । ଏ ଯୁଗ ଆତ୍ମସଚେତନତାର ଯୁଗ, ନିଜ କାମ ନିଜେ କରିଯିବାର ଯୁଗ । ଆପଣମାନେ ଥରେ ଚିନ୍ତାକରି ଦେଖିଲେ ଆମ ଗାଁ’ର ବାର୍ଷିକ ଆୟ କେତେ ? ପ୍ରଥମତଃ ଆମର ସ୍ଥାୟୀ ରୋଜଗାର ପନ୍ଥା ଭାବେ ବେତ–ବଣଟାଏ ଅଛି । ପ୍ରାୟ ପ୍ରତିବର୍ଷ ଗାଁ ଫଣ୍ଡକୁ ନିଲାମ ଆଣି ତିନି ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆୟ କରା ଯାଆନ୍ତା । ତା’ ସଙ୍ଗେ ସଙ୍ଗେ ଗାଁ କୌଣସି ଅନୁଷ୍ଠାନ ମାଧ୍ୟମରେ ଲିଜ୍‌ ଆକାରରେ ସରକାରଙ୍କଠାରୁ ଆଣି କାଜୁବାଦାମ ଚାଷ କରାଯାଇପାରନ୍ତା କିମ୍ବା ଅଧିକ ଗଛ ସୃଷ୍ଟି କରାଯାଇପାରନ୍ତା ।

 

ଦ୍ୱିତୀୟତଃ ମାଛ ପୋଖରୀରୁ ଠିକ୍‌ ବାଟରେ ଲଗାଇଲେ ବର୍ଷକୁ ଅନ୍ୟୁନ ପାଞ୍ଚ ହଜାର ଟଙ୍କାର ମାଛ ବିକ୍ରି ହେଇପାରନ୍ତା ।

 

ତୃତୀୟତଃ ଠାକୁରାଣୀଙ୍କ ଜମିକୁ ଭାଗ ନ ଦେଇ ସଂଘ ମାଧ୍ୟମରେ ଚାଷ କରାଗଲେ ସେ ବାବଦରେ ଆୟ ମଧ୍ୟ କିଛି କମ୍‌ ହୁଅନ୍ତା ନାହିଁ । ତା’ପରେ ବିବାହ ବ୍ରତ, ସରକାରୀ ସାହାଯ୍ୟ–ଏସବୁ ପରର କଥା ଅଛି । ତେଣୁ ଆପଣମାନେ ନିସ୍ତେଜ ନହୋଇ ସଜାଗ ଭାବେ କାର୍ଯ୍ୟକଲେ, ବାହାର ଦୁନିଆ ସଂସ୍ପର୍ଶରେ ଆସିଲେ ଦୃଷ୍ଟିକୋଣ ବଦଳନ୍ତା ଏବଂ ଗ୍ରାମର ଅନେକ ହିତକର କାମ ହୋଇପାରନ୍ତା । ଏତିକି ସୂଚନା ଦେଇ ମୁଁ ବିଦାୟ ନେବାପୂର୍ବରୁ ମଳୟକୁ କିଛି ତା’ର ବ୍ୟକ୍ତିଗତ ମତାମତ ଦେବାପାଇଁ କହୁଛି । ସେ ଆମଠାରୁ ଯଥେଷ୍ଟ ବିଜ୍ଞ ଓ ବାହାରେ ଦଶଜାଗା ବୁଲିଚି, ଦେଖିଚି, କିଛି ଭଲକଥା କହିପାରିବ ।

 

ଏଥର ମୋ ପାଳି । ମିତ୍ରଦା’ ଦୂରରୁ ମୋ ମୁହଁକୁ ଚାହିଁ ହାତ ହଲେଇ କହିବାପାଇଁ ଉତ୍ସାହ ଦେଉଚି । ମୁଁ ଆରମ୍ଭ କଲି–ଭାଇମାନେ ମୁଁ ଗୋଟେ ପୁରୁଣା କଥା କହିବି, ଯେଉଁଟା ଆପଣମାନେ ଅଙ୍ଗେ ନିଭେଇଛନ୍ତି । ମନେପକାନ୍ତୁ ପିଲାଦିନ କଥା । ଯେତେବେଳେ ଜମିଦାରମାନେ ଆମ ଗାଁରେ କଚେରୀ ଘର କରି ରହୁଥିଲେ ଆଉ ତାଙ୍କଦ୍ୱାରା ଯେଉଁ ଯେଉଁ କାମ ହେଉଥିଲା ସେମାନେ ଗୋଟିଏ ଗାଦିଘର କରିଥିଲେ । ଭାଗବତ ପଢ଼ା ହେଉଥିଲା ପ୍ରତି ସନ୍ଧ୍ୟାରେ ଆପଣମାନଙ୍କ ଭିତରୁ କେହି କେହି ସେ ଘର ଦେଖିଥିବେ କି ଭାଗବତ ପାଠ ଶୁଣିଥିବେ । ଆମ ଅମଳକୁ ଯାହା ଥିଲା ସେକଥା ଛାଡ଼ । କିନ୍ତୁ ଇଏ ମୋ ଶୁଣିବା କଥା, ଆପଣମାନଙ୍କ ଭଳି କେଇଜଣଙ୍କଠାରୁ । ଖାଲି ମୁଁ ମନେପକେଇ ଦେଉଚି । ଜମିଦାରମାନେ ଯେଉଁ ଧାନ ଅମଳ କରୁଥିଲେ ତାକୁ ସେଇ ଗାଦି ଘର କୋଠା ଧାନ ବୋଲି କହି ଆପଣମାନଙ୍କୁ ଥିଲା ନ ଥିଲାକୁ ସୁଧକୁ ଚଳାଉଥିଲେ । ଘନ ଘନ ଧୋଇ ମରୁଡ଼ିରେ ଫସଲ ନ ହେଉଥିଲେ ମଧ୍ୟ କେହି ଉପାସ ରହୁନଥିଲେ । ଆପଣମାନଙ୍କ ସଂଘବଦ୍ଧ ଜୀବନ ଖୁବ୍‌ ସହଜ ଏବଂ ସରଳ ଥିଲା ଓ ଜମିଦାରମାନେ ଶୋଷଣ କରିବାର ସୁଯୋଗ ପାଉଥିଲେ । ଏ.ସବୁ ସତ୍ତ୍ୱେ ଆପଣମାନେ ସବୁ କାମରେ ସହଯୋଗ କରୁଥିଲେ ଓ ତାଙ୍କର ନିର୍ଦ୍ଦେଶ ମାନି ଚଳୁଥିଲେ । ତାଦ୍ୱାରା ଯାହାକିଛି କାମ ହେଉଥିଲା ସେଥିରେ ଜମିଦାରୀ ଉଦ୍ଦେଶ୍ୟ ନିହିତ ଥିଲା । ସେଠି ଭୁଲ୍‌ କଲେ ଦଣ୍ଡ ମିଳୁଥିଲା, ଭୁଲ୍ କଲେ ପୁରସ୍କାର ମିଳୁଥିଲା । ଅନ୍ୟର ଇଚ୍ଛା ଉପରେ ପରିଚାଳିତ ହେଉଥିଲେ ଜନସାଧାରଣ । ସାରା ଦେଶରେ ଗୋଟେ ସ୍ୱାଧୀନତାର ଆବଶ୍ୟକତା ଅନୁଭୂତ ହେଉଥିଲା ଓ ଏକଥା କେତେଜଣ ଚିନ୍ତାଶୀଳ ବ୍ୟକ୍ତିଙ୍କର ଉଦ୍ୟମରେ ସଫଳ ହେଲା । ଆମେ ସବୁ ରକମର ସ୍ୱାଧୀନତା ହାସଲ କଲେ ସମୟକ୍ରମେ । ସେତେବେଳେ ଗୋଟିଏ ସ୍ୱପ୍ନ ଥିଲା, ଜମିଦାରୀ ଉଚ୍ଛେଦ ପରେ ଯେ ଯେମିତି ଅନ୍ତତଃ କିଛି କିଛି ଜମି ପାଇବେ ଏବଂ ନିଜସ୍ୱ କରି ନିଜ ସଂସାର ଚଳେଇପାରିବେ । ତାହାହିଁ ହେଲା । ଜମିଦାରୀ ଶାସନ ପରେ ଗାଁର ମାମଲତ୍‌କାରମାନେ କିଛିଦିନ ଏପଟସେପଟ କଲେ । ହେଲେ ବର୍ତ୍ତମାନ କେହି ଆଉ କାହାକୁ ପଚାରୁନାହାନ୍ତି । ଯିଏ ଯେଉଁ ବାଟରେ ଯାଉଚି ସେ ବାଟରେ ତାହାର ଫାଇଦା ଦେଖୁଚି । ଏହାର ମୂଳ କାରଣ ହେଉଚି ଆମପାଇଁ ଯେଉଁ ସ୍ୱାଧୀନତା ଆସିଲା ଆମେ ତା’ର ମୂଲ୍ୟ ବୁଝିବାକୁ ଅକ୍ଷମ ହେଲେ । ନିଜ କାମ ନିଜେ କରି ବଞ୍ଚି ଶିଖିବାର ଦାୟିତ୍ୱ ଆମେ ବହନ କରିପାରିଲେ ନାହିଁ । ଫଳରେ ପୁଣି ଆମକୁ ଆମରି ଭିତରୁ କେହି ଶୋଷଣ କରିବାର ସୁଯୋଗ ନେଲେ ।

 

ଏ ସବୁ ସତ୍ତ୍ୱେ ଆମେ ମଝିରେ ଗାଁର ଉନ୍ନତି ସମ୍ପର୍କରେ ଚିନ୍ତା କରିଥିଲୁ ଏବଂ କିଛି କାମ ମଧ୍ୟ କରିଥିଲୁ । ସେତେବେଳେ ଆମ ସରକାର ଗାଁ ଗଣ୍ଡାର ଉନ୍ନତି ଉପରେ ଏତେ ବେଶି ଲକ୍ଷ୍ୟ ଦେଇନଥିଲେ । କିନ୍ତୁ ବର୍ତ୍ତମାନ ପଲ୍ଳୀ ଅଞ୍ଚଳ ଓ କୃଷକମାନଙ୍କର ସର୍ବ ବିଧ ଉନ୍ନତି କଳ୍ପେ ସରକାର ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଭିନ୍ନ ବାଟରେ ଋଣ ଦେଇ ଗରିବ ଲୋକଙ୍କର ଉନ୍ନତି କରିବାକୁ ଯତ୍ନ ନେଇଛନ୍ତି । ମାଛ ପୋଖରୀ ଖୋଳେଇବା, ପଏଣ୍ଟ ବସାଇବା, ଗାଈ ବଳଦ ପାଇଁ ଋଣ .ଦେବା, ଘର ତିଆରି ଋଣ ଦେବା ଓ ଚାଷପାଇଁ ଉପଯୁକ୍ତ ଯନ୍ତ୍ରପାତି ସବ୍‌ସିଡ଼୍‌ ଆକାରରେ ଯୋଗେଇଦେବା ଇତ୍ୟାଦି ବହୁ କାର୍ଯ୍ୟ କରାଯାଉଚି । ବ୍ଳକ୍‌ ଜରିଆରେ କୃଷି ବିଭାଗ ବୋଲି ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯାଇଚି । ଫିସରୀ ଅଫିସର ଜଣେ ଅଛନ୍ତି । ଆପଣମାନେ ସେମାନଙ୍କ ସଂସ୍ପର୍ଶରେ ଆସୁନାହାନ୍ତି କି ଜାଣିପାରୁନାହାନ୍ତି ସବୁକଥା । ତେଣୁ ଆମେ କାହା ବିପକ୍ଷରେ ନଯାଇ ନିଜ କାମ ନିଜେ କରିପାରିଲେ ବୋଧହୁଏ କୁଟୁମ୍ବ ପୋଷାଯାଇପାରିବ । ସଥିପାଇଁ ବିଧିବଦ୍ଧ ଏକ ସଂଗଠନ ଆବଶ୍ୟକ । ସେଥିରେ ସମସ୍ତେ ସକ୍ରିୟ ସଭ୍ୟ ହେଇ କିଛି ନା କିଛି କାମ କରିବା ଉଚିତ । ତା’ ପାଇଁ ଗୋଟାଏ କମିଟି କରି କର୍ମକର୍ତ୍ତା ବଛାଯିବା ଉଚିତ ଏବଂ ଯେଉଁମାନେ ବାହାରକୁ ଯାଇ ପ୍ରତି ସମୟରେ ଆପଣମାନଙ୍କ ପାଖରେ ଆଣି ଖବର ପହଞ୍ଚେଇ ପାରୁଥିବେ ଏବଂ ପ୍ରତି ସପ୍ତାହରେ ଥରେ ଏକାଠି ବସି କେଉଁ କାମ ହେବ କେଉଁ କାମ ନ ହେବ ସେ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ ।

 

ଭାଇମାନେ, ଆପଣମାନଙ୍କ କାମ ଯେଉଁମାନେ କଣ୍ଟ୍ରାକ୍‌ଟରୀ ଆକାରରେ ଆଣି କରୁଛନ୍ତି କି ଶହେ ଟଙ୍କାର କାମ ଜାଗାରେ ଚାଳିଶ ଟଙ୍କାର କାମ କରୁଛନ୍ତି ସେମାନଙ୍କୁ ଆପଣମାନେ ବିରୋଧ କରିବେ । ବାହାର ଅଞ୍ଚଳରୁ କେଳାମାନେ ଆସି ଯେଉଁ ରାସ୍ତାକାମ କରୁଛନ୍ତି ଓ ଟଙ୍କା ନେଉଛନ୍ତି ସେ ଟଙ୍କା ଆପଣଙ୍କର । ଆପଣମାନେ ଗଣ୍ଡେ ଖାଇ କିଛି କାମ କରିବା ପାଇଁ ସରକାର ଏ ଅର୍ଥ ଯୋଗାଉଛନ୍ତି । ସେଠାରେ ବାହାର ଅଞ୍ଚଳର ଲୋକ ଆସି କାହିଁକି କାମ କରିବେ ? ତେଣୁ ଆପଣମାନେ ପ୍ରତି କ୍ଷେତ୍ରରେ ନିଜକୁ ଉପସ୍ଥାପିତ କରନ୍ତୁ ଏବଂ ନିଜ କାମ ସମ୍ପର୍କରେ ସଚେତନ ହୁଅନ୍ତୁ । ମୁଁ ଅଧିକ କିଛି କହିବାକୁ ଚାହୁଁନି, କେବଳ ଏତିକି କହୁଛି ଆପଣମାନଙ୍କ ଆବଶ୍ୟକତା ପୂରଣ କରିବାପାଇଁ ନିଜେ ହିଁ ନିଜକୁ ପ୍ରସ୍ତୁତ କରନ୍ତୁ । ସରକାର ଏ ଦେଶ ଜାତି ପାଇଁ ପ୍ରତି ମୁହୂର୍ତ୍ତରେ ସଜାଗ ଅଛନ୍ତି ଓ ବିଭିନ୍ନ ଉପାୟରେ ଗରିବମାନଙ୍କୁ ସଚଳ କରିବା ପାଇଁ ଯୋଜନାମାନ ଗଢ଼ି କାମ କରାଉଛନ୍ତି । ତାହା ଆପଣମାନେ ଜାଣନ୍ତୁ ଏବଂ କରନ୍ତୁ । ମୁଁ କେବଳ ଏତିକି କହି ବିଦାୟ ନେଉଚି ।

ସଙ୍ଗେ ସଙ୍ଗେ ଅରୂପ ଛିଡ଼ାହେଇ କହିଲା–ଆପଣମାନେ କିଏ କ’ଣ କହିବାକୁ କିମ୍ବା ବୁଝିବାକୁ ଚାହାନ୍ତି ପଚାରନ୍ତୁ ।

ମଝିରେ ଜଣେ କିଏ ଉଠୁଥିବାର ମୁଁ ଦେଖିପାରିଲି । ହଁ, ସିଏ ଜହ୍ନମୁଁ କକା । ସେ ପଚାରିଲେ–ଚାଷ ପାଇଁ କି କି ସୁବିଧା ମିଳୁଚି ?

ମୁଁ କହିଲି–ଚାଷ ପାଇଁ ତ ବିଭିନ୍ନ ପ୍ରକାରର ସୁବିଧାସୁଯୋଗ ଅଛି । ଧାନବୁଣା ଯନ୍ତ୍ର, ଘାସକଟା ଯନ୍ତ୍ର, କଳ ଲଙ୍ଗଳ, ବଳଦ ପାଇଁ ଋଣ ଓ ଉନ୍ନତ ବିହନ, ସାର ଆଦି ବିଭିନ୍ନ ରକମର ସୁବିଧା ଅଛି । ସେଥିପାଇଁ ଲୋକ ମଧ୍ୟ ଚାକିରି କରିଛନ୍ତି ବେଳେବେଳେ କି କି ଫସଲ କଲେ ଲାଭଜନକ ହେବ ବୁଝେଇଦେବାକୁ ।

–କାହିଁ ଆମେ ସେ ବିଷୟରେ କିଛି ତ ଜାଣିନୁ–ଜହ୍ନମୁଁ କକା କହିଲେ ।

ମୁଁ କହିଲି–ଆପଣମାନଙ୍କୁ କେହି ଜଣାଉନାହାନ୍ତି ବୋଲି ଜାଣିପାରୁନାହାନ୍ତି । ଗ୍ରାମ୍ୟ କୃଷି ଅଫିସର ବୋଲି ଜଣେ ଅଛନ୍ତି ଓ ତାଙ୍କର କାର୍ଯ୍ୟ ହେଲା ପ୍ରତି ସପ୍ତାହରେ ଥରେଲେଖାଏଁ ଗାଁକୁ ଆସି ଚାଷ ଖବର ବୁଝିଯିବା କଥା । କିନ୍ତୁ ସେ ଆସୁନାହାନ୍ତି । କାରଣ ଆପଣମାନେ ତାଙ୍କୁ ଖୋଜିନାହାନ୍ତି । ନ ଆସି ମଧ୍ୟ ସେ ତାଙ୍କ ଦରମା ପାଉଛନ୍ତି ଠିକ୍‌ ମୁତାବକ । କିଏ ଏ ଯୁଗରେ କାମ କରି ପଇସା ନେବାକୁ ଚାହୁଁଚି ? ସମସ୍ତେ ପରସ୍ପରକୁ ଠକି ଚାଲିଛନ୍ତି । ତେଣୁ ସେ ମଧ୍ୟ ଆସୁନାହାନ୍ତି କି ଆପଣମାନେ ମଧ୍ୟ ଏ ସମ୍ପର୍କରେ ତାଙ୍କୁ ଭେଟିନାହାନ୍ତି । କହିଲି ଏ ପରା ସବୁ ବିଷୟରେ ଜାଣିବାକୁ ହେଲେ ନିଜ କାମ ସଙ୍ଗେ ସଙ୍ଗେ ଗାଁର କିଛି କାମ କରିବାକୁ ହେଲେ ସଂଗଠନ ମଜଭୁତ କରିବାକୁ ପଡ଼ିବ । ସଙ୍ଗଠନର ମୁଖ୍ୟ କର୍ମକର୍ତ୍ତାମାନେ ସେମାନଙ୍କୁ ଆଣି ଆପଣଙ୍କ ପାଖରେ ପହଞ୍ଚେଇବେ । କାମ କରେଇବେ, ଆପଣମାନେ କହିବେ ଭଲମନ୍ଦ ବୁଝିବେ-

ହଁ, ଏଇତ ଭାରି ଭଲକଥା, ଏଥିରେ ଅରାଜି ହେବ କିଏ ? ଯଦି କିଛି ଭଲକାମ ହେଇପାରିବ ଓ ସମସ୍ତଙ୍କର ଉପକାର ହେବ ତେବେ ଗୋଟାଏ ଲୋକ ଭୁଆଁବୁଲେଇ ଚାଲିଲେ ତାକୁ କାହିଁକି ସହଯୋଗ କରାଯିବ ? ବରଂ ସଂଘହିଁ ଏଇସବୁ ଦାୟିତ୍ୱ ନେଉ ।

କିଏ କିଏ ତା’ର କ’ଣ ଅଛନ୍ତି–କହି ଜହ୍ନମୁଁ କକା ସମସ୍ତଙ୍କଆଡ଼କୁ ଚାହିଁ ପଚାରିଲେ–ଆଉ କିଏ କ’ଣ କହିବି କୁହ ?

ଏକ ସଙ୍ଗରେ ଉତ୍ତର ଆସିଲା ନା, ଏଥିରେ ଆଉ କାହାର କ’ଣ କହିବାର ଅଛି ? ଭଲକାମ ପାଇଁ ତ ଏସବୁ ହେଉଚି, ତମେ ପଚାରୁଚ ପଚାର ?

ତାପରେ ମୁଁ କହିଲି–ପୂର୍ବରୁ କିଏ କ’ଣ ଥିଲା ସେକଥା ବର୍ତ୍ତମାନ ବଡ଼ ନୁହେଁ । ଏବେ ଆପଣମାନେ ହିଁ ସ୍ଥିର କରନ୍ତୁ କିଏ କେଉଁ ଦାୟିତ୍ୱ ନେଇ ଚଳେଇପାରିବେ ? ପ୍ରଥମେ ସେକ୍ରେଟାରୀ କିଏ ହେବ କୁହନ୍ତୁ ?

ମାଧବ ଚନ୍ଦ୍ର ରାଉତଙ୍କୁ ସେକ୍ରେଟାରୀ କରାଯାଉ–ଏକା ସାଙ୍ଗରେ ସମସ୍ତେ କହିଉଠିଲେ-। ମାଧ ଭାଇ ମଧ୍ୟ ବସିଥିଲେ, ହଠାତ୍‌ ନିଦରୁ ଉଠିଲା ଭଳି କହିଉଠିଲେ–କ’ଣ ହେଲା ମୁଁ ସେକ୍ରେଟାରୀ ହେବି ? ନା ନା, ବାବୁ ସେ ଅଡ଼ୁଆରେ ମୋତେ ପୁରାଅନା ।

 

ଅଡ଼ୁଆ କିଛି ନୁହେଁ, ତମର ଅସୁବିଧା ନାହିଁ । ତମ ବ୍ୟତୀତ ଆଉ କେହି ହେଇପାରି କାମ ତୁଲାଇଲା ଭଳି ଆଖିକୁ ଦିଶୁନି । ତମେ ତ ପାଠଶାଠ ପଢ଼ିଚ, ସବୁ କଥା ଜାଣିଚ । ସେ ଦାୟିତ୍ୱ ତମକୁ ନେବାକୁ ହେବ–କହି ମୁଁ ଅରୂପଆଡ଼କୁ ଚାହିଁଲି । ସେ ବୁଝିସାରିଥିଲା ଯେ ଏଇ ସମର୍ଥନକୁ ରେକର୍ଡ଼ କରାଯାଉ ବୋଲି ମୁଁ ଚାହୁଁଛି । ସଙ୍ଗେ ସଙ୍ଗେ ସେ ବାହାରକୁ ଚାଲିଆସିଲା । ତାପରେ ମୁଁ ପଚାରିଲି–ପ୍ରେସିଡ଼େଣ୍ଟ କିଏ ହେବ କୁହ ?

 

ଶଙ୍କରକୁ କର । ସେ ଜାଣିଚି ସେ ବିଷୟରେ ।

 

ଆଉ ପାଞ୍ଚଜଣ କାର୍ଯ୍ୟକାରୀ କମିଟି ମେମ୍ବର ଆବଶ୍ୟକ । ସେ ପାଞ୍ଚଜଣ କିଏ ହେବେ-?

 

ଗୋଲେଖ, ଅରୂପ, ଜହ୍ନମୁଁ, ଶିବ, ମିତ୍ର–ଜଣ ଜଣଙ୍କର ନାଁଗୁଡ଼ାକ ଏଣୁତେଣୁ ଉଠିଆସିଲା । ମୁଁ ଲକ୍ଷ୍ୟ କରୁଥିଲି ଆଉ କେହି କିଛି ଭାବୁଛନ୍ତି କି କ’ଣ ? କାହାରି ମୁହଁରେ ଆବିଳତାର ସ୍ପର୍ଶ ନ ଥିଲା । ସମସ୍ତେ ଉତ୍ସାହିତ ହେଇଉଠିଥିଲେ ।

 

ଅରୂପ ଖାତା କଲମ ନେଇ ଆସି ପହଞ୍ଚିଲା । ପ୍ରୋସିଡ଼ିଂ କରାଗଲା । ଯାହା ଯେମିତି ହେବାକଥା ହେଲା ଓ ଉପସ୍ଥିତ ଲୋକଙ୍କର ସ୍ୱାକ୍ଷର କରାଇବାକୁ ମୁଁ ଅରୂପକୁ ନିର୍ଦ୍ଦେଶ ଦେଇ ପଚାରିଲି–ଆସନ୍ତା ସପ୍ତାହରେ କେଉଁଦିନ ମିଟିଂ କରିବ ଏବଂ କାର୍ଯ୍ୟକ୍ରମ ସ୍ଥିର କରିବ କୁହ ?

 

କିଏ କେତେବାର କହିଲେ ଏବଂ ସର୍ବସମ୍ମତିକ୍ରମେ ଶୁକ୍ରବାରଟା ହିଁ ସ୍ଥିର କରାଗଲା । କାରଣ ସେଦିନ ସଞ୍ଜରେ ପ୍ରାୟ କାହାରି କିଛି କାମ ନ ଥାଏ । ଆଗ ଦିନମାନଙ୍କରେ ମେଳା ମଉତ୍ସବ ଓ ହାଟ ବାଟ ଅଛି । ଲୋକେ ପୂରି ପାରିବେ ନାହିଁ । ସୁତରାଂ ବାର ସମ୍ପର୍କରେ ମୋର କିଛି କହିବାରନଥିଲା । କେବଳ ଗୋଟାଏ କଥା କହିଲି–ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ସମସ୍ତେ ସଂଘ ଘରକୁ ଆସିବାକୁ ଚେଷ୍ଟା କରିବ । କାରଣ ସେଠାରେ ଏଇ ଯେଉଁମାନେ ନିର୍ବାଚିତ ହେଲେ ବସି କାମ ସମ୍ପର୍କରେ କଥା ହେବେ ଏବଂ ଖବରକାଗଜ ପଢ଼ିବେ, ରେଡ଼ିଓ ଶୁଣିବେ । ଏହାଦ୍ୱାରା ଦେଶ ବିଦେଶର ଖବର ଜାଣିବା ସଙ୍ଗେ ସଙ୍ଗେ ଆନୁଷ୍ଠାନିକ କାର୍ଯ୍ୟ ସମ୍ପର୍କରେ କେହି ମତାମତ ଦେବେ ଓ ସ୍ଥିର କରି କରାଯିବ । କେହି କେହି ହିଁ ଭାରି ଘରକୁ ଯିବାପାଇଁ ବ୍ୟସ୍ତ ହେଉଥିଲେ । ଜହ୍ନମୁଁ କକା ଉଠି କହିଲେ–ଏଥର କାମ ସରିଗଲା, ଯିବା ଚାଲ । ତେଣେ ବ୍ରାହ୍ମଣ ସାହିରେ ଠିଆପାଲା ହେବ ଯେ ଲୋକ ଦେଖିବାକୁ ଯିବେ ବୋଲି ବ୍ୟସ୍ତ ହେଲେଣି । କାମ ସରିଲା ନା ଆଉ କ’ଣ କହିବ ମଳୟ ?

 

ମୁଁ ଅରୂପକୁ ଚାହିଁଲି । ସେ ଦସ୍ତଖତ କରିସାରିଥିଲା । ଆଉ କିଛି କୁହାଯିବା ସମ୍ପର୍କରେ ଭାବିନପାରି କହିଲି–ନା, ଆଉ କ’ଣ ? ଏଇ କଥା ହେଲା । ଚାଲ ଯିବା ।

 

ସେଦିନର ମିଟିଂ ସେଇଠି ସରିଲା । ମୋ ସଙ୍ଗରେ କିଛିବାଟ ପର୍ଯ୍ୟନ୍ତ ଶଙ୍କର ଦା’, ମିତ୍ରଦା’ ଓ ମାଧବ ଭାଇ କଥାହେଇ ଆସିଲେ । ମୁଁ ସେମାନଙ୍କୁ ଫେରିଯିବା ପାଇଁ କହିଲି ।

 

ସାତ

 

ଏଇ ସମୟଟାରେ ହିଁ ମୋର ନିଦ ହୁଏନାହିଁ । ଅବଶ୍ୟ ଘରେ ଦୁଇଟା ରାତି କଟିଯାଇଚି ବେଶ୍ ଆରାମଦାୟକ ଭାବରେ । ମୁଁ କିଛି ଜାଣିପାରିନି । ଖୁବ୍‌ ବେଶିରେ ନ’ଟା ବେଳକୁ ଖିଆପିଆ ସାରି ଘରେ ସମସ୍ତେ ଶୋଇଯାଆନ୍ତି । ତାଙ୍କ ସଙ୍ଗରେ ଏଇ ଦୁଇଦିନ ମୁଁ କଟେଇ ଦେଇଥିଲେହେଁ ଏଇ ତୃତୀୟ ରାତିଟା ମୋତେ କୌଣସି ସହରର ରାତିଭଳି ଲାଗୁଥିଲା । ବାହାରେ ବିଶେଷ ଶବ୍ଦ ଭାସିଆସୁଥିଲା, ପୋଲଉପରେ ଟ୍ରେନ ଯିବାର ଶବ୍ଦ ଶୁଭୁଥିଲା । ରାସ୍ତାଉପରେ ମଦପିଇ ସାଇ ଟୋକାମାନେ ଝଗଡ଼ା ସୃଷ୍ଟି କରୁଥିଲେ । ରିକ୍‌ସାବାଲାର ଘଣ୍ଟି ଶୁଭୁଥିଲା ।

 

ମୁଁ ସଚେତନ ଭାବେ କାନଡେରି ସେଇ ପାଲା ହେବା ଯାଗାରୁ ମାଇକ୍‌ର ଶବ୍ଦ ଶୁଣିପାରୁଥିଲି । ସହରରେ ରାତିଭଳି ମୋତେ ଟିକେ କଷ୍ଟ ଲାଗୁଥିଲା । ସେଠି କିନ୍ତୁ ବେଡ଼୍‌ ଉପରେ ରାତି ବାରଟା ଗୋଟାଏ ପର୍ଯ୍ୟନ୍ତ ପଡ଼ିରହିବାକୁ ପଡ଼େ । ଆଗାମୀ ଦିନର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ହୁଏ ଶୋଇ ଶୋଇ । କ’ଣ ନହେଲା କ’ଣ ହେବାଟା ଉଚିତ୍‌ ସେ ସମ୍ପର୍କରେ ମୁଣ୍ଡ ଘୂରି ଘୂରି ବ୍ୟଥା ହୁଏ । ନିହାତି ଅସ୍ୱସ୍ତି ଭିତରେ ନିଦ ଆସି ହାମୁଡ଼ିପଡ଼େ ଛାତିଉପରେ । ମୋତେ ଲାଗୁଥିଲା ଏଇ ଗାଁ ମାଟିଉପରେ ବି ବୋଧହୁଏ ବେଳେବେଳେ ସହରର ରାତି ହାଇମାରେ । ଜହ୍ନ ଦେଖାଯାଏ ନାହିଁ କି ଖୋଜାଯାଏ ନାହିଁ । ଅନ୍ଧାର ଅନ୍ତରଙ୍ଗ ହେଇ ଭୁଲେଇଦିଏ ସବୁ କଥା । ଗାଁରେ ଆଜି ମଧ୍ୟ ଜହ୍ନରାତିକୁ ଅପେକ୍ଷା କରନ୍ତି ଲୋକମାନେ । ହାଟବାଟକୁ ଗଲେ ଯଦି ଜହ୍ନରାତି ହେଇଥାଏ ଫେରିବାକୁ ଭୟ ନଥାଏ । ଗାଁର ଝିଅମାନେ ଏଇ ରାତିରେ ଲୁଚକାଳି ଖେଳନ୍ତି, କୁମାର ପୂର୍ଣ୍ଣିମା ଗୀତ ବୋଲନ୍ତି । ନଈକୂଳେ କିମ୍ୱା ପଡ଼ିଆରେ ଝାଡ଼ା ଯାଇ ଘଣ୍ଟା ଘଣ୍ଟା ଧରି ଗପନ୍ତି, ମା’ମାନେ ତାଙ୍କର ପିଲାମାନଙ୍କୁ ଜହ୍ନ ଦେଖେଇ ଭୁଲାନ୍ତି । କେତେ ରକମର ଗପ କୁହନ୍ତି । ଚାଷୀଟିଏ ଜହ୍ନ ରାତିରେ ତା’ କାମ କରିଯାଏ । ସବୁକ୍ଷେତ୍ରରେ ଜହ୍ନରାତିର ଆବଶ୍ୟକତାକୁ ଗାଁଲୋକ ନିବିଡ଼ ଆତ୍ମୀୟ ଉତ୍କଣ୍ଠାରେ ଅପେକ୍ଷା କରନ୍ତି । କିନ୍ତୁ ସହରରେ କେହି କାଠଯୋଡ଼ି କିମ୍ବା ମହାନଦୀ କୂଳରେ ବସି ଜହ୍ନ ଖୋଜେ ନାହିଁ । ପ୍ରକୃତିର ମଣିଷ ପ୍ରକୃତି ଭିତରେ ଆନନ୍ଦ ଖୋଜେ, ଯାନ୍ତ୍ରିକ ମାନବ ଯନ୍ତ୍ରଣାରେ ଜୀବନ ବଞ୍ଚେ । କିନ୍ତୁ ଏବେ ସେ ସମୟ ବଦଳି ଆସିଲାଣି । ସବୁଠି କେମିତି ଗୋଟାଏ ଯନ୍ତ୍ରଣାର ଶିରି ଶିରି ଅବହାଓ୍ୱା ବହୁଚି ଯେ ବହୁଚି ।

 

ମୋ ନିଦ ନ ହେବାର କାରଣମାନଙ୍କ ଭିତରୁ ପ୍ରଥମଟି ହେଉଛି, ମିଟିଂଟାରେ ମୁଁ ଠିକ୍‌ ଭାବେ ମୋ ନିର୍ଦ୍ଦିଷ୍ଟ ବକ୍ତବ୍ୟକୁ ଉପସ୍ଥାପନ କରିପାରିଲି ନାହିଁ । ଯାହା କହିଲି ତା’ର ଦୁଇଗୁଣ ରହିଗଲା କହିବାକୁ । ସେତେବେଳେ ସେ ସବୁ ମନେପଡ଼ିଲାନି । ହେଲେ ମଧ୍ୟ ଲୋକମାନେ ଠିକ୍‌ ବୁଝିଲା ଭଳି ମନେହେଉଥିଲା । ପରବର୍ତ୍ତୀ କାରଣଟି ହେଉଚି, ମୋ ପିଲାବେଳେ ଅର୍ଥାତ୍‌ କୈଶୋର ବୟସରେ ମୁଁ ଯାତ୍ରା ପୂଜାକୁ ଭାରି ରଙ୍କ ଭଳି ହୁଏ । ସତେ ଯେମିତି ସେଥିରେ ମୋତେ ଦୁଇପଇସା ମିଳିଲା ପରି ମୁଁ ଅଖିଆ ଅପିଆ ଯାତ୍ରା ପାଲା ଦେଖେ । ଯେତେ ଦୂର ହେଲେ ମଧ୍ୟ ଯାଏ । କିନ୍ତୁ ଏବେ ସେ ଇଚ୍ଛାକୁ ବୟସ ଚାପିଦେଇଚି । ଅଭ୍ୟାସ ଭାଙ୍ଗିଯାଇଚି, ଆଖିକୁ ଜାଲ–ଜାଲୁଆ ଦିଶୁଚି ଦୃଶ୍ୟ ସବୁ । କାରଣ ଯେତେ ତା’ ଭିତରେ ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଆହ୍ୱାନ ଦିଆଯାଉଚି ସେ ସବୁ ସେଇ ମଞ୍ଚଉପର ବ୍ୟତୀତ ଅନ୍ୟକେଉଁଠି କାର୍ଯ୍ୟକାରୀ ହେଉନାହିଁ । ହେଲେ ଏ ଛାତିତଳେ ସେଇ ଦିନଗୁଡ଼ିକ କେଞ୍ଚିବିଦାରି ପକାଉଥିଲେ । ମୋ ଇଚ୍ଛା ହେଉଥିଲା ପାଲାଆଡ଼େ ଟିକେ ବୁଲି ଚାଲି ଆସିବାକୁ । କେହି କେହି ମଧ୍ୟ ଦେଖାହୁଅନ୍ତେ, କାହା ସଙ୍ଗରେ ଦେଖା ହେଉ ନ ହେଉ ଅନ୍ତତଃ ସୁନୀତାଟା ଯାଇଥିବ ବୋଧେ । ତାକୁ ଟିକେ ଦେଖିହୁଅନ୍ତା ।

 

ମୁଁ ସେମିତି ଶୋଇରହି ବେଡ଼୍‌ ସୁଇଚଟା ଟିପିଲି । ଘରସାରା ଆଲୁଅର ଜୁଆର ଖେଳିଗଲା । ଆଖି ଜଳକା ହେଇଗଲା । ଦୁଇହାତରେ ମଳି ମଳି ମୋ ନିଦ ମଳ ମଳ ଆଖିଦୁଇଟାକୁ ସଜାଗ କଲି । ତାପରେ ଉଠିଲି ଏବଂ ସାର୍ଟଟା ଗଳେଇପକେଇ ମୁଣ୍ଡ କୁଣ୍ଡେଇନେଲି । କାନପାରି ଶୁଣିଲି ସବୁଆଡ଼ୁ ଗୋଟାଏ ଘୁମନ୍ତ ନିଃଶ୍ୱାସ ପ୍ରଶ୍ୱାସର ଶବ୍ଦ ଭାସିଆସୁଥିଲା । ବୋଧହୁଏ ସମସ୍ତେ ଶୋଇଗଲେଣି । କେବଳ ବାପା ବାହାରକୁ ଯାଇଛନ୍ତି ଯେ ଆସିନାହାନ୍ତି । ମୁଁ ଧୀରେ ଧୀରେ କବାଟଟିକୁ ଆଉଜେଇନେଇ ଅନ୍ଧାରରେ ହଜିଗଲି ।

 

ଅନ୍ଧାର ଭିତରେ ମୁଁ । ମୋ ଚାରିକଡ଼ରେ ଅନ୍ଧାର । ଆଖିସାମ୍ନାର ପୃଥିବୀ ହଜିଯାଇଚି ଅନ୍ଧାରରେ ଓ ଅନ୍ଧାରର ନିଜସ୍ୱ ଆଲୋକରେ କିଛି ଫର୍ସ । ଦିଶୁଛି ଦିଗ୍‌ବଳୟ । ମୁଁ ମୋ ନିଜକୁ ଦେଖିପାରୁଥିଲି । ନିଜର ଆୟତନ କଳ୍ପନା କରୁଥିଲି । ମୋର ଉଚ୍ଚତା ପାଞ୍ଚ ଫୁଟ ଆଠ ଇଞ୍ଚ, ଛାତିର ଓସାର ଚଉତିରିଶ ଇଞ୍ଚ । ମୁଁ ଆଦୌ ସ୍ୱାସ୍ଥ୍ୟବାନ୍‌ ନୁହେଁ । ପତଳା ଓ ଡେଙ୍ଗା ଲୋକଟାଏ ମୁଁ, ମୁଁ ମଳୟ–ମୋର ଜୀବନର, ମୃତ୍ୟୁର ଓ ସନ୍ଧିକ୍ଷଣର । ପ୍ରେମର, ହତାଶର ଓ ଦାମ୍ପତ୍ୟର । ମୁଁ ଆପାତତଃ ଖୁସିରେ ଅଛି ବୋଲି କୁହେ ମୋର କୌଣସି ଦୁଃଖ ନାହିଁ । ହୁଏତ ଦୁଃଖର ଆଧିକ୍ୟ ମୋତେ ଏମିତି କହିବାକୁ ବାଧ୍ୟ କରେ । ମୋର ସ୍ତ୍ରୀ ଅଛି, ଘର ଅଛି ଯାହା ଚାହୁଁଚି ପୂର୍ଣ୍ଣମାତ୍ରାରେ ନ ହେଲେ ବି କିଛି କିଛି ପାଇଚି ।

 

ମୋର ବେଳେବେଳେ ଇଚ୍ଛାହୁଏ ମୁଁ ଈଶ୍ୱର ହୋଇଯାଆନ୍ତି କି ଯାହା ଭାବନ୍ତି ତାହା କରନ୍ତି କିମ୍ବା ମୋର ଦୁଇଟା ଡେଣା ଲାଗିଯାଆନ୍ତା ଯଦି ମୁଁ ଉଡ଼ିଯାଇ ସ୍ୱର୍ଗରେ ବସନ୍ତି କିମ୍ବା ଏସବୁ ନହୋଇ ଖାଲି ଗୋଟେ ମାଛି ହୋଇଯାଆନ୍ତି କି ସବୁ ସୁନ୍ଦରୀ ଝିଅମାନଙ୍କ ଗାଲରେ ବସନ୍ତି କିମ୍ବା ଗୋଟାଏ ବନ୍ଧା ଟଙ୍କା ହେଇଯାଆନ୍ତି କି, କି ଧନୀ କି ଦରିଦ୍ର ସମସ୍ତଙ୍କ ହାତରୁ ହାତକୁ ଯାଇ ଦୁଃଖ ବୁଝନ୍ତି । ଖାଲି ଏତିକି ନୁହେଁ ୟା’ଠୁ ଆହୁରି ଅଧିକ ସ୍ୱପ୍ନ ମୋ ଭିତରେ ହାଇମାରେ । ମୋର କଣ୍ଠ ନ ଥିଲେ ମଧ୍ୟ ଗୁଣୁଗୁଣୁ ହେଇ ଗୀତ ଗାଇବାକୁ ଭଲପାଏ । ଅନେକ ନିର୍ଜନ ମୁହୂର୍ତ୍ତରେ ମୁଁ ମୋତେ ଗୀତ ଶୁଣାଏ । ମୁଁ ମୋତେ ଖୁସି କରାଏ । ମୁଁ ମୋ କଣ୍ଠ ସ୍ୱରକୁ ମାର୍ଜିତ କରିବାପାଇଁ ସରସ୍ୱତୀଙ୍କୁ ମନେମନେ ପ୍ରଣାମ କରେ, ସାଧୁ ଗୋସେଇଁଙ୍କୁ ଗଞ୍ଜେଇ ଯାଚିଦିଏ । କିନ୍ତୁ ଅସମ୍ଭବ ଆଶାଟା କେବେ କୌଣସି ଦିନ ସମ୍ଭବ ହୁଏନାହିଁ । ସେଥିପାଇଁ ମୋ ମନରେ ଦୁଃଖ ନଥାଏ, ହେଲେ ବି ସ୍ୱୀକାର କରିବାକୁ ବାଧ୍ୟ ନୁହେଁ କିମ୍ବା ଭଲପାଏନି । ନିଜକୁ ଦୁଃଖୀ ବୋଲି କହିବା ଗୋଟେ କାପୁରୁଷ ପଣ ।

 

ସେ ଅନ୍ଧାର ଭିତରେ ମୋତେ ଭଲ ଲାଗୁଥିଲା । ଭୂତ ପ୍ରେତ ଗଳ୍ପ ମନେପଡ଼ୁଥିଲା । ଅତୃପ୍ତ ଆତ୍ମାମାନେ ମରି ମଧ୍ୟ ମରନ୍ତି ନାହିଁ ବୋଲି ଲୋକେ କହନ୍ତି । ସେମାନଙ୍କ ସାମ୍ନାରେ ମଣିଷ ପଡ଼ିଲେ ଦାଉ ସାଧନ୍ତି, ଡରାନ୍ତି । ଇଏସବୁ କେତେ ପରିମାଣରେ ସତ ମୁଁ ଜାଣେନି; କିନ୍ତୁ ମୋ ଭିତରେ ଯେ ସେଇ କାରଣଟି ପାଇଁ ଭୟ ଆସୁଚି ମୁଁ ବୁଝିପାରୁଥିଲି ।

 

ମୁଁ କେବଳ ଅନ୍ଧାର ରାତିର ଭୂତ ପ୍ରେତଙ୍କୁ କିମ୍ବା ଅନ୍ଧାରକୁ ଡରେନାହିଁ, ଡରେ ପୁନିକୁ । ଯେକୌଣସି ନାରୀଟିକୁ ମଧ୍ୟ । ଏଇ ଅନ୍ଧାରଠାରୁ, ଏଇ ଭୂତପ୍ରେତର କଳ୍ପନାଠାରୁ ସେମାନେ ଆହୁରି ଭୟଙ୍କର କାଳ୍ପନିକ । ହଠାତ୍‌ ଡାକବାଜି ଯନ୍ତ୍ରର ସଙ୍ଗୀତ ହେଇଗଲା । ହୁଏତ ଏବେ ଏଠି ଠିଆପାଲା ଆରମ୍ଭ ହେଇଯିବ । ବାୟକ ପୁଅ ଆମ ଆଗେ ଆସି ମଞ୍ଚଉପରେ ପହଞ୍ଚି ସ୍ତୁତିଟିଏ ପଢ଼ିଦେବ । ତାପରେ ଗୋଟି ଗୋଟି ହେଇ ପାଳିଆ ଆସିବେ । ଜୁହାର କରି ଜଣାଣ ପଢ଼ିବେ । ତାପରେ ଆରମ୍ଭ କରିଦେବେ ବାଦ୍ୟର କରାମତି । ବାୟକ ପୁଅକୁ କହିବେ ବଜାରେ ଭାଇ ‘‘ଏଠୁ ନେଇ ସେଠି ଥୁଅ’’ ‘‘ତୁ ଖା’ ତାକୁ ଦେ’–ବଳିପଡ଼ିଲେ ଫୋପାଡ଼ି ଦେ ।’’ ଚକୁଳି ପିଠା ଗୋଲ ଗୋଲ, ବେଶି ଖାଇଲେ ଠିପିରି ଖୋଲ, ହରି ଭରସା ଅଣ୍ଡୁରି ପୁଅଙ୍କୁ ଏତିକି ଦଶା–ଏମିତି କାହିଁରେ କ’ଣ । ତାପରେ ଆସିବେ ଗାୟକ । ଗ୍ରାମର ସେବା କରିବେ–ବିଷୟ ଆରମ୍ଭିବେ ।

 

କିନ୍ତୁ ଗାୟକ କିଏ ମୁଁ ଜଣେନା । ହେଲେ ଆମ ଅଞ୍ଚଳରେ ପାଲା କରିବାରେ କିଛି ଦିନ ଦିଜ ଓଝା ଓ ହରିନାଥ ନାଁ ନେଇଥିଲେ । ଦିଜ ଓଝା ବିଷୟ ବସ୍ତୁର ଚତ୍ମକାର ପରିବେଷଣରେ ତନ୍ମୟ ଭୂମିକା ନେଇ ଲୋକଙ୍କୁ ମୁଗ୍‌ଧ କରିଦିଏ । ହରିନାଥ ଅଳଙ୍କାର ଖଞ୍ଜି ବିଷୟକୁ ନାନା ସ୍ୱର ଓ ଭଙ୍ଗିରେ ଉପସ୍ଥାପନ କରି ଜମେଇଦିଏ । ମୋର ମନେଅଛି ଥରେ ଦିଜ ଓଝା କଚ ଓ ଦେବଯାନୀ ପ୍ରସଙ୍ଗ ପରିବେଷଣ କରୁଥାଏ । କଚର ବିରହରେ ଦେବଯାନୀର କରୁଣ ସଙ୍ଗୀତକୁ ସେ ଏମିତି ଗାଇଲା ଯେ ତା’ ଆଖିରୁ ଠକ୍ ଠକ୍ ଲୁହ ଝରିପଡ଼ିଲା ଯେମିତି ଝୁପୁରୁ ଝୁପୁରୁ ବର୍ଷାରେ ଚାଳରୁ ପାଣି ଝରେ । ମୁଁ ମଧ୍ୟ କାନ୍ଦ କାନ୍ଦ ହେଇ ମଞ୍ଚଉପରୁ ମୁହଁ ଫେରେଇନେଇ ସ୍ତ୍ରୀଲୋକଙ୍କ ଆଡ଼କୁ ଚାହିଁ ଦେଖିଲେ ସେମାନେ ସକ୍ ସକ୍ ହେଇ କାନ୍ଦୁଛନ୍ତି । ପୁରୁଷମାନଙ୍କ ଭିତରୁ କେହି କେହି ନୀରବରେ ମୁଗ୍‌ଧ ଦୃଷ୍ଟିରେ ମଞ୍ଚଆଡ଼କୁ ଚାହୁଁଥିଲେ ଓ ଆଉ କେହି ପରସ୍ପରକୁ କହୁଥିଲେ–ବେଶ୍ ଭଲ କାମ ଦେଖଉଚି ଗାୟକ ।

 

ଏବେ କିନ୍ତୁ ଯାତ୍ରା ପୂଜା ଦେଖିବାର ସଉକ ମୋର ନାହିଁ । ସେହି ପୁରୁଣା ଜିନିଷକୁ ପାଲାବାଲା ନୂଆ ନୂଆ ବାଗରେ ଆଣି ଥୋଉଥିବେ । ଯାତ୍ରା ମଧ୍ୟ ସେମିତି । ଘରେ ବସି ହଜାର ଉପନ୍ୟାସ, ନାଟକ, ଗଳ୍ପ ପଢ଼ା ହେଉଚି ଆଉ ରାତି ଅନିଦ୍ରା ହେଇ ଅଭିନୟ ଦେଖିବାରେ ଲାଭ କ’ଣ ? ବରଂ ସେହି ସମୟରେ ଖଣ୍ତେ ଭଲ ବହି ପଢ଼ାଯାଇ ପାରିବ । ତାପରେ ଯାତ୍ରା କିମ୍ବା ପାଲାକୁ ସବୁ ଲୋକ ଏକା ଉଦ୍ଦେଶ୍ୟରେ ଯାଇନଥାନ୍ତି । କେହି କେହି ସମ୍ପୂର୍ଣ୍ଣ ଗଳ୍ପଟାକୁ ବୁଝିବାରେ ଆଗ୍ରହୀ କେହି କେହି କମେଡ଼ି ଦେଖନ୍ତି, ଆଉ କେହି ଡୁଏଟ୍, କେହି ବଜାର ସଉଦା ଇତ୍ୟାଦି ନାନା ଦୃଷ୍ଟି–କୋଣ ନେଇ ଲୋକ ଜମା ହେଇଥାଆନ୍ତି । ମୋଭଳି ମଧ୍ୟ କେହି ଆଦୌ ଯାତ୍ରା ଦେଖିବାକୁ ଭଲପାଆନ୍ତି ନାହିଁ । ହରେକ ଲୋକଙ୍କର ହରେକ ରକମର ରୁଚି–କାହାକୁ ଭଲ ଲାଗିଲା ତ ସେମାନେ ପରସ୍ପର ନିକଟେଇ ଗଲେ । ସମ୍ପର୍କ ବଢ଼ିଲା, ଅନୁଭୂତି ମଧ୍ୟ ।

 

ମୁଁ ପାଖେଇ ଆସୁଥିଲି ବ୍ରାହ୍ମଣ ସାହିର ଗୋହରି ଭିତରେ ପୂଜା ମଣ୍ତପ ପାଖକୁ । ସେ ଗୋହରିଟା ଖୁବ୍ ଅଣଓସାରିଆ । ଦୁଇଜଣ ଲୋକ ପରସ୍ପରକୁ ଅତିକ୍ରମ କରି ଯିବାପାଇଁ ଭାରି ଅଡ଼ୁଆ । ଯଦି ମୁଁ ବୁଲି ଆସିଥାଆନ୍ତି ଚଉଡ଼ା ଦାଣ୍ତରେ, ଭଲ ହୋଇଥାଆନ୍ତି । ଏ ଅଖମରିଆ ବାଟଟା ଭାରି ଅଡ଼ୁଆ ହେଉଥିଲା ଚାଲିବାକୁ । ମୁଁ ଫେରିଯିବି ବୋଲି ଭାବୁଥିଲି । ପୁଣି କାହିଁକି ମନହେଲା ନାହିଁ । ଆସ୍ତେ ଆସ୍ତେ ଆଗକୁ ବଢ଼ୁଥିବାବେଳେ ଗୋଟାଏ ଟର୍ଚ୍ଚ ଆଲୁଅ ପଡ଼ିଲା । ବାଟର କେତେକାଂଶ ଆଲୋକିତ ହେବାରୁ ମୋତେ ଚାଲିବାପାଇଁ ସୁବିଧା ହେଲା । ଦୁଇକଡ଼ର ପିଣ୍ତା ଧାରକୁ ଆଉ ହାତ ମାରି ମାରି ଅନ୍ଧଙ୍କ ଭଳି ଖାତଖମା ବାରି ଚାଲିବାକୁ ପଡ଼ିଲା ନାହିଁ ।

 

ଟର୍ଚ୍ଚ ଆଲୁଅଟା ମୋର ପାଖେଇ ଆସୁଥିଲା ଓ ମୁଁ ସମ୍ପୂର୍ଣ୍ଣ ଦିଶୁଥିଲି ସେ ଆଲୁଅରେ । ହଠାତ୍ ଟର୍ଚ୍ଚଟା ଲିଭେଇଦେଇ ମୋ ସାମ୍ନାରେ ଗୋଟିଏ ନାରୀ ମୂର୍ତ୍ତି ଲାଭ ହେଲା । ମୁଁ ଚିହ୍ନିନପାରି ପଚାରିଲି–କିଏ ?

 

ଉତ୍ତର ଆସିଲା–ମୁଁ, ଭାରି ଗମ୍ଭୀର ଓ ଚୁପ୍‌ଚାପ୍ ଥିଲା ଏଇ ମୁଁ ଶବ୍ଦଟା । କିନ୍ତୁ ମୁଁ ଅବା କେମିତି ଚିହ୍ନିବି ସେଇ ମୁଁ ଉଚ୍ଚାରଣ କରିଥିବା ଲୋକଟି କିଏ । ଖାଲି ନିରୂପାୟ ଅପେକ୍ଷା ଥିଲା ମୋ ପାଇଁ ଶ୍ରେୟସ୍କର । ଆଉ କ’ଣ ପ୍ରଶ୍ନ କରାଯାଇ ପାରେ ମୁଁ ଭାବିପାରୁନଥିଲି । ପୁଣି ସେଇ ନାରୀଟି କହିଲା–କ’ଣ ପାଲା ଦେଖି ଆସିଚ ମଳୟ ଭାଇ ?

 

ଏମିତି ସମ୍ବୋଧନଯୁକ୍ତ ପ୍ରଶ୍ନଟାର ଉତ୍ତର ମୁଁ ଦେଇପାରିଲି ନାହିଁ । ଦେବାପାଇଁ ମାନସିକ ପ୍ରସ୍ତୁତି ନ ଥିଲା । ଠିକ୍ ଜାଣିପାରୁନଥିବାରୁ ମୁଁ ଗାଁର ପରିଚିତା ପ୍ରତ୍ୟେକ ଝିଅବୋହୁଙ୍କୁ ମନେପକାଉଥିଲି । ସେହି ସମୟରେ ସେ କହିଉଠିଲା–କ’ଣ ଚିହ୍ନିପାରୁନା ? ହଁ, କାହିଁକି ଚିହ୍ନିବ ? ବଡ଼ ଲୋକ ତମେ, ବଡ଼ ବଡ଼ କଥା ଏଗୁଡ଼ାଙ୍କୁ ଚିହ୍ନିବା କି ମନେରଖିବା କ’ଣ ଦରକାର ?

କିଏ ରେଣୁ ? ଅଳ୍ପକେ ହସିବାର ଅଭିନୟ କଲାଭଳି କହିଲି ଚିହ୍ନିବିନି, ମନେରଖିବିନି କାହିଁକି ? ତୋ ହାତରେ ସିନା ଟର୍ଚ୍ଚ ଅଛି ବୋଲି ତୁ ମୋତେ ଚିହ୍ନିଗଲୁ । କିନ୍ତୁ ଏ ଅନ୍ଧାର ଭିତରେ ମୁଁ ତୋତେ କେମିତି ଚିହ୍ନିବି ?–କହିସାରି ମୁଁ ତାକୁ ଭଲକରି ଲକ୍ଷ୍ୟକଲି ।

ଅନ୍ଧାରର ନିଜସ୍ୱ ଆଲୋକରେ ମୁଁ ତା’ କାଖରେ ପିଲାଟିଏ ଥିବାର ଦେଖିପାରିଲି ଓ ପଚାରିଦେଲି ଇଏ ତୋର ପୁଅ ନା ଝିଅ (ଟର୍ଚ୍ଚ ଟିକେ ମାରିଲୁ ମୁଁ ଦେଖେ ।)

ସେ ଟର୍ଚ୍ଚ ନ ଜାଳି କହିଲା–ଝିଅଟାଏ ।

ତା’ କଥାରେ କେମିତି ଗୋଟାଏ ଅନ୍ୟ ରକମର ବ୍ୟଞ୍ଜନା ଫୁଟିଉଠୁଥିଲା । ମୁଁ କହିଲି ଝିଅଟାଏ ବୋଲି କ’ଣ ତା’ ପାଇଁ ତୁ କଷ୍ଟ କରିନୁ ? ତେବେ ଏତେ ହେୟଜ୍ଞାନ କରୁଚୁ କାହିଁକି ?

ସେ ମୋ କଥାଆଡ଼କୁ କାନ ନ ଦେଇ ପଚାରିଲା–କେବେଠାରୁ ଆସିଲଣି ?

ଏଇ ପଅରଦିନରୁ ।

କ’ଣ ଖାଲି ଘରେ ପଶି ରହୁଚ ? ବାହାରକୁ ଆସୁନା ?

କିଏ କହିଲା ?

ଘରେ ଗଣ୍ତେ ଖାଇବାକୁ ଅସର ମିଳୁନି ବୋଲି ସମସ୍ତେ ମୋଉପରେ ଅସନ୍ତୁଷ୍ଟ ହେଇ କହୁଛନ୍ତି ୟା’ର ସେଇ କଥାଗୁଡ଼ାକ ଆଜିଯାଏ ଗଲାନି । ଘରକୁ ଆସିଲୁ ଟିକେ ରହି କି ନିଜ ଘର ସଂସାର ବିଷୟରେ ଦୁଃଖସୁଖ କର, ସେ କଥା ନାହିଁ ଖାଲି ସେଇ ବାହାରେ ।

ଆଉ ଆମ ଘରଆଡ଼େ ତ ଦିନେ ଆସୁନା ?

ତମ ଘର ଲୋକମାନେ ତ ଆମ ଘରକୁ କେବେ କେହି ଆସନ୍ତିନି । ତାପରେ ତୁ ଆସିଚୁ ବୋଲି ମୁଁ କେମିତି ଜାଣିଲି ଯେ ? ଜାଣିଥିଲେ ତୋ କହିବା ପୂର୍ବରୁ ନିଶ୍ଚୟ ଆସି ପହଞ୍ଚିଥାଆନ୍ତି ।

ହଉ ହେଲା, ମୋ ଝିଅ ଶୋଇଲାଣି, ଟିକେ ମୋ ସାଙ୍ଗରେ ଚାଲିଲ ମୁଁ ତାକୁ ଶୋଇଦେଇ ଆସେ ।

ମୁଁ ମନା କରିପାରିଲି ନାହିଁ । ତା’ ସଙ୍ଗରେ ତାଙ୍କ ଘର ପର୍ଯ୍ୟନ୍ତ ଯିବା ଉଦ୍ଦେଶ୍ୟରେ ଲେଉଟିଲି ଓ ଆଗେ ଆଗେ ଚାଲିଲି । ସେ ମୋ ପଛଆଡ଼ୁ ଟର୍ଚ୍ଚମାରି ଚାଲୁ ଚାଲୁ ପଚାରିଲା ଆଉ ଯିବ କେଉଁଦିନ ? କେତେଦିନ ଛୁଟି ଆଣିଚ ?

ଯଦି ସମ୍ଭବ ହୁଏ ମୁଁ କାଲି ଚାଲିଯିବି ।

 

ଏତେ ଜଲଦି କ’ଣ ଘରକୁ ଆସିଚ ଯେତେବେଳେ ନିହାତି ଆଠ ଦଶଦିନରୁ କ’ଣ କମ୍ ଛୁଟି ଆଣିଥିବ ?

 

ତୁ କ’ଣ ଭାବିଲୁ କି ମୁଁ କଲିକତା କିମ୍ବା ବମ୍ବେର କୋଉ କଳକାରଖାନାରେ ଚାକିରି କରିଚି । ନିହାତି ବର୍ଷକରେ ଥରେ ଯେତେବେଳେ ଆସିଚି ଦି’ ତିନିମାସ ଛୁଟିଆଣି ଆସିବି । ସେମିତି ତ ପ୍ରତିମାସରେ ଦି’ ଚାରିଦିନ ଲେଖା ଛୁଟିରେ ରହିବାକୁ ପଡ଼ୁଚି ଘରେ । ଆଉ ଏତେ ଛୁଟି ଆସିବ କେଉଁଠୁ ?

 

କିଏ କହୁଥିଲା ତମେ କାଳେ ପାଞ୍ଚବର୍ଷ ହେଲା ଘରକୁ ଆସିନା ? କାହିଁ ମୁଁ ଦେଖୁନି କେବେ ତମେ ପ୍ରତି ମାସରେ ତିନି ଚାରିଦିନ ଘରେ ରହୁଚ ବୋଲି ?

 

ଆସେ କ’ଣ ଘରକୁ ?

 

ଓଃ, ଭାଉଜଙ୍କ ପାଖରେ–ମୁଁ ବୁଝିଲି । ଭାଉଜଙ୍କୁ ମୁଁ କେବେ ଦେଖିନି । ଥରକ ପାଇଁ ସେ ଗାଁକୁ ଆସିନାହାନ୍ତି ଆଉ ଦେଖିବି କେଉଁଠି ? ଖାଲି ଯାହା ଶୁଣିଚି ସେ କାଳେ ଭଲ ଚାକିରିଟାଏ କରିଛନ୍ତି, ତମଠୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ତାଙ୍କ ଦେହପା’ କେମିତି ଅଛି ?

 

ଭଲ ଅଛି ଏକ ରକମ–କହିସାରି ମୁଁ ତା’ଆଡ଼କୁ ଅଳ୍ପଟିକେ ବୁଲି ଚାହିଁଲି । ପଚାରିଲି–ପୁଅ କ’ଣ ନିଦରେ ଶୋଇଯାଇଚି ?

 

ପୁଅ ନୁହେଁ ଝିଅ ।

 

ହଁ, ଭୁଲିଯାଇଥିଲି । ମୋ ଭିତରେ ପୁଅ କଥାଟା ହିଁ ବେଶି ମନକୁ ଆସୁଥିଲା । ସମସ୍ତଙ୍କ କୋଳରେ ସୁନ୍ଦର ପୁଅ ବସିଥିବାର ମୁଁ ଅନୁଭବ କରିପାରୁଥିଲି । କେଳୁଣି କୋଳରେ ପୁଅ, ପୁନି କୋଳରେ ପୁଅ, ରେଣୁ କୋଳରେ ପୁଅ–ଖାଲି ପୁଅମାନେ; ଭବିଷ୍ୟତର ବଂଶଧରମାନେ କେତେ ଜୀବନ୍ତ ଦିଶୁଛନ୍ତି ଆଖିଆଗରେ । ରେଣୁ କହିଲା–ଛୁଆଟା ମୋତେ ବଡ଼ ହରକତ କଲାଣି । ଟିକେ ପାଲା ଦେଖିବି ବୋଲି ଭାବିଥିଲି ଯେ ଖାଲି କାନ୍ଦି କାନ୍ଦି ଶୋଇପଡ଼ିଲା । କେତେ ସମୟ ଧରି ବସି ରହିବି ? ଘରେ ବୋଉପାଖରେ ନେଇ ଛାଡ଼ିଆସିଲେ ସେ ରଖିବ ।

 

ମୁଁ ତାଙ୍କ ଘର ସାମ୍ନାରେ ଛିଡ଼ାହେଲି ଓ ସେ କବାଟ ଫିଟେଇ ଭିତରକୁ ଗଲା । ମୋତେ ଖୁବ୍ ଅସ୍ୱାଭାବିକ୍‌ ଲାଗୁଥିଲା ଏମିତି ଦେଖାହେବାଟା । ରେଣୁ ସହ ମୋର କେବେ ସମ୍ପର୍କ ଥିଲା ତାକୁ ଦେଖିବାରୁ ହିଁ ମୋର ମନେପଡ଼ିଲା । ଅନ୍ୟ କୌଣସି ଦିନ ତା’ କଥା ମୁଁ ଭାବିନାହିଁ । ଏପରିକି ତା’ ମୁହଁ ମଧ୍ୟ ଖୋଜି ପାଏନାହିଁ ଏବେ । ଛୋଟ ଫ୍ରକ୍ ପିନ୍ଧା ଝିଅଟାଏ ସେତେବେଳେ ରେଣୁ । ଅଳ୍ପଟିକେ ମୋଟି–ଚାଲିଲାବେଳେ ଚମକିଯାଏ ଗାଁ ଦାଣ୍ତ । ଶ୍ୟାମଳୀଟିଏ । ମାଠି ମୁଠି ହେଇ ବେଶ୍ ସ୍ୱାସ୍ଥ୍ୟବତୀ । ଏମିତି ଅଚାନକ ତା’ ସଙ୍ଗରେ ଦେଖାହେଲା ବାଟରେ ଯେ ତାକୁ ସାଇକଲରେ ବସେଇ ଗାଁଯାଏ ଆଣିବାକୁ ପଡ଼ିଲା । ତାପରେ ତାଙ୍କ ଘରକୁ ଯାଇଚି ଅନେକଥର । ସେ ମୋତେ ଦେଖି ଖୁସିହେଇଚି । ତା’ ଆଖିରେ ଆଲୁଅ ଫିଟି ପଡ଼ିବାର ଦୃଶ୍ୟ ମୁଁ ଦେଖିଚି । କିନ୍ତୁ ମୁଁ ତାକୁ ପସନ୍ଦ କରିନଥିଲି ଏଇଥିପାଇଁ ଯେ, ମୁଁ ଭାବିନେଇଥିଲି ଆଉଟିକେ ବୟସ୍କ ହେଇଯିବା ପରେ ତା’ ଦେହଟା ମେଦବହୁଳ ହେଇଗଲେ କୁତ୍ସିତ ଦିଶିବ । ଏସବୁ ସତ୍ତ୍ୱେ ମଧ୍ୟ ମୋର ତା’ ପ୍ରତି କିଛିଟା ଦୁର୍ବଳତା ଥିଲା । ମୁଁ ମୋଟାମୋଟି ଭଲ ନ ପାଇବାକୁ ଚେଷ୍ଟା କରି ସୁଦ୍ଧା ଭଲପାଉଥିଲି । କିନ୍ତୁ ଏତେଟା ଭଲପାଏ ବୋଲି ମୁଁ ଜାଣିନଥିଲି ।

 

ରେଣୁ ଘରଭିତରୁ ଏକୁଟିଆ ବାହାରିଲା ପରେ ମୁଁ ପୁଣି ଆଗୁଆ ଚାଲିବାକୁ ଲାଗିଲି । ସେ ମୋତେ ପଚାରିଲା–କ’ଣ ପାଲା ଦେଖିବାକୁ ବ୍ୟସ୍ତ ହେଇପଡ଼ିଲଣି ନା କଅଣ ?

 

ନା, ନା, ବ୍ୟସ୍ତ ଗୋଟାଏ କ’ଣ ? ମୋତେ ପୂଜା ମେଳା ଦେଖିବାକୁ ଭଲଲାଗେନା । ଘରେ ନିଦ ନ ହେବାରୁ ଚାଲିଆସିଲି–କହି ମୁଁ ମୋ ଚାଲିର ବେଗ କମେଇଦେଲି ଓ କହିଲି–ତୁ ଆଜିକାଲି ଭଲରେ ଅଛୁନା ?

 

ସେ କିଛି କହିଲାନି ଆପାତତଃ କିଛି ସମୟ । ମୁଁ ତା’ ନୀରବତାକୁ ଚିହ୍ନିପାରିଲି ନାହିଁ । ମୁଁ ଭାବୁଥିଲି ହୁଏତ ରେଣୁ ସେ ଅତୀତ କଥା ମନେପକାଉଥିବ କିମ୍ବା ତା’ ପରବର୍ତ୍ତୀ ଘର ସଂସାର ଦୃଶ୍ୟ ଅବା ଅଳିକ ପ୍ରେମ ପ୍ରଣୟ ସମ୍ପର୍କରେ । ସତରେ ପ୍ରେମ ଗୋଟାଏ ଅଦ୍ଭୁତ ଅନୁଭୂତି । ପାଦେ ଆଗେଇଲେ ଇଚ୍ଛା ବଦଳେ, ପ୍ରେମର ରୂପ ଅନ୍ୟ ରକମ ଧରେ । ମୋ ଜୀବନ ଭିତରେ ମୁଁ କାହାକୁ ଶେଷ ପର୍ଯ୍ୟନ୍ତ ପ୍ରେମିକା ବୋଲି ଭାବିପାରିନାହିଁ । ଯେତେବେଳେ ଯାହାର ନିକଟତର ହେଇଚି, ସେ ହିଁ ମୋର ହେଇଚି । ମୁଁ ତା’ ପାଇଁ ନିଜକୁ ଉଜାଡ଼ି ଦେଇଚି । କିନ୍ତୁ ରେଣୁକୁ ମୁଁ ପ୍ରେମ କରୁଥିଲି ନିଶ୍ଚୟ । ଠିକ୍ ମନେପଡ଼ୁଚି, ସିଏ ଟିକେ ଅହଂକାରୀ ଥିଲା । ତାଙ୍କ ପରିବାର ବ୍ୟବସ୍ଥା ଆମଠାରୁ ବେଶ୍ ଭଲ ଥିଲା । ମୋ ମନଭିତରେ ତା’ପାଇଁ ଯେଉଁ ପ୍ରଚ୍ଛନ୍ନ ସଦିଚ୍ଛା ଥିଲା ତାହା କେବଳ ତା’ର ଅହଙ୍କାର ହିଁ ନଷ୍ଟ କରିଦେଲା । ମୋତେ ଆଉ ଆଗେଇବାକୁ ଛାଡ଼ିଦେଇନଥିଲା । ତା’ ସତ୍ତ୍ୱେ ସେ ମୋତେ ଖୁବ୍ ବେଶି ଭଲପାଉଥିଲା । ପ୍ରତିଦିନ ଗପସପ କରିବାକୁ ଓ ଦେଖିବାକୁ ଚାହୁଁଥିଲା ।

Unknown

 

ତମ ସଙ୍ଗରେ କେବେ ଦିନେ ଦେଖାହେବ ବୋଲି ମୁଁ ଚାହୁଁଥିଲି । ଅନେକ କଥା କହିବାକୁ ଥିଲା–କହି ରେଣୁ କିଛି ସମୟ ଛିଡ଼ା ହୋଇଗଲା । ହୁଏତ ଭରସି ପାରୁନଥିଲା କହିବା ପାଇଁ, ତେଣୁ ଅନୁମତି ସୂଚକ ବାକ୍ୟଟିଏ କହି ଅଟକି ଗଲା । ମୁଁ ପଚାରିଲି କ’ଣ କହୁନୁ ?

 

ତମେ ପୂଜା ଦେଖିବାକୁ ଆସିଚ, ସମୟ ନଷ୍ଟ କରି ମୋ କଥା ଶୁଣିପାରିବ କ’ଣ ?

 

ଧେତ୍ ପୂଜା ଦେଖିବା ମୋ ରୁଚିବିରୁଦ୍ଧ ବୋଲି କହିଲି ପରା, ତୁ କ’ଣ କହୁନୁ କାହିଁକି ?

 

ତେବେ ଚାଲିଯିବା ଆମ ବାଡ଼ିପଟ ପିଣ୍ତାଉପରକୁ ।

 

ମୁଁ ବଡ଼ ଅଡ଼ୁଆରେ ପଡ଼ିଗଲି । ଏ ଅନ୍ଧାର ରାତିରେ ଗୋଟେ ଅଳ୍ପ ବୟସ୍କା ନାରୀ ସଙ୍ଗରେ ଯିବାଟା ଯଦି କେହି ଦେଖେ ଖରାପ ଭାବିବ ନିଶ୍ଚୟ । ତା’ପରେ ବାଡ଼ିପଟ ପିଣ୍ତାରେ ମୋତେ କ’ଣ କହିବ–ଏମିତି ଏକ ସମ୍ଭାଷଣର ଉଦ୍ଦେଶ୍ୟ ମୋପାଖରେ ରହସ୍ୟମୟ ହେଇଉଠୁଥିଲା । ତଥାପି ମୁଁ ଏହାକୁ ଏକ ପରୀକ୍ଷାମୂଳକ ସୁଯୋଗଭାବେ ଗ୍ରହଣ କରିନେବାକୁ ମାନସିକ ପ୍ରସ୍ତୁତିରେ ଥିଲି । ପୁଣି କିଛି ମାତ୍ରାରେ ଯୌନ ଚିନ୍ତାରେ ବୁଡ଼ି ଯାଉଥିଲି ଓ ତାହା ଗୁରୁତ୍ୱହୀନ ମନେହେଉଥିଲା । ଅତୀତରେ ମୁଁ ଯାହାକୁ ସ୍ୱପ୍ନ ଦେଖିଥିଲି, ଯାହାର ଦେହକୁ ଆଙ୍କି ଯାଉଥିଲି କଳ୍ପନା ଚକ୍ଷୁରେ ସେ ଆଜି ପାଖରେ ଥିଲେ ମଧ୍ୟ ସମୟ ତା’ ଦେହକୁ ବଦଳେଇଦେଇଚି-। ମୁଁ ପଚାରିଲି, ତୋତେ କ’ଣ ଶାଶୁ ଘରେ ଏତେ ବେଶି ଖଟଣି ପଡ଼େ ? ତୋ ଆଗଦେହ ନଥିଲା ପରି ଜଣାପଡ଼ୁଚି ?

 

ତଥାପି ସେ ନୀରବରେ ଚାଲିଥିଲା ମୋ ଆଗେ ଆଗେ । ମୋତେ ଠିକ୍ ତା’ର ଏଇ ନୀରବତାଟା ଜଣାପଡ଼ିଲା । ପ୍ରଶ୍ନର ଉତ୍ତର ଅପେକ୍ଷାରେ ମୁଁ ମଧ୍ୟ ନୀରବ ହେଇଗଲି । ଆକାଶରେ ମିଟି ମିଟି ତାରା, ତଳେ ଅନ୍ଧାର । ସେଇ ଅନ୍ଧାର ଭିତରେ ଡେଙ୍ଗା ନଡ଼ିଆଗଛଗୁଡ଼ାକ ବାରି ହେଇପଡ଼ିଲେ ବି ପଇଡ଼ କାନ୍ଦି ଦିଶୁନଥିଲା । ମୁଁ ମୋ ଭିତରେ ଚମକ ଅନୁଭବୁଥିଲି । ପଛଆଡ଼ୁ ମୋତେ କିଏ ଟାଣିଧରି କହୁଥିଲା–ଛାଡ଼ ମଳୟ ! ବୋହିଗଲା ପାଣି ଓ ଛାଡ଼ିଆସିଲା ଗାଁକୁ ମନେ ପକେଇଲେ ଦୁଃଖ ପାଇବ ସିନା; ଲାଭ କିଛି ହେବ ନାହିଁ ।

 

ମୁଁ କହିଲି–ଦୂର୍ ବୋକା, ଠାକୁର ଅନୁକୂଳ ଚନ୍ଦ୍ର କହିଛନ୍ତି–ଅନ୍ୟ ବାଁଚାଏ ନିଜେ ଥାକେ, ଧର୍ମ ବଳେ ଜାନିଷ୍ ତାକେ ।

 

ମୋ ମୁଣ୍ତଟା ଝାଇଁ ଝାଇଁ ହେଇଗଲା । ଜଣେ ମଳୟ ଅନ୍ୟ ମଳୟଟିର କାନ ମୋଡ଼ିଦେଇ ଜୋରରେ କହିଲା–କ’ଣ କହିଲୁ, ମୁଁ ବୋକା, ହଇବେ କି ଧର୍ମ ଦେଖଉଚୁ ? ଦେହ ଧର୍ମଠାରୁ କେଉଁ ଧର୍ମ ବେଶି ବଡ଼ ଏ ପୃଥିବୀରେ ? ମହାପୁରୁଷ ବୋଲି ଯେକେହି ଥିଲେ ବା ଅଛନ୍ତି ବୋଲି ଲୋକେ କହନ୍ତି ସେଗୁଡ଼ା ନିହାତି ଗାଲୁଆ, ଭଣ୍ତ, ପ୍ରତାରକ । ମୁହଁରେ ଧର୍ମ ଭିତରେ କେବଳ ଦେହକର୍ମ ।

 

ମୁଁ ଦୁଇ ହାତ ଯୋଡ଼ି ତା’ପାଖରେ ସାନ ପିଲାଟିଏ ଭଳି ବିନୀତ ଭାବେ କହିଲା–ସବୁ ମଣିଷ ସବୁ କଥାକୁ ଏକା ଅର୍ଥରେ ଗ୍ରହଣ କରନ୍ତି ନାହିଁ ବାବୁ, ତମେ ତା’ ଭିତରେ ନିଜକୁ ଦେଖିନା-। ଦୟାକରି ମୋତେ ବାଧ୍ୟ କରନି ।

 

ପୁଣି ସେଇ ହାକିମି ସ୍ୱରରେ ସେ ମୋତେ କହିଲା–ଦେଖ୍ ତୁ ଯାହା ତୋ ଜୀବନ ଭିତରେ କରିପାରିନୁ ମୁଁ ତା’ କରିଦେବି ।

 

ଏଇ ଅମୀମାଂସିତ ଝଗଡ଼ାଟା ଭିତରେ ତାଙ୍କ ପିଣ୍ତାଉପରେ ଆମେ ଦୁହେଁ ବସିଲୁ । କିଛିଟା ନୀରବତା ଭିତରେ ସେଇ ପୂର୍ବ ଝଗଡ଼ାର ସ୍ୱର ଗୁମୁରିଉଠୁଥିଲା ଓ ମୋ ହାତଟାକୁ ନେଇ ତା’ ବାଁହାତ ଉପରେ ଜୋର କରି କିଏ ଥୋଇଦେଲା । ମୋ କଥା ଆଦୌ ଶୁଣିଲା ନାହିଁ । ରେଣୁ କିନ୍ତୁ ମୋ ହାତରେ ସ୍ପର୍ଶରେ କିଛି ପ୍ରତିକ୍ରିୟା ସୃଷ୍ଟି କଲା ନାହିଁ । ଧୀରେ ତା’ ହାତଟାକୁ ମୁଁ ତା’ ମଣିବନ୍ଧ ପର୍ଯ୍ୟନ୍ତ ଖସେଇଆଣି ଚମକିପଡ଼ିଲି । ସ୍ତ୍ରୀଲୋକଟାର ସାଧା ହାତଟାଏ, ଚୂଡ଼ି ଶୂନ୍ୟ । ମୁଁ ଭୟ ପାଇଲି । ମୋ ପାଟିରେ ଭାଷା ଆସିଲା ନାହିଁ । କେମିତି ଗୋଟେ କରୁଣ ସ୍ୱରରେ ଡାକିଲି–ରେଣୁ ।

 

ହଁ, ମୁଁ ସେଇ ରେଣୁ–ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ସେ କହିଲା ।

 

ତୋର ଏ କ’ଣ ହେଲା ରେଣୁ ! ତୁ କ’ଣ ମୋ ବ୍ୟାକୁଳ କଣ୍ଠସ୍ୱର ସ୍ତିମିତ ହେଲା ।

 

–ବିଧବା ।

 

ମୁଁ ଆଉ କିଛି କହିପାରିଲିନି । ଦୁଃଖରେ ମୋ ଆଖିପତା ଭିଜିଯାଇଥିଲା ବରଫ ମାଡ଼ଖିଆ ପିଚୁ ରାସ୍ତାଟିଏ ପରି । ତା’ ହାତ ଖସିଆସିଲା ସଦ୍ୟ ମୃତ ଏକ ଶିଶୁର ହାତଭଳି । ସେ ପଚାରିଲା–କ’ଣ ହେଲା ତମର ? ମୋ ହାତ ଉପରେ ହାତ ରଖ ମୁଁ ଶାନ୍ତ ପାଇବି ।

 

ରେଣୁ ! ମୁଁ ଶଙ୍କିତ ଗଳାରେ ଚୁପ୍ କରି ଡାକିଲି ସତ କିନ୍ତୁ ସେ ଶବ୍ଦଟା ନିଃଶବ୍ଦ ରାତିର କୋଳରେ ପିଟିହେଇ ପ୍ରତିଧ୍ୱନି ସୃଷ୍ଟି କଲା ସତେଯେମିତି ଅତଡ଼ା କଡ଼ରେ ପବନରେ ପିଟିହେଉଥିବା ପାଣିର ଶବ୍ଦ ଭଳି ।

 

ତମ ପାଇଁ... । ତମର ଇଚ୍ଛାଗୁଡ଼ିକ କି ଉପାଦାନରେ ଗଢ଼ା ? ମୁଁ କେବଳ ଏତିକି ପଚାରୁଚି ଆଜି, ଏତିକି ?

 

ମୁଁ ତା’ର ଏମିତି ପ୍ରଶ୍ନର ଅର୍ଥ ବୁଝିପାରୁନଥିଲି । କେବଳ ନୀରବ ଦୁର୍ବୋଧ୍ୟତାରେ ମୁଁ ଚାହିଁ ଦେଖୁଥିଲି ଅନ୍ଧାରକୁ ।

 

ସତରେ ତମର ସ୍ମୃତି ମୋତେ ଏ ଅବସ୍ଥାକୁ ଟାଣିଆଣିଚି । ତମେ ବିଶ୍ୱାସ କରିବ କି ନା ମୁଁ ଜାଣେନା । କିନ୍ତୁ ମୁଁ କେବଳ ମୋ ଜୀବନ ଭିତରେ ତମକୁ ହିଁ ଚାହିଁଥିଲି । ତମେ ଆସିଲନି କି ଧରାଦେଲନି । ବାଧ୍ୟହୋଇ ମୋତେ ଆଉ ଜଣଙ୍କର ହାତଧରି ପରଘରକୁ ଯିବାକୁ ହେଲା । ବାପା ମା’ଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ହେଲା, ବଧେଇ ଜଣେଇବାକୁ ପଡ଼ିଲା । ତମ ରାଣ ଖାଇ କହୁଚି, ମୋ ଜୀବନରେ ତମ ପାଦ ପଡ଼ିବାଦିନୁ ସୁଖ ବୋଲି କ’ଣ ମୁଁ ଜାଣିନି । ହାତଧରି ବାହାହେଲି ଯାହାକୁ ସେଇଟା ମଣିଷ ନଥିଲା, ଥିଲା ଗୋଟାଏ ମାଂସଲୋଭୀ ପଶୁ । ମନର ମୂଲ୍ୟ ତା’ ପାଖରେ କିଛି ନ ଥାଏ । ସେଇଟା ନିହାତି ମୂର୍ଖ । ବିଲରେ ଖଟେ, ମୋଉପରେ ଦେହର ବଳ ସାରେ । ମୁଁ ବେଳେବେଳେ ତମର କଥା ହିଁ ତାକୁ ବୁଝାଏ । ତମ ଚାଲିଚଳନ ଓ ନିରାସକ୍ତ ବ୍ୟବହାର କଥା ମୋ ପାଟିରୁ ଶୁଣି ସେ ଜମା ସହିପାରେନି, ସେ ମୋତେ ଭୀଷଣ ମାରେ । ମୋର ସେ ମାଡ଼ ସବୁ ଦେହସୁଆ ହେଇଯାଇଥିଲା । ମୁଁ ଜାଣିଥିଲି ତାକୁ ଯେତେ ରକମର ଗାଳିଗୁଲଜ କଲେ ମଧ୍ୟ ସେ ପୁଣି ଛେଳିଛୁଆଟାଏ ଭଳି ଜାକିଜୁକି ହେଇ ପାଖକୁ ଆସିବ, ବଳେଇ ପଶିବ । କିନ୍ତୁ କ’ଣ ହେଲା ଜାଣ ?

 

ମୁଁ ତାକୁ କୌଣସି ଦିନ ପାଇଁ ବଡ଼ ବୋଲି ଭାବିନି । ତମର ଇମେଜ୍ ମୋ ଆଖିସାମ୍ନାରେ ସବୁବେଳ ପାଇଁ ନାଚେ । ପ୍ରକୃତରେ ମୁଁ ତମକୁ ପାଇଥିଲେ ଯେ ଖୁସିହେଇଥାନ୍ତି ସେମିତି କିଛି ନୁହେଁ । ମୁଁ ଚାହିଁଥିଲି ତମରି ଭଳି ଜଣକୁ । ତମେ ମୋ ଭିତରେ ଯେଉଁ ଅବଶୋଷର ପାହାଡ଼ ତୋଳିଦେଲ ତାକୁ ମୁଁ ପର କରିପାରିଲିନି । ମୋର ଶେଷ ଆଶା ହିଁ ସେଇଆ ଥିଲା । ଗୋଟାଏ ମାଟ୍ରିକ୍ ପାଶ୍ କରିଥିବା ଝିଅ କ’ଣ ଚାହିଁବନି ଯୋଗ୍ୟ ଲୋକଟିଏ ?

 

ଆମ ପରିସ୍ଥିତି ସେ ବେଳରେ ବାହାରକୁ ଯଥେଷ୍ଟ ଉନ୍ନତ ଥିଲେ ମଧ୍ୟ ଭିତରେ କେବଳ ଫମ୍ପା ଥିଲା । ନାଁ ବିକି ମଣିଷ ଚଳେ କେତେଦିନ ? ସାମାଜିକ ମର୍ଯ୍ୟାଦାକୁ ଜାବୁଡ଼ି ଧରେ ?

 

ଯୌତୁକ ଦେବାପାଇଁ ବାପାଙ୍କ ହାତରେ ଧନ ନ ଥିଲା । ତଥାପି ଜମି ବିକିଥିଲେ ମୋ ବାଘରକୁ । ବୋଉକୁ କହିଥିଲି ମୋ ମନର କଥା । କିନ୍ତୁ ଉପାୟ କିଛି ନଥିଲା । ଯୌତୁକ ପ୍ରଥାଟା ଚାରିଆଡ଼େ ବାପାଙ୍କୁ କାଳ ହେଲା । ମୁଁ ଖୁବ୍ ମୋଟି ହେଇଯାଇଥିଲି ବୋଲି ଥଟ୍ଟା ନକରିବା ଲୋକେ କିଏ କେତେ ବାଗରେ କେତେ କଥା କହୁଥିଲେ । ଯାହାପାଇଁ ବାପା ମୋତେ ଏମିତି ଗୋଟେ ବାହା କରିଦେଲେ ଯେ, ସେ ଲୋକଟା ସାଙ୍ଗରେ ମୋର ଆଦୌ ପଡ଼ୁନଥିଲା । ପାଠପଢ଼ି ଶିକ୍ଷିତ ବୋଲି ପରିଚୟ ଦେଉଥିବା ପୁରୁଷଗୁଡ଼ାକ ଏତେ ମିନ୍ ମାଇଁଣ୍ତେଡ଼୍ ?

 

ମୁଁ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ଅନ୍ୟମନସ୍କ ହେଇଯାଉଥିଲି । ଆଶ୍ଚର୍ଯ୍ୟ ହେଉଥିଲି ଯେ କେଡ଼େ ସାଧାସିଧା ଭାବେ ରେଣୁ ତା’ ବିପରୀତ ଜୀବନର କାହାଣୀକୁ କହିଯାଉଚି । ଅଗଣନ ସ୍ୱପ୍ନ ଭିତରେ କୁମାରୀ ବୟସ ରଙ୍ଗୀନ ହେଇଉଠେ ଝିଅଙ୍କର । କିନ୍ତୁ ନିଷ୍ଠୁର ବାସ୍ତବତା ସେ ସ୍ୱପ୍ନର ସ୍ତୂପ ଉପରେ ବୁଲ୍‌ଡ଼୍ରୋଜର ଚଳେଇ ଭାଙ୍ଗିରୁଜି ଚୁନି ଚୁନି କରିଦିଏ । ଗୋପିଥିବା ଗଛଟିଏ ଅକାତରରେ ଝାଉଁଳିଯାଏ । ଫୁଲ ମରେ, ସ୍ୱପ୍ନ ଉଜୁଡ଼େ । ସମୟ ବଦଳାଏ ଦେହରେ ମାନଚିତ୍ର । ଖାଲି ଯାହା ଭଙ୍ଗା ସ୍ୱପ୍ନର ମାଟିଉପରେ କିଛି ଅପ୍ରାପ୍ତିକୁ ନେଇ ପଡ଼ିରୁହେ ଦେହ ନାମକ ଏକ ଭୌତିକ ପିଣ୍ତ । ନିଥର ମରୁଭୂମି, ସେଠି ଝଡ଼ ବହେ ବାଦଲ ଉଠାଏ ସିନା ବର୍ଷା ବିନ୍ଦୁଟିଏ ଖସେନି ଚକିତଳେ ହାତ ରହିଯାଏ । ଦାଉଣୀର ପଉଟିରେ ବେକ ଛନ୍ଦି ଆଉ ପଞ୍ଚଜଣକ ଭଳି ବଳଦହେଇ ବେଙ୍ଗଳା ବୁଲିବାକୁ ପଡ଼େ । ସଂସାର ଖଳାରେ ଯାହାକିଛି ଅମଳ ହୁଏ ତା’ର ଅନ୍ୟନାମ କେବଳ ଦୁଃଖ । ତାକୁହିଁ ଭାଗବାଣ୍ଟୁରା କରିନେବା ଭିତରେ ମୋର ତୋର ପ୍ରଶ୍ନଉଠେ, ଦ୍ୱନ୍ଦ୍ୱ କଳହ ଉପୁଜେ, ପାଟିଗୋଳ ହୁଏ । ମୃତ୍ୟୁର ଶେଷ ପର୍ଯ୍ୟାୟରେ ମଧ୍ୟ ନିଶ୍ୱାସଟି ଛାଡ଼ିଦେଲାବେଳେ କିଛି ପେଟତଳେ ଲୁଚାଇଦେବାକୁ ଇଚ୍ଛାହୁଏ ।

 

ରେଣୁ ତା’ର କଥା ବନ୍ଦ କରୁନଥିଲା । କହୁଥିଲା–ସେଦିନ ମୋ ସାଙ୍ଗରେ ସେ ଖୁବ୍ ବେଶି ଝଗଡ଼ା କଲା । ମୋତେ ଯାଇଚ୍ଛା ତା’ ଗାଳିଦେଲା । ଯେତେ ନିକୃଷ୍ଟ ଧରଣର ମନ୍ତବ୍ୟ ଦେବା କଥା ଦେଲା । ଶେଷକୁ ବେଶ୍ୟା ବୋଲି କହିବାକୁ କୁଣ୍ଠାବୋଧ କଲାନାହିଁ । ମୁଁ ପ୍ରକୃତରେ ଏହା ଚାହିଁନଥିଲି । ତମ ପ୍ରସଙ୍ଗ ତା’ପାଖରେ ଉଠାଏ କେବଳ ଏତିକି ବୁଝେଇଦେବା ପାଇଁ ଯେ ମୋ ରୁଚି ଏଇଆ–ମୋ ମନ କିଣିବାକୁ ହେଲେ ଏଇ ବାଟରେ ଯିବାକୁ ହେବ । ତା’ର ପରିବର୍ତ୍ତନ ହିଁ ମୋର ଏକମାତ୍ର ଇଚ୍ଛାଥିଲା । ହେଲେ ସେ ଠିକ୍ ବିପରୀତ ଅର୍ଥରେ ଗ୍ରହଣ କଲା ମୋ କଥାଗୁଡ଼ାକ ।

 

ସେଇ ରାତି କଥା କହୁଥିଲି ପରା ? କେଉଁ ସ୍ତ୍ରୀକୁ ତା’ ସ୍ୱାମୀ ବେଶ୍ୟା ସଙ୍ଗରେ ତୁଳନା କରେ । ମୁଁ ଭୀଷଣ ରାଗିଯାଇ ତାକୁ ଗାଳିଗୁଲଜ କଲି । ବିଶ୍ୱାସ କର, ମୋ ଧର୍ଯ୍ୟର ବନ୍ଧ ଭାଙ୍ଗିଯାଇଥିଲା । କେବଳ ଗୋଟିଏ କଥା ମୁଁ କହିଚି, ସେଇଟା ହେଉଚି–ପୋଇଲି ପୁଅଙ୍କର ସବୁ ମନ ଛୋଟ । ତାପରେ ସେ ମୋତେ ଅନ୍ୟଦିନ ଭଳି ମାଡ଼ ଦେଇପାରିଥାନ୍ତା; କିନ୍ତୁ କିଛି କହିଲାନି । ଘରୁ ବାହାରି ଚାଲିଗଲା ।

 

କ୍ରମଶଃ ନିସ୍ତେଜ ହେଇଆସୁଥିଲା ତା’ କଥାର ମାଡ଼ । ଖରାଦିନ ରାତିରେ କୌଣସି ନଈକୂଳେ ବସିଥିଲାବେଳେ ଥଣ୍ତା ପବନ ବାଜି ଆଖିପତା ନଇଁଆସିଲା ଭଳି ନିସ୍ତେଜ ନିର୍ମୋକତାରେ ସମୟ ସ୍ଥାଣ ହେଇ ଆସୁଥିଲା । ସ୍କୁଲ ଶେଷରେ ଘଣ୍ଟି ବାଜୁଥିଲା କେଉଁ ଦୂର ଦିଗ୍‌ବଳୟ ତଳେ । ତା’ ଭିଜା କଣ୍ଠର ପରବର୍ତ୍ତୀ ଶବ୍ଦ ଥିଲା ନିଝୁମ ରାତିର ସାଇଁ ସାଇଁ ପବନ ଭିତରେ ରହି ରହି ଡାକୁଥିବା ପେଚାର ଶବ୍ଦ ଯେମିତି । ମୋ ଭିତର ଓଦାହେଇ ଯାଇଥିଲା ସମ୍ବେଦନାରେ । ମୁଁ ଅସ୍ପଷ୍ଟ କଣ୍ଠରେ ଡାକିଲି–ରେଣୁ !

 

ନୀରବତା ଭିତରେ ସେ ଗୁମୁରୁଥିଲା କପୋତଟିଏ ପରି । ଧୀରେ ମୁଁ ପାଣି ହାତଉଠେଇ ତା’ କାନ୍ଧଉପରେ ରଖିଲି । ମୋର ଇଚ୍ଛା ହେଉଥିଲା ତା’ ଦୁଃଖ ସଙ୍ଗରେ ଏକାକାର ହେଇଯିବାକୁ । ତାକୁ ମୋ ଭିତରେ ହଜେଇଦେବାକୁ । ସେଇ ଉଦ୍‌ବେଗ ଓ ଉତ୍କଣ୍ଠାରେ ପଚାରିଲି–ତା’ପରେ କ’ଣ ହେଲା ?

 

ହଁ–ସେ ବୋଧେ ଆଖିରୁ ଲୁହ ପୋଛିଲା । କହିଲା ସବୁ କଥା କହୁଚି, ମୋତେ ଟିକେ ବିଶ୍ରାମ ନେଇ କହିବାକୁ ଦିଅ । ତା’ପରେ ମୁଁ ଚାହିଁନି ତା’ ଫେରିବା ବାଟକୁ । କୁଆଡ଼େ ଗଲାକି କ’ଣ କଲା ସେ ସମ୍ପର୍କରେ କିଛି ବୁଝିନି । ନିଦରେ ଶୋଇଯାଇଚି । ହଠାତ୍ ନିଦ ଭାଙ୍ଗିଲା ବେଳକୁ ଅନୁଭବ କଲି ସେଇ ସରୀସୃପର ଘୋଷରା ଚାଲି । କିଛି ଝାଳ କିଛି ଉତ୍ତେଜନା ଭିତରେ ମୁଁ ତାକୁ ଆହୁରି ଜୋରରେ ଭିଡ଼ିଧରି କିଛି ସମୟ ପରେ କହିଲି–ମୁଁ ତମ ରାଣ ଖାଇ କହୁଚି ମୋ ଚରିତ୍ରରେ ଆଦୌ ଟିକିଏ ବୋଲି କଳଙ୍କ ନାହିଁ । ମୁଁ ତୁମକୁ ସବୁଠୁ ବେଶି ଭଲପାଏ । ତମେ ମୋ ଉପରେ ରାଗ କରନି । ବରଂ ତମ ଇଚ୍ଛାକୁ ନୂଆକର–ମୋ କଥାରେ ଚାଲ । ଦେଖିବ ଆମେ ବହୁତ ଖୁସିରେ ରହିବା । କିଏ ଜଣେ କହିଥିଲେ–ନାରୀ ଚାହିଁଲେ ପୁରୁଷକୁ ଦେବତା କରିଦେଇପାରେ; ଚାହିଁଲେ ପୁଣି ଦେବତାକୁ ପଥର ମଧ୍ୟ କରିଦେଇପାରେ । ତମେ ପୁରୁଷ, ମୁଁ ତମକୁ ଦେବତା କରିବାକୁ ଚାହେଁ । ତମେ ପାଞ୍ଚଜଣରେ ଆଗୁଆ ହୁଅ । ନିଜକୁ ଅଲଗା କରି ଚିହ୍ନେଇଦିଅ । ପାଠ ପଢ଼ି ତମେ ବିଲକାମ କରୁଚ ବୋଲି ତୁମଠୁ ବିଦ୍ୟା ବୁଦ୍ଧି ପଳେଇ ଯାଇନି, ଯେକୌଣସି ନୂଆ କାମ ତମେ ମଧ୍ୟ କରିପାର ଅଥଚ ତମେ ଏତେ ଅବୁଝା ହେଉଚ କାହିଁକି ?

 

ମୋତେ ଲାଗିଲା ମୋ କଥାକୁ ସେ ଯେମିତି ଠିକ୍ ଭାବେ ବୁଝିପାରିଚି । ମୁଁ ତା’ର ଯତ୍ନ ନେଲାଭଳି ଆସ୍ତେ ଉଠି ମୋଡ଼ିଦେଲି । ଦେହପା’ ଖବର ବୁଝିଲି । ତାପରେ ଶୋଇଲି ।

 

ନୀରବତା ପୁଣି ଜାଗିଉଠିଲା ଆଗଭଳି । ମୁଁ ତନ୍ମୟ ଶଙ୍କିତ ହୃଦୟରେ ତା’ର ସମସ୍ତ କଥା ଶୁଣିଥିଲି । ଆଉ ଭାବୁଥିଲି ବିଚିତ୍ର ଏ ଦାମ୍ପତ୍ୟର କଥା । ଘଡ଼ିକେ ଶଙ୍ଖ ମହୁରି ଘଡ଼ିକେ ପାଳ ଦଉରି । ଏଇ କ’ଣ ତାହେଲେ ଜୀବନ ? ବହୁ ରଙ୍ଗରେ ବହୁ ବାଗରେ ଲୋକ ଭେଦରେ ଜୀବନ ବିତୁଚି । ଦିନେ ଦୁଇଦିନ ମଧ୍ୟ ସେମାନେ ମୁହଁ ଆଡ଼ା–ଆଡ଼ି ହେଇ ରହିପାରିଲେ ନାହିଁ । ସଞ୍ଜର ଝଗଡ଼ା ରାତିକୁ ନାହିଁ । ବେଶ୍ ଚମତ୍କାର ଥିଲା ତ ! କ’ଣ ହେଲା ରେଣୁର ? କାହିଁକି ତା’ର ଆଜି ଏ ଭେକ ? ମୁଁ ତା’ ମୁହଁକୁ ଚାହିଁଥିଲି ସେଇ ଅନ୍ଧାର ଭିତରେ । ଅସ୍ପଷ୍ଟ ଗାଲଉପରେ ଲୁହ ଗଡ଼ିଯିବାର ଦୃଶ୍ୟ ଖୋଜୁଥିଲି । ଏସବୁ ସତ୍ତ୍ୱେ ମଧ୍ୟ ମୋ ଭିତରେ କିଏ ଜୁଲମ୍ କରି କହୁଥିଲା–ସୁଯୋଗ ନେ ମଳୟ ! ସୁଯୋଗ ଆସିଚି ।

 

ମୁଁ ବିରକ୍ତ ହେଇଉଠିଲି । ଅସହାୟ ଅବଳାଠାରୁ କି ସୁଯୋଗ ଆଶା କରାଯାଇପାରେ-?

 

ମୋ ଭିତରେ ଲୋକଟାକୁ ଟିକେ କଷ୍ଟହେଲା ବୋଧେ ।

 

ତଥାପି ମୁଁ ରେଣୁର କଥା ଶୁଣିବାକୁ ଉତ୍ସାହିତ ହୋଇ କାନ ଡେରିଥିଲି । ଏତେ ସମୟ ନୀରବ ରହିବା ପରେ ମୁଁ ପଚାରିଲି–କ’ଣ ହେଲା ରେଣୁ ? ତାପରେ କ’ଣ ହେଲା ?

 

ମୁଁ ଶୋଇଯାଇଥିଲି । ତାପରେ କ’ଣ ଘଟିଚି ଜାଣେନି । ଆମ ଭିତରେ ଗୋଟେ ଭଲ ବୁଝାମଣା ଆସିଯିବା ପରେ କେହି କ’ଣ ଭାବିପାରେ, ମୁଁ ଭାବିନଥିଲି । ହଠାତ୍ ପାହାନ୍ତରେ ଉଠି ଦେଖେ ମୋ ପାଖରେ କେହି ନାହାନ୍ତି । ମୁଁ ଭାବିଲି ସେ ବୋଧେ ଉଠି ବାହାରକୁ ଯାଇଚି । କିନ୍ତୁ ଅପେକ୍ଷା କଲି କିଛି ସମୟ ସେ ଆସିଲେନି । ମୋର ସନ୍ଦେହ ହେଲା । ରାତିରେ କୁଆଡ଼େ ଗଲା ଲୋକଟା ? ମୁଁ ଉଠିଲି ଓ ଯାଇ ଦେଖିଲି କବାଟ ଖୋଲା ଅଛି । ଭାବୁଥିଲି ବାହାରକୁ ଯାଇ ବୁଲିଆସିବି । ଘରଭିତରଟା ଫର୍ସା ହେଇଆସିଲାଣି । ଶାଶୁ ତା’ ଘରେ ଶୋଇଚି । ସେ ଯେ ବାହାରକୁ ଯାଇଚି ଏଥିରେ ମୋର ସନ୍ଦେହ ନଥିଲା । ବାହାରକୁ ଗୋଡ଼ ପଡ଼ିବାକୁ ଡର ଲାଗିଲା । କବାଟ କିଳି ପୁଣି ଆସି ଶୋଇଲି । କିନ୍ତୁ ନିଦ ଲାଗିଲା ନାହିଁ । ମନଟା ଛଟପଟ ହେଲା । କେତେଆଡ଼ୁ କେତେ କଥା ମନକୁ ଆସୁଥିଲା । ଇଏ ଆଉ କାହା ସାଙ୍ଗରେ ପଡ଼ି ଚୋରି କରୁନାହିଁ ତ ? କିମ୍ବା ଆଉ କାହାପାଖକୁ ଯାଉ ନାହିଁ ତ ? ପ୍ରାୟ ଅଧିକାଂଶ ରାତି–ପୁଆ ପ୍ରହରେ ସେ ବାହାରକୁ ଯାଏ । ମୁଁ କିଛି ମନେକରେନା । ସେଦିନ କାହିଁକି ବେଶି ମନେପଡ଼ିଲା । ଭାରି ରାଗହେଲା ଲୋକଟା ଉପରେ । ଅନାବନା ଭାବନାରେ ସନ୍ତୁଳି ହେଉଥିଲି ।

 

ମୁଁ ସେମିତି ଛଟପଟ ହେଉଥିଲି । ଆଖିପତା ନଇଁଆସିଲା । ବାହାରେ କୁମ୍ଭାଟୁଆ–ଟାଏ ଡାକିଲା । ବୋଧେ ଭୋଅର ହେଇଗଲା । ମୁଁ ତା’ ଡାକଆଡ଼କୁ କାନଦେଲି । ଆମ ତେନ୍ତୁଳି ଗଛରେ ବୋଧେ । ମୁଁ ଆଉ ଶୋଇ ନରହି ଉଠିଲି ଓ ବାହାରକୁ ଗଲି । ସେଇ ତେନ୍ତୁଳିଗଛଆଡ଼କୁ ଯେମିତି ଚାହିଁଲି ଖୁବ୍ ଜୋରରେ ବୋଉଲୋ ବୋଲି ଡାକି କଚାଡ଼ି ହେଇପଡ଼ିଲି । ଆଖିପାଖରେ ପଡ଼ିଶା ଘରୁ ଲୋକମାନେ ଜମା ହୋଇପଡ଼ିଲେ ମୋ ଡାକରେ । ମୁଁ ପଡ଼ିଗଲା ପରେ ଚେତା ହରେଇ ସାରିଥିଲି । ଯେତେବେଳେ ଚେତା ଆସିଲା ସେଇ ତେନ୍ତୁଳି ଗଛରେ ଝୁଲିପଡ଼ିଥିବା ମୋର ସେଇ ଲୋକଟାକୁ ହିଁ ଚାହିଁଲି । ତାକୁ ଖସେଇ ଆଣିଥିଲେ ତଳକୁ । ମୁଁ ଦୌଡ଼ିଯାଇ କାନ୍ଦି କାନ୍ଦି ତା’ ଉପରେ କଚାଡ଼ି ହେଇପଡ଼ିଲି ।

 

ତାପରେ ସେ କିଛି କହିଲାନି । ମୁଁ ମଧ୍ୟ ଆଉ ପଚାରିପାରିଲି ନାହିଁ । ଏ ଅବସ୍ଥାରେ ସେ ତା’ ଦୁର୍ଭାଗ୍ୟ ମୁହୂର୍ତ୍ତର କଥା ଯଥେଷ୍ଟ ଧୈର୍ଯ୍ୟର ସହ ବର୍ଣ୍ଣନା କରି ଚାଲିଥିଲା । ମୁଁ କେବଳ ଶୁଣୁଚି-। ମୋତେ ଶୁଣେଇ ସେ କ’ଣ ଟିକେ ଶାନ୍ତି ପାଇବ ? ମୁଁ ତା’ର ଆଉ କେଉଁ ଉପକାରରେ ଆସିପାରିଲେ ତାକୁ ସାହାର୍ଯ୍ୟ କଲି ବୋଲି ନିଜକୁ ସାନ୍ତ୍ୱନା ଦେବି ? ମୋ ମନ ଭାରି ବ୍ୟସ୍ତ ହେଲା-। କ’ଣ କହି ତା’ ଅପୂରଣୀୟ କ୍ଷତିର କ୍ଷତରେ ସାନ୍ତ୍ୱନା ଫେରେଇଆଣିବ ?

 

ପୁଣି ସେ କହିଲା–ତାପରେ ମୁଁ ଧୈର୍ଯ୍ୟ ହରାଇ ସାରିଥିଲି । ଶାଶୁ ମୋତେ ବହୁତ ବୁଝେଇଛନ୍ତି । ତାଙ୍କ ଗାଁରେ ଅନ୍ୟାନ୍ୟ ବୁଢ଼ୀମାନେ ଆସି କହନ୍ତି, ଏ ବଂଶଟାକୁ ଏମିତି ଗୋଟେ ଅଭିଶାପ ଅଛି ବୋଧେ । କାରଣ ମୋ ଶାଶୁ ମଧ୍ୟ ଏମିତି ଅକାଳରେ ବିଧବା ହେଇଥିଲେ । ମୁଁ ମଧ୍ୟ ସେଇ ଅବସ୍ଥାରେ ପହଞ୍ଚିଲି । ମୋତେ ଚଉଦିଗ ଅନ୍ଧାର ଦିଶୁଥାଏ । ସେ ଜାଗା ମୋତେ ମୁହୂର୍ତ୍ତକ ପାଇଁ ସୁଦ୍ଧା ଭଲ ଲାଗୁନଥାଏ । ମୁଁ ବାପାଙ୍କୁ ଖବରଦେଲି ମୋତେ ନେଇ ଆସିବାକୁ । ବାପା ମଧ୍ୟ ସେଇଆା କଲେ । ଏଠିକି ଆସିବାର ଚାରିମାସ ପରେ ମୋର ଏଇ ଝିଅଟି ହେଲା । ତାପରେ ମୁଁ ଆଉ ସେଠିକି ଯାଇନି କି ଯିବିନାହିଁ ବୋଲି ଜଣେଇଦେଇଚି ।

 

ତା’ କଣ୍ଠ ସ୍ୱରରେ ଦୃଢ଼ତା ଅନୁଭବ କରି ପଚାରିଲି–ତେବେ ତୁ କ’ଣ କରିବୁ ଏଇନେ ?

 

ସେଥିପାଇଁ ତ ତମକୁ ଅନେକଦିନ ହେଲା ଖୋଜୁଥିଲି, ତମେ କୁହ ?

 

କ’ଣ ତାକୁ କହିବି କିଛି ଭାବିପାରୁନଥିଲି । ମୁଁ ମନେମନେ ବିରକ୍ତ ହେଇଉଠୁଥିଲି ତା’ ବାପା ଉପରକୁ । ଏମିତି ଜାଣିଶୁଣି ସେ ଝିଅଟାର ସର୍ବନାଶ କଲେ କେମିତି ? ତାଙ୍କ ବଂଶରେ ପ୍ରତ୍ୟେକ ନାରୀଙ୍କ ଭାଗ୍ୟରେ ଏଇ ଘଟଣା ଘଟିଚି ଜାଣି କେମିତି ବାହା ଦେଉଥିଲେ ? କ’ଣ ପାଇଁ-? ଏଇ ବୟସରୁ କେମିତି ଶେଷ ପର୍ଯ୍ୟନ୍ତ ବଞ୍ଚିପାରିବ ରେଣୁ ? ଗାଁରେ ଚଳିଯାଉଚି । ସାଇ ପଡ଼ିଶାଙ୍କ ମୁହଁ ଚାହିଁ, ହସ ଖୁସିରେ । କିନ୍ତୁ ବାପା ମା’ଙ୍କ ମୁଣ୍ତଉପରେ ବୋଝହେଇ ରହିବାକୁ ସେ ଆଉ ପସନ୍ଦ କରୁନି ବୋଧେ । ହେଲେ ସେ କ’ଣ କରିପାରିବ ? ମୁଁ ପଚାରିଲି–ବର୍ତ୍ତମାନ ତୁ କ’ଣ କରିବାକୁ ଚାହୁଁଚୁ ?

 

ସେଇ କଥା ତୁମକୁ ପଚାରୁଚି ? ମୁଁ କ’ଣ କରିବି ? କେମିତି ବଞ୍ଚିବି ? ବାପାଙ୍କ ପାଖରେ କ’ଣ ସବୁବେଳେ ଚଳିପାରିବି ? ଅନ୍ତତଃ ମୋ ପାଇଁ ଖଣ୍ତେ ଚାକିରି ବ୍ୟବସ୍ଥା କର । ମୁଁ ମୋ ନିଜକୁ ଯେମିତି ଚଳେଇପାରିବି ।

 

ଦେଖୁଚୁ ତ ଆଜିକାଲି ଚାକିରି ଅବସ୍ଥା ଯେମିତି, କେଉଁଠୁ ମିଳିବ ?

 

ସେ ସିଧା ସିଧା ମୋ ଦୁଇଗୋଡ଼କୁ କୁଣ୍ଢେଇଧରି କହିଲା–ତମ ଗୋଡ଼ ଧରୁଚି ଭାଇ, ତମେ ଜାଣିଥିବ ବିଧବା ଝିଅର ଅବସ୍ଥା ବାପା ଘରେ କ’ଣ ହୁଏ ? ମୋର ନିହାତି ଅନ୍ୟ ଯେକୌଣସି ଜାଗାରେ ରହିବା ଦରକାର ହେଉଚି । ତମେ ମୋତେ ଏତିକି ସାହାଯ୍ୟ କର ଦୟାକରି । ନହେଲେ ମୁଁ...

 

ସେ ଆଉ କିଛି କହିପାରିଲାନି । ମୋତେ ତା’ କଥାଗୁଡ଼ାକ ଭାରି ଅଡ଼ୁଆ ଲାଗୁଥିଲା । ତଥାପି ତାକୁ ସାନ୍ତ୍ୱନା ଦେଲାଭଳି କହିଲି–ମୁଁ ତୋ ପାଇଁ ନିଶ୍ଚୟ ଚେଷ୍ଟା କରିବି । ଏଥିରେ ଟିକିଏ ଖିଲାପ କରିବି ନାହିଁ । ତେବେ ତୋ ଭାଗ୍ୟ ସବୁ–କହି ମୁଁ ଉଠିଲି । ସେ ମୋ ସାଙ୍ଗରେ ଉଠୁ ଉଠୁ ପଚାରିଲା–କାଲି କାଳେ ଯିବ, ମୋତେ ତମ ଠିକଣାଟା ଦେଇଯିବ । ନହେଲେ ତମ ଘରେ ଦେଇଯାଇଥିବ ମୁଁ ଯାଇ ନେଇଆସିବି । ଚିଠିପତ୍ର ଦେବି । ତମେ ମୋର ଦୁଃଖ ବୁଝୁଚ ନା ନାହିଁ ? ଯଦି ତମର ଦୟା ଆସୁଚି ତା’ହେଲେ କିଛି ପଇସା ମଧ୍ୟ ଦେଇଗଲେ ଭାରି ଭଲହୁଅନ୍ତା । ମୋ ଝିଅର କ’ଣ ଟିକେ ଭଲମନ୍ଦ ହେଲେ ମୁଁ ତାକୁ ଔଷଧ କିଣି ଖୁଆନ୍ତି ।

 

ହଉ ହେଲା, କାଲି କାହାକୁ ପଠେଇବୁ ମୁଁ କିଛି ପଇସା ଦେଇଦେବି–କହି ମୁଁ ତା’ ଅଶ୍ରୁଳ ପରିସ୍ଥିତି ଉପରେ ଆଖି ବୁଲାଉଥିଲି । ଆଜି କେଉଁ ସ୍ତରକୁ ଖସିଆସିଚି ରେଣୁ । ମଣିଷ ପରିସ୍ଥିତିରେ ପଡ଼ିଲେ ସିନା ଏମିତି ହୁଏ । କ’ଣ ପାଇଁ ଏ ଜୀବନରେ ଏତେ ଦୁଃଖ ନୈରାଶ୍ୟ ଆସେ ?

 

ବାପା ଏ ଭିତରେ ଅବସର ନେଲେଣି । ଘର ଚଳିବାକୁ ପଇସାଟିଏ ମିଳିବା କଷ୍ଟକର ହେଉଚି । ପେନ୍‌ସନ୍ ଟଙ୍କାଟା ଏକା କୁନାକୁ ନିଅଣ୍ଟ । ସେଥିପାଇଁ ତମକୁ ମୁହଁଖୋଲି କହିଦେଲି । ଆଉ କାହା ଆଗରେ କହିଥାଆନ୍ତି ? ତମେ ମୋ ଜୀବନସାରା ଘୂରିବୁଲୁଚ; ତମକୁ ପର ଭାବି କହିନି ।

 

ମୁଁ ତା’ ବୋଦୁଲ୍ୟମାନ ମାନସିକତାକୁ ଲକ୍ଷ୍ୟ କରି କହିଲି–ଠିକ୍ ଅଛି, ଏଥିରେ ଆଦୌ ବ୍ୟସ୍ତହେବାର କିଛି ନାହିଁ ମୋ ପାଇଁ ତୋ ଜୀବନରେ ଏତେ ଝଡ଼ ବହିଯାଇଚି ମୁଁ ସବୁ ଜାଣିଲାପରେ ତୁ କ’ଣ ଭାବୁଚୁ ଏଡ଼େଇଯିବି ? ଏତେଟା ଅମଣିଷ ହେଇପାରିବି ? ତୋ ପାଖରେ ମୁଁ ପ୍ରତିଶ୍ରୁତିବଦ୍ଧ ରହିଲି ରେଣୁ, ତୋ ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିବି ।

 

ଆମେ ପାଲାମଣ୍ତପର ନିକଟତର ହେଇଯିବାରୁ ସେ ମୋତେ କହିଲା–ତମେ ଏପଟେ ଚାଲିଯାଅ ଭାଇ, ନହେଲେ ସାଙ୍ଗ ହେଇ ଯାଉଚେ ବୋଲି କିଏ ଯଦି ଦେଖେନା କେତେଆଡ଼ୁ କେତେ କଥା ବାହାରିବ । ମୁଁ ଯାଉଚି, ମନେରଖିବ–

 

ମୁଁ ତା’ର ସବୁ କଥାରେ ହଁ ଭରି ବାଟ ଭାଙ୍ଗି ଚାଲିଯାଇ ଗୋଟାଏ ପିଣ୍ତାଉପରେ ବସିପଡ଼ିଲି । ସେ ପିଣ୍ତାଉପରେ ଆହୁରି ଅନେକ ଲୋକ ବସି ପାଲା ଦେଖୁଥିଲେ । ମୁଁ ଜଣକୁ ପଚାରିଲି–ପାଲା କେମିତି ହେଉଚି ?

 

ମନ୍ଦ ନୁହେଁ, ଏକରକମ ଭଲ କରୁଛନ୍ତି । କହି ସେ ମୁହଁ ଫେରାଇନେଲା । ସେ ମହନି ମାମୁଁ, ମୋତେ ଭାରି ଲାଜଲାଗିଲା । ନ ଚିହ୍ନିପାରି ଏମିତି ଗୋଟେ ପ୍ରଶ୍ନ ପଚାରିଦେବାରୁ । ସେ ପୁଣି ମୁହଁବୁଲେଇ ପଚାରିଲେ–ତୁ କ’ଣ ଏବେ ଆସୁଚୁ ?

 

ହଁ ଶୋଇଥିଲି ଯେ ନିଦ ହେଲାନି ବୁଲିଆସିଲି । ଆପଣ କେବେଠୁ ଆସିଲେଣି ? ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଲେ–ହାରାହାରି ଅଢ଼େଇ ମାସ ହେଇଗଲା । ଇଟା ପୁଳାଏ ପୋଡ଼ିବାର ଥିଲା ଯେ, ଏକାଥରକେ ଛୁଟି ଆଣିଥିଲି ପୋଡ଼ିଦେଇ ଯାଉଚି । ଆଉ ତୋ ଖବର କ’ଣ ? ତୁ କାଳେ ଘରକୁ ଜମା ଆସୁନଥିଲୁ ବୋଲି ଭାଇ କହୁଥିଲେ ?

 

କାହିଁକି ଏ ଘରକୁ ଆସିବି ? ଏଠି ଗୋଟାଏ ଶାନ୍ତି ବୋଲି ଏକେ ଟିକେ ନାହିଁ । ବରଂ ବାହାରେ ରହିବ ଏକା ଏକା ସେ ବେଶ୍ ଭଲ–ମୋ ପାଟିରୁ ଏତିକି ନ ସରୁଣୁ ସେପଟରୁ ମୋ ଉଦ୍ଦେଶ୍ୟରେ କିଏ କହିଲା–ବାବୁ ! ବାବୁ ! ଟିକେ ଶୁଣିବେ ?

 

ମୁଁ ତା’ ଆଡ଼କୁ ଚାହିଁ ଦେଖେ, ସେ ସରିତାର ସେହି ପିଅନ ରାମ । ମୋତେ ଚାହିଁ ଅଳ୍ପ ଅଳ୍ପ ଦାନ୍ତ ନେଫେଡ଼ି ପଚାରିଲା–ଆଜି ମା’ ଆପଣଙ୍କୁ ଡାକିବାପାଇଁ ମୋତେ ପଠେଇଥିଲେ ସଞ୍ଜରେ । କ’ଣ ଦରକାର ଥିଲା । ଆପଣ ନ ଥିଲେ ଯେ ଫେରିଆସିଲି ।

 

ଆରେ ତା’ ଦେହ ଭଲ ହେଇଗଲାଣି ନା ସେମିତି ? ମୁଁ ପଚାରିଲି ।

 

ନା ନା, ଭଲ ହେଇଗଲାଣି । ଆଜି ତାଙ୍କ ଶାଶୁ ନଣନ୍ଦ ଆସି ପହଞ୍ଚିଛନ୍ତି । ଆପଣଙ୍କୁ ଦେଖିବାପାଇଁ ଡାକିଥିଲେ । କାଲି ସକାଳୁ ଯିବେ ?

 

ଆଛା ଦେଖିବା କ’ଣ ହେଉଚି–କହି ମୁଁ ପୁଣି ମୁହଁ ଫେରେଇଆଣି ମହନି ମାମୁଁଙ୍କ ସଙ୍ଗରେ କଥା–କେତେ ଇଟା ପୋଡ଼ିଲେ ?

 

ପଚାଶ ହଜାର ଜମା । ଅଧିକା ଯାହା ହୋଇଥାଆନ୍ତା ଏ ବର୍ଷା କରେଇଦେଲାନି । ପ୍ରତି ସପ୍ତାହରେ ବର୍ଷା, କ’ଣ କରିବ ମଣିଷ ? ବଡ଼ ତକ୍‌ଲିପ୍‌ରେ ଏତକ କାମ ପାଇଲା । ମୋର ମଧ୍ୟ ଛୁଟି ପୂରିଗଲାଣି । ମୁଁ ଏଇ ଦି’ ତିନିଦିନ ଭିତରେ ଚାଲିଯିବି । ଆଉ ଘରଦ୍ୱାର କରି ତେଣେ ରହିଲୁ ଗାଁକୁ ଭୁଲିଗଲୁ । ଯାହା ହେଉ ତୋ ଜୀବନରେ ସେତିକି କଲୁଣି । ଖୁବ୍ କଥା । କିଏ ଆଉ ଏଠି ପାଠ ପଢ଼ି କିଛି କରୁଛନ୍ତି କି ?

 

ମହନି ମାମୁଁ କଲିକତାରେ ଚାକିରି କରନ୍ତି । କଳକାରଖାନା ଚାକିରି ହେଲେ ବି ବେଶ୍ ଦୁଇପଇସା ରୋଜଗାର କରୁଛନ୍ତି । ୟା’ ଭିତରେ ଜମି କିଛି କଲେଣି, ଇଟା ପକେଇଛନ୍ତି ଘର ତୋଳିବେ । ଭଲ ଚଳେଇଛନ୍ତି ସଂସାରଟାକୁ ତାଙ୍କର । ମୁଁ କହିଲି–ଭାବୁଚି, ମଝିରେ କେବେ କଲିକତା ଯାଇପାରେ । ସେଣ୍ଟ୍ରାଲ୍ ଲାଇବ୍ରେରୀରେ ଟିକେ କାମ ଅଛି । ଯଦି ହୁଏ ଆପଣଙ୍କ ବସାଆଡ଼େ ଯିବି । ଏକୁଟିଆ ଯିବାପାଇଁ ବ୍ୟବସ୍ଥା ଅଛି, ପୁନି ଯଦି ସଙ୍ଗରେ ଯାଏ ତେବେ ନେଇଯିବି । ଆପଣଙ୍କ କ୍ୱାର୍ଟରରେ ସୁବିଧା ହେବ ରହିବାକୁ ନା ସାନବାପାଙ୍କ ପାଖକୁ ଯିବି ?

 

ହଁ ଆଉ ଅସୁବିଧା କ’ଣ ? କିଏ ଅଛିକି ? ତୋ ମାଇଁ ତ ଘରେ ରହୁଚି । ଆଣିଥିଲି ଛାଡ଼ି ଦେଇଗଲି । ଘର ସେମିତି ପଡ଼ିଆ ପଡ଼ିଛି । ଗଲେ ନିଶ୍ଚୟ ଯିବୁ ।

 

କହିସାରି ସେ ଉଠିଗଲେ । ବୋଧେ ବାହାରକୁ ଗଲେ । ଏଇ ଅବସରରେ ମୁଁ ଚାରିଆଡ଼କୁ ଚାହିଁଲି । ଖୋଜୁଥିଲି ସେଇ ଝିଅଟାକୁ । ସ୍ତ୍ରୀଲୋକ ବସିବା ଜାଗାରେ ତାକୁ ଖୋଜି ପାଇଲି ନାହିଁ । ସୁତରାଂ ମୁଁ ସ୍ଥିର ନିଶ୍ଚିତ ହେଇଗଲି ଯେ ସୁନୀତା ଆସିନି ।

 

ତାପରେ ମୁଁ କିଛି ସମୟ ପାଲାଆଡ଼କୁ ଆଖି ଦେଲି । ପ୍ରସଙ୍ଗ କ’ଣ ପଡ଼ିଥିଲା ସେ କଥା ମୁଁ ଜାଣେନି । କିନ୍ତୁ ନାୟିକାର ରୂପ ବର୍ଣ୍ଣନାରେ ଗାୟକ ଶିରୋମଣି ଉପେନ୍ଦ୍ର ଭଞ୍ଜଙ୍କଠାରୁ ରାଧାନାଥଙ୍କ ପର୍ଯ୍ୟନ୍ତ ସବୁଆଡ଼ୁ ଉପମା ଆଣି ଖଞ୍ଜି ଦେଉଥାଆନ୍ତି । ବଡ଼ ସହଜ ଆଉ ସରଳ ଭାବରେ ସେଗୁଡ଼ିକର ତାଳ ଲୟ ଓ ରାଗ ଅର୍ଥ ଇତ୍ୟାଦି ସମ୍ପର୍କରେ ତନ୍ନ ତନ୍ନ କରି ବୁଝାଉଥାଆନ୍ତି-। ଏହାହିଁ ହେଉଛି ଆମ ସାଂସ୍କୃତିକ ଜୀବନର ପ୍ରଚାର ଅନୁଷ୍ଠାନ । ଗାଁର ଲୋକ କୌଣସି ବିଶିଷ୍ଟ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ନ ପାଇଥିଲେ ମଧ୍ୟ ଏଇ ପାଲା ଗାୟକଙ୍କଠାରୁ ବିଭିନ୍ନ ବାକ୍ୟର ବିଭିନ୍ନ ପଦ ଶୁଣି ଏବଂ ବୁଝି ମନେରଖି ପାରୁଥିଲେ । ମୋର ମନେହେଉଥିଲା ଉପେନ୍ଦ୍ର ଭଞ୍ଜ ବୋଧହୁଏ ଏଇ ପାଲା ଦାସକାଠିଆବାଲାଙ୍କ ପାଇଁ ଗାଁ ଗଣ୍ତାରେ ଘରେ ଘରେ ପରିଚିତ । ବୋଧହୁଏ ଏଇଥିପାଇଁ ଉପେନ୍ଦ୍ର ଭଞ୍ଜଙ୍କୁ ଲକ୍ଷ୍ୟକରି ଉତ୍କଳମଣି ଗୋପବନ୍ଧୁ କହିଥିଲେ–

 

ଗାଏ ତୁମ୍ଭ ଗୀତ ସଭାରେ ପଣ୍ତିତ

ପଥେ ପାନ୍ଥ ହୃଷ୍ଟମନା

ବିଲେ ବୋଲେ ଚଷା, ଅନ୍ତପୁରେ ଯୋଷେ,

ନୃତ୍ୟରଙ୍ଗେ ବାରାଙ୍ଗନା ।

 

ମନେମନେ ମୁଁ ଟିକେ ଖୁସିହେଲି ଓ ସେଠି ନ ବସି ଘରକୁ ଫେରିଆସିଲି ।

 

ଅନ୍ଧାରରେ ଅନ୍ଧାରର ପାଦଶବ୍ଦ ।

 

ଅନ୍ଧାରରେ ଅନ୍ଧାରରେ ନିର୍ମଳ ସତ୍ତା ।

 

ଅନ୍ଧାରରେ ଅନ୍ଧାରର ନିଜସ୍ୱ ଆଲୋକ ।

 

ମୁଁ ଏକୁଟିଆା ଚାଲିଥାଏ ଗାଁ ଦାଣ୍ତେ ଦାଣ୍ତେ ।

 

ଆଠ

 

ଆରେ ଅସିତ୍‌, ତମେ କୁଆଡ଼େ ? ଆସ ଆସ, କି ଭାଗ୍ୟ ମୋର–କହି ଖୁବ୍‌ ଆନନ୍ଦରେ ଅଧବାଟକୁ ଯାଇ ହ୍ୟାଣ୍ଡସେକ୍‌ କରି ବନ୍ଧୁଟିକୁ ପାଛୋଟି ଆଣୁ ଆଣୁ ସେ କହିଲା–ଶୁଣିଲି ତମେ ଆସିଚ, ବୁଲି ଆସିଲେ । ବହୁଦିନ ଧରି ଦେଖାହେଇନି ଅନ୍ତତଃ ଟିକେ ସାକ୍ଷାତ୍‌ କରିବାପାଇଁ ।

 

ହଉ ଭିତରକୁ ଚାଲ । ସେ ତା’ ଜୋତା ଖୋଲୁ ଖୋଲୁ ମୁଁ କହିଲି ଥାଉ ଖୋଲିବା ଦରକାର ନାହିଁ, ଚଳିବ । ସେ କହିଲା–ନା ନା, ଏ କ’ଣ ସହର ହେଇଚି ଜୋତା ପିନ୍ଧି ଘରେ ବୁଲିବା-?

 

କଥାଟା ବଡ଼ ସତ, ଗାଁରେ ଜୋତା ପିନ୍ଧି ଘରକୁ ଯିବା ଅନୁଚିତ । ଘର ହେଉଚି ଲକ୍ଷ୍ମୀଙ୍କ ବାସସ୍ଥାନ । ଏକରକମ ଦେବାଳୟ । ତା’ ଭିତରେ ଜୋତା ପିନ୍ଧିବା ଆମ ଚଳଣିର ଘୋର ବିରୋଧ-। କିନ୍ତୁ ଆମ ଭଳି ନବ୍ୟ ଶିକ୍ଷିତଙ୍କ ସଭ୍ୟ ସମାଜରେ ସେ କଥାଟା ଚଳିଯାଉଛି । ସେଇ ଉଦ୍ଦେଶ୍ୟରେ କହିଲି–ମୁଁ ଘରକୁ ଜୋତା ପିନ୍ଧି ଚାଲଯାଏ ବୋଲି ସମସ୍ତେ ଅସନ୍ତୁଷ୍ଟ ହୁଅନ୍ତି-। ସେଥିପାଇଁ ମୋ ରୁମ୍‌ଟା ମୁଁ ବାହାରୁଆ କରିଚି । ତା’ର ଘରଭିତର ସଙ୍ଗରେ କୌଣସି ସମ୍ପର୍କ ନାହିଁ-। ତେଣୁ ସବୁ ଚଳିଯାଏ । କିନ୍ତୁ ତମ ଭଲ ସାହିତ୍ୟିକମାନେ ସହଜରେ ବରଦାସ୍ତ କରିପାରନ୍ତି ନାହିଁ ବୋଧେ ।

 

ଯେତେ ପାଶ୍ଚାତ୍ୟ ଅନୁକରଣରେ ଆମେ ଆଧୁନିକ ହେଲେ ମଧ୍ୟ ଆମ ନିଜସ୍ୱ ରୀତିକୁ ଜଳାଞ୍ଜଳି ଦେବାଟା ଠିକ୍‌ ନୁହେଁ । ଆମ ସାହେବ ନୁହଁ କି ରାଜା ବାଦଶାହ ମଧ୍ୟ ନୁହଁ–କହି ଅସିତ୍‌ ଜୋତାଖୋଲି ଭିତରକୁ ଆସିଲା । ମୁଁ ଗୋଟାଏ ଚେୟାର ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ବସିବାକୁ କହିଲି । ପଚାରିଲି–କେମିତି ଅଛ ଅସିତ୍‌, ସବୁ ଭଲ ତ ?

 

ହଁ ସେମିତି ଭାଇ, ତମ ଭଳି କ’ଣ ସମସ୍ତେ ଭାଗ୍ୟବାନ ହେଇଛନ୍ତି ନା ସହରୀ ଜୀବନଯାପନ କରୁଛନ୍ତି ? ଆମେ ସବୁକାଳେ ସେହି ମାଟିଆକେଳା ହେଇ ରହିଗଲୁ ।

 

ମାଟିଆକେଳା ହେଇ ବଞ୍ଚିବାରେ ଲାଭ ଅଛି ଭାଇ, ଶାନ୍ତି ଅଛି–ଜୀବନ ଅଛି । କିନ୍ତୁ ଦାନାପାଣି ଦୁନିଆରେ ଘୋଡ଼ା ଦୌଡ଼କରି କିଛି ଲାଭ ନାହିଁ । ଯାହା ଅଶାନ୍ତି ଓ ଅତୃପ୍ତି ଭିତରେ ହନ୍ତସନ୍ତ ହେଇ ମରିବା କଥା ।

 

ମୋ ପାଟିରୁ କଥା ନ ସରୁଣୁ ସେ କହିଲା ଛାଡ଼ ସେକଥା, ଆଗ କହିଲ ପାଞ୍ଚବର୍ଷ ହେଲା କାହିଁକି ଘରକୁ ଆସୁନଥିଲ ? ପୂର୍ଣ୍ଣିମା କ’ଣ ବାନ୍ଧି ରଖିଥିଲେ ନା କ’ଣ ?

 

ନାଇମ, ସେ କ’ଣ ମୋତେ ନିୟନ୍ତ୍ରିତ କରିପାରିବ ? ଯାହା ଜୀବନରେ ଅସଂଖ୍ୟ ପାଦଚିହ୍ନ–ସ୍ମୃତିହେଇ ଜଳୁଚି ଓ ଜାଳୁଚି ତାକୁ ପୁନି କାହିଁକି ଯେକୌଣସି ନାରୀଟିଏ ସୁଦ୍ଧା ପ୍ରଶମିତ କରିବାକୁ ଅକ୍ଷମ । ଏମିତି ଇଚ୍ଛା ହେଉନଥିଲା କି ସମୟ ମିଳୁନଥିଲା ଆଦୌ ।

 

ଏବେ ସେ କେମିତି ? କୌଣସି ଇସୁ ???

 

ସମ୍ଭାବନାରେ ।

 

ବାଃ ଚମତ୍କାର, ସରକାରଙ୍କ ନିୟମକୁ କଡାକଡ଼ି ପାଳୁଚ ତାହେଲେ–କହି କିଛି କ୍ଷଣ ହସିଉଠିଲା ଅସିତ୍‌ । ମୁଁ ତା’ ହସକୁ ଲକ୍ଷ୍ୟନଦେଇ ମିନୁକୁ ଡାକି ଦୁଇକପ୍‌ ଚା’ କରିବାକୁ ବରାଦ ଦେଲି । ସେ କହିଲା–ଆଉ ଚା’ କ’ଣ ହେବ । ମୁଁ ଏଇନେ ପଖାଳ ଖାଇ ଆସିଚି । ପଖାଳ ଆଉ ଶାଗରେ ଅଭ୍ୟସ୍ତ ଜୀବନଟିଏ ପାଇଁ ଚା’ର ଆବଶ୍ୟକତା କେଉଁଠି ?

 

ଓଃ ଏମିତି ଖାଣ୍ଟି ଓଡ଼ିଆଟିଏ ହେଇ ଜୀବନ ବଞ୍ଚୁଚୁ ତାହେଲେ ? ଅନ୍ତତଃ ଆଜି ଏଇଥରକ ପାଇଁ ମୋର ଆତିଥ୍ୟରେ ଚଳେଇନିଅ କହି ମୁଁ ପୁଣି ଥାରେ ମିନୁକୁ ଦୁଇକପ୍‌ ଚା ଦେଇ ଯିବାକୁ ନିର୍ଦ୍ଦେଶ ଦେଇ ପଚାରିଲି ଆଉ ତମ ସାହିତ୍ୟ ଖବର କ’ଣ ? ଲେଖାଲେଖି କେମିତି ଚାଲିଚି ? ଏଥର କ’ଣ ଗୋଟାଏ ପ୍ରାଇଜ୍‌ ପାଇଲ ବୋଲି ମୁଁ ଖବରକାଗଜରେ ପଢ଼ିଲି । ତମେ ସହର ଗଲେ ମୋଆଡ଼େ ଯାଅନା କାହିଁକି ?

 

ଯିବାପାଇଁ ବହୁତ ଇଚ୍ଛାହୁଏ । କିନ୍ତୁ ରାସ୍ତା ଓ ଠିକଣା ଜଣାନଥିବାକୁ ଏଣେ ସମୟ ଅଭାବ ଏମିତି ଫେରିଆସେ ସେଥିପାଇଁ । ଆଉ ଲେଖାଲେଖି ଆଜିକାଲି ବଡ଼ କଷ୍ଟ ହେଉଚି । ପିଲାଛୁଆ ସଂସାର ଭିତରେ ମଣିଷ ଏତେ ନିଷ୍କ୍ରିୟ ହେଇଯାଉଚି ଯେ କ’ଣ କହିବି ତମକୁ ? ସାହିତ୍ୟ ଏକଡେମୀ ପାଇଲା ପରେ ମୁଁ ଆଦୌ ଲେଖିପାରୁନି । ଗୋଟାଏ ସଙ୍କଳନର ଦାୟିତ୍ୱ ନେଇଚି ।

 

କି ସଙ୍କଳନ କରୁଚ । କବିତା, ପ୍ରବନ୍ଧ ନା ଗଳ୍ପ ।

 

ନା, ଗୋଟିଏ ଲୋକ ଗଳ୍ପ ସଙ୍କଳନ କରିବାକୁ ଲାଗିଚି । ଓଡ଼ିଶାରେ ଏତେ ପ୍ରଚୁର ଲୋକ ଗଳ୍ପ ଥିଲା, ଏବେ ତାହା ହଜିଯାଉଚି । ତାକୁ ସଂଗ୍ରହ କଲେ, ତା’ର ଚିନ୍ତାଧାରା ଯେ କେତେ ଉନ୍ନତ ସେ କଥା ଆମ୍ଭମାନଙ୍କ ସାମ୍ନାରେ ଉପସ୍ଥାପିତ କରି ଆମ ସାହିତ୍ୟର କ୍ରମ ବିବର୍ତ୍ତନର ସ୍ୱରୂପକୁ ସହଜରେ ଚିହ୍ନାଇ ଦିଆଯାଇପାରନ୍ତା ।

 

ଏମିତି ସଙ୍କଳନ କିଛି ଥିଲା ମୋର ମନେହେଉଚି ।

 

ହଁ କୁଞ୍ଜବାବୁ ଏମିତି ଅନେକ ଲୋକ ଗୀତ ଓ କାହାଣୀ ସଂଗ୍ରହ କରି ତା’ ଉପରେ ରିସର୍ଚ୍ଚ କରିଛନ୍ତି । ଆଉ କିଏ କେମିତି ଖଣ୍ଡେ ଅଧେ ପ୍ରକାଶ କରିଛନ୍ତି । ଏହା ସତ୍ତ୍ୱେ ମଧ୍ୟ ଆହୁରି ଅଦ୍ଭୁତ ଚମତ୍କାର ଅନେକ କାହାଣୀ ଅଛି ଯାହାକୁ ଖୋଜି ସାଇତି ରଖିବା ପ୍ରତି ଓଡ଼ିଆର କର୍ତ୍ତବ୍ୟ ।

 

ମୁଁ କିଛି ସମୟ ନୀରବ ରହି ସେହି କଥାଟାକୁ କହିବି କି ନ କହିବି ଭାବି ଆରମ୍ଭ କରିଦେଲି–ବହୁଦିନ ତଳେ ମୋର ମଧ୍ୟ ଏମିତି ଗୋଟାଏ ଇଚ୍ଛା ହେଉଥିଲା । କାରଣ ପିଲାଦିନେ ବୋଉ ମୋତୋ ପ୍ରତିଦିନ ଗଳ୍ପ କହେ, ବହୁତ ଗଳ୍ପ ।

 

ଏବେ ମଧ୍ୟ ସ୍ପଷ୍ଟ ମନେପଡ଼ୁଚି କେତେଟା । କିନ୍ତୁ ସେ ଇଚ୍ଛା କେବଳ ଇଚ୍ଛାରେ ହିଁ ରହିଗଲା । ମୁଁ ତାଠାରୁ ସେ ସବୁ ଗଳ୍ପ ଲେଖି ରଖିବି ବୋଲି ତାକୁ ଅନେକ ଥର କହି ମଧ୍ୟ ଲେଖିପାରିଲି ନାହିଁ । ସିଏ ତା’ ବାଟରେ ଚାଲିଗଲା । ଆମ୍ଭମାନଙ୍କୁ ଏକଲା କରି ଛାଡ଼ିଦେଇ ।

 

ବୋଉର ସ୍ମୁତି ମୋତେ ବିବ୍ରତ କରିଦେଲା । ସେ ବୋଧେ ଭଲପାଇବା ମୋତେ ଶିଖେଇଥିଲା । ହନୁ ରାମଙ୍କୁ ଦେଖି ତା’ର ବଳ ଫେରିପାଇ ଆତ୍ମସଚେତନ ହେଲାପରି ତା’ର ସ୍ନେହ ଶ୍ରଦ୍ଧା ମୋଭିତରେ ଗୋଟାଏ ହୃଦୟ ସନ୍ଧାନ ଦେଇଥିଲା । ମୋ ବୋଉ ସହିତ ସାମଞ୍ଜସ୍ୟ ଥିବା ପ୍ରତ୍ୟେକ ଝିଅଙ୍କୁ ମୁଁ ଭଲପାଇଚି । ଯାହାକୁ ଦେଖିଚି ଓ ପରିଚିତି ହେଇଚି । ମୋର ମନେଅଛି ତା’ ପାଖକୁ ଗାଁରୁ ଦଳ ଦଳ ହେଇ ଝିଅ ଆସନ୍ତି ଗପ ଶୁଣନ୍ତି, କାନ୍ଦଣା ଶିଖନ୍ତି । ପାଠୋଇ ଝିଅ ଖରାବେଳିଆ ଦେଖି କଲମ କାଗଜ ଧରି ବୋଉପାଖରେ ବସନ୍ତି । ବୋଉ ସ୍ୱର ଦେଇ କାନ୍ଦଣା ସବୁ ମନରୁ ଫାନ୍ଦି ଡାକିଯାଏ । ସେମାନେ ଲେଖିନିଅନ୍ତି । ଯାହାର ଯେତେ ରକମ ଓ ବାଗରେ ଦରକାର ସେ ବରାଦିଆ ଛାଣ୍ଟରେ ମଜେଇ ମଜେଇ ଗାଇଦିଏ । କାନ୍ଦୁଥିବା ଲୋକକୁ ହସାଏ । ହସୁଥିବା ଲୋକକୁ କନ୍ଦାଏ । ଭାରି ଖୋଲାମେଲା ତା’ ହୃଦୟ । ଗାଁର ସବୁଲୋକେ ତାକୁ ଭଲପାଆନ୍ତି । ସମସ୍ତଙ୍କର ହାନିଲାଭରେ ଠିଆହୁଏ । କାହା ଘରେ ଚାଉଳ ନାହିଁ ତ ଉପାସ ରହିଚି ଘରୁ ଲୁଚେଇନେଇ ତାକୁ ଚାଉଳ ସେରେ ଦିଏ । କିଏ ନୁଖୁରା ଗାଧୋଉଚି ତ ତାକୁ ତେଲ ନେଇ ଦିଏ । ଯୋଗୀ ଭିକାରି ତା’ ଧରମ ପୁଅ । ଏଇଭଳି ସ୍ୱଭାବର ସେ ଲୋକଟା ଉପରେ ଘରେ ସମସ୍ତେ ବିରକ୍ତ ହୁଅନ୍ତି, ତଥାପି ତା’ର ସ୍ୱଭାବ ବଦଳେ ନାହିଁ ଶେଷ ପର୍ଯ୍ୟନ୍ତ । ତଣ୍ଡିଯାଏ ଖାଇ ଖଟି ଖଟି ତା’ ଦିନ ସରିଗଲା । ତା’ କୋମଳ ହୃଦୟର କଥାକୁ କେହି ଧରି ରଖିପାରିଲେ ନାହିଁ । ମୋତେ ବେଳେବେଳେ ଲାଗେ ପୃଥିବୀର ସବୁ ଭଲଲୋକମାନେ ଅଳ୍ପଦିନ ବଞ୍ଚନ୍ତି, ନହେଲେ ଅବେଳଟାରେ ଆମକୁ ଖରାରେ ବସେଇ ସେ ଚାଲିଯାଇଥାଆନ୍ତା କାହିଁକି ?

 

ଅସିତ୍‌ ମୋତେ ପଚାରିଲା–ତମର ସେ ଗଳ୍ପସବୁ ମନେଅଛି ମଳୟ ? ଏବେ ମୋତେ କହିପାରିବ ?

 

ହଁ ମନେଅଛି, ଏତେ ଜଲଦି ମୁଁ ତାକୁ ଭୁଲିଯିବି ? ମୋ ଜୀବନର ପ୍ରଥମ ଗଳ୍ପ ସେସବୁ–ତଥାପି ଅନେକ ଝାପ୍‌ସା ହେଇଆସିଲାଣି ।

 

ଅନ୍ତତଃ କେତେଟା ତମେ ପ୍ରାଞ୍ଜଳ ଓ ଅବିକୃତି ଭାବରେ କହିପାରିବ ?

 

ଦଶ ପନ୍ଦରଟାରୁ କମ୍‌ ନୁହେଁ ଆଦୌ–କହି ମୁଁ ଚା’ ଧରିଆସୁଥିବା ମିନୁଆଡ଼କୁ ଚାହିଁଲି ଏବଂ ତା’ ହାତରୁ ଚା’ କପ୍‌ ଦୁଇଟା ଆଣି ଅସିତଆଡ଼କୁ ଗୋଟାଏ ବଢ଼େଇଦେଲି । ଦୁଇବନ୍ଧୁ ଆମେ ଚା’ କପ୍‌ରେ ଚୁମକ୍‌ ଦେଉ ଦେଉ କଥାର ସୁଅ ପୁଣି ଆରମ୍ଭ ହେଇଗଲା ।

 

ମିନୁ ଫେରି ଯାଉ ଯାଉ କହିଲା–ଭାଇ ଗାଧୋଇ ଆସିବେ ଯାଆନ୍ତୁ, ତାପରେ କ’ଣ ଟିକେ ଖାଇନେଲେ ଆମେ ଛୁଟିପାଇବୁ ।

 

ମୁଁ ଯାଉଚି ତୁ ଯା’–କହି ମୁଁ ପୁଣି କୌତୂହଳର ସହ ଅସିତକୁ କ’ଣ କହିବାକୁ ଯାଉଥିଲି-। ମାତ୍ର ସେ ମୋତେ କହିବାକୁ ନ ଦେଇ କହିଲା–ତମେ ଗାଧୋଇନା ଏପର୍ଯ୍ୟନ୍ତ ?

 

ମୁଁ କହିଲି...ନା ଟିକେ ଉଠୁ ଉଠୁ ଡେରି ହୋଇଗଲା । କାଲି ରାତିରେ ପାଲା ଦେଖି ଯାଇଥିଲି ଯେ, ସେଇଥିପାଇଁ ।

 

ହଉ ଗାଧୋଇସାର ତାପରେ କଥାବର୍ତ୍ତା ।

 

ନା ନା, କଥା ନ ସାରି ମୁଁ ଗାଧୋଇବି ନାହିଁ । ଗାଧୁଆ ଖିଆ ସବୁଦିନେ ଯଥା ସମୟରେ ହେଉଚି, ଆଜି ନ ହେଇପାରିଲା । ତା’ଠି କ’ଣ ଅଛି ? ତମକୁ ଆଉ ସବୁଦିନେ ମୋପାଖରେ ପାଇବି କି ?

 

ଆଚ୍ଛା ତମେ କିଛିଦିନ ସେ ସମୟରେ କବିତା ଲେଖୁଥିଲ ପରା ? ଛାଡ଼ିଦେଲ କାହିଁକି-?

 

ଛାଡ଼ିଦେଲି କ’ଣ, ଏତେ ଜଞ୍ଜାଳ ଭିତରେ ବେଳ ପାଇଲିନାହିଁ ।

 

ମୋତେ ତମ ମା’ଙ୍କର ସେଇ ଗଳ୍ପଗୁଡ଼ାକ ଲେଖିଦେଇପାରିବ ?

 

ସମୟ କାହିଁ ? ଏଇ ତ ଗାଧୋଇ ଖାଇ ଚାଲିଲି । ଘରେ ରହଣି ଆଉ ଦୁଇଘଣ୍ଟାର ମାମଲତ । ତା’ ଭିତରେ ପୁଣି ତମକୁ ଲେଖିଦେବି କେତେବେଳେ ?

 

ତେବେ ମୋତେ ଗୋଟାଏ କହିଦିଅ, ମୁଁ ମନେରଖି ଲେଖିଦେବି । ଆଉ ସମୟ ପାଇଲେ କେତେବେଳେ ତମ ପାଖକୁ ଯାଇ ଲେଖିଆଣିବି ।

 

ମୁଁ ମୋ ଚା’ କପ୍‌ଟା ଶେଷ କରି ଟେବୁଲ ଉପରେ ରଖିଦେଇ କହିଲି–କେତେ ଗଳ୍ପ ତ ମନକୁ ଆସୁଚି କେଉଁଟା କହିବି ?

 

ଯାହା ହେଲେବି ମୋଟେ ଛୋଟ ଧରଣର ଗପ କୁହ ।

 

ହଁ ଯାହା କହିଲ ଠିକ୍‌ କଥା । ଏମିତି ଗୋଟେ ମୋଟେ ଗପ ଅଛି ଯାହା ବୋଉକୁ କହିବାପାଇଁ ତିନି ଚାରୋଟି ସନ୍ଧ୍ୟା ଲାଗେ । ତମେ ତାକୁ ଲେଖି ରଖିଲେ ଦେଖିବ ସେ ଗୋଟାଏ ଉପନ୍ୟାସ ହେଇ ସରିଚି । ତେବେ ଏତେବଡ଼ ଗଳ୍ପ କହୁନାହିଁ । ଛୋଟଟିଏ କହୁଚି ଶୁଣ ।

 

କିଛି ସମୟ ନୀରବ ରହି ମୁଁ କହିବାକୁ ସ୍ଥିର କରୁଥିବା ଗଳ୍ପର ପ୍ଳଟ୍‌ ଉପରେ ଆଖି ପହଁରାଉଥାଏ । କିନ୍ତୁ ଯାହାକୁ ଭାବେ ତା’ର କିଛି ଭାଗହିଁ ଆଖିକୁ ଜାଲୁ ଜାଲୁଆ ଦିଶେ । ନିରେଖି ଦେଖିବାକୁ ବା ମୋତେ ଏତେ ସମୟ କାହିଁ ? ଶେଷରେ ଗୋଟାଏ ଗଳ୍ପ ବେଶ୍‌ ମନକୁ ପାଇଲା । ସେଇଟାକୁ କହିବାପାଇଁ ଥରେ କଣ୍ଠ ଝାଡ଼ି ସଫା କରିନେଲି । ତାପରେ କହିଲି–ସେ ଗୋଟାଏ ଅଦ୍ଭୁତ ଘଟଣାର କଥା, ଜୀବନ ସଙ୍ଗେ ଜୀବନ ଲଟେଇ ଯିବାର କଥା ।

 

ତନ୍ମୟ ଭାବରେ ମୋଆଡ଼କୁ ଚାହିଁ ରହିଥାଏ ଅସିତ୍‌ । ମୁଁ ଗଳ୍ପଟା କହିଲି ।

 

ଗୋଟାଏ ଦେଶରେ ଜଣେ ରାଜା ଥିଲେ । ତାଙ୍କର ଚାରି ରାଣୀ ଥିଲେ । ରାଜପ୍ରସାଦ ଧନ ରତ୍ନରେ ପରିପୂର୍ଣ୍ଣ ଥିଲା । ପାତ୍ର ମନ୍ତ୍ରୀ ଭାରି ସାଧୁ ଏବଂ ସତ୍ୟପ୍ରିୟ ଥିଲେ । ପ୍ରଜାମାନେ ସୁଖରେ ଚଳୁଥିଲେ । ଘୋଡ଼ାଶାଳରେ ଘୋଡ଼ା ଥିଲେ । ହାତୀଶାଳରେ ହାତୀ ଓ ପଞ୍ଜୁରୀ ଭିତରେ ନେଉଳଟିଏ ଥିଲା । ରାଜା ସେଇ ନେଉଳଟିକୁ ଭାରି ଭଲପାଆନ୍ତି । ତା’ ଖାଇବା ପିଇବା ଖବର ନିଜେ ବୁଝନ୍ତି । କାନ୍ଧରେ ବସାଇ ସିଂହାସନ ଉପରେ ବସି ବିଚାର କରନ୍ତି । ଯେତେ ଲୋକ ତାଙ୍କର ଏଇ ଭାବଭଙ୍ଗୀ ଦେଖିଛନ୍ତି ରାଜା ଭାରି ସଉକିଆ ବୋଲି କହନ୍ତି । କିନ୍ତୁ ଏତେ ଅୟସରେ ଥାଇ ସୁଦ୍ଧା ତାଙ୍କର ଗୋଟାଏ ଦୁଃଖ ଥିଲା । କିଛି ପିଲାପିଲି ହେଉନଥିଲେ । ବୟସ ଉତୁରିଆସୁଥିଲା । ଦିନକୁଦିନ ଏହି ଚିନ୍ତାରେ ସେ ବ୍ୟତିବ୍ୟସ୍ତ ହେଉଥିଲ ।

 

ବିଭିନ୍ନ କବିରାଜମାନଙ୍କଠାରୁ ଔଷଧପତ୍ର ପ୍ରୟୋଗ କରି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ୁଥିଲା । କିଛିଦିନ ପରେ ତାଙ୍କ ରାଜ୍ୟରେ ଦାକ୍ଷିଣାତ୍ୟରୁ ଜଣେ ତାନ୍ତ୍ରିକ ଆସି ପହଞ୍ଚିଲେ ଓ ମାଲୁଣୀ ପିଣ୍ଡାରେ ଆଶ୍ରୟ ହେଲେ ଓ ମାଲୁଣୀ ତାଙ୍କୁ ରାତିରେ ବହୁ ଦ୍ରବ୍ୟ ତିଆରି କରି ଖାଇବାକୁ ଦେଲା, ତା’ର ଯତ୍ନ ନେଲା ଏବଂ ତାଠାରୁ ସମସ୍ତ ଖବର ବୁଝି ଜାଣିଲା ଯେ ସେ ଜଣେ ତାନ୍ତ୍ରିକ । ବହୁ ଅସାଧ୍ୟ ସାଧନ କରିପାରେ । କିନ୍ତୁ ମାଲୁଣୀ ଏ କଥାରେ ବିଶ୍ୱାସ ନ ଯାଇ ତାଠାରୁ ପରୀକ୍ଷା ଆଶାକଲା । ସଙ୍ଗେ ସଙ୍ଗେ ସଙ୍ଗେ ତାନ୍ତ୍ରିକଟି ଖଣ୍ଡେ ହଳଦୀ ରଙ୍ଗର କାଠ ଶୁଙ୍ଘିବାକୁ କହିଲା । ଯେମିତି ମାଲୁଣୀ ସେ କାଠଖଣ୍ଡଟାକୁ ନାକପାଖକୁ ନେଇଚି ସଙ୍ଗେ ସଙ୍ଗେ ଗୋଟିଏ ସୁନ୍ଦରୀ ଯୁବତୀରେ ପରିଣତ ହେଇଗଲା । ତାପରେ ତାନ୍ତ୍ରିକ ଆଉଖଣ୍ଡେ ଗେରୁ ରଙ୍ଗର କାଠ ତା’ ଦେହରେ ଛୁଆଇଁଦେବାରୁ ସେ କାମାତୁରା ହେଇଗଲା ଓ ତାନ୍ତ୍ରିକ ସଙ୍ଗରେ ରତି କରିବାକୁ ଚାହିଁଲା-। କିନ୍ତୁ ତାନ୍ତ୍ରିକଟି ସହଜରେ ରାଜି ନ ହେବାରୁ ତାକୁ ବାଧ୍ୟ କଲା । ଏପରିକି ତାନ୍ତ୍ରିକ ସହିତ ସେ ବହୁ ଅସଙ୍ଗତ ବ୍ୟବହାର କଲା । ବିଚରା ତାନ୍ତ୍ରିକ ଏଇ ମଜା ଦେଖୁ ଦେଖୁ ତା’ ନାକରେ ପୁଣି କ’ଣ ଶୁଙ୍ଘେଇ ଦେଲା । ଫଳରେ ସେ ମାଲୁଣୀ ପୂର୍ବ ଅବସ୍ଥାକୁ ଫେରିଆସିଲା ।

 

ଏଥର ମାଲୁଣୀର ତା’ ଉପରେ ବିଶ୍ୱାସ ଆସିଲା । ତାଠାରୁ ବନ୍ଧ୍ୟା ନାରୀ ପୁତ୍ର ସନ୍ତାନ ଲାଭ କରିବାପାଇଁ ଔଷଧ ରଖି କହିଲା ତୋ କଥା ଯଦି ସତ ହୁଏରେ ପୁଅ ଏ ରାଜ୍ୟରୁ ଅଧେ ପାଇବୁ । ମିଛହେଲେ ରାଜା ତୋତେ ଯେଉଁଠି ଥା’ ପଛକେ ଖୋଜି ଆଣି ହାଣିବେ ।

 

ତାନ୍ତ୍ରିକ ତା’ କଥା ବୁଝିପାରି କହିଲା–ତମେ ତାହେଲେ ତମ ରାଜାଙ୍କ ପାଇଁ ଔଷଧ ରଖୁଚ ? ମନେରଖ ଏ ଔଷଧ କେବଳ ସ୍ୱାମୀ ସ୍ତ୍ରୀ ହାତକୁ ପୂର୍ଣ୍ଣିମା ଦିନ ସକାଳେ କିମ୍ୱା ସନ୍ଧ୍ୟାରେ ଦେଲେ ବନ୍ଧ୍ୟା ଦୋଷରୁ ମୁକ୍ତି ମିଳିବ । ପୁତ୍ରବତୀ ହେବ । କେବଳ ତମେ ମୋର ଏତେ ଯତ୍ନ ନେଲବୋଲି ତମ ଉପକାର ବଦଳରେ ଦେଇଗଲି, ତେଣିକି ରାଜା ଯାହା ପୁରସ୍କାର ଦେବେ ସେଇଟା ମୋର ପ୍ରପ୍ୟ ।

 

ତାପରେ ମାଲୁଣୀକୁ ସେଇ ରାତିରେ ନିଦ ହେଲାନାହିଁ । କେମିତି ରାତି ପାହିବ, ସକାଳ ହେଲେ ରାଜାଘରେ ପହଞ୍ଚିବ ସେଇ ଚିନ୍ତାରେ ଏପଟସେପଟ ହେଉ ହେଉ ତା’ଭିତରେ ତାକୁ ନିଦ ହେଇଯାଇଚି । ସକାଳୁ ଉଠି ମାଲୁଣୀ ଦେଖେ ତାହୀକ ଅତିଥିଟି ତା’ ଘରେ ନାହିଁ । ବଡ଼ ଅଡ଼ୁଆ ଲାଗିଲା କଥାଟା । ତେଣିକି ନିଘା ନ କରି ମାଲୁଣୀ ସିଧା ସିଧା ରାଜାଙ୍କ ଘରକୁ ଯାଇ ସବୁକଥା କହିଲାରୁ ରାଜା ବିଶ୍ୱାସ କଲେନାହିଁ । ମାଲୁଣି ଶେଷକୁ ବହୁ କଷ୍ଟରେ ରାଜାଙ୍କୁ ଥରେ ତାଙ୍କ ରାଣୀମାନଙ୍କୁ ଦେଇ ପରୀକ୍ଷା କରିବାକୁ କହିଲା । ରାଜା ଏଥରୁ ସମ୍ମତି ଜଣେଇଲେ । ପୂର୍ଣ୍ଣିମା ଦିନ–ଭୋଅର ସମୟରୁ ଉଠି ରାଜା ଗାଧୋଇପାଧୋଇ ତାଙ୍କ ତିନି ରାଣୀଙ୍କ ହାତରେ ସେଇ ଔଷଧଟିକୁ ଦେଲେ ଓ ଆଉ ବକଟେ ତାଙ୍କ ସିଂହାସନ କଡ଼ରେ ଗୁଞ୍ଜିଦେଲେ । ଏକଥା ନେଉଳ ଦେଖିଥିଲା ଓ ରହସ୍ୟ ବୁଝିବାକୁ ଚେଷ୍ଟା କରୁଥିଲା । କାରଣ ବାକି ରହିଥିବା ସାନରାଣୀଟିକୁ ରାଜା ସେ ଔଷଧ ଦେଲେନାହିଁ । ତାକୁ ସେ ବିଧିବଦ୍ଧ ଭାବେ ବିବାହ କରିନଥିଲେ ।

 

ରାଜା ଦିନେ ମୃଗୟାକୁ ଯାଇଥିଲେ ଓ ଜଙ୍ଗଲ ଭିତରେ ସେଇ ସୁନ୍ଦରୀ ଝିଅଟିକୁ ଦେଖି ବଳପୂର୍ବକ ପ୍ରେମ ନିବେଦନ କରିଥିଲେ । ଫଳରେ ଅସହାୟାକୁ ଯୁବତୀଟି ତାଙ୍କ ବେକରେ ଛନ୍ଦିହେଇ ତା’ର କୌଣସି ସାହାଭରସା ନଥିବା କଥାଟା କହିଲାରୁ ରାଜା ତାକୁ ସଙ୍ଗରେ ଆଣିଥିଲେ । ମାତ୍ର ରାଜଉଆସରେ ରାଣୀ କରି ରଖିବାକୁ ରାଜାଙ୍କୁ ମନା କରିଥିଲେ । ଫଳରେ ସେ ତାକୁ ଘୋଡ଼ା ଶାଳରେ ଚାକରାଣୀ କରି ରଖିଲେ । ହେଲେ କିଛିଦିନ ପର୍ଯ୍ୟନ୍ତ ରାଜା ତା’ ସହ ସହବାସ କରିବାକୁ ଭୁଲିଲେ ନାହିଁ । ତା’ର ଏଇ ସୁନ୍ଦର ପଣଟା ଅନ୍ୟ ରାଣୀମାନଙ୍କ ଆଖିରେ ଯାଏନା । ତେଣୁ ସେମାନେ କେତେଆଡ଼ୁ କେତେକଥା ଛିଗୁଲେଇ କହନ୍ତି । ବିଚାରୀ ବଡ଼ କଷ୍ଟରେ ଚଳେ । ଖାଇବାକୁ ଦିନେହେଲେ ଆରଦିନକୁ ଦିଅନ୍ତି ନାହିଁ । ସେ ରାଜାଙ୍କ ପାଖକୁ ଆସି କହିପାରେନା । ଘୋଡ଼ା–ଶାଳରେ ରହି କାନ୍ଦେ ଓ ଆପଣା ଭାଗ୍ୟ ଆଦରି ପଡ଼ିରୁହେ ।

 

ଥରେ ତା’ର ଏଇ ଦୁଃଖ ଦେଖି ନେଉଳ ଆସି ରାଜାଙ୍କୁ କହିଲା । ରାଜା ତା’ କଥା ଶୁଣି ଅବାକ ହେଇ ପଚାରିଲେ–ତୁ କେମିତି ଜାଣିଲୁ ନେଉଳ ସେ ଏତେ ଦୁଃଖରେ ଚଳୁଚି ବୋଲି ?

ନେଉଳ ରାଜାଙ୍କୁ କହିଲା–ଆପଣ ମୋତେ ଉପରବେଳା ଖୋଲିଦେଲା ପରେ ମୁଁ ସବୁଦିନେ ତା’ ପାଖକୁ ଯାଏ ଏବଂ ଦୁଃଖସୁଖ ହୁଏ । ସେ ପ୍ରକୃତରେ ଭାରି ନିରୀହ ଲୋକଟିଏ । ଆପଣ ତାକୁ ଦୟା କରନ୍ତୁ । ନେଉଳର କଥା ଶୁଣି ରାଜାଙ୍କ ମନରେ ଦୁଃଖ ଆସିଲା ଓ ସେ ବୁଝିପାରିଲେ ଯେ ବଣର ଶୁଆକୁ ପଞ୍ଜୁରୀରେ ବାନ୍ଧିରଖି ଅଖିଆଅପିଆ ଶୁଖେଇ ମାରିଲେ ଧର୍ମ ଦୁଆରରେ ଦୁଃଖୀ ହେବେ । ତେଣୁ ତା’ର ଖାଇବା ପିଇବାର ଦାୟିତ୍ୱ ନେବାପାଇଁ ଗୋଟାଏ ଦାସୀ ନିଯୁକ୍ତି କଲେ । ଏହା ଦେଖି ଅନ୍ୟ ତିନି ରାଣୀଙ୍କର ବିଚାର ବସିଲା ଓ ଦାସୀ ନେଉଥିବା ଖାଦ୍ୟ ପଦାର୍ଥରେ ବିଷ ମିଶେଇ ତାକୁ ମାରିଦେବା ପାଇଁ ସ୍ଥିର କଲେ ।

ଏଣେ ନେଉଳ ସବୁକଥା ଜାଣିପାରୁଥାଏ । ରାଜାଙ୍କୁ ମାଲୁଣୀ ଦେଇଥିବା ଔଷଧରୁ ବାକିତକ ସିଂହାସନରେ ଗୁଞ୍ଜା ହେଇଥିବା ଦେଖି ସେ ସେଦିନ ସୁବିଧା ଦେଖି ନେଇଆସିଥିଲା ଓ ସଞ୍ଜବେଳକୁ ସାନରାଣୀକୁ ଘୋଡ଼ା ଶାଳରେ ଆଣି ଦେଇଦେଲା । ସାନରାଣୀ ମଧ୍ୟ ସେଇଟାକୁ ପାଟିରେ ମାରିଦେଲେ । ଫଳରେ ସବୁ ରାଣୀଙ୍କ ଭଳି ସାନରାଣୀ ମଧ୍ୟ ସମୟକ୍ରମେ ଗର୍ଭବତୀ ହେଲା । ନେଉଳ ପ୍ରତିଦିନ ତା’ ପାଖକୁ ଯାଏ ଏବଂ ପ୍ରତିଦିନ ତା’ର ଭଲମନ୍ଦ ଖବର ବୁଝେ । ଦିନେ ବାଡ଼ିପଟେ ନେଉଳ ବୁଲୁଥିବାବେଳେ ଶୁଣିପାରିଲା ଯେ, ଅନ୍ୟ ରାଣୀମାନେ ସାନରାଣୀକୁ ବିଷଦେଇ ମାରିବାପାଇଁ ଦାସୀ ସଙ୍ଗରେ ପରାମର୍ଶ କରୁଛନ୍ତି । ତାପରେ ନେଉଳ ବଡ଼ ସତର୍କରେ ଯାଇ ସାନ ପାଖରେ ପହଞ୍ଚି ସବୁକଥା କହିଦେଲା ଓ ଖାଇବା ପୂର୍ବରୁ ପ୍ରତ୍ୟେକ ପଦାର୍ଥ କାଉ ଆଗରେ ଧୋଇ ପରେ ଖାଇବାକୁ କହିଲା । ନେଉଳର ଉପଦେଶ ସେ ଭଲଭାବେ ମାନେ । ଏପରିକି ଘୋର ରାତି ହେଲେ ସେ ନେଉଳ ପାଖକୁ ଆସି ବସେ ଓ ନିଜ ଦୁଃଖ କହେ । ନେଉଳ ତା’ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହେଇ ଅପଲକ ଦୃଷ୍ଟିରେ ଚାହିଁ ଦୀର୍ଘଶ୍ୱାସ ଛାଡ଼େ । ଅନ୍ୟ ରାଣୀମାନଙ୍କ ଉପରେ ମନେମନେ ଭାରି ରାଗେ । ତାକୁ ବୁଝାଏ । ଏଇ ଅଢ଼େଇ ଦିନିଆ ସଂସାରରେ ସୁଖ ବୋଲି କିଛି ନାହିଁ, ସବୁ କେବଳ ଦୁଃଖ । ତା’ ଭିତରେ ଛାତି ଦମ୍ଭକରି ବଞ୍ଚି ରହିବାକୁ ହୁଏ ଧର୍ମ କରି ବୈକୁଣ୍ଠ ଯିବାକୁ ହୁଏ ।

ସବୁ ରାଣୀଙ୍କ ଭଳି ସାନରାଣୀ ଗର୍ଭବତୀ ହେବାର ଦେଖି ରାଜପ୍ରସାଦରେ ଗୋଟାଏ ଆଲୋଚନାର ଝଡ଼ ବହିଗଲା । ରାଜା ମଧ୍ୟ ବିବ୍ରତ ହେଇପଡ଼ିଲେ । ଅନ୍ୟ ରାଣୀମାନେ ନାନା ବାଗରେ ତା’ର ଅବୈଧ ସମ୍ପର୍କ କଥା ରାଜାଙ୍କ କାନରେ କହିଲେ; କିନ୍ତୁ ରାଜାଙ୍କୁ ସବୁ ସିଦ୍ଧାନ୍ତରେ ନେଉଳ ସହଯୋଗ କରିଥାଏ । ଏଇ କଥା ସେ ଜାଣିପାରି ରାଜାଙ୍କୁ ସମସ୍ତ ଘଟଣା ବୁଝାଇଦେଲା-। ଯେତେ ବୁଝିଲେ ମଧ୍ୟ ରଜାଙ୍କର ଭୀଷଣ ସନ୍ଦେହ ହେଉଥାଏ । ଏମିତି ଅବସ୍ଥାରେ ରାଜା କହିଲେ ଯେ–ସାନର ଯାହାହେବ ସେ ଆମ ବଂଶର ରୂପ ଭେକ ଆଣିନଥିଲେ ତା’ର ମୁଣ୍ତକାଟ ହେବ ।

ନେଉଳର ଭାଳେଣି ପଡ଼ିଲା ଓ ସେ ସେଇଦିନ ରାତିରେ ମାଳୁଣୀ ପାଖକୁ ଯାଇ ଔଷଧର ପ୍ରୟୋଗ ବିଧି ବୁଝିଆସିଲା । ସେଇକଥା ମଧ୍ୟ ରାଜାଙ୍କୁ ଆସି କହିଲା । ରାଜା ଏଥର ସ୍ଥିର ହେଲେ ନେଉଳ କଥାରେ ।

ଠିକ୍‌ ସମୟ ଆସି ପହଞ୍ଚିବାରୁ ତିନି ରାଣୀଙ୍କର ତିନୋଟି ପୁଅ ହେଲେ ଓ ସାନ ରାଣୀର ଗୋଟେ ନେଉଳ ହେଲା । ରାଜାଙ୍କର ମାଳୁଣୀ କଥା ମନେପଡ଼ିଲା ଓ ନେଉଳ ନେଇ ଔଷଧ ଦେଇଥିବାକୁ ଏପରି ହେଲାବୋଲି ବୁଝିଲେ ।

 

ନେଉଳଛୁଆ ଦେଖି ସାନ ରାଣୀଙ୍କର ମନ ଭାରି ଖରାପ ହେଇଗଲା । ନେଉଳର ମଧ୍ୟ ମୁଣ୍ଡ ବିଗିଡ଼ି ଗଲା । ରାଜା ନେଉଳକୁ ଡାକି କହିଲେ ସେ ଔଷଧ ତୁ ନେଇ ଦେଇଥିବାରୁ ତୋ ଭଳି ସେ ପୁଅ ହେଇଚି । ଏଥର ତୁ କେବଳ ତା’ ଖବର ବୁଝିବୁ ।

 

ପଶୁ ଜନ୍ତୁଟାଏ ନେଉଳ ବଡ଼ ଝାମେଲାରେ ପଶିଗଲା । ସବୁ ପିଲାମାନେ ବଢ଼ିବା ସଙ୍ଗେ ସଙ୍ଗେ ନେଉଳ ମଧ୍ୟ ବଢ଼ିଲା । ରାଜା ସେମାନଙ୍କୁ ପାଠ ପଢ଼ିବାକୁ ପଠାଇବାର ବ୍ୟବସ୍ଥା କରନ୍ତେ ସାନରାଣୀ ମଧ୍ୟ ତା’ ନେଉଳ ପୁଅକୁ ପାଠ ପଢ଼ିବା ପାଇଁ ପଠେଇବା କଥା ରାଜାଙ୍କ ପାଖରେ ଉଠାଇଲା । ଫଳରେ ରାଜା ହୋଃ ହୋଃ ହେଇ ହସିଲେ । କିନ୍ତୁ ନେଉଳ କହିଲା–ଆପଣଙ୍କର କେତେ ପଇସା କେତେ ବାଟରେ ଖର୍ଚ୍ଚ ହେଉଚି । ଏବେ ସାନରାଣୀ କଥାଟା ରହୁ । କି ପଇସା ଖର୍ଚ୍ଚହେବ ତା’ ପୁଅ ପାଠ ପଢ଼ାରେ ?

 

ରାଜା କହିଲେ–ପଇସା ଖର୍ଚ୍ଚ ନୁହେଁରେ ଓଲୁ, ନେଉଳ କେମିତି ପାଠ ପଢ଼ିବ ?

 

ତା’ ପାଠ ପଢ଼ିବା କଥା ସେ ବୁଝିବ ଆପଣ କେବଳ ଅନୁମତି ଦିଅନ୍ତୁ । ଫଳରେ ରାଜା ନେଉଳର ପାଠପଢ଼ା ପାଇଁ ଅନୁମତି ପ୍ରଦାନ କଲେ ଓ ନେଉଳ ମଧ୍ୟ ପାଠପଢ଼ି ଗଲା । ମାଟିବଂଶ ଅବଧାନେ କହନ୍ତି ସବୁ ପିଲାଙ୍କଠାରୁ ନେଉଳଟି ଭଲ ପଢ଼େ । ଭଲ ଅଙ୍କ କଷେ, ଭାଗବତ ପଢ଼େ-

 

ଅନ୍ୟ ତିନିପୁଅଙ୍କର ପାଠ ହୁଏ ନାହିଁ । ରାଜାଙ୍କ କାନକୁ ସବୁ କଥା ଯାଏ । ରାଜା ସେଗୁଡ଼ାକ ଉପରେ ବିରକ୍ତ ହେଇ ପିଟନ୍ତି । ଘରୋଇ ଅବଧାନ ପାଖରେ ପଢ଼ାନ୍ତି, କିନ୍ତୁ ଏକା କଥା, ନେଉଳକୁ କେହି ପାଠରେ ଟପିଯାଆନ୍ତି ନାହିଁ । ବଡ଼ ନେଉଳର ଛାତି କୁଣ୍ଢେମୋଟ ହେଇଯାଏ । ରାଜା ତା’ କଥାକୁ ବେଦ ବାକ୍ୟ ଭଳି ମାନନ୍ତି । ଅନ୍ୟ ପୁଅମାନେ କେମିତି ପାଠ ପଢ଼ିବେ ପରାମର୍ଶ ମାଗନ୍ତି । ନେଉଳ ତା’ର ବାଟ ବତାଇଦିଏ ।

 

ଏମାନେ ନେଉଳ ଖାତାରୁ ଅଙ୍କ ଟିପିନେଇ ଚାହାଳିରେ ଦେଖାନ୍ତି । ରାଜାପୁଅ ବୋଲି ବଦମାସ ହୁଅନ୍ତି । ଅନ୍ୟ ପିଲାଙ୍କ ସହିତ ଝଗଡ଼ା କରନ୍ତି । ନେଉଳ ଭାରି ସାଧାରଣ ପିଲା । ଏମାନଙ୍କ ସଙ୍ଗରେ ଆସେ ଯାଏ ସିନା କାହା ସଙ୍ଗରେ କଳି ଝଗଡ଼ା କରେନାହିଁ । ବୋଉ ଯାହା କହିଥିବ ସେଇଆ କରେ । ଚାହାଳିକୁ ଯିବା ବାଟରେ ଖରାଦିନେ ଆମ୍ବ ପଣସ ପାଚେ । ଏ ତିନିଭାଇ ତାଙ୍କ ମା’ମାନଙ୍କ କଥାରେ ନେଉଳ ସଙ୍ଗରେ ଅପଡ଼ ପକାନ୍ତି । ସାଙ୍ଗରେ ନିଅନ୍ତି ନାହିଁ । ତଥାପି ନେଉଳ ଏକା ଏକା ତାଙ୍କ ପଛେ ପଛେ ଯାଏ । ଯେମିତି ସେମାନେ ଗଛରେ ପାଚିଲା ଆମ୍ବଟିଏ ଦେଖନ୍ତି ସଙ୍ଗେ ସଙ୍ଗେ କହନ୍ତି–ବୋଉ କଥାରେ ସିନା ନେଉଳ ଭାଇକୁ ସଙ୍ଗରେ ଆଣିଲେନି; କିନ୍ତୁ ନେଉଳ ଭାଇ ଥିଲେ ଆମକୁ ଏ ପାଚିଲା ଆମ୍ବଟା ଦେଇଥାଆନ୍ତା ?

 

ପଛେ ପଛେ ନେଉଳ ଆସୁ ଆସୁ କହେ ହଁ ହଁ ଭାଇ ଅଛି ଅଛି କହି ସଙ୍ଗେ ସଙ୍ଗେ ଗଛକୁ ଚଢ଼ିଯାଏ ଓ ପାଚିଲା ଆମ୍ବକୁ କିଛି ଖାଇ ଏମାନଙ୍କ ପାଖକୁ ପକାଇଦିଏ । ଏମାନେ ଖାଆନ୍ତି ସତ ହେଲେ ତା’ ଉପରେ ଭାରି ବିରକ୍ତ ହୁଅନ୍ତି ଅଇଁଠା କରିଦିଏ ବୋଲି । ସେ ଯେମିତି ଗଛରୁ ଓହ୍ଲାଏ ତାକୁ ସେଇ ଗଛରେ ବାନ୍ଧିଦେଇ ଚାଲିଯାଆନ୍ତି । ନେଉଳ ତାଙ୍କ ପଛେ ପଛେ ଫାସ କାଟି ଚାଲେ । ପୁଣି ଯେଉଁଠି ଆବଶ୍ୟକ ପଡ଼େ ପଛରେ ନେଉଳକୁ ବାନ୍ଧିନେଇ ଆସିଥିବା କଥା ଶୋଚନା କରି କହନ୍ତି ନେଉଳ ଭାଇ ଥାଆନ୍ତା କିଏ ଜିନିଷଟା ଆଣି ଦେଇଥାଆନ୍ତା ? ସଙ୍ଗେ ସଙ୍ଗେ ନେଉଳ ହାଁ ହାଁ ଭାଇ ଅଛି କହି ତାଙ୍କ ଲୋଡ଼ା ଜିନିଷକୁ ଆଣି ପହଞ୍ଚାଏ । ସେମାନେ ଭାରି ଖୁସିହୁଅନ୍ତି । ଦିନେ ଗୋଟେ ପାଚିଲା ପଣସ ଆଣିବାକୁ କହିଲେ । ସେ ଗଛଉପରକୁ ଯାଇ ପଣସ ଖାଇ ମଞ୍ଜି ଏବଂ ବୋତା ଫୋପାଡ଼ିଲା ତାଙ୍କ ଉପରକୁ । ଫଳରେ ସବୁ ଭାଇଯାକ ରାଗିଗଲେ ଏବଂ ତାକୁ ଗୋଟାଏ ଶକ୍ତ ଗଛରେ ବାନ୍ଧିଦେଲେ । ବହୁ କଷ୍ଟରେ ଫାସ କାଟି ଆସିଲା ବେଳକୁ ତାକୁ ରାତି ହେଇଯାଇଥିଲା । ବାଟରେ ତାକୁ ଶବରଟିଏ ଧରିନେଲା । କିଛିଦିନ ତାକୁ ରଖିଲାପରେ ନେଉଳଠାରୁ ଅତ୍ୟନ୍ତ ଭଲ ବ୍ୟବହାର ଓ ମଣିଷ ସୁଲଭ ବୁଦ୍ଧି ଦେଖି ସେ ପ୍ରତିଦିନ ସଙ୍ଗରେ ନେଇ ଶିକାରକୁ ଯାଏ । ଥରେ ଶିକାରକୁ ଯାଏ । ଥରେ ଶିକାର କରିବାକୁ ଘୋର ଜଙ୍ଗଲ ଭିତରେ ପଶିଲାବେଳେ ଜଣେ ରାଜାଙ୍କ ସହିତ ଭେଟ ହେଲା ଓ ସେ ମଧ୍ୟ ଶିକାର ଉଦ୍ଦେଶ୍ୟରେ ଆସିଥିଲେ । ରାଜା ଶବର କାନ୍ଧରେ ବସିଥିବା ନେଉଳର ପିଠିରେ ହାତମାରି ପଚାରିଲେ–ଆଜି କି କି ଶିକାର ପାଇଲ ବ୍ୟାଧ !

 

ନେଉଳ ଉତ୍ତର ଦେଲା ଆଜି କିଛି ଶିକାର ହେବନାହିଁ । ବ୍ୟାଧଉପରେ ଈଶ୍ୱର ଅସନ୍ତୁଷ୍ଟ ଅଛନ୍ତି ।

 

ନେଉଳଠାରୁ ଏମିତି କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହେଇ ପଚାରିଲେ–ତମେ କେମିତି ଜାଣିଲ ?

 

ମୁଁ ସେମିତି ଜାଣିଚି ।

 

ରାଜା ଆହୁରି ଉତ୍ସାହିତ ହେଇ କହିଲେ–ତମେ କ’ଣ ସବୁ ଭବିଷ୍ୟତ କଥା କହିପାରିବ-?

 

ନା, ତଥାପି ଆବଶ୍ୟକ ସ୍ଥଳେ କହିହେବ ।

 

ତାପରେ ରାଜା ଶବରକୁ ସେ ନେଉଳଟିକୁ ଦେଇଦେବା ପାଇଁ କହିଲେ । ପ୍ରତିଦାନରେ କିଛି ଧନସମ୍ପତ୍ତି ଦେବେବୋଲି ଲୋଭ ଦେଖାଇଲେ । ଏସବୁ କଥା ଶୁଣି ନେଉଳ କହିଳା ଦେଖ ରାଜନ, ମୋତେ ଯିଏ ନେବ, ତାକୁ ଶାନ୍ତିରେ ଗଣ୍ଡାଏ ଖାଇବାକୁ ମିଳିବନି ।

 

ଉତ୍ସାହିତ ହୋଇ ଏକ ସମୟରେ ରାଜା ଏବଂ ଶବର ପଚାରିଲେ–କାହିଁକି ?

 

ନେଉଳ କହିଲା ସମୟ ଆସିଲେ କହିବି ।

 

ଏହା ଶୁଣି ଉଭୟେ ହୋ ହୋ ହେଇ ହସିଉଠିଲେ ଏବଂ ଶବର ରାଜାଙ୍କଠାରୁ କିଛି ଅର୍ଥ ନେଇ ନେଉଳକୁ ଦେଇଦେଲା । ରାଜା ନେଉଳକୁ ନେଇ ତାଙ୍କ ଦେଶକୁ ଫେରିଗଲେ ।

 

ଏଣେ ସାନରାଣୀ ତା’ ପୁଅ ନ ଫେରିବାରୁ ବଡ଼ ବିକଳ ହେଇ କାନ୍ଦିବାକୁ ଲାଗିଲା । ଏହା ଦେଖି ନେଉଳ ତାକୁ ବହୁତ ବୁଝାଇଲା । ରାଜାଙ୍କୁ ଏ ସମ୍ପର୍କରେ କହିଲାରୁ ସେ ମଧ୍ୟ ବଡ଼ ବ୍ୟତିବ୍ୟସ୍ତ ହେଇପଡ଼ିଲେ ଏବଂ ସାନରାଣୀ ପାଖକୁ ଯାଇ ସାନ୍ତ୍ୱନା ଦେଇ ତା’ ପୁଅକୁ ଖୋଜି ଫେରାଇ ଆଣିବାକୁ କହିଲେ । ତାଠାରୁ ଅତୀତରେ ଅନ୍ୟ ତିନି ରାଣୀଙ୍କ ପୁଅମାନେ ଚାଟଶାଳି ଗଲାବେଳେ ବାଟରେ କିପରି ମାରନ୍ତି, ଗଛରେ ବାନ୍ଧିଦେଇ ଆସନ୍ତି ସେ ସମସ୍ତ ଶୁଣି ବଡ଼ କ୍ରୋଧ ହେଇ ରାଜା ବାଳୁଙ୍ଗା ପିଲାମାନଙ୍କୁ ଶାସନ କରିବେ ବୋଲି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାପାଇଁ ତା’ ଆଗରେ ପ୍ରତିଜ୍ଞା କଲେ । ତାପରେ ସେମାନଙ୍କୁ ଡାକି ପିଟିଲେ ଏବଂ ନେଉଳ ଖବର ପଚାରିଲେ । ତିନିଭାଇ ମିଶି ଗୋଟାଏ କଥା କହିଲେ, ଆମେ କେହି ନେଉଳକୁ ଦେଖିନୁ, ସେ ପଛରେ ଆସେ । ତା’ ଖବର ଆମକୁ କି ଜଣାଅଛି ?

 

ତାପରେ ରାଜା ତାଙ୍କର ପାତ୍ର ମନ୍ତ୍ରୀଙ୍କୁ ନେଉଳକୁ ଖୋଜି ଆଣିବାପାଇଁ ପଠାଇଲେ । ଦେଶର ପ୍ରତି ସ୍ଥାନରେ ରାଜକର୍ମଚାରୀମାନେ ଖୋଜି ଖୋଜି ନିରାଶ ହେଇ ଫେରିଆସିଲାରୁ ରାଜା ବଡ଼ ଅସନ୍ତୁଷ୍ଟ ହେଇ ଚାଟଶାଳି ଅବଧାନଙ୍କୁ ଧରିଆଣି ଧମକାଇଲେ ଏବଂ ନଜରବନ୍ଦୀ କରି ରଖିଲେ । ଯେପର୍ଯ୍ୟନ୍ତ ନେଉଳ ନ ମିଳିଚି ତାଙ୍କୁ ଛାଡ଼ାଯିବ ନାହିଁ ବୋଲି ଶୁଣେଇଦେଲେ । ଫଳରେ ଅବଧାନଙ୍କ ଘର ସଂସାର ଅବସ୍ଥା ବଡ଼ ଅସ୍ୱଚ୍ଛଳ ହେଇପଡ଼ିଲା । ତାଙ୍କ ପିଲାଛୁଆମାନେ କାନ୍ଦି କାନ୍ଦି ଗଡ଼ି ମରିବାକୁ ବସିଲେ ଏବଂ ରାଜପ୍ରସାଦରେ ପହଞ୍ଚି ତାଙ୍କ ବାପାଙ୍କୁ ଫେରେଇଦେବାକୁ କହିଲେ । ଏ କଥା ସାନରାଣୀ ନେଉଳ ଆଗରେ ପ୍ରକାଶ କଲା ଓ ପର ଦୁଃଖରେ ତା’ ଆଖିରୁ ଲୁହ ଝରିଲା । ନେଉଳ ବଡ଼ ଚତୁରତାର ସହ ରାଜାଙ୍କୁ ଅବଧାନଙ୍କ ପରିବାରବର୍ଗ ବିଷୟରେ କହିଲା–ମହାଭାଗ, ଦୁଃଖୀ ସିନା ବୁଝେ ଦୁଃଖର କଥା । ଆପଣ ଅବଧାନଙ୍କୁ ନଜରବନ୍ଦୀରେ ରଖିବା ଦିନୁ ତାଙ୍କ ପରିବାର ଗଡ଼ି ମରୁଛନ୍ତି । ଦୟାକରି ସେମାନଙ୍କ ଭରଣପୋଷଣ ଦାୟିତ୍ୱ ରାଜକୋଷ ବହନ କରୁ । ତାହା ମଧ୍ୟ ରାଜାଙ୍କଦ୍ୱାରା ଗୃହିତ ହେଲା । ଫଳରେ ରାଜ ଦରବାରରେ ଦୁଇଟି ଗୋଷ୍ଠୀ ଗଢ଼ିଉଠିଲା । ବଡ଼ ତିନିରାଣୀ ଧନରତ୍ନ ଦେଇ କିଛି କର୍ମଚାରୀଙ୍କୁ ହାତ କରିନେଇ ନେଉଳ, ସାନରାଣୀ ଏବଂ ଅବଧାନଙ୍କ ଉପରେ ଅବିଗାର ଚଳାଇଲେ । କିନ୍ତୁ ନେଉଳକୁ କୌଣସି ଅସୁବିଧାରେ ପକାଇବା ସେମାନଙ୍କଦ୍ୱାରା ସମ୍ଭବ ହେଲାନାହିଁ; ମାତ୍ର ସାନରାଣୀ ଓ ଅବଧାନ ବିଭିନ୍ନ ବାଟରେ ଅସୁବିଧାରେ ପଡ଼ିଲେ । ତଥାପି ସେମାନେ ଧର୍ମବାଟ ଛାଡ଼ିଲେ ନାହିଁ । ସାନରାଣୀଙ୍କ ଦୁଃଖରେ ଅବଧାନ କାନ୍ଦ କାନ୍ଦ ହେଇ ସାନ୍ତ୍ୱନା ଦିଅନ୍ତି ! ସବୁ କଥା ଶୁଣନ୍ତି । କୁହନ୍ତି–ସବୁଦିନ ପାଇଁ କାହା ଭାଗ୍ୟରେ ସୁଖ କିମ୍ୱା ଲେଖା ହେଇନାହିଁ । ସମୟ ଆସିବ ସବୁକଥା ବଦଳିଯିବ । ତାପାଇଁ ଅସୀମ ଧୈର୍ଯ୍ୟ ରଖି ଚାଲିବାକୁ ପଡ଼ିବ ।

 

ଦିନେ ଅନ୍ୟ ତିନିରାଣୀ ଅବଧାନକୁ ଡକାଇ ତାକୁ ଲୋଭ ଦେଖେଇ ସାନ ସାଙ୍ଗରେ ପାଟି ନ ଫିଟାଇବାକୁ କହିଲେ । ସାନ ସେମାନଙ୍କ ଘୋଡ଼ାଶାଳର ଦାସୀଟିଏ । ତା’ ପାଖକୁ ନଯାଇ ବରଂ ତାଙ୍କ କଥାରେ ଚାଲିଲେ ଅଚିରେ ଧନୀ ହେଇଯିବ ବୋଲି ଉପଦେଶମାନ ଦେଲେ । ତେଣୁ ସେ କହିଲେ–ଭିକାରି କେବେ ରାଜା ହେଇନି ରାଣୀ ମା’ ବରଂ ରାଜା ଭିକାରି ହେଇପାରିଛନ୍ତି । କିନ୍ତୁ ଯେଉଁ ଭିକାରି ରାଜା ହେବାର ସ୍ୱପ୍ନ ଦେଖି ଘୂରିବୁଲନ୍ତି ସେମାନେ କେବଳ ମରୀଚିକା ପଛରେ ଧାଆନ୍ତି । ମୁଁ ଆଦୌ ସେମିତି ନୁହେଁ କି ତା’ କରିପାରିବିନି ।

 

ଏଥିରେ ରାଗିଯାଇ ଅନ୍ୟ ତିନିରାଣୀ ଅବଧାନ ଉପରେ ପ୍ରତିଶୋଧ ନେବାକଥା । ଚିନ୍ତା କଲେ ଓ ସାନ ଆଉ ତା’ ଭିତରେ ଗୁପ୍ତ ପ୍ରେମ ଅଛି ବୋଲି ପ୍ରଚାର କଲେ । ବୁଝିଲ ଅସିତ୍‌ ! ମୋ ବୋଉ ସେତେବେଳେ ଏଇ ପ୍ରେମ କଥାଟାକୁ ସରଧା ବା ସୁହାଗ ବୋଲି କହି ମୋତେ ବୁଝାଇଥାଏ ।

 

ଅସିତ କହିଲା–ତାହେଲେ ତ ଏ ଗୋଟେ ବିରାଟ ଗପ ? ତାପରେ କ’ଣ ହେଲା ।

 

ହଁ ତାପରେ ସେ ବାବଦରେ ସାନରାଣୀ ଓ ଅବଧାନଙ୍କ ମାନସିକ ଅବସ୍ଥା ଦୋହଲିଗଲା । ସେମାନେ କ’ଣ କରିବେ ବୁଝିନପାରି ନେଉଳଠାରୁ ପରାମର୍ଶ ମାଗିଲେ । ନେଉଳ ତାଙ୍କୁ ପୂର୍ବଭଳି ଚଳିବାକୁ କହିଲା ଓ ଏକଥା ରାଜାଙ୍କ କାନକୁ ନେଲା । ଯାହାଦ୍ୱାରା ରାଜା ଏଇ ପର୍ଯ୍ୟାୟରେ ଏକ ମାନସିକ ସଙ୍କଟର ସମ୍ମୁଖୀନ ହେଲେ । କିଛି ପରିମାଣରେ ନେଉଳ କଥାକୁ ବିଶ୍ୱାସ କରୁଥିଲେ ମଧ୍ୟ ଅବଧାନ ଓ ସାନଉପରେ ସନ୍ଦେହ ଆସୁଥିଲା । ମାତ୍ର ଅନ୍ୟ ରାଣୀମାନେ ଯେ ଅସହିଷ୍ଣୁ ଏକଥା ମଧ୍ୟ ଜାଣିଥିଲେ । ଗୋଟାଏ ଦିଗରେ ପ୍ରିୟ ହିତକାଂକ୍ଷୀ ନେଉଳ, ଅନ୍ୟଦିଗରେ ତିନିରାଣୀ ଓ ମଝିରେ ଅବଧାନ, ସାନ । କିଛି ସମାଧାନ ଉପରକୁ ଆସିପାରୁନଥିଲେ । ଏମିତି ଏକ ଗମ୍ଭୀର ଅବସ୍ଥାରେ ରାଜା ସମୟ ବିତେଇବାକୁ ଲାଗିଲେ ।

 

ବୁଝିଲ ଅସିତ୍‌ ତମେ ତ ସାହିତ୍ୟିକ ଲୋକ, ଏ ସାଇକୋଲୋଜିକାଲ ଅବସ୍ଥାଟାକୁ ସହଜରେ ଅନୁମାନ କରିପାରୁଥିବ । ଏପଟେ ଏମିତି ଏକ ଦ୍ୱନ୍ଦ୍ୱ ଭିତରେ ସମସ୍ତେ ରହିଗଲେ । ସେପଟେ ନେଉଳ ପିଲା ରାଜଉଆସରେ କ୍ରମେ ବଢ଼ୁଥାଏ ଓ ଅତୀତକୁ ମନେପକେଇ ଦୁଃଖ କରୁଥାଏ । କିନ୍ତୁ ସେ ରାଜାଙ୍କର ଗୋଟେ ଝିଅ ଥିଲା । ନେଉଳ ସାଙ୍ଗରେ ତା’ର ଭାରି ଭଲ ବୁଝାମଣା ଥିଲା । ଉଭୟେ ସାଙ୍ଗହେଇ ପଢ଼ନ୍ତି, ଗପ କରନ୍ତି, ଖେଳନ୍ତି ବୁଲନ୍ତି । ଦିନ ବିତିଯାଏ । ସମୟ କାହାପାଇଁ ବସି ରୁହେନାହିଁ । ରାଜାଝିଅ ଓ ନେଉଳ ଅନେକ ବଡ଼ ହେଇଗଲେ । ନେଉଳର ସମସ୍ତ ବିଦ୍ୟା ବୁଦ୍ଧି ଓ କୌଶଳରେ ରାଜାଝିଅ ଅତ୍ୟନ୍ତ ଖୁସିହେଇ ତାକୁ ଭଲପାଇଲା । ଫଳରେ ସୁନ୍ଦରୀ ଝିଅଟିଏ ପାଖରେ ପାଇ ନେଉଳ କ୍ରମଶଃ ତା’ ଅତୀତ ଜୀବନକୁ ଭୁଲିଗଲା । ବସନ୍ତ ଋତୁରେ କୋଇଲିର କୁହୁତାନ ଶୁଣୁ ଶୁଣୁ ରାଜା ଉଦ୍ୟାନରେ ଉଭୟ ଆତ୍ମବିଭୋର ହୁଅନ୍ତି । ରାଜାଝିଅ ଗୀତ ବୋଲି ଶୁଣାଏ । କିନ୍ତୁ ତା’ ଭିତରେ ନେଉଳଟି ପ୍ରତି ଯେତିକି ଭଲପାଇବା ବଢ଼ୁଥାଏ ସେତିକି ଆତ୍ମସଚେତନତା ମଧ୍ୟ ବଢ଼ୁଥାଏ । ରାଜାଘରର କାଇଦା କଟକଣା ଓ ପାଚେରି ଘେରା ଜୀବନ ଭିତରେ ନେଉଳ କେବଳ ତା’ର ସାଥିହେଇ ରହିଥାଏ । ହେଲେ ନାରୀ ମନ କେତେଆଡ଼ୁ କେତେ କଥା ଭାବି ଯାଉଥାଏ । ବେଳେବେଳେ ବି ସେ ଭାବେ ନେଉଳଟା ଗୋଟାଏ ସୁନ୍ଦର ପୁରୁଷ ହେଇଯାଆନ୍ତି କି ସେ ତା’ ସଙ୍ଗରେ ପ୍ରୀତି କରନ୍ତା । ହେଲେ ନେଉଳଟା ସେତକ ହେଇପାରେ ନାହିଁ । ଯାହା କେବଳ ଖେଳର ସାଥିହେଇ ରହିଯାଏ ।

 

ଏକଦା ସେହି ରାଜ୍ୟକୁ ଆଉଜଣେ ରାଜା ଆକ୍ରମଣ କଲେ । ଆକ୍ରମଣ କରିବାର ମୂଳରେ କାହାଣୀଟିଏ ରହିଗଲା । ତାହା ହେଉଛି ଏକମାତ୍ର ସେଇ ସୁନ୍ଦର ଝିଅଟି । ଅନ୍ୟ ଦେଶ ରାଜାଙ୍କର ପୁଅମାନେ ସେମାନଙ୍କ ବନ୍ଧୁଙ୍କ ସଙ୍ଗରେ ବଣଭୋଜି କରିବାକୁ ଜଙ୍ଗଲ ଭିତରକୁ ଆସିଥିଲେ ଓ ଶିକାର ଉଦ୍ଦେଶ୍ୟରେ ବୁଲୁଥିବାବେଳେ ଗୋଟାଏ ପଦ୍ମ ପୋଖରୀ ନିକଟରେ ପହଞ୍ଚିଲେ । ସେଠାରେ ନେଉଳ ଓ ରାଜାଝିଅ ସଙ୍ଗରେ ସହଚରୀମାନଙ୍କୁ ଦେଖିବାକୁ ପାଇଲେ । ରାଜା ଝିଅଟି ପ୍ରତିଦିନ ସେଇ ପଦ୍ମ ପୋଖରୀ କୂଳକୁ ବୁଲିବାକୁ ଯାଏ ଏବଂ ସେଠି ଏକ ଶିବ ମନ୍ଦିରରେ ପୂଜା କରେ । ମନର କଥା କହେ । ସାଙ୍ଗରେ ମଧ୍ୟ ଦେହରକ୍ଷୀ ଭାବେ କିଛି ସୈନ୍ୟସାମନ୍ତ ଯାଇଥାଆନ୍ତି । ରାଜା ଝିଅର ପୂଜା ସରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ଓ ପୁଣି ସଙ୍ଗରେ ଫେରନ୍ତି । ସେଦିନ ମଧ୍ୟ ସେହିଭଳି ସମସ୍ତେ ଥିଲେ । ହଠାତ୍‌ ରାଜାପୁଅମାନେ କୌତୂହଳୀ ହେଇ ଝିଅଟି ଉଦ୍ଦେଶ୍ୟରେ କିଛି ପରିହାସ ମୂଳକ ମନ୍ତବ୍ୟ ଦିଅନ୍ତେ ସୈନ୍ୟସାମନ୍ତମାନେ ଧରିଆଣି ବନ୍ଦୀ କଲେ ରାଜାଝିଅଙ୍କ ପାଖରେ ପହଞ୍ଚେଇ ପଚାରିଲେ–ଜେମା, ଏ ଅଜ୍ଞାତ ଯୁବକ ଆପଣଙ୍କ ପ୍ରତି ଆପେକ୍ଷ ମନ୍ତବ୍ୟ ଦେବାରୁ ଆମେ ବନ୍ଦୀ କରିଚୁ । ଆପଣ ଆଦେଶ ଦେଲେ ରାଜଦରବାରକୁ ନେଇଯିବୁ ଏମାନଙ୍କ ବିଚାରପାଇଁ ।

 

ରାଜାଝିଅ କହିଲା ତମେ ଏମାନଙ୍କୁ ମୁକ୍ତି ଦିଅ ସାମନ୍ତ । ଏହା ତାଙ୍କ ନିଜ ଦୋଷ ନୁହେଁ-। କିଛିଟା ବୟସର ଓ ଆଉ କିଛିଟା ପିତାମାତାଙ୍କର । ତେଣୁ ଏମାନେ କ୍ଷମା ପାଇବା ଯୋଗ୍ୟ-

 

ଫଳରେ ଅପମାନିତ ରାଜାପୁଅମାନେ ବଣଭୋଜି କରିବା କଥା ପଛକୁରଖି ନିଜ ନିଜ ନଗ୍ରକୁ ଫେରିଆସିଲେ ଓ ମାତାମାନଙ୍କ ଆଗରେ ଏହି କଥା କହିଲେ । କଥାଟା ରାଜାଙ୍କ କାନରେ ପହଞ୍ଚିଲା । ନେଉଳ ଶୁଣିଲା । ରାଜା ଓ ନେଉଳ ଏହା ତାଙ୍କ ପୁଅମାନଙ୍କ ପାଇଁ ଉଚିତ ବିଚାର ହେଇଚି ବୋଲି କହିବାରୁ ରାଣୀମାନେ କ୍ରୋଧାନିତ୍ୱ ହେଇ ରାଜାଙ୍କୁ ଅପାରଗ ହୀନବୀର୍ଯ୍ୟ ବୋଲି କହିଲେ । ତାଙ୍କ କଥାକୁ ରାଜା ସହ୍ୟ ନ କରିପାରି ନେଉଳକୁ ଉପାୟ ବତାଇଦେବାକୁ ଅନୁରୋଧ କଲାରୁ ନେଉଳ ନୀରବ ରହିଲା । କାରଣ ରାଜା ରାଣୀମାନଙ୍କ କଥାରେ କିଛି ଅଂଶରେ ଅନୁପ୍ରାଣିତ ଥିବାଭଳି ସେ ବୁଝିସାରିଥିଲା । ଯାହାଦ୍ୱାରା ରାଜା ତାଙ୍କ ପୁଅମାନଙ୍କ ପାଖରେ ସେଇ ଝିଅଟିକୁ ଆଣିଦେବେ ବୋଲି ପ୍ରତିଶ୍ରୁତି ଦେଲେ । ରାଣୀମାନେ ଏ କଥାରେ ଅଧିକ ଉତ୍ସାହିତ ହେଇ ସ୍ୱାଗତ ଜଣାଇଲେ । ତାପରେ ରାଜା ଦୂତ ପଠାଇ ବିବାହ ପ୍ରସଙ୍ଗ ଝିଅର ବାପାଙ୍କ ପାଖରେ ଉପସ୍ଥାପନ କଲେ । ଛୋଟ ଦେଶର ରାଜାଟିଏ ସବୁବେଳେ ବଡ଼ ରାଜାଙ୍କ ପ୍ରତି ସମ୍ମାନବୋଧ ପ୍ରକାଶ କରନ୍ତି । ସେହି ଦୃଷ୍ଟିରୁ ଏ ପ୍ରସ୍ତାବକୁ ସହଜରେ ଏଡ଼ାଇ ନ ଦେଇ ଝିଅର ମତାମତ ଲୋଡ଼ିବାକୁ ପଦ୍ମପୋଖରୀ କୂଳରେ ସମସ୍ତ ଘଟଣା ଶୁଣିଲେ ଓ ସେ ଏବେ ବିବାହ କରିବ ନାହିଁ ବୋଲି ମନାକରିଦେଲେ । ଦୂତ ଫେରିଆସି ରାଜାଙ୍କୁ କହିଲା–ମହାଭାଗ, ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଲାନାହିଁ । ରାଜା ଇଚ୍ଛା କରିଥିଲେ; ମାତ୍ର ତାଙ୍କ ଝିଅ ଏବେ ବିବାହ ନ କରିବାକୁ ମନାକରିଦେବାରୁ ନିରାଶ ହେବାକୁ ହେଲା ।

 

ଏହା ରାଜା ଓ ରାଜସମ୍ମାନ ଘୋର ଅପମାନ ସୂଚକ ଓ ବେଖାତିରି ଭାବ ବୋଲି ରାଣୀମାନେ ରାଜାଙ୍କୁ ଟିହାଇ ଯୁଦ୍ଧ କରି ସେ ଝିଅର ଆଣ୍ଟ ଭାଙ୍ଗି ରାଜପ୍ରାସାଦକୁ ନେଇଆସିବାକୁ ପରାମର୍ଶ ଦେଲେ । ଫଳରେ ରାଜା ଯୁଦ୍ଧ ଘୋଷଣା ନ କରି ରହିପାରିଲେ ନାହିଁ । ଶହ ଶହ ସୈନ୍ୟସାମନ୍ତ ପଠାଇ ରାଜା ରାଣୀମାନଙ୍କ ମନ ରଖିବାକୁ ଉଆସରେ ବସି ବିଜୟର ସ୍ୱପ୍ନ ଦେଖୁଥିଲେ ।

 

ଏଣେ ଯୁଦ୍ଧରେ ମୁକାବିଲା ପାଇଁ ଛୋଟ ଦେଶର ରାଜା ବ୍ୟତିବ୍ୟସ୍ତ ହେଇପଡ଼ିଲେ ଓ ଏହାଦ୍ୱାରା ଏକ ବିପୁଳ କ୍ଷତି ଘଟିବା କଥାଟା ଚିନ୍ତା କଲେ । ତଥାପି ରାଜା ଯେତେବେଳେ, ଯୁଦ୍ଧ ହିଁ କରିବାକୁ ପଡ଼ିବ । ଝିଅର ଏକା ଜିଦ୍‌ ଯୁଦ୍ଧର ମୁକାବିଲା କରାଯାଉ । ତେଣୁ ରାଜା ସୈନ୍ୟ ପଠାଇ ଯୁଦ୍ଧ ଚଳାଇଲେ । ମାତ୍ର ଯୁଦ୍ଧରେ ଶତ୍ରୁପକ୍ଷ ସୈନ୍ୟ ତାଙ୍କ ଦେଶ ଭିତରକୁ ମାଡ଼ି ମାଡ଼ି ଆସୁଥିଲେ ବହୁ ସୈନ୍ୟ ନିହତ ଆହତ ହେଲେ । ବ୍ୟସ୍ତ ରାଜା ଉପାୟଶୂନ୍ୟ ହେଇପଡ଼ିବାବେଳେ ନେଉଳ ଜଣାଇଲା–ହେ ରାଜନ, ଆପଣ ମୋତେ ବହୁ ଶ୍ରଦ୍ଧା ଓ ଯତ୍ନରେ ପିଲାଦିନରୁ ପାଳି ଆସିଛନ୍ତି । ମୋ ପ୍ରତି କୌଣସିଦିନ ଅବିଚାର କରିନାହାନ୍ତି । ତେଣୁ ଆପଣଙ୍କ ଉଆସରେ ମୋର କୌଣସି କ୍ଷତି ଘଟିନଥିଲା । ଏବେ ଯେଉ ଯୁଦ୍ଧ ହେଉଚି ସେଥିରେ ଭାଗନେଇ ମୁଁ ଆପଣଙ୍କ ଋଣ ପରିଶୋଧ କରିବାକୁ ଚାହୁଁଚି । ଏଥିରେ ଆପଣ ମୋର କୌଣସି କ୍ଷତିର ଆଶଙ୍କା ରଖନ୍ତୁ ନାହିଁ ।

 

ନେଉଳର ଏପରି କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହେଲେ ଓ ଅନୁମତି ଦେଲେ । କିନ୍ତୁ ରାଜାଝିଅ ବହୁ ବିନୀତ ସହକାରେ ଏହାର ପ୍ରତିରୋଧ କଲା । ନେଉଳ ବୁଝେଇଲା ସଂଘର୍ଷରେ ହିଁ ପ୍ରତ୍ୟେକ କଥାର ମହତ୍ତ୍ୱ ବୁଝିହୁଏ । ଘର କୋଣରେ ବସିରହି କେହି କେବେ ବଡ଼ ହେଇନାହିଁ । ଜୀବନକୁ ବୁଝି ବୁଝାଇବାକୁ ପଡ଼ିଲେ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଉପସ୍ଥାପନ କରିବାକୁ ହୁଏ । ଯେମିତି କଢ଼ଟିଏ ଫୁଲହୋଇ ଫୁଟିଲେ ଦୁନିଆ ତାକୁ ଆଦର କରେ ଠିକ୍‌ ସେମିତି ଜୀବନ । କଢ଼ ଯଦି କଢ଼ ହେଇ ରହିଯାଏ ତାକୁ କେହି ବୁଝିପାରିବେ ନାହିଁ କି ଆଦର କରିବେ ନାହିଁ ।

 

ଏଥର ରାଜାଝିଅ ବୁଝିଗଲା ଓ ଆନନ୍ଦରେ ତାକୁ ଯୁଦ୍ଧ କ୍ଷେତ୍ରକୁ ଯିବାପାଇଁ ସଜେଇଦେଲା । ନେଉଳ ଧନୁ ଓ ତୀର ନେଇ ଯୁଦ୍ଧକ୍ଷେତ୍ରରେ ପହଞ୍ଚିଲା । ଏହା ଦେଖି ସମସ୍ତ ସୈନ୍ୟବାହିନୀ ଆଶ୍ଚର୍ଯ୍ୟ ଓ ବିସ୍ମୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ପରସ୍ପରରେ ହସାହସି ହେଉଥିବାବେଳେ ନେଉଳ ଯୁଦ୍ଧ କରାମତି ଦେଖିବାକୁ ଅପେକ୍ଷା ରଖିଲେ ।

 

ନେଉଳ ଗୋଟାଏ ଶକ୍ତ ଡେଙ୍ଗାଗଛକୁ ଚଢ଼ିଗଲା ଓ ଗୋଟାଏ କୋରଟ ଭିତରେ ଲୁଚିରହି ବିପକ୍ଷ ସୈନ୍ୟମାନଙ୍କ ଗତିବିଧି ଲକ୍ଷ୍ୟକଲା । ମହା ଆଟୋପ, ବିଜୟ ଉଲ୍ଲାସରେ ବିପକ୍ଷ ଦଳର ସୈନ୍ୟମାନେ ମାଡ଼ିଆସୁଥିବାବେଳେ ନେଉଳ ଗଛଉପରୁ ତୀରମାରି ଗୋଟି ଗୋଟି କରି ପ୍ରାୟ ଅର୍ଦ୍ଧାଧିକ ସୈନ୍ୟଙ୍କୁ ନିହତ କଲା ! ଅବଶିଷ୍ଟ ସୈନ୍ୟମାନେ ତୀର ଆସୁଥିବା ଦିଗକୁ ଲକ୍ଷ୍ୟକରି କାହାକୁ ଖୋଜିପାଇଲେ ନାହିଁ । ଗଛଉପରେ ନେଉଳ ସବୁ ଦେଖୁଥାଏ ଓ ଗୋଟି ଗୋଟି କରି ତୀର ନିକ୍ଷେପ କରୁଥାଏ । ହଠାତ୍‌ ବିପକ୍ଷ ଦଳର ସେନାପତିଙ୍କ ଛାତିରେ ଗୋଟିଏ ତୀର ବାଜିବା କ୍ଷଣି ସେ ନିହତ ହେଲା ଓ ସୈନ୍ୟ ପରିଚାଳନା ପାଇଁ କେହି ନ ରହିବାରୁ ସେମାନଙ୍କ ଭିତରେ ଭାଳେଣି ପଡ଼ିଲା । ଏମିତି ତୀର ଖସିବା ଦେବୀକୃତ ଭାବେ ସେମାନେ ଛାନିଆଁହେଇ ଛତ୍ରଭଙ୍ଗ ଦେଲେ ।

 

ଏହା ଦେଖି ସୈନ୍ୟମାନେ ନେଉଳର ରଣକୌଶଳରେ ମୁଗ୍‌ଧହେଇ କାନ୍ଧରେ ବସାଇ ମହା ଆଡ଼ମ୍ୱରରେ ରାଜପ୍ରାସାଦକୁ ନେଇଆସିଲେ । ରାଜା ବହୁତ ଆନନ୍ଦିତ ହେଇ ନେଉଳକୁ ସେନାପତି ପଦରେ ଅଭିଷିକ୍ତ କରିବାକୁ ଇଚ୍ଛାପ୍ରକାଶ କଲେ । ରାଜାଝିଅ ମନ୍ତ୍ରମୁଗ୍‌ଧ ଭଳି କେବଳ ନେଉଳ ପାଖରେ ଛିଡ଼ାହେଇ ଚାହିଁବାକୁ ଲାଗିଲେ ।

 

ରାଜାଙ୍କର ଏହି ବିଜୟବାର୍ତ୍ତା ସାରା ଦେଶରେ ପ୍ରଚାରିତ ହେଇଗଲା ଓ ନେଉଳକୁ ଦେଖିବାପାଇଁ ବହୁଲୋକ ବିଭିନ୍ନ ବାଗରେ ଉପହାର ଆଣି ଉପସ୍ଥିତ ହେଲେ । ସେମାନଙ୍କ ଭିତରେ ସେଇ ପୂର୍ବର ତାନ୍ତ୍ରିକଟି ଥିଲା । ସେ ନେଉଳକୁ ଦେଖିବା କ୍ଷଣି କହିଉଠିଲା–ହେ ମହାଭାଗ, ମୁଁ ଏ ନେଉଳକୁ ମଣିଷରେ ପରିଣତ କରିଦେଇପାରେ ।

 

ଉପସ୍ଥିତ ସବୁ ଲୋକମାନେ ଆଶ୍ଚର୍ଯ୍ୟ ହେଇ ତା’ଆଡ଼କୁ ଚାହିଁଲେ । ସେ କହିଲା–ମୁଁ ଏହାର ଜନ୍ମ ରହସ୍ୟ ଜାଣିପାରୁଚି, ଏ ହେଉଚି ରାଜାପୁଅ । କିନ୍ତୁ ନେଉଳ ହାତରୁ ୟା’ ମା’ ଔଷଧ ଗ୍ରହଣ କରିଥିବାରୁ ନେଉଳ ହେଇ ଏ ଜନ୍ମନେଇଚି ।

 

ରାଜା ଏହା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଇ କହିଉଠିଲା ହେ ତାନ୍ତ୍ରିକ ତମେ ଏହାକୁ ଶୀଘ୍ର ତା’ର ବଂଶ ପରମ୍ପରାଗତ ମଣିଷଟିଏ କରିଦିଅ । ପ୍ରତିଦାନରେ ଯାହା ଚାହିଁବ ତାହା ଦେଇପାରିବି । ଯେତେ ଧନ ସମ୍ପତ୍ତି ଦରକାର ଦେବି । କିନ୍ତୁ ଏ ପ୍ରକୃତ ରାଜାପୁଅ କି ନା କେମିତି ଜାଣିବି ?

 

ଅପେକ୍ଷା କରନ୍ତୁ ମହାଭାଗ, ମୋ ହାତକୁ ସେ ନେଉଳକୁ ଦିଅନ୍ତୁ କହି ତାନ୍ତ୍ରିକ ନେଉଳଟି ଧରି ଗୋଟିଏ ଔଷଧ ଶୁଙ୍ଘେଇଦେଲା । ସଙ୍ଗେ ସଙ୍ଗେ ନେଉଳ ତା’ ବାପାଙ୍କ ଚେହେରାର ସାମଞ୍ଜସ୍ୟ ହେଇ ସୁନ୍ଦର ଯୁବକଟିଏ ପାଲଟିଗଲା । ତା’ପରେ ସେ ଆଚମ୍ୱିତ ହେଇ ପଚାରିଲା–ମୁଁ ଏଠିକି କେମିତି ଆସିଲି ? ମୋ ବାପା ବୋଉ ଏମାନେ କହାନ୍ତି ?

 

ତାପରେ ତାନ୍ତ୍ରିକଟି ଘଟିଯାଇଥିବା ସମସ୍ତ ଘଟଣା ତା’ ଆଗରେ ପ୍ରକାଶ କଲା । ସଙ୍ଗେ ସଙ୍ଗେ ସେ ନିଜ ଦେଶକୁ ଯିବାକୁ ବାହାରିଲା ଓ ପିତାଙ୍କର ସୈନ୍ୟବାହିନୀକୁ ପରାଜିତ କରିଥିବାରୁ ଦୁଃଖପ୍ରକାଶ କଲା । ରାଜା ତା’ ଆଗରେ ଯୁଦ୍ଧ ଆରମ୍ଭ ହେବାର ବୃତ୍ତାନ୍ତ କହିଲେ । ସଭାସଦ୍‌ଗଣ ଆଶ୍ଚର୍ଯ୍ୟ ହେଇ କହିଲେ–ଯାହାକୁ ଯାହା ମିଳିବାର କଥା ତାକୁ ଈଶ୍ୱର ଦିଅନ୍ତି । ମଣିଷର ଏଥିରେ କିଛି ହେଲେ ହାତ ନାହିଁ ।

 

ମହା ଆଡ଼ମ୍ୱରରେ ରାଜପ୍ରାସାଦରେ ରାଜା ନିଜର କନ୍ୟାକୁ ଯୁବରାଜଙ୍କୁ ପ୍ରଦାନ ପୂର୍ବକ ପାତ୍ରମନ୍ତ୍ରୀ ଓ ସୈନ୍ୟସାମନ୍ତ ଦେଇ ତାଙ୍କ ଦେଶକୁ ପଠାଇଦେଲେ । ନିଜ ଦେଶରେ ପହଞ୍ଚି ବାପା ମା’ ଓ ଅନ୍ୟ ମାତାମାନଙ୍କୁ ପ୍ରଣାମ କରି ସମସ୍ତ ଘଟଣା କହିଗଲା ପରେ ରାଜା ବୁଝିଲେ ଯେ, ସାନରାଣୀର ସେଇ ନେଉଳ ଆଜି ଏ ଦେଶର ବିରାଟ ଭବିଷ୍ୟତ, ତା’ ମୁଣ୍ଡରେ ମୁକୁଟ ପିନ୍ଧାଇଦେଲେ । ଅନ୍ୟ ଭାଇମାନେ ଲୁଚି ଜଙ୍ଗଲକୁ ପଳାଉଥିବାବେଳେ ସେ ତାଙ୍କୁ ଫେରାଇ ଆଣି ବୁଝାଇଶୁଝାଇ ରାଜପ୍ରାସାଦରେ ରଖିଲେ । ସମସ୍ତଙ୍କ ଭିତରେ ଭଲ ବୁଝାମଣା ସୃଷ୍ଟିହେଲା । ସାନରାଣୀ ଘୋଡ଼ାଶାଳରୁ ମୁକ୍ତିହେଇ ରାଜମାତାର ଆସନ ପାଇଲେ । ବୁଢ଼ା ନେଉଳ ଖୁଁ ଖୁଁ ହେଇ କାଶି କାଶି କହିଲା–ଭାଗବତରେ ଗୋଟାଏ ପଦ ଅଛି ‘‘କରି କରାଉଥାଏ ମୁହିଁ, ମୋ ବିନୁ ଆନଗତି ନାହିଁ ।’’ ସବୁ ସେଇ ପରମେଶ୍ୱରଙ୍କର ଖେଳା ଲୀଳା । ସବୁ ତାଙ୍କରି ଇଚ୍ଛା । ରାଜପ୍ରାସାଦରେ ମହା ଆଡ଼ମ୍ୱରପୂର୍ଣ୍ଣ ଭାବେ ଯୁବରାଜଙ୍କୁ ଅଭିଷେକ କରାଗଲା । ପାତ୍ରମନ୍ତ୍ରୀ, ନଗ୍ରଜନ ସମସ୍ତେ ଏପରି ଘଟଣାରେ ଆଶ୍ଚର୍ଯ୍ୟ ଓ ଆନନ୍ଦିତ ହେଲେ । ସଂକ୍ଷେପରେ ମୋଟା–ମୋଟି ଗଳ୍ପଟା ଏଇଆ, ବୁଝିଲ ଅସିତ୍‌ । ଏମିତି ଅନେକ ଗଳ୍ପ ବୋଉ ମୋତେ କହୁଥିଲା । ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ ଅଧିକାଂଶ ଗଳ୍ପ ମଣିଷ ଓ ଜୀବଜନ୍ତୁଙ୍କ ଭିତରେ ଅପୂର୍ବ ମିଳନ ସୃଷ୍ଟିକରେ ।

 

ଅସିତ୍‌ କ’ଣ ଭାବୁଥିଲା କେଜାଣି । ହଠାତ୍‌ ଗୋଟେ ଗମ୍ଭୀର ବାକ୍ୟ କହିଲା ଏଥିରେ ଯେଉଁ ଦର୍ଶନ ଅଛି ତାକୁ ସହଜରେ ବୁଝିହେବ ନାହିଁ । ସତରେ ବହୁ ଲୋକଗଳ୍ପରେ ଜୀବନ ପାଇଁ ଯେଉଁ ବ୍ୟାପକ ପ୍ରତିଶ୍ରୁତି ରହିଚି, ତାହା ଅଦ୍ଭୁତ । ଆଛା ମୋତେ ତମେ ସମୟ ପାଇ ଏଗୁଡ଼ା ଲେଖିଦେଇପାରିବ କି ? ଏଇଟା ମୋର ମନେରହିଲା । ମୁଁ ଲେଖିଦେବି । କିନ୍ତୁ ଅନ୍ୟଗୁଡ଼ାକ କଥା କହୁଚି ?

 

ଦେଖିବି, ସମୟ ହେଲେ ।

 

ଏଥର ସହର ଗଲେ ତମ ପାଖକୁ ଯାଇପାରେ । ଅନ୍ତତଃ ଏଇଥିପାଇଁ, ପ୍ରସ୍ତୁତ ହେଇଥିବ ।

 

ମୁଁ କହିଲି–ଠିକ୍‌ ଅଛି ।

 

ତେବେ ମୁଁ ଚାଲିଲି, ତମେ ଗାଧେଇ ଖିଆପିଆ କର ।

 

ଆମେ ଦୁଇବନ୍ଧୁ ଉଠିଲୁ । ମୁଁ ତା’ ସଙ୍ଗରେ କିଛି ବାଟ ପର୍ଯ୍ୟନ୍ତ ଗଲି ବାଟେଇଦେବାକୁ । ଅସିତ୍‌କୁ ବିଦାୟ ଦେଉ ଦେଉ ସେ ମୋତେ କହିଲା–ଏ କଥା ଯେମିତି ତମର ମନେରହେ ମଳୟ-!

 

ନିଶ୍ଚୟ–ନିଶ୍ଚୟ–

 

ନଅ

 

ଆଜି ପାଇଁ ରହିଗଲେ କେମିତି ହୁଅନ୍ତା ? ମୁଁ ମୋ ନିଜକୁ ପଚାରି ଆଶ୍ୱାସନା ଦେଉଥିଲି । ପୁନିର କିଛି ଅସୁବିଧା ହେବାର ଆଶଙ୍କା ନାହିଁ । ହୁଏତ ସେ ମିଟିର ସହଯୋଗ ଲୋଡ଼ିଥିବ । ଉଭୟେ ଘୁରା ଫେରା କରୁଥିବେ କିମ୍ବା ଘରେ ବସି ଗପ କରୁଥିବେ । ପୁନିର ସମୟ ହେଇଗଲାଣି । ବେଳେବେଳେ କଷ୍ଟ ହୁଏ ବୋଲି କହେ । ଦିନେ ସିନେମା ଯିବାପାଇଁ ଆଡ଼୍‌ଭାନସ୍‌ ବୁକିଂ କରି ରବିବାର ବଜାରରେ ମ୍ୟାଟିନ୍‌ ସୋ ଦେଖିବା ବ୍ୟବସ୍ଥାରେ ରୋଷେଇବାସ ସାରି ଖିଆପିଆ ବ୍ୟବସ୍ଥା କଲାବେଳକୁ ପେନ୍‌ ଆରମ୍ଭ ହେଇଥିଲା । ମୁଁ ବଡ଼ ବିବ୍ରତ ହେଇପଡ଼ିଲି । କାରଣ ସବୁ ସ୍ତ୍ରୀଲୋକମାନଙ୍କର ପ୍ରସବ ସମୟସୀମା ନିର୍ଦ୍ଦିଷ୍ଟ ନ ଥାଏ । ତେଣୁ ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇଯିବାକୁ ପଡ଼ିଲା । ଡାକ୍ତର ରାଧାମଣି ଦେବୀ ପରୀକ୍ଷା ନିରୀକ୍ଷା ପରେ କିଛି ଔଷଧ ଲେଖିଦେଲେ ଓ ଫଲସ୍‌ ପେନ୍‌ ଏମିତି ବେଳେବେଳେ ଜଣ ଜଣଙ୍କର ହୁଏ ବୋଲି କହିଲେ-। ଡେରିହେବା କଥାଟା ଉଲ୍ଲେଖ କରିବାପରେ ମୁଁ ଟିକିଏ ସ୍ୱସ୍ତିରେ ନିଶ୍ୱାସ ମାରିଲି । ତାପରେ କୌଣସି ଦିନ ପୁନିର ଫଲସ୍‌ ପେନ୍‌ ହେଇନି । ମୁଁ ଆସିଲାବେଳେ ମଧ୍ୟ ସେଇକଥା ସୂଚେଇ କହିଥିଲି–ଯଦି ତମର କିଛି ଅସୁବିଧା ହୁଏ ତେବେ ମିଟିକୁ ସଙ୍ଗରେ ନେଇ ରାଧାମଣି ଦେବୀଙ୍କ ପାଖକୁ ଚାଲିଯିବ । ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି ଯେକୌଣସି ସମୟରେ ପହଞ୍ଚିଲେ ମଧ୍ୟ ଆମ କଥା ବୁଝିବେ ।

 

ଏଇ ମିଟି ହେଉଚି ଆମ ଘରପାଖ ପଡ଼ୋଶୀ ନଳନୀକାନ୍ତ ବାବୁଙ୍କ ଝିଅ । ବି ଏ. ପରୀକ୍ଷା ଦେଇସାରିଚି । ରେଜଲ୍‌ଟ ଅପେକ୍ଷାରେ ଘରେ ବସିଚି । ଆମ ଘରଆଡ଼େ ମଝିରେ ମଝିରେ ଆସେ, ପୁନି ସଙ୍ଗେ ସୁଖଦୁଃଖ, ହସଖୁସି ହୁଏ । କେମିତି ସହଜ ସରଳ ଲାଗେ ମୋତେ ସେ ଝିଅଟା । ନଳିନୀବାବୁ ସେଲ୍‌ଟ୍ୟାକ୍‌ସ ଅଫିସର । ଦରମା କେତେ କ’ଣ ? ତାପରେ ମଧ୍ୟ ଆଉଟ୍‌ ଇନ୍‌କମ୍‌ ଯଥେଷ୍ଟ । ଏଇ ଜମିଟା କିଣିଲାବେଳେ ପୁନି ତାଙ୍କର ସନ୍ଧାନ କରିଥିଲା ଏବଂ ଗୋଟାଏ ପ୍ଳଟକୁ ସାଙ୍ଗ ହେଇ ଅଧା ଅଧା କିଣିନେଇଥିଲୁ । ଘର କଲା ପରେ ସେ ଆମର ପଡ଼ୋଶୀ ହେଇଯାଇଛନ୍ତି କିନ୍ତୁ ତାଙ୍କ ସାଙ୍ଗରେ ମୋର କଥାବାର୍ତ୍ତା ହୁଏ କଦବା କେମିତି । ହେଲେ ମିଟି ପ୍ରାୟ ଆମ ଘରକୁ ଆସେ । ମୋତେ ବହୁତ ଭଲଲାଗେ ସେ ଝିଅଟା । ପଇସା ଥିବା ଘରର ଝିଅହେଇ ସେ ଖୁବ୍‌ ନିରାଡ଼ମ୍ବର ଓ ସହଜ ଜୀବନ ବଞ୍ଚେ । ଏପରିକି ଆମ ଘରକୁ ସଞ୍ଜରେ ଆସିଲେ ପୁନି–ଯଦି ରୁଟି ବେଲୁଥିବ ତାକୁ କାମରେ ସହଯୋଗ କରେ । ଭାଉଜ ଭାଉଜ କହି ଥଟ୍ଟା ହୁଏ । କିନ୍ତୁ ମୋତେ ସେ ଖୁବ୍‌ ଡରେ । ମୁଁ କେମିତି ଗମ୍ଭୀର ହେଇଯାଏ ତା’ପାଖରେ । ସେଥିପାଇଁ ମୋ ସ୍ତ୍ରୀର ଉପସ୍ଥିତି କିମ୍ବା ପଡ଼ୋଶୀ ବୋଲି ନିଜର ମର୍ଯ୍ୟଦାବୋଧ ମୋତେ ପଛକୁ ଟାଣିଧରେ । ମୁଁ ଯେମିତି ଅନ୍ୟ ଝିଅମାନଙ୍କୁ ଦେଖିବାକୁ ଭଲପାଏ ଓ ନୂଆ ଆଖିରେ ଦେଖେ ତାକୁ ସେମିତି ଦେଖିପାରେନା । ତା’ର ଅନେକ କାରଣ ଖୋଜିଚି, ହେଲେ କେଉଁ କଥା ମୋତେ ବୁଝାଇଦେଇ ଖୁସି କରିପାରେନା । ମୁଁ ଯଥେଷ୍ଟ ଉଦାସୀନ ରହି ସେହି ମୁହୂର୍ତ୍ତମାନଙ୍କରେ ପୁନି କଥା ଚିନ୍ତା କରିଚି-। ପୁନି ତା’ ସ୍ୱଭାବବଶତଃ ଗମ୍ଭୀର ଓ ଭଦ୍ର ବ୍ୟବହାରରେ ଦୂରତା ରକ୍ଷାକଲେ ମଧ୍ୟ ମିଟି କିଛି ନ ଭାବି ଅଧିକ ନିକଟତର ହୁଏ । ବେଳେବେଳେ ତା’ର ଏଇ ଆନ୍ତରିକ ବ୍ୟବହାର ଓ ମିଶିବାର ଭଙ୍ଗିନେଇ ମୁଁ ମୋତେ ସେଠି ଉପଲକ୍ଷ୍ୟ କରେ । ଏଇ ଗହନ ଗହୀର ମନତଳର କଥାକୁ ପରୀକ୍ଷାରେ ରୂପ ନେବାପାଇଁ ଥରେ ମିଟିକୁ ଗୋଟେ ଗ୍ଳାସ ପାଣି ମାଗିଲି । ସେ ରୋଷେଇ ଘର ସୁରେଇରୁ ପାଣି ଆଣି ମୋ ହାତକୁ ଗ୍ଳାସ୍‌ଟା ବଢ଼େଇଲାବେଳେ ମୁଁ ତା’ ହାତ ସହ ଗ୍ଳାସଟା ଧରିନେଲି । ଫଳରେ ସେ କିଛିଟା ଇତସ୍ତତଃ ହେଇ ହାତଟା କାଢ଼ିନେବାକ୍ଷଣି ଗ୍ଳାସଟା ତଳେପଡ଼ି ଭାଙ୍ଗିଗଲା । ସେ ଦୌଡ଼ିଯାଇ ପୁନି ଆଗରେ ଏଇ ଗ୍ଳାସ ଭାଙ୍ଗିଯିବାର ମୂଳରୁ ଶେଷ ପର୍ଯ୍ୟନ୍ତ କହିଗଲା । ଅବଶ୍ୟ ତା’ କଥାରେ କୌଣସି ଆକ୍ଷେପ କିମ୍ୱା ବିରକ୍ତି ନ ଥିଲା । ଥିଲା ଗୋଟାଏ ସହଜ ସ୍ୱଭାବ ପ୍ରକାଶ ଭଙ୍ଗୀର ଛଳ । ମୁଁ ତା’ ସରଳତାକୁ ମାପିଥିଲି ଓ ଜାଣିଥିଲି ମିଟି ପ୍ରେମିକା ହେବାଭଳି ଝିଅଟିଏ ନୁହେଁ ଆଦୌ ।

 

ମୁଁ ବିବ୍ରତ ହେଉନଥିଲି । ମାତ୍ର ପୁନି କଥାଟା ବାରମ୍ୱାର ମନକୁ ଆସୁଥିଲା । ମନସ୍ତତ୍ତ୍ୱ ଦୃଷ୍ଟିକୋଣରୁ ମୁଁ ଭାବୁଥିଲି ପୁନି ବୋଧେ ମୋତେ ବାରମ୍ୱାର ସ୍ମରଣ କରୁଚି ଅଥବା ତା’ର କୌଣସି ଅସୁବିଧା ହେଇଚି । ଏଇ ଅସୁବିଧା କଥାଟା ମିଟିକୁ ଜଡ଼ିତ କରୁଚି ମୋ ଚେତନା ସ୍ତରରେ । ମୋତେ ଟିକିଏ ନିଶ୍ଚିତ କରିଦେଉଚି । ମୁଁ ସ୍ଥିର କରୁଥିଲି ସହରକୁ ଫେରିଯିବାପାଇଁ ।

 

ଅନ୍ୟମନସ୍କ ଭାବେ ମୁଁ ମୋ ମୁହଁରେ ହାତ ବୁଲେଇଆଣିଲି । ଦାଢ଼ିର ଖେଣ୍ଟାଗୁଡ଼ାକ ହାତକୁ ଖୁବ୍‌ ରୁକ୍ଷ ମନେହେଲା । ବିନା କାରଣରେ ମୁଁ ଯେମିତି ହତାଶ ହେଇଯାଉଚି । ଘରେ ଏ ଦୁଇଦିନ ଭିତରେ ମୁଁ ଆଇନା ଦେଖି ମୁଣ୍ଡ କୁଣ୍ଡେଇଚି । କିନ୍ତୁ ବେଶି ସମୟ ମୁହଁକୁ ଦେଖିବାର ସମୟ ପାଇନି । ହୁଏତ ସେତିକ ମିଳିଥିଲେ ଦାଢ଼ି କାଟିବାରେ ମୁଁ ଯେ, ଅବହେଳା କରେନା ତାହା ଜାଣିପାରିଥାଆନ୍ତି । ଆସିଲାବେଳେ ମୁଁ ଆଟାଚିରେ ବ୍ଳେଡ଼୍‌ ଓ ରେଜର ନେଇଆସିଥିଲି । ଗାଁମାନଙ୍କରେ ବାରିକ ଆସି ଦାଢ଼ି କାଟିଯାଏ ପ୍ରତି ସପ୍ତାହରେ ସମସ୍ତଙ୍କ ଘରେ । ସେଇଟା ତାଙ୍କ କାମ । ସେମାନେ ହେଲେ ସେବାକାରୀ, ସାରା ବର୍ଷଟା ଏମିତି ଖଟନ୍ତି । ବିଲବାଡ଼ିରୁ ହଳାବିଡ଼ା ଓ ଘରୁ ବର୍ତ୍ତନ ନିଅନ୍ତି ଶେଷରେ । ଗାଁ ଜୀବନର ଇଏ ଗୋଟାଏ ବଡ଼ ବୈଶିଷ୍ଟ୍ୟ । କେବଳ ବାରିକ କାହିଁକି ଧୋବା, କମାର, ଘାଟିଆ–ସମସ୍ତେ ଏମିତି ନିଜ ନିଜର କାମ କରି ଚାଲନ୍ତି ଓ ବର୍ଷ ମୁଣ୍ଡରେ ପାଉଣା ପାଆନ୍ତି । କିନ୍ତୁ ଆମ ଘରଟା ଏମିତି ଢିଲା ଯେ ବାରିକ କେବେ ଆସିଲା ତ ଆସିଲା ନହେଲେ ନାହିଁ । ଭାରି ଖାମ୍‌ଖିଆଲ ଏକା । ଏବେ କ’ଣ ହେଉଚି ଜାଣିନି । ତଥାପି ମୁଁ ଦାଢ଼ି କାଟିବା ଉଦ୍ଦେଶ୍ୟରେ ମୋର ସମସ୍ତ ସାଜ ସରଞ୍ଜାମ ନେଇଆସିଚି ।

 

ତା’ପରେ ମୁଁ ଧିରେ ଧିରେ ଆଇନା ସାମ୍ନାକୁ ଗଲି ଓ ଦାଢ଼ି କାଟିବା ସମ୍ପର୍କରେ ଚିନ୍ତାକଲି । ଆଇନାରେ ମୋ ମୁହଁ ଯେତେ ପରିମାଣରେ ପରିଷ୍କାର ଦିଶୁନଥିଲା ପୁନିର ମୁହଁ ବେଶି ଦିଶୁଥିଲା । ଯଦିଓ କେବଳ ମୁଁ ଛିଡ଼ା ହେଇଥିଲି ଏକୁଟିଆ । ପୁନି କଥା ମୁଁ କୌଣସି ଦିନ ଏତେ ବେଶି ଚିନ୍ତା କରିନାହିଁ । ଆଜି ଯେ ଚିନ୍ତା କରୁଚି ସେ କଥା ମଧ୍ୟ ସ୍ୱୀକାର କରୁନାହିଁ । କିନ୍ତୁ ତା’ କଥା ମୋ ଭିତରକୁ ଧସେଇ ପଶୁଚି । ସବୁ ପ୍ରକାର ଅନିଶ୍ଚିତତା ଭିତରେ ମୁଁ ଫେରିଯିବାପାଇଁ ସିଦ୍ଧାନ୍ତ ନେଉଥିଲି । ହୁଏତ ମିଟି ୟା’ ଭିତରେ କୌଣସି ବନ୍ଧୁ ଘରକୁ ଯଦି ଚାଲିଯାଇଥିବ, ତେବେ ପୁନି ନିଶ୍ଚୟ ଅସୁବିଧାର ସମ୍ମୁଖୀନ ହେବ । ମୋର ବର୍ତ୍ତମାନ ତା’ ପାଖକୁ ଚାଲିଯିବା ନିହାତି ଦରକାର ।

 

ମୁଁ ମୋ ଘରକୁ ଫେରିଆସି ଆଟାଚି ଖୋଲିଲି । ଦାଢ଼ିକଟା ସରଞ୍ଜାମ ନେଇ ପୁଣି ଛିଡ଼ାହେଲି ଅଇନା ସାମ୍ନାରେ । ରେଜରରେ ବ୍ଳେଡ଼୍‌ ଲଗାଇଲି । ଗୋଟାଏ ରସଗିନାରେ କିଛି ପାଣିଆଣି ଚେୟାର ଉପରେ ବସିଲି ଓ କ୍ରିମ୍‌ ଲଗେଇ ବ୍ରସ୍‌ ଚଲେଇଲି । ମୋ ପତଳା ହାତୁରା ମୁହଁରେ କ୍ରିମ୍‌ର ଫେଣ ଫୁଲିଉଠି ବେଶ୍‌ ପୂରିଲା ପୂରିଲା ଦିଶିଲା । କ୍ରିମ୍‌ ଫେଣ ଭିତରେ ମୁହଁଟା ଅନେକାଂଶରେ ସୁନ୍ଦର ଲାଗୁଥିଲା ଆଖିକୁ । ଏମିତି ଅବସ୍ଥାରେ ମୁହଁଟା ସବୁବେଳ ପାଇଁ ରହିଲେ ମୁଁ ନିଜକୁ ସ୍ୱାସ୍ଥ୍ୟବାନ୍‌ ବୋଲି ଗର୍ବ କରନ୍ତି । ସେହି ଫେଣୁଆ ମୁହଁଉପରେ ରେଜର ଚଳାଇବାକୁ ମୋତେ ଦ୍ୱିଧା ଲାଗୁଥିଲା । ତଥାପି ସେଇଟା ଯେ ବାସ୍ତବ ନୁହେଁ କିମ୍ୱା ହେଇନପାରେ ଭାବି ରେଜର ଚଳେଇନେଲି । ପୋଛି ହେଇଗଲେ ଦାଢ଼ି, ଫେଣ ଓ ଅନିଶ୍ଚିତ ଇଚ୍ଛାର ଚୌହଦୀ ।

 

ମୋତେ ପୁନିପାଖକୁ ଫେରିଯିବାକୁ ପଡ଼ିବ । ଯେତେଶୀଘ୍ର ଯାଇହେବ । ମୁଁ ଖୁବ୍‌ ବ୍ୟସ୍ତ ହେଇପଡ଼ିଲି ଓ ଦାଢ଼ିକଟା ସରଞ୍ଜାମ ଆଣି ଆଟାଚି ଭିତରେ ରଖିଲି । ବାଲ୍‌ଟି ଓ ଗ୍ଳାସଟା ଧରି ପାଣି କଳ ପାଖକୁ ଚାଲିଲି । ଟ୍ୟୁଓ୍ୱେଲର ହ୍ୟାଣ୍ଡେଲ ଉପରେ ହାତରଖି ଚାପିବା ପାଇଁ ଟେକିଲି । କେଁ କେଁ ଗୋଟେ ଶବ୍ଦ ସୃଷ୍ଟି କରି କିଛି ପାଣି ବାହାରିଆସିଲା । ମୋର ମନେପଡ଼ିଲା ସେଇ ସ୍କୁଲ ଶେଷ ଘଣ୍ଟାର ଶବ୍ଦ । ଅସିତ ଆସି ମୋତେ ବିବ୍ରତ କରି ଚାଲିଗଲା । ବୋଉ କହିଥିବା ଗପଟା କହିଦେଲି ସିନା ମୁହଁଟା ଭୁଲିପାରିଲି ନାହିଁ । ଯେଉଁ ମୁହଁଭିତରେ ପୁନିର ଛବି ଝଟକିଉଠିଲା । ପୁରୁଣା ସ୍ମୃତିରେ ନୂଆର ମୁଦ୍ରାଙ୍କ ସ୍ପଷ୍ଟ ହେଇଗଲା । ବୋଉ ମୋତେ ଦୁନିଆକୁ ଚିହ୍ନିବାକୁ କହିଥିଲା-। ପୁନିଦ୍ୱାରା ମୁଁ ଦୁନିଆ ଦାଣ୍ଡରେ ଚାଲିବାକୁ ଚାହିଁଥିଲି । ମୁଁ ବୋଧେ ବୋଉ–ପାଇଁ ଥିଲି କିଛିଟା ପ୍ରତିଶ୍ରୁତି, ବୋଉ ମୋ ପାଇଁ ଦିଗ୍‍ଦର୍ଶକ । ପୁନି ମୋ ବିଫଳ ଇଚ୍ଛାର ସେତୁ, ମୁଁ ତା’ ଅନ୍ୟମନସ୍କ ନୀରବ ପଥିକ । ବାଲଟିରେ ପାଣି, ତଳେ ଗ୍ଳାସ୍‌ । ମୁଁ ଗୋଟେ ଅଶୌଚ ମଣିଷ ।

 

ଗାଧୋଇଲି, ପବିତ୍ର ହେଲି । ଗ୍ଳାସ୍‌ରେ ପାଣିଧରି ଆସିଲି । ମୋର ଇଚ୍ଛାହେଲା ଘର ଛାଡ଼ିବା ପୂର୍ବ ମୁହୂର୍ତ୍ତରେ ମା’ ବୃନ୍ଦାବତୀଙ୍କ ମଥାଉପରେ ପାଣିଢାଳି ଓଳଗି ହେବାକୁ । ମନ୍ଦାର ଗଛକୁ ହାତ ବଢ଼େଇଲି । ଦୁଇଟା ଫୁଲ ଛିଣ୍ଡେଇ ଆଣି ବୃନ୍ଦାବତୀଙ୍କ ମଥାଉପରେ ରଖି ପାଣି ଢାଳିଲି । ଆଣ୍ଠୁମାଡ଼ି ଓଳଗିହେଇ କହିଲି ପୁନିଉପରେ ଶୁଭଦୃଷ୍ଟି ରଖ ମା’ । ତା’ର ଯେମିତି କିଛି ଅସୁବିଧା ନହୁଏ । ମୁଁ ପହଞ୍ଚିବା ପର୍ଯ୍ୟନ୍ତ ସେ ଭଲରେ ରହୁ ।

 

ମୁଁ ଲୁଗା ପାଲଟି ପୁଣି ସେଇ ଆଇନା ସାମ୍ନାକୁ ଆସିଲି । ସେତେବେଳେ ମୁଁ ମୋତେ ନିରେଖି ଦେଖିବାର ଅବକାଶ ନଥିଲା । ଶୀଘ୍ର ଶୀଘ୍ର ମୁଣ୍ଡ କୁଣ୍ଡେଇନେଇ ଘରଭିତରକୁ ଫେରି ଯାଉ ଯାଉ ପଚାରିଲି–ତୋର କାମ ସରିଲା ମିନୁ, ଶୀଘ୍ର ବାହାରିପଡ଼ । ଖରାହେଲାଣି, ସାଢ଼େ ନ’ଟାରୁ ବେଶି ହେବ ବୋଧେ । ଆଈମା’ କ’ଣ କରୁଚି ?

 

ମିନୁ ବ୍ୟସ୍ତହେଇ ଚାଲି ଯାଉଯାଉ କହିଲା–ଆଈମା’ ଗାଧୋଇସାରି ଖାଇବାକୁ ଯାଉଚି-। ତମେ ଗଣ୍ଡାଏ ଖାଇନିଅ ଭାଇ, ମୁଁ ବ୍ୟାଗ୍‌ ସଜାଡ଼ି ଦେଉଚି ।

 

ମୁଁ ଖାଇବାକୁ ଚାଲିଗଲି । ଅନୁଭବ କରୁଥିଲି ସବୁଆଡ଼େ ମୋଟେ ବ୍ୟସ୍ତତାର ସୁଅ ଛୁଟିଛି । ବଢ଼ା ହେଇଥିବା ଭାତକଂସା ପାଖରେ ବସିଲି । ପଖାଳ ଭାତ ଆଳୁ ଭଜା ଦେଖି ମୋର ମନେହେଲା ଏ ଯେମିତି ଶେଷ ଅମୃତର ସ୍ପର୍ଶ ମୋ ପାଇଁ । ପୁନି ଅନେକ ସମୟରେ ଏମିତି କରିଦିଏ । ମାତ୍ର ଏ ପେଜଦିଆ ମାଟିହାଣ୍ଡି ପଖାଳ ଭାତର ସ୍ୱାଦ ସେଥିରେ ମିଳେନା । ମୁଁ ମନେମନେ କହିଲି–ଗାଁର ପରିବାର ସବୁ, ତମେ ଏଇ ଅମୃତ ସ୍ୱାଦର ଜୀବନର ଅର୍ଥ ଖୋଜିଯାଅ । ଏ ହେଉଚି ତମପାଇଁ ଆରମ୍ଭ ଓ ଶେଷ ସାନ୍ତ୍ୱନା ।

 

ମୋ ଖାଇବା ପାଖରେ ବାପା ଆସି ପହଞ୍ଚି ପଚାରିଲେ–ଏବର୍ଷ ଆମକୁ ବଳଦ ବଦଳେଇବାକୁ ପଡ଼ିବ । ସେ ଚଟା ସିଙ୍ଗିଆଟାକୁ ବିକିଦେଇ ଆଉ କିଛି ପଇସା ପୂରେଇ ଦାମୁରିଟାଏ କିଣିବୁ, ତୁ କ’ଣ କହୁଚୁ ?

 

ମୋତେ ଖୁବ୍‌ ଅଡ଼ୁଆ ଲାଗିଲା ତାଙ୍କର ଏ କଥାଟା । ଏମିତି ଢଙ୍ଗ ପାଇଁ ତାଙ୍କ ଉପରେ ମୁଁ ବେଳେବେଳେ ବିରକ୍ତ ହୁଏ । ମୁରବି ହେଇ ଘର ଚଳେଇବ ତମେ, କ’ଣ ହେବ ନହେବ ସେକଥା ଆମକୁ ପଚାରି ଲାଭ କ’ଣ ? ଆମେ ଆସିଲୁ ଦିନେଅଧେ ପାଇଁ ହସଖୁସିରେ ବୁଲି ଚାଲିଗଲୁ । ଏ ଘରେ ଆମେ କୁଣିଆଭଳି । ଆମ କଥା ଆମେ ବୁଝୁଚୁ । ସେଥିରେ ଏଣେ ଆମକୁ ଟାଣିଓଟାରି ଚିନ୍ତା କରିବାକୁ କହିଲେ କେମିତି କିଏ କହିବ କ’ଣ ? ମୁଁ ଖାଉଥିବା ବେଳେ କହିଲି–ଯାହା ଭଲହେବ ତାହା କରିବ, ମୁଁ କି ଜାଣେ ଚାଷବାସରୁ ? ମୋତେ ପଚାରିଲେ ମୁଁ କ’ଣ ବଳଦ କିଣିବି ନା କେଉଁ ବଳଦ କ’ଣ କେମିତି କହିପାରିବି ?

 

ମୁଁ କ’ଣ ସେଇଆ କହିଲି । ତା’ ପାଇଁ ଯେଉଁ ପଇସା ଦରକାର ଆସିବ କୁଆଡ଼ୁ ? ଘରେ ଆଉ କ’ଣ ଅଛି କି ? ବିକିଦେଇ ସେଇ ପଇସା ପୂରେଇ ବଳଦଟାଏ କିଣିଦେବୁ ? ବିରି ମୁଗ ଫସଲ ଏ ବର୍ଷ ଭଲ ହେଇନଥିଲା; ବିହନ ବନ୍ଧାହେଇଚି ଯାହା । ଆଉ କ’ଣ କେଜାଏ ଘରଖର୍ଚ୍ଚପାଇଁ ଅଛି । ବର୍ଷକ ପାଇବା ମୁସ୍କିଲ ।

 

ମୁଁ ସେ ସମ୍ପର୍କରେ ଆଦୌ ସମୟ ନଷ୍ଟକରି ଚିନ୍ତା କରିବାକୁ ଚାହୁଁନଥିଲି କିମ୍ୱା ମୋପାଖରେ ମହଜୁତ୍‌ ପଇସା ନଥିଲା ତାଙ୍କୁ ଦେଇଦେବା ପାଇଁ । ତେଣୁ କହିଲି–ପଇସା କଥା ମୁଁ ଟିକେ ପରେ କହିବି, ସେଠିକି ଗଲେ ଯଦି ହୁଏ କିଛି ପଠେଇବାର ବ୍ୟବସ୍ଥା କରିବି । ତମେ ସାନବାପାଙ୍କୁ ଏ ବିଷୟରେ ଚିଠି ଲେଖ ।

 

ବାହାରେ କିଏ ବାପାଙ୍କୁ ଡାକିଲା ବୋଧେ, ସେ ଚାଲିଗଲେ । ମୁଁ ଖାଇସାରିବା ବେଳକୁ ପୁନିପାଖରେ ପହଞ୍ଚିବାର ବ୍ୟଗ୍ରତା ବଢ଼ିଯାଇଥିଲା । ପ୍ରତି ମୁହୂର୍ତ୍ତର ଦୂରତା ମୋପକ୍ଷେ ଲମ୍ୱିଯାଇ ଆଖି ପାଉନଥିଲା ଓ ଅଣନିଶ୍ୱାସୀ ଇଚ୍ଛାର ଲଗାମ ଟାଣିଧରିବାକୁ ହାତର ବଳ କମି କମି ଆସୁଥିଲା । ମୁଁ ଉଠିଗଲି ହାତ ଧୋଇବାକୁ । ଶଙ୍କର ଦା’ ଓ ଅରୂପ ଆସୁଥିବାର ମୁଁ ଦେଖିପାରିଲି । ତାଙ୍କୁ ଆଭଏଡ଼୍‌ କରିଯିବାକୁ ହାତଧୋଇ ଘରଭିତରକୁ ପଶିଗଲା । ଚେୟାର ଉପରେ ବସି ଅପେକ୍ଷା କଲି ସେଇମାନଙ୍କୁ କାଳେ ଆସିଯିବେ କି ? ମଣିଷ ବୋର୍‌ ହୋଇଯିବ, ହତାଶ ଲାଗିବ । ସମୟ ଗଡ଼ିଯିବ । ଭୟ ଆଉ ବିରକ୍ତିର ଫେଣ୍ଟାଫେଣ୍ଟି ରୂପ ଭିତରେ ମୁଁ ଚାହୁଁଥିଲି ସେମାନେ ନ ଆସି ରାସ୍ତାଏ ରାସ୍ତା, ଚାଲିଯାଆନ୍ତେ କି ?

 

ନା, ମୁଁ ଯେତେ ନ ଚାହିଁଲେ ମଧ୍ୟ ସେମାନେ ଆସି ମୋତେ ଡାକିଲେ । ଦୁଇ–ତିନି ଡାକ ପର୍ଯ୍ୟନ୍ତ ଜବାବ୍‌ ଦେଲିନାହିଁ ଅସହ୍ୟ ବିରକ୍ତିରେ । ତଥାପି ମୋତେ ଶେଷଥର ପାଇଁ ଜବାବ୍‌ ଦେବାକୁ ପଡ଼ିଲା । ବାହାରକୁ ଆସିବାକୁ ହେଲା । ମୁଁ ପଚାରିଲି–ପୁଣି କୁଆଡ଼େ ଶଙ୍କର ଦା’ ? କାଲି ତ ମିଟିଂରେ ଯାହାହେଉ ହେଇଗଲା ଗୋଟାଏ କଥା । ଏଣିକି ତମେ ସବୁ ଖବର ବୁଝିବ । ଆଉ ଡର କ’ଣ ? ଶଙ୍କର ଦା’ ଅଳ୍ପକେ ମୁରୁକି ହସିଦେଇ କହିଲେ–ମିଟିଂ ହେଇଗଲା, ସବୁ ସରିଗଲା । ତଥାପି ଅସଲ କାମ ସବୁ ବାକି ରହିଗଲା । ସେସବୁ କେମିତି ହେବ ?

 

ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି– ଆଉ କି କାମ ?

 

କଥାରେ କ’ଣ ସବୁ ହେଇଯାଏନା କ’ଣ ? ଆମେ ଯେଉଁ ସଙ୍ଗଠନକୁ ନୂଆ ରୂପ ଦେଲେ ତା’ର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କରେ ସବୁ ଅଫିସରେ ଥରେଅଧେ ମୁହଁମାରି ବୁଝେଇଦେଇ ନ ଆସିଲେ ସେମାନେ ଆମ କାମ କରିବେ କେମିତି ?

 

ହଁ ସେ କଥାଟା ନିହାତି କରିବା ଦରକାର । ତମେ ଆଜି ଦି’ ଚାରିଜଣ ଚାଲିଗଲନି ?

 

ତମେ ନ ଗଲେ କେମିତି ହେବ ?

 

ମୋର ସମୟ କାହିଁ ?

 

ଏଇ ପ୍ରଥମଥରକ ଚାଲ କଥାବାର୍ତ୍ତା କରିଆସିବା, ତାପରେ ଆମେ ଯାଇ କାମ କରିବୁ-

 

ମୋତେ ବଡ଼ ବିରକ୍ତି ଲାଗିଲା ଶଙ୍କର ଦା’ର ଏଇ କଥାଗୁଡ଼ାକ । କିରେ ବାବୁ ଯୁଗ ଆସି କେଉଁଠି ହେଲାଣି, ନିଜେ ନିଜକୁ ଅନ୍ୟପାଖରେ ଉପସ୍ଥାପନ କର ବୋଲି ଯେତେ କହିଲେ ଏମାନେ ସେଇ ପଛବୁଦ୍ଧିଆ ହେଇ ରହିଗଲେ । ମନେମନେ ବିରକ୍ତି ହେଲେ ମଧ୍ୟ ବାହାରକୁ ସେମାନେ ବୁଝିଲା ଭଳି ଘରଭିତରକୁ ଡାକି ବସେଇଲି ଓ କହିଲି–ମୋର ଯିବା ବର୍ତ୍ତମାନ ଆଦୌ ଦରକାର ନାହିଁ । କହିଲି ପରା ମହେନ୍ଦ୍ର ଦାଦା ଯେମିତି ପରସେଣ୍ଟଜ୍‌ ଦେଇ କାମ କରୁଚ ତମେ ସେମିତି କରିବ । ପ୍ରଥମେ ତମେ ଏଇ କଥାଟା ବି.ଡ଼ି ଓ.ଙ୍କ ପାଖରେ ପରୀକ୍ଷା କର । ଯଦି ସଫଳ ନହୁଅ ତେବେ ମୋତେ କହିବ । ତମେ ଭଲ କାମ କରିବ କେମିତି ? ପ୍ରଥମେ ଦୁର୍ନୀତିର ଆଶ୍ରୟ ନେବାକୁ ପଡ଼ିବ ନିଶ୍ଚୟ । ଧରାଯାଉ ଗୋଟାଏ ବଳଦ ବିକ୍ରି ହେବାକୁ ହାଟକୁ ଆସିବ । କିଣିବା ପାଇଁ ଯଦି ଲୋକ ଭିଡ଼ କରିବେ ଫଳରେ କ’ଣ ହେବ ? ଦର ନିଶ୍ଚୟ ବଢ଼ିବ । କିଏ ହଜାର କହିଲେ କିଏ ବାରଶ’ କରିବ । ବିକିଲାବାଲାର ଯେତେ ଅଧିକ ପଇସା ହେବ ସେତେ ଭଲ । ସେମିତି ଯେକୌଣସି କାମ ତମେ ବ୍ଳକ୍‌ରୁ ଆଣିବାକୁ ଚାହିଁବ ମହେନ୍ଦ୍ର ଦାଦା ପ୍ରତିଦ୍ୱନ୍ଦ୍ୱିତା କରିବ ନିଶ୍ଚୟ । କିନ୍ତୁ ତମେ ବି.ଡ଼ି.ଓଙ୍କୁ ଭେଟି କହିଦିଅ ଯେ, ଆପଣଙ୍କର ଯେତେ ପରସେଣ୍ଟେଜ୍‌ କାଟିନେବା କଥା ନେଇ କାମ ଦିଅନ୍ତୁ । ତାପରେ ଏମିତି ଗୋଟାକ ପରେ ଗୋଟାଏ କାମ କଲେ ମହେନ୍ଦ୍ର ଦାଦା ନିଶ୍ଚୟ ହତାଶ ହେବ । ମୁଁ ଏକଥା କାହିଁକି କହୁଚି ନା ବି.ଡ଼ି.ଓ ଯେତେବେଳେ ଜାଣିବ ତମ ପଛରେ ଗାଁର ପଚସ୍ତରୀ ଭାଗ ଲୋକ ଅଛନ୍ତି, ସେ କାମ ନଦେଇ ଯିବ କୁଆଡ଼େ ? ତା’ପରେ ପରସେଣ୍ଟେଜ୍‌ ପାଇବ । ଅଫିସରଟିଏ ସବୁବେଳେ ପଇସା ଓ ଜନ ସମର୍ଥନଆଡ଼କୁ ଲକ୍ଷ୍ୟ ଦିଏ । ତେଣୁ ତମେ ନିଶ୍ଚୟ କାମ ପାଇବ । କିଛିଦିନ ପରେ ତମକୁ କିନ୍ତୁ ରାସ୍ତା ବଦଳେଇବାକୁ ପଡ଼ିବ । ଦେଖିବ ଯେମିତି ମହେନ୍ଦ୍ର ଦାଦା ଆଶା ଶୂନ୍ୟ ହେଇ ଘରେ ବସିଲା ସେମିତି ତମେ ପରସେଣ୍ଟେଜ୍‌ଟା କମେଇ କମେଇ ଜମା ନ ଦେବା ଉପରେ ରହିବ । ଏମିତି ତମକୁ କାମ କରିବାକୁ ପଡ଼ିବ, ନହେଲେ ହେବ କେମିତି ? ମୋ ଯିବାଟା ବଡ଼ କଥା ନୁହେଁ ।

 

ଅରୂପ ଅନ୍ୟମନସ୍କ ହେଇ କ’ଣ ଭାବୁ ଭାବୁ କହିଲା–ଏହାଦ୍ୱାରା କ’ଣ ଦୁର୍ନୀତି ବନ୍ଦ ହେଇପାରିବ ? ପୁଣି ମୁଁ ବିରକ୍ତି ପ୍ରକାଶ କରି କହିଲି–ଆରେ ବାବୁ ତମେ କ’ଣ ଏଇଠି ବସି ଚିନ୍ତାକଲେ ସାରା ଦେଶରୁ ଦୁର୍ନୀତି ଦୂର ହୋଇଯିବ ? ସମୟ ଆସିଲେ ନିଶ୍ଚୟ ହେବ; କିନ୍ତୁ ସହଜ ବାଟରେ ନୁହେଁ ଆଦୌ । ଏମିତି ଗୋଟେ ସମୟ ଆସିବ ଯେତେବେଳେ ସମସ୍ତେ ସଚେତନ ହେବେ ଓ ଦୁର୍ନୀତି ନ କରିବାକୁ ପ୍ରତିଜ୍ଞା କରିବେ । ଫଳରେ ଆପେ ଆପେ ଦୁର୍ନୀତି କଥାଟା ଉଠିଯିବ । ଧରାଯାଉ ଆମ ଗାଁରୁ କାହାର ଚୋରି ହେବ । ଚୋରି ଯାଇଥିବା ଲୋକଟିର ବ୍ୟସ୍ତତା ବଢ଼ିବ ଓ ଚୋରମାନେ ଖୁସିହେବେ କିଛି ଜିନିଷ ପାଇଗଲେ ବୋଲି । ଏ ଚୋରି ସିନା ରାତିରେ ହେଉଚି ବୋଲି ତମେ ଶୁଣିଲେ ଆହା ପଦଟିଏ କରିବି କିମ୍ୱା କହିବ ତା’ର ଚୋରି ହେଇଗଲା ଆମର କ’ଣ ଅଛି ? କିନ୍ତୁ ଯଦି ସମାଜରେ ଦିନରେ ଚୋରିଚାଲେ ଏବଂ ଯିଏ ଯାହା ଘରୁ ଯାହା ପାଇଲା ନେଇଯିବାକୁ ବସିଲା, ସେତେବେଳେ ଚୋରି ମଧ୍ୟ ଭାବିବ ତା’ ଘରେ ଯେଉଁ ଜିନିଷ ଅଛି ତାକୁ ଜଗି ବସିବାକୁ । ନହେଲେ ଚୋରି ହେଇଯିବ । ସମସ୍ତେ ନିଜ ନିଜ ଜିନିଷ ଚୋରି ହେଇଯିବା ଡରରେ ଜଗିବେ ଓ କେହି କାହା ଘରକୁ ଚୋରି କରିବାକୁ ଯିବେନାହିଁ । ପର ଘରକୁ ଚୋରି କରିବାକୁ ଗଲେ ତ ଏଣେ ନିଜ ଘରୁ ଚୋରି ହେଇଯିବ । ତେଣୁ ଅନ୍ୟଘରୁ ଚୋରି କରିବାର ଅର୍ଥ କିଛି ରହିବନି । ଫଳରେ ଚୋରି ବନ୍ଦ–ହେବ । ସବୁ କଥା ସେମିତି । ଦୁର୍ନୀତିକୁ ଜଣେ କେହି ଚାହିଁଲେ କ’ଣ ବନ୍ଦ କରିପାରିବ ? ସମସ୍ତେ ଯେତେବେଳେ ଦୁର୍ନୀତିଗ୍ରସ୍ତ ହେବେ, ପରସ୍ପରକୁ ଠକିବାକୁ ଚାହିଁବେ ଠିକ୍‌ ସେଇ ସମୟରୁ ନିଜେ ନ ଠକିବା ପାଇଁ ସମସ୍ତେ ସଜାଗ ରହିବେ । ସୁତରାଂ ଠକାଠକି କଥାଟା ଆପେ ବନ୍ଦ ହେଇଯିବ । ତାପାଇଁ ଏତେ ସଭା ସମିତି, ହଟ୍ଟଗୋଳ କରି କିଛି ଲାଭ ନାହିଁ । ବର୍ତ୍ତମାନ ସିନା କିଛିଲୋକ ଠକୁଛନ୍ତି ଓ କିଛିଲୋକ ଠକି ହେଉଛନ୍ତି ବୋଲି ଏତେ କଥା ମାତ୍ର ସମସ୍ତେ ଯେ ଯାହାବାଟରେ ପରସ୍ପରକୁ ଠକିବାକୁ ଚାହିଁଲେ ବଳେ ଠକାଠକରି ରାସ୍ତା ବନ୍ଦ ହେଇଯିବ । ତେବେ ସେ ବେଳ ଆସିନି । ଆମକୁ ସୃଷ୍ଟି କରିବାକୁ ପଡ଼ିବ । କହୁଥିଲି ନା ସେ ବଳଦ ବିକିବା କଥା । ଯଦି ହାଟଭିତରେ ସେ ଯାଇ ମୂଲ୍ୟ କରନ୍ତା ବିକିଲାବାଲା ଉଚିତ୍‌ ମୂଲ୍ୟରେ ନଦେଇ ଯାଆନ୍ତା କୁଆଡ଼େ ? ତା’ ପାଖରେ ହଜାର ଦଲାଲ ପହଞ୍ଚିଲା ବେଳକୁ ସିନା ଠକାଠକିର ପ୍ରଶ୍ନଉଠିଲା । କେହି ନଯାଇ ଜଣେ ଗଲେ ସେ ପ୍ରଶ୍ନ ଆଉ ଉଠନ୍ତା କୁଆଡ଼ୁ ? କାରଣ ଜଣକର ବିକିବା ଆବଶ୍ୟକ ଓ ଆଉ ଜଣକର କିଣିବା ଆବଶ୍ୟକ ଭିତରେ ଗୋଟାଏ ଉଚିତ ସମାଧାନ ହୁଅନ୍ତା । ସେ ଆଉ ନ ବିକି କ’ଣ ଘରକୁ ଫେରେଇନିଅନ୍ତା ? ବିକିବା ତା’ର ଦରକାର । ତେଣୁ ଉଚିତ ବାଟରେ ଉଭୟ ଉପକୃତ ହୁଅନ୍ତେ ।

 

ମୁଁ ଏତେପ୍ରକାରେ ବୁଝେଇ ସାରିଥିଲେ ହେଁ ସେମାନେ ମୋ କଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲେ । ତାଙ୍କର ସେଇ ଗୋଟିଏ କଥା–ତମେ ଚାଲ ଆମ ସଙ୍ଗରେ ଥରକ ପାଇଁ । ଥରେ କଥାବାର୍ତ୍ତା କରି ଆସିଲା ପରେ ଆମେ ଆମ କାମରେ ଆଗେଇବୁ ।

 

ଆଉ କେଉଁ ଉପାୟରେ ମୋର ଏଇ ସଂକ୍ଷିପ୍ତ ସମୟର କଥା କହି ମୁଁ ବୁଝେଇପାରିବି ଠିକ୍‌ କରିପାରୁନଥିଲି । ତଥାପି ମୁଁ କହିଲି ଦେଖ, ମୋର ଆଜି ଫେରିଯିବା ନିହାତି ଦରକାର । ଦିନକ ପାଇଁ ଆସି ତିନିଦିନ ରହିଗଲାଣି । ତେବେ କ’ଣ ହେଲା କ’ଣ ନାହିଁ କିଛି ବୁଝାପଡ଼ୁନି । ମୁଁ ଆଉ ଘଣ୍ଟାଏ ପାଇଁ ମଧ୍ୟ ରହିପାରିବିନି । ମିନୁ ମୋର ସମସ୍ତ ଜିନିଷପତ୍ର ବନ୍ଧାବନ୍ଧି କରି ସଜାଡ଼ି ରଖିଲାଣି । ଆଇମା’ ଲୁଗା ପିନ୍ଧି ସାରିଲାଣି ଯିବ ବୋଲି । ତମେ କୁହ, ମୁଁ ଆଉ କେମିତି ରହି ତମ ସଙ୍ଗରେ ଏଣିକି ତେଣିକି ଯାଇ ବୁଝାବୁଝି କରିବି ।

 

ମୋ ପାଟିରୁ କଥା ସରିଚି କି ନାହିଁ ବାହାରେ ସାଇକେଲ୍‌ ବେଲ୍‌ ବଜାଇ ରାମ ଆସି ପହଞ୍ଚିଲା । ଯା ଶଳା, ଆଜି ଯିବା ବନ୍ଦ ହେବ ନା କ’ଣ ? ଖରା ମାଡ଼ିଆସିଲାଣି କଷ୍ଟ ହେବ ଯିବାକୁ-। ପୁଣି ଏତେ ଝାମେଲା । କାଲି ରାତିରେ ତା’ ସଙ୍ଗରେ ଭେଟ ହେଇଥିଲା, ଆଜି ପୁଣି କାହିଁକି ଆସିଚି ?

 

ରାମ ଆସି ମୋତେ ନମସ୍କାର ହେଲା । ମୁଁ ଚେୟାର ଉପରୁ ଉଠି ପ୍ରତି ନମସ୍କାର କରି ପଚାରିଲି କୁଆଡ଼େ ରାମ ?

 

ଆଜ୍ଞା ମା’ ପଠେଇଛନ୍ତି ଆପଣଙ୍କୁ ସଙ୍ଗରେ ନେବାପାଇଁ । ତାଙ୍କୁ ଶାଶୁ ନଣନ୍ଦ କାଲି ଘରକୁ ଫେରିଯିବେ ଯେ ଦେଖିବାପାଇଁ ଡାକିଛନ୍ତି ।

 

ଏତେ ବିରକ୍ତ ଭିତରେ ଟିକେ ରହସ୍ୟ କଲାଭଳି କହିଲି–କିରେ ମୁଁ କ’ଣ ଗୋଟାଏ ପ୍ରଦର୍ଶନୀ ହେଇଚି ନା କ’ଣ ? ସେ ମୋତେ ଦେଖିବାକୁ ଲଗେଇଛନ୍ତି ? ମୁଁ ଏଣେ ବାହାରିଲିଣି ଯିବାପାଇଁ । ଆଉ ତା’ ପାଖକୁ କେତେବେଳେ ଯିବି ? ଖାଲି ଦେଖିବେ ବୋଲି ଡାକିଛନ୍ତି ନା ଆଉ କ’ଣ ଅଛି ?

 

ଆପଣ ଚାଲନ୍ତୁ, ଗଲେ ବୁଝିବେ ନାହିଁ ? ସଙ୍ଗେ ସଙ୍ଗେ ଯାଇ ଚାଲିଆସିବେ ।

 

ମୋ ମନକୁ କେତେଆଡ଼ୁ କେତେ କଥା ଆସୁଥିଲା । ପୁଅ ବୋହୁଙ୍କ ଭିତରେ ଭଲ ପଡ଼ୁନଥିବା ନେଇ ବୋଧେ ସରିତାର ଶାଶୁ ମୋ ସହ କିଛି କଥାବାର୍ତ୍ତା ହେବାପାଇଁ ଚାହୁଁଥିବେ କିମ୍ୱା ମହେଶ ପାଖକୁ ମୋତେ ପଠାଇ ତାକୁ ପରିବର୍ତ୍ତନ କରିବାପାଇଁ କହିବେ । ଏହା ବ୍ୟତୀତ ଆଉ ଅଧିକ କ’ଣ ହୋଇପାରେ ? ସରିତା ସୁସ୍ଥ ହୋଇଯାଇଚି ଭଲକଥା । ଅତୀତରେ ତା’ଦ୍ୱାରା ଅନେକ ଉପକାର ପାଇଥିଲି । ବଡ଼ ଘରର ଝିଅ ବୋଲି ଏକରକମ ସେ ମୋତେ ଚଳେଇ ନେଇଯାଉଥିଲା । ମୁଁ ତା’ ପାଇଁ ଏତିକି କରିଚି ସେ ଏଥିରେ ଖୁବ୍‌ ବେଶି କୃତଜ୍ଞତା ଜ୍ଞାପନ କରିବାର କୌଣସି ବିଶେଷ ଜୋରଦାର କାରଣ ନାହିଁ । ତା’ ପାଇଁ ମୁଁ ଏଇ ଦୁଇ ତିନିଦିନ ଭିତରେ ଅନେକ ଥର ବ୍ୟସ୍ତହେଇ ଚିନ୍ତା କରିଚି । କେମିତି ଏକା ଏକା ରହିଯାଉଚି ? ତା’ ଭିତରେ କ’ଣ ସମୁଦ୍ରର କ୍ଷୁଧା ଚେଇଁଉଠେ ନାହିଁ ? ଯେକୌଣସି ନଇକୁ ନିଜଭିତରକୁ ଟାଣିଆଣି ଏକାତ୍ମ କରିଦେବାକୁ ସ୍ୱପ୍ନ ଜାଗେ ନାହିଁ ? ଅଦ୍ଭୁତ ତା’ ଜୀବନ–

ମୁଁ ବହୁତ କଷ୍ଟରେ କହିଲି...ହଉ ତୁ ଯା’ ରାମ । କହିବୁ ସେ ବାହାରିଲେଣି ଯିବାପାଇଁ ଆଉ ଆସିପାରିବେ ନାହିଁ ।

ରାମ କିନ୍ତୁ ଯିବାପାଇଁ ପ୍ରସ୍ତୁତ ନଥିଲା । ତା’ର ଗୋଟେ ଖିଆଲ ଯେ ମୋତେ ନନେଇ ସେ ଯିବନାହିଁ । ବଡ଼ ଅଡ଼ୁଆରେ ପଡ଼ିଲା ମଣିଷ । ଅବଶ୍ୟ ମୁଁ ସେଦିନ ତାକୁ ଯିବାପୂର୍ବରୁ ଦେଖା କରି ଯିବି ବୋଲି କହିଥିଲି । ମାତ୍ର ଏଇ ଯିବା ଅବସ୍ଥାରେ ଯାଇପାରୁନି କି ୟାଭିତରେ ସମୟ ପାଇନି । କ’ଣ ଭାବିବ ସରିତା ? ସେ ମୋତେ ଠକ କିମ୍ୱା ସ୍ୱାର୍ଥପର ବୋଲି ଭାବିବ ନାହିଁ ତ ? ମୋ ଘୁଣଖିଆ ମନ ନିଶ୍ଚିତ ସିଦ୍ଧାନ୍ତର ସ୍ତମ୍ଭଟାକୁ ଦୋହଲାଇବାକୁ ଲାଗିଲା । ରାମ ସେମିତି ଛିଡ଼ା ହୋଇଥାଏ । ଆଉ ତାକୁ କିଛି ନ କହି ମୁଁ ଘରଭିତରକୁ ଫେରିଆସିଲି । ଚୌକିରେ ବସି ବାହାରକୁ ଚାହିଁଲି । ମିନୁ ଯିବାପାଇଁ ପ୍ରସ୍ତୁତ ହେଇ ମୋ ବ୍ୟାଗ୍‌ ଆଟାଚି ଓ ତାଙ୍କ ଜିନିଷପତ୍ର ନେଇ ଚଉରା ପିଢ଼ିଉପରେ ସଜାଡ଼ି ରଖୁଛି । ମୁଁ କେବଳ ଲୁଗାପିନ୍ଧି ବାହାରିଲେ ବୃନ୍ଦାବତୀଙ୍କ ପାଖରେ ମୁଣ୍ଡିଆ ମାରି ଯାତ୍ରା ଅନୁକୂଳ କରିବି । ଘର ଦୁଆରମୁହଁର ଦୁଇକଡ଼ରେ ଦୁଇଟା ଶୁଭକଳସ ବସିଗଲାଣି । ଯାତ୍ରାର ପ୍ରଥମ ପାଦ ଇଏ । ମୁଁ ଯିବାପାଇଁ ବ୍ୟସ୍ତ ହେଇଉଠୁଥିଲି । ଶଙ୍କର ଦା’ ଅରୂପ ସେମିତି ନିରବରେ ବସି ସବୁ ଦେଖୁଥିଲେ । ତାଙ୍କ କଥାଟାକୁ ରଖିପାରିନଥିବାରୁ ମୋତେ ଟିକେ କଷ୍ଟ ଲାଗୁଥିଲା । ତା’ଭିତରେ ମୁଁ ଟେବୁଲ ଡ୍ର ଖୋଲି କଲମ ଓ କାଗଜ ଟିକେ ବାହାରକଲି । ମୋ ଠିକଣା ଲେଖିଲି । ଭାବୁଥିଲି ସାନବୋଉକୁ ଡାକି ଠିକଣାଟା ରେଣୁ ଆସିଲେ ଦେଇଦେବାକୁ କହିବି-। କିନ୍ତୁ ଡାକିପାରିଲିନି । ଆସ୍ତେ ଉଠିଲି ଓ ଶଙ୍କର ଦା’ ଅରୂପ ଉଦ୍ଦେଶ୍ୟରେ କହିଲି ଟିକେ ବସ ମୁଁ ପ୍ୟାଣ୍ଟ ସାର୍ଟ ପିନ୍ଧି ଆସେ ଯିବା । ବାରଣ୍ଡାକୁ ବାହାରିଆସି ଦେଖିଲି ସୁନୀତା ଛିଡ଼ାହେଇଚି-। ଆଶ୍ଚର୍ଯ୍ୟ ହେଇ ପଚାରିଲି–ତୁ କୁଆଡ଼େ ସୁନି ? ମୁଁ ଏବେ ଯିବାକୁ ବାହାରିଲିଣି । କ’ଣ କହିବୁ-?

ସୁନୀତା ଓଠରେ ଲାଗିଥିବା ମହୁଲି ହସ ଖଣ୍ଡକ ଚାପି ହୋଇଗଲା ବୋଧେ ଅଭିମାନରେ । ସେ କହିଲା–ଯାଉନା, ତମଠି ମୋର କାମ କ’ଣ ? ମିନା ପାଖକୁ ଟିକେ ଆସିଥିଲି-। ତା’ପାଖରେ କାମ । ମୁଁ ତା’ ମରମଟା ବୁଝିସାରିଥିଲି । କହିଲି ହଉ ହଉ ହେଲା, ମିନୁ ବି ବୋ ସାଙ୍ଗରେ ଯାଉଚି । ତୁ କ’ଣ କହିବୁ ?

କହିଲେ ତାକୁ କହିବି, ତମର ଏତେ ତପିରିଖାନା ପଡ଼ିଚି କିଆଁ ?

ମୁଁ ଆସ୍ତେ କଅଁଳେଇ ଚୁପ୍‌ ଚୁପ୍‌ କରି କହିଲି–କ’ଣ ରାଗିଯାଇଚୁ କିଲୋ, କହିଥିଲୁ ଯାଇପାରିଲି ନାହିଁ ବୋଲି ? ମୁଁ ତା’ର ଆହୁରି ନିକଟକୁ ଲାଗିଗଲେ ଓ କହିଲି ତୋ ହାତ ଦେଖେଇ ଟିକେ ଛୁଇଁଦିଏ ।

 

ସେ କିଛିଦିନ କହିଲାନି । ଏଣିକି ତେଣିକି ଚାହିଁଲା । କିଏ କାଳେ ଶୁଣିଥିବ ବୋଲି ସନ୍ଦେହ କଲା ଓ ହାତ ଦୁଇଟାକୁ ପଛକୁ ଦେଇ ଛିଡ଼ାହେଲା । ମୁଁ ପୁଣି ବହଳିଆ ମୁହଁ କରି କହିଲି–ଏହା ଭିତରେ ପୁଣି ଆସିବି, ତମ ଘରେ କଥା ହେବା । ପଇଡ଼ ରଖିଥିବ କହି ମୁଁ ଭିତରକୁ ଚାଲିଗଲି ଓ ଜଲଦି ଜଲଦି ପ୍ୟାଣ୍ଟସାର୍ଟ ପିନ୍ଧିନେଇ ବାହାରିପଡ଼ିଲି । ଦାଣ୍ଡକୁ ଆସି ଦେଖେ ରାମ ଫେରିଯାଇଛି । କିନ୍ତୁ ଶଙ୍କର ଦା’ ଓ ଅରୂପ ସେମିତି ବସି ଉଭୟଙ୍କ ଭିତରେ କ’ଣ ଚୁପ୍‌ଚାପ୍‌ କଥାଭାଷା ହେଉଛନ୍ତି । ମୁଁ ତାଙ୍କ ପାଖକୁ ଚାଲିଗଲାରୁ ସେ ଦୁହେଁ ଉଠିପଡ଼ିଲେ ଓ ପଚାରିଲେ–କ’ଣ ଯିବା ତାହେଲେ ?

 

‘ହଁ ଚାଲଯିବା’ କହି ମୁଁ ଟେବୁଲଉପରୁ ଠିକଣା ଲେଖା କାଗଜ ଖଣ୍ଡଟା ଆଣିଲି । ଆଈମା’ ପାନକୁଟା ଧରି ପାନ କୁଟୁଥିଲା । କହିଲି ତୋର ପାନକୁଟା ସରିଲାନି ଏ ଯାଏଁ ? ଏ ଯେଉଁ ଖରାହେଲାଣି ଏଥିରେ ମଣିଷ ଯିବ କେମିତି ? ଚାଲ ଟିକେ ଶ୍ରୀଘ ।

 

ମୋ କଥା ଶୁଣି ସେ ଉଠିପଡ଼ି କହିଲା ଚାଲନ୍ତୁ, ମୋର କୋଉ କାମ ବାକି ପଡ଼ିଚି କି ?

 

ମୁଁ ସାନବୋଉକୁ ଡାକିଲି ଠିକଣାଟା ଦେବାପାଇଁ । ସେ ପାଣିକଳ ପାଖରେ ଥିଲେ । ତାଙ୍କ ଆସିବା ଭିତରେ ରେଣୁ ଆସି ପହଞ୍ଚିଲା । ଏଇଲୋକଟି ଆଗରୁ ଆସିଥିଲେ ମୁଁ ଅନେକ ବେଳୁ ଯାଇସାରନ୍ତିଣି । ସେ ଆସି ଜାକିଜୁକି ହୋଇ ଛିଡ଼ାହେବାକୁ ଯାଉଥିଲା । ମୁଁ ତାକୁ ଘରଭିତରକୁ ଡାକିନେଲେ । ପକେଟରୁ ଖଣ୍ଡେ ପଚାଶ ଟଙ୍କିଆ ନୋଟ୍‌ କାଢ଼ି ତା’ ହାତକୁ ବଢ଼େଇ ଦେଉ ଦେଉ କହିଲି–ଏତିକି ତୋ ପୁଅର ଭଲମନ୍ଦ ଖର୍ଚ୍ଚରେ ଲଗାଇବୁ, ଆଉ ଏ ଠିକଣା ନେ, ଦରକାର ପଡ଼ିଲେ ମୋ ପାଖକୁ ଚିଠି ଦେଇ ଜଣାଇବୁ ।

 

ସେ କେମିତି କୃତଜ୍ଞତାଭରା ଆଖିମେଲି ମୋତେ ଟିକେ ଚାହିଁଲା । ମୁଁ ତା’ କାନ୍ଧରେ ହାତ ରଖିଲି । ତା’ ଆଖିରେ ଲୁହ ଛଳଛଳେଇ ଉଠିଲା । କହିଲା–ତମେ ମୋ କଥା ମନେରଖିବ ମଳୟ ଭାଇ, ମୁଁ ମୋ ପାଇଁ ବଞ୍ଚିରହିବାକୁ ଚାହେଁନି । ଚାହୁଁଚି କେବଳ ସେଇ ଝିଅଟି ପାଇଁ । ଦୟାକରି ତମେ ମୋ ପାଇଁ ଚେଷ୍ଟା କରିବ । ମୁଁ ଆଉ କାହା ସହ କଥା ସହିପାରିବିନି । ପେଟ ପୋଡ଼ିଲେ କି ବାପ ମା’ ଭାଇ ଭଉଣୀ କିଏ କାହାର ? ମୁଁ ତାଙ୍କଠୁ ଏତେ କଥା ଶୁଣି ଆଉ ବୋଝ ହେଇ ରହିବାକୁ ଚାହେଁନା । ତମେ ଦୟାକରିବ । ନହେଲେ ଆତ୍ମହତ୍ୟା ଛଡ଼ା ମୋର ଆଉ କିଛି ବାଟ ନାହିଁ । ଆଜି ମୁଁ ଯେଉଁ ପରିସ୍ଥିତିରେ ତମ ହାତରୁ ଟଙ୍କା ଧରୁଛି, ଯଦି କେହି ଜାଣିଯାଏ ତେବେ କିଏ କେତେ ବାଗରେ କହିବେ । ଚିଠି କଥାଟା ବି ସେମିତି । ତଥାପି ମୁଁ ଚିଠି ଲେଖି ଯୋଗାଯୋଗ ରଖିବି । ପୁନି ଭାଉଜ ଚିଠି କିଛି ଭାବିବନି ତ ?

 

ନା ନା, ସେ ଏତେ ତଳକୁ କେଉଁ କଥା ନିଏ ନାହିଁ । ସବୁ ସାଧାରଣ ସ୍ତ୍ରୀଙ୍କ ଭଳି ତା’ ସ୍ୱଭାବ ନୁହେଁ, ମୋର ଏମିତି କୌଣସି କାମ ନାହିଁ ଯାହାକୁ ସେ ସନ୍ଦେହ କରେ ?

 

ହଉ ହେଲା–କହି ସେ ଆଖିରୁ ଲୁହ ପୋଛିଲା । ତା’ ଦୁଃଖ ମୋ ଶିରା ପ୍ରଶିରାର ରକ୍ତ କଣିକାର ଧମନୀ ଭିତରକୁ ଛୁଟି ଚାଲିଥିଲା । ମୁଁ କେବଳ ଭଗବାନଙ୍କ ଉଦ୍ଦେଶ୍ୟରେ ମନେମନେ କହୁଥାଏ–ହେ ଈଶ୍ୱର, ତମ ସୃଷ୍ଟିରେ ବଞ୍ଚିବାର ଅଧିକାର ନେଇ ସମସ୍ତେ ବଞ୍ଚନ୍ତୁ । ତମେ ଏମାନଙ୍କୁ ଆଶୀର୍ବାଦ କର । ଦୁଃଖର କଷଟିରେ ଜୀବନକୁ ଘଷି ଘଷି ଏମାନେ ସୁଖର ସନ୍ଧାନ ପାଆନ୍ତୁ ।

 

ତା’ କାନ୍ଧଉପରୁ ମୋ ହାତ ଖସିଆସିଲା । ପର ମୁହୂର୍ତ୍ତରେ ମୋତେ ଚିନ୍ତା କରିବାକୁ ପଡ଼ିଲା ଯେ, କେଡ଼େ ନିର୍ବିବାଦରେ ସାନ ଝିଅଟିଏର କାନ୍ଧଉପରେ ହାତ ରଖିଲାଭଳି ତା’ କାନ୍ଧରେ ମୁଁ ହାତ ପକେଇଦେଲି ସତେ । ସେ ଅତୀତରେ ସେହି ରେଣୁ ନୁହେଁ ତ, ବଦଳିଯାଇଚି ଅନେକ । ମଣିଷ ଏମିତି ବଦଳେ । ଯଦି ରେଣୁ ଆଜି କୌଣସି ଧନୀଘରର ବୋହୁ ହେଇ ଆଡ଼ମ୍ୱରପୂର୍ଣ୍ଣ ଜୀବନଯାପନ କରୁଥାଆନ୍ତା କି ତା’ ସ୍ୱାମୀ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ହେଇଥାଆନ୍ତା ତା’ହେଲେ ସେ କ’ଣ ମୋପାଖକୁ ତା’ ଦୁଃଖପ୍ରକାଶ କରିବାକୁ ଆସିଥାଆନ୍ତା ? କଦାପି ନୁହେଁ । ମଣିଷ ଯେତେବେଳେ ଜିତିଚାଲେ ସେ ଭବିଷ୍ୟତରେ ସ୍ୱପ୍ନ ଦେଖି ବର୍ତ୍ତମାନକୁ ଅତୀତରେ ମିଶେଇଦିଏ ଓ ଯେତେବେଳେ ହାରେ ସେତେବେଳେ ବର୍ତ୍ତମାନକୁ ଅତୀତରେ ଖୋଜେ ଓ ଅତୀତ ଭିତରେ ବଞ୍ଚିବାର ବାଟ ଅନ୍ୱେଷା କରେ ।

 

ମୁଁ ପୁଣି ଫେରିଆସିଲି । ଏଥର ଆଉ ଅପେକ୍ଷା ନାହିଁ । ଯିବାକୁ ହିଁ ହେବ । ସୁନିତା ତା’ ଅପଲକ ନୟନରେ ମୋଆଡ଼କୁ ଚାହିଁ ଛିଡ଼ାହେଇଚି । ରେଣୁ ଶୁଖିଲା ମୁହଁରେ ଆଶା ଓ ଆଶ୍ୱାସନାର ପ୍ରତ୍ୟୟ ଟାଣି ଘରୁ ବାହାରିଆସୁଚି । ଶଙ୍କର ଦା’ ଓ ଅରୂପ ଆଗେଇଯାଇ ରାସ୍ତାକଡ଼ ଚାକୁଣ୍ଡା ଗଛମୂଳେ ମୋତେ ଅପେକ୍ଷା କରିଛନ୍ତି । ମିନୁ ଓ ଆଈମା’ ଚଉରାମୂଳେ ଛିଡ଼ା ହେଇଛନ୍ତି ଯିବାପାଇଁ । ମୁଁ ସେମାନଙ୍କ ଉଦ୍ଦେଶ୍ୟରେ କହିଲି–ତମେ ତମର ସବୁ ଜିନିଷପତ୍ର ନେଇଯାଉଚ ନା ନାହିଁ ? ମନେକରି ସବୁ ନିଅ, ସେଠି ଯେମିତି ଅସୁବିଧାରେ ନ ପକାଅ ?

 

ମୁଁ ଆଉ ଦୁଇପାଦ ଆଗେଇଯାଇ ଅଟକି ଗଲି । ସମସ୍ତେ କିଛିନା କିଛି ଆଶା ଓ ଉଦ୍ଦେଶ୍ୟ ନେଇ ମୋ ପାଖକୁ ଆସିଥିଲେ । କ’ଣ ପାଇଲେ ସେମାନେ ? ସୁନୀତା କ’ଣ ଚାହୁଁଛି ? କ’ଣ ପାଇଁ ସେ ଆସିଛି ? ତା’ ଆଖି ଓ ଓଠ କହେ, ସମସ୍ତଙ୍କ ଭିତରେ ସେ ଯେମିତି ସବୁଠୁ ବେଶୀ ଦୁଃଖ ପାଉଚି ମୋ ଚାଲିଯିବା ଦ୍ୱାରା । ଖୁବ୍‌ ବେଶୀ କିଛି ମୋ ବିଷୟରେ ଅନ୍ତରଙ୍ଗ ଭାବନାରେ ପଡ଼ିଯାଇଚି । ଏଇ ସେଦିନର ସେ ସାମାନ୍ୟ ହସଖୁସିରେ ସେ ଏତେଟା ଭାବପ୍ରବଣ ହେଇପଡ଼ିଚି ନା କ’ଣ ? ତା’ ନୀରବତାର ଶଦ୍ଦମାନେ ମୋ କାନରେ ଅବଶୋଷରେ କଥା କହୁଥିଲେ । ଅନୁରାଗର ବେହେଲା ବଜାଉଥିଲେ ।

 

ଶଙ୍କର ଦା’, ଅରୂପଙ୍କର ମୋ ପ୍ରତି ସନ୍ଦେହ ଆସୁଥିଲା ବୋଧେ । ବଡ଼ ବଡ଼ କଥା କହି ସେମାନଙ୍କୁ ନିମିଷକ ଭିତରେ ଉତ୍ତେଜିତ କରିଦେଇ ମୁଁ ଉଭେଇଯିବାବାଟକୁ ପ୍ରତାରଣା ବୋଲି ମନେକରିଛନ୍ତି ହୁଏତ । ପ୍ରକୃତରେ ମୁଁ କିନ୍ତୁ ମୋ ଦୁଃଖଟାକୁ ସେମାନଙ୍କ ନିକଟରେ ପହଞ୍ଚେଇପାରିନି । ସେଥିପାଇଁ ସେମାନେ ଅବିଶ୍ୱାସ କରିବାକୁ ଆରମ୍ଭ କରିଛନ୍ତି । ମୁଁ ସେମାନଙ୍କ ଉଦ୍ଦେଶ୍ୟରେ ମନେମନେ କହିଲି–ତମେ ମୋ ସମୟ ସଙ୍କଟର ପ୍ରକୃତ କାରଣ ବୁଝିନା ଶଙ୍କର ଦା’–ବ୍ୟକ୍ତିଗତ ଜୀବନର ସବୁ କଥା ସମସ୍ତଙ୍କୁ କହିହୁଏନା । ତମେ ତମ ସଫଳତାର ଜୈତ୍ରରଥ ଆଗେଇନିଅ, ଦେଖିବ ତମେମାନେ ହିଁ ଜିତିଚ ଆଉ ତମମାନଙ୍କ ପାଖରେ ଆମେ ହାତଟେକି ଛିଡ଼ାହେଇଚୁ । ଆମେ ଚାକିରି କରିଚୁ–ଏଇ କଥାକୁ ତମେ ଯେଉଁ ଅର୍ଥରେ ନେଉଚ ସେ ଅର୍ଥ ବଦଳି ଯାଇଥିବ । ତମେ ବୁଝିବ ଯେ ତମ ପଇସାରେ ଆମେ ଚାକିରି କରିଚୁ, ତମ ଦୟାର ଅର୍ଥରେ, ତମ ଦେହର ଝାଳଉପରେ ଆମ ଜୀବନ ଟଳମଳ ହେଇ ଭାସୁଚି । ତମଠୁ ଆମେ ଆହୁରି ଦୟନୀୟ ହେଇଯାଇଥିବୁ । ତମକୁ କେହି ଶୋଷଣ କରିବାକୁ ନଥିବେ କି ତମେ କାହାକୁ ଠକିବାକୁ ପ୍ରସ୍ତୁତ ହେଉନଥିବ । ଏ ପଇଁତିରିଶ ବର୍ଷ ଭିତରେ ଯେଉଁମାନେ ମହାତ୍ମାଙ୍କ ଇଚ୍ଛାକୁ ପଙ୍କରେ ପୋତି ଦେଇଛନ୍ତି ତାକୁ ପୁଣି ଉଦ୍ଧାର କରିବ ସେଇବାଟରେ । ଏ ସମାଜର ଭସ୍ମାସୁରମାନଙ୍କୁ ଚିହ୍ନେଇଦେବ ଯେ, ଯେଉଁମାନଙ୍କ ଦ୍ୱାରା ତମେ କୋଟିପତି ହେବାର ସୁଯୋଗ ପାଇଚ, ଯେଉଁମାନଙ୍କଠାରୁ ଭୋଟ ଖଣ୍ଡେ ମାଗିଆଣି ଶେଷାଣର ପରଓ୍ୱାନା ଉଡ଼େଇ ଚାଲିଚ ସେଇମାନେ ହିଁ ତମକୁ ନିଜ ମୁଣ୍ଡରେ ହାତରଖି ପରୀକ୍ଷା କରିବାପାଇଁ କହିବେ । ସବୁ ଆରମ୍ଭର ଶେଷ ସାଙ୍ଗରେ ଆରମ୍ଭ ମିଶି ରହିଚି । ତେଣୁ ଆରମ୍ଭରୁ ଆରମ୍ଭତାକୁ ପୁଣି ଉଦ୍ଧାର କରିବ ସେଇବାଟରେ । ଏ ସମାଜର ଭସ୍ମାସୁରମାନଙ୍କୁ ଚିହ୍ନେଇଦେବ ଯେ, ଯେଉଁମାନଙ୍କ ଦ୍ୱାରା ତମେ କୋଟିପତି ହେବାର ସୁଯୋଗ ପାଇଚ, ଯେଉଁମାନଙ୍କଠାରୁ ଭୋଟ୍ ଖଣ୍ଡେ ମାଗିଆଣି ଶେଷାଣରେ ପରଓ୍ୱାନା ଉଡ଼େଇ ଚାଲିଚି ସେଇମାନେ ହିଁ ତମକୁ ନିଜ ମୁଣ୍ଡରେ ହାତ ରଖି ପରୀକ୍ଷା କରିବାପାଇଁ କହିବେ । ସବୁ ଆରମ୍ଭର ଶେଷ ଅଛି ଓ ସବୁ ଶେଷ ସାଙ୍ଗରେ ଆରମ୍ଭ ମିଶି ରହିଚି । ତେଣୁ ଆରମ୍ଭରୁ ଆରମ୍ଭ ଓ ଶେଷରୁ ଶେଷ କେବଳ ମଣିଷର ଇଚ୍ଛାଉପରେ ନିର୍ଭର କରୁଚି ।

 

କିନ୍ତୁ ରେଣୁକୁ ମୁଁ କିଛି କହିପାରିଲି ନାହିଁ । ଦୁଃଖକୁ ସ୍ୱାଗତ କରୁଥିବା ଲୋକଟି ଅଙ୍ଗୀକାର କରିନପାରିଲେ ଯେଉଁ ସମସ୍ୟା ଉପୁଜେ ତାହାହିଁ ଘଟିଚି ତା’ ଭାଗ୍ୟରେ । ବୋକୀ ଝିଅଟିଏ । ଅତୀତକୁ ନେଇ ବର୍ତ୍ତମାନକୁ କିଏ ଧ୍ୱଂସ କରିବସେ । ବରଂ ଅତୀତକୁ ଭୁଲିଯିବାକୁ ହୁଏ ବର୍ତ୍ତମାନର ଚାପରେ । ତେବେ ମୁଁ ଆଜି ନିରୁପାୟ ତା’ ପାଇଁ । ପୁନିକୁ ପାଇ ସଂସାର କଥା ଚିନ୍ତା କରୁଚି । ସେ କ୍ଷେତ୍ରରେ ରେଣୁ କଥା ମନକୁ ଆସିବ କାହିଁକି ? ବିଧ୍ୱଂସ ହିରୋସୀମାର ନଗ୍ନ ଭଗ୍ନସ୍ତୁପ ଭଳି ତା’ ଜୀବନ ବଡ଼ ଅଶ୍ରୁଳ ହେଇଉଠିଚି । ତଥାପି ମୁଁ ତାକୁ ଆଉ କିଛି ଦେଇନପାରିଲେ ବି ମୋପାଖକୁ ନେଇଯିବାକୁ ଚେଷ୍ଟା କରିବି । ତୃଷ୍ଣା ନ ମେଣ୍ଟାଇ ପାରିଲେ ଆହାର ଯୋଗେଇଦେବାକୁ ସମର୍ଥ ହେବି ।

 

ମୁଁ ଆଗେଇଗଲି ଚଉରା ମୂଳକୁ । ଚପଲ କାଢ଼ି ଆଣ୍ଠୁମାଡ଼ି ଓଳଗି ହେଲି ସେଇ ଗୃହ ରକ୍ଷୟତ୍ରୀ ମା’ ବୃନ୍ଦାବତୀଙ୍କ ପାଦତଳେ । ମନେମନେ କହିଲି–ସମସ୍ତଙ୍କ ଇଚ୍ଛା ପୂର୍ଣ୍ଣକର ମା’ ଯାତ୍ରା ମୋର ଶୁଭ ହେଉ ।

 

ଠିକ୍‌ ଓଳଗିହୋଇ ଆଠ ଦଶହାତ ବାଟ ଆଗକୁ ଯାଇଚୁ କି ନାହିଁ ଆମ ସାମ୍ନାରେ ବିଲେଇଟାଏ ଦୌଡ଼ି ପଳେଇଲା । ଆଇ ମା’ ସଙ୍ଗେ ସଙ୍ଗେ କହିଲା–ଅନୁକୂଳ ଭଲ ନାଇଁରେ ଯିବୁ କଅଣ ? ଯିବା ଯିବା ବୋଲି ସକାଳରୁ କି ପାଲା ଲଗେଇଚୁ ଯାହା ଦୁଆରକୁ ଆମର କେହି ଛେପ ପକାଇବାକୁ ଯାଆନ୍ତି ନାହିଁ ସେଇମାନେ ଆସି ମେଳା ବସେଇଛନ୍ତି । ସମସ୍ତଙ୍କ ରାଶି କ’ଣ ସମାନ-? ଏମିତି ଜଣେ ଜଣେ ଲୋକ ଅଛନ୍ତି ତାଙ୍କ ମୁହଁ ଚାହିଁଗଲେ ବାଟରେ ପିଇବାକୁ ଟୋପେ ପାଣି ମାଗିଲେ ବି ମିଳିବନି ।

 

ତା’ କଥାଗୁଡ଼ାକ ମୋ କାନକୁ ଖଟକା ଲାଗିଲା । ମୁଁ କହିଲି–ସେ ଭାଷଣଗୁଡ଼ା ବନ୍ଦ କର । ନଯିବା କଥା ଯଦି ଚାଲ ଘରକୁ । ଖରା ତ ପ୍ରବଳ ହେଲାଣି, ଛାଇ ଲେଉଟିଲେ ଯିବା । ଈଶ୍ୱର ଯା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । କିଏ ଏ ଗରମରେ ବହେ ବାଟ ଚାଲିବ ବସ୍ ଧରିବାକୁ-

 

ସେଠି ଉପସ୍ଥିତ ଥିବା ସମସ୍ତଙ୍କ ମୁହଁ କିଛି ପରିମାଣରେ ଫିକା ପଡ଼ିଯାଇଥିଲା କେବଳ ସୁନୀତାକୁ ଛାଡ଼ି । ସେ କେବଳ ମୁରୁକି ମୁରୁକି ହସୁଥିଲା ମୋତେ ଚାହିଁ । ରେଣୁ କିନ୍ତୁ ବେଶି ଆଘାତ ପାଇଲା ବୋଧେ ଆଇମା’ କଥାରେ । ଏସବୁ ପୁରୁଣା କାଳିଆ ଅନ୍ଧବିଶ୍ୱାସ ନୀତିରେ ମୁଣ୍ଡ ଖରାପ ହେଇଯିବ । ବିଧବା ମୁହଁ ଚାହିଁଗଲେ ଯାତ୍ରା ଶୁଭ ହୁଏ ନାହିଁ ବୋଲି ଆମ ଲୋକମାନେ ବିଶ୍ୱାସ କରନ୍ତି । ସେ ନେଇ ରେଣୁ ମନରେ ଟିକେ କଷ୍ଟ ଲାଗିଲା ବୋଧେ । ନହେଲେ ଆଇମା କଥା ସରୁ ସରୁ ସେ ତା’ ବାଟରେ ଯିବାକୁ ଆରମ୍ଭ କରିଦେଲା ମୁହଁ ଶୁଖେଇ । ଏ ଘଟଣାଟା ମୋତେ ମଧ୍ୟ ଟିକେ ଖରାପ ଲାଗିଲା । ଏମିତି କାହାକୁ ଇଙ୍ଗିତ କରି କିଛି କହିବାକୁ ଭଲଲାଗେନି-। ବିଚରା ଦୁଃଖଉପରେ ଦୁଃଖ ପାଉଚି ଯାହା ।

 

ଘରକୁ ଫେରିଆସି ଜିନିଷପତ୍ର ରଖିଦେଲା ପରେ ମିନୁ ଉଦ୍ଦେଶ୍ୟରେ କହିଲି–ଦେଖ ଏମିତି ପ୍ରସ୍ତୁତ ହେଇ ରହିଥିବ ତମେ ସବୁ । ଠିକ୍‌ ତିନିଟା ବେଳକୁ ବାହାରିଯିବା । ମୁଁ ଏଇଠୁ ଟିକେ ଆସେ ।

 

ଆଇମା କଥାରେ ସମସ୍ତେ ଫେରିଯାଇଥିଲେ । ଶଙ୍କର ଦା’ ଓ ଅରୂପ ମଧ୍ୟ ଚାଲିଗଲେ-। ମୁଁ ଘରୁ ଫେରିଆସି ଦେଖିଲି କେବଳ ସୁନୀତା ଅପେକ୍ଷା କରିଛି । କେହି କାହାକୁ କିଛି ନକହି ଆମେ ସାଙ୍ଗହେଇ ଚାଲିବାରେ ଲାଗିଲୁ । ମୁଁ ସୁନୀତାକୁ ମଝିରେ ମଝିରେ ଳକ୍ଷ୍ୟ କରୁଥିଲି-। ଅବିକଳ ପ୍ରେମିକାଟିଏ ପରି ସଂଯତ ହେଇଚାଲିଚି ପାଦରେ ପାଦ ମିଳେଇ । ପଚାରିଲି–ଏଥର କ’ଣ କହ ? ତୋ ମନରେ କ’ଣ ଅଛି କେଜାଣି କିନ୍ତୁ କହିଲାନି ବୋଲି ଅନୁକୂଳ ବିଗିଡ଼ିଲା-। ତୁ ବୋଧେ ମୋ ଯିବାଟାକୁ ଚାହୁଁନଥିଲୁ ।

 

କେମିତି ଗେହ୍ଳେଇହେଇ ସେ କହିଲା–ମଲା, ଏଥିରେ ମୋର କ’ଣ ଦୋଷ ହେଲା ? ମୁଁ କ’ଣ ତମକୁ ମନାକଲି ତମେ ଯାଅନା ବୋଲି । ତମେ ତମର ଯିବ, ମୋଠାରେ କ’ଣ ଅଛି ?

 

ମୁଁ ତା’ କଥାରେ ଉତ୍ତର ଦେବାକୁ ସ୍ଥିର କରୁ କରୁ ସରିତା ଆମଆଡ଼କୁ ଆସୁଥିବାର ଦେଖି ପ୍ରଥମେ ବିଶ୍ୱାସ କରିପାରିଲିନି କି ସୁନୀତାକୁ ମଧ୍ୟ କିଛି କହିପାରିଲିନି । ଭଲଭାବେ ନିରେଖି ଦେଖି କହିଲି–ତୁ ଯା’ ସୁନି, ମୁଁ ତମ ଘରଆଡ଼େ ଯାଉଚି ଟିକେ ଛାଡ଼ି । ଏଣେ ପୁଣି ଜଣେ ଆସିଲାଣି, ତା’ ଖବର ଟିକେ ବୁଝିସାରିଲେ ।

 

ତମର ଏମିତି କେତେ ଲୋକଙ୍କ ସଙ୍ଗରେ ସମ୍ପର୍କ କି ?

 

ତୋର କ’ଣ ଅଛି, କ’ଣ ଈର୍ଷା ନା ସନ୍ଦେହ ଆସୁଚି ? ତୁ ଯା’ କହିଲି ପରା । ଟିକେ ଛାଡ଼ି ମୁଁ ଯାଇ ପହଞ୍ଚିବି । ପଇଡ଼ପାଣି ରଖିଥିବୁ ।

 

ସେ ବୁଲିପଡ଼ି ଟିକେ ଜିଭ ଦେଖେଇ ଚାଲିଗଲା । ମୁଁ ସରିତା ପାଇଁ ଅପେକ୍ଷା–କଲି ଛିଡ଼ାହୋଇ । ଖରାଟାରେ ସେ ଚାଲି ଚାଲି ଆସୁଚି । କି କାମ ଏମିତି ମୋପାଖରେ ତା’ର ?

 

ସେ ମୋର ନିକଟତର ହେଉ ହେଉ କହିଉଠିଲା–ତମେ ଆଜିକାଲି ଏଡ଼େ ଠକ ହେଇଗଲଣି ମଳୟ ? ଦେଖିଆସିଥିଲ ମୁଁ କେମିତି ଅବସ୍ଥାରେ ପଡ଼ିଥିଲି, ମଲି କି ରହିଲି ଟିକେ ଦେଖିବାକୁ ଗଲନି ? ମୋତେ ପୁଣି ତମ ପାଖକୁ ଆସିବାକୁ ପଡ଼ିଲା ?

 

ମୁଁ ତା’ କଥା କହିବାର ଢଙ୍ଗକୁ ଲକ୍ଷ୍ୟ କରି କହିଲି–ମୋତେ ସମୟ ମିଳିଲା କେତେବେଳେ ? ତା’ପରେ ପିଅନଠାରୁ ତ ସବୁବେଳ ପାଇଁ ତମ ସୁସ୍ଥତାର ଖବର ପାଉଚି ।

 

ହଁ, ସିଏ ମୋତେ କହୁଥିଲା । ତମେ କାଳେ ଯିବାପାଇଁ ବାହାରିଥିଲ, ପରା; ପୁଣି କ’ଣ ହେଲା ?

 

ଚାଲିଯାଇଥିଲେ ତମେ ଆଉ ସାକ୍ଷାତ ହେଇଥାଆନ୍ତେ କେମିତି ? ହଉ ଆସ, ଆମ ଘରଆଡ଼େ ଯିବା । ସେ ଖୁବ୍‌ ବ୍ୟସ୍ତ ହେଲାଭଳି କହିଲା–ନା ନା ଆଉ ଘରଆଡ଼େ ଯିବାକୁ ସମୟ କାହିଁ ? ତମ ସଙ୍ଗେ କିଛି ଜରୁରୀ କଥାବାର୍ତ୍ତା ପାଇଁ ମୋ ଶାଶୁ ଡାକିଛନ୍ତି । ମୁଁ ଜାଣିଥିଲି ତମେ ସେଠିକି ଅର୍ଥାତ୍‌ ଦୁଃଖରେ ସେ ଚୌହଦୀ ଭିତରକୁ ଆଉ ପଶିବ ନାହିଁ । ତେବେ ବି ତମ ସାକ୍ଷାତ୍‌ ପାଇଁ ଟିକେ ଚାଲିଆସିଲି । ଏବେ କ’ଣ ସ୍ଥିର କରୁଚ ?

 

ହଁ, ମୁଁ କେବଳ ତମ ପାଖକୁ ଯିବାପାଇଁ ଯାଇପାରିଲି ନାହିଁ । ଆସିଚ ଯେତେବେଳେ ପ୍ରଥମେ ଆମ ଘରଆଡ଼ୁ ବୁଲିଆସିଲେ ଯିବା ନିଶ୍ଚୟ । ଅନେକ ଦିନ ହେବ ଏଠିକି ଆସିଲାଣି ଆମ ଘର ଥରେ ଦେଖିଯାଅ । ମୁଁ ଚାଲିଗଲା ପରେ ତମକୁ କେହି ଡାକି ଯିବେ କି ଆମ ଘରକୁ ବୁଲିଆସିବା ପାଇଁ ? ମୁଁ ପୁଣି ତିନିଟା ପର୍ଯ୍ୟନ୍ତ ରହିଲି । ଏକେ ତ ତମର ସାକ୍ଷାତ ହେଇନି, ପୁଣି ତା’ ସାଙ୍ଗକୁ ଏ ଗରମ । ଏଥିରେ ମଣିଷ କେମିତି ଯିବ ? ତେବେ ଏଇ ସମୟ ଭିତରେ ମୁଁ ତମ ଶାଶୁଙ୍କୁ ଦେଖାକରିବି ନିଶ୍ଚୟ । ଆସ–

 

ମୁଁ ଆଗେ ଆଗେ ଘରଆଡ଼କୁ ଲେଉଟିଆସିଲି । ମୋ ପଛେ ପଛେ ସରିତା ଆସି ପଚାରିଲା–ଗାଁକୁ ଆସନା କାହିଁକି ? କ’ଣ କିଛି ପାରିବାରିକ ବିତୃଷ୍ଣା ନେଇ ନା ଅନ୍ୟ କ’ଣ ?

 

ମୁଁ ଖୁବ୍‌ ସହଜ ଭାବେ କହିଲି–ନା, ମୋର ପୁଣି ପାରିବାରିକ ବିତୃଷ୍ଣା କ’ଣ ? ଆସିବାକୁ ଇଚ୍ଛାହୁଏନି ବୋଲି ଆସେନି । ତା’ପରେ ଏଠିକି ଆସିଲେ ଖାଇପିଇ ବୁଲିବା ଛଡ଼ା ଆଉ କ’ଣ କାମ ଅଛି ଯେ ? ଏଇ ଗାଁ ଲୋକଙ୍କ ପାଖରେ ବସିଲେ ଇଏ ତା’ ବିରୁଦ୍ଧରେ ସିଏ ତା’ ବିରୁଦ୍ଧରେ ଖାଲି ଚୁଗୁଲି କହିବେ । ଗୋଡ଼ ଟଣାଟଣି ବେପାର ସବୁଆଡ଼େ । ବରଂ ତାଠାରୁ ଯଥେଷ୍ଟ ଭଲ ସହରୀ ଜୀବନ । ଏତେ ଛକା ପନ୍‌ଝା ଖେଳ ନାହିଁ । ଅଫିସକୁ ଗଲ କାମ କରି ଫେରିଲ । ଘରେ ବସି କିଛି ପଢ଼ିଲକି ଶାନ୍ତିରେ କିଛି ଭାବିବାକୁ ସମୟ ପାଇଲ । ନହେଲେ ସିନେମା କିମ୍ୱା ଥିଏଟର ଦେଖି ସମୟ ବିତେଇଦେଲ । ହେଲେ ଏଠିକି ଆସିଲେ ଇଏ କହିବ ମୁଁ ଅମୁକ ବାଟରେ ଯାଉଚି ମୋର ଏ କାମଟା କେମିତି ହେବ କହିଦେ’ । ଆଉ କିଏ କହିବ ସିଏ ମୋ ହିଡ଼ ତାଡ଼ିଚି ଚାଲ ଯିବା ବୁଝିବା–ଏମିତି କାହିଁରେ କ’ଣ ? ଦେଖୁଚି ମୁଁ ତିନିଦିନ ହେଲା ଆସିଲିଣି ଘରେ ଟିକେ କ’ଣ କଥା ହେବାପାଇଁ ତିନି ଘଣ୍ଟା ସୁଦ୍ଧା ସମୟ ପାଇନି । ଖାଲି ଏପଟ ସେପଟ ହେଇ ଦିନ କଟିଗଲା ।

 

ମୋ କଥା ଶୁଣି ସରିତା କହିଲା–ହଁ ଗାଁରେ ରହିବା ମାନେ ଏଇ ଖବର ସବୁ ବୁଝିବାକୁ ପଡ଼ିବ । ନ ବୁଝିଲେ କହିବେ ପାଠଶାଠ ପଢ଼ିଛି ଆମେ କ’ଣ କହିଲୁ ଆମ କଥା ଶୁଣିଲା କି ?

 

ଆମେ ଆସି ଆମ ଘରସାମ୍ନାରେ ପହଞ୍ଚି ଯାଇଥିଲୁ । ସରିତାର ପାଦ ଧିରେ ଧିରେ ଥମିଆସୁଥିଲା ଯେମିତି ଅପରିଚିତ ଜାଗାରେ ପହଞ୍ଚିଲେ ସଙ୍କୋଚବୋଧ ମାଡ଼ି ମାଡ଼ି ବସେ । ମୁଁ କହିଲି–କ’ଣ ଲାଜ ଲାଗୁଚି କି ? ଭିତରକୁ ଆସ ?

 

ସେ ମୋଆଡ଼କୁ ଚାହିଁ ଅଳ୍ପଟିକେ ହସିଲା ଓ ପଛେ ପଛେ ଆସିଲା । ମୋ ଘରେ ତା’ ପାଇଁ ଗୋଟେ ଚୌକି ଅପେକ୍ଷା କରିଥିଲା ଭଳି ସେ ପଶିଆସି ବସିପଡ଼ିଲା । ମୁଁ ମଧ୍ୟ ବସିଲି । ବନ୍ଧାବନ୍ଧି ହେଇ ଥୁଆହେଇଥିବା ଜିନିଷକୁ ଦେଖି କହିଲା–କ’ଣ ପ୍ରସ୍ତୁତି ସରିଯାଇଚି ?

 

ମୁଁ କହିଲି–ଯାଇଥିଲୁ ବାହାରି । ବାଟରୁ ଫେରିବାକୁ ପଡ଼ିଲା ଆଗରେ ବିଲେଇ ଦେଖି ।

 

ତାପରେ ସେ ମୋ ବଖରାର ପ୍ରତି କୋଣକୁ ଲକ୍ଷ୍ୟ କରୁଥିଲା, ନୂଆ ଜିନିଷ ଦେଖିଲାଭଳି ଦେଖୁଥିଲା ଓ କ’ଣ ଭାବୁଥିଲା ପରି ତା’ ମୁହଁ ପ୍ରଶ୍ନିଳ ହେଇଉଠୁଥିଲା । ଏଇ ଅବସରରେ ମୁଁ ମିନୁକୁ ଡାକି ଗୋଟେ ଗ୍ଳାସ୍‌ ସରବତ୍‌ ଆଣିବାକୁ କହିଲି । ସରିତା ମନାକରୁଥିଲା, ମୁଁ କିନ୍ତୁ ବାଧ୍ୟକରି କହିଲି–ଯଥେଷ୍ଟ ଭଲ ସମୟରେ ପହଞ୍ଚିଛ, ପ୍ରଥମେ ସରବତ ଟିକେ ଖାଅ ତାପରେ ରୋଷେଇ ସରିଲେ ଖାଇପିଇ ଯିବ । ଏତେ ବ୍ୟସ୍ତ କାହିଁକି ?

 

ଏ ମା’, ରୋଷେଇ ସରିବାଯାଏ ଏଠି ବସି ରହିବାକୁ ହେବ ନା କ’ଣ ? ଶାଶୁ ତେଣେ ଅପେକ୍ଷା କରିଥିବେ । ତମେ ଚାଲିଲ, ଆମର ସେଠି ତମ ପାଇଁ ବ୍ୟବସ୍ଥା ହେଇଚି । ମୁଁ ଡାକିବାକୁ ଆସିଥିଲି, ମୋତେ ଏତେ ଅଡ଼ୁଆରେ ପକାଅନା ବାବୁ ।

 

ମୁଁ ତା’ ବ୍ୟବସ୍ଥା ବୁଝିପାରି କହିଲି–ସେ କଥାଟା ମୁଁ ମୂଳରୁ ଅନୁଭବ କରୁଚି, ସେଥିପାଇଁ ଆସିଚ ଯେତେବେଳେ ଅନ୍ତତଃ ଟିକେ ତଣ୍ଟି ଓଦା କରି ନ ଫେରିଲେ ଆମ ଭିତରେ ଆଉ ବନ୍ଧୁତା ରହିଲା କେଉଁଠି ? ତାପରେ ସେ କିଛି କହିଲାନି । ଅନ୍ୟମନସ୍କ ଭାବେ ଚାରିଆଡ଼କୁ ଚାହିଁଲା । ଏମିତି କିଛି ସମୟ ନୀରବରେ ବସିରହିବା ପରେ ମୁଁ କହିଲି–ତମର ଯଦି ରହିବାର ସେଠି କିଛି ଅସୁବିଧା ହୁଏ ତାହେଲେ ଏଇଠି ଆସି ଏହି ଘରେ ରହିପାର । ଏଇଟା ମୋର । ମୁଁ ଯେତେଦିନ ଆସେ ରୁହେ, ନହେଲେ ତାଲା ଝୁଲୁଥାଏ ।

 

ବାଃ ପ୍ରଶସ୍ତ ଘର ପଡ଼ିଚି ତମର । ଘର ତୁଳନାରେ ରହିବାକୁ ଏତେ ଲୋକ ନାହାନ୍ତି ବୋଧେ ?

 

ନା ଆମର ଏଠି ଅଳ୍ପ ଲୋକହିଁ ରହିଥାଆନ୍ତି । ଅନ୍ୟମାନେ ପ୍ରାୟ ବାହାରେ । ଏଇତ ମୋ ସାନ ଭଉଣୀଟା ରହୁଥିଲା ଯେ ମାଟ୍ରିକ୍‌ ପରୀକ୍ଷା ଦେଇଚି । ମୋ ସାଙ୍ଗରେ ଯାଉଚି ସେଠି କିଛିଦିନ ରହିବ । ପାଶ୍‌ କରେ ଯଦି ତେଣେ ପଢ଼ିବ । ଘରେ ଆଉ କିଏ ? ବାପା, ଆଇମା’, ସାନ ବୋଉ, ଚାକର ଏଇମାନେ ।

 

ହଁ ଅଭାବ କ’ଣ ? ଯାହାହେଉ ଏକରକମ ଭଲ ଜୀବନ ବିତାଉଛନ୍ତି ତମ ପରିବାର ।

 

ତାପରେ ସେ ଅନ୍ୟମନସ୍କ ହେଇଗଲା । ନୀରବତା ତାକୁ କାବୁ କରିଦେଲା । ବୋଧହୁଏ ଅତୀତ ତା’ ଭିତରେ ଗୁଞ୍ଜରିଉଠୁଥିଲା । ଅତୀତ ପାଇଁ ସେ ଅନୁତାପ କରୁଥିଲା । ମୋ ଘର ସଂସାରକୁ ଲୋଭିଲା ଆଖିରେ ଚାହୁଁଥିଲା । ହୁଏତ ସେ ଭୁଲ୍‌ କରିଥିଲା । ତା’ ଭିତରେ ମୁଣ୍ଡ କୋଡ଼ୁଥିବା ଅପ୍ରାପ୍ତିହିଁ ଏହା ମୂଳରେ ମୁଖ୍ୟତଃ ଦାୟୀ । ବେଳେବେଳେ ଦୁନିଆର ସବୁଲୋକ ଛାଡ଼ିଆସିଲା ଅତୀତକୁ ନେଇ କିଛି କିଛି ମନସ୍ତାପ କରିଥାଆନ୍ତି । ଯାହାକୁ ଗୋଡ଼ରେ ଆଡ଼େଇ ଆସିଛନ୍ତି ତା’ର ମୂଲ୍ୟବୋଧକୁ ତର୍କଣା କରି ଦୁଃଖ କରନ୍ତି । ସରିତା ଆଉ ସେ ଦୁଃଖର ଶିକାର ହେଉନି ତ ? ମୁଁ ତା’ ଅନ୍ୟମନସ୍କତାକୁ ଲକ୍ଷ୍ୟ କରି କହିଲି–ଏ ଗରିବ ଘରକୁ ଦେଖି କ’ଣ ଭାବୁଚ ସରିତା ?

 

ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ସେ କହିଲା ଭାବୁଚି ନିଜକୁ ଗରିବ ବୋଲି କହି ଦୁନିଆରେ ତମ ଭଳି ଏମିତି କେତେ ଧନୀ ଲୋକ ଅଛନ୍ତି ?

 

ମୁଁ କହିଲି–ନା ନା ତମେ ଭୁଲ୍ ଭାବୁଚ ସରିତା, ଆମେ ଆଦୌ ଧନୀ ନୁହଁ ।

 

ଗଣ୍ଡାଏ ଖାଇବାକୁ ପାଉଚୁ ବୋଲି କ’ଣ ଆମେ ଧନୀ ?

 

ସେ ମୋ କଥାରେ କ’ଣ ଉତ୍ତର ଦେଇଥାଆନ୍ତା କେଜାଣି; କିନ୍ତୁ ମିନୁର ଉପସ୍ଥିତି ତାକୁ ମୂକ କରିଦେଲା । ସେ ତା’ ହାତରୁ ସରବତ୍‌ ଗ୍ଳାସଟା ନେଇ ପିଇବାକୁ ଲାଗିଲା । ମୁଁ ତା’ ଦୁଃଖକୁ ମାପି ପାରୁଥିଲି । ତା’ ଭିତରେ ହାଇମାରୁଥିବା ଅବଶୋଷକୁ ଚିହ୍ନିପାରୁଥିଲି । ବାସ୍ତବିକ୍ ଜୀବନ ଦୁଃଖମୟ । ହେଲେ କାରଣ କ’ଣ ? କାମନା କ’ଣ ଦୁଃଖର କାରଣ ?

 

ସରବତ୍‌ ଗ୍ଳାସଟା ଶେଷକରି ସରିତା ଉଠିଲା ଏବଂ ଆମ ଘରଭିତରଟା ପୂରାପୂରି ଘୂରିଲା । ଟିକନିଖି ଦେଖିଲା । ଆମ ବାଡ଼ି ବଗିଚା, ପାଣିକଳ, ନଡ଼ିଆ, ଗୁଆ ଗଛର ଭିତରେ ପଶି ପଶି କ’ଣ ସବୁ ଖୋଜିଲା । ଆମ୍ୱଗଛ ତଳେ ଛିଡ଼ାହୋଇ ପାଚିଲା ଆମ୍ୱ ଦେଖିଲା । ମୁଁ ଦୂରରେ ଛିଡ଼ାହୋଇ ଲକ୍ଷ୍ୟ କରୁଥିଲି । ମିନୁକୁ ଡାକି ପଚାରିଲି ଘରେ ଆଉ ପାଚିଲା ଆମ୍ୱ ଅଛି ?

 

ମିନୁ କହିଲା ହଁ କେଇଟା ଅଛି ।

 

ଗୋଟାଏ ବ୍ୟାଗରେ ଦି’ ଚାରି ଗଣ୍ଡା ଆମ୍ୱ ପୂରେଇଲୁ । ତାକୁ ଦେବା । ଭଲ ଆମ୍ୱ ଦେବୁ ! ମିନୁ ଚାଲିଗଲା ପରେ ସରିତା ପୁଣି ମୋ ପାଖକୁ ଫେରିଆସିଲା । ମୁଁ ତା’ ମୁହଁକୁ ଚାହିଁ ଦେଖିଥିଲି ସେ ଟିକେ ଟିକେ ଫିକା ହସ ହସୁଥିଲା । ବୋଧହୁଏ ବିଫଳତାର । ମୋର ତା’ ପାଇଁ ଦୟା ଆସୁଥିଲା । କେତେଦିନ ସେ ବଞ୍ଚିପାରିବ ନିଜସ୍ୱ ଅହଙ୍କାରକୁ ନେଇ । ସମୟର ଉଦ୍‌ବେଳିତ ଛାତିଉପରେ ଚହଲିଉଠି ପିଟିହେବାକୁ ଯାଉଥିବା ବୟସର ଢେଉକୁ କେତେବାର ହୃଦୟର ପଥର ବନ୍ଧ ତଳେ ଚାପିଧରିବ ? କେତେକାର ଚୁମାଦେବ କାଳ୍ପନିକ : ପୁରୁଷକୁ ଏକୁଟିଆ ନିଝୁମ ରାତିରେ ? କି ଆଶ୍ୱାସନାରେ ଆସନ୍ତାକାଲି ପାଇଁ ସୁସ୍ଥ ଶରୀର ସାଇତି ରଖିବ ? କି ସ୍ୱପ୍ନରେ ବିଭୋର ହେବ ଦିନ, ବାର, ତାରିଖ ଓ ଲିତା ବିଲିତାରେ ? ବର୍ଷାରେ ? ବସନ୍ତରେ ? ଶୀତରେ ?

 

ଯିବା ଚାଲ, କଥାହେଇ ଫେରିଲେ ତମେ ପୁଣି ବାହାରିବ କହି ସେ ମୋ ମୁହଁକୁ ଚାହିଁଲା । ମୁଁ ତାକୁ କିଛି କହିଲିନି । ବିଭୋର ଅତୀତ ଆମ ଭିତରେ ନିକଟତମ ଦୂରତାକୁ ସଙ୍କୁଚିତ ଓ ପ୍ରସାରିତ କରୁଥିଲା । ମୁଁ ଜାଣିଥିଲି ସରିତା ଏମିତି ଦିନେ ଦୁଃଖ ପାଇବ, ଯଦି କେବେ ମୋ ସହ ପୁନର୍ବାର ଦେଖାହୁଏ । କଥାଟା ନିହାତି ସତ ହେଇଗଲା ।

 

ଆମେ ସାଥିହୋଇ ପୁଣି ବାହାରି ଆସିଲୁ । ଆଗରୁ ଆମ ଘରଆଡ଼କୁ ପୋଷ୍ଟ ପିଅନଟା ଆସୁଥିବାର ଦେଖି ଛିଡ଼ା ହେଇଗଲି । କ’ଣ କେଉଁଠୁ ଚିଠି ଆସିଚି ବୋଧେ । କିଏ ଦେଇଚି ଚିଠି ? ସାନବାପା, ଭାଇ, ବାପାଙ୍କର କେହି ବନ୍ଧୁ ବା ମିନୁର ସେ ବୟଫ୍ରେଣ୍ଡ ?? କିଏ ଦେଇଚି, କିଏ-???

 

ତାହାହିଁ କେବଳ ଜାଣିବାପାଇଁ ମୁଁ ଛିଡ଼ାହେଇ ରହିଲି । ସରିତା ମଧ୍ୟ ମୋ ଅପେକ୍ଷାରେ କାରଣ ବୁଝିପାରି ଛିଡ଼ାହେଲା । ପୋଷ୍ଟ ପିଅନଟା ସାଇକେଲର ବ୍ରେକ୍‌ ଚାପିଧରି ଆମପାଖରେ ଅଟକିଗଲା । ତା’ ମାଟିଆ ବ୍ୟାଗ୍‌ ଭିତରେ ହାତ ପୂରେଇ କହିଲା ବାବୁ, ଗୋଟାଏ ଟେଲିଗ୍ରାମ ଅଛି-

 

ମୁଁ ତା’ ହାତରୁ ଟେଲିଗ୍ରାମଟା ନେଇଆସି ଦେଖିଲି ସେଇଟା ମୋପାଖକୁ ଆସିଚି । ଲେଖା ଅଛି କମ୍‌ ସୁନ୍ ।

 

ମିଟି ମୋପାଖକୁ ଟେଲିଗ୍ରାମ କରିଚି ଭଳି ଝମ୍‌ ଝମ୍‌ ହେଇ ଗଦା ହେଇପଡ଼ିଲା । ମୁହୂର୍ତ୍ତକ ପାଇଁ ମୋ ଆଖିଆଗର ପୃଥିବୀ ଅନ୍ଧାରରେ ହଜିଗଲା । ଚରମ ଉପାୟହୀନ ବ୍ୟାକୁଳତାରେ ମୁଁ ଉବୁଟୁବୁ ହେଲି । ମୋତେ ଲାଗୁଥିଲା ମୁଁ ଯେମିତି ଗୋଟାଏ ନିର୍ଜୀବ ଷ୍ଟାଚ୍ୟୁରେ ପରିଣତ ହେଇଯାଉଚି ।

 

ସରିତା ମୋହାତରୁ ଟେଲିଗ୍ରାମଟା ନେଇ ପଢ଼ିସାରି କହିଲା ତମେ ଏବେ ଚାଲିଯାଅ ମଳୟ, ହୁଏତ ପୁନିର କିଛି ଅସୁବିଧା ହେଇଚି । ତମେ ଶୀଘ୍ର ଚାଲିଯାଅ ।

 

ମୋ ଆଖିଆଗରେ ନିମିଷକ ପାଇଁ ସମସ୍ତଙ୍କର ଅପୂର୍ଣ୍ଣ ଇଚ୍ଛାର ମୁହଁ ନାଚିଉଠିଲା । ଶଙ୍କର ଦା’ ଓ ଅରୂପ ହେଇଛନ୍ତି ମୁହଁ ଶୁଖେଇ ।

 

ସୁନୀତାର ମୁହଁରେ ଅପୂର୍ଣ୍ଣ ଇଚ୍ଛାର ଶବ୍ଦ ଢେଉ ଖେଳୁଚି ।

 

ରେଣୁର ବିଦୀର୍ଣ୍ଣ ଜୀବନଧାରା ଅଲରା କେଶଭଳି ଉଡ଼ିଯାଉଚି ମୁହଁଉପରେ । ସରିତାର ସବୁ ଇଚ୍ଛା ଛାତି ଭିତରେ ରହିଯାଉଚି ।

 

ମିନୁ ଓ ଆଇମା’ ବିରକ୍ତ ପ୍ରକାଶ କରୁଛନ୍ତି ।

 

ମୁଁ କେବଳ ମଝିରେ ପଶି ଛେଳିଛୁଆଟିଏ ଭଳି ବଲ୍‌ ବଲ୍‌ କରି ସମସ୍ତଙ୍କ ମୁହଁକୁ ଚାହୁଁଚି-। ଗଛକୁ ଚାହୁଁଚି, ପୃଥିବୀକୁ ଚାହୁଁଚି । ଚାରିଆଡ଼କୁ ଗୋଟେ ପ୍ରଶ୍ନ ପଚାରୁଚି ମୁଁ କ’ଣ କରିବି ମୋର ଦେଖନ୍ତା ଦୁନିଆ ? ମୁଁ କ’ଣ କରିବି ? ଗୋଟାଏ ଉତ୍ତର ଭାସିଆସୁଚି କିଛି ନାହିଁ, କିଛି ନାହିଁ-। ସ୍ଥିର ହେଇ ଚିନ୍ତାକର ।

Image